Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି। ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ। ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ। ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ। ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି। ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଓଡିଶାର ସହରଗୁଡ଼ିକର ତାଲିକା:

୧- ଭବାନୀପାଟଣା

୨- ଜଟଣୀ

୩- ଖୋର୍ଦ୍ଧା

୪- ସୁନ୍ଦରଗଡ

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ମୁଖପାତ୍ର ତଥା ଆଇଓସିଏଲ୍ ନିର୍ଦ୍ଦେଶକ ସୁଦୀପ୍ତ ରାୟଙ୍କ ପିତୃ ବିୟୋଗ

ଭୁବନେଶ୍ୱର : ରାଜ୍ୟ ବିଜେପି ମୁଖପାତ୍ର ଆଇଓସିଏଲ୍ ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟଙ୍କ ବାପା ଶ୍ରୀ କାଳୀଚରଣ ପାଇକରାୟଙ୍କ ଆଜି ଜଟଣୀସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ପାଇକରାୟଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସ୍ୱର୍ଗତଃ ପାଇକରାୟ ଜଟଣୀ ପିପିଲି ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଏବଂ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ । କଂଟି ଗ୍ରାମପଂଚାୟତର ୩ଥର ନାଏବ ସରପଂଚ, ସମବାୟ ସମିତି ସଭାପତି, ମିଷ୍ଟଭାଷୀ ଓ ପରୋପକାରୀ ସ୍ୱର୍ଗତଃ ରାୟ ଅଂଚଳରେ ଶିକ୍ଷାର ଉନ୍ନତି ପାଇଁ ଅନେକ ଶିକ୍ଷାନୁଷ୍ଠାନ ଗଢିଥିଲେ ।

ସ୍ୱଚ୍ଛତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ସ୍ୱର୍ଗତଃ ପାଇକରାୟ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଝିଅପିଲାମାନଙ୍କ ଅଗ୍ରାଧିକାରକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ । ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ବିଜେପି ନେତୃବୃନ୍ଦମାନେ ଗଭୀର ସମବେଦନା ଜଣାଇଛନ୍ତି ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ବ୍ଲକର ୩୦ ଜଣ ଓ ବାଲିଅନ୍ତା ବ୍ଲକର ୧୦ ଜଣ ମୋଟ ୪୦ ଜଣ ଆପଦ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏଥିରେ ଅଗ୍ନିଶମ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ଏବଂ ସିଭିଲ ଡିଫେନ୍ସର କର୍ମକର୍ତ୍ତା ମାନେ ତାଲିମ ପ୍ରଦାନ କରିବେ।

ଜିଲ୍ଲା ଦୁର୍ବିପାକ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଆପଦକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ କୂଳଦୀପ ପାଲଟାସିଂ ପ୍ରମୁଖ ସହଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଟଣୀରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଜଟଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଜଟଣୀ ଥାନା ରାଠିପୁର ଗ୍ରାମରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ଜମିର ଖାନ (୩୩) ଙ୍କ ନିକଟରୁ ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ହେବ। ଏ ସଂକ୍ରାନ୍ତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଟଣୀ: ୪୮୦ କିଲୋ ଭାଙ୍ଗ ସହ ୩ ବେପାରୀଙ୍କୁ ଗିରଫ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ

ଜଟଣୀ: ଓଡିଶା ଅବକାରୀ କମିଶନର ଆଶିଷ କୁମାର ସିଂହ ଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲି ଛକରେ ଚଢ଼ାଉ କରି ଏକ ବଡ଼ ଧରଣର ବେଆଇନ ଭାଙ୍ଗ ଚୋରାଚାଲାଣକୁ ରୋକିବାରେ ସଫଳ ହୋଇଛି।  ଆଜି ଅପରାହ୍ନରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ଗଜପତି ଆଡୁ ପୁରୀକୁ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ପିତାପଲ୍ଲୀ ଛକରେ ଉକ୍ତ ଗାଡିକୁ ମାଡ଼ି ବସିଥିଲେ ସାଧା ପୋଷାକରେ ଥିବା ଅବକାରୀ ଅଧିକାରୀ ମାନେ।

