Categories
ଆଜିର ଖବର ଜାତୀୟ ଖବର

ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ ବ୍ୟବସ୍ଥା ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଏବଂ ମାନ୍ୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଆଇଆଇଟି କାନପୁରର ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଆଇଆଇଟି ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ। ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦ର ପରିକଳ୍ପନା ଅନୁଯାୟୀ ଜାତୀୟ ମାନ୍ୟତା ପରିଷଦ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବ।

କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏହି ଉଚ୍ଚସ୍ତରୀୟ କମିଟିରେ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୃଦୁଳ ହଜାରିକା, ଆଇଆଇଏମ ଲକ୍ଷ୍ନୌର ପ୍ରାଧ୍ୟାପକ ପ୍ରଫେସର ଭାରତ ଭାସ୍କାର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି।

ଭାରତରେ ବିଶ୍ବର ଅନ୍ୟତମ ସର୍ବବୃହତ ଏବଂ ବିବିଧ ଶିକ୍ଷା ବ୍ୟବସ୍ଥା ରହିଛି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ପ୍ରୟାସ ଦ୍ବାରା କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରର ବ୍ୟାପକ ବିସ୍ତାର ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।

ଗୁଣବତ୍ତା ଆଶ୍ବାସନ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଚାଳନାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ମୂଲ୍ୟାଙ୍କନ ଓ ମାନ୍ୟତା ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଏକ ସୂଚୀତ ସମୀକ୍ଷା ପ୍ରଣାଳୀ ମାଧ୍ୟମରେ ମାନ୍ୟତା ବା ଆକ୍ରିଡିଏସନ ପ୍ରଦାନ କରାଯିବା ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ସମ୍ପର୍କରେ ଅବଗତ ହୋଇପାରିଥାନ୍ତି। ଫଳରେ ସେମାନେ ଅନ୍ତରୀଣ ଦିଗଗୁଡ଼ିକ ବିଷୟରେ ପରିଚିତ ହୋଇଥାନ୍ତି ଏବଂ ଏହା ଯୋଜନା ପ୍ରସ୍ତୁତି ଓ ସମ୍ବଳ ଆବଣ୍ଟନରେ ସହାୟକ ହୋଇଥାଏ। ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ସ୍ଥିତି ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସମାଜକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଗୁଣବତ୍ତା ସମ୍ପର୍କରେ ବିଶ୍ବସନୀୟ ସୂଚନା ପ୍ରଦାନ କରିଥାଏ।

