Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା: କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ।

ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା। ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା।

ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍ ଆଂଟିଜେନ୍ ପରୀକ୍ଷା କରାଯାଇଥିଲା। ଉଭୟଙ୍କର ନେଗେଟିଭ୍ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍ ଥିଲା। ଅମ୍ଳଜାନ ସ୍ତର ୫୬ ପର୍ଯ୍ୟନ୍ତ ଖସିଆସିଥିଲା। ତାଙ୍କୁ ତୁରନ୍ତ ଜୁନ୍ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କ୍ଷୀରୋଦାଙ୍କର କୋଭିଡ୍ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଗୁରୁତର ହୋଇପଡିଥିଲେ କ୍ଷୀରୋଦା। ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା।

ମେଡିକାଲ୍ ଟିମ୍ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ତାଙ୍କୁ ସୁଷମ ଖାଦ୍ୟ ଦେଇଥିଲେ। ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତ। ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଚିଙ୍ଗୁଡି ଘେରି ମାମଲା: ଚାରି ଜିଲ୍ଲାପାଳଙ୍କୁ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବେଆଇନ ଚିଙ୍ଗୁଡି ଘେରି ମାମଲାରେ ଚାରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଦାଲତରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯାଇଛି, ତାହା ନେଇ ଅଦାଲତଙ୍କୁ ଜିଲ୍ଲାପାଳମାନେ ଜଣାଇବା ପାଇଁ କୁହାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ବାବୁଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡ଼ାକୁ ନବୀନ ସରକାରଙ୍କର ମେଗା ଷ୍ଟିଲ ପ୍ଳାଣ୍ଟ ଉପହାରକୁ ସ୍ଵାଗତ: ସମାଜବାଦୀ ପାର୍ଟି

ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ।

ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏବଂ ଏହା ଦ୍ଵାରା କେନ୍ଦ୍ରପଡା, ଜଗତସିଂହପୁର ଓ ପଡୋଶୀ ଯାଜପୁର ଜିଲ୍ଲାର ବେକାରି ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ।

ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ୟାସ ସିଲିଣ୍ଡର ଫାଟି ଯୁବକଙ୍କ ଅବସ୍ଥା ସଂକଟାପର୍ଣ୍ଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦରଥାନା ଅଧିନ କପାଳେଶ୍ୱର ପଂଚାୟତର କପାଳେଶ୍ୱର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସେହି ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏଥିରେ ସାବିର୍ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନମତ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଦିନ ପାଇଁ ରାଜ୍ୟର ପାଞ୍ଚୋଟି ଜିଲ୍ଲାର ଘନ କୁହୁଡି, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଘନକୁହୁଡି ଦେଖାଦେବ। ଏହି କୁହୁଡି ଶନିବାର ଏବଂ ରବିବାରରେ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ପରିଲକ୍ଷିତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହି ଅନୁସାରେ ସ୍ବାତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏହି ପାଞ୍ଚୋଟି ଜିଲ୍ଲାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଦିନ ଯେଉଁ ଜିଲ୍ଲାଗୁଡିକରେ ଏହି ଘନ କୁହୁଡା ଦେଖାଦେବ ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ରହିଛି। ସେହିପରି ରବିବାର ଦିନ ଜଗତସିଂହପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରପଡା ଜିଲ୍ଲା। ଏହି ଜିଲ୍ଲାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ସର୍ବାଧିକ 156 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 156 କରୋନା  ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 104କୁ ବୃଦ୍ଧି  ହୋଇଛି । ନୂତନ 156ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 153ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 3ଟି ଲୋକାଲ୍‌ କେସ୍‌ ରହିଛି । ଆଜି 19 ଜିଲ୍ଲାରୁ 156 ଜଣଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ରହିଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ଆକ୍ଟିଭ୍‌ କେସ୍‌ 969 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1126। କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ସାତଜଣ । ସେହିପରି ଦୁଇଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 129 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି । ଏନେଇ ସୂଚନାଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ।   19ଟି ଜିଲ୍ଲାରୁ 129 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ।  ଏହି ନୂତନ 129 ଜଣଙ୍କ ମଧ୍ୟରେ 119 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ଓ 10 ଜଣ ଲୋକାଲ୍‌ କେସ ରହିଛି ବୋଲି ଜଣାପଡିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1948କୁ ବୃଦ୍ଧି ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 889 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1050ଜଣ। ସେହିପରି କରୋନା ଯୋଗୁଁ  ରାଜ୍ୟରେ 7 ଜଣ ମୃତ୍ୟୁବରଣ କରିଥିବାବେଳେ କରୋନା ଆକ୍ରାନ୍ତ ଥିବା ଦୁଇଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 96 ଜଣ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1800 ଡେଇଁଲା