ଉକ୍ତ ଗାଡ଼ିରୁ ୪୮୦ କିଲୋ ଭାଙ୍ଗ ଜବତ ହୋଇଥିବା ବେଳେ ତିନି ଜଣ ଗିରଫ ହୋଇଛନ୍ତି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗଜପତି ଜିଲ୍ଲାର ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଉକ୍ତ ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ଏଏସଆଇ ନଟବର ମଲ୍ଲିକ, ଶେଖ ସକିର ଉଲ୍ଲା, କର୍ଣ୍ଣ ଓରାମ, ଦିଲଜିତ ଦାସ, ଗୌରାଙ୍ଗ ନାୟକ ଏବଂ ଦେବାଶିଷ ବେହେରା ଆଦି ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ନାଇଜରରେ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ନାଇଜରରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଥିବା ବେଳେ ନାଇଜରର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଇଜରକୁ କଣ୍ଟେନମେଣ୍ଟ ଜୋନ ଆଞ୍ଚଳ ଘୋଷଣା କରାଯାଇଛି। ହଷ୍ଟେଲରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୃଥକବାସରେ ରଖାଯାଇଛି। ସେଥିପାଇଁ ନାଇଜର ମଧ୍ୟକୁ ଯିବା ଉପରେ କଟକଣା ଲଗାଯାଇଥିବା ବେଳେ କୌଣସି ଲୋକ ନାଇଜରରୁ ବାହାରକୁ ଆସିବା ପାଇଁ ବାରଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଟଣୀରେ ଚଢ଼ାଉ କଲା ଖୋର୍ଦ୍ଧା ଅବକାରୀ ବିଭାଗ: ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଜଟଣୀରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ଅଞ୍ଚଳର ସୁହାନା ବିବି (୫୨)। ଜଟଣୀ କୁଦିଆରି ବଜାର ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତାଙ୍କ ନିକଟରୁ ୩୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୯/୨୧ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓଙ୍କୁ କୋଲକୋତାରୁ ଅଟକ ରଖିଲା ପୋଲିସ

ଖୋର୍ଦ୍ଧା: ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓଙ୍କୁ ପୋଲିସ ଅଟକ ରଖିଛି। କୋଲକୋତାରୁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କୁ ଜଟଣୀ ପୋଲିସ କାବୁ କରିଛି। ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରୁ ଟଙ୍କା ହଡପ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା।

ସେ ବିଶ୍ୱବିଦ୍ୟାଳୟରୁ ୧ କୋଟି ୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସେ ଗତ ଡିସେମ୍ବର ମାସରୁ ଫେରାର ହୋଇଯାଇଥିଲେ। ହେଲେ ଯୋଜନାବଦ୍ଧ ଭାବେ ହିମାଂଶୁଙ୍କୁ ଜଟଣୀ ପୋଲିସ ଅଟକ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାହାରିଲା ଖୋର୍ଦ୍ଧା ଜିଲ୍ଲାର ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା

ଭୁବନେଶ୍ବର: ରାଜ୍ୟ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ବେଶ ତତ୍ପର ହୋଇ ଉଠିଛନ୍ତି। ତେବେ ଏହି ନିର୍ବାଚନ ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ବିଭିନ୍ନ ପଞ୍ଚାୟତ ସମିତ ଏବଂ ଜିଲ୍ଲାପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରିଛନ୍ତି। ତେବେ ଏହା ଚୁଡାନ୍ତ ତାଲିକା ନୁହେଁ। ଜିଲ୍ଲା ଲୋକଙ୍କର ଅଭିଯୋଗ ପରେ ଏଥିରେ ସଂଶୋଧନ କରାଯିବ।

ସେଥିପାଇଁ ଏହି ତାଲିକା ଜିଲ୍ଲାର ସମସ୍ତ ବ୍ଲକ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମସ୍ତଙ୍କ ଅବଗତି ପାଇଁ ମରାଯିବ। ଏହି ସଂରକ୍ଷଣ ଉପରେ କାହାର ଅଭିଯୋଗ ଥିଲେ ସେମାନେ 16 ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବେ। ଏହି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଡାକଯୋଗେ କିମ୍ବା ଇମେଲ କରିପାରିବେ। ତେବେ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ହୋଇଛି ତାହା ହେଲା…

