Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା, ନିୟୋଜିତ ହେବେ ୧୮ଟି ଟିମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଆସନ୍ତାକାଲି ଡ଼ଲଫିନ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଏ ନେଇ ଆଜି ଚନ୍ଦ୍ରାପୁଟ ସ୍ଥିତ ସିଡ଼ିଏ କାର‌୍ୟ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି।

ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି।

ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ଗଣନା ସରିବା ପରେ ଚୂଡାନ୍ତ ଗଣନା ସୂଚନା ପିସିସିଏଫ ଭୁବନେଶ୍ୱର ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

ସୂଚନା ଥାଉକି ଗତବର୍ଷ ଚିଲିକାରେ ସମୁଦାୟ ୧୭୩ ଗୋଟି ଡ଼ଲଫିନ ଠାବ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୪ ଗୋଟି ଇରାୱାଡି ପ୍ରଜାତିର ଏବଂ ୧୯ ଗୋଟି ବଟଲ ନୋଜ ପ୍ରଜାତିର ଡ଼ଲଫିନ ଚିହ୍ନଟ ହୋଇଥିଲା।

Categories
ଆଞ୍ଚଳିକ

ଚିଲିକାରେ ଏଲଇଡି ସ୍କ୍ରିନ ଯୋଗେ ପ୍ରଦର୍ଶିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଧିବଦ୍ଧ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବାବେଳେ ସାରା ରାଜ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହେବାସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଲୋକାର୍ପଣ ଉତ୍ସବକୁ ପ୍ରତିଟି ଜନସାଧାରଣଙ୍କ ଭାବନା, ଧାର୍ମିକ ଚିନ୍ତାଧାରା ଉଦଜିବିତ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ସମେତ ସମସ୍ତ ପଞ୍ଚାୟତରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଚିଲିକା ବିଡ଼ିଓ ଜଗଦୀଶ ଷଡଙ୍ଗୀଙ୍କ ନେତୃତ୍ୱରେ ଚିଲିକା ବ୍ଲକ କାର୍ଯ୍ୟାଳୟ ଠାରେ ଏବଂ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କ ନେତୃତ୍ୱରେ ସହିଦ କୃତିବାସ ଟାଉନ ହଲ ଠାରେ ଏଲଇଡି ସ୍କ୍ରିନ ମାଧ୍ୟମରେ ପୁରୀ ଠାରେ ଅନୁଷ୍ଠିତ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉଭୟ ବ୍ଲକର କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱବାଧାନରେ ଏନଏସି କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମହିଳା ସଙ୍ଘ, ସ୍ୱଚ୍ଛ ସାଥିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ଲୋକାର୍ପିତ ଉତ୍ସବକୁ ଏଲଇଡି ମାଧ୍ୟମରେ ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା କାଳିଜାଇ ପୀଠରେ ମକର ମେଳା ଅନୁଷ୍ଠିତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ଚିଲିକା ଅଧିଷ୍ଠାତ୍ରୀ ମା କାଳିଜାଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।ମସ୍ୟଜୀବିଙ୍କ ଆରାଧ୍ୟ ଠାକୁରାଣୀ ମା କାଳିଜାଇଙ୍କ ପୀଠରେ ହଜାର ହଜାର ମତ୍ସ୍ୟଜୀବୀ ସମେତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ବାଲୁଗାଁ ଜେଟି ଏବଂ ବଡ଼କୁଳ ପାନ୍ଥନିବାସ ଠାରୁ ବିଭିନ୍ନ ମୋଟର ବୋଟ ଆସୋସିଏସନ,ସରକାରୀ ଲଞ୍ଚ ଓ ଓଟିଡିସି ବୋଟ ସାହାର୍ଯ୍ୟରେ ପୀଠକୁ ନୌଯାତ୍ରା କରିଥିଲେ।

ଧୀବରମାନଙ୍କ ମକର ମେଳା ପର୍ବଟି ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ଚିଲିକା ତଟବର୍ତୀ ବାଲୁଗାଁ, ଚନ୍ଦ୍ରାପୁଟ, ବଡ଼କୁଳ, ନଈରୀ, ବଉଳାବନ୍ଧ, ସୋରଣ, ମାନସିଂହପୁର ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ମା କାଳିଯାଇ ଠାକୁରାଣୀଙ୍କ ଦର୍ଶନ କରି ଆଗାମୀ ବର୍ଷର ବେଉସା ଉର୍ଣ୍ଣତମାନର ତଥା ଭଲମନ୍ଦରେ ସାହା ଭରସା ହେବାପାଇଁ ମାଙ୍କୁ ପ୍ରାର୍ଥନା କରିଥିଲେ।

ଶ୍ରଦ୍ଧାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ବିଭିନ୍ନ ମୋଟର ବୋଟ ଆସୋସିଏସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବାସହ ପ୍ରତି ଯାତ୍ରୀଙ୍କୁ ଲାଇଫ ଜ୍ୟାକେଟ ପରିଧାନ ବାଧ୍ୟତାମୂଳକ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ୯ ଘଣ୍ଟା ଧରି ବନ୍ଦ ରହିବ ବିଦ୍ୟୁତ ସେବା

ଚିଲିକା( ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ମଙ୍ଗଳବାର ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ‌ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଚିଲିକା ମଝିରେ ଦୁଇ ଘଣ୍ଟା ଧରି ଫସିଗଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା

ଚିଲିକା: ଆଜି ଅପରାହ୍ନରେ ବଡ଼କୁଳ ଠାରୁ ସାତପଡ଼ା ବୋଟରେ ଯାଉଥିବା ସମୟରେ ଚିଲିକାରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ବୋଟଟି ଦୀର୍ଘସମୟ ଧରି ଫସି ଯାଇଥିବା ସୂଚନା ମିଳିଛି।

ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ପାଖାପାଖି ଦୀର୍ଘ ଦୁଇ ଘଣ୍ଟା ଧରି କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସମ୍ବିତ ପାତ୍ରଙ୍କ ଦୁଇ ଗୋଟି ବୋଟ ଚିଲିକା ଜଳ ମଧ୍ୟରେ ଫସି ରହିଥିବା ଜଣାପଡିଛି। ପରିଶେଷରେ ଅନ୍ୟ ଦୁଇ ଗୋଟି ବୋଟ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବୋଟ ମେସିନ ରେ ଦଳ ଫସିଯାଇଥିବାରୁ ଏପରି ହୋଇଥିବା ଶୁଣିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୦ ରେ ଖୋର୍ଦ୍ଧା ଗସ୍ତରେ ଭି କେ ପାଣ୍ଡିଆନ: ବାଣପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧନ

ଖୋର୍ଦ୍ଧା/ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସେ ଖୋର୍ଦ୍ଧାର ହାବେଳୀ ପଡିଆ ଏବଂ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ ବୋଲି ଜଣାପଡିଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଦି ବାଣପୁର ପଲଟନ ପଡିଆ ଗସ୍ତ କରି ସମସ୍ତ ବ୍ୟବସ୍ଥା ପରଖିଥିଲେ।

ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଅଧିକାରୀ ମାନେ। ଶ୍ରୀ ପାଣ୍ଡିଆନ ବାଣପୁର ଗସ୍ତବେଳେ ମା’ ଭଗବତୀ ମନ୍ଦିର ମଧ୍ୟ ଦର୍ଶନ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ସୁରକ୍ଷିତ ଭ୍ରମଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ମୁତୟନ ହେଲେ ଓଡ୍ରାଫ ଟିମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ନୂଆବର୍ଷ ପାଇଁ ଚିଲିକାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ଚଳିତ ବର୍ଷ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ବଡ଼କୁଳ, କାଳିଜାଇ, ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି।

ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜିଠାରୁ ଗ୍ରହଣ କରିଛି ଏକାଧିକ ପଦକ୍ଷେପ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ ମୁତାବକ ଆଜିଠାରୁ ଆସନ୍ତା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଲୁଗାଁରେ ମୁତୟନ ହୋଇଛନ୍ତି ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ।

ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁତୟନ କରିଛି ଏହି ଟିମ l ଚିଲିକା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ହ୍ରଦ ହୋଇଥିବା ବେଳେ ଏଥି ମଧ୍ୟରେ ଅବସ୍ଥିତ ମା’ କାଳିଜାଇ ମନ୍ଦିର ଏବଂ ବଡ଼କୁଳ ପାନ୍ଥନିବାସ, ବାଲୁଗାଁ ଜେଟି ଆଦି ସ୍ଥାନରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛ।

