ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆରବିଆଇ@ ୯୦ ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦୀ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୯୩୫ ମସିହା ଏପ୍ରିଲ ପହିଲାରୁ ଏହାର କାର୍ଯ୍ୟ ଆରମ୍ଭ କରି ଆଜି ଏହାର ୯୦ତମ ବର୍ଷରେ ପ୍ରବେଶ କରିଛି।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଐତିହାସିକ ସ୍ଥାନରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ଉଭୟ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି ଏବଂ ନିଜର ବୃତ୍ତିଗତ ଆଭିମୁଖ୍ୟ ଓ ପ୍ରତିବଦ୍ଧତା ଆଧାରରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆରବିଆଇର ୯୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ତ୍ତମାନର ଆରବିଆଇ କର୍ମଚାରୀମାନଙ୍କୁ ଭାଗ୍ୟଶାଳୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ପ୍ରସ୍ତୁତ କରାଯାଇଥିବା ନୀତିଗୁଡ଼ିକ ଆରବିଆଇର ପରବର୍ତ୍ତୀ ଦଶନ୍ଧିକୁ ଆକାର ଦେବ ଏବଂ ଆଗାମୀ ୧୦ ବର୍ଷ ରିଜର୍ଭ ବ୍ୟାଙ୍କକୁ ଏହାର ଶତବାର୍ଷିକୀ ବର୍ଷକୁ ନେଇଯିବ । ଦ୍ରୁତ ଅଭିବୃଦ୍ଧି, ବିଶ୍ୱାସ ଏବଂ ସ୍ଥିରତା ଉପରେ ଧ୍ୟାନ ଦେବା ଦିଗରେ ରିଜର୍ଭ ବ୍ୟାଙ୍କର ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଆଗାମୀ ଦଶନ୍ଧି ଏକ ବିକଶିତ ଭାରତର ସଂକଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’’ ଏହାର ଲକ୍ଷ୍ୟ ଓ ସଂକଳ୍ପ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଦେଶର ଜିଡିପି ଏବଂ ଅର୍ଥନୀତିରେ ମୁଦ୍ରା ଏବଂ ବିତ୍ତୀୟ ନୀତିର ସମନ୍ୱୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ୨୦୧୪ରେ ଆରବିଆଇର ୮୦ ବର୍ଷ ପୂର୍ତ୍ତି ଉତ୍ସବକୁ ମନେ ପକାଇଥିଲେ ଏବଂ ସେହି ସମୟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ଏନପିଏ ଏବଂ ସ୍ଥିରତା ଭଳି ଆହ୍ୱାନ ଏବଂ ସମସ୍ୟାକୁ ମନେ ପକାଇଥିଲେ । ସେଠାରୁ ଆରମ୍ଭ କରି ଆଜି ଆମେ ଏପରି ଏକ ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବିଶ୍ୱର ଏକ ସୁଦୃଢ଼ ଏବଂ ସ୍ଥାୟୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭାବରେ ଦେଖାଯାଉଛି କାରଣ ସେହି ସମୟରେ ପ୍ରାୟତଃ ସ୍ଥାଣୁ ପାଲଟି ଯାଇଥିବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବେ ଲାଭରେ ଅଛି ଏବଂ ରେକର୍ଡ କ୍ରେଡିଟ୍ ଦେଖାଉଛି।
ଏହି ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନୀତି, ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତିର ସ୍ପଷ୍ଟତାକୁ ଶ୍ରେୟ ଦେଇଥିଲେ । ଯେଉଁଠି ଉଦ୍ଦେଶ୍ୟ ଠିକ୍, ସେଠାରେ ଫଳାଫଳ ମଧ୍ୟ ଠିକ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କାରର ବ୍ୟାପକ ପ୍ରକୃତି ଉପରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସ୍ୱୀକୃତି, ସଂକଳ୍ପ ଏବଂ ପୁନଃପୁଞ୍ଜିକରଣ ରଣନୀତି ଉପରେ କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ସମ୍ବନ୍ଧୀୟ ଅନେକ ସଂସ୍କାର ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଥିଲା। କେବଳ ଦେବାଳିଆ ଓ ଦେବାଳିଆପଣ ସଂହିତା ଦ୍ୱାରା ୩.୨୫ ଲକ୍ଷ ଟଙ୍କାର ଋଣର ସମାଧାନ କରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଆଇବିସି ଅଧୀନରେ ପ୍ରବେଶ ପୂର୍ବରୁ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଡିଫଲ୍ଟ ଥିବା ୨୭,୦୦୦ରୁ ଅଧିକ ଆବେଦନର ସମାଧାନ କରାଯାଇଥିଲା ବୋଲି ସେ ଦେଶକୁ ସୂଚନା ଦେଇଛନ୍ତି। ୨୦୧୮ରେ ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ୧୧.