Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଆସନ୍ତା ୬ରେ ନିଯୁକ୍ତି ମେଳା, ଜାଣନ୍ତୁ କେଉଁଠି ଏବଂ କେଉଁମାନେ ନେଇପାରିବେ ଭାଗ

ଖୋର୍ଦ୍ଧା: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଆସନ୍ତା ୬ ତାରିଖରେ ଦିବା ୧୦ ଘଟିକା ସମୟରେ ଖୋର୍ଦ୍ଧା ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରର ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିଯୁକ୍ତି ମେଳାରେ ୧୨ ଟି ପ୍ରତିଷ୍ଠିତ ବେସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଯୋଗଦାନ କରିବେ। ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ନିଯୁକ୍ତିର ସୁଯୋଗ ନେଇପାରିବେ।

ଏତଦବ୍ୟତୀତ ଏହି ନିଯୁକ୍ତି ମେଳାରେ ମଧ୍ୟ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ୬ ଗୋଟି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଦକ୍ଷତା ବିକାଶ ତାଲିମ ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଦକ୍ଷତା ବିକାଶ ତାଲିମ ପ୍ରାପ୍ତ ହୋଇପାରିବେ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ନିଯୁକ୍ତି ଆଶାୟୀ ମାନଙ୍କୁ ଏହି ନିଯୁକ୍ତି ମେଳାରେ ଖୋର୍ଦ୍ଧା, ଚିଲିକା, ଟାଙ୍ଗୀ, ବାଣପୁର, ବୋଲଗଡ ଓ ବେଗୁନିଆ ପଞ୍ଚାୟତ ସମିତି ଅନ୍ତର୍ଗତ ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ/ଆଇଟିଆଇ/ଡିପ୍ଲୋମା/ଏଏନଏମ/ ଜିଏନଏମ ଇତ୍ୟାଦି ପାସ କରିଥିବା ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ ପ୍ରାର୍ଥୀନୀ ବହୁ ସଂଖ୍ୟାରେ ଯୋଗଦାନ କରି ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।

ଏହି ନିଯୁକ୍ତି ମେଳାରେ ଭାଗ ନେବା ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ସେମାନଙ୍କର ନିଜ ନିଜର ଶିକ୍ଷାଗତ ଯୋଗ୍ୟତା/ ବାସିନ୍ଦା/ଜାତିଗତ/ ଡ୍ରାଇଭିଂ ଏବଂ ଆଧାର ପ୍ରମାଣ ପତ୍ର ସହିତ ନିଜ ପାସପୋର୍ଟ ସାଇଜ ଫଟୋ (୬ ଟି) ସାଥିରେ ଆଣିବାକୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶିବିରରେ ସମୁଦାୟ ୫୪ ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୬ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଉକ୍ତ ଶୁଣାଣିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ କୁମାର ରାଉତରାୟ, ତହସିଲଦାର ଇପ୍ସିତ ସାହୁ, ବିଡ଼ିଓ ଖିରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଜାନୁୟାରୀରେ ଭୁବନେଶ୍ୱରରୁ ବାରାଣାସୀ ଆଲ୍ଲାହାବାଦ ଯିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରେ ୨୦୧୯-୨୦ ମସିହାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଥିବା ୯୭୦ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଆଗାମୀ ୨୦୨୩ ନୂଆବର୍ଷ ଜାନୁଆରୀ ୨୭ରେ ଶୁଭାରମ୍ଭ ହେବ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କର୍ଟ ଅଫିସର( ସୁରକ୍ଷା ଅଧିକାରୀ)ଙ୍କ ସହିତ ମୋଟ ୧୦୦୦ ଯାତ୍ରୀଙ୍କୁ ନେଇ ବାରାଣାସୀ ଓ ଆଲ୍ଲାବାଦଦର୍ଶନ ପାଇଁ  ଯାତ୍ରା କରିବ ଏହି  ସ୍ୱତନ୍ତ୍ର ଟ୍ରେନ୍। ପୂର୍ବରୁ ମନୋନୀତ ହୋଇଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ସ୍ଥିର କରାଯାଇଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଲା। ଏବେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଏହି ତୀର୍ଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଅପରାହ୍ନରେ ଏକ ବୈଠକ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବିଡିଓ ଶ୍ରୀ ସମ୍ପଦ କୁମାର ଦଳାଇ, ଖୋର୍ଦ୍ଧା ଏବଂ  ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟଟନ ଅଧିକାରୀଦ୍ୱୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର, ଜିଲ୍ଲା ସଂସ୍କୃତି ଅଧିକାରୀ, ଖୋର୍ଦ୍ଧା, ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଏବଂ ବିଏମସିର ଡେପୁଟୀ କମିଶନର ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ତୀର୍ଥଯାତ୍ରା ପାଇଁ ମନୋନୀତବରିଷ୍ଠ ନାଗରିକମାନେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲାରୁ ଭୁବନେଶ୍ୱର ଆସିବେ ଓ ସେଠାରୁ ଟ୍ରେନ୍ ଯୋଗେ ଯାତ୍ରା କରିବେ । ଏଥିପାଇଁ ବସ୍ ବ୍ୟବସ୍ଥା, ଭୁବନେଶ୍ୱରରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା, ସେମାନଙ୍କ ପାଇଁ  ଖାଦ୍ୟ ପେୟ ବ୍ୟବସ୍ଥା, ପହଂଚିବା ପରେ ପଂଜୀକରଣ, ସୂଚନା ପ୍ରଦାନ ପାଇଁ ଡାକବାଜି ଯନ୍ତ୍ର ବ୍ୟବସ୍ଥା,ଆଇନ୍ ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ ବ୍ୟବସ୍ଥା,ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଯାତ୍ରା ସମୟରୁ  ଆରମ୍ଭ କରି ଯାତ୍ରାରୁ ଫେରି ଘରେ ପହଁଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଅଧିକାରୀମାନଙ୍କ ସହିତ ବିଶଦ୍ ଭାବେ ଆଲୋଚନା କରିଥିଲେ ।