ଭୁବନେଶ୍ବର : ରାଜ୍ୟରେ ଆଉ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1819କୁ ବୃଦ୍ଧି ହୋଇଛି । ଆଜି 18ଟି ଜିଲ୍ଳାରୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ଗଜପତିରେ ସର୍ବାଧିକ 10 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ 9ଜଣ ଚିହ୍ନଟ ହୋଇଛନ୍ତି ।  ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ 5, ବାଲେଶ୍ବର, ଦେବଗଡ ଓ ନୂଆପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ 2, ପୁରୀ, ନୟାଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ଏଯାବତ୍‌ ରାଜ୍ୟରେ 833ଟି ସକ୍ରିୟ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 977 ଓ ସାତ ଜଣ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଲାର 4 ଜଣ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ନୂତନ ଚାରି ଜଣଙ୍କୁ ମିଶାଇ ମୋଟ 26 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ। କେନ୍ଦ୍ରାପଡାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 61 ଥିବାବେଳେ ଏବେ ମୋଟ୍‌ 26 ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ ଆଉ 35 ଜଣ ସକ୍ରିୟ ଅଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରୁ 79ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1517ରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଦିନ 2.50ରେ ଭୁବନେଶ୍ବରରେ ପହଞ୍ଚିବେ

ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ କୋଲକାତାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହା ପରେ ଓଡ଼ିଶା ଆସିବେ ମୋଦି । କୋଲକାତା ଏୟାରପୋର୍ଟରୁ ଅପରାହ୍ନ 1ଟା 45ରେ ବାହାରିବେ।  ଦିନ 2ଟା 50ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2ଟା 55ରୁ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକରେ ଯୋଗ ଦେବେ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତ ସୁରତ୍‌ ଫେରନ୍ତା

କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡାରୁ ଚିହ୍ନଟ 4 ଜଣ ସୁରତ ଫେରନ୍ତା । ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ମାର୍ଶାଘାଇ ବ୍ଲକର ଓ ଜଣେ ମହାକାଳପଡାର ବୋଲି ଜଣାପଡିଛି । ସମସ୍ତେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ, 10 ତାରିଖରେ ନମୁନା ପରୀକ୍ଷା ପାଇଁ ଯାଇଥିଲା । ନମୁନା ପରୀକ୍ଷଣରୁ ପଜିଟିଭ୍‌ ସ୍ପଷ୍ଟ ହେବା ପରେ ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି। କେନ୍ଦ୍ରାପଡାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏଯାବତ୍‌ ବାହାରୁ କେନ୍ଦ୍ରାପଡାକୁ 10 ହଜାର ଲୋକ ଆସିଲେଣି । ସରକାରୀ ଗାଇଡ୍‌ ଲାଇନ୍‌ ଅନୁସାରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ଏପରିକି କ୍ବାରେଣ୍ଟିନ୍‌ କେନ୍ଦ୍ରରେ 144 ଲାଗିଥିବାର କହିଛନ୍ତି ଜିଲ୍ଲାପାଳ ।