Categories
ବିଶେଷ ଖବର

‘ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ କାର୍ଯ୍ୟ କରୁଛନ୍ତି। ତେବେ ଏହି ଉଚ୍ଚ ଶିକ୍ଷା ପରିସଂସ୍ଥାନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏକ ସୁଦୃଢ ତଥା ଆସେସମେଂଟ୍‌, ଆକ୍ରେଡିଟେସନ ଓ ର‌୍ୟାଙ୍କିଂ ପାଇଁ ଉଦ୍ଦେଶ୍ୟମୂଳକ ଫ୍ରେମୱାର୍କ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନ ର‌୍ୟାକିଙ୍ଗ୍ ଫେମୱାର୍କ (ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ର‌୍ୟାକିଙ୍ଗସ୍‌- ୨୦୨୨କୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ନବସୃଜନ ଏବଂ ପ୍ରôଯୁକ୍ତିବିଦ୍ୟା ଯୁକ୍ତ ଶିକ୍ଷା ଆଧାରିତ ଅର୍ଥନୀତି ଗଠନ କରିବାରେ ଅଗ୍ରସର ହେଉଛୁ । ଆମର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଭାରତକୁ ବୈଶ୍ୱିକ ନବସୃଜନ ତଥା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆକ୍ରେଡିଟେସନ ଏବଂ ଆସେସମେଂଟ୍ ଆଗକୁ ବାଧ୍ୟତାମୂଳକ ହେବ ଓ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆକ୍ରିଡେଟେଡ୍ ହେବାକୁ ପଡିବ। ଆତ୍ମଘୋଷଣା(ସେଲଫ ଡିକ୍ଲାରେସନ) ଏବଂ ପାରଦର୍ଶିତା ମୂଲ୍ୟାଙ୍କନ ଏବଂ ଆକ୍ରେଡିଟେସନ ଆଧାରରେ ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ଏନଆଇଆରଏଫର ର‌୍ୟାଙ୍କିଂ ବ୍ୟବସ୍ଥାର ଅଂଶ ହେବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଶିକ୍ଷା ବର୍ଷରୁ ଏନଆଇଆରଫ୍ ର‌୍ୟାକିଙ୍ଗରେ ଇନୋଭେସନ ଏବଂ ଉଦ୍ୟମିତା ବିଭାଗ ମଧ୍ୟ ସାମିଲ କରାଯିବ। ସ୍କୁଲ, ଆଇଟିଆଇ ଏବଂ ପଲିଟେକନିକକୁ ର‌୍ୟାଙ୍କିଂ ଫ୍ରେମଓା୍ୱର୍କରେ ସାମିଲ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ଆମ ଆକ୍ରେଡିଟେସନ ଏବଂ ର‌୍ୟାଙ୍କିଂ ବ୍ୟବସ୍ଥା ଅନ୍ତରାଷ୍ଟ୍ରୀୟ କରାଯିବ। ବିଦେଶୀ ଶିିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଏଥିରେ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ ଦିଆଯିବ। ଆଗାମୀ ଶିକ୍ଷା ବର୍ଷରୁ ନାକ୍ ଏବଂ ଏନବିଏ ଦ୍ୱାରା କରାଯାଉଥିବା ଆକ୍ରିଡେସନକୁ ଏକୀକରଣ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷା ନୀତିରେ ମଲଟି ଡିସପ୍ଲିନାରୀକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ନୂଆ କ୍ରେଡିଟ ଫ୍ରେମୱାର୍କରେ ଛାତ୍ରଛାତ୍ରୀମାନେ ପଢୁଥିବା ପାଠକୁ ଅଭିଭାବକମାନେ ଅବଗତ ହେବା ଦିଗରେ ବ୍ୟବସ୍ଥା କରାଯାଉଛି। ସେହିପରି ଶିକ୍ଷାକୁ ସୁଲଭ କରିବା ପାଇଁ ଭାରତ ସରକାର ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା କରିଛନ୍ତି। ତେଣୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଶିକ୍ଷାକୁ ବ୍ୟବସାୟୀକରଣ ନ କରି ସାଧାରଣ ଘରର ବିଦ୍ୟାର୍ଥୀଙ୍କ ପାଖରେ କିପରି ଶିକ୍ଷା ପହଁଚାଯିବ ଏବଂ ସେଥିପାଇଁ କେଉଁ ଟେକ୍ନୋଲୋଜିର ବ୍ୟବହାର କରାଯିବ, ଏ ଦିଗରେ ଭାବିବା ଉଚିତ୍। ଦେଶର ସାଧାରଣ ଘରର ପିଲାଙ୍କୁ ଶିକ୍ଷା ମାଧମରେ ଆଗକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ସାମଗ୍ରିକ ବା ଓଭରାଲ ବର୍ଗରେ ଆଇଆଇଟି ମାଡ୍ରାସ୍‌‌ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଏସସି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ୍‌‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ନୂଆଦିଲ୍ଲୀ ସ୍ଥିତ ଜେଏନ୍‌‌ୟୁ ଏବଂ ତୃତୀୟ ସ୍ଥାନରେ ଜାମିଆ ମିଲିଆ ଇସ୍‌‌ଲାମିଆ ରହିଛି। ଇଞ୍ଜିିନିୟରିଂ ଶିକ୍ଷାନୁଷ୍ଠାନ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ରହିଛି।

