Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି କୋରନା ଟିକାକରଣ, ସାରା ଦେଶରେ ହେଲା ୩ ହଜାର ୬ ଶହ କେନ୍ଦ୍ର, ସ୍ବାସ୍ଥ୍ୟ ମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ, ଆସନ୍ତାକାଲି ଦେଶବ୍ୟାପୀ ଆରମ୍ଭ ହେଉଥିବା କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦର କାର୍ଯ୍ୟାଳୟ ଦିଲ୍ଳୀର ନିର୍ମାଣ ଭବନ ପରିସରରେ ଖୋଲାଯାଇଥିବା ଉତ୍ସର୍ଗୀକୃତ କୋଭିଡ୍‍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଏହି କୋଭିଡ୍‍ ଟିକାଦାନ କାର‌୍ୟ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍‍ଫରେନ୍‍ସିଂ ବ୍ୟବସ୍ଥାରେ କରିବେ।

ସମଗ୍ର ଦେଶରେ ଏହି ଟିକା ଆସନ୍ତାକାଲି ପ୍ରଦାନ କରାଯିବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁ ମୋଟ ୩୬୦୦ କେନ୍ଦ୍ର ଖୋଲାଯାଇଛି । ସବୁ କେନ୍ଦ୍ରକୁ ଭର୍ଚୁଆଲ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ କାଲି ପ୍ରାୟ ୧୦୦ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଓ ବୟସକୁ ଦେଖି ପର‌୍ୟ୍ୟାୟକ୍ରମେ ଏହି ଟିକା ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ପ୍ରଥମ ପର‌୍ୟ୍ୟାୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଉଭୟ ସରକାରୀ, ବେସରକାରୀ କର୍ମୀ ଓ କର୍ମଚାରୀ, ସମନ୍ୱିତ ଶିଶୁ ବିକାଶ ବିଭାଗର କର୍ମୀଙ୍କୁ ଏହି ଟିକା ଦିଆଯିବ ।

କୋଭିଡ୍‍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିବା ଅବସରରେ ଟିକାକରଣ ବ୍ୟବସ୍ଥା ତଦାରଖ କରିବା ପାଇଁ ଉଦ୍ଦିଷ୍ଟ କୋ-ୱିନ୍‍ କିପରି କାମ କରୁଛି ତାହାର ବିଭିନ୍ନ ଦିଗ ସ୍ୱାସ୍ଥ୍ୟମନ୍ତ୍ରୀ ଟିକିନିଖି ଅନୁଧ୍ୟାନ କରିଥିଲେ। ଏହି କୋ-ୱିନ୍‍ ଏକ ଅନ୍‍ଲାଇନ ଡିଜିଟାଲ ପ୍ଲାଟଫର୍ମ ଏବଂ ଏହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ହୋଇଛି। କରୋନା ଟିକାଦାନ କାର‌୍ୟ୍ୟକ୍ରମ ପାଇଁ ଏହାକୁ ନିୟନ୍ତ୍ରକଭାବେ ବ୍ୟବହାର କରାଯିବ। ଏଥିରେ ବିଭିନ୍ନ ସ୍ଥାନରେ ମହଜୁଦ ଥିବା ଟିକାର ପରିମାଣ, ଶୀତଳ ଭଣ୍ଡାରର ତାପମାତ୍ରା, ଟିକା ନେଉଥିବା ବା ନେବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ଠାବ କରିବା ଆଦି ସବୁ ତଥ୍ୟ ନିଖୁଣଭାବେ ତତ୍କାଳ ଉପଲବ୍‍ଧ।

ଏହି ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ଟିକାଦାନ ସମୟରେ ଜାତୀୟ, ରାଜ୍ୟ ଓ ଜିଲାସ୍ତରରେ ପ୍ରୋଗ୍ରାମ ମ୍ୟାନେଜରମାନଙ୍କୁ ତଥ୍ୟାବଳୀ ଯୋଗାଇ ସାହାଯ୍ୟ କରିବ। କେଉଁ କେନ୍ଦ୍ରରେ କେତେବେଳେ କେତେ ଲୋକ ଟିକା ନେଲେ, କେତେ ଆସିଲେ ନାହିଁ, ଟିକା ନେଇଥିବା ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଆଦି ସବୁ ତଥ୍ୟ ଏହା ଯୋଗାଇଦେବ ଓ ତାହାର ତଦାରଖ କରିବ। ଏହି ପ୍ଲାଟଫର୍ମରୁ ମଧ୍ୟ ଜାତୀୟ ଓ ପ୍ରାଦେଶିକ ପ୍ରଶାସକମାନେ ଟିକାକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ପାଇପାରିବେ । ଟିକା ନେବାକୁ ଥିବା ଲୋକଙ୍କ ସଂଖ୍ୟା, ସେମାନଙ୍କର ଲିଙ୍ଗ, ବୟସ ଏବଂ କାହାର ଯଦି ପୁରୁଣା ଗୁରୁତର ବ୍ୟାଧି ଥାଏ ଏଥିରୁ ସବୁ ତଥ୍ୟ ମିଳିବ।

