ବାଣପୁର (ସୀତାରାମ ଅଗ୍ରୱାଲ): ମହାବିଷୁବ ସଂକ୍ରାନ୍ତି, ଉତ୍କଳୀୟଙ୍କ ନବବର୍ଷ ଭାବରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଏହିଦିନ ଦେବାଦେବୀଙ୍କ ପୀଠରେ ଶୀତଳ ପଣା ଭୋଗ ଲାଗି ହେବାର ପରମ୍ପରା ଚ଼ଳି ଆସିଛି। ମା’ ଭଗବତୀଙ୍କ ପୀଠରେ ନବବର୍ଷର ପ୍ରଥମ ଦିନରେ ମା’ ଉତ୍ତର ଦିଗରକ୍ଷାକାରିଣୀ, ଭାଟପଡ଼ାଗଡ଼ର ଆରାଧ୍ୟା ଦେବୀ, ଶୋଲରୀ ପାହାଡ଼ ଖୋଲରେ ପୂଜିତ।, ଭଉଣୀ ଶିଦ୍ଧେଶ୍ଵରୀଙ୍କ ପୀଠକୁ ଯାତ୍ରା କରି ଆଗମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମା’ଶିଦ୍ଧେଶ୍ୱରୀଙ୍କ ଆଜ୍ଞାମାଳ ନେଇ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଭଗବତୀଙ୍କ ମାନବୀୟ ଲୀଳାର ଏହା ଏକ ନିଆରା ପରମ୍ପରା’।
ବାଟରେ ଗଲାବେଳେ ବଡ଼ହନ୍ତୁ ଆଡ଼ ଗ୍ରାମର ଆରଧ୍ଯ ଦଣ୍ଡ ଠାକୁର ରାଜରାଜେଶ୍ୱର ଦେବ ତାଙ୍କୁଥାଟ ପଟୁଆରରେ ସାଦରେନିମ୍ନନ୍ତ୍ରଣ କରି ଗ୍ରାମପରିକ୍ରମା କରାଇବା ପରେ ମା’ ଅନ୍ଧାର ଭିତରେ କେବଳ ଦିକିଦିକି ମଶାଲ ଆଲୁଅରେ ଅଣୁଆ ଜଙ୍ଗଲିଆ ରାସ୍ତାରେ ଶୋଲରୀ ପାହାଡ଼ ପାଦତଳେ ତଳେ କଣ୍ଟାଲତା ଡେଇଁ ବାଟରେ ଡ଼ାଳ ଖାଇ ଠାକୁରାଣୀଙ୍କ ପୀଠରେ ପହଞ୍ଚି ବିଶ୍ରାମ ନିଅନ୍ତି। ନିଯୋଗୀ ସେବାୟତମାନେ ମା’ଙ୍କ ଭରସାରେ ବିଶ୍ୱାସରସହିତ ଅନ୍ଧାର ରାସ୍ତାରେ ଯାତ୍ରା କଲାବେଳେ କେବେହେଲେ କାହାର କ୍ଷତି ହୋଇନାହିଁ ବୋଲି କହନ୍ତି ବରିଷ୍ଠ ସେବକ ଭାସ୍କର ନାୟକ, ବସନ୍ତନାୟକ, ପରିଚ୍ଛା ପ୍ରକାଶ ମହାପାତ୍ର। ଏପରିକି ସ୍ୱାପଦ ଶଙ୍କୁଳ ପାହାଡ଼ିରାସ୍ତା, ହିଂସ୍ର ଯନ୍ତୁମାନଙ୍କ ଆଶ୍ରୟସ୍ଥଳ ଏବଂ ସଂକୀର୍ଣ୍ଣ କଂଟକପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଦରେ କଣ୍ଟାଟିଏ ମଧ୍ୟ ଲାଗେ ନାହିଁ ବୋଲି କହନ୍ତି କାଠିନାହାକ ଗଣେଶ ନାୟକ।
ପଣାପାଣି ସାରି ପୁଣି ଭାଟିପଡ଼ା ଗଡ଼କୁ ଯାତ୍ରା ଆରମ୍ଭ ହୁଏ। ଶେଷରେ ଗଡ଼ର ପଶ୍ଚିମ ଦିଗରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିରରେ ପହଞ୍ଚିବା ପରେ ଗଡ଼ର ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସହିତ ଗ୍ରାମବାସୀ ମା’ଙ୍କୁ ପୁଷ୍ପଚନ୍ଦନ ଦେଇ ନିମନ୍ତ୍ରଣ କରିବା ପରେ ମା’ ଗଡ଼ପରିକ୍ରମା କରି ସେହି ଅନ୍ଧା କାର ଭିତରେ ଶୋଲରୀ ପାହାଡ଼ ଖୋଲରେ ଉପରେ ପୂଜିତା ମା’ ଶିଦ୍ଧେଶ୍ୱରୀଙ୍କ ପୀଠରେ ଅବସ୍ଥାନ କରନ୍ତି।
ମନ୍ଦିରର ଜାନିସଂପ୍ରଦାୟର ପୂଜକମାନେ ଦୁଇ ଭଉଣୀଙ୍କ ପାଇଁ ଚୁଡ଼ାଗୁଡ଼ ନୈବେଦ୍ୟ ଅର୍ପଣ କରି ଆଜ୍ଞାମାଳ କରିବା ପରେ ଜଣେ ପୂଜକ ଧଳା ଲୁଗା ଘୋଡ଼େଇ ହୋଇ ଆଜ୍ଞାମାଳ ନେଇ ଫେରି ଦଳବେହେରାଙ୍କ ଦୁଆରେ ପହଞ୍ଚିବା ପରେ ପନ୍ତିଭୋଗ ଖାଇ ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିବା ବାଟରେ ଟିକିରାଇ ମନ୍ଦିରରେ ପଣା ଭୋଗ ଏବଂ ଖମାରଠାରେ ଗଜପତି ମହାରାଜାଙ୍କ ଦ୍ଵାରା ପ୍ରଚଳିତ ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଫେରନ୍ତି ବୋଲି ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।