ସେହିପରି ମ୍ୟାନେଜମେଂଟ୍ ବର୍ଗରେ ଆଇଆଇଏମ୍‌‌ ଅହମଦାବାଦ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ଆଇଆଇଏମ ବାଙ୍ଗାଲୋର ଓ ଆଇଆଇଏମ କୋଲକାତା। ଫାର୍ମାସି ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଜାମିଆ ହମ୍‌‌ଦର୍ଦ ତାଲିକାର ପ୍ରଥମ ସ୍ଥାନରେ  ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦର ନ୍ୟାସ୍‌‌ନାଲ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଫାର୍ମାସ୍ୟୁଟିକାଲ୍‌‌ ଏଜୁକେସନ୍‌‌ ଆଣ୍ଡ୍‌‌ ରିସର୍ଚ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ। ଏହାବ୍ୟତିତ କଲେଜ ବର୍ଗରେ ପ୍ରଥମ ସ୍ଥାନରେ ଦିଲ୍ଲୀର ମିରାଣ୍ଡା ହାଉସ, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି ଏବଂ ମେଡିକାଲ୍‌‌ କଲେଜ ବର୍ଗରେ ଏମ୍ସ ଦିଲ୍ଲୀ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଡେଂଟାଲରେ ଚଳିତ ବର୍ଷ ଚେନ୍ନାଇ ସ୍ଥିତ ସବିଥା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ଟେକ୍ନିକାଲ ସାଇନ୍ସ ଏବଂ ରିସର୍ଚ୍ଚ ବିଭାଗରେ ଆଇଆଇଏସସି ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ରହିଛି।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ସଚିବ କେ ସଞ୍ଜୟ ମୁର୍ଥୀ,  ଅନିତା କରୱାଲ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ.ଜଗଦେଶ କୁମାର,ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ’କୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଯୁବଗୋଷ୍ଠୀଙ୍କୁ ପରିବର୍ତନ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ଗୁରୁ ଦାୟିତ୍ୱ ରହିଛି ବୋଲି ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ-୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ଏବଂ ଜାତୀୟ ସ୍ତରରେ ଗୁରୁତ୍ୱ ବହନ କରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କର ନିର୍ଦ୍ଦେଶକଙ୍କୁ ରାଷ୍ଟ୍ରପତି ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ଇତିହାସକୁ ସ୍ମରଣ କରୁଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବା ଖୁସିର ବିଷୟ।

ଦେଶର ଉଚ୍ଚ ଶିକ୍ଷା ପାଇଁ ଥିବା ଅନୁଷ୍ଠାନ ଗୁଡ଼ିକ ଅମୃତ ମହୋତ୍ସବର କେନ୍ଦ୍ର ଅଟେ। ଏହାର କାରଣ ହେଉଛି ଦେଶର ଯୁବ ନାଗରିକ ମାନେ କେବଳ ଅତୀତର ଉତରାଧିକାରୀ ନୁହଁନ୍ତି ବରଂ ଭାରତକୁ ପରବର୍ତୀ ସୁବର୍ଣ୍ଣ ଯୁଗରେ ଆଗେଇ ନେବାରେ ତାଙ୍କର ଭୂମିକା ରହିବ। ତେଣୁ ଯୁବକମାନଙ୍କୁ ପରିବର୍ତନ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଗୁରୁ ଦାୟିତ୍ୱ ରହିଛି। ଏଥିପାଇଁ ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାକୁ ହେବ, କାରଣ ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତର ନେତୃତ୍ୱ ନେବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଆଜି ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷାରେ ମୋଟ ନାମଲେଖା ଅନୁପାତ(ଜିଇଆର୍‌) ବୃଦ୍ଧି ପାଇଛି। ବିଶେଷ ଭାବରେ ସମାଜର ବଂଚିତ ବର୍ଗ ଯଥା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଯୁବପିଢ଼ିଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଂଶଗ୍ରହଣ ବୃଦ୍ଧି ପାଉଛି।

ସେ କହିଛନ୍ତି ଯେ କୌଣସି ସଭ୍ୟତା, କୌଣସି ଦେଶର ଶିକ୍ଷା ସେହି ସମାଜର ପ୍ରାଣ ଅଟେ। ଆଜି ଭିଜିଟର୍ସ କନଫରେନ୍ସରେ ଶିକ୍ଷା ବିଭାଗର ନେତୃତ୍ୱମାନେ ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ ଶିକ୍ଷାର ଭୂମିକା ଓ ରୋଜଗାର କିପରି ରହିବ ଏବଂ ଏକବିଂଶ ଶତାବ୍ଦୀରେ ରୋଜଗାର ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସମସ୍ତେ ଏକାଠୀ ହୋଇଛନ୍ତି।