ଟିକାଦାନ ପରେ ଟିକା ଗ୍ରହୀତାଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି, ଯଦି କାହାରି କିଛି ଅସୁବିଧା ଘଟିଥାଏ ସେ ସଂକ୍ରାନ୍ତ ତଥ୍ୟାବଳୀ ମଧ୍ୟ ଏହି ପ୍ଲାଟଫର୍ମରୁ ଉପଲବ୍‍ଧ ହୋଇପାରିବ। ପ୍ରତ୍ୟେକ ହିତାଧିକାରୀଙ୍କ ନାମ, ଗାଁ, ଜିଲା ଓ କେନ୍ଦ୍ର ଆଦି ଏଥିରେ ରହିବ। ଏହି କୋ-ୱିନ ପ୍ଲାଟର୍ଫମଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ଭାରତରେ ପୂର୍ବରୁ ଚାଲିଆସୁଥିବା ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମରେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍‍ ଟିକାପାଇଁ ଏଥିରେ ସଫ୍‍ଟୱେୟାରରେ କେତେକ ପରିବର୍ତ୍ତନ କରାଯାଇଛି।

ମନ୍ତ୍ରୀ ହର୍ଷବର୍ଦ୍ଧନ କୋ-ୱିନ୍‍ରୁ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପୀଜକରଣ ପୃଷ୍ଠା ସମୀକ୍ଷା କରିଥିଲେ। ଏଥିରେ ଅଗ୍ରାଧିକାର ପାଇ ନ ଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସେ ଅବଗତ ହୋଇଥିଲେ। ଏହି ସଫ୍‍ଟୱେୟାରକୁ ଇଲେକ୍‍ଟୋରାଲ ଡାଟାବେସ ସହିତ ସିଡିଂ କରି ହିତାଧିକାରୀଙ୍କୁ ଅବଗତ କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଟିକା ନେବା ପାଇଁ ପୀକରଣ କରିବାକୁ ହେଲେ କେଉଁ କେଉଁ ତଥ୍ୟାବଳୀ ଦେବାକୁ ପଡିବ ତାହାର ସୂଚନା ଦେବାକୁ ମଧ୍ୟ ସେ କହିଥିଲେ। ଏହି ଉତ୍ସର୍ଗୀକୃତ କୋଭିଡ୍‍ ନିୟନ୍ତ୍ରଣକକ୍ଷ ଦେଶବ୍ୟାପୀ ଟିକାଦାନ ସଂକ୍ରାନ୍ତ ସମସ୍ତ ତଥ୍ୟାବଳୀ ସଂଗ୍ରହ କରିବା ପରେ ସେଗୁଡିକର ଟିକିନିଖି ଅନୁଶୀଳନ କରାଯିବ।

ମହାମାରୀ ସ୍ଥିତିର ମୂଲ୍ୟାୟନ କରିବାରେ ଏହା ସହାୟକ ହେବ। ଗତ କେଇମାସ ଧରି ଏହି ନିୟନ୍ତ୍ରଣକକ୍ଷରୁ କୋଭିଡ୍‍ ସଂକ୍ରାନ୍ତ ବିଭିନ୍ନ ତଥ୍ୟାବଳୀ ସଂଗ୍ରହ କରାଯିବା ସହ ମହାମାରୀର ସ୍ଥିତି ପର‌୍ୟ୍ୟବେକ୍ଷଣ କରାଯାଉଛି। କେନ୍ଦ୍ରମନ୍ତ୍ରୀ ମଧ୍ୟ ଆଜି ଯୋଗାଯୋଗ ନିୟନ୍ତ୍ରଣକକ୍ଷର କାର‌୍ୟ୍ୟ ସମୀକ୍ଷା କରିଥିଲେ । ଟିକା ଓ ଟିକାଦାନ ସଂପର୍କରେ ଯେଉଁସବୁ ଗୁଜବ ଓ ଅପପ୍ରଚାର ଚାଲିଛି ଏହି କକ୍ଷ ତାହାକୁ ପର‌୍ୟ୍ୟବେକ୍ଷଣ କରିବା ସହ ତାହା ଉପରେ ନଜର ରଖିଛି ।

