Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧିବଧ ଭାବେ ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ଶେଷରେ ବିଧବଧ ଭାବେ ବିଜେପିରେ ମିଶିଲେ ଭୁବନେଶ୍ବରର 4 ଥର ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀ। ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେପିରେ ସାମିଲ ହେବେ ବୋଲି ଦିଲ୍ଲୀ ଯାଇଥିଲେ। ହେଲେ ସେଠାରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ କୈଣସି ମିଶ୍ରଣ ପର୍ବ ହୋଇପାରି ନ ଥିଲା। ହେଲେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଏକ ଫଟୋରୁ ସ୍ପଷ୍ଟ ହୋଇଥିଲା।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ବିଜେଡି ଗତ 2019 ମସିହା ନିର୍ବାଚନରେ ତାଙ୍କୁ ଟିକେଟ ନ ଦେଇ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା। ସେଥିରେ ସେ ହାରିଯାଇଥିଲେ। ଏଥର ନିର୍ବାଚନରେ ଶ୍ରୀ ପାଟ୍ଟଶାଣୀ ମଧ୍ୟ ଟିକେଟ ପାଇବେ ବୋଲି ଆଶା କରିଥିଲେ। ଏପରିକି ଶେଷ ମୂହୁର୍ତ୍ତରେ ତାଙ୍କୁ ଚିଲିକାରୁ ଟିକେଟ ଦିଆଯିବ ବୋଲି ନବୀନ ନିବାସରେ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା।

Categories
ଆଜିର ଖବର

ଶୁକ୍ରବାରରେ ରଜ, ହେଲେ ଆଜି ଦୋଳି ଖେଳିଲେଣି ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ରଜରଂ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଭ୍ରମଣ କରୁଥିବା ମହିଳା ମାନଙ୍କ ହାତକୁ ମାଗଣାରେ ମେହେନ୍ଦିରେ ସଜ୍ଜାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଉତ୍ସବକୁ ମହନୀୟ କରିବା ପାଇଁ ରଜର ସୁସ୍ବାଦୁ ପିଠା ଓ ମିଠା ବିକ୍ରୟ ପାଇଁ ତିନୋଟି “ପିଠା ଅନ୍ ହୁଇଲ” ଭ୍ୟାନ୍ ଉଦଘାଟିତ ହୋଇଛି ଏବଂ ମାଷ୍ଟର କ୍ୟାଣ୍ଟିନ, କିଟ୍ ସ୍କୋୟାର, ଆଇଟିଆର- ଖଣ୍ଡଗିରିରେ ସକାଳ ୮ ଟାରୁ ୧୨ ଘଟିକା ଏବଂ ଅପରାହ୍ନ ୪ ଟା ରୁ ୭ ଟା ପର୍ଯ୍ୟନ୍ତ ଏହି ଭ୍ୟାନ ଗୁଡିକ ଉପଲବ୍ଧ ହେବ।

ଏହି ଭ୍ୟାନ୍ ଗୁଡିକ ରଜ ପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ପ୍ରଦାନ କରିବ। “ପିଠା ଅନ୍ ହୁଇଲ” ମଧ୍ୟ ସମ୍ବଲପୁରରେ ଉପଲବ୍ଧ ହେବ। ସିଲଭରସିଟି ବୋଟକ୍ଲବ୍, ଆଇଏସବିଟି କାଫେ ଏବଂ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁରେ ଆସନ୍ତା ୧୪ ଜୁନରୁ ୧୬ ଜୁନ୍ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବିକ୍ରୟ ପାଇଁ ରଜ ପିଠା କାଉଣ୍ଟର ସ୍ଥାପନ କରାଯିବ ।

ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ, ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ କାର୍ଯ୍ୟକାରୀ ସଭାପତି ଶ୍ରୀ ବେଣୁଧର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବର ସାଂସଦ ଭାବେ ଜିତିବା ପରେ ଜିଲ୍ଲାପାଳଙ୍କଠାରୁ ପ୍ରମାଣ ପତ୍ର ନେଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ଲୋକସଭା ଆସନକୁ ଅକ୍ତିୟାର କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମନ୍ନଥ ରାଉତରାୟଙ୍କୁ 35 ହଜାର 152 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅପରାଜିତା ମୋଟ 5 ଲକ୍ଷ 12 ହଜାର 519 ଭୋଟ ପାଇଛନ୍ତି।

ସେ ବିଜୟ ଲାଭ କରିବା ପରେ ବିଧି ମୁତାବିକ ତାଙ୍କର ବିଜୟ ପ୍ରମାଣ ପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କଠାରୁ ଗ୍ରହଣ କରିଛନ୍ତି। ଗତକାଲି ଫଳାଫଳ ବାହାରିବା ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସି ଏହି ପ୍ରମାଣ ପତ୍ର ହାସଲ କରିଛନ୍ତି। ଏହାକୁ ଲୋକସଭାରେ ଦେଖାଇବା ପରେ ସେ ସାଂସଦ ଭାବେ ଶପଥ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ ଆଗରେ, ଜାଣନ୍ତୁ କେତେ ପାଇଲେ ଭୋଟ

ଭୁବନେଶ୍ବର: ଓଡିଶାର ବିଭିନ୍ନ ଆସନରେ ବିଜେପି ଅଗ୍ରସର ହେବାରେ ଲାଗିଛି। ସେହି ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ସେ 8781 ଭୋଟରେ ଆଗୁଆ ଅଛନ୍ତି। ବିଭିନ୍ନ ପ୍ରାର୍ଥୀ ପାଇଥିବା ଭୋଟ ହେଲା

1- ଅପରାଜିତା ଷଡଙ୍ଗୀ, ବିଜେପି- 127501

2- ମନ୍ନଥ ରାଉତରାୟ, ବିଜେଡି- 118720

3- ସୟଦ ୟାସିର ନୱାଜ- 14295

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତିର ନୂଆ ମୋଡ, ପ୍ରଚାରର ଶେଷ ଦିନରେ ବିଜେପିରେ ମିଶିଲେ ବିଧାୟକ ଜିତୁ ମିତ୍ର

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା।

ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ ବରିଷ୍ଠ ନେତା ତଥା ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ 25 ବର୍ଷ ପରେ ଓଡିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଧାରରେ ଓଡିଶାରେ ସରକାର ଗଠନ ହେବାକୁ ଯାଉଛି । ମୁଁ ଯେଉଁଠାକୁ ଯାଏ ଲୋକ ମାନେ କହନ୍ତି ଯେ ଆମ ସାଂସଦକୁ ମନ୍ତ୍ରୀ କରି ଦିଅନ୍ତୁ ହେଲେ ସମ୍ବଲପୁରର ଜନସାଧାରଣଙ୍କ ପାଇଁ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀ ଜଣେ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ଦେଇଛନ୍ତି ।