ଏହି ପରିପ୍ରେକ୍ଷୀରେ ତିନି ଗୋଟି ଓଡ୍ରାଫ ଟିମ ଯଥାକ୍ରମେ ମା’ କାଳିଜାଇ ମନ୍ଦିର, ବଡ଼କୁଳ ପାନ୍ଥନିବାସ ଏବଂ ବାଲୁଗାଁରେ ମୁତୟନ ହୋଇଛନ୍ତି। ସେହିପରି ଭାବେ ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ବାଲୁଗାଁ ଜେଟି ଠାରେ ପଇଁତରା ମାରୁଛି। ଅନୁରୂପ ଭାବେ ବାଲୁଗାଁ ସହର ପାଇଁ ଅତିରିକ୍ତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଚିଲିକାକୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଧ୍ୟାନ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ଟିମ ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସକାଳ ୫ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରତ ରହିବେ ବୋଲି ଜଣାପଡିଛି।

ତେବେ ଉକ୍ତ ସମସ୍ତ ଟିମ ଚିଲିକା ତହସିଲଦାର, ବିଡ଼ିଓ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୪୧୮ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ, ସିଡିଏ କର୍ମଚାରୀ, ପୋଲିସ କର୍ମଚାରୀ, ମତ୍ସ୍ୟବିଭାଗ କର୍ମଚାରୀ, ୩ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ।

ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ ଚିଲିକା ମଧ୍ୟରେ ପ୍ରାୟତଃ ୪୧୮ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୨୦ କୁଇଣ୍ଟାଲ ଜିରୋ ନେଟ ଜବତ କରାଯାଇଥିବା ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘେରି ଉଚ୍ଛେଦ ଅଭିଯାନ ଚାଲିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଟାଙ୍ଗୀ ତହସିଲଦାର ମିତାଲି ପାତ୍ରଙ୍କଙ୍କ ସହ ଅତିରିକ୍ତ ତହସିଲଦାର ନିହାର ରଂଜନ ବେହେରା, ଭୂଷଣ୍ଡପୁର ଆର ଆଇ କୈଳାସ ଚନ୍ଦ୍ର ଦଳାଇ, ରାଜସ୍ୱ ବିଭାଗର କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି।

ଆଜି ଟାଙ୍ଗୀ ତହସିଲ ଅଧୀନରେ ମଙ୍ଗଳା ଯୋଡି, ଭୂଷଣ୍ଡପୁର, ବାଲିପାଟପୁର ଆଦି ଅଞ୍ଚଳରେ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିଲା। ଚିଲିକାରେ ସଂପୂର୍ଣ୍ଣ ଭାବେ ଜିରୋ ନେଟ ସହ ଘେରି ଉଚ୍ଛେଦ କରୁଛି ପ୍ରଶାସନ।

ଦିନକୁ ଦିନ ଚିଲିକାରେ ମାଫିଆମାନେ ବେଆଇନ ଘେରି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଫଳରେ ନୂଆ ଜାଆଁଳ ସୃଷ୍ଟି ନ ହେବା ଯୋଗୁଁ ହ୍ରାସ ପାଉଛି ମତ୍ସ୍ୟ ସମ୍ପଦ। ତେଣୁ ଚିଲିକାକୁ ସୁରକ୍ଷିତ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘେରି ଉଚ୍ଛେଦ ଅଭିଯାନ ଜାରୀ ରହିଛି।

ଏହି ସମୟରେ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ସହାୟତାରେ ନିଆଯାଉଛି ଘେରିର ଚିତ୍ର। ଚିଲିକାରେ ସମସ୍ତ ଘେରି ଉଚ୍ଛେଦ କରିବା ପାଇଁ ପ୍ରଶାସନ ଲାଗି ପଡିଛି।

Categories
ଆଞ୍ଚଳିକ

ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି।  ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି ବିଭାଗକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ସୁମନ୍ତ ଜେନା ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟରୁ ରଚିତା ସାସମଲ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠରୁ ଶୁଭମ ସାହୁ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ସର୍ବେଶ୍ୱର ବରାଳ ଏବଂ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଳରାମ ସ୍ୱାଇଁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ ହୋଇଥିଲେ।

ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ବିଭାଗରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