କୋଭିଡ୍‍ ଟିକା ବିରୋଧରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଚଳାଇଥିବା ଅପପ୍ରଚାର ଓ ଗୁଜବକୁ ଖଣ୍ଡନ କରିବା ପାଇଁ ପୂରାଦମ କାର‌୍ୟ୍ୟ କରିବାକୁ ସେ ପ୍ରଶାସନିକ କଳକୁ ନିର୍ଦେଶ ଦେଇଛନ୍ତି । ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ଏହି କୋଭିଡ ଟିକାଦାନ ପ୍ରକ୍ରିୟା ପୃଥିବୀର ସର୍ବବୃହତ୍‍ ଟିକାକରଣ ଅଭିଯାନରେ ପରିଣତ ହେବାକୁ ଯାଉଛି । ଦେଶୀ ଜ୍ଞାନକୌଶଳରେ ନିର୍ମିତ ଉଭୟ କୋଭିସିଲ୍ଡ ଓ କୋଭାକ୍‍ସିନ ଟିକା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ସେ କହିଛନ୍ତି ଯେ ଏହି ଟିକା କରୋନା ମହାମାରୀ ରୋକିବାରେ ସଫଳ ହେବା ନେଇ ପରୀକ୍ଷାରୁ ଜଣାପଡିଛି ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରଥମ ଥର ଲାଗି ପୋଲିଓ ଟିକାକରଣ ସ୍ଥଗିତ: ୧୬ ରୁ କରୋନା ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ସମଗ୍ର ଦେଶରେ ଟିକାକାରଣ ପରକୀୟା ଆରମ୍ଭ ହେବାକୁ ଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ମାସ ୧୬ ତାରିଖରେ ଟିକାକାରଣ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି। ହେଲେ ଠିକ ଏହି ସମୟରେ ତଥା ୧୭ ତାରିଖରେ ପୋଲିଓ ଟିକାକାରଣ ପାଇଁ ତାରିଖ ଧାର୍ଯ୍ୟ ଥିଲା। କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି।

ସୁଚନାଯୋଗ୍ୟ ଯେ, ଦେଶରେ ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ଦେଶର ସମସ୍ତ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଟିକା ଦିଆଯାଇଥାଏ। ହେଲେ ଏହି ଭୟଙ୍କର ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ କରୋନା ଟିକା ନେବା ବହୁତ ଜରୁରୀ ହୋଇପଡିଥିବାରୁ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଅପରାହ୍ନରେ ଭୁବନେଶ୍ବର ପହଞ୍ଚିବ କରୋନା ଟିକା: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର: ଆଜି ଆପରାହ୍ନରେ କରୋନା ଟିକା ଭୁବନେଶ୍ବରରେ ପହଞ୍ଚିବ। ସ୍ପାଇସ ଜେଟ ବିମାନରେ ଆଜି ଅପରାହ୍ନ ୪ ଟା ୨୫ ରେ କରୋନା ଟିକା ପହଞ୍ଚିବ। ଭୁବନେଶ୍ବରରେ ପହଞ୍ଚିଲା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବ। ସେଠାରୁ ଜିଲ୍ଲା ଟିକା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ଜିଲ୍ଲାପାଳମାନେ ଗାଡି ପଠାଇ ଆଜି ଟିକା ନେବା ଲାଗି ବ୍ୟାବସ୍ଥା କରିବେ। ଓଡିଶା ପାଇଁ ମୋଟ ୪ ଲକ୍ଷ ୮ ହଜାର କୋଭାସିଲ୍ଡ ଟିକା ଆସୁଛି।