ସମ୍ପୂର୍ଣ ଦେଶରେ ପାଂଚ ପର୍ଯ୍ୟାୟର ନିର୍ବାଚନ ହୋଇ ସାରିଛି ଓ ପଂଚମ ପର୍ଯ୍ୟାୟରେ ହିଁ ନରେନ୍ଦ୍ର ମୋଦୀଜୀ 310 ସିଟ ପାର କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର୍ଯାୟରେ 4 ଶହ ଆସନ ପାର କରିବା ପାଇଁ ରହିଛି । ସାରା ଦେଶରେ କେବଳ 4 ଶହ ପାର କରିବାର ଲକ୍ଷ୍ୟ ରହିଛି କିନ୍ତୁ ଓଡିଶାର ଜନସାଧାରଣଙ୍କୁ ବିଧାନସଭାରେ ମଧ୍ୟ 75ରୁ ଅଧିକ ଆସନରେ ବିଜେପିକୁ ବିଜୟୀ କରାଇ ପଦ୍ମ ଫୁଲ ଫୁଟାଇବାର ଅଛି ବୋଲି ଶାହ କହିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅକୁ ଦେଶର ରାଷ୍ଟ୍ରପତି କରି ସମଗ୍ର ଓଡ଼ିଶାର ସମ୍ମାନ କରିବାର କାର୍ଯ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଘୋଷଣା କରିଛନ୍ତି।

କଂଗ୍ରେସ ସରକାରରେ କେନ୍ଦ୍ରର ଆଦିବାସୀ କଲ୍ୟାଣ ବଜେଟ କେବଳ 85 ହଜାର କୋଟି ଟଙ୍କା ଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବୃଦ୍ଧି କରି 1ଲକ୍ଷ 25 ହଜାର କୋଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ପାଇଁ 740 ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ଏବଂ 40ହଜାର ଆଦିବାସୀ ଶିକ୍ଷକଙ୍କ ଭର୍ତ୍ତି କରିଛନ୍ତି।

ସେ କହିଥିଲେ ଯେ, ନବୀନ ବାବୁ ଓଡ଼ିଶାରେ ବାବୁଶାହୀ ଥୋପୁଛନ୍ତି ଏବଂ ଓଡ଼ିଶାର ଲୋକ, ସଂସ୍କୃତି ଓ ଅସ୍ମିତାର ଅପମାନ କରୁଛନ୍ତି। ଏହି ମହାନ ଉତ୍କଳ ପ୍ରଦେଶ ଉପରେ କୌଣସି ତାମିଲବାବୁ ଶାସନ କରିପାରିବେ ନାହିଁ, ଓଡ଼ିଶା ଉପରେ ଶାସନ ଓଡ଼ିଶାର ପୁଅ ହିଁ କରିବେ ଯିଏ ଓଡ଼ିଆ ଭାଷାରେ କଥା କରିପାରିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଆଗକୁ ବଢାଇବ।

ସେ ସମାଲୋଚନା କରି କହିଥିଲେ ଯେ, ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ବିଜେଡି ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ତାର ଅପମାନ କରୁଛନ୍ତି, ମଠ ମନ୍ଦିରକୁ ଭଙ୍ଗା ଯାଉଛି, ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲା ଯାଉନାହିଁ ଏବଂ ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରାଯାଇଥିଲା। ଓଡ଼ିଶା ସାରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ଅଟେ, କିନ୍ତୁ ଏହା ସତ୍ତ୍ୱେ ସବୁଠୁ ଗରିବ ଲୋକେ ଏହି ରାଜ୍ୟର ଅଟନ୍ତି।

ଖଣିଜ ସଂପଦରେ ଭରି ରହିଥିବା ଉତ୍କଳ ଭୂମିକୁ ନବୀନଙ୍କ ‘ବାବୁ’ ଲୁଟିବାର କାର୍ଯ୍ୟ କରୁଛନ୍ତି। ବିଜେପି ଏଭଳି ଓଡ଼ିଶା ନିର୍ମାଣ କରିବାକୁ ଚାହୁଁଛି, ଯେଉଁଠି ଜଣେ ବି ଯୁବକଙ୍କୁ ନିଜ ପତ୍ନୀ ଓ ବୃଦ୍ଧ ମାଆ-ବାପାଙ୍କୁ ଛାଡି ଅନ୍ୟ କୌଣସି ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ନପଡୁ, ତାକୁ ତାର ରାଜ୍ୟରେ ହିଁ କାମ ମିଳୁ ବୋଲି ଜନସମାବେଶକୁ ଶାହ କହିଥିଲେ।

ଶ୍ରୀ ଶାହା ଓଡିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ପାଇଁ କିଛି କରୁନାହାନ୍ତି ଓ ବାବୁ ହିଁ ଓଡିଶାକୁ ଚଳାଉଛନ୍ତି , ଏଥିପାଇଁ ଏଥର ଜନତାଙ୍କୁ ଓଡିଶାର ମାଟିର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍, କାରଣ ବାବୁଗିରିରେ ଶାସନ ଚାଲେନାହିଁ। ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ। ଶ୍ରୀ ଅମିତ୍ ଶାହ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ୍ ର ସରକାର ଗଠନ କରିବାକୁ ନିବେଦନ କରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ।

ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି ସମୟ ଏପରି ନାରାବାଜି ଦେବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବ ବୋଲି ଆଶଙ୍କା ସୃଷ୍ଟି ହେଲା। ଏହାପରେ ବିଜେଡି ସମର୍ଥକ ଯୋଡି ଶଙ୍ଖ ଜିନ୍ଦାବାଦ କରିବା ବେଳେ ବିଜେପି ସମର୍ଥକ ଯୋଡି ପଦ୍ମ ଜିନ୍ଦାବାଦ କଲେ।

ସେଠାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଉଭୟ ଦଳର ଯେତେ ସମର୍ଥକ ଥିଲେ ସେଥିରେ ଏହାକୁ ନିୟନ୍ତ୍ରଣ କରିବା ପରି ଅବସ୍ଥା ନ ଥିଲା। ଖୋର୍ଦ୍ଧା ଏସପି ଏ ଖବର ଜାଣିବା ପରେ ତୁରନ୍ତ ଅଧିକ ଫୋର୍ସ ମଗାଇ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତାଙ୍କ ନିର୍ବାଚନ ସଭାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବିଜେପି ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ, କିଛିଦିନ ତଳେ ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ନିର୍ବାଚନ ସଭା କରିଥିଲେ। ସେହି ସଭାରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ତିନି ଜଣ ଅଫିସର ଉପସ୍ଥିତ ଥିଲେ। ନିର୍ବାଚନ ସଭାରେ କାହିକି ଜଣେ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ସେ ନେଇ ଦଳ ଅଭିଯୋଗ କରିଛି। ସେମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା ସାହୁ ପ୍ରମୁଖ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଅଡୁଆରେ ଅପରାଜିତା, ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କଲେ ଖୋର୍ଦ୍ଧା କର୍ମି

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ଦଳିୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ।

ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ। ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ।

ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏକ ସ୍ଥାନରେ ଦଳିୟ ସଭା କରିଥିଲେ। ସେଠାରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଉପସ୍ଥିତ ଥିଲେ। ସେହି ସଭାରେ ଅପରାଜିତା ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରାର୍ଥୀ ହେବେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ କାଳୁ ଖଣ୍ଡାୟତରାୟ କର୍ମି ଉତ୍ୟେକ୍ତ ହୋଇ ଉଠିଥିଲେ।

ସେମାନେ ପ୍ରଥମେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କରିବା ପରେ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ ଲଢେଇ କରିବେ। ମୁଁ ଯେତେବେଳେ ଦଳରେ ସାମିଲି ହେଲି ସେତେବେଳେ କୌଣସି ସର୍ତ୍ତ ରଖି ନାହିଁ। ଦଳରେ ଯୋଗଦେବା ପୂର୍ବରୁ କାଳୁଭାଇଙ୍କ ସହିତ କଥା ହୋଇଥିଲି। ସେ ମୋତେ ଆଣି ଦଳରେ ମିଶାଇଛନ୍ତି। ସେ ନିର୍ବାଚନ ଲଢନ୍ତୁ, ମୁଁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ଏହି ହାଙ୍ଗାମା ବେଳେ ଖୋଦ କାଳୁ ଖଣ୍ଡାୟତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଦାବୀ କରିଥିଲେ ଯେ, ମୁଁ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧାରେ ସଂଗଠନକୁ ମଜବୁତ କରି ରଖିଛି। ସବୁ ବୁଥରେ କର୍ମି ତିଆରି କରିଛି। ଏତେ ବର୍ଷ ଧରି ପରିଶ୍ରମ କରିବା ପରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହେବେ ବୋଲି କାହିଁକି କୁହାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବହୁ ବୁଝାବୁଝି ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମିମାନେ ଥଣ୍ଡା ପଡିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଶେଷରେ ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି। ଓଡିଶା ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମଲ କରାଇଥିଲେ। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଦଳିୟ ଟୋପି ପିନ୍ଧାଇଥିଲେ।

ଏହି ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେଡି କର୍ମି ମଧ୍ୟ ସାମିଲ ହୋଇଥିଲେ। ଏହି ସମାରୋହରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଯୋଗଦେଇଥିଲେ। ତାଙ୍କର ଯୋଗଦାନ ଖୋର୍ଦ୍ଧା ଜିଲ୍ଲାର ସଂଗଠନ ବେଶ ମଜବୁତ ହେବ ବୋଲି ଅପରାଜିତା କହିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକସଭା ପାଇଁ ଓଡିଶାର ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା ବିଜେପି, କେବଳ ଘୋଷଣାକୁ ଅପେକ୍ଷା

ଭୁବନେଶ୍ବର: ବର୍ତ୍ତମାନ କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ କିଏ ଆଗୁଆ ଲୋକସଭା ପ୍ରାର୍ଥି ଘୋଷଣା କରିବ ସେ ନେଇ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା। ଏହା ବିଶେଷ କରି ଜାତୀୟ ରାଜୈନିତକ ଦଳ ଭିତରେ ବେଶୀ ପରିଲକ୍ଷିତ ହୋଇଛି। ଓଡିଶା ଲୋକସଭା ପାଇଁ ଖୁବ ଶିଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିସାରିଛି।

ଏହାପରେ ଅନ୍ୟତମ ଜାତୀୟ ଦଳ ବିଜେପି ମଧ୍ୟ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରୁଛି ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ବିଜେପି ଦେଶର ପ୍ରାୟ ଶହେଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। ସେହି ଅନୁସାରେ ବିଜେପି ଓଡିଶାର ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣାପଡିଛି।

ତେବେ ଓଡିଶାର କେଉଁ ପାଞ୍ଚଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ରାଜ୍ୟନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ବିଶେଷ କରି ବିଜେପି ନେତାମାନେ ବଡ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ଦିଲ୍ଲୀ ନେତାମାନେ ତାଙ୍କୁ ଟିକେଟ ଦେବେ ନା କାଟିବେ ସେ ନେଇ ସନ୍ଦେହ ମଧ୍ୟରେ ଅଛନ୍ତି। ବିଶେଷ କରି ଯେଉଁମାନେ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି ସେମାନଙ୍କର ଏବେ ନିଦ ହଜିଯାଇଛି।

କେବଳ ବିଜେପି ନେତା ନୁହଁନ୍ତି ଅନ୍ୟଦଳର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। କାରଣ ତାଙ୍କ ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେମାନେ ଅନେଇ ବସିଛନ୍ତି। ତାଙ୍କ ବିରୋଧରେ ଟାଣୁଆ ନେତାଙ୍କୁ ଟିକେଟ ମିଳୁଛି ନା ଦୁର୍ବଳ ପ୍ରାର୍ଥୀ ଲଢେଇ କରିବେ ଅପେକ୍ଷା କରିଛନ୍ତି। ସେହି ଅନୁସାରେ ସେମାନେ ତାଙ୍କର ହିସାବ କିତାବ କରିବେ। ସେହି ଅନୁସାରେ ନିର୍ବାଚନ ପାଣ୍ଠି ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ଓଡିଶାର ଯେଉଁ ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା ହେବ ସେଗୁଡିକ ହେଉଛି ଭୁବନେଶ୍ବର, ପୁରୀ, ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ। ଆଉ ପ୍ରାର୍ଥୀମାନେ ହେଲେ ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର ଏବଂ ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ।

ସେହିପରି ସମ୍ବଲପୁର ଆସନଟି ବହୁ ଦିନ ହେଲା ଚର୍ଚ୍ଚାରେ ରହିଛି। କାରଣ ସେଠାରୁ ପ୍ରାର୍ଥୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ଧର୍ମେନ୍ଦ୍ର ବହୁ ପୂର୍ବରୁ ସମ୍ବଲପୁରରେ ଡେରା ପକାଇ ବସି ରହିଛନ୍ତି। ସେ ସେଠାରୁ ପ୍ରାର୍ଥୀ ହେବେ ବୋଲି ଚୁଡାନ୍ତ ହୋଇସାରିଛି। ସେହିପରି ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ବୋଲି ଜଣାପଡିଛି।

ଏହି ପାଞ୍ଚଟି ଆସନ ବିଜେପିର ପ୍ରଥମ ପସନ୍ଦ ଆସନ ବୋଲି କୁହାଯାଉଛି। କାରଣ ଏହି ଆସନରେ ଦଳ ନିଶ୍ଚିତ ବିଜୟ ଲାଭ କରିବ ବୋଲି ଧରିନେଇଛି। ସେଥିପାଇଁ ବହୁ ପୂର୍ବରୁ ଏହି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏମାନଙ୍କ ବିରୋଧରେ ବିଜେଡି କେଉଁ ପ୍ରକାରର ପ୍ରାର୍ଥୀ ଦେବ ତାହାକୁ ନେଇ ହାରିବା ଜିତିବା ନିର୍ଭର କରୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖେଳ କରିଦେଇ ହସିଲେ ସାଂସଦ ଅପରାଜିତା, ସମ୍ବଲପୁର ପରେ ଭୁବନେଶ୍ବରକୁ ମଧ୍ୟ ଆସିବେ ମୋଦି

