Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଚାରି ମହିଳାଙ୍କ ସମେତ ଛଅ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଚାରି ଜଣ ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବାର ଜଟଣୀ ଅବକାରୀ ବିଭାଗ ଖବର ପାଇଥିଲା। ବିଳମ୍ବ ନକରି ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ବେଳେ ୭୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଛଅ ଅଭିଯୁକ୍ତ ଗିରଫ ହୋଇଛନ୍ତି, ତନ୍ମଧ୍ୟରୁ ଚାରି ଜଣ ମହିଳା ଅଭିଯୁକ୍ତ ଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନେ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲାର ହୋଇଥିବା ଜଣାପଡିଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଏବଂ ଆରପିଏଫ କର୍ମଚାରୀ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଆଜି ମଧ୍ୟାହ୍ନରେ ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ମେଡିକାଲରେ ଉପଲବ୍ଧ ସେବାଗୁଡ଼ିକ ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଡ଼ା ନାୟକ। ମେଡିକାଲର ଏକାଧିକ ୱାର୍ଡ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ସିଡ଼ିଏମଓ।

ତେବେ ବାଲୁଗାଁ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ରୋଗୀଙ୍କୁ ମିଳୁଥିବା ସେବାଗୁଡ଼ିକରେ ଯେପରି ଅବନତି ନଘଟେ ସେ ନେଇ ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ ଡ଼ା ନାୟକ। ସିଡ଼ିଏମଓଙ୍କ ଉକ୍ତ ଗସ୍ତ ସମୟରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ା ରଶ୍ମିରେଖା ଜେନା, ବିପିଏମ ଆରତୀ ଦାସ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଭୁବନେଶ୍ବର ଆସୁଥିଲା ଗଞ୍ଜେଇ, ଖୋର୍ଦ୍ଧାରେ ମାଡି ବସିଲା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ କାର ଯୋଗେ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଖୋର୍ଦ୍ଧା ଦେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ପରିଶେଷରେ ଉକ୍ତ କାରକୁ ଠାବ କରିବାରେ ସଫଳ ହୋଇଥିଲା ପୋଲିସ । କାରର ତଲାସି ନେବାରୁ ସେଥିରୁ ୨୮.୨୦୦ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୮୦ ହଜାର ଟଙ୍କା ହେବ । ଏହି ବାବଦରେ ଦୁଇ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳର ସମିଳନ ପ୍ରଧାନ (୨୮) ଏବଂ ଗୌତମ ପ୍ରଧାନ (୨୯) । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୮ ଟା ରେ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷ ଭଳି ଏ ବର୍ଷ ଖୋର୍ଦ୍ଧା ଜିଲ୍ଲାର ଦୁଇ ପ୍ରସିଦ୍ଧ ସ୍ଥାନରେ ଯଥାକ୍ରମେ ଜଗନ୍ନାଥ ଲୀଳାକ୍ଷେତ୍ର, ଗଡ଼ ଖୋର୍ଦ୍ଧା ଏବଂ ଅନନ୍ତ ପୁରୁଷୋତ୍ତମଃଦେବ, ଜାଗୁଳେଇ ଠାରେ ରଥଯାତ୍ରା ସୁଚାରୁରୂପେ କରାଯିବା ପାଇଁ ବୈଠକରେ ସବୁ ବିଭାଗୀୟ ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରାଯାଇଥିଲା।

ଵି. ଡ଼ି. ଓ, ଖୋର୍ଦ୍ଧା ଙ୍କୁ ସରପଞ୍ଚ ମାନଙ୍କୁ କହି ବ୍ୟବସ୍ଥା କରିବା, ବିଦ୍ୟୁତ ବିଭାଗ ର ଟି. ପି. ସି. ଓ. ଡ଼ି. ଏଲ ଙ୍କୁ ବିଦ୍ୟୁତ ତାର ସଠିକ ଭାବେ ଅନୁଧ୍ୟାନ କରି ସଜାଡ଼ିବା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସଫେଇ କର୍ମଚାରୀ ଯୋଗାଇ ଦେବା, ଆର. ଡବ୍ଲୁ. ଏସ. ଏସ. ଙ୍କୁ ପାଣି ସିଣ୍ଟାକ୍ସ ଯୋଗାଇଦେବା, ସି. ଡ଼ି. ଏମ. ଓ. ଙ୍କୁ ଆମ୍ବୁଲାନ୍ସ ଏବଂ ବ୍ଲିଚିଙ୍ଗ ପାଉଡର ଯୋଗାଇଦେବା, ଏସ. ପି. ଙ୍କୁ ପୋଲିସ ଫୋର୍ସ ଯୋଗାଇଦେବା, ସଂସ୍କୃତି ଅଧିକାରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ତହସିଲଦାରଙ୍କୁ ଜବରଦଖଲରେ ବସିଥିବା କ୍ୟାବିନ ସବୁ ହଟାଇବାକୁ, ପି. ଏନ. କଲେଜ ଙ୍କୁ NCC ଛାତ୍ର ଯୋଗାଇଦେବା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଲୋକାଲ ଚାନେଲରେ ରଥଯାତ୍ରା ପ୍ରସାରଣ କରିବା ଆଦି ଆଲୋଚନା ହୋଇଥିଲା।

