Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ନିରାକାରପୁର ରେଳ ଷ୍ଟେସନରେ ଟ୍ରେନରେ କଟି ରେଳ କର୍ମଚାରୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଡିଭିଜନ ନିରାକାରପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ରେଳବାଇ ଓ୍ବ।ର୍ଲେସ ମ୍ୟାନ ରତ୍ନାକର ପଣ୍ଡା। ନିରାକାରପୁର ଷ୍ଟେସନରେ ମେମୁ ପାସେଜଂରରେ ଚଢୁଥିବା ବେଳେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ। ଟ୍ରେନ ଚକା ତାଙ୍କ ଉପରେ ଚଢି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ନିରାକାରପୁର ରେଳବାଇ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଖୋରଧା ଦୁର୍ନୀତି ନିବାରଣ ଶାଖା ମିଳିତ ଆନୁକୂଲ୍ୟରେ ଚଳିତବର୍ଷର ବିଷୟ ବସ୍ତୁ “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ” ଶୀର୍ଷକ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନୀତିର ମୂଳୋତ୍ପାଟନ ନିମମ୍ତେ ସମାଜର ସବୁସ୍ତରରୁ ପ୍ରୟାସ ଆରମ୍ଭ ହେବା ଆବଶ୍ୟକତା ବୋଲି କହିଥିଲେ। ସାଧୁତା ବଜାୟ ରଖିବା ପ୍ରାରମ୍ଭିକ ଭାବେ କଷ୍ଟସାଧ୍ୟ ହେଲେ ମଧ୍ୟ ଭବିଷ୍ୟତ ଉପରେ ଏହାର ସୁପ୍ରଭାବ ରହିଥିବା ଜିଲ୍ଲାପାଳ କହିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁର୍ନୀତି ନିବାରଣ ଭୁବନେଶ୍ବର ଖଣ୍ତ ଆରକ୍ଷୀ ଅଧିକ୍ଷକ ଅନୁପମା ଜେମସ୍ ଦୁର୍ନୀତି ନିବାରଣ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଦୁର୍ନୀତିଖୋର ବ୍ୟକ୍ତି ଯେତେ ଚାଲାକ ହେଲେ ମଧ୍ୟ ଦୁର୍ନୀତି ନିବାରଣ ବିଭାଗ ଠାରୁ ବର୍ତ୍ତି ପାରିବ ନାହିଁ ବୋଲି ସେ କହିଛନ୍ତି। ଦୁର୍ନୀତିଖୋର ଅଧିକାରୀ ମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ସେ କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବାଧିନତାର ୭୫ ବର୍ଷ ମଧ୍ୟରେ ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି। ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ବଚ୍ଛତା ଓ ସାଧୁତା ପ୍ରତ୍ୟେକ କ୍ଷେତ୍ରରେ ବଜାୟ ରଖିବା ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସଚ୍ଚୋଟତା ଛାତ୍ର ଜୀବନରୁ ପାଳନ କରାଗଲେ ରାଷ୍ଟ୍ରର ସର୍ବ ମଙ୍ଗଳ ସାଧନ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ମହାବିଦ୍ୟାଳୟ ସ୍ତରୀୟ ଇଂର‍ଜୀ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର କୁମାରୀ ଲୋପାମୁଦ୍ରା ରାଉତରାୟ ପ୍ରଥମ, କୁମାରୀ ଦ୍ବାଦଶ୍ୟାନିତ୍ୟା ଘଡାଇ ଦ୍ବିତୀୟ, ଆଶୁତୋଷ ପ୍ରହରାଜ ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଜିବେଶ କୁମାର ଦେବଦର୍ଶନ ପ୍ରଥମ, ବଘେଇ ଚରଣ ସାମନ୍ତରା ଦ୍ବିତୀୟ ଏବଂ କୁମାରୀ ସୋନାଲି ଚମ୍ପତ୍ତି ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ। ସେହିଭଳି ଉଚ୍ଚବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟ, କଣ୍ଟାବାଡର କୁମାରୀ ସ୍ମୃତିରେଖା ଘଡେଇ ପ୍ରଥମ, ବିଜେବି ହାଇସ୍କୁଲ, ଖୋରଧାର ସାସ୍ବତ ମହାପାତ୍ର ଦ୍ବିତୀୟ ଓ ଗୋପବନ୍ଧୁ ସରକାରୀ ହାଇସ୍କୁଲ, ରଜାସର ବିଷ୍ଣୁ ପ୍ରସାଦ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଚଳିତବର୍ଷ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏଥିସହ ଗତ ୩୧ ତାରିଖରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ, ଅଙ୍ଗନୱାଡି ଓ ଆଶା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ସତ୍ୟନିଷ୍ଠା ଏବଂ ସାଧୁତାର ଶପଥପାଠ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଖୋରଧା ଦୁର୍ନୀତି ନିବାରଣ ଶାଖାର ଆରକ୍ଷୀ ନିରୀକ୍ଷକ ଚନ୍ଦ୍ରକଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଶହେ ଅତିକ୍ରମ କଲା କରୋନା, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୬

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୨

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୨୦

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୩

ନବରଙ୍ଗପୁର ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୬

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୭

ଷ୍ଟେଟ ପୁଲରୁ- ୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୧୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୩୧୮ ଏବଂ ବର୍ତ୍ତମାନ ୫୮୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲକ୍ଷ୍ମୀପୂଜା ଭସାଣି ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଗଜ ଲକ୍ଷୀ ପୂଜା ଭସାଣି ଯେପରି ଖୋରଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଆସନ୍ତା ୧୬ ତାରିଖରେ ଭସାଣି ଯାତ୍ରା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ମେଢ ଯିବା ରାସ୍ତାରେ ବିଦ୍ୟୁତ ତା’ରକୁ ଉଚ୍ଚ ସ୍ଥାନରେ ରଖିବା, ପଲ୍ଲା ଛକ ଠାରୁ ନୂଆ ବସଷ୍ଟାଣ୍ତ ପର୍ଯ୍ୟନ୍ତ ରାସ୍ତା ମରାମତି, ପୂଜା ମଣ୍ତପ ଗୁଡିକ ସମ୍ମୁଖରୁ ଗାଡି ଅବରୋଧ ହଟେଇବା ସଂପର୍କରେ ଆଲୋଚନା ହୋଇଥିଲା। ଦିନ ଓ ରାତ୍ରି ସମୟରେ ଦୁଇଥର ସହର ସଫା କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଡାକବାଜି ଯନ୍ତ୍ର ବଜେଇବା ଏବଂ ଶୋଭାଯାତ୍ରା ନିମନ୍ତେ ଅନୁମତି ନେବା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ତଥା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଇପସିତ ସାହୁ, ଏସଡିପିଓ ଦିଲ୍ଲିପ କୁମାର ଦାସ, ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ନାୟକ, ଆକାଶ କୁମାର ଗୁପ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ: ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଥମ

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଟାଉନହଲ ଠାରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧିଜୀ ଚିର ସ୍ମରଣୀୟ ଓ ତାଙ୍କ ବାଣୀ ସାମ୍ପ୍ରତିକ ସମାଜରେ ପ୍ରାସଙ୍ଗିକ ହୋଇ ରହିଛି। ମହାତ୍ମାଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପାଢୀ ପରାମର୍ଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ, ଜୀବନ ଶୈଳୀ ଉପରେ ଉଲ୍ଲେଖ କରିଥିଲେ। ଭାରତ ସ୍ବାଧୀନତାରେ ଅହିଂସା ରୂପକ ଅମୋଘ ଅସ୍ତ୍ରର ବ୍ୟାପକତା, ଧର୍ମୀୟ ସଦଭାବନା ଉପରେ ଗୁରୁତ୍ଵାରୋପ କରିଥିଲେ।

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର କୁମାରୀ ଦିପ୍ତିମୟୀ ପ୍ରତିହାରୀ ପ୍ରଥମ, କୁମାରୀ ଇତିଶ୍ରୀ ସେଠୀ ଦ୍ବିତୀୟ, ରୁଦ୍ରାଭିଶେକ ମାନ୍ଧାତା ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୁମାରୀ ମାମାଲି ପ୍ରଧାନ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ରୀ କୁମାରୀ ପୂରବୀ ପ୍ରିୟଦର୍ଶିନୀ ଦ୍ବିତୀୟ, ଏମ୍ ବି ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦକା ଛାତ୍ରୀ କୁମାରୀ ଶୁଭଲକ୍ଷ୍ମୀ ସ୍ବାଇଁ ତୃତୀୟ ସ୍ଥାନ ଅକ୍ତିଆର କରିଥିବାରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଭଜନ ପରିବେଷଣର ଆୟୋଜନ କରାଯାଇଥିଲା।

ଆଜି ସକାଳ ସମୟରେ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସନାତନ ମିଶ୍ର, ସିମୟ କୁମାର ଦାସ, ମହମ୍ମଦ କଲ୍ଲିମୁଦ୍ଦିନ ଶାହା ବିଭିନ୍ନ ପବିତ୍ର ଧର୍ମଗନ୍ଥ ପଠନ କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଣବ କିଶୋର ମହାନ୍ତି, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ସୁକୁମାର ପଟ୍ଟନାୟକ, କ୍ରୀଡା ଶିକ୍ଷକ ଏସ୍ କେ. ସିରାଜ, ଏନସିସି ଅଧିକାରୀ ଜିତେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲ।। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ ଉପଲକ୍ଷେ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।
ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

ଖୋର୍ଦ୍ଧା: ଆଜି ହେଉଛି ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜୟୀ ରାଜଗୁରୁ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ଦେୟମୁକ୍ତ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ଡାକ୍ତରୀ ପରାମର୍ଶ ଗ୍ରହଣ କରିଛନ୍ତି। ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ଅବସରରେ ଆୟୋଜିତ ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସେବା ଯତ୍ନ ବର୍ତ୍ତମାନର ଆବଶ୍ୟକତା ରହିଛି। ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଯତ୍ନ ଅନ୍ୟ କୌଣସି ପଞ୍ଚତାରକା ହୋଟେଲ ଭଳି ସୁବିଧା ଥିବା ବୃଦ୍ଧାଶ୍ରମ ସହ ସମାନ ନୁହେଁ ବୋଲି ସେ କହିଛନ୍ତି। ସେମାନଙ୍କୁ ଅଣଦେଖା କରାଗଲେ ଭବିଷ୍ୟତ ପିଢି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମଏଲଏ ଲ୍ୟାଡ ପାଣ୍ଠିରୁ ଏକ କୋଟି ମୂଲ୍ୟରେ ଆଇସିୟୁ ୱାର୍ଡ କାର୍ଯ୍ୟ ଯାରି ରହିଥିବା ବିଧାୟକ କହିଥିଲେ।

ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବରିଷ୍ଠ ନାଗରିକ ମାନେ ସର୍ବଦା ନମସ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଯୁବାବସ୍ଥାରେ ସେମାନେ ସମାଜ ପାଇଁ ତ୍ୟାଗ କରିଥିବାରୁ ପରିଣତ ବୟସରେ ସେମାନଙ୍କ ବିଶ୍ରାମର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ୱାଡ ଖୋଲାଯିବା ପ୍ରସ୍ତାବ ରହିଥିବା ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।

ବରିଷ୍ଠ ନାଗରିକ ମାନଙ୍କ ଠାରୁ ଉପାଦେୟ ଅନୁଭୂତି ଶିକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି । ସେମାନଙ୍କ ସେବା ଓ ଯତ୍ନକୁ ବୋଝ ଭାବେ ବିବେଚନା ନକରି ପାରିବାରିକ ଦାୟିତ୍ବବୋଧ ଭାବେ ଗ୍ରହଣ କରାଯିବା ଉଚିତ। ବରିଷ୍ଠ ନାଗରିକ ମାନଙ୍କ ନିରାପତ୍ତା ନିମନ୍ତେ ଜିଲ୍ଲା ପୁଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡଃ ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କ ସେବା, ଚିକିତ୍ସା ଏବଂ ସେମାନଙ୍କ ପରାମର୍ଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ ତହସିଲଦାର ଇପସିତ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ମଲ୍ଲିକ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫକୁ ମିଳିଲା ବଡ଼ ସଫଳତା, ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କବଳରେ ଥିବା ବେଳେ ଦିନକୁ ଦିନ ଏଠାରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ବଡ ସଫଳତା ମିଳିଛି। କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳୀ ପଡିଆରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ଚାଲିଥିବାର ଏସଟିଏଫ ଖବର ପାଇଥିଲା। ସଙ୍ଗେସଙ୍ଗେ ଟାଉନ ଥାନା ପୋଲିସ ସହଯୋଗରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା ଏସଟିଏଫ। ଚଢ଼ାଉ ସମୟରେ ଟାଉନ ଥାନା ଅଞ୍ଚଳର ଅଭିଯୁକ୍ତ ସିଦ୍ଧାର୍ଥ ନାୟକ (୨୩) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଏକ କେଟିଏମ ବାଇକ ସହ ୧ କେଜି ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନ ସୁଗାର ମୂଲ୍ୟ ୧ କୋଟି ୧୫ ଲକ୍ଷ ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୧/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସୂଚନା ଥାଉକି ୨୦୨୦ ମସିହାରୁ ଏସଟିଏଫ ଲଗାତାର ଭାବେ ନିଶା ବେପାରୀଙ୍କ ଉପରେ ପ୍ରହାର ଜାରି ରଖିଛି। ଅଦ୍ୟାବଧି ଏସଟିଏଫ ୫୯ କେଜିରୁ ଊର୍ଦ୍ଧ୍ଵ ବ୍ରାଉନ ସୁଗାର, ୨୦୨ ଗ୍ରାମ କୋକିନ, ୧୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୬୦ ରୁ ଉର୍ଦ୍ଧ୍ଵ ନିଶା ବେପାରିଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ପ୍ରତିଯୋଗିତାରେ ଚାଷଙ୍ଗରା ହାଇସ୍କୁଲର ଛାତ୍ରୀ ପ୍ରଥମ

ଖୋର୍ଦ୍ଧା: ବିଶ୍ୱ ପର୍ଯ୍ୟଟନ ଦିବସ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନ ହେଉଛି ବର୍ତ୍ତମାନ ଅର୍ଥନୀତିର ଅଂଶ ବିଶେଷ। ପୁସ୍ତକ ପଠନ ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କରିବା ଦ୍ବାରା ଅନେକ ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିହୁଏ। ପର୍ଯ୍ୟଟନ କେବଳ ଖୁସି ଦିଏ ନାହିଁ ବରଂ ଅର୍ଥନୀତି ଓ ପାରସ୍ପରିକ ସଦଭାବନାକୁ ସମୃଦ୍ଧ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଭାରତରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅବଦାନ ଅତୁଳନୀୟ। ଉଚ୍ଚକୋଟିର ଆତିଥେୟତା ଦ୍ବାରା ପର୍ଯ୍ୟଟନ କ୍ଷେତ୍ର ବ୍ୟାପକ ହୋଇଥାଏ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ତେବେ ସାଧାରଣ ଜନତାଙ୍କ ସହଯୋଗ ପର୍ଯ୍ୟଟନକୁ ଅଧିକ ବ୍ୟାପକ କରିଥାଏ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ସ୍ତରରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଚାଷଙ୍ଗରାସ୍ଥିତ ଭାଲେରୀ ସରକାରୀ ହାଇସ୍କୁଲର ଛାତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମଙ୍ଗରାଜ ପ୍ରଥମ, ଭୁବନେଶ୍ବର ୟୁନିଟ-୧ ସ୍ଥିତ ସରାକରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରଜ୍ଞାଂଶ ପ୍ରସାଦ ଦାସ ଦ୍ୱିତୀୟ, ନାଚୁଣୀସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୀମାଞ୍ଚଳ ପଲେଇ ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହବିଦ୍ୟାଳୟର ସ୍ବୟଂଶୁଭମ ରାୟ ପ୍ରଥମ, ବିରେନ୍ଦ୍ର କିଶୋର କଳାସ ଦ୍ବିତୀୟ ଏବଂ ରୋଜିନା ବେହେରା ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପର୍ଯ୍ୟଟନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସିବିଆଇ ପଞ୍ଝାରେ ଆୟକର ଅଧିକାରୀ, ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଇ ଗିରଫ

ଖୋର୍ଦ୍ଧା: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ନିଜ ଖୋର୍ଦ୍ଧା ବାସ ଭବନରୁ ଗିରଫ କରିଛି ସିବିଆଇ। ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଲାବେଳେ ସୁମନଙ୍କୁ ଗିରଫ କରିଛି ସିବିଆଇ।

ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ଅରୁଗୁଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କର ଖୋର୍ଦ୍ଧା ଟ୍ରାଫିକ ଛକ ଠାରେ ଶାନ୍ତି ଜୁଏଲାରୀ ନାମରେ ଏକ ଅଳଙ୍କାର ଦୋକାନ ରହିଛି। ତେବେ ଦେବେନ୍ଦ୍ର ଆୟକର ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ଅଳଙ୍କାର ଦୋକାନୀଙ୍କ ଠାରୁ ସୁମନ ବିଭିନ୍ନ ସମୟରେ ଲାଞ୍ଚ ନେଇଥିବା ଦୋକାନ ମାଲିକ ଦେବେନ୍ଦ୍ର ସାହୁ ଅଭିଯୋଗ ଆଣିଥିଲେ। ପ୍ରଥମ ପର୍ଯ୍ୟାୟରେ ଦେବେନ୍ଦ୍ର ୫ ଲକ୍ଷ ଟଙ୍କା ଆୟକର ଅଧିକାରୀ ଶ୍ରୀସୁମନଙ୍କୁ ହାତଗୁଞ୍ଜା ଦେଇଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ସହିତ ୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଶେଷରେ ଆଜି ୧୦ ଲକ୍ଷ ଟଙ୍କା ନେଇ ଦୋକାନ ମାଲିକ ଓ ଆୟକର ଅଧକାରୀଙ୍କ ମଧ୍ୟରେ ଡିଲ ହୋଇଥିଲା।

ଏ ନେଇ ଦେବେନ୍ଦ୍ର ସି.ବି.ଆଇ. ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସି.ବି.ଆଇ ଡି.ଏସ.ପି ପଙ୍କଜ କୁମାର ନେତୃତ୍ବରେ ୫ ଜଣିଆ ଟିମ୍ . ଶ୍ରୀ ସାହୁଙ୍କ ଖୋର୍ଦ୍ଧା ବାସ ଭବନରେ ଚଢାଉ କରି ଅନେକ ଆପତ୍ତିଜନକ ଦସ୍ତାବେଜ ଏବଂ ଅଳଙ୍କାର ଦୋକାନୀ ଦେଇଥିବା ନଗଦ ୫ଲକ୍ଷ ଟଙ୍କା ଜବତ କରିଥିଲେ।

ସିବିଆଇ ଅଧିକାରୀ ସୁମନଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ଗିରଫ କରିବା ସହିତ ଅଧିକ ତଦନ୍ତ ନିମନ୍ତେ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟଳୟକୁ ନେଇଥିବା ଜଣା ପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଆଜି ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇ ଜିଲ୍ଲା ମୋବାଇଲ ଅବକାରୀ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ ଓ ଟିମ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଜାନକୀ ଗୁଣ୍ଠା (୪୨) ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧ ଗ୍ରାମ ବ୍ରାଉନ ସୁଗାର, ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଠାରୁ ୯ ହଜାର ୫୦୦ ଟଙ୍କା ଜବତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୫୩/୨୨-୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଆଜି ପୃଥକ ପୃଥକ ସ୍ଥାନରୁ ଦେଶୀ ମଦ ସହ ଧଳା ଜହର ଜବତ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୭୫ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି।

ଜବତ ଜିନିଷର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୧ ହଜାର ୨୫୦ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଖୋର୍ଦ୍ଧା, ବେଗୁନିଆ ଓ ମୋବାଇଲ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ସେହିପରି ଭାବେ ଆଜି ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ସମ୍ମୁଖରୁ ୧୧ ଗ୍ରାମ ବ୍ରାଉନ ସୁଗାର(ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର) ଏବଂ ଏକ ବାଇକ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପ୍ରଶାସନର ପ୍ରସ୍ତୁତି ବୈଠକ: ଆସନ୍ତା ୨୮ରୁ ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

ଖୋର୍ଦ୍ଧା: ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଏହି ରଥ ଦୁଇଟିକୁ ପ୍ରଥମେ ନାରାୟଣୀ ମନ୍ଦିର ନିକଟରେ ଗଞ୍ଜାମ ପ୍ରଶାସନ ଠାରୁ ଗ୍ରହଣ କରାଯିବା ପରେ ବାଲୁଗାଁକୁ ନିଆଯିବ।

ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ଜିଲ୍ଲାର ଉପଖଣ୍ତ ଓ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଚିଲିକା ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ବିଭିନ୍ନ ୫-ଟି ତଥା ନୋଡ‍ଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପର୍ଣ୍ଣ କରିବା ସହ ଆଇନ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ. ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଇନ୍ଦ୍ରମଣି କାଣ୍ତି, ବିଭିନ୍ନ ବ୍ଲକରେ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସମସ୍ୟା ଏବଂ ଏହାର ସମାଧାନ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ୟୁନିସେଫର ଶିଶୁ ସୁରକ୍ଷା ବିଭାଗର ଓଡ଼ିଶା ମୁଖ୍ୟ ନେହା ନାଇଡୁ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅନୁପମା ସାହୁ, ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ, ଏସିପି ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଅଧ୍ୟକ୍ଷ ଭରତ ଚନ୍ଦ୍ର ସାହୁ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଶିଶୁ ମଙ୍ଗଳ କମିଟି ଖୋର୍ଦ୍ଧାର ସଭ୍ୟା କାନ୍ତା ମହାନ୍ତି, ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ବିପିନ କୁମାର, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ଏଡ଼ ଏଟ ଆକ୍ସନ ର ରାଜ୍ୟ ସଂଯୋଜିକା ଶ୍ଵେତା ସାହା ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି କୁ କିପରି ରୋକାଯାଇପାରିବ ତାହା ଉପରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଵାଣିଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାରୁ ଚଳିତ ଦଶମ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜିଲ୍ଲାରୁ ୧୦ ଜଣ ଛାତ୍ରୀ ଯେଉଁମାନେ କି ଭିନ୍ନକ୍ଷମ ଏବଂ ଆର୍ଥିକ ଅନଗ୍ରସର ପରିବାରର ସେମାନଙ୍କୁ ପାଞ୍ଚ ହଜାର ଲେଖାଏଁ ଟଙ୍କାର ଚେକ ଜିଲ୍ଲାପାଳ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲ ପି ଓ ସୌମେନ୍ଦ୍ର ନାୟକ, ରଞ୍ଜନ କୁମାର ଗୋଛାୟତ, ଅନୁପ କୁମାର ବେହେରା, ରିତାଞ୍ଜଳୀ ମହାନ୍ତି, ମୁକୁଲ ନାୟକ, ମନସ୍ୱନୀ ମହାପାତ୍ର, ଅର୍ଚ୍ଚନା ରୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ ।

ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସବୁ ଇଣ୍ଡଷ୍ଟ୍ରିୟାଲ ଇଷ୍ଟେଟ ରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି।

ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି ମାଲିକ ଅଟକ ଥିବାର ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି।

ତେବେ ବାରମ୍ବାର ଜିଲ୍ଲାରେ ଏପରି ଘଟଣା ଘଟୁଥୁବା ବେଳେ ଜନସାଧାରଣ ଏଥିରେ ମର୍ମାହତ ହେବା ସହ ପୋଲିସକୁ ଏହା ଉପରେ କଠୋର ଅଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାରେ ଆଉ ଏକ କୁତ୍ସିତ ଦୃଶ୍ୟ ସାମ୍ନାକୁ ଆସିଛି। ମାଫିଆମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଗାଡିକୁ ଗୋ ଚାଲାଣ ପାଇଁ ବ୍ୟବହାର କରିଛନ୍ତି, ଯାହାକି ବହୁ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତତସହିତ ଜନସାଧାରଣ ଏ ଦୃଶ୍ୟ ଦେଖି ଆହୁରି ଉତ୍ୟକ୍ତ ହୋଇଛନ୍ତି।

ଉକ୍ତ ଘଟଣାରେ ଗାଡ଼ି ମାଲିକ ଅଟକ ଥିବା ବେଳେ ସଂଶ୍ଲିଷ୍ଟ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଟ୍ରକ ଧକ୍କାରେ ଆକ୍ଟିଭା ଚାଳକ ମୃତ, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ଏକ ଟ୍ରକ୍ ଧକ୍କାରେ ଜଣେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି ୦୭-ଟିୟୁ-୬୬୯୫ ନମ୍ୱର ବିଶିଷ୍ଟ ଏକ ଟ୍ରକଟି ଆଗରେ ଯାଉଥିବା ଏକ ଆକ୍ଟିଭାକୁ ଧକ୍କା ଦେବା ସହ ଚାଳକଙ୍କ ଉପରେ ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି।

ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଟାଉନ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଚାଳକଙ୍କୁ ଅଟକ ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: କିଛି ଦିନର ବିରତି ପରେ ପୁଣି ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଠାବ ହେବା ସହ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ସାମନ୍ତରାୟପୁର ବୋଧ ପୋଖରୀ ନିକଟରେ ବ୍ରାଉନ ସୁଗାର ବେପାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଆଦିତ୍ୟ ବିଶ୍ୱାଳ (୨୪), ସୋମନାଥ ସାହୁ (୩୦) ଏବଂ ପୁରି ଜିଲ୍ଲା ପିପିଲି ଥାନା କାକୁଡ଼ିଆ ଗ୍ରାମର ହେମନ୍ତ କୁମାର ସ୍ୱାଇଁ (୩୨) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା) ଏବଂ ଏକ ବାଇକ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୩୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ, ଗୋପାଳକୃଷ୍ଣ ଦାସ ଯୋଗଦେଇ ପ୍ରକୃତି ଓ ମାନବ ସଭ୍ୟତା ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଓ ନୂଆଁଖାଇ ସମଗ୍ର ରାଜ୍ୟରେ ଭାଇଚାରାର ପରବ ଭାବେ ପାଳନ କରାଯାଉଛି। ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ଏବଂ ନୂଆଁଖାଇ ଆମ ସାଂସ୍କୃତିକ ବିବିଧତାର ପ୍ରମୁଖ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ନାରାୟଣ ରାଓ ନୂଆଁଖାଇ ପରବ ଅତ୍ୟନ୍ତ ପ୍ରାଚୀନ ଓ ମାଦଳା ପାଞ୍ଜିରେ ଏ ସଂପର୍କରେ ଉଲ୍ଲେଖ ଥିବା କହିଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନର ବିଭିନ୍ନ ବିଧିବିଧାନ ସଂପର୍କରେ ପ୍ରଫେସର ରାଓ କହିବା ସହ ବର୍ତ୍ତମାନର ପର୍ବପର୍ବାଣୀ ସହ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଉପକ୍ରମ ଯୋଡି ହେଉଥିବା କହିଥିଲେ। ସେ ନିଜର ଅଭିଜ୍ଞତା ପୂର୍ଣ୍ଣ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ନିମନ୍ତେ ପରିବାର ସହ ମିଶିବାର ଉତ୍ସାହିତ ହେବା ହେଉଛି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହେମନ୍ତ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତଦାତାମାନେ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ପ୍ରଦାନ କରିବା ଅଭିଯାନର ସମୀକ୍ଷା ବୈଠକ

ଖୋର୍ଦ୍ଧା: ମତଦାତା ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଆଧାର ତଥ୍ୟ ପ୍ରଦାନ କରିବା ସଚେତନତା ଅଭିଯାନର ସମୀକ୍ଷା ବୈଠକ ଆଜି ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ଲକ୍ଷରେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ନିମନ୍ତେ ମତଦାତା ମାନଙ୍କ ଠାରୁ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ବିଏଲଓ ମାନେ ଘର ଘର ବୁଲି ଏହି ତଥ୍ୟ ହାସଲ କରିବେ। ଏପରିକି ଜଣେ ଚାହିଁଲେ ଅନଲାଇନ ମାଧ୍ୟମରେ ଆଧାର ତଥ୍ୟ ପ୍ରଦାନ କରିପାରିବେ ଯାହା ଫଳରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ଆଶଙ୍କା ଦୂର ହୋଇପାରିବ। ଏହି ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ବତନ୍ତ୍ର ଶିବିର ଆୟୋଜନ ସହ ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ନିମନ୍ତେ ସହଯୋଗ କରିବାକୁ ସମସ୍ତ ଭୋଟର ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପୂର୍ବରୁ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ଏଥିନିମନ୍ତେ ଲୋକ ପ୍ରତିନିଧି ଆଇନ-୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଓ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଥିବା ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିପାରିବେ। ଏଥିସହ ନିର୍ବାଚନ ପଞ୍ଜିକରଣ ଆଇନ-୧୯୬୦ର ମଧ୍ୟ ସଂଶୋଧନ କରାଯାଇଛି। ଆସନ୍ତା ଏପ୍ରିଲ ପହିଲା ୨୦୨୩ ମସିହା ସୁଦ୍ଧା ଭୋଟର ତାଲିକାଭୁକ୍ତ ହେବାକୁଥିବା ଯୋଗ୍ୟ ଭୋଟର ମାନେ ସେମାନଙ୍କ ଆଧାର ତଥ୍ୟ ସଂଯୋଗ ପାଇଁ ଅଧିକାରୀଙ୍କୁ ଜଣାଇବେ। ଆଧାର ବିବରଣୀ ଦାଖଲ ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି। ଉକ୍ତ ଫର୍ମ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍, ERONET,GARUDA, NVSP, VHA ମାଧ୍ୟମରେ ଉପଲବ୍ଧ ଅଛି।

ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ପୂର୍ବ ପ୍ରଚଳିତ ଗୋଟିଏ ଯୋଗ୍ୟତାସୂଚକ ତାରିଖ ପରିବର୍ତ୍ତେ ବର୍ଷର ୪ଟି ତାରିଖ ଅର୍ଥାତ ଜାନୁୟାରୀ, ଅପ୍ରେଲ, ଜୁଲାଇ, ଅକ୍ଟୋବର ପହିଲା ରଖାଯାଇଛି। ଏଥିସହ ଫର୍ମ ନଂ-୬, ୬(କ), ୭ ଓ ୮ ପୂର୍ବଭଳି ପ୍ରଚଳିତ କରାଯାଇଛି ଏବଂ ଫର୍ମ ୬(କ) ବ୍ୟତୀତ ଅନ୍ୟ ଫର୍ମ ଗୁଡିକରେ ସଂଶୋଧନ କରାଯାଇଛି।

ଏହି ଅବସରରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଡିଓ, ତହସିଲଦାର, ବୁଥସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ଓ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀଙ୍କ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଉକ୍ତ ବୈଠକରେ ରାଜସ୍ବ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜନସାଧାରଣ ମାନଙ୍କୁ ଉତ୍ତମ ସେବା ପ୍ରଦାନ ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଜମିଜମା ମାମଲା ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ସର୍କଲ ନିମନ୍ତେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକାରୀ ମାନଙ୍କୁ କୁହାଯାଇଛି।

ଏହି ଅବସରରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ରାଜସ୍ବ ଡେପୁଟି କଲେକ୍ଟର ଉର୍ମିପ୍ରଭା ମହାପାତ୍ର, ସମସ୍ତ ତହସିଲଦାର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ: ଦୁଇ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାର ୨ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିବା ବେଳେ ଅବକାରୀ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତ କାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଅଟୋରେ ବ୍ରାଉନ ସୁଗାର ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପରିଶେଷରେ ନୂଆ ବସ ଷ୍ଟାଣ୍ଡ ନିକଟରୁ ଅଟୋକୁ ଠାବ କରିବା ସହ ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ତଲାସି ନେଇଥିଲା। ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଅଟୋକୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୯୦ ହଜାର ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଏନ. ମୋହନ ରେଡ୍ଡୀ (୪୪) ଏବଂ ରାକେଶ ନାୟକ (୩୫)। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୩/୨୨-୨୩ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।