ବିଶ୍ୱ ଆଜି ନୂଆ ନୂଆ ଚ୍ୟାଲେଞ୍ଜ୍ ଦେଇ ଗତି କରୁଛି । ଏହି ସମୟରେ ବିଶ୍ୱ କେଉଁଆଡ଼େ ଯିବ ଓ ରୋଜଗାରର ପନ୍ଥା କ’ଣ ହେବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସଂଘୀୟ ବ୍ୟବସ୍ଥାର ନେତୃତ୍ୱରେ ସାମୂହିକ ରୂପରେ ଯେଉଁ ସ୍ୱପ୍ନ ଦେଖାଯାଇଛି ସେ ଦିଗରେ ଚର୍ଚ୍ଚା କରିବା ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଦୁଇ ଦିବସୀୟ ଅଧିବେଶନରେ ଆମର ବର୍ତମାନ ସ୍ଥିତି ଅନୁସାରେ ଦୁନିଆର ଇନୋଭେସନ ନୂଆ ବ୍ୟବସାୟିକ ସ୍ଥଳି ଓ ନୂଆ ଉଦ୍ୟୋଗିକ କ୍ରାନ୍ତି କିପରି ହେବ ତଥା ଏ ସବୁ ପୃଷ୍ଠଭୂମିରେ ଦୁନିଆ କଣ ହେବ ଏବଂ ସେଥିରେ ମନୁଷ୍ୟ କେଉଁଠି ରହିବ ଓ ମନୁଷ୍ୟର ଭାବନା କେଉଁଠି ରହିବ ଓ ସକରାତ୍ମକ ବିଷୟ କ’ଣ ରହିବ, ତାହା ଉପରେ ଚର୍ଚ୍ଚା ହେବା ଦରକାର। ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଛି।

ଆଜି ଆମେ ସମସ୍ତେ ବିଶେଷ ପରିସ୍ଥିତିରେ ଏକତ୍ରିତ ହୋଇଛେ। ବିଗତ ୨ ବର୍ଷ କରୋନା କାରଣରୁ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀ ଅନୁଷ୍ଠିତ ହୋଇପାରିନଥିଲା। ଆଜି ଆମେ ସମସ୍ତେ ଅମୃତ କାଳରେ ଏକାଠୀ ହୋଇଛ । ବିଶ୍ୱ କୋରନା ପ୍ରଭାବରୁ ମୁକ୍ତ ହେଉଥିବା ବେଳେ ରାଜନୀତିରେ କିନ୍ତୁ ହଟଚମଟ ପରିଲକ୍ଷିତ ହୋଇଛି।

ଏହି କାରଣରୁ ବିଶ୍ୱ ଅର୍ଥନୀତି ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ର ଉପରେ ବିଶ୍ୱ ଏମର୍ଜିଂ ଇକୋନୋମିର ନଜର ରଖିଛି। ଭାରତ ସରକାରଙ୍କ ଦ୍ୱାରା ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନର ଦୁଇ ବର୍ଷ ପୂର୍ତି ହେବାକୁ ଯାଉଛି। ଆସନ୍ତା ଜୁଲାଇ ୨୯ ତାରିଖରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନର ଦୁଇ ବର୍ଷ ପୂରଣ ହେବ। ଏହି ନୀତି ଆଧାରରେ ଶିକ୍ଷା ଓ ଦକ୍ଷତାର ଏକ ଇକୋସିଷ୍ଟମ ତିଆରି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉଦଘାଟନୀ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରଫେସର ମହମ୍ମଦ ଜାହିଦ୍ ଆଶ୍ରଫ, ପ୍ରିତମ ଦେବ ଏବଂ ଅନ୍ୟୁନେ ସାମନ୍ତଙ୍କୁ ଗବେଷଣା ପାଇଁ ଭିଜିଟର୍ସ ଆୱାର୍ଡ-୨୦୨୨ ପ୍ରଦାନ କରିଥିଲେ। ଦେଶରେ ଥିବା ୧୬୧ଟି କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନରୁ ୫୩ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଭର୍ଚ୍ଚୁଆଲ ଯୋଗେ ଯୋଡ଼ି ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଜରୁରୀ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରଯୁକ୍ତି ବିଦ୍ୟାରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଶିଳ୍ପ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ଜ୍ଞାନର ଆଦାନପ୍ରଦାନର ଆବଶ୍ୟକତା ରହିଛି ବୋଲି ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚ୍ୟୁଟ୍ ଇଂଟରଆକସନ୍ କନ୍‌କ୍ଲେଭ୍‌ରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହେଉଥିବା ଗବେଷଣା ଶିଳ୍ପର ଆବଶ୍ୟକତାକୁ ଆଖିରେ ରଖିବା ଆବଶ୍ୟକ। ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ସେମାନଙ୍କର ବାସ୍ତବ କ୍ଷେତ୍ରର ଅଭିଜ୍ଞତାକୁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ରଖିବା ଦରକାର ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଜେନେରାଲ୍ ମ୍ୟାନେଜର ଡକ୍ଟର ମଳୟ କୁମାର ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପ୍ରଧାନ କହିଥିଲେ ଯେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟମିତ ଭାବେ ଶିଳ୍ପଗୁଡ଼ିକୁ ଯାଇ ସେଠିକାର ବାସ୍ତବ ଜ୍ଞାନ ଆହରଣ କରିବା ଜରୁରୀ। ସେହିପରି ଗବେଷକମାନେ ଶିଳ୍ପରେ କାର୍ଯ୍ୟ କରୁଥିବା ବୈଷୟିକ କାର୍ଯ୍ୟକାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଅହରହ ଘଟୁଥିବା ବିଭିନ୍ନ ପରିବର୍ତନ ଓ ଉନ୍ନତି ବିଷୟରେ ଜଣାଇବା ଆବଶ୍ୟକ। ଏହା ସଂଗେ ସଂଗେ ଗବେଷଣା ନିମନ୍ତେ ଶିଳ୍ପଗୁଡ଼ିକ ବଛାବଛା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆର୍ଥିକ ସହାୟତା ଯୋଗାଇବା ଦରକାର ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷ, ଶିକ୍ଷାବିତ୍ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଯୋଗ ଦେଇଥିଲେ।

ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୂର୍ବତନ କୁଳପତି ତଥା ବର୍ତ୍ତମାନର ମୁଖ୍ୟ ପରାମର୍ଶଦାତା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ରଞ୍ଜିତ୍ ସିଂ ଚୁଗ୍ ଏବଂ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମହାନ୍ତି କହିଥିଲେ ଯେ, ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଉଭୟଙ୍କ ନିମନ୍ତେ ଲାଭଦାୟକ ହୋଇଥିବା ବେଳେ ସାମାଜିକ ପରିବର୍ତନ ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ପ୍ରଫେସର ମହାପାତ୍ର ପାଠ୍ୟକ୍ରମରେ ପରିବର୍ତନ କରାଯିବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଶିଳ୍ପାନୁଷ୍ଠାନରେ ଇନ୍‌ଟର୍ଣ୍ଣସିପ୍ କରିବା ଆବଶ୍ୟକ ବୋଲି କହିଥିଲେ।

ଶିଳ୍ପାନୁଷ୍ଠାନକୁ ପ୍ରଶିକ୍ଷିତ ମାନବସମ୍ବଳ ଯୋଗାଇବା ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାଥମିକ ଦାୟିତ୍ୱ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ। ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିଳ୍ପାନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପାଇପାରି ନଥିବା ପ୍ରଶିକ୍ଷଣ କିଭଳି ଶିଳ୍ପାନୁଷ୍ଠାନରେ ପାଇପାରିବେ ସେ ଦାୟିତ୍ୱ ଶିଳ୍ପ ନେବା ଉଚିତ୍ ବୋଲି ସେ କହିଥିଲେ। ଶ୍ରୀ ଚୁଗ୍ ଅନ୍ୟ ବକ୍ତାମାନଙ୍କର ବକ୍ତବ୍ୟରେ ସହମତି ପ୍ରଦାନ କରିବା ସହ ଭବିଷ୍ୟତ ପୀଢ଼ିଙ୍କୁ ଗଢ଼ି ତୋଳିବା ଉଭୟ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ଦାୟିତ୍ୱ ବୋଲି କହିଥିଲେ।

ମେକାନିକାଲ୍ ବିଭାଗର ମୁଖ୍ୟ ଡଃ ଡି.ଏନ୍ ଥାଟୋଇ କହିଥିଲେ ଯେ ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ପରସ୍ପର ନିଜ ମଧ୍ୟରେ ବୁଝାମଣା ରଖିବା ଜରୁରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ ଟେକ୍ନୋଲୋଜି ଓ ଇଞ୍ଜିନିୟରିଂ ପ୍ରକ୍ରିୟାଗୁଡ଼ିକ ସହ ଜଡିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ଆଣ୍ଡ ମାନୁଫ୍ୟାକ୍‌ଚରିଂ, ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରୀ ଏବଂ ସେଫ୍ଟି ଆଣ୍ଡ ବଏଲର୍ ଡିଭିଜନ୍ ସହ ଜଡିତ ରାଜ୍ୟର ୫୦ଟି ଶିଳ୍ପାନୁଷ୍ଠାନ ସାମିଲ୍ ହୋଇଥିଲେ ବୋଲି ସମ୍ମିଳନୀର ଆବାହକ ଡଃ ଏସ.ଏସ୍ ମହାପାତ୍ର ସୂଚନା ଦେଇଥିଲେ।