ସେହିପରି ୨୦୨୨-୨୩  ବର୍ଷ ପାଇଁ ମନୋନୀତ  ହୋଇଥିବା ୯୭୦ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ମାର୍ଚ୍ଚ ୪ତାରିଖରୁ ଯାତ୍ରା ଆରମ୍ଭ ହେବା ପାଇଁ ଆପାତତଃ ସ୍ଥିର ହୋଇଥିବା ଜଣାଯାଇଛି । ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବାରୁ ସେମାନଙ୍କରଅସ୍ଥାୟୀ ରହଣୀ ଓ ଯାତାୟତରେ ଯେପରି କୌଣସି ପ୍ରକାର ତ୍ରୁଟି ନହୁଏ, ସେଥିପ୍ରତି ଯତ୍ନବାନ ରହିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସମସ୍ୟା ଏବଂ ଏହାର ସମାଧାନ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏଡିଏମଓ ଡଃ ରଘୁନାଥ ନାୟକ, ଡିଏସପିଓ ପି ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ କେଶରୀ ସାମନ୍ତରାୟ, ନେହୁରୁ ଯୁବକେନ୍ଦ୍ରର ବିଶ୍ଵଜୀତ ରାଉତରାୟ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ରୋ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ଜିଲ୍ଲାରେ ବନ୍ଦ କରିବା ସହିତ ଶିଶୁ ଶ୍ରମିକ, ଶିଶୁ ଭିକ୍ଷା ବୃତ୍ତିକୁ କିପରି ରୋକାଯାଇପାରିବ ତାହା ଆଲୋଚନା ହୋଇ ଆଗାମୀ କାର୍ଯ୍ୟପନ୍ଥାମାନ ଗ୍ରହଣ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏହି ଅବସରରେ ଗତ ଡିସେମ୍ବର ୪ ତାରିଖରେ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀତାମାନଙ୍କୁ ଜିଲ୍ଲାପାଳ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲପିଓ ସୌମେନ୍ଦ୍ର ନାୟକ, ରଞ୍ଜନ କୁମାର ଗୋଛାୟତ, ଅନୁପ କୁମାର ବେହେରା, ରୀତାଞ୍ଜଳି ମହାନ୍ତି, ମାନସ୍ଵିନୀ ମହାପାତ୍ର, ଅର୍ଚ୍ଚନା ରୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସଦର ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ବେପାରି ଗିରଫ

ଖୋର୍ଦ୍ଧା: ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି। ସୂଚନା ମୁତାବକ ସଦର ଥାନା କୁରାଢ଼ମଲ ଅଞ୍ଚଳ ବାଉତି ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏସଆଇ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତ ପ୍ରଦୀପ୍ତ ବଳିୟାରସିଂହ (୩୪) ଓରଫ ଫକୀର ଗିରଫ ହୋଇଥିବା ବେଳେ ସହଯୋଗୀ ବକୁନା ଫେରାର ହୋଇଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୧.୫୭ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା), ଦୁଇ ଗୋଟି ବାଇକ, ଗୋଟିଏ ମୋବାଇଲ ଏବଂ ନକଦ ୬ ହଜାର ୫୦ ଟଙ୍କା ଜବତ କରିଥିବା ବେଳେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯୧/୨୨ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ନୂତନ ଡ଼ିଆଇପିଆରଓଙ୍କ କାର୍ଯ୍ୟରେ ଯୋଗଦାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ (ଡ଼ିଆଇପିଆରଓ) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ। ବିଦାୟୀ ଡ଼ିଆଇପିଆରଓ ଜିତେନ୍ଦ୍ରିୟ ଜେନାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ସାମ୍ବାଦିକ ମାନେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଶ୍ରମତି ଆଚାର୍ଯ୍ୟ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡ଼ିଆଇପିଆରଓ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ରାଜଧାନୀ ଉକ୍ତ ଜିଲ୍ଲା ଅଧୀନରେ ଆସୁଥିବା ବେଳେ ଖୋର୍ଦ୍ଧା ଏକ ଐତିହ୍ୟ ଜିଲ୍ଲା ଭାବେ ରାଜ୍ୟରେ ପରିଗଣିତ। ତେଣୁ ଏପରି ଏକ ଜିଲ୍ଲାରେ କାର୍ଯ୍ୟକରିବା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରୀମତୀ ଆଚାର୍ଯ୍ୟ।

ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ସମସ୍ୟା ଯାହାକି ଗଣମାଧ୍ୟମରେ ପ୍ରକାଶିତ ହେଉଛି ତାହାକୁ କିପରି ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ତ୍ୱରିତ ସମାଧାନ କରାଯାଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ଖୋର୍ଦ୍ଧାର ପୂର୍ବତନ ଡ଼ିଆଇପିଆରଓ ଜିତେନ୍ଦ୍ରିୟ ଜେନାଙ୍କ ମୁଖ୍ୟ ଶାସନ ସଚିବଙ୍କ ପିଆରଓ ଭାବେ ବଦଳି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ: ତିନି ଗିରଫ