ଏହାସହିତ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଭାକ୍ସିନ ଟିକା ଆସିବା ନେଇ ଚିଠି ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ୧୬ ରୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଟିକା ଦେବା ଆରମ୍ଭ କରାଯିବ। ତେବେ ସେମାନଙ୍କ ମଧ୍ୟରୁ ଯେଉଁମାନେ ବୟସ୍କ କିମ୍ବା ରୋଗାଗ୍ରସ୍ତ ଥିବେ, ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ। ଏତଦବ୍ୟତୀତ କରୋନା ପ୍ରଭାବିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଜାନୁୟାରୀ ୨୫ ତାରିଖ ସୁଦ୍ଧା ଦ୍ଵିତୀୟ ପର୍ଯ୍ୟାୟ ଟିକାକାରଣ ଲାଗି ଡାଟା ଅପଲୋଡ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟିକା ପହଞ୍ଚିବାର ଦୁଇ ଦିନରେ ଟିକାକାରଣ ଆରମ୍ଭ ହେବ: ଡିଏମଇଟି

ଭୁବନେଶ୍ୱର: ୧୦ ଦିନ ଭିତରେ କରୋନା ଟିକା ଓଡିଶା ପହଞ୍ଚିବା ନେଇ ସୂଚନା ରହିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ କୌଣସି ମୁହୂର୍ତ୍ତରେ କରୋନା ଟିକା ଓଡିଶା ପହଞ୍ଚିପାରେ। ଟିକା ଆସିବା ପରେ ଭୁବନେଶ୍ବରର ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ। ଏହାପରେ ଜିଲ୍ଲାକୁ ପଠାଯାଇ ଜିଲ୍ଲା ଟିକା କେନ୍ଦ୍ରରେ ରଖାଯିବ। ଟିକା ପହଞ୍ଚିବା ପରେ ଦୁଇ ଦିନରେ ଟିକାକରଣ ଆରମ୍ଭ କରାଯିବ।

ତେବେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାର ବ୍ୟବସ୍ଥା ହୋଇଛି। ହେଲେ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। ଏହି ସୂଚନା ଦେଇଛନ୍ତି ଡିଏମଇଟି। ତାଙ୍କ ସୂଚନା ଅନୁଯାୟୀ ୨ଟି ଡୋଜରେ ଟିକା ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରୁ ଆଶଙ୍କା ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରଥମେ ଟିକା ନିଅନ୍ତୁ: ଅଜିତ୍ ଶର୍ମା

ପାଟଣା: ଦେଶରେ କରୋନା ଟିକାର ମାନବ ଦେହରେ ଜରୁରୀକାଳିନ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି। ଏନେଇ ସାରା ଦେଶରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। ତେବେ ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟି ର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହା ବିଜେପିର ଟିକା, ଏହାକୁ ସେ ନେବେ ନାହିଁ ବୋଲି କହିଛନ୍ତି। ସେପଟେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏହା କୌଣସି ଦଳର ଟିକା ନୁହଁ, ଏହାକୁ ସେ ନେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏହିପରି ଭାବରେ କୋଭାକ୍ସିନ ଟିକାର ମଞ୍ଜୁରୀ ଉପରେ କଂଗ୍ରେସର କେତେଜଣ ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ତେବେ ବିହାରର କଂଗ୍ରେସ ନେତା ତଥା ବିଧାୟକ ଅଜିତ୍ ଶର୍ମା ଏହି ଟିକାକୁ ନେଇ ଏକ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଯେପରି ରୁଷିଆ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ ଓ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦେଶର ଟିକାକରଣ ସମୟରେ ଟିକା ନେଇଥିଲେ, ସେହିପରି ଆମ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଟିକା ନେବା ଆବଶ୍ୟକ। ଯଦ୍ୱାରା ଦେଶର ଜନସାଧାରଣଙ୍କ ମନରେ ଆସ୍ଥା ସୃଷ୍ଟି କରିବ। ଦେଶରେ ଦୁଇଟି ଟିକାକୁ ମଞ୍ଜୁରୀ ମିଳିବା ଖୁସିର କଥା। କିନ୍ତୁ ଏହି ଟିକାର ସଫଳତା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ଲୋକଙ୍କ ମନରୁ ସନ୍ଦେହ ଦୂର କରିବା ଲାଗି ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହି ଟିକା ନେବା ଉଚିତ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାକରଣ କେନ୍ଦ୍ର ନିରୂପଣ ଲାଗି ନିର୍ଦ୍ଦେଶ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଦେଶରେ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀକାଳିନ ବ୍ୟବାହାର ପାଇଁ ଅନୁମତି ପରେ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ସ୍ଥାନ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖ ସୁଦ୍ଧା ଟିକାକରଣ କେନ୍ଦ୍ର ନିରୂପଣ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ, ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ନଟ ହେବ। ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ।

ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ। ପ୍ରତି ୩ ଟି ଟିକାକାରଣ କେନ୍ଦ୍ର ଲାଗି ଜଣେ ସୁପର ଭାଇଜର ରହିବେ।

ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟିକାଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ଟିକା ବାହାରିଲା, ହେଲେ ଏହା ପୂର୍ବରୁ କଣ କରାଯାଇଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍‍ସିଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା ୧୯ ଭୂତାଣୁ ନିରୋଧୀ ଟିକାର ନିୟନ୍ତ୍ରିତ ଜରୁରୀ ବ୍ୟବହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ଏହି ବୈଠକରେ କାଡିଲା ହେଲ୍‍ଥ କେୟାର ସଂସ୍ଥା ଦ୍ୱାରା ନିର୍ମିତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ମଧ୍ୟ ଅନୁମତି ମିଳିଛି । ଏହି ବିଶେଷଜ୍ଞ କମିଟିରେ ଛାତିରୋଗ, ରୋଗ ପ୍ରତିରୋଧ ବିଜ୍ଞାନ,  ଅଣୁଜୀବ ବିଜ୍ଞାନ,  ଔଷଧ ବିଜ୍ଞାନ,  ଶିଶୁରୋଗ ବିଜ୍ଞାନ ଏବଂ ଆନ୍ତରିକ ଭେଷଜ ଚିକିତ୍ସା ବିଜ୍ଞାନ  ବିଭାଗର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି।

ପୁଣେଠାରେ ଥିବା ସେରମ ପ୍ରତିଷ୍ଠାନ ପକ୍ଷରୁ ରିକମ୍ବିନାଣ୍ଟ ସିମ୍ପାଞ୍ଜି  ଆଡେନୋଭାଇରସ୍‍ ଭେକ୍ଟର ଭେକ୍ସିନ ବା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସାର୍ସ-କୋଭ-ଟୁ ସ୍ପାଇକ୍‍ର ଏନ୍‍କୋଡିଂ ଓ ଗ୍ଲାଇକୋ ପ୍ରୋଟିନ ଠାବ  କରାଯାଇଛି । ଷ୍ଟ୍ରାଜେନେକା/ଅକ୍ସଫୋର୍ଡ ୟୁନିଭର୍ସିଟିରୁ ବୈଷୟିକ ଜ୍ଞାନକୌଶଳ ଆଣି ଏହି ଟିକା ତିଆରି ହୋଇଛି । ଏହି ଫାର୍ମ ପକ୍ଷରୁ ଟିକାର ନିରାପଦ ଦିଗ, ରୋଗ ପ୍ରତିରୋଧକ କ୍ଷମତା ଏବଂ ଦକ୍ଷତାର ତଥ୍ୟାବଳୀ ମଧ୍ୟ ପ୍ରଦାନ କରାଯାଇଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ୪୩୭୪୫ ଲୋକଙ୍କ ଉପରେ ଟିକାର ପରୀକ୍ଷା ମୂଳକ ପ୍ରୟୋଗ ପରେ ସେସବୁ ତଥ୍ୟାବଳୀର ଅନୁଶୀଳନ ଓ ଅନୁଧ୍ୟାନ ଦରିଆପାରି ଦେଶଗୁଡିକରେ କରାଯାଇଛି ।

ଏହି ଟିକାର ସାମଗ୍ରିକ ଦକ୍ଷତା ଓ ପ୍ରଭାବ ପ୍ରାୟ ୭୦.୪୨ ଶତାଂଶ ଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆହୁରି ମଧ୍ୟ ସେରମ୍‍ ସଂସ୍ଥାକୁ ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଏବଂ ସେଥିରେ ୧୬୦୦ ଲୋକଙ୍କ ଉପରେ ଏହାର ପରୀକ୍ଷା ମୂଳକ ପ୍ରୟୋଗ କରାଯାଇ ସେ ସବୁର ତଥ୍ୟାବଳୀ ଅନୁଧ୍ୟାନ କରାଯାଇଛି । ଫାର୍ମ ପକ୍ଷରୁ ମଧ୍ୟ ଟିକାର ଅନ୍ତରୀଣ ନିରାପଦ ଦିଗ ଏବଂ ରୋଗ ପ୍ରତିଷେଧକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି । ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ସଂଗୃହୀତ ଏହି ତଥ୍ୟାବଳୀ ବିଦେଶରେ ହେଉଥିବା ତଥ୍ୟାବଳୀ ସହ ପ୍ରାୟ  ସମାନ ରହିଛି ।