ଏହି ବୈଠକରେ ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, ଆର. ଡବ୍ଲୁ. ଏସ. ଏସ., ବିଷ୍ନୁପ୍ରିୟା ସାହୁ, ଫାୟାର ଅଫିସର, ବିବେକାନନ୍ଦ ଦାସ, ରଥଯାତ୍ରା କମିଟି ମେମ୍ବର, ଦିଲୀପ କୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସରପଞ୍ଚ ଓ ଅନ୍ୟନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଛଣିଆ ଛକରୁ ୫ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ଆଜି ବେଗୁନିଆ ଥାନା ଛଣିଆ ଛକରୁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଉକ୍ତ ଛକରୁ ଅଭିଯୁକ୍ତ ସପନ ଗୁମାନସିଂହ (୩୫) ଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଓ ଏକ ସ୍କୁଟି ଜବତ କରିଛି।

ଜବତ ବ୍ରାଉନ ସୁଗାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ମୁତାବକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି.ମନୋଜ କୁମାର ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରାକୃତିକ ବିପର୍ଯ୍ୟୟ ବୈଠକ

ଖୋର୍ଦ୍ଧା: ଆଜି ଓସ୍ୱାନ ଭିଡ଼ିଓ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯୟ ବୈଠକ ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଏବଂ ବିଭିନ୍ନ ବ୍ଲକ, ତହସିଲ ସ୍ତରୀୟ ଅଧିକାରୀମାନଙ୍କ ସହ ଭିଡ଼ିଓ ମାଧ୍ୟମରେ ଆଲୋଚନା କରାଯାଇଥିଲା।