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ସୂଚନା ମୁତାବକ ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ବଜ୍ରକାପ୍ତା ଚୋରା ଚାଲାଣ ଖବର ପାଇ ଖୋର୍ଦ୍ଧା ବନବିଭାଗର ସହଯୋଗରେ ଏସଟିଏଫ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ ଜୀବନ ବଜ୍ରକାପ୍ତା ସହ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷଏସଟିଏଫ ଜବତ କରିଥିଲା।

ଏହି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳର ସାଧୁଚରଣ ମହାନ୍ତି, ବିଜୟ କୁମାର ପରିଡ଼ା ଏବଂ ରାୟଗଡା ଜିଲ୍ଲା ବି ନାରାୟଣପୁର ଥାନା ଅଞ୍ଚଳର କସ୍ତି କଡ଼ରକା।

ଜବତ ବଜ୍ରକାପ୍ତାକୁ ଖୋର୍ଦ୍ଧା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନମ୍ବର ୨୮/୨୨ ରେ ଏକ ମାମଲା ରୁଜୁ କରାଯାଇ ଖୋର୍ଦ୍ଧା ଏସଡ଼ିଜେଏମ କୋର୍ଟ ଚାଲାଣ କରାଯାଇଥିବାର ଏସଟିଏଫ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ବ ଏଡସ ଦିବସ ପାଳିତ

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ବ ଏଡସ ଦିବସ ପାଳିତ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଏବଂ ନିୟନ୍ତ୍ରଣ ୟୁନିଟି ମିଳିତ ଆନୁକୂଲ୍ୟ ଏବଂ ତାଲୁକ ଆଇନ ସେବା ସମିତି ସୌଜନ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଉକ୍ତ ଦିବସ ପାଳିତ ହୋଇଛି।

ଜିଲ୍ଲା ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର ପାଢୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡଃ ଆର୍ତ୍ତବନ୍ଧୁ ନାୟକ ସଭାପତିତ୍ବ କରିଥିଲେ। ଚଳିତବର୍ଷର ବିଷୟବସ୍ତୁ “ସମାନତା” ଉପରେ ଆଲୋଚନା କରାଯାଇଥିଲା। ଏଡସ ନିରାକରଣ ଏବଂ ସଚେତନତା ସୃଷ୍ଟିରେ ମହିଳା ମାନଙ୍କ ବଳିଷ୍ଠ ଭୂମିକା ରହିଛି। ଅଜ୍ଞାନତା ଜୀବନକୁ ବେଳେ ବେଳେ ଅନ୍ଧକାର ମଧ୍ୟକୁ ଠେଲି ଦେଇଥାଏ। ମାତ୍ର ସଚେତନତା ଓ ସଂଯମତା ମଣିଷକୁ ଅନେକ ବିପତ୍ତିରୁ ରକ୍ଷା କରିଥାଏ। ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସମସ୍ତ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଥିବା ମୁଖ୍ୟଅତିଥି କହିଛନ୍ତି। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ସମସ୍ତଙ୍କୁ ନୈତିକତାର ଶପଥ ପାଠ କରାଇଛନ୍ତି। ଜୀବନକୁ ଗଢି ତୋଳିବାରେ ଅଭିଭାବକ ମାନଙ୍କ ପ୍ରମୁଖ ଭୂମିକା ରହିଥିବା ସେ କହିଥିଲେ।

ସେହିଭଳି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ତଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ତାପସ କୁମାର ନାୟକ, ଖୋରଧା ବାର ଆସୋସିଏସନ୍ ସଭାପତି ଶ୍ରୀ ବିଜୟ କୁମାର ସାମନ୍ତସିଂହାର, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡଃ ସୁବ୍ରତ କୁମାର ତ୍ରିପାଠୀ, ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ସୁବ୍ରତ କୁମାର ଜଗଦ୍ଦେବ ପ୍ରମୁଖ ଏଡସ୍ ନିରାକରଣ ଓ ସଚେତନତା ଉପରେ ମତବ୍ୟକ୍ତ କରିଥିଲେ।

ଜିଲ୍ଲାରେ ୨୦୦୨ ମସିହା ଠାରୁ ଅକ୍ଟୋବର ୨୦୨୨ ମସିହା ପର୍ଯ୍ୟନ୍ତ ୧୨ ଲକ୍ଷ ୭୪ ହଜାର ୫୫୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୯୫ ଜଣଙ୍କୁ ଏଚଆଇଭି ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜିଲ୍ଲାର ୨୧୩୧ ଜଣ ଥିବା ବେଳେ ଜିଲ୍ଲା ବାହାରର ୧୫୬୪ ଜଣ ରହିଥିବା ଜଣାପଡିଛି। ଏଥିମଧ୍ୟରୁ ଜିଲ୍ଲାର ୧୭୮୭ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି।

ଉକ୍ତ ସମୟ ସୀମା ମଧ୍ୟରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୧ ଜଣ ଖୋରଧାର ହୋଇଥିବା ବେଳେ ୧୦୧ ଜଣ ଜିଲ୍ଲା ବାହାର ବାସିନ୍ଦା ଥିବା ତଥ୍ୟ ରହିଛି।

ଏହି ଉପଲକ୍ଷେ ପିଲା ମାନଙ୍କ ମଧ୍ୟରେ ଏଡସ୍ ସଂକ୍ରାନ୍ତୀୟ କୁଇଜ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବା ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଡସ୍ ସଚେତନତା ଓ ନିରାକରଣ ଉପରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ବିଧାନ ନାୟକ, ଡିଆଇଏସ କିଶୋର କୁମାର କାନୁନଗୋ, ସଂଯୋଜକ ଉମାକାନ୍ତ ପଣ୍ତା, ଜୟନ୍ତୀବାଳା ସାମନ୍ତରାୟ, ଅଶୋକ କୁମାର ଦାଶ, ବିମଳଚନ୍ଦ୍ର ମାନସିଂ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କାର୍ଯ୍ୟସୂଚୀ ପ୍ରଶିକ୍ଷଣ ଉଦଯାପିତ

ଖୋର୍ଦ୍ଧା: ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ର ସଫଳ ରୂପାୟନ ନିମିତ୍ତ ଜିଲ୍ଲାର କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଦୁଇ ଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଛି। ଆଜି ସକାଳ ସମୟରେ ଅଧିକାରୀ ମାନେ ଦୁଇଟି ଟିମରେ ଭାଗ ହୋଇ ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡା ଏବଂ ବେଗୁନିଆର ବୋତଳମା ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଅଧିକାରୀ ମାନେ ସଂପୃକ୍ତ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଉପଲବ୍ଧ ସମ୍ବଳର ବିନିଯୋଗ ଓ ଆବଶ୍ୟକତା ଉପରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ଥାନୀୟ ବ୍ୟକ୍ତି ବିଶେଷ ମାନଙ୍କ ସହ ଆଲୋଚନା କରିଥିଲେ। ସଂପୃକ୍ତ ଅଞ୍ଚଳରେ ପରିମଳ, ପାନୀୟ ଜଳ, ପରିବେଶ, ଗମନାଗମନ ବ୍ୟବସ୍ଥା, ଫସଲ ଅମଳ, ରୋଷେଇ ନିମନ୍ତେ ଜ‌ାଳେଣି ଉତ୍ସ, ଶୈକ୍ଷିକ ପରିବେଶ ସଂପର୍କରେ ପଚାରି ବୁଝିଥିଲେ। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧିକାରୀ ମାନେ କ୍ଷେତ୍ରରୁ ଲବ୍ଧ ବିଭିନ୍ନ ତଥ୍ୟକୁ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧିକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ମିଳିତ ଜାତିସଂଘ ୧୭ଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଭାବେ ଚିହ୍ନଟ କରାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ୨୦୧୬ ରୁ ୨୦୩୦ ମସିହା ପର୍ଯ୍ୟନ୍ତ ନିଜସ୍ବ ସମ୍ବଳକୁ ଉପଯୋଗ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନେଇ ଭାରତ ସମେତ ୧୯୩ଟି ରାଷ୍ଟ୍ର ୨୦୧୫ ମସିହାରେ ନୀତିଗତ ଭାବେ ନିଷ୍ପତ୍ତି ନେଇଥିଲେ। ଏହି ଲକ୍ଷ୍ୟ ମଧ୍ୟରେ ସମ୍ପୁର୍ଣ୍ଣ ଭାବେ କ୍ଷୁଧାମୁକ୍ତ ରାଜ୍ୟ ସୁନିଶ୍ଚିତ କରିବା, ଦାରିଦ୍ର୍ୟ ଦୂରୀକରଣ,ଗୁଣାତ୍ମକ ଶିକ୍ଷାଦାନ,ମହିଳା ସଶକ୍ତିକରଣ, ଶିଶୁ ମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ ଓ ପାନୀୟ ଜଳ ଯୋଗାଣ ତ୍ବରାନ୍ବିତ କରିବା, ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ ଖୋରଧା ସମେତ ୧୪ଟି ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ଶେଷ ହୋଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପରାମର୍ଶ, ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶଙ୍କର ବେହେରାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ବିଷୟ ବିଶାରଦ ଭାବେ ବିଜ୍ଞାନ ମହାନ୍ତି, ଉପାସନା ମହାପାତ୍ର, ରୂପାଲି ମହାନ୍ତି, ଭିକ୍ଟୋରିଆ, ଜନ୍ମେଜୟ ମିଶ୍ର ପ୍ରମୁଖ ବିଶେଶଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ହିଂମାଶୁ ମୋହନ ଲେଙ୍କା, ମୋନାଲି ରାଜ ସିଂ, ସୁମତି ସାହୁ, ମୃଣାଳୀ ପଟ୍ଟନାୟକ, ଅଶୋକ କୁମାର ଦାଶ, ପରିସଂଖ୍ୟାନ ବିଭାଗର ସୁବାଶ ଚନ୍ଦ୍ର ପୃଷ୍ଟି, ଟାଙ୍ଗିଆପଡା ସରପଞ୍ଚ ସ୍ବର୍ଣ୍ଣପ୍ରଭା ସେଠୀ, ବୋତଳମା ସରପଞ୍ଚ ପ୍ରମୋଦ କୁମାର ଦଳେଇ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କାର୍ଯ୍ୟସୂଚୀର ରୂପାୟନ ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା: ସମ୍ପ୍ରତି ଯୋଗାଯୋଗ, ବୈଷୟିକ ଜ୍ଞାନ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ପ୍ରଭାବ ବିସ୍ତାର କରିଛି। ତେଣୁ ସମସ୍ତ ଆହ୍ବାନକୁ ସମ୍ମୁଖୀନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ଯୋଜନା ଓ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ କରିବାକୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ମତବ୍ୟକ୍ତ କରିଛନ୍ତି।

ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ର ସଫଳ ରୂପାୟନ ନିମିତ୍ତ ଜିଲ୍ଲାର କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଏହାକୁ ଉଦଘାଟନ କରି ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଅରୁମୁଗମ ଜନସାଧାରଣଙ୍କ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପରିବେଶ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ୧୭ଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଭାବେ ଚିହ୍ନଟ କରାଯାଇଛି। ଏହାକୁ କ୍ଷେତ୍ର ସ୍ତରରେ ଲୋକ ମାନଙ୍କ ବାସ୍ତବ ଆବଶ୍ୟକତାକୁ ଦୃଷ୍ଟି ଦେଇ ଓ ନିଷ୍ଠାର ସହ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସ୍ଥାନୀୟ ଅଞ୍ଚଳର ବିବିଧ ସମସ୍ୟା ଓ ଆବଶ୍ୟକତାକୁ ଅନୁଧ୍ୟାନ କରି ଆଶୁ ସମାଧାନ ଦିଗରେ ପଦକ୍ଷେପ ନେବା ସହ ଯୋଜନାକୁ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ମିଳିତ ଜାତିସଂଘ ପକ୍ଷରୁ ୨୦୧୬ ରୁ ୨୦୩୦ ମସିହା ପର୍ଯ୍ୟନ୍ତ ନିଜସ୍ବ ସମ୍ବଳକୁ ଉପଯୋଗ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନେଇ ଭାରତ ସମେତ ୧୯୩ଟି ରାଷ୍ଟ୍ର ୨୦୧୫ ମସିହାରେ ନୀତିଗତ ଭାବେ ନିଷ୍ପତ୍ତି ନେଇଥିଲେ।

ଏହି ଲକ୍ଷ୍ୟ ମଧ୍ୟରେ ସମ୍ପୁର୍ଣ୍ଣ ଭାବେ କ୍ଷୁଧାମୁକ୍ତ ରାଜ୍ୟ ସୁନିଶ୍ଚିତ କରିବା, ଦାରିଦ୍ର୍ୟ ଦୂରୀକରଣ,ଗୁଣାତ୍ମକ ଶିକ୍ଷାଦାନ,ମହିଳା ସଶକ୍ତିକରଣ, ଶିଶୁ ମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ ଓ ପାନୀୟ ଜଳ ଯୋଗାଣ ତ୍ବରାନ୍ବିତ କରିବା, ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ୧୩ଟି ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ସରିଥିବା ବେଳେ ଆଜି ଖୋରଧା ଜିଲ୍ଲାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦୀର୍ଘସ୍ଥାୟୀ ବିକାଶ ପାଇଁ କ୍ଷେତ୍ର ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଜରୁରୀ ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା, ସ୍ଥାନୀୟ ସମ୍ବଳର ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ। ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶଙ୍କର ବେହେରା କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିରେ ବିଷୟ ବିଶାରଦ ଭାବେ ବିଜ୍ଞାନ ମହାନ୍ତି, ଉପାସନା ମହାପାତ୍ର, ରୂପାଲି ମହାନ୍ତି,ଭିକ୍ଟୋରିଆ, ଜନ୍ମେଜୟ ମିଶ୍ର ପ୍ରମୁଖ ବିଶେଶଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ହିଂମାଶୁ ମୋହନ ଲେଙ୍କା, ମୋନାଲି ରାଜ ସିଂ, ସୁମତି ସାହୁ, ମୃଣାଳୀ ପଟ୍ଟନାୟକ, ଅଶୋକ କୁମାର ଦାଶ, ପରିସଂଖ୍ୟାନ ବିଭାଗର ସୁବାଶ ଚନ୍ଦ୍ର ପୃଷ୍ଟି, ଟାଙ୍ଗିଆପଡା ସରପଞ୍ଚ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ସେଠୀ, ବୋତଳମା ସରପଞ୍ଚ ପ୍ରମୋଦ କୁମାର ଦଳେଇ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ଆସନ୍ତାକାଲି ଦ୍ବିତୀୟ ଦିବସ ସକାଳ ସମୟରେ ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡା ପଞ୍ଚାୟତ ଓ ବେଗୁନିଆ ବ୍ଲକର ବୋତଳମାକୁ ପ୍ରଶିକ୍ଷାର୍ଥୀ ମାନେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଜଣାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଏବଂ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଛଅ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୮ କେଜି ୭୪୬ ଗ୍ରାମ ବ୍ରାଉନ ସୁଗାର ଏବଂ ୨୧୭ କେଜି ୪୦୦ ଗ୍ରାମ ଗଞ୍ଜେଇ କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଇନସିନେରେଟର ଠାରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୨୧ କେଜି ୫୬୧ ଗ୍ରାମ ବ୍ରାଉନ ସୁଗାର ଏବଂ ୧୮ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ନଷ୍ଟ କରିଥିବା ବେଳେ ଓଡ଼ିଶା ପୋଲିସ ଆଜି ସୁଦ୍ଧା ୨୪ କେଜି ୫୬୮ ଗ୍ରାମ ବ୍ରାଉନ ସୁଗାର ଏବଂ ୩୩୩ କୁଇଣ୍ଟାଲ ୪୯ କେଜି ୯୨୮ ଗ୍ରାମ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି l

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ  ସାଫଲ୍ୟ ମଣ୍ତିତ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସ୍ତରରୁ ତମାଖୁ ଓ ନିଶା ଦ୍ରବ୍ୟ ସେବନ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଅନେକ ସମୟରେ ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ଓ ନୀତିଭ୍ରଷ୍ଟ ହେବା ସହ ପରିବାରରେ ବିଶୃଙ୍ଖଳା ହେଉଥିବା ଲକ୍ଷ କରାଯାଉଛି। ତମାଖୁ ବିକ୍ରି, ଶିକ୍ଷାନୁଷ୍ଠାନ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ତମାଖୁମୁକ୍ତ,କୋଟପା ଆଇନର କାର୍ଯ୍ୟକାରିତା, ବିଜ୍ଞାପନ ମାଧ୍ୟମରେ ସତର୍କ ସୂଚନା, ତମାଖୁ ସେବନରେ କ୍ୟାନସର,ହୃଦରୋଗ , ଯକୃତ ରୋଗ ହେଉଥିବା ଉପରେ ସେ ମତ ଦେଇଥିଲେ।

ଚଳିତ ବର୍ଷ ୧୦ଟି ସ୍ଥାନରେ ଚଢାଉ କରାଯାଇ ୧୬୧ ଜଣଙ୍କ ଠାରୁ ୨୧୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜିଲ୍ଲାର ୬୦ଟି ହାଇସ୍କୁଲ ଓ ୪ଟି ମହାବିଦ୍ୟାଳୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ.ମୁର୍ମୁ, ଡିପିଏଚଓ ଡଃ ପ୍ରଶାନ୍ତ ଦାଶ, ଏଡିଏମ୍ଓ ଡଃ ବିଶ୍ବମୋହନ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ଅମ୍ରିତା ପ୍ରୀତିନନ୍ଦା, ଅବକାରୀ ଉପ ଆରକ୍ଷୀ ଅଧୀକ୍ଷକ ସୁମିତ୍ରା ଓରାମ, ଜିଲ୍ଲା ଶିଳ୍ପ କେନ୍ଦ୍ରର  ସୁଶାନ୍ତ କୁମାର ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ପ୍ରଶାସକ ଦୀପ୍ତିରଞ୍ଜନ ସେଠି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ଦୀପ୍ତିରଞ୍ଜନ ସେଠି। ୨୦୦୬ ବ୍ୟାଚର ଉକ୍ତ ଓଏଏସ ଅଧିକାରୀ ଏହା ପୁର୍ବରୁ ବାଲେଶ୍ୱର ଜିଲ୍ଲା ନୀଳିଗିରି ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ସେଠି ନୀଳଗିରି ଉପଖଣ୍ଡରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ତତସହିତ କୋଭିଡ ପରବର୍ତ୍ତୀ ସମୟରେ କିପରି ଉପଖଣ୍ଡ ବାସୀଙ୍କ ଜୀବନ ଜୀବିକା ପୁନଶ୍ଚ ଟ୍ରାକକୁ ଫେରିବ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିଥିଲେ।

ଅନୁରୂପ ଭାବେ ନୀଳଗିରି ଉପଜିଲ୍ଲାପାଳ ଥିବା ସମୟରେ ଶ୍ରୀ ସେଠିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ କିଛି ବ୍ୟକ୍ତି ଆସିଥିବା ବେଳେ ଦୁଇ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜାଣି ସଂଗେସଂଗେ ସେମାନଙ୍କ ଚିକିତ୍ସା କରାଇ ଗଣମାଧ୍ୟମରେ ଶ୍ରୀ ସେଠି ଚର୍ଚ୍ଚାକୁ ଆସିଥିଲେ।

ତେବେ କିଛି ମାସ ହେବ ଖୋର୍ଦ୍ଧାର ପୂର୍ବତନ ଉପଜିଲ୍ଲାପାଳଙ୍କ ବଦଳି ପରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଖାଲି ପଡିଥିଲା। ନୀଳଗିରିରୁ ଖୋର୍ଦ୍ଧାକୁ ବଦଳି ହୋଇ ଶ୍ରୀ ସେଠି ଆଜି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କୁ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ତେବେ ଖୋର୍ଦ୍ଧା ଉପଖଣ୍ଡରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ସରକାରଙ୍କ ଜନହିତାକାରୀ ଯୋଜନା ଗୁଡିକର ସଫଳ ରୂପାୟନ, ନିଶା ବେପାରକୁ ରୋକିବା ଏବଂ ଜନ ଅଭିଯୋଗକୁ ଗୁରୁତ୍ୱ ଦେବା ଆଦି ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ନିଶା ବେପାରୀଙ୍କ ଗାଡ଼ିରୁ ୨୨ ଲକ୍ଷ ଟଙ୍କା ଜବତ କଲା ଟାଉନ ଥାନା ପୋଲିସ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ ସୁଗାର ବେପାରିର ଗାଡ଼ି ଯାଞ୍ଚ କରି ଜବତ କରିଛି ଲକ୍ଷାଧିକ ଟଙ୍କା।