୨୫ ପ୍ରତିଶତ ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ୩ ପ୍ରତିଶତ ତଳକୁ ଖସି ଆସିଛି। ଟ୍ୱିନ୍ ବାଲାନ୍ସ ସିଟ୍ ସମସ୍ୟାକୁ ଅତୀତର ସମସ୍ୟା ବୋଲି ସେ କହିଛନ୍ତି। ଏହି ପରିବର୍ତ୍ତନରେ ଆରବିଆଇର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଯଦିଓ ଆରବିଆଇ ସହ ଜଡିତ ଆଲୋଚନା ପ୍ରାୟତଃ ଆର୍ଥିକ ସଂଜ୍ଞା ଏବଂ ଜଟିଳ ଶବ୍ଦରେ ସୀମିତ ରହିଥାଏ, ତଥାପି ଆରବିଆଇରେ କରାଯାଇଥିବା କାର୍ଯ୍ୟ ସିଧାସଳଖ ସାଧାରଣ ନାଗରିକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସରକାର କେନ୍ଦ୍ରୀୟ ବ୍ୟାଙ୍କ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଅନ୍ତିମ ସୋପାନରେ ହିତାଧିକାରୀଙ୍କ ମଧ୍ୟରେ ସଂଯୋଗ ଉପରେ ଜୋର ଦେଇଛନ୍ତି। ସେ ଗରିବଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଧ୍ୟ ଉଦାହରଣ ଦେଇଥିଲେ। ଦେଶର ୫୨ କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ୫୫ ପ୍ରତିଶତ ମହିଳାଙ୍କର ବୋଲି ସେ ଉଲ୍ଲେଖ କରିଛନ୍ତି। କୃଷି ଏବଂ ମତ୍ସ୍ୟ କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୭ କୋଟିରୁ ଅଧିକ କୃଷକ, ମତ୍ସ୍ୟଜୀବୀ ଏବଂ ଗୋରୁ ମାଲିକମାନେ ପିଏମ କିଷାନ କ୍ରେଡିଟ୍ କାର୍ଡ ଉପଲବ୍ଧ କରାଇଛନ୍ତି ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରୁଛି । ବିଗତ ୧୦ ବର୍ଷ ମଧ୍ୟରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମବାୟ ବ୍ୟାଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାବଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ୟୁପିଆଇ ମାଧ୍ୟମରେ ୧୨୦୦ କୋଟିରୁ ଅଧିକ ମାସିକ କାରବାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଏହାକୁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମରେ ପରିଣତ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଉପରେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗତ ୧୦ ବର୍ଷର ପରିବର୍ତ୍ତନ ଏକ ନୂତନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଅର୍ଥନୀତି ଏବଂ ମୁଦ୍ରା ଅଭିଜ୍ଞତା ସୃଷ୍ଟି କରିବାରେ ସକ୍ଷମ କରିଛି।
ଆଗାମୀ ୧୦ ବର୍ଷର ଲକ୍ଷ୍ୟ ପାଇଁ ସ୍ପଷ୍ଟତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ସହିତ କ୍ୟାସଲେସ୍ ଅର୍ଥବ୍ୟବସ୍ଥା ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଭାରତ ଭଳି ଏକ ବିଶାଳ ଦେଶର ବିବିଧ ବ୍ୟାଙ୍କିଙ୍ଗ ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ‘ଇଜ୍ ଅଫ୍ ଡୁଇଙ୍ଗ୍ ବ୍ୟାଙ୍କିଙ୍ଗ୍’ ବା ବ୍ୟାଙ୍କ କାରବାରକୁ ସହଜ କରିବାରେ ଉନ୍ନତି ଆଣିବା ଏବଂ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସେବା ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂର ଭୂମିକା ଉପରେ ଆଲୋକପାତ କରିଥିଲେ।
ଦେଶର ଦ୍ରୁତ ଏବଂ ସ୍ଥାୟୀ ଅଭିବୃଦ୍ଧିରେ ଆରବିଆଇର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିୟମ ଭିତ୍ତିକ ଶୃଙ୍ଖଳା ଏବଂ ଆର୍ଥିକ ଦୃଷ୍ଟିରୁ ବିଚକ୍ଷଣ ନୀତି ପ୍ରଣୟନ କରିବାରେ ଆରବିଆଇର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ସହାୟତାର ପ୍ରତିଶ୍ରୁତି ଦେବା ସହିତ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ କ୍ଷେତ୍ରର ଆବଶ୍ୟକତାର ଆଗୁଆ ଆକଳନ କରିବାକୁ ମଧ୍ୟ କହିଥିଲେ । ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ଫୀତି ଲକ୍ଷ୍ୟର ଅଧିକାର ଦେବା ଭଳି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ମୁଦ୍ରାନୀତି କମିଟିର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ସକ୍ରିୟ ମୂଲ୍ୟ ନିରୀକ୍ଷଣ ଏବଂ ବିତ୍ତୀୟ ସୁଦୃଢ଼ୀକରଣ ଭଳି ପଦକ୍ଷେପ କରୋନାର କଠିନ ସମୟରେ ମଧ୍ୟ ମୁଦ୍ରାସ୍ଫୀତିକୁ ମଧ୍ୟମ ସ୍ତରରେ ରଖିଥିଲା ବୋଲି ସେ କହିଥିଲେ ।
ଯଦି କୌଣସି ଦେଶର ପ୍ରାଥମିକତା ସ୍ପଷ୍ଟ ହୁଏ ତେବେ ତାକୁ କେହି ପ୍ରଗତିରୁ ଅଟକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। କରୋନା ମହାମାରୀ ସମୟରେ ସରକାର ଆର୍ଥିକ ସଚେତନତା ପ୍ରତି ଧ୍ୟାନ ଦେବା ସହ ସାଧାରଣ ନାଗରିକଙ୍କ ଜୀବନକୁ ପ୍ରାଥମିକତା ଦେଉଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗ ପ୍ରତିକୂଳ ପରିସ୍ଥିତିରୁ ମୁକୁଳି ଆଜି ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛନ୍ତି ବୋଲି ସେ ଉଦାହରଣ ଦେଇଥିଲେ। ମହାମାରୀର ଆର୍ଥିକ ଝଟକାରୁ ମୁକୁଳିବା ପାଇଁ ବିଶ୍ୱର ଅନେକ ଦେଶ ଏବେ ବି ପ୍ରୟାସ କରୁଥିବା ବେଳେ ଭାରତୀୟ ଅର୍ଥନୀତି ନୂଆ ରେକର୍ଡ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ସଫଳତାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଆରବିଆଇର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯେକୌଣସି ବିକାଶଶୀଳ ଦେଶ ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆରବିଆଇ ଏଥିପାଇଁ ଏକ ମଡେଲ ହୋଇପାରିବ ଏବଂ ବିଶ୍ୱରେ ଏକ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଯାହା ସମଗ୍ର ଗ୍ଲୋବାଲ୍ ସାଉଥ ବା ଦକ୍ଷିଣ ବିଶ୍ୱ କ୍ଷେତ୍ରକୁ ସମର୍ଥନ କରିବ।
ଭାରତ ଆଜି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାରେ ଆରବିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କଥା କହିଥିଲେ। ଦେଶରେ ନୂଆ ନୂଆ କ୍ଷେତ୍ର ଖୋଲିବାରେ ସରକାରଙ୍କ ନୀତିକୁ ସେ ଶ୍ରେୟ ଦେଇଛନ୍ତି ଯାହାଦ୍ୱାରା ଆଜିର ଯୁବପିଢିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। ସେ ସବୁଜ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣର ଉଦାହରଣ ଦେବା ସହ ସୌର ଶକ୍ତି, ସବୁଜ ହାଇଡ୍ରୋଜେନ ଏବଂ ଇଥାନଲ ମିଶ୍ରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୫ଜି ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବଢୁଥିବା ରପ୍ତାନି ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ। ଏମ୍ଏସ୍ଏମ୍ଇ ଗୁଡ଼ିକ ଭାରତର ଉତ୍ପାଦନ କ୍ଷେତ୍ରର ମେରୁଦଣ୍ଡ ପାଲଟିବା ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ୍ ମହାମାରୀ ସମୟରେ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା କରିବା ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୂଆ କ୍ଷେତ୍ର ସହ ଜଡ଼ିତ ଯୁବକମାନଙ୍କ ପାଇଁ ଋଣ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ବାହାର ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏକବିଂଶ ଶତାବ୍ଦୀରେ ନବସୃଜନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ନିଜ ଦଳ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଏହି କାର୍ଯ୍ୟ ପାଇଁ କର୍ମଚାରୀ ଚିହ୍ନଟ ସମ୍ପର୍କରେ ଆସୁଥିବା ପ୍ରସ୍ତାବଗୁଡ଼ିକ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ମହାକାଶ ଏବଂ ପର୍ଯ୍ୟଟନ ଭଳି ନୂତନ ଏବଂ ପାରମ୍ପରିକ କ୍ଷେତ୍ରର ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେ ବ୍ୟାଙ୍କର୍ ଏବଂ ନିୟାମକମାନଙ୍କୁ କହିଥିଲେ। ଆଗାମୀ ବର୍ଷଗୁଡ଼ିକରେ ଅଯୋଧ୍ୟା ବିଶ୍ୱର ସର୍ବବୃହତ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଯାଉଛି ବୋଲି ସେ ବିଶେଷଜ୍ଞଙ୍କ ମତ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ଦେୟ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶ୍ରେୟ ଦେଇଥିଲେ ଯାହା କ୍ଷୁଦ୍ର ବ୍ୟବସାୟୀ ଏବଂ ଷ୍ଟ୍ରିଟ୍ ଭେଣ୍ଡରଙ୍କ ଆର୍ଥିକ କ୍ଷମତାରେ ସ୍ୱଚ୍ଛତା ସୃଷ୍ଟି କରିଛି । ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଏହି ସୂଚନା ବ୍ୟବହାର କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର ଆର୍ଥିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ବିଶ୍ୱ ଜିଡିପି ଅଭିବୃଦ୍ଧିରେ ୧୫ ପ୍ରତିଶତ ଅଂଶ ସହ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ। ସମଗ୍ର ବିଶ୍ୱରେ ଟଙ୍କାକୁ ଅଧିକ ସୁଲଭ ଏବଂ ଗ୍ରହଣୀୟ କରିବାର ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅତ୍ୟଧିକ ଆର୍ଥିକ ସମ୍ପ୍ରସାରଣ ଏବଂ ଋଣର ବଢୁଥିବା ଧାରା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ସେ ଦର୍ଶାଇଥିଲେ ଯେ ଅନେକ ଦେଶର ଘରୋଇ କ୍ଷେତ୍ରର ଋଣ ସେମାନଙ୍କ ଜିଡିପିକୁ ଦ୍ୱିଗୁଣିତ କରିଛନ୍ତି। ଅନେକ ଦେଶର ଋଣ ସ୍ତର ମଧ୍ୟ ବିଶ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଥିଲେ। ଭାରତର ଅଭିବୃଦ୍ଧି କ୍ଷମତା ଏବଂ ସମ୍ଭାବନାକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ ଏକ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରକଳ୍ପଗୁଡ଼ିକୁ ଆବଶ୍ୟକ ପାଣ୍ଠି ଯୋଗାଇବା ପାଇଁ ଏକ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ଶିଳ୍ପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏଆଇ ଏବଂ ବ୍ଲକଚେନ୍ ଭଳି ଟେକ୍ନୋଲୋଜି ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ସେ ଉଲ୍ଲେଖ କରିଥିଲେ ଏବଂ ବଢୁଥିବା ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆ ଫାଇନାନ୍ସିଂ, ଅପରେଟିଂ ଏବଂ ବିଜନେସ୍ ମଡେଲର ଆବଶ୍ୟକତା ଥିବାରୁ ଫିନଟେକ୍ ଇନୋଭେସନ୍ ପରିପ୍ରେକ୍ଷୀରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ବିଷୟରେ ଚିନ୍ତା କରିବାକୁ ସେ ଦର୍ଶକମାନଙ୍କୁ କହିଥିଲେ। ବିଶ୍ୱ ଚାମ୍ପିଅନଙ୍କ ଠାରୁ ଉଠାଦୋକାନୀଙ୍କ ପର୍ଯ୍ୟନ୍ତ, ଅତ୍ୟାଧୁନିକ କ୍ଷେତ୍ର ଠାରୁ ଆରମ୍ଭ କରି ପାରମ୍ପରିକ କ୍ଷେତ୍ର ପର୍ଯ୍ୟନ୍ତ ଋଣ ଆବଶ୍ୟକତା ପୂରଣ କରିବା ବିକଶିତ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ, ଆରବିଆଇ ବିକଶିତ ଭାରତର ବ୍ୟାଙ୍କିଙ୍ଗ ଦୃଷ୍ଟିକୋଣର ସାମଗ୍ରିକ ପ୍ରଶଂସା ପାଇଁ ଏକ ଉପଯୁକ୍ତ ସଂସ୍ଥା ଅଟେ।
ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଅଜିତ ପାୱାର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଶନରାଓ କରାଡ ଓ ପଙ୍କଜ ଚୌଧୁରୀ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।