ସେହିଭଳି ଶନିବାର ପୂର୍ବାହ୍ନରେ ଚିଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ୧୨୪ ଟି ବିଜ୍ଞାନ, କୃଷି, ପରିବେଶ, ଘଟଣା ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ,ବିଶିଷ୍ଟ ଅତିଥି ଭାବେ ବିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚରଣ ସେଣ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ମିନତୀ ଶତପଥୀ, ଗୀତାଞ୍ଜଳୀ ନାୟକ, ବିଜ୍ଞାନ ମେଳା କମିଟି ସମ୍ପାଦକ କୁନା ମହତ୍ୱ,ସାଧନ କେନ୍ଦ୍ର ସଂଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ପରିଦର୍ଶନ କରିବାସହ ତୃଣମୂଳ ସ୍ତରରେ ଥିବା ସୁପ୍ତ ପ୍ରତିଭାଙ୍କୁ ବିକଶିତ କରିବା ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଫଳରେ ଅନେକ କୁନି ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ।

ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ପୂର୍ବତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସମାୟାନୁବର୍ତ୍ତୀ ହେବାସହ ସାଧନାରେ ଏକାଗ୍ରତା ରଖିବାପାଇଁ ଦିଗଦର୍ଶନ ଦେଇଥିଲେ।

ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ ନେଇ ଅତିଥି ଗହଣରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଜ୍ଞାନ ମେଳା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ୟାଗ୍ରହ”

ଚିଲିକା (ସୀତାରାମ ଅଗ୍ରୱାଲ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି।  “ସଂକୀର୍ତ୍ତନ ସତ୍ୟାଗ୍ରହ” ନାମରେ କଂଗ୍ରେସ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା କଂଗ୍ରେସ ମଧ୍ୟ ଝାଞ୍ଜ ଖୋଳ ବଜାଇ ଶୋଭାଯାତ୍ରା କରିଛି।

ଆଜି କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ବାଣପୁରରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ରଙ୍କନାଥ ଦେବ ମନ୍ଦିର ଠାରୁ ସଙ୍କୀର୍ତ୍ତନ ରାଲି ଆରମ୍ଭ କରି ବଜାର ପରିକ୍ରମା କରି ପଲଟଣ ପଡିଆ ଚକାଦେବ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମବେତ କର୍ମୀଙ୍କୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା, ଭକ୍ତ ମାନଙ୍କୁ ଚାରିଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଯେଉଁ ଅମୃତ ମଣୋହି ଜମି ବେଦାନ୍ତ ଅଧିଗ୍ରହଣ କରିଛି ତାହାକୁ ପୁନଃରୁଦ୍ଧାର କରିବା ପାଇଁ ଶ୍ରୀମତୀ ସାମନ୍ତରାୟ ଦାବି ରଖିଥିଲେ।

କଂଗ୍ରେସ କର୍ମୀମାନେ ସରକାରଙ୍କ ଅପାରଗତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବାରେ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ରାଲିରେ ରାଜ୍ୟ ସେବାଦଳ ସମ୍ପାଦକ କୁଳମଣି ସାହୁ, ସେବାଦଳ ସଂଯୋଜକ ସାନ୍ଧ୍ୟରାଣୀ ଦାସ ଯୋଗ ଦେଇଥିବା ବେଳେ ପରାଜିତ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ଦେଖିବାକୁ ମିଳିନଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସର ବିପ୍ର ରଞ୍ଜନ ଜେନା, ବିପିନ ବିହାରୀ ବାରିକି, ବିଜୟ ଦାସ, ଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୬୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୫୧ ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ସେହିପରି ଭାବେ ୩ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ଜଣଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା। ଜଣେ ହିତାଧିକାରୀଙ୍କୁ ହୂଇଲ ଚେଆର ପ୍ରଦାନ କରାଯାଇଥିବା ବେଳେ, ଆଉ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଆକାରରେ ୫୦୦ ଟଙ୍କା ମଞ୍ଜୁର କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ସି.ଡି.ଏମ.ଓ ଡଃ ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ, ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଣପୁର ଓ ଚିଲିକା ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକରେ ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରଚ୍ୟୁଆଲ ମୋଡରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଉଭୟ ବ୍ଲକ ପ୍ରଶାସନ ପକ୍ଷରୁ ଉଭୟ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି ନାରାରେ ଏହି ଯୋଜନା ର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକରେ ୯୫ କୋଟି ଟଙ୍କା ବ୍ୟୟରେ ୨ହଜାର ୭୬୩ ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି। ବିଶେଷ କରି ଏ ଅଞ୍ଚଳର ମଠ ମନ୍ଦିର ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ୫-ଟି ରେ ସାମିଲ କରାଇ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ ଉପସ୍ଥିତ ଜନସାଧାରଣ।

ଏହି ପରିପ୍ରେକ୍ଷୀରେ ଚିଲିକା ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଅନୁରୂପ ଭାବେ ବାଣପୁରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିଲେ।

ଏହି ଯୋଜନା ଅନ୍ତର୍ଗତ ଚିଲିକା ବ୍ଲକ ଚଣ୍ଡେଶ୍ୱରସ୍ଥିତ ବାବା ଚଣ୍ଡୀହର ଦେବ ମନ୍ଦିରକୁ ୧ କୋଟି, ବାଲୁଗାଁ କଲେଜକୁ ୧.୫ କୋଟି, ବାଣପୁର ମା’ ଭଗବତୀ ମନ୍ଦିରକୁ ୩୦ କୋଟିରୁ ଊର୍ଦ୍ଧ୍ଵ, ଗୋଦାବରୀଶ ମହାବିଦ୍ୟାଳୟକୁ ୨.୨୫ କୋଟି ଏବଂ ବାଣପୁର ଓ ଚିଲିକା ବ୍ଲକର ୩୪ ଗୋଟି ପଞ୍ଚାୟତକୁ ୧୭ କୋଟି ସହିତ ମୋଟ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି।

ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ଚିଲିକା ବ୍ଲକରେ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉଭୟ ବ୍ଲକରେ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ଉପସ୍ଥିତ ଥିଲେ।

ସୂଚନା ଥାଉକି ଚିଲିକା ନିର୍ବାଚନମଣ୍ଡଳିରେ ଆଜିର ଉକ୍ତ କାର୍ଯ୍ୟକ୍ରମକୁ ବିଜେପି ବର୍ଜନ କରିଛି, ଯାହା ଫଳରେ ଉଭୟ ବ୍ଲକର ୩୪ ଗୋଟି ପଞ୍ଚାୟତରୁ ବିଜେପି ସମର୍ଥିତ ୨୩ ଜଣ ସରପଞ୍ଚ ଓ ୨୪ ଜଣ ସମିତି ସଭ୍ୟଙ୍କ ସମେତ ଉଭୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ‘ଆମ ଓଡିଶା ନବୀନ ଓଡିଶା’ ଉଦଘାଟନକୁ ବୟକଟ କରିବ ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଆସନ୍ତାକାଲି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ଭରଚୁଆଲି ଉଦଘାଟନ କରିଵେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ନିମନ୍ତେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବ ବିରୋଧୀ ବିଜେପି। ଏ ନେଇ ଆଜି ନାଚୁଣୀରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତାକାଲି ଉଭୟ ବ୍ଲକରେ କାର୍ଯ୍ୟକ୍ଷମ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ବୟକଟ କରିବ ବିଜେପି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବ୍ଲକର ଦୁଇ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ 23 ଜଣ ବିଜେପି ସମର୍ଥିତ ସରପଞ୍ଚ ଏବଂ 24 ଜଣ ସମିତି ସଭ୍ୟ ଉକ୍ତ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେ ନାହିଁ। ତତସହିତ ଉଭୟ ବ୍ଲକରେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବେ।

ଦରକାର ପଡ଼ିଲେ ଆନ୍ଦୋଳନକୁ ଓଲ୍ହାଇବା ସହ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ହରିଚନ୍ଦନ। ସରକାର ମନଇଛା ଉକ୍ତ ଯୋଜନାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରପଞ୍ଚ, ସମିତି ସଭ୍ୟ ତଥା ୱାର୍ଡ ମେମ୍ବରଙ୍କ ସୁପାରିଶ ଆଧାରରେ ପ୍ରକଳ୍ପ ଜାରି ନକରି ଶାସକ ଦଳର ନେତାମାନଙ୍କ ସୁପାରିଶ କ୍ରମେ ଏହାକୁ ଲାଗୁ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳିରେ ଏହାକୁ ପ୍ରବଳ ବିରୋଧ କରାଯିବ ଏବଂ ଉଭୟ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଉକ୍ତ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ପୁନଃ ସୂଚୀ କରାଯାଉ ଏବଂ ତାହା ପଲ୍ଲିସଭା/ଗ୍ରାମ ସଭା, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଙ୍କ ସହମତିରେ କରାଯାଉ ବୋଲି ଦାବି କରିଛି ବିଜେପି।

ଏହି ସାମ୍ବାଦିକ ସମ୍ମିଳନୀରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚିଲିକାରେ ଚାଲିବ ସୌର ବା ବ୍ୟାଟେରୀ ଚାଳିତ ବୋଟ୍, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ୱର: ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି। ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ରାମସାର ଓ୍ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ) ରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍ ଓଭର ପଏଣ୍ଟ ) ଭାବରେ କାର୍ଯ୍ୟ କରେ।

ଚିଲିକା ବିଭିନ୍ନ ପ୍ରଜାତିରମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଏଥି ସହିତ ଚିଲିକାର ଲୁଣାପାଣିଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ। ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କର ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି।

ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁଁ ଚିଲିକା ପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟ ସ୍ଥଳ ହୋଇପାରିଛି। ସ୍ଥାନୀୟ ବୋଟ୍ ଚିଲିକାକୁ ଯାତାୟତର ପ୍ରମୁଖ ମାଧ୍ୟମ ଅଟନ୍ତି।

କିନ୍ତୁ ଦେଖାଯାଇଛି ଯେ, ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି। ଏହି ପ୍ରକାର ବୋଟରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁ ଥିବାରୁ ଜଳ ପ୍ରଦୁଷଣ, ବାୟୁ ପ୍ରଦୁଷଣ ଏବଂ ବୋଟର ଶବ୍ଦରୁ ଶବ୍ଦ ପ୍ରଦୁଷଣହୋଇଥାଏ। ଏଥି ଯୋଗୁଁ ଜଳ ପରିସଂସ୍ଥାରେଅସନ୍ତୁଳନ ଦେଖାଦେଉଛି;ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡ଼ଲଫିନ୍ ମାଛମାନଙ୍କର ଗତି ପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଂକା ରହୁଛି।

ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟ ସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହୋଇଥାଏ। ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟ୍ ମଡେଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା।

ଏ ଦିଗରେ ‘ଓରେଡା’ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ କରିବାକୁ ସ୍ଥିର କରିଥିବା ବେଳେ ଏ କ୍ଷେତ୍ରରେ ରହିଥିବା ବୈଷୟିକ-ବାଣିଜ୍ୟିକ ସମ୍ଭାବନାକୁ ସବିଶେଷ ଅନୁଧ୍ୟାନ କରାଯିବ। ବର୍ତ୍ତମାନ ରହିଥିବା ମାଛଧରା, ପର‌୍ୟ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ସୌର ଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ। ଏଥି ପାଇଁ ଉପକୃତ ହେବାକୁ ଥିବା ମତ୍ସ୍ୟଜୀବୀ, ପର୍ଯ୍ୟଟକ ବୋଟ ଚାଳକ ଆଦି ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।

ନୂତନ ବୋଟର ସହଜ ପରିଚାଳନା ଓ ସରଳ ରକ୍ଷଣାବେକ୍ଷଣ ପଦ୍ଧିତ ସଂପର୍କରେ ବୁଝାଯିବ । ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବ। ପ୍ରାଥମିକ ପର‌୍ୟ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର-ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ହେଲେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବାଣପୁର ଏନଏସିର ପୂର୍ବତନ କାଉନସିଲର ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ପ୍ରଣତୀ ମାର୍ଥା, ୱାର୍ଡ଼ ସଭାପତି ବିଶ୍ୱନାଥ ଦଳେଇ, ମହିଳା ସଭାପତି ପ୍ରତୀମା ମଲ୍ଲିକ, ପୂର୍ବତନ କାଉନସିଲର ଝରିଆ ପ୍ରଧାନ, ବରିଷ୍ଠ ନେତା ଦୀନବନ୍ଧୁ ପ୍ରଧାନ ଓ ଯୋଗେନ୍ଦ୍ର ବାରିକ, ଯୁବ ସଂଗଠକ ମନୋଜ ସାହୁ, ପୂର୍ବତନ କାଉନସିଲର ସୁଧାକର ଭୋପା, ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି କାବେରୀ ଜେନା ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ବାଣପୁର ଏନଏସିର ପୂର୍ବତନ ଯୁବ ସଭାପତି ନାରାୟଣ ଦାସ, ଏସ୍‌ସି ମୋର୍ଚ୍ଚାର ମହିଳା ସଭାପତି ଉତ୍ତରା ମଲ୍ଲିକ ଏବଂ ବାଣପୁର ବ୍ଲକ ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସଞ୍ଜୟ କୁମାର ବଳିଆର ସିଂହ, ଅନୀଲ କୁମାର ସ୍ୱାଇଁ, ରାଧାକାନ୍ତ ରଥ, ରଞ୍ଜନ କୁମାର ରାଉତରାୟ, ଜୟନ୍ତ କୁମାର ସ୍ୱାଇଁ, ରାଜେଶ କୁମାର ବେହେରା, ବିଜୟ ପାତ୍ର, ମାନସ ବେହେରା, ଜିତୁନ ବେହେରା, ସଂକଳ୍ପ ବେହେରା, ରଘୁନାଥ ବାରିକ, ନବଘନ ନାୟକ, ସୌରୀ ବେହେରା, ମକଦମ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର (ରାଜା), ବାଣପୁର ଏନଏସି ଚେୟାରମ୍ୟାନ ମିଟୁ ନାୟକ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁରବ୍ଲକ ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ, ଯୁବନେତା ଜଗତ ବଲ୍ଲଭ ମହାରଥା, ତୁମୁରାପୁଟ ଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ସେଠୀ, ଯଦୁ ପ୍ରଧାନ, ମନୋଜ ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହଯୋଗରେ ଦୁବାଇରୁ ଫେରିଲା ଶ୍ରମିକଙ୍କ ମୃତ ଦେହ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା ଅନ୍ତର୍ଗତ ସିଙ୍ଗେଶ୍ୱର ପଞ୍ଚାୟତ ସ୍ଥିତ ପାଟ୍ଟସାଣିପୁର ଗ୍ରାମର ବାସିନ୍ଦା ଲକ୍ଷ୍ମୀଧର ସାହୁ ହୃଦଘାତ ଜନିତ ସମସ୍ୟାରେ ପୀଡିତ ହୋଇ ଗତ ୧୦ ତାରିଖ ଦିନ ଦୁବାଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକ ଏହି ଖବର ଶୁଣି ମର୍ମାହତ ହୋଇଥିଲେ।

ତେବେ ଲକ୍ଷ୍ମୀଧରଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଥିବାରୁ ଦୁବାଇରୁ ତାଙ୍କ ମର ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାରବର୍ଗଙ୍କ ପାଖେ ଆବଶ୍ୟକ ସାଧନ ନ ଥିଲା। ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାଣିବା ପରେ, ସେ ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ସହିତ ଯୋଗାଯୋଗ କରି ଲକ୍ଷ୍ମୀଧରଙ୍କ ଶବ ଦୁବାଇରୁ ଚିଲିକା ଆଣିବାର ସମସ୍ତ ବ୍ୟବସ୍ଥା କରିଥିଲେ।

ଗତ କାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଶବ ଚିଲିକାରେ ପହଂଚିଲା ପରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଉକ୍ତ କାର୍ଯ୍ୟକୁ ଚିଲିକାବାସୀ ପ୍ରଶଂସା କରିଥିବା ବେଳେ, ସେ ସଦାସର୍ବଦା ଚିଲିକା ବାସୀଙ୍କ ସେବା ପାଇଁ ସମର୍ପିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏପରି କଥା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ବ୍ୟବସାୟକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପରଶ୍ରୀକାତର ତଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି । ଶନିବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ କାଳିଜାଇ, ମାଆ ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ। ଓଡ଼ିଶାର ଜନଜୀବନକୁ ବୁଝିବାକୁ ହେଲେ ଏହି ଅଞ୍ଚଳକୁ ଭଲରେ ବୁଝିବାକୁ ହେବ। ସୋରଣ ମାନସିଂହପୁର ଏକ ମତ୍ସ୍ୟଜୀବୀ ଆଧାରିତ ଗାଁ। ଚିଲିକାର ଖଇଙ୍ଗା ମାଛ ଭାରି ସ୍ୱାଦିଷ୍ଟ। ମାତ୍ର ଭୁବନେଶ୍ୱର ବଡ ବଡିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବଜା କରିବାକୁ ଚାହୁଁଛନ୍ତି। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ।

ଯଦି ଗୁଜୁରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ? ମତ୍ସ୍ୟଜୀବୀ ବିକାଶର ଲାଭ ଆଣିବା ପାଇଁ ହେଲେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଅନୁଯାୟୀଙ୍କୁ ଜିତାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବେରୋଜଗାରୀ କମିଛି। ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି। ମୋଦି ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଉଛନ୍ତି। କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି।  ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି।

ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି। ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି। ଏହା ଗରିବ ବିରୋଧୀ ସରକାରର ଲକ୍ଷଣ। ଓଡ଼ିଶାରେ ଓଡ଼ିଆ ଜାତି, ଆବେଗକୁ ଦବା ଯାଇପାରିବ ନାହିଁ। ଏଠାକାର ସରକାର ବିକାଶ ନୁହେଁ ବିନାଶ କରିଛନ୍ତି ବୋଲି ସେ କହିଛନ୍ତି।

ଏହି ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ସୋରଣ ମାନସିଂହପୁର ଠାରେ ମୋ ମାଟି ମୋ ଦେଶ  କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ୧୯୯୯ ମସିହାରେ ମାଫିଆଙ୍କ ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରତିବାଦ କରି ସୋରଣ ଗୁଳିକାଣ୍ଡରେ ଶହୀଦ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ମାଟି ମୋ ଦେଶ ଅଭିଯାନରେ ମାନସିଂହପୁରର ମାଟି ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପିତ ହେବା ଗୌରବ ବିଷୟ। କାରଣ ଏହି ମାଟିରେ ମହାପ୍ରଭୁଙ୍କ ସଂସ୍କାର ଅଛି।  ପଞ୍ଚସଖାଙ୍କ ଆଦର୍ଶ ଓ ବୀର ପାଇକଙ୍କ ସ୍ୱାଭିମାନ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରଗରମ ଚିଲିକା ରାଜନୀତି

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ରାଜନୀତି। ବିଜେଡି ଏଠାରେ ଜନସମ୍ପର୍କ ପଦଯାତ୍ରା ଜାରି ରଖିଥିବା ବେଳେ ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଜାରିରହିଛି।

ଏହି ପରିପ୍ରେକ୍ଷୀରେ ଚିଲିକା ରାଜନୀତିକୁ ଗତି ଦେବା ପାଇଁ ଆଜି ଚିଲିକା ନିର୍ବାଚନମଣ୍ଡଳି ଆସୁଛନ୍ତି କେନ୍ଦ୍ର ଶିକ୍ଷା ଓ ବୈଷୟିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ନିର୍ବାଚନମଣ୍ଡଳି ଅନ୍ତର୍ଗତ ମାନସିଂହପୁର ଏବଂ ସୋରଣ ପଞ୍ଚାୟତ ରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ପ୍ରଧାନ। ଅପରାହ୍ନ 4 ଘଟିକାରେ କେନ୍ଦ୍ର ମନ୍ତ୍ରୀ ମାନସିଂହପୁର ପଞ୍ଚାୟତରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଭାଗନେବେ।

ଏହାପରେ ଅପରାହ୍ନ 5 ଘଟିକାରେ ମାନସିଂହପୁର ସ୍ଥିତ କାଳିଜାଇ ଏମ.ଇ ସ୍କୁଲ ପଡିଆରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ସଭାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ ଶ୍ରୀ ପ୍ରଧାନ l ସାଧାରଣ ନିର୍ବାଚନକୁ ଆଖିରେ ରଖି ଉକ୍ତ ସମାବେଶର ପ୍ରସ୍ତୁତି ହେଉଥିବା ବେଳେ ଏଥିରେ ଚିଲିକା ନିର୍ବାଚନମଣ୍ଡଳିର ହଜାର ହଜାର ଦଳୀୟ କର୍ମୀ ଯୋଗଦେବେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାଚୁଣୀସ୍ଥିତ ପୂର୍ବତନ ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନକୁ ଯାଇ ସେଠାରେ କିଛି ସମୟ ଅତିବାହିତ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ତଥା ଚିଲିକା ନିର୍ବାଚନମଣ୍ଡଳିର ଆଶାୟୀ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆଶାୟୀ ବିଜେପି ପ୍ରାର୍ଥୀ ଡା ସମ୍ବିତ ପାତ୍ର ପରିଚାଳନା କରୁଥିବା ବେଳେ ସମସ୍ତ ବିଜେପି ଏବଂ ବିଜେପି ସମର୍ଥିତ ନିର୍ବାଚିତ ଜନ ପ୍ରତିନିଧି ମାନେ ସହଯୋଗ କରୁଛନ୍ତି।

ଅନୁରୂପ ଭାବେ ଆଜି ବାଣପୁରରେ ମା’ ଭଗବତୀଙ୍କ ପବିତ୍ର ଭେଟ ଅମାବାସ୍ୟା ଯାତ୍ରା ଥିବାବେଳେ ରାତିରେ ଉଭୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ସମ୍ବିତ ପାତ୍ର ଏଥିରେ ଯୋଗଦେବେ ବୋଲି ଜଣାପଡିଛି।