ଏହିସବୁ ତଥ୍ୟ ଉପରେ ବିଷୟ ବିଶେଷଜ୍ଞ କମିଟି ସବିଶେଷ ଆଲୋଚନା ଓ  ପର୍ଯ୍ୟାଲୋଚନା କରିବା ପରେ ଜରୁରୀକାଳୀନ ଆବଶ୍ୟକତା ପାଇଁ ଏହି ଟିକାର ସୀମିତ ବ୍ୟବହାର ନିମନ୍ତେ ଅନୁମତି ଦେବାକୁ ସୁପାରିସ କରିଛି। ଏଥିରେ ସ୍ପଷ୍ଟ କରି ଦିଆଯାଇଛି  ଯେ ଏହି ଟିକା ପ୍ରଦାନ ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ କରାଯିବ। ଆହୁରି  ମଧ୍ୟ ଦେଶରେ ଏହି କଂପାନୀ ଦ୍ୱାରା ଯେଉଁ କ୍ଲିନିକାଲ ଟ୍ରାଏଲ ଚାଲିଛି ତାହା ମଧ୍ୟ  ଜାରି ରହିବ।

ସେହିଭଳି ଭାରତ ବାୟୋଟେକ୍‍ ସଂସ୍ଥା ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍‍ଆକ୍ଟିଭେଟେଡ କରୋନା ଭାଇରସ୍‍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମ୍‍ଆର ଓ ଏନ୍‍ଆଇଭି,ପୁଣେ ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି । ଏନ୍‍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି ବା ସିଡ୍‍ସ ଷ୍ଟ୍ରେନ ସଂଗୃହୀତ ହୋଇଛି । ଭେରୋସେଲ୍‍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି। ଯାହାର ନିରାପଦ ଦିଗ,  ଦକ୍ଷତା ଓ ସଫଳତା ରେକର୍ଡ ବେଶ୍‍ ଭଲ । ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।

ଭାରତ ବାୟୋଟେକ୍‍ ଏହି ଟିକାକୁ ମୂଷା, ବିଭିନ୍ନ ପ୍ରକାର ମୂଷିକ ଜାତୀୟ  ଜୀବ, ଠେକୁଆ, କେତେକ ବାନର ଜାତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରିଛି । ସେହି  ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିଲା। କଂପାନୀ ପକ୍ଷରୁ ଏହି ସବୁ ତଥ୍ୟାବଳୀକୁ ସିଡିଏସ୍‍ସିଓକୁ ଅବଗତ କରାଯାଇଛି।ଏହି ଟିକାର ପ୍ରଥମ  ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଏଥିରୁ ପ୍ରାୟ ୮୦୦ ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍‍ ସମର୍ଥ ।

ସେହିଭଳି ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତା ପରୀକ୍ଷା ଭାରତରେ କରାଯାଇ ଥିଲା। ୨୫୮୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରାୟ ୨୨୫୦୦ଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ମିଳିଥିବା ତଥ୍ୟାବଳୀ ଅନୁସାରେ ଏହି ଟିକା ନିରାପଦ ବୋଲି ଜଣାପଡିଛି । ବିଷୟ ବିଶେଷଜ୍ଞ କମିଟି ବା ଏସ୍‍ଇସି ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀ କାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି ।