R&B ବିଭାଗଙ୍କୁ ବିଭିନ୍ନ ବ୍ଲକରେ ହେଲିପାଡ଼ର ପ୍ରସ୍ତୁତି, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଡ୍ରେନେଜ ବିଷୟରେ ପଚାରି ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ରେନଗଜ ରିପୋର୍ଟିଂ ସଠିକ ସମୟରେ ରିପୋର୍ଟ ଦେବାକୁ ଉପ-ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ବିଡିଓମାନଙ୍କୁ ପଞ୍ଜିକୃତ ବୋଟ ଗୁଡିକୁ ଯାଞ୍ଚ କରିବା ସହିତ ଅଣ ପଞ୍ଜିକୃତ ବୋଟ ଗୁଡିକୁ ରବ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଲାଇଫ ଜ୍ୟାକେଟ, ଲାଇଫ ବୟ, ନାଇଲନ ରୋପ ର ଆବଶ୍ୟକତା ବିଷୟରେ ତୁରନ୍ତ ରିପୋର୍ଟ ଦେବାକୁ ଵି. ଡ଼ି. ଓ. ମାନଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ କଂଟ୍ରୋଲ ରୁମ ଡ଼ିଉଟି ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରଖିବାକୁ ପରାମର୍ଶ ଦେଇଥିଲେ। ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ କହିଥିଲେ। CDMO ଙ୍କୁ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ, ଶିକ୍ଷାଧିକାରୀ ଙ୍କୁ ବିଦ୍ୟାଳୟ ମାନଙ୍କରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଯୋଗାଇଦେବାକୁ, DSWO, ଅଙ୍ଗନବାଡି କର୍ମୀ, DWO, DCPO,  DFO ଙ୍କୁ କଟର ଯୋଗାଇଦେବାକୁ, ଅଗ୍ନିଶମ ବାହିନୀଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଦିଗନ୍ତ ରାଉତରାୟ, ଅତିରିକ୍ତ ଅରାକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଉପ -ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ସିଡିଏମଓ ଡ଼ଃ ଆର୍ତ୍ତବନ୍ଧୁ ନାୟକ,
ଉପ-ଜିଲ୍ଲାପାଳ ମମତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାଜ୍ୟ ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଅତିରକ୍ତ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ନାଥ ମୁର୍ମୁ, ଅତିରିକ୍ତ ଡି ଏସ ପି ଏସ. କେ ରାୟ, ରେଜିଷ୍ଟ୍ରାର ମହିଳା ଆୟୋଗ, ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ଆୟୋଗ ତରଫରୁ ଘରୋଇ ହିିଂସା ଆଇନ, ଯୌତୁକ ନିରୋଧ ଆଇନ, ଡାହାଣୀ ସନ୍ଦେହରେ ଅତ୍ୟାଚାର ତଥା ପୋକ୍ସୋ ଆଇନ, କର୍ମ କ୍ଷେତ୍ରରେ ଯୌନ ଶୋଷଣ ଏବିଂ ସାଇବର କ୍ରାଇମ ଉପରେ ଆଦି ଆଲୋଚନା ହୋଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଶିବିର ସମ୍ପର୍କରେ ସିଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶିକ୍ଷା ରାଣୀ ପୋଦ୍ଦାର ଧନ୍ୟବାଦ ଅର୍ପଣ। ଦ୍ଵିତୀୟ ଅଧିବେଶନରେ ମାନବ ଚାଲାଣ ୟୁନିଟ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଗର ପରାମର୍ଶଦାତା ଡ। ଏନ ଟୁନା ସାହୁ ମୁଖ୍ୟ ତାଲିମ ଦାତା ଭାବେ ଯୋଗ ଦେଇଥିଲେ। ଶିବିରୟର ୧୧ ଜଣ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଶିବିରକୁ ଆକ୍ସନ ଏଡ ର ଜିଲ୍ଲା ପରାମର୍ଶ ଦାତ୍ରୀ ସ୍ଵାତୀ ତନ୍ମୟା ମିଶ୍ର ପରିଚାଳନା କରିଥିଲେ। ଅଭିଲିପ୍ସା, ସନ୍ତୋଷ, ରେଣୁ, ରିଙ୍କି, ଶୁଭସ୍ମୀତା, ସିଂଗୀତା ଏବିଂଲକି ପରିଚାଳନାରେସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପରିତାପର ବିଷୟ, ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର। ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲାମାନଙ୍କୁ ନେଇ ଗଠନ କରାଯାଇଅଛି। ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ପ୍ରଭୃତି ବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି। ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା DRDA ସମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ସଭାରେ ନାରାୟଣ ଦାଶ ରାଜ୍ୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉପସ୍ଥିତ ରହି ଉକ୍ତ ସଭାକୁ ସମ୍ବୋଧିତ କରିଥିଲେ। ଶାସନ ବ୍ୟବସ୍ଥା ମଧ୍ୟରେ ଜିଲ୍ଲାସ୍ତରୀୟ ଅମଲାମାନେ କିଭଳି ନିର୍ଯ୍ଯାତିତ ଭାବେ କାଳତିପାତ କରୁଛନ୍ତି, ତାହାକୁ ଉଦାହରଣ ମାଧ୍ୟମରେ ବୁଝାଇବା ସହିତ କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯ ନହେବା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ସେମାନକର ଦାବୀକୁ ଶାଣିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ଆମର ନ୍ୟାର୍ଯ୍ୟ ଦାବୀକୁ ହାସଲ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ।

ଏହି ବୈଠକରେ ଓଡିଶା ଅମଲା ସଂଘର ସଭାପତି ସର୍ବେଶ୍ଵର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ପଣ୍ଡା, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିନାଥ ଦଳେଇ, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘର ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ପରିଡା, ଓଡିଶା ଉପନିବନ୍ଧକ ଅମଲା ସଂଘର ବିକ୍ରମ ପୃଷ୍ଟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ କରାଯାଇ ମିଳିତ ଭାବେ ସମସ୍ତ ଅମଲା ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯କୁ ଉନ୍ନୀତ କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ଏବଂ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା।