ସୂଚନା ମୁତାବକ ଆଜି ଶିଆଳିଆ ଗ୍ରାମ ରାସ୍ତାରେ ଶରତ ବେହେରା ନାମକ ଜଣେ ନିଶା ବେପାରି ବ୍ରାଉନସୁଗାର କିଣିବା ପାଇଁ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଖବର ପାଇ ଶରତଙ୍କ ଗାଡିକୁ ଅନୁସରଣ କରିଥିଲା। ଦୂରରୁ ପୋଲିସ ଗାଡ଼ି ଦେଖି ବ୍ରାଉନସୁଗାର ମାଫିଆ ଶରତ ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ।

ତେବେ ଯାଞ୍ଚ୍ ସମୟରେ ଗାଡି ଭିତରୁ ନକଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଆଜି ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ମାସ ୨୧ ତାରିଖରେ ଟାଉନ ଥାନା ପୋଲିସ ନିଶା କାରବାରରେ ଜଡ଼ିତ ଥିବା କନୀ ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତି ନାୟକ, କୁଳମଣି ବେହେରା ଓ ନୀଳମଣି ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଏବଂ ୫୧୧.୬୭୦ ଗ୍ରାମର ସୁନା ଅଳଙ୍କାର ଏବଂ ୮୩୦ ଗ୍ରାମର ରୁପା ଅଳଙ୍କାର ଜବତ କରିବା ସହ କେସ ନମ୍ବର ୫୨୧/୨୨ ରେ ମାମଲା ରୁଜୁ କରି କନିଙ୍କ ପୁଅ ଶରତ ବେହେରାଙ୍କୁ ଖୋଜୁଥିଲା।

ଆଜି ସକାଳୁ ଶରତ ଓଡ଼ି ୦୨-ସିବି ୪୨୪୨ ନମ୍ବର ଗାଡ଼ିରେ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା। ପୋଲିସ ଗାଡ଼ି ଓ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଲ୍ଲାସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି: ଡିସେମ୍ବର ୩୦ରୁ ଖୋର୍ଦ୍ଧାରେ ଆରମ୍ଭ ହେବ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ ଚାଉଳ ଅଥବା ଏକ ଲକ୍ଷ ୧୫ ହଜାର ୫୭୩ ମେଟିକ୍ ଟନ ଧାନ ସଂଗ୍ରହ କରାଯିବା ଲକ୍ଷଧାର୍ଯ୍ୟ କରାଯାଇଛି। ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ ପାଇଁ ୨୦୬୦ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରୁ ୧୭ ଜଣ ମିଲର ଏଥିରେ ଭାଗ ନେବେ।

ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି। ପ୍ରତ୍ୟେକ ଧାନ ମଣ୍ତିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ପରାମର୍ଶ ଦେଇଛନ୍ତି। ସମସ୍ତ ମଣ୍ତିରେ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରିବାକୁ ସେ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କେ ମୁର୍ମୁ, ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା, ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ସାହୁ, ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ବାଳ, ସମବାୟ ସମିତି ସମୂହ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ବ୍ଲକର ୩୦ ଜଣ ଓ ବାଲିଅନ୍ତା ବ୍ଲକର ୧୦ ଜଣ ମୋଟ ୪୦ ଜଣ ଆପଦ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏଥିରେ ଅଗ୍ନିଶମ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ଏବଂ ସିଭିଲ ଡିଫେନ୍ସର କର୍ମକର୍ତ୍ତା ମାନେ ତାଲିମ ପ୍ରଦାନ କରିବେ।

ଜିଲ୍ଲା ଦୁର୍ବିପାକ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଆପଦକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ କୂଳଦୀପ ପାଲଟାସିଂ ପ୍ରମୁଖ ସହଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମାଟି ତଳୁ ଅଜଣା ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଡ଼ୁମ୍ ଗ୍ରାମ ନିକଟ ବେଙ୍ଗିଟାଙ୍ଗୀର ଏକ ଆମ୍ବତୋଟାରୁ ଏକ ଅଜଣା ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ୍। ଶବଟି ଜଣେ ଯୁବକଙ୍କ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ କିଛି ସ୍ଥାନୀୟ ବ୍ୟକ୍ତି ବେଙ୍ଗିଟାଙ୍ଗୀର ଲେଙ୍କାତୋଟା ଜଙ୍ଗଲର ଏକ ସ୍ଥାନରେ ମାଟି ଘୋଡ଼ା ଯାଇଥବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଉକ୍ତ ସ୍ଥାନରୁ ମାଟି ଆଡେଇବାରୁ ତନ୍ମଧ୍ୟରୁ ମନୁଷ୍ୟର ଏକ ପାପୁଲି ବାହାରିଥିବା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ଏ ନେଇ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳ ସିଜ କରିଥିବା ବେଳେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ତହସିଲଦାର, ଏସପି ଏବଂ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବାରୁ ଉକ୍ତ ସ୍ଥାନରେ ଜଣେ ଅଜଣା ଯୁବକଙ୍କ ଗଳିତ ମୃତ ଦେହ ପୋତାଯାଇଥିବାର ଜାଣିବାକୁ ପାଇଥିଲେ।

ତେବେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ଉକ୍ତ ସ୍ଥାନରୁ ଶବକୁ ନଷ୍ଟ କରିବା ନିମନ୍ତେ ବ୍ୟବହୃତ ହେଉଥିବା ବହୁ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ଆସାମୀକୁ ଧରିବା ପାଇଁ ଜିଲ୍ଲା ପୋଲି ର ଦକ୍ଷ ଅଧିକାରୀଙ୍କୁ ନେଇ ଚାରି ଗୋଟି ଟିମ ଗଠନ କରାଯାଇଥିବାର ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା : ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଞ୍ଚଳର ଏକ ପଡିଆରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶ କ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୦ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲା। ଏଥିସହିତ ଦୁଇଟି ବାଇକ ଜବତ ହୋଇଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅଞ୍ଚଳର ସନ୍ତୋଷ ରାଉତରାୟ(୪୦), ଶେଖ ତାଲିମ(୩୪), ଶେଖ ନସୀମ(୩୦),ମାନସ ପ୍ରଧାନ(୨୬) ଏବଂ ଟାଙ୍ଗୀ ଥାନା ଅଞ୍ଚଳର ବଟକୃଷ୍ଣ ମହାରଣା(୩୨) । ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୫୮୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ। ସଂଘବଦ୍ଧ ଆକ୍ରମଣରେ ପୁଅ ରଶ୍ମିରଞ୍ଜନ ମଧ୍ୟ ଆହତ ହୋଇଛନ୍ତି।

ଆଜି ସକାଳ ସମୟରେ ରବିନ୍ଦ୍ର ସବୁ ଦିନ ପରି ଦାଣ୍ଡ ପିଣ୍ଡାରେ ବସି ଖବରକାଗଜ ପଢୁଥିଲେ। ଏହି ସମୟରେ ଗ୍ରାମର ୬ ରୁ ୭ଜଣ ଯୁବକ ପହଞ୍ଚି ଦାଣ୍ଡ ଦୁଆରେ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ରବିନ୍ଦ୍ର ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ।

ମାରଣାସ୍ତ୍ର ମାଡରେ ଛାତିରେ ଗଭୀର ଆଘାତ ଲାଗିବାରୁ ରବିନ୍ଦ୍ର ତଳେ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ସେପଟେ ଆକ୍ରମଣର ଶିକାର ହୋଇଥିବା ପରିବାର ବିରୁଦ୍ଧରେ ଆକ୍ରମଣ କାରୀ ଆଗୁଆ ସଦର ଥାନାରେ ଅଭିଯୋଗ କରିଥିବା କହିଛନ୍ତି ପରିବାର ସଦସ୍ୟ ଓ ସମ୍ପର୍କୀୟ।

ତେବେ ଏହାକୁ ଖଣ୍ଡନ କରିବା ସହ ରଶ୍ମିଙ୍କ ଅଭିଯୋଗ କ୍ରମେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି। ତେବେ ଏଯାବତ ଉକ୍ତ ହତ୍ୟା ଘଟଣାରେ କେହିବି ଗିରଫ ହୋଇନଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ହତ୍ୟା ଅଭିଯୁକ୍ତଙ୍କ ନିକଟରୁ ୨ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

ଖୋର୍ଦ୍ଧା: ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା-ଜଟଣୀ ବାଇପାସରେ ଏକ ବଡ଼ ଧରଣର ବ୍ରାଉନସୁଗାର ଡ଼ିଲ ହେବା ନେଇ ଏସଟିଏଫ ଜାଣିବାକୁ ପାଇଥିଲା। ଜିଲ୍ଲା ପୋଲିସର ସହଯୋଗରେ ଏସଟିଏଫ ଏକ ଟିମ ଗଠନ କରି ସେଠାରେ ପୁର୍ବରୁ ଛକି ରହିଥିଲା। କିଛି ସମୟ ପରେ ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ଡ଼ିଲ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିବା ବେଳେ ତାଙ୍କୁ ଏସଟିଏଫ ମାଡି ବସିଥିଲା।

ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ରାକେଶ ସାମନ୍ତରାୟ ଓରଫ ରାକା। ତଲାସି ସମୟରେ ଏସଟିଏଫ ରାକାଙ୍କ ନିକଟରୁ ୨ କେଜି ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୨ କୋଟି ୨ ଲକ୍ଷ), ଗୋଟେ ଛୁରୀ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ତେବେ ଅଭିଯୁକ୍ତ ରାକା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିବା ଜଣାପଡିଛି। ସେ ଖଣ୍ଡଗିରି ଥାନାର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ବିଗତ ୪ ବର୍ଷ ହେଲା ଭୁବନେଶ୍ୱର ଜେଲରେ ଥିବା ବେଳେ ନିକଟରେ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିଲେ।

ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ମୁତାବକ କେସ ନମ୍ବର ୨୬/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଉନ ଥାନା ଅନ୍ତର୍ଗତ ସହଯୋଗ ଘରୋଇ ହସ୍ପିଟାଲ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇ ଅବକାରୀ ବିଭାଗ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଟାଉନ ଥାନା ମଙ୍ଗଳା ନଗର ଅଞ୍ଚଳର ଅଭିଯୁକ୍ତ ବ୍ରଜକିଶୋର ପଟ୍ଟନାୟକ (୫୦) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୧୦ ହଜାର ଟଙ୍କା) ଏବଂ ଏକ ବାଇକ ଜବତ ହୋଇଛି।

ଏ ସଂକ୍ରାନ୍ତରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଅବକାରୀ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଅବକାରୀ ଏସଆଇ ବି.ମନୋଜ କୁମାର ଆଦି ସାମିଲ ଥିଲେ।