ପଞ୍ଚାୟତ ସମିତି ସଂରକ୍ଷଣ ତାଲିକା ଖୋର୍ଦ୍ଧା

ଖୋର୍ଦ୍ଧା- ପଛୁଆବର୍ଗ , ଚିଲିକା-ଅନୁସୂଚିତ ଜାତି ମହିଳା, ଜଟଣୀ- ଅଣସଂରକ୍ଷିତ, ଟାଙ୍ଗି-ମହିଳା, ବାଣପୁର-ଅସଂରକ୍ଷିତ, ବାଲିଅନ୍ତା-ମହିଳା, ବାଲିପାଟଣା-ଅନୁସୂଚିତ ଜାତି, ବେଗୁନିଆ-ଅନୁସୂଚିତ ଜନଜାତି ମହିଳା, ବୋଲଗଡ- ପଛୁଆବର୍ଗ ମହିଳା , ଭୁବନେଶ୍ବର – ଅଣସଂରକ୍ଷିତ

ଜିଲ୍ଲା ପରିଷଦ ଜୋନ ସଂରକ୍ଷଣ ତାଲିକା ଖୋର୍ଦ୍ଧା

ଖୋର୍ଦ୍ଧା 1- ଅସଂରକ୍ଷିତ, ଖୋର୍ଦ୍ଧା 2- ଅନୁସୂଚିତଜାତି ମହିଳା, ଖୋର୍ଦ୍ଧା 3 – ମହିଳା, ଚିଲିକା 4- ମହିଳା, ଚିଲିକା 5- ଅନୁସୂଚିତ ଜାତି ମହିଳା, ଚିଲିକା 6- ମହିଳା, ଜଟଣୀ 7 – ପଛୁଆବର୍ଗ ମହିଳା, ଜଟଣୀ 8 – ମହିଳା. ଟାଙ୍ଗୀ 9 – ଅଣସଂରକ୍ଷିତ

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ମିଶ୍ରଣ ପର୍ବ: ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ ଅଛନ୍ତି।

ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦଳ ଅଧିକ ସୁଦୃଢ ହେଲା ବୋଲି ମତପ୍ରକାଶ କରିଥିଲେ।

ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଲକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ, ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସଭ୍ୟ ଯୁଧୀଷ୍ଠିର ସାହୁ, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ ସଭ୍ୟ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ, ରୀନା ସାମଲ, ପାରୀଓରଡ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ-ଅପରେଟିଭ୍ ସୋସାଇଟି ସଭାପତି ଲକ୍ଷ୍ମଣ ନାୟକ, ରାମେଶ୍ୱର କୋ-ଅପରେଟିଭ୍ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ୱାର୍ଡ ସଭ୍ୟ ଜବର ଖାନ, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍‌ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ଛତାବର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମୋହିନି ନାୟକ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ବେହେରା, କଂଗ୍ରେସ ୱାର୍ଡ଼ ସଭ୍ୟ ଭାଗିରଥୀ ବେହେରା, ଅପର୍ତ୍ତୀ ସାହୁ, କଂଗ୍ରେସ ଦଳିତ ମହାସଂଘ ସଭାପତି ରଘୁନାଥ ନାୟକ, ପୂର୍ବତନ ୱାର୍ଡ଼ ସଭ୍ୟ ପିଙ୍କୁ ବେହେରା, କଂଗ୍ରେସର ପୂର୍ବତନ ୱାର୍ଡ଼ ସଭ୍ୟ ଭଗବାନ ନାୟକ, ପୁଷ୍ପଲତା ଜେନା, ଗୋବର୍ଦ୍ଧନ ମୁଦୁଲି, ଜ୍ୟୋତ୍ସ୍ନାରାଣୀ ସାହୁ, କଂଗ୍ରେସ ଯୁବ ନେତା ପବିତ୍ର ଲେଙ୍କା, ମଦନପୁର ସମିତି ସଭ୍ୟା ଗୌରୀ ଦେହୁରୀ, କଂଗ୍ରେସ ୱାର୍ଡ଼ ସଭ୍ୟ ରାଧୁ ନାୟକ ଓ କେଦାର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଓ ବିଜେପି ଦଳରୁ ଇସ୍ତଫା ଦେଇ ଆଜି ବିଜେଡ଼ିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା ଓ ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।