ସର୍ବସମତି କ୍ରମେ ଅଶୋକ କୁମାର ପଣ୍ଡା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଖୋର୍ଦ୍ଧା ଜିଲ୍ଲାର ଅଧ୍ୟକ୍ଷ ସନ୍ତୋଷ କୁମାର ନିସଙ୍କ ଆବାହକ ଭାବେ ନିର୍ବାଚିତ ହେଲେ। ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ନିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

Categories
ଆଜିର ଖବର ରାଜ୍ୟ ଖବର

ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ” ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, କୃଷି ଉପ-ନିର୍ଦ୍ଦେଶକ, ଉପ-ନିବଦ୍ଧକ, ଖୋର୍ଦ୍ଧା-ଭୁବନେଶ୍ଵର ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜଟଣୀ ଓ ବାଲୁଗାଁ ତଥା ବେସାମରିକ ଯୋଗାଣ ଅଧିକାରୀ ଓ ମିଲର୍ସ, ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ବୈଠକରେ ଆସନ୍ତା ମଇ ୨୪ ତାରିଖ ଠାରୁ ରବି ଧାନ ସଂଗ୍ରହ ନିମିତ୍ତ ଦିନ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ନିମିତ୍ତ ୨୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ସମୟରେ ମଣ୍ଡି କାର୍ଯ୍ୟରେ ମିଲରମାନଙ୍କର ସହଯୋଗ ଓ ପ୍ରତ୍ୟେକ ଦିନ ୧୨୦୦ କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ସ୍ଥିରୀକୃତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି, ନଷ୍ଟ କଲା ୩୦୦ କିଲୋ ବନସ୍ପତି ଘିଅ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନ ଗୁଡିକରେ ନିକୃଷ୍ଟ ମାନର ଏବଂ ଅବଧି ସମାପ୍ତ ହୋଇ ସାରିଥିବା ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏହାକୁ ଗୁରୁତର ସହ ନେଇଛନ୍ତି।

ଡ଼ା ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। କିଛି ଦିନ ତଳେ ଟାଙ୍ଗୀର ଏକ ମିକ୍ସଚର ଫାକ୍ଟ୍ରିରୁ ଉକ୍ତ ବିଭାଗ ପାଖାପାଖି ୧୦୦ କେଜି ଜିନିଷ ନଷ୍ଟ କରିଥିବା ବେଳେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା।

ଅନୁରୂପ ଭାବେ ଆଜି ବିପୁଳ ପରିମାଣରେ ଅବଧି ସରିଯାଇଥିବା ବନସ୍ପତି ଘିଅ ନଷ୍ଟ କରିଛି ଖାଦ୍ୟ ଓ ସୁରକ୍ଷା ବିଭାଗ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଖାଦ୍ୟ ଓ ସୁରକ୍ଷା ଅଧିକାରିଣୀ ନିବେଦିତା ଭଟ୍ଟ ଏବଂ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ରାମେଶ୍ୱର ଓ ନିରାକାରପୁର ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନରେ ଚଢ଼ାଉ କରିଥିଲେ।

ତେବେ ଏକ ବେକେରି ୟୁନିଟ ରୁ ୩୦୦ କିଲୋ ଅବଧି ସମାପ୍ତ ହୋଇସାରିଥିବା ବନସ୍ପତି ଘିଅ ନଷ୍ଟ କରାଯାଇଛି। ତତସହିତ ୫ ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ଆକ୍ସନ ମୋଡ଼ ଦେଖି ବହୁ ଅସାଧୁ ବ୍ୟବସାୟୀ ପ୍ରମାଦ ଗଣୁଥିବାର ଦେଖିବାକୁ ମିଳିଛି। ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ମହା ସମାରୋହରେ ଓଡିଶା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି, ଏବଂ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।  ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।

ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପ ଜିଲ୍ଲା ପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସଭା ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଲେ. ଯେ ଶୁଖିଲା ପତ୍ର ନ ହୋଇ ମେହେନ୍ଦି ପତ୍ର କୁ ଯେମିତି ବ୍ୟବହାର କରାଯାଇପାରେ ସେହିଭଳି ଅନ୍ୟର ଉପକାରରେ ଆସିବା ଦରକାର।ଜିଲ୍ଲାପାଳ କହିଲେ ସମସ୍ତ ଅଧିକାରୀ ଭଲ କାମ କରିବାକୁ ଶପଥ ନେବା ଦରକାର। ଅନ୍ୟ ସମସ୍ତ ଅତିଥି ସେମାନଙ୍କ ଅଭିଭାଷଣ ରଖିଥିଲେ। ପରେ ପରେ ଓଡିଶା ଦିବସ ଉପଲକ୍ଷେ ପୁରସ୍କାର ବିତ୍ତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ରାଜ୍ୟ ଶିକ୍ଷକ ପୁରସ୍କାର ଜଣେ କୃତ୍ତି ଶିକ୍ଷୟିତ୍ରୀ, କବିତା କାନୁନଗୋ, ସହକାରୀ ଶିକ୍ଷୟିତ୍ରୀ, ବରମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉପେନ୍ଦ୍ର ଦାସ, ସହକାରୀ ଶିକ୍ଷକ, ଦଧିବାମନଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପଙ୍ଗାର ସିଂହ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତରଫରୁ ପ୍ରତ୍ୟେକ ଙ୍କୁ ଏକ ଉତ୍ତରୀୟ,ପୁଷଗୁଛ 25,000/-ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ଏହାପରେ 5 ଜଣ ଏନ. ସି. ସି କାଡ଼େଟ ଯଥାକ୍ରମେ ଶ୍ରେୟ ମିଶ୍ର, ଶାସ୍ୱତୀ ନାରାୟଣ ଆଚାର୍ଯ୍ୟ, ସୋନାଲି ସାହୂ, ପଦ୍ମିନୀ ସେଠି, ଓ ସମୃଦ୍ଧି ସାମନ୍ତରାୟ ଙ୍କୁ ଫଳକ, ପ୍ରଶଂସା ପତ୍ର ପୁରସ୍କୃତ କରାଯାଇଥିଲା।

ଏହାପରେ ଓଡିଶା ଦିବସ ଉପଲକ୍ଷେ କରାଯାଇଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ଦ୍ୟାଳୟ / ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ରଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା, ଏଥିରେ ବିଜେଵି ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀ, ସିଗମା ପବ୍ଲିକ ସ୍କୁଲ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ ସୁର ଭାଇବ୍ରେସନ ଜୟଶ୍ରୀ ଧଳ ଓ ସାଥି ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ଛଅ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି କଟାରିଆ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ଅଞ୍ଜଳି ମଲ୍ଲିକ , ବାଲୁଗାଁ ଥାନା ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ,ଟାଉନ ଥାନା କନଷ୍ଟେବଳ ବି.କେ ପ୍ରତାପସିଂହ , କନଷ୍ଟେବଳ ଲଳିତ କୁମାର ଧଳ,ଜ୍ଞାନରଞ୍ଜନ ମଙ୍ଗରାଜ ଏବଂ ସନ୍ତୋଷ କୁମାର ବେହେରା ଆଦି ୬ ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ , ସମସ୍ତ ଡ଼ିଏସପି, ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ତିନି ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୬ କେଜି ବ୍ରାଉନ ସୁଗାର ଏବଂ ଗୋଟିଏ ମାମଲାରେ ଜବତ ହୋଇଥିବା ୧୦୫ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୬ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୩ କୁଇଣ୍ଟାଲ ୮୪ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ନିଶା ବେପାରି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଦୁଇ ନିଶା ବେପାରିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମା’ ବୁଢ଼ୀ ବାଘେଇ ଠାକୁରାଣୀ ମନ୍ଦିର ପରିସରରେ ଉକ୍ତ ନିଶା କାରବାର ଚାଲିଥିବା ଖବର ପୋଲିସ ପାଇଥିଲା। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଓ ଟାଙ୍ଗୀ ଆଇଆଇସିଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୧୮.୬୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ବାଇକ, ଗୋଟେ ମୋବାଇଲ ଫୋନ ଏବଂ ନକଦ ୬୧ ହଜାର ୫୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଅନୁରୂପ ଭାବେ ଉକ୍ତ ଚଢ଼ାଉରେ ଦୁଇ ନିଶା ବେପାରି ଶେଖ ଅସପାକ ଏବଂ କୁନା ବେହେରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଡିହପୁର ଗ୍ରାମରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଟିମ ସହ ଚଢ଼ାଉ କରିଥିଲେ।