ଭୁବନେଶ୍ବର: ରାଜ୍ୟ ବିଜେପିରେ ଚାଲିଛି ଭିତିରିଆ ଟକ୍କରା ଟକ୍କରି। ଏକଥା ପଦାକୁ କେହି କହୁ ନ ଥିଲେ ମଧ୍ୟ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦଳରେ ଦୁଇ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଚା। ଏବେ ନୁହେଁ ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଉଭୟଙ୍କ ମଧ୍ୟରେ ଭଲ ପଡୁ ନାହିଁ ତାହା ସମସ୍ତଙ୍କୁ ଜଣା।

ବର୍ତ୍ତମାନ ସଦ୍ୟ ପ୍ରସଂଗକୁ ଆସିବା। ପ୍ରଥମେ ଫେବୃୟାରୀ ତିନି ତାରିଖରେ ସମ୍ବଲପୁର ଗସ୍ତରେ ମୋଦି ଆସିବେ ବୋଲି ଘୋଷଣା ହେଲା। ସେଠାରେ ସେ ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହିତ ଦଳିୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ଧର୍ମେନ୍ଦ୍ର ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେଉଛନ୍ତି। ସେଥିପାଇଁ ସେ ବହୁ ପରିଶ୍ରମ କରି ମୋଦିଙ୍କୁ ଆଣି ତାଙ୍କ ସପକ୍ଷରେ ପ୍ରଚାର କରାଇବେ। ଯାହାକୁ ନେଇ ସେ ବେଶ ଖୁସି ହୋଇପଡିଥିଲେ।

ହେଲେ ଏ କଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ହଜମ ହେଲା ନାହିଁ। ସେ କିପରି ମୋଦିଙ୍କୁ ଭୁବନେଶ୍ବର ଆଣିବେ ଆରମ୍ଭ କଲେ ପ୍ରଚେଷ୍ଠା। ସାଥ୍ ଦେଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ ବୈଜୟନ୍ତ ପଣ୍ଡା। ଉଭୟଙ୍କ ପ୍ରଚେଷ୍ଠାରେ ଭୁବନେଶ୍ବରରେ ଏକ ମହିଳା ସମ୍ମିଳନୀରେ ଆୟୋଜନ ହେବାକୁ ନିଷ୍ପତି ହେଲା। ଆଉ ସେଥିରେ ମୋଦି ଯୋଗ ଦେବେ ବୋଲି ସ୍ବୀକୃତ ଦେଲେ।

ସେହି ଅନୁସାରେ ଓଡିଶା ବିଜେପି ସଭାପତି ମନମୋହନ ସାମଲ ପୁଣି ଥରେ ଘୋଷଣା କଲେ ଯେ, ମୋଦି ଫେବୃୟାରୀ 10 ତାରିଖରେ ମଧ୍ୟ ଓଡିଶା ଆସିବେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ସମ୍ମିଳନୀରେ ଯୋଗଦେବେ। ଏହାପରେ ଅପରାଜିତା କୁଆଡେ ଖୁସିରେ ହସିଲେ ବୋଲି କୁହାଯାଉଛି।

ଏହି ଖବର ପରେ ବିଜେପି ଦଳ ଭିତରେ ଆରମ୍ଭ ହେଲା ଟୁପୁରୁଟାପର। କାରଣ ଫେବୃୟାରୀ 10 ତାରିଖରେ କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର ହୋଇ ନ ଥିଲା। ହେଲେ ସମ୍ବଲପୁର ପରେ ଭୁବନେଶ୍ବର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସମସ୍ତେ ଏହାର ଗୁଢ ରହସ୍ୟ ଜାଣିପାରିଲେ।ମ୍ୟାଡମ ଅପରାଜିତ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଏହା ଏକ ବଡ ଖେଳ ବୋଲି ସମସ୍ତେ ଅନୁଭବ କଲେ।

ସମ୍ବଲପୁରରେ ସରକାରୀ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ହେଲେ ଭୁବନେଶ୍ବରରେ ପୁରା ଦଳୀୟ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। କାରଣ ଭୁବନେଶ୍ବରରେ ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମ ଅଛି ବୋଲି ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଆଉ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରଧା ସାଜିବେ ଉଭୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା। ତେବେ ଏଥିରେ ଧର୍ମେନ୍ଦ୍ରଙ୍କ ଯୋଗଦାନ ରହିବ କି ନାହିଁ ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟରରୁ ଧର୍ମେନ୍ଦ୍ର ଆଉଟ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ଓଡିଶା ରାଜନୀତିରେ ସେତିକି ରୋଚକ କଥା ଦେଖିବାକୁ ମିଳିଛି। ସେହିପରି ଏକ ଘଟଣା  ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ପରିଲକ୍ଷିତ ହୋଇଛି। ତାହା ହେଲା ଅପରାଜିତାଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟର। ବିଭିନ୍ନ ସ୍ଥାନରେ ସେ ଏହି ଅଭିନନ୍ଦନ ପୋଷ୍ଟର ମାରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ସେହି ପୋଷ୍ଟରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉଟ ହୋଇଯାଇଛନ୍ତି।

ଅପରାଜିତା ମାରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଫଟୋ ରହିଛି। ପୁରା ଉପରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କ ଫଟୋ ରହିଛି। ତଳକୁ ଅପରାଜିତାଙ୍କ ବଡ ସୁନ୍ଦର ଫଟୋଟିଏ ରହିଛି। ହେଲେ କେଉଁଠି ହେଲେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନିତ କରି ନାହାଁନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ପୂର୍ବରୁ ନୂଆବର୍ଷ ପୋଷ୍ଟରରେ ଅପରାଜିତା ଧର୍ମେନ୍ଦ୍ରଙ୍କୁ ସ୍ଥାନିତ କରିଥିଲେ। ହେଲେ ତାହା ପାସପୋର୍ଟ ସାଇଜର ଫଟୋ ରହିଥିଲା। ଯାହାକୁ ନେଇ ସେତେବେଳେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା। ସେଥିପାଇଁ ଅପରାଜିତାଙ୍କ ଧର୍ମେନ୍ଦ୍ରଙ୍କ ସହିତ ସଂପର୍କ ଭଲ ନାହିଁ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା। ସେତିକି ନୁହେଁ ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ଅପରାଜିତା ଧର୍ମେନ୍ଦ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ପରିଲକ୍ଷିତ ହୋଇଛି।

ଅନ୍ୟପକ୍ଷରେ ଅପରାଜିତା ସାରା ଓଡିଶାରେ ବୁଲିବୁଲି କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ସେ କେବେ ଧର୍ମେନ୍ଦ୍ର କିମ୍ବା ତତକାଳିନ ସଭାପତି ସମୀର ମହାନ୍ତିଙ୍କୁ ସାଥିରେ ନେଉ ନ ଥିଲେ। ଫଳରେ ବିଜେପିରେ ଦୁଇ ଫାଳ ହୋଇଛି ବୋଲି ଜଣାପଡିଥିଲା। ପରବର୍ତ୍ତି ସମୟରେ ମନମୋହନ ସାମଲ ସଭାପତି ହେବା ପରେ ଅପରାଜିତା ତାଙ୍କୁ ନେଇ କେତେକ କାର୍ଯ୍ୟକ୍ରମ କରିଥିଲେ। ହେଲେ ପରବର୍ତ୍ତି ସମୟରେ କଣ ହେଲା କେଜାଣି ତାଙ୍କୁ ମଧ୍ୟ ଆଉ ନେଲେ ନାହିଁ।

ତେବେ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତେ ଏକଜୁଟ ହୋଇ କାମ କରିବେ ବୋଲି ଆଶା କରାଯାଉଥିଲା। ହେଲେ ବର୍ତ୍ତମାନ ନୂଆବର୍ଷ ପୋଷ୍ଟରରୁ ଏହା ପୂର୍ବପରି ସ୍ଥିତି ରହିଛି ବୋଲି ପ୍ରମାଣିତ ହୋଇଛି। ଏପରିକି ଅପରାଜିତାଙ୍କ ଏହି ପୋଷ୍ଟରରକୁ ନେଇ ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ବେଶ ଖୁସି ପ୍ରକଟ କରିଛନ୍ତି। ହେଲେ ନିଜ ଭିତରେ ଏପରି ରାଜନୀତି ଚାଲିଲେ ଦଳ ଚଳିତ ନିର୍ବାଚନରେ କିପରି ବିଜେଡି ସହିତ ଲଢେଇ କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।

 

Categories
ଆଜିର ଖବର ଜାତୀୟ ଖବର

‘ଅହଂକାରୀ …’, ମହୁଆ ମୋଇତ୍ରାଙ୍କ ଅଭିଯୋଗ ଉପରେ କ’ଣ କହିଲେ ଭୁବନେଶ୍ଵର ସାଂସଦ ଅପରାଜିତା?

ନୂଆଦିଲ୍ଲୀ: ଗୁରୁବାର ଦିନ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଲୋକସଭାର ନୈତିକତା କମିଟି ସମ୍ମୁଖରେ ହାଜର ହୋଇଥିଲେ। କମିଟି ବୈଠକରେ ବ୍ୟକ୍ତିଗତ, ଅନୈତିକ ଏବଂ ଅଶ୍ଳୀଳ ପ୍ରଶ୍ନ ପଚାରିବାରୁ ଅଧ୍ୟକ୍ଷଙ୍କ ବିରୋଧରେ ମହୁଆ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୁରୁତର ଅଭିଯୋଗ ଆଣିଥିଲେ।

ଏହି ପ୍ରସଙ୍ଗରେ ଏକ ରାଜନୈତିକ ଯୁଦ୍ଧ ଚାଲିଛି ଏବଂ ଅନେକ ଅଭିଯୋଗ ଓ ପ୍ରତିବାଦ କରାଯାଉଛି। ବର୍ତ୍ତମାନ ବିଜେପି ସାଂସଦ ତଥା କମିଟି ସଦସ୍ୟ ଅପରାଜିତା ଷଡଙ୍ଗୀ ମହୁଆ ମୋଇତ୍ରାଙ୍କୁ ଅତ୍ୟନ୍ତ ଅହଂକାରୀ, ଅସଭ୍ୟ ବ୍ୟବହାର ତଥା ଅତ୍ୟନ୍ତ ତିକ୍ତ ବୋଲି କହିଛନ୍ତି।

ଗଣମାଧ୍ୟମ ଅନୁଯାୟୀ, ଅପରାଜିତା ଷଡଙ୍ଗୀ ଟିଏମସି ସାଂସଦଙ୍କ ବିଷୟରେ କହିଛନ୍ତି ଯେ, “ସେ କମିଟି ଆଗରେ ନିଜକୁ କିପରି ପ୍ରକାଶ କରିବେ ତାହା ଜାଣି ନଥିଲେ, କାରଣ ସେ ବହୁତ କ୍ରୋଧିତ ଥିଲେ। କ୍ରୋଧ ହେତୁ ସେ ଏହି ସଭାରେ ଅସାମ୍ବିଧାନିକ ଭାଷା ବ୍ୟବହାର କରିଥିଲେ।”

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ସେ ଅଧ୍ୟକ୍ଷ ତଥା କମିଟିର ଅନ୍ୟ ସଦସ୍ୟଙ୍କ ବିରୋଧରେ ବ୍ୟବହାର କରିଥିବା ଶବ୍ଦ ସର୍ବସାଧାରଣରେ କୁହାଯାଇପାରିବ ନାହିଁ। କେବଳ ମହୁଆ ମୋଇତ୍ରା ନୁହଁନ୍ତି, ନୈତିକତା କମିଟି ପ୍ୟାନେଲରେ ଥିବା ଅନ୍ୟ ସମସ୍ତ ବିରୋଧୀ ସଦସ୍ୟ ମଧ୍ୟ ସେମାନଙ୍କ ସଂଯମତା ହରାଇଛନ୍ତି। ସେ କେବଳ ଚେୟାର ଏବଂ ଟେବୁଲକୁ ପିଟିଲେ ନାହିଁ ବରଂ କମିଟିର ସଦସ୍ୟ ଥିବା ସମସ୍ତଙ୍କୁ ଅପମାନିତ କରିଥିଲେ।

‘ଅତ୍ୟଧିକ ଆକ୍ରୋଶ, ଅହଂକାର, ଅଭଦ୍ରତା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ’

ଦୁଃଖ ପ୍ରକାଶ କରି ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ମହୁଆ ମୋଇତ୍ରାଙ୍କ ଠାରୁ ଏହିପରି ଆଚରଣ ଆଦୌ ଆଶା କରାଯାଇନଥିଲା। ସେ ଭଲ ବ୍ୟବହାର କରିବା ଉଚିତ୍। ତାଙ୍କୁ ଅତ୍ୟଧିକ ଆକ୍ରମଣାତ୍ମକ, ଅତ୍ୟଧିକ ଅହଂକାରୀ ଏବଂ ଅତ୍ୟଧିକ ଅଭଦ୍ର ବ୍ୟବହାର କରିବା ଉଚିତ୍ ନୁହେଁ, ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

ସୂଚନାଯୋଗ୍ୟ ଯେ, ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାରୁ ମହୁଆ ମୋଇତ୍ରାଙ୍କୁ ଗୁରୁତର ଅଭିଯୋଗର ସମ୍ମୁଖୀନ ହେବାକୁ ପଡିଛି। ଏହାର ଯାଞ୍ଚ ପାଇଁ କମିଟି ନଭେମ୍ବର ୨ ତାରିଖରେ ତାଙ୍କୁ ଡକାଇଥିଲା, କିନ୍ତୁ ବୈଠକରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ କମିଟିର ଅନ୍ୟ ବିରୋଧୀ ସଦସ୍ୟମାନେ ବୈଠକକୁ ବର୍ଜନ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଏକାମ୍ର ଭୁବନେଶ୍ଵରରେ ଅପରାଜିତାଙ୍କ ‘ସାଂସଦ କ୍ରୀଡା ସମ୍ମାନ’: ଖେଳାଳିଙ୍କୁ ମିଳିଲା କ୍ରୀଡା ସାମଗ୍ରୀ

ଭୁବନେଶ୍ଵର: କ୍ରୀଡା ଆଉ କ୍ରୀଡାବୀତମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଗ୍ରାମାଞ୍ଚଳ ଠାରୁ ସାହାରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଯୁବ କ୍ରୀଡାବୀତଙ୍କ ନିକଟରେ ପହଞ୍ଚିବା ପାଇଁ ସାଂସଦ ଅପରାଜିତା କରୁଛନ୍ତି।

ଏହି ଅଭିଯାନ ଅନ୍ତର୍ଗତ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜନ କାରାଯାଉଛି। ତେବେ ଏହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ଏକାମ୍ର ଭୁବନେଶ୍ଵରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜିତ ହୋଇଯାଇଛି। ଏଥିରେ ୨୮ ଟି ସ୍ପୋର୍ଟ୍ସ ଆସୋସିଏସନକୁ ସମ୍ମାନିତ କରାଯାଇଛି। ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ କ୍ରୀଡାର ଖେଳାଳିମାନେ ଅଂଶଗ୍ରହଣ କରି ସାଂସଦ ଅପରାଜିତାଙ୍କ ଠାରୁ ଖେଳ ସାମଗ୍ରୀ ଗ୍ରହଣ କରିଛନ୍ତି।

ଏହି ଅବସରରେ ବିଜେପି ନେତା ବାବୁ ସିଂ ଯୋଗ ଦେଇ ଯୁବ ଖେଳାଳିମାନଙ୍କୁ ଖେଳ ଉପରେ ଗୁରୁତ୍ଵ ଦେବା ଲାଗି ଆହ୍ଵାନ ଦେଇଥିଲେ। ଏହି ସମୟରେ ଶ୍ରୀ ସିଂ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି କହିଥିଲେ ଯେ, “ଆମେ ସମସ୍ତେ ନିଶା ଠାରୁ ଦୂରେଇ ରହିବା ପାଇଁ ଏକ ସଂକଳ୍ପ ନେବା ଏବଂ ନିଶା ମୁକ୍ତ ସମାଜ ଗଢିବା ପାଇଁ ପ୍ରୟାସ କରିବା। ଯଦି ଆମକୁ ଏଥିପାଇଁ ବିରୋଧ କରିବା ପାଇଁ ଆବଶ୍ୟକ ପଡେ, ତେବେ ଆମେ ନିଶ୍ଚିତ ବିରୋଧ କରିବା। ସେଥିପାଇଁ ଆମେ ସ୍ଥାନୀୟ ପୋଲିସ ଆଉ ପ୍ରଶାସନର ସାହାଯ୍ୟ ଲୋଡିବା।”

ସେହିଭଳି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ତାଙ୍କ ଅଭିଭାଷଣରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ ଆଗାମୀ ଦିନରେ କ୍ରୀଡାବୀତମାନଙ୍କୁ ଅଧିକରୁ ଅଧିକ କ୍ରୀଡା ସାମଗ୍ରୀ ଯୋଗାଇଦେବା ଲାଗି ଘୋଷଣା କରିଥିଲେ। ଏହି ସମୟରେ ସେ ବଡ ଘୋଷଣା କରି କହିଥିଲେ ଯେ, କ୍ରୀଡା ସାମଗ୍ରୀ ନଷ୍ଟ ହୋଇଗଲେ ମଧ୍ୟ ପ୍ରତ୍ୟେକ ଦଳକୁ କ୍ରୀଡା ସାମଗ୍ରୀ ପୁନର୍ବାର ଯୋଗାଇଦିଆଯିବ। ତେବେ ଏହା କିଏ ଦେଉଛି, କାହା ମାଧ୍ୟମରେ ଖେଳାଳିମାନଙ୍କ ପାଖରେ ଏହା ପହଞ୍ଚିବ, ଏହା କେଉଁଠାରୁ ଆସୁଛି, ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଶ୍ରୀମତୀ ଷଡଙ୍ଗୀ କହିଥିଲେ। ଏହି ସମୟରେ ପ୍ରତ୍ୟେକ ଖର୍ଚ୍ଚର ହିସାବ ମଧ୍ୟ ସେ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଫେଇ ଅଭିଯାନରେ ସାମିଲ ହେଲେ ଓଡ଼ିଶା ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ ମଞ୍ଚ, ଯୂଥ ଫର ସେବା, ଜୟଦେବ ପଥଚାରୀ କ୍ଲବ ଆଦି ଅନେକ ସାମାଜିକ ସଂଗଠନ ଏହି ସଫେଇ ଅଭିଯାନରେ ସାମିଲ ହେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଏନସିସି  ଏବଂ ଭାରତ ସ୍କାଉଟ ଏବଂ ଗାଇଡ ସଦସ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆନ୍ତରିକତା ସହ ଭାଗ ନେଇ ସାମିଲ ହେଇଥିଲେ ଆଉ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ଏକ ତାରିଖ – ଏକ ଘଣ୍ଟା – ଏକା ସଙ୍ଗେ ବିଷୟ ବସ୍ତୁ ଉପରେ ଆଧାରିତ ଏହି ବୃହତ ସଫେଇ କାର୍ଯ୍ୟକ୍ରମରେ ୬୦୦ ରୁ ଅଧିକ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୃହତ ସଫେଇ ଅଭିଯାନକୁ ସ୍ଥାନୀୟ ବାସିନ୍ଦା ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଭୂୟସୀ ପ୍ରଶଂସା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ଆଡକୁ ଢଳିଲେଣି ସମୀର ମହାନ୍ତି !! ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ଯିବା ପରେ ଏବେ ପ୍ରାୟ ଅଲୋଡା ହୋଇପଡିଛନ୍ତି ନେତା ସମୀର ମହାନ୍ତି। ସେ ସଭାପତି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟକାରୀ କରୁଥିଲେ। ହେଲେ ସେହି ଧର୍ମେନ୍ଦ୍ର ତାଙ୍କର ସଭାପତି ପଦକୁ ଆଉ ରଖିପାରିଲେ ନାହିଁ। ଫଳରେ ସଭାପତି ପଦ ଯିବା ପରେ ବର୍ତ୍ତମାନ ସେ ଦଳରେ ଜଣେ ଗୁରତ୍ବହୀନ ନେତା ହୋଇପଡିଛନ୍ତି। ଏପରିକି ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ସେମିତି କିଛି ବଡ ପଦପଦବୀ ଦେଇ ଥଇଥାନ କରିପାରିଲେ ନାହିଁ।

ଏପରି ପରିସ୍ଥିତିରେ ବର୍ତ୍ତମାନ ସମୀର ମହାନ୍ତି ସାଂସଦ ଅପରାଜିତାଙ୍କୁ ସମର୍ଥନ ଦେବା କାମରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଦେଇଛନ୍ତି। କାରଣ ସେ ଅନୁଭବ କରିସାରିଲେଣି ଯେ, ବର୍ତ୍ତମାନ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଦବଦବା ବଢିବାରେ ଲାଗିଛି। ସେଥିପାଇଁ ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗସ୍ତବେଳେ ହୋଇଥିବା ଗଣ୍ଡଗୋଳକୁ ତୀବ୍ର ବିରୋଧ କରିଛନ୍ତି ସମୀର। ନିଜ ଟୁଇଟରରେ ସେ ଏହାକୁ ନିନ୍ଦା କରିବା ସହିତ ରାଜ୍ୟ ସରକାର ଜଣେ ସାଂସଦଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି।

ପୂର୍ବରୁ ସମୀର ମହାନ୍ତି କେବେ ବି ଅପରାଜିତାଙ୍କ ସପକ୍ଷରେ ବୟାନ ଦେବାର ପରିଲକ୍ଷିତ ହୋଇ ନାହିଁ। ସେ ଗୋଟାପଣ ଧର୍ମେନ୍ଦ୍ରଙ୍କର ଥିବାରୁ ଅପରାଜିତାଙ୍କୁ ହେୟଜ୍ଞାନ କରି ଆସୁଥିଲେ। ଏପରିକି ତାଙ୍କ ସଭାପତି ସମୟରେ ଦଳିୟ କର୍ମିଙ୍କୁ ଅପରାଜିତାଙ୍କ ସଭାରେ ସାମିଲ ହେବା ପାଇଁ ବାରଣ କରାଯାଉଥିଲା। ସେତିକି ନୁହେଁ ତାଙ୍କ ସଭାପତି ସମୟରେ ଅପରାଜିତାଙ୍କ ସଭାରେ କେହି ଯୋଗ ଦେଲେ ତାଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଉଥିଲା।

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଏକ ହାସ୍ୟସ୍ପଦ ଘଟଣା ମଧ୍ୟ ସମୀର ମହାନ୍ତିଙ୍କ ସଭାପତିତ୍ବ ବେଳେ ଘଟିଛି। ସେତେବେଳେ ଅପରାଜିତାଙ୍କ ସମର୍ଥକ ରଶ୍ମୀରଂଜନ ମହାପାତ୍ରଙ୍କୁ ହଟାଇ ଯତୀନ ମହାନ୍ତିଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇ ଥିଲା। ହେଲେ ଏଥିରେ ଅପରାଜିତା ଖଡ୍ଗ ହସ୍ତ ହୋଇ ଉପର ସ୍ତରରେ କଥା ହେଲେ। କିଛି ସମୟ ପରେ ସେହି ସମୀର ମହାନ୍ତିଙ୍କ ଦସ୍ତଖତରେ ପୁଣି ରଶ୍ମୀରଂଜନଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇଥିଲା।

ତାଙ୍କ ସଭାପତିତ୍ବ ସମୟରେ ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ନ କରାଇବା। ଭୁବନେଶ୍ବରରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ସାଂସଦ ହିସାବରେ ନ ଡାକିବା ପ୍ରଭୃତି କାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତି ଦେଖି ଅପରାଜିତା ମଧ୍ୟ ସେତେବେଳେ ଦଳୀୟ କାର୍ଯ୍ୟକ୍ରମକୁ ଏଡାଇଯାଇ ନିଜ ଏନଜିଓ ବା ସଂସ୍ଥା ମାଧ୍ୟମରେ ସଭା ସମିତି ବା ବୈଠକ କରି ନିଜର ରାଜନୈତିକ ପତିୟାରା ଜାହିର କରୁଥିଲେ।

ହେଲେ ଏବେ ସମୟ ବଦଳି ଯାଇଛି। ସମୀର ମହାନ୍ତି ଭାବି ଥିଲେ ଯେ, ସେ ପୁଣି ସଭାପତି ହୋଇ ଏଥର ନିର୍ବାଚନକୁ ପରିଚାଳନା କରିଥାଆନ୍ତେ। ହେଲେ ତାହା ଆଉ ଧର୍ମେନ୍ଦ୍ରଙ୍କ ଦ୍ବାରା ହୋଇପାରିଲା ନାହିଁ। ଏପରିକି ସଭାପତି ପଦ ଯିବା ପରେ ମଧ୍ୟ ଦଳରେ ତାଙ୍କୁ ଆଉ କେହି ଗୁରୁତ୍ବ ମଧ୍ୟ ଦେଉ ନାହାଁନ୍ତି। ଫଳରେ ପରିସ୍ଥିତି ଦେଖି ସେ ଏବେ ଧିରେଧିରେ ଅପରାଜିତା ମୁହାଁ ହେବାରେ ଲାଗିଛନ୍ତି। ହେଲେ ଅପରାଜିତା ଷଡଙ୍ଗୀ ସମୀର ମହାନ୍ତିଙ୍କୁ କେତେ ଗୁରୁତ୍ବ ଦେବେ ତାହାର କୌଣସି ଆଭାସ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଖନନ କାର୍ଯ୍ୟ ତଦାରଖ କଲେ ଭୂବନେଶ୍ୱର ସାସଂଦ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଗଂଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିଥିଲେ। ଏହା ପୂର୍ବରୁ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଭେପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ।

ପରବର୍ତ୍ତୀ ସମୟରେ ଭୂବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି।

ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ ହେବେ। ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାସଂଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ମତ୍ସ୍ୟଜୀବିମାନେ ଏକ ୭ ଜଣିଆ ତଦାରଖ କମିଟି ଗଠନ କରି ଚିଲିକା ଡେଭଲପମେଣ୍ଟ ଅଥରିଟି ସହିତ ଆଲୋଚନା କରି କିଭଳି ଭଲ କାମ ହୋଇପାରିବ ସେ ସଂମ୍ପର୍କରେ ଆଲୋଚନା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡିର ଅଭିଯୋଗ

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି?

ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା ଅପରାଧୀମାନେ ତାଙ୍କ ସଭାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ।

ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗତ ନିର୍ବାଚନରେ ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ କରିଥିଲେ, ବିଶେଷକରି ଭୁବନେଶ୍ୱରର ମହିଳା, ମା’ ଏବଂ ଭଉଣୀ, ସେମାନଙ୍କୁ ଆଜି ସେ ଅପରାଧୀ ବୋଲି କହୁଛନ୍ତି । ଯେଉଁମାନେ ତାଙ୍କୁ ଭୋଟ୍ ଦେଇଛନ୍ତି ସେମାନଙ୍କୁ ଅପରାଧୀ ବୋଲି ଜଣେ ସାଂସଦ କିପରି କହିବେ? ସେ କିପରି ଜଣେ ମହିଳା ଭାବରେ ଭୁବନେଶ୍ୱରର ମହିଳାମାନଙ୍କୁ ଅପରାଧୀ ବୋଲି କହିପାରିବେ?

ନିଜ ସାଂସଦଙ୍କୁ ସାମାନ୍ୟ ପ୍ରଶ୍ନ ପଚାରିଥିବା ଭୁବନେଶ୍ୱର ଲୋକଙ୍କୁ ଶ୍ରୀମତୀ ଷଡଙ୍ଗୀ ଯେଭଳି ଅପରାଧି ବୋଲି କହୁଛନ୍ତି ଆମେ ତାହାକୁ ନିନ୍ଦା କରୁଛୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭି କେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦିନେ 5T ସଚିବଙ୍କ ବିରୋଧରେ ଗର୍ଜ୍ଜନ କରୁଥିଲେ। ସେ କାହିଁକି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେତିକି ନୁହେଁ ତାଙ୍କୁ ଜଣେ ନିମ୍ନ ଅଧିକାରୀ ବୋଲି କହି ତାଙ୍କ ବିରୋଧରେ କେନ୍ଦ୍ରରେ ଅଭିଯୋଗ ଆଣିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗରୁ ନାମ ନ ଥିବା ଏକ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା। ହେଲେ ଏହାପରେ ସବୁ ବନ୍ଦ।

ବିରୋଧୀ ଭାବି ଥିଲେ ଯେ ସାଂସଦ ଅପରାଜିତା 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ଏପରି କଲେ ତାଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯିବ। ହେଲେ ବନ୍ଦ ନୁହେଁ ବରଂ ଅପରାଜିତାଙ୍କ ଅଭିଯୋଗ ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ବଢିବାକୁ ଲାଗିଲା। ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେ ବଡ ସଭା କରୁଥିଲେ। ଏହାପରେ ସେ ତିନି ଚାରିଟି ସ୍ଥାନରେ ଜନସଭା କରିବାକୁ ଲାଗିଲେ। ପୂର୍ବରୁ ଜିଲ୍ଲା ସ୍ତରୀୟ ଗସ୍ତ କରୁଥିଲେ ଏବେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗସ୍ତ କଲେଣି।

ତେବେ ସେ ଯେଉଁଠାକୁ ଗସ୍ତ କରନ୍ତୁ କି ନାହିଁ, ହେଲେ ଗତ ତିନିଦିନର ଗସ୍ତ ଥିଲା ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଏହି ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ସେ ଖୋଦ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ଭୁବନେଶ୍ବରରେ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସମ୍ମିଳନୀ, ଏହାପରେ ଖୋର୍ଦ୍ଧା, ଜଟଣୀ, ବାଲିପାଟଣା, ବାଲିଅନ୍ତା, ବେଗୁନିଆ ପ୍ରଭୃତି ସ୍ଥାନ ଗସ୍ତ କରି ସେ ଜନସମାଗମକୁ ଉଦବୋଧନ ଦେଇଥିଲେ।

ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ପରିଲକ୍ଷିତ ହେବ ଯେ, ସେ ଅନ୍ୟ ସ୍ଥାନରେ ଯେପରି କହୁଥିଲେ ଅପରାଜିତାଙ୍କ ରାଇଜରେ ତାହାଠାରୁ ଜୋରରେ କହିଛନ୍ତି। ସେ ଅପରାଜିତାଙ୍କ ସଂସଦୀୟ ଲୋକଙ୍କ ସହିତ ମଞ୍ଚ ଉପରୁ ସିଧା ଆଲୋଚନା କରିଛନ୍ତି। ମଞ୍ଚ ଉପରୁ ଲୋକଙ୍କୁ ବିଭିନ୍ନ କଥା ପଚାରି ତାହା ଉତ୍ତର ସେ ନେଇଛନ୍ତି। ସେହି ଭିତରେ ଟିକିଏ ଜୋରରେ କୁହନ୍ତୁ ବୋଲି ସେ ମଝିରେ ମଝିରେ ଲୋକଙ୍କୁ ଆହ୍ବାନ କରୁଥିଲେ। ଏ କଥା ଶୁଣି ଲୋକେ ମଞ୍ଚ ଉପରେ ଜୋରରେ ପାଟି କରି ‘ହଁ’ କିମ୍ବା ‘ନାହିଁ’ କରୁଥିଲେ।

ଅବଶ୍ୟ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପାଣ୍ଡିଆନ ଜାଣି ଶୁଣି କି ଅଜଣାତରେ ଏପରି କରୁଥିଲେ ତାହା ଭିନ୍ନ କଥା। ହେଲେ ଏହା ଦ୍ବାରା ଅପରାଜିତାଙ୍କ ମୁଣ୍ଡ ଖରାପ ହେବା ନିଶ୍ଚିତ। ସେ ଯେତେବେଳେ ପାଣ୍ଡିଆନ ଏବଂ ଲୋକଙ୍କ ଗର୍ଜ୍ଜନର ଭିଡିଓ ଦେଖୁଥିବେ ସେତେବେଳେ ଅପରାଜିତା ପାଗଳ ପ୍ରାୟ ହୋଇଯାଉଥିବେ। ଯେଉଁ ପାଣ୍ଡିଆନ ବିରୋଧରେ ସେ ଏତେ କଥା କଲେ, ଶେଷରେ ସେହି ପାଣ୍ଡିଆନ ଆସି ମୋ ଘରେ ଗର୍ଜ୍ଜନ କରୁଛି ବୋଲି ସେ ମନେ ମନେ ଭାବୁ ଥିବେ।

ଖାଲି ଅପରାଜିତା ନୁହଁନ୍ତି ବିଜେପିର ସବୁ ନେତା ପ୍ରାୟ ନିଶ୍ଚିତ ହୋଇସାରିଲେଣି ଯେ, ପାଣ୍ଡିଆନ ଗସ୍ତକୁ ବର୍ତ୍ତମାନ କୌଣସି ଶକ୍ତି ରୋକିପାରିବ ନାହିଁ। ଯେତେ କାଳି ତଥା କଳା ପତାକା ଦେଖାଇଲେ ମଧ୍ୟ ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। କାରଣ 5T ସଚିବ ଭି କେ ପାଣ୍ଡିଆନ ତାଙ୍କ ଚାରିପଟେ ଏକ ଶକ୍ତିଶାଳି ବଳୟ ତିଆରି କରିଛନ୍ତି।ତାହାକୁ ବିରୋଧୀ ଭେଦ କରିବା ଦୂରେ ଥାଉ ଏହା କଣ ବୋଲି ବୁଝିବା ମଧ୍ୟ କଷ୍ଟକର ହେବ।