ଜନସ୍ୱାର୍ଥ ଦୃଷ୍ଟିରୁ ଯଥେଷ୍ଟ ସାବଧାନତାର ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଟିକା ପ୍ରଦାନ କରିବାକୁ କୁହାଯାଇଛି। ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରି ସାବଧାନତା ଅବଲମ୍ବନ କରାଯାଉଥିଲା  ସେହିଭଳି ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି । ମ୍ୟୁଟାଣ୍ଟ ଷ୍ଟ୍ରେନ ଦ୍ୱାରା  ସଂକ୍ରମଣ ସ୍ଥିତିରେ ସଂପୃକ୍ତ ବ୍ୟକ୍ତି  ବିଶେଷଙ୍କୁ ଟିକା ନେବାର ଅଧିକ ବିକଳ୍ପ ପାଇଁ ମଧ୍ୟ ସୁପାରିସ କରାଯାଇଛି । ଏହି ଟିକାର ଯେଉଁ ଅଧିକ ପରୀକ୍ଷା ନିରୀକ୍ଷା ଦେଶରେ ଚାଲିଛି ତାହା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସେରମ୍‍ ଓ ଭାରତ ବାୟୋଟେକ୍‍ ଟିକାକୁ ଦୁଇ ଡୋଜରେ ନେବାକୁ ପଡିବ। ଏ ସମସ୍ତ ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ କରିବାକୁ ହେବ। ଆବଶ୍ୟକ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ସିଡିଏସ୍‍ସିଓ ବିଷୟ ବିଶେଷଜ୍ଞ କମିଟିର  ସୁପାରିସକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ତଦନୁସାରେ ସେରମ୍‍ ଏବଂ ଭାରତ ବାୟୋଟେକ୍‍ ଟିକାକୁ ଜରୁରୀକାଳୀନ ସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମୋଦନ କରିବା  ସହ କାଡିଲା ହେଲ୍‍ଥ କେୟାର ସଂସ୍ଥାକୁ ତାହାର ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପରିଚାଳନା ନିମନ୍ତେ ଅନୁମତି ପ୍ରଦାନ କରିଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

କରୋନା ଟିକାକୁ ଡିସିଜିଆଇ ଅନୁମତି ପରେ, ସେରମ୍ ଇନଷ୍ଟିଚ୍ୟୁଟର ସିଇଓ କହିଲେ ‘ହାପି ନିୟୁ ଇୟର’

ନୂଆଦିଲ୍ଲୀ, ଭାରତ ତିଆରି କରୋନା ଟିକାକୁ ଶେଷରେ ଅନୁମତି ମିଳିଛି। ବହୁ ପରିଶ୍ରମ ପରେ ବର୍ତ୍ତମାନ ଲୋକମାନଙ୍କୁ ଟିକାକରଣ ଆରମ୍ଭ କରାଯିବ। ସେଥିପାଇଁ ଦେଶ ତରଫରୁ ସେରମ ସଂସ୍ଥା ଏବଂ ଭାରତ ବାଓଟେକ ସଂସ୍ଥାକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ତେବେ ଡିସିଜିଆଇ ସେରମ ପ୍ରସୁତ କରୋନା ଟିକା କୋଭିସିଲ୍ଡ ଅନୁମତି ପରେ ଏହାର ସିଇଓ ଅଦର ପୋନୱାଲା ବେଶ ଖୁସି ପ୍ରକଟ କରିଛନ୍ତି। ସେ ଗୋଟିଏ ଧାଡିରେ ଆଜି କହିଛନ୍ତି ଯେ, ହାପି ନିୟୁ ଇୟର।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଦ୍ଵିତୀୟ କରୋନା ଟିକା ଭାବେ କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ନୂଆବର୍ଷର ଦ୍ଵିତୀୟ ଦିନରେ କ୍ରମାଗତ ଦୁଇଟି କରୋନା ଟିକା ଅନୁମତି ମିଳିଛି। ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଭାରତରେ ଦ୍ଵିତୀୟ ଟିକା ଭାବେ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ। ଗତକାଲି ସେରମ ପ୍ରସ୍ତୁତ କୋଭାସିଲ୍ଡକୁ ମଞ୍ଜୁରୀ ମିଳିଥିଲା। ସଂପୂର୍ଣ୍ଣ ସ୍ଵଦେଶ ଜ୍ଞାନ କୌଶଳରେ କୋଭାକ୍ସିନ ଟିକାକୁ ପ୍ରସ୍ତୁତ ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଦ୍ଵାରା ଏହି ଟିକା ବିକଶିତ ହୋଇଛି। ବହୁ ତର୍ଜ୍ଜମା ପରେ ଏହି ଟିକା ମାନବ ଦେହରେ ବ୍ୟବହାର ଉପଯୋଗୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରର ପ୍ରାଥମିକତା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାସ୍ତବ ଟିକାକରଣ ଭଳି ଡ୍ରାଏ ରନ୍ ଚାଲିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯାଉଛି।

ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ପୋଲିଓ ଟିକାକାରଣ ବେଳେ ମଧ୍ୟ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ସେହି ଟିକା ଏବେ ସଫଳ ହୋଇଛି। ଏବଂ ଦେଶ ଆଜି ପୋଲିଓ ମୁକ୍ତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଟୀକା ମୁକ୍ତରେ ମିଳିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଫାଇଜର ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତଳ ମୁହାଁ ହେଉଥିଲେ ବି ନୂଆ ଷ୍ଟ୍ରେନ ଏବେ ଚିନ୍ତାରେ ପକାଇଛି। ଏହି ମାହାମାରୀ ଠାରୁ ମୁକ୍ତି ମିଳିବା ନେଇ ଆଶଙ୍କା ସୃଷ୍ଟି ହେଉଥିବା ବେଳେ କରୋନା ଟିକା ଏବେ ନୂତନ ଆଶା ସଂଚାର କରିଛି। ଟିକା ବିନା ଏହି ମହାମାରୀ ଦାଉରୁ ନିସ୍ତାର ନାହିଁ। ଲୋକଙ୍କ ମନରେ ଭୟାର ବାତାବରଣ ସୃଷ୍ଟି ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଖୁସି ଖବର ମିଳିଛି।

ଏବେ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ମଂଜୁରୀ ଦେଇଛି। ଏହାସହ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି। ଏହି ଟିକା କରୋନା ମାତ୍ ଦେବାରେ ସଫଳ ହେବା ନେଇ ଆଶା ବଢିଛି। ତେଣୁ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚ୍ଓ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟିକା ନେବା ପାଇଁ କୋ-ୱିନ ଆପ୍‌ ମାଧ୍ୟମରେ କରିପାରିବେ ପଞ୍ଜୀକରଣ: ୧୨ ପ୍ରକାରର ପରିଚୟପତ୍ର ଅପରିହାର୍ଯ୍ୟ

ନୂଆଦିଲ୍ଲୀ: କରୋନା ଟିକା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଟିକା ନେବା ପାଇଁ କୋ-ୱିନ ଆପ୍‌ ମାଧ୍ୟମରେ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡିଏଲ୍, ପାସପୋର୍ଟ, ପେନସନ ପରିଚୟ ପତ୍ର, ପାନ କାର୍ଡ ଇତ୍ୟାଦି ୧୨ ପ୍ରକାରର ପରିଚୟପତ୍ର ଅପରିହାର୍ଯ୍ୟ। ଟିକାକରଣ କେନ୍ଦ୍ରରେ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କୁ ଟିକା ମିଳିପାରିବ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଟିକା ନେଲା ପରେ ଜଣେ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ଅନୁଧ୍ୟାନରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଯେଉଁଥିରେ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କାଲିଠୁ ଦିଲ୍ଲୀ AIIMSରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷଣ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ। ଏମ୍ସ ର ଏକ ବିଶେଷ କମିଟି ଶନିବାର ଦିନ କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇ ସାରିଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନାରେ ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରାଯିବ।

‘କୋଭାକ୍ସିନ’ର ମାନବ ପରୀକ୍ଷଣ ପାଇଁ ଅନୁମୋଦନ ମିଳିସାରିଛି | ଯେଉଁମାନେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ନେଇ ପରୀକ୍ଷା କରାଯିବ | ଏହି ଅନୁସନ୍ଧାନରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ପଞ୍ଜିକୃତ ହୋଇପାରିବେ।

ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ ପାରିବେ | ତାଙ୍କୁ [email protected]କୁ ମେଲ୍ କରିବାକୁ ପଡିବ କିମ୍ବା ସେ ୭୪୩୮୮୪୭୪୯୯କୁ ମେସେଜ୍ କିମ୍ବା କଲ ମଧ୍ୟ କରିପାରିବେ |

ଏହି ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣ ଲୋକ ସାମିଲ ହେବେ | ସୋମବାରଠାରୁ ଏକ ସ୍ବତନ୍ତ୍ର ଟିମ୍ ଏହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିବ, ଯାହା ପରେ ସେମାନଙ୍କୁ ଏହି ଟିକା ଦିଆଯିବ | ୧୨ଟି ସ୍ଥାନରେ ପରୀକ୍ଷା କରାଯିବ।