ଚଢ଼ାଉରେ ଉକ୍ତ ଗ୍ରାମର ନରୋତ୍ତମ ରଣସିଂହ (୪୨) ଗିରଫ ହେବା ସହ ତାଙ୍କ ନିକଟରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଅବକାରୀ ଏସଆଇଁ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ୧୪ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୪ କେଜି ବ୍ରାଉନ ସୁଗାର ଏବଂ ଚାରି ଗୋଟି ମାମଲାରେ ଜବତ ହୋଇଥିବା ୫୦୪ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୦ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୨ କୁଇଣ୍ଟାଲ ୭୯ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି। ଅନୁରୂପ ଭାବେ ଆଜି ସୁଦ୍ଧା ଓଡିଶା ପୋଲିସ ୬୦ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୧୪୫୦ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି। ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ। ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ। ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ। ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି। ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଓଡିଶାର ସହରଗୁଡ଼ିକର ତାଲିକା:

୧- ଭବାନୀପାଟଣା

୨- ଜଟଣୀ

୩- ଖୋର୍ଦ୍ଧା

୪- ସୁନ୍ଦରଗଡ

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ପୃଥକ ସୁଧ ହାରରେ ଋଣ ବଣ୍ଟନ ମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ପୃଥକ ସୁଧ ହାରରେ (ଡି ଆର ଆଇ) ଋଣ ବଣ୍ଟନ ମେଳା ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଜିଲ୍ଳାର ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରୁ ୨୦୪ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଋଣ ବଣ୍ଟନ କରାଯାଇଥିଲା।

ଉକ୍ତ ମେଳା ପାଇଁ ଆୟୋଜିତ ସଭାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଖୋର୍ଦ୍ଧା ଏଲ ଡ଼ି ଏମ ଦିଲ୍ଲୀପ କୁମାର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଭାକୁ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ।

ଉକ୍ତ ସଭାରେ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିନରେ ଥିବା ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁଷଣ୍ଡପୁର ବାଣ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ୧୭ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା: ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୋଡକୁ ଆସିଛି। ଏନେଇ  ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ।

ବୈଠକରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ। ଆଗକୁ ଦୋଳ ଉତ୍ସବ ଥିବାବେଳେ  ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଓ ବେଆଇନ ବାଣ ତିଆରି ଉପରେ ରୋକ୍ ଲଗାଇବାକୁ ନେଇ ବୈଠକରେ ବିଷଦ ଆଲୋଚନା ହୋଇଛି।

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଅଦ୍ୟାବଧି ଜିଲ୍ଲାର ୧୭ଟି ସ୍ଥାନରେ ଚଢାଉ କରି ୬୨କିଲୋଗ୍ରାମ ବିସ୍ଫୋରକ ଜବତ କରିଥିବା ବେଳେ ମୋଟ୍ ୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

ଭୂଷଣ୍ଡପୁରରେ ଅଘଟଣ: ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଚାରି ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୋଳ ଯାତ୍ରା ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ଆଦି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷେ ଆହତଙ୍କୁ ମେଡିକାଲ ପଠାଯାଇଛି।

ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ଅଛି। ତେବେ କୋଭିଡ ମହାମାରୀ ନିମନ୍ତେ ୨ ବର୍ଷ ହେଲା ଦୋଳ ଯାତ୍ରାରେ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ସାରା ରାଜ୍ୟରେ ଧୁମଧାମରେ ଏହା ପାଳନ ହେଉଛି। ଏଥିପାଇଁ କାରିଗର ବାଣ ତିଆରି କାର୍ଯ୍ୟରେ ନିଯୋଜିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପଞ୍ଚାୟତି ରାଜ ଏବଂ ଲୋକସେବା ଦିବସ ପାଳିତ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଟା ରେ ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ପଂଚାୟତ ରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତ ରାଏ, ପରିଚାଳନା କରିଥିଲେ।

ବୈଠକ ପ୍ରାରମ୍ଭରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ଅତିଥିମାନଙ୍କ ଉପସ୍ଥିତି ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଗ୍ରାମପଂଚାୟତମାନଙ୍କର ସରପଞ୍ଚ, ଜ଼ିଲ୍ଲା ପରିଷଦର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ମେଡ଼ିଆ ଉପସ୍ଥିତ ଥିଲେ।

କିଛି ସମୟ ଧରି ବିଜୁପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ଛୋଟ ଭିଡ଼ିଓ ପ୍ରଦର୍ଶନ କରା ଯାଇଥିଲା। ପରେ ଭଲ କାମ କରିଥିବାରୁ ସରପଞ୍ଚମାନଙ୍କୁ ପୁରସ୍କାର ରାଶି ସ୍ୱରୂପ ଜଣଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା।