Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମରେ କରୋନା କଟକଣା: ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ ପରିବେଷଣ କରିବାକୁ ନିର୍ଦ୍ଦେଶ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ବିବାହ ଉତ୍ସବରେ କଟକଣା ଲାଗୁ କରିଛି। ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଆଜି ଗଞ୍ଜାମ ପାଇଁ କଟକଣା ଜାରି କରିଛନ୍ତି। ସର୍ବାଧିକ ୧୦୦ ଜଣ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିବାହ ଉତ୍ସବରେ ଅତିଥିଙ୍କ ପାଇଁ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଥଲେଟ୍ ସିଦ୍ଧାର୍ଥ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରମେଶ ମହାନ୍ତି
ଜଗତସିଂହପୁର: ସଡକ ସୁରକ୍ଷା ମାସ ପାଳନ ଅବସରରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଭାରତୀୟ ସୈନ୍ୟ ବିଭାଗର ପୂର୍ବତନ ସୈନିକ ସିଦ୍ଧାର୍ଥ ଦାସ ୧୦ ଦିନରେ ୫୦୦କି.ମି ଦୌଡ଼ି ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜଗତସିଂହପୁର ବସଷ୍ଟାଣ୍ଡ ଠାରେ ସିଦ୍ଧାର୍ଥ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଓ ମୋଟର ଯାନ ନିରୀକ୍ଷଣ ପଞ୍ଚାନନ ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ସିଦ୍ଧାର୍ଥ ଦାସ ଏକ ଶୋଭାଯାତ୍ରାରେ ବୃନ୍ଦାବନ ବିଦ୍ୟାପୀଠ, ମାର୍କଣ୍ଡପୁର ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ବୃନ୍ଦାବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ସିଦ୍ଧାର୍ଥ ଦାସଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ସିଦ୍ଧାର୍ଥ ଦାସ ସାତପୁରା-ଧନିପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରିଡ଼ା କାର୍ଯ୍ୟାଳୟର କାଜଲ ମଲ୍ଲିକ, ଗୋରେଖନାଥ ଟ୍ରାଭେଲ୍ସର ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ପାଇଁ ନୂଆବର୍ଷ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଉ ଗୋଟିଏ ଦିନ ପରେ ନୂଆବର୍ଷ ଆସିଯିବ। ଏହାକୁ ପାଳନ କରିବାକୁ ଜିଲ୍ଲାବାସୀ ବହୁତ ଦିନରୁ ଅପେକ୍ଷା କରିଥିଲେ। କିଏ କେଉଁ ପିକ୍‌ନିକ ସ୍ପଟ୍‌କୁ ଯାଇ ବଣଭୋଜି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆବର୍ଷ ପାଳିବା ପାଇଁ କଟକଣା ଜାରି ହୋଇଛି।

ଜିଲ୍ଲାପ୍ରଶାସନର କୋଭିଡ଼-୧୯ ଗାଇଡ଼୍ ଲାଇନ୍‌ର ନିର୍ଦ୍ଦେଶ ପ୍ରକାରେ ଗଂଜାମ ଜିଲ୍ଲାରେ ହୋଟେଲ୍‌, କ୍ଲବ୍‌, କନ୍‌ଭେନସନ ହଲ୍‌, କଲ୍ୟାଣ ମଣ୍ଡପ, ଛାତଘର ଉପରେ କେହିବି ଜିରୋ ନାଇଟ୍ ସେଲିବ୍ରେସନ କରିବାକୁ ଅନୁମତି ଦିଆଯିବ ନାହିଁ। ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଅଧିକ ଲୋକ ଏକ୍ରତିତ ହେବାକୁ କଡ଼ାକଡ଼ି ମନା କରାଯାଇଛି। ଗୋପାଳପୁର ଏବଂ ସୋନପୁର ବେଳାଭୂମିକୁ ୩୧ ତାରିଖ ଏବଂ ଜାନୁୟାରୀ ୧ ତାରିଖ ପର୍ଯ୍ୟଟକଙ୍କ ପାଇଁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି।

ଜିଲ୍ଲାର ପିକ୍‌ନିକ୍ ସ୍ପଟ ଯଥା ତପ୍ତପାଣି, ମହୁରିକାଳୁଆ, ବାଳକୁମାରୀ, ବାଙ୍କେଶ୍ୱରୀ, ଉଜଳେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ୩୧ ଓ ୧ ତାରିଖ ଦିନ କଟକଣା ଜାରି ହୋଇଛି। ଏହାକୁ ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କୁ ୧୮୮ ଆଇପିସି, ଏପିଡ଼ିିମିକ୍ ଆକ୍ଟରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ୧୯୯୯ ମହାବାତ୍ୟା ବାର୍ଷିକୀ ପାଳନ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ପ୍ରକୃତିର ଏହି କରାଳ କାଳରେ ସଂମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜିଲ୍ଲାରେ ସର୍ବାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ପ୍ରାୟ ୩ଲକ୍ଷ ବାସଗୃହ ସଂମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏବେବି ତାହା ଲୋକଙ୍କ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିଥାଏ।

ଏହି ମହାବାତ୍ୟାର ବାର୍ଷିକୀ ଉପଲକ୍ଷେ କରୋନା ପରିସ୍ଥିତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲେ ମଧ୍ୟ ଏହି ମହାବାତ୍ୟାରେ ମୃତ୍ୟୁ ବରଣ କରିଥିବା ଜିଲ୍ଲାବାସୀଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସ୍ମୃତି ସ୍ତମ୍ବରେ ପ୍ରଦୀପ ଉଜ୍ୱଳନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିଜୟଲକ୍ଷ୍ମୀ ନାୟକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ପ୍ରଦୀପ ଉଜ୍ୱଳନ ସହ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗ୍ୟାନେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ : ନିର୍ବାଚନୀ ଖର୍ଚ୍ଚ ୨୮ଲକ୍ଷ, ୧୦ ହଜାର ଟଙ୍କାରୁ ଅଧିକ ନେଣଦେଣ ପାଇଁ ଚେକ୍ ଆବଶ୍ୟକ

ରମେଶ ମହାନ୍ତି

ଜଗତସିଂହପୁର : ସୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳର ପ୍ରାର୍ଥୀ , ସ୍ୱାଧୀନ ପ୍ରାର୍ଥୀ ଏବଂ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ତିର୍ତ୍ତୋଲ ଉପନିର୍ବାଚନ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ଟି ପଡିଆ ଚିହ୍ନଟ କରାଯାଇଛି। ଚିହ୍ନିତ ପଡିଆକୁ ଛାଡି ଅନ୍ୟ ଯାଗାରେ ସଭା ସମିତି କରିପାରିବେ ନାହିଁ। ରୋଡ୍ ସୋ ଶୋଭାଯାତ୍ରାରେ ୫ଟି ଗାଡିରୁ ଅଧିକ ବ୍ୟବହାର କରିପାରିବେ ନାହିଁ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭାରେ ୨୦୦ଜଣରୁ ଅଧିକ ସମାଗମ ହୋଇପାରିବେ ନାହିଁ। ଏଥର ନିର୍ବାଚନରେ ନୂଆକରି ୮୦ ବର୍ଷରୁ ଉର୍ଦ୍ଧ ଭୋଟର , ଭିନ୍ନକ୍ଷମ ଭୋଟର, କରୋନା ସଂକ୍ରମିତ ବା ସଂକ୍ରମଣ ସନ୍ଦେହରେ ଥିବା ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଘରେଥାଇ ମତଦାନ କରିପାରିବେ ଯାହାକି ଏଥିନିମନ୍ତେ ନିର୍ବାଚନ ମଣ୍ଡଳୀରୁ ୩୬୮୧ ଜଣ ଉକ୍ତ ବର୍ଗର ଭୋଟର ସମ୍ମତି ଜଣାଇଛନ୍ତି। ଅକ୍ଟୋବର ୨୨ ତାରିଖରୁ ୩୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଟିମ୍ ଯାଇ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଗୋପନୀୟ ଭାବେ ମତଦାନର ବ୍ୟବସ୍ଥା କରିବେ। ମୋଟ୍ ୩୬ଟି ସ୍ୱତନ୍ତ୍ର ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ପ୍ରତ୍ୟେକ ବୁଥ୍ ସାନିଟାଇଜ୍ ହେବାସହ କରୋନା ଆକ୍ରାନ୍ତ ମାନେ ଶେଷ ଘଣ୍ଟାରେ ମତଦାନ କରିବେ। ବୁଥ୍ ରେ ସାନିଟାଇଜର୍ ଓ ଗ୍ଲୋଭ୍ ସ୍ ସମସ୍ତ ଭୋଟରଙ୍କୁ ଯୋଗାଇ ଦିଆଯିବା ସହିତ ଥର୍ମାଲ୍ ସ୍କାନିଂ କରାଯିବ। ଯେଉଁ ମାନଙ୍କର ତାପମାତ୍ରା ଅଧିକ ରହିବ ସେମାନେ ଶେଷ ଘଣ୍ଟାରେ ମତଦାନ କରିବେ। ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ଯୋଗଦେଇ କହିଲେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ନିର୍ବାଚନୀ ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହି କୋଭିଡ୍ ପ୍ରୋଟକଲ୍ ତଦାରଖ କରିବେ। ଉକ୍ତ ବୈଠକରେ ଉପସ୍ଥିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗେଶ ଶୁଖଦେବ୍ ଚିତ୍ତେ କହିଲେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୨୮ ଲକ୍ଷ ଟଙ୍କା ଭାରତୀୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି।

୧୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ପାଇଁ ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରିପାରିବେ। ସଭାସମିତି ପାଇଁ ଗାଡି ଅଧିଗ୍ରହଣ ବାଧ୍ୟତାମୂଳକ । ଅକ୍ଟୋବର ୨୧ ତାରିଖ ଅପରାହ୍ନ ୩ଟାରେ ଇଭିଏମ୍ ଭିଭିପାର୍ଟ ରାଣ୍ଡମାଇଜେସନ୍ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ ହେବ। ୨୨ ଅକ୍ଟୋବରରୁ ବାଲାଟ୍ ପେପର କମିଶନିଙ୍ଗ କରାଯିବ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ଯୋଗଦେଇ କହିଲେ ନିର୍ବାଚନମଣ୍ଡଳୀରେ ୧୫୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ପ୍ରାର୍ଥୀମାନେ ସୁରକ୍ଷା ଦୃଷ୍ଟିରୁ ଅସୁରକ