Categories
ଆଜିର ଖବର ରାଜ୍ୟ ଖବର

ଅଧା ବାଟରେ ପ୍ରବାସୀଙ୍କୁ ଛାଡି ବସ୍‌ ପାର୍‌

କଟକ : ପ୍ରବାସୀଙ୍କୁ ନେଇ ଓଡ଼ିଶାର ଚିନ୍ତା ବଢୁଥିବାବେଳେ ପୁଣି ଥରେ ଅଧା ବାଟରେ ପ୍ରବାସୀ ବସ୍‌ ଛାଡି ଫେରାର୍‌ ହୋଇଛି। 15 ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛି ବସ୍‌। କଟକ ଓ ଓମ୍‌ପି ଛକରେ ଏହି ପ୍ରବାସୀଙ୍କୁ ଛାଡି ଦେଇ ବସ୍‌ଟି କେନ୍ଦ୍ରାପଡା ଯାଇଛି।  ନିଜ ଖର୍ଚ୍ଚରେ ତାମିଲନାଡୁ କାଞ୍ଚିପୁରମ୍‌ରୁ ଆସିଥିଲେ 30 ପ୍ରବାସୀ। ଏହି ବସ୍‌ରେ ଜଗତସିଂହପୁରର 15 ଓ କେନ୍ଦ୍ରାପଡାର 15 ପ୍ରବାସୀ ଥିଲେ। ଓଏମ୍‌ପି ଛକରୁ ଚାଲି ଚାଲି ଜଗତସିଂହପୁର ଅଭିମୁଖେ 15 ପ୍ରବାସୀ ଯାଉଥିବାର ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାର 12, ସୁନ୍ଦରଗଡରେ 1, କେନ୍ଦ୍ରାପଡାରେ 1 ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 391କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଥିବାବେଳେ କେନ୍ଦ୍ରାପଡାରେ 9 ଓ ସୁନ୍ଦରଗଡ14କୁ ବୃଦ୍ଧି ହୋଇଛି।

ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ 83 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ବୌଦ୍ଧ ଓ କନ୍ଧମାଳରେ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ଏବେ 21କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 26 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 26 କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 19, କେନ୍ଦ୍ରାପଡ଼ାରୁ 5, ଭଦ୍ରକରୁ2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଏବେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଥିବାବେଳେ ଭଦ୍ରକରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 08ରେ ପହଞ୍ଚଛି ।

ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 245କୁ ବୃଦ୍ଧି ହୋଇଛି। ଗତକାଲି ଏହି ସଂଖ୍ୟା 219 ଥିବାବେଳେ ଆଜି ଆଉ 26 କରୋନା ପଜିଟିଭ୍‌ ଚିହ୍ନଟ ହୋଇନ୍ତି। ଗତକାଲି ଗୋଟିଏ ଦିନରେ 34 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 26 ଜଣ ଚିହ୍ନଟ ହୋଇ ଚିନ୍ତା ବଢାଇ ଦେଇଛନ୍ତି ।

 

Categories
ଆଜିର ଖବର

ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୩ ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା

ମୟୁରଭଂଜ- ୫୪.୩୮ ପ୍ରତିଶତ

ବାଲେଶ୍ବର- ୫୧.୨୬ ପ୍ରତିଶତ

ଭଦ୍ରଖ- ୫୦.୮୦ ପ୍ରତିଶତ

ଯାଜପୁର- ୫୧.୭୨ ପ୍ରତିଶତ

କେନ୍ଦ୍ରାପଡା- ୫୫.୩୮ ପ୍ରତିଶତ

ଜଗତସିଂହପୁର- ୪୫.୮୨ ପ୍ରତିଶତ ମତଦାନ ହୋଇଛି

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ଆଜିର ଖବର

ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ, ପ୍ରଚାର ବନ୍ଦ ଥିବାବେଳେ ସେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି କିପରି ?

ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ବିଶେଷ ଖବର

ନିର୍ବାଚନ ପ୍ରଚାର, ସ୍ଲୋଗାନ ଯୁଦ୍ଧ ଓ ଓଡିଶାର ଆଗାମୀ ରାଜନୈତିକ ଚିତ୍ର- କେତୋଟି ଛୋଟ ଛୋଟ କାହାଣୀ

କେଦାର ମିଶ୍ର

ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ  ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ  ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।

କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର

ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।

କାହାଣୀ-୨; ଆପନ ମାନେ ଖୁସି ତ !

ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।

କାହାଣୀ-୩; ବେଇମାନ ଓ ସ୍ବାଭିମାନ

ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।

କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର   

ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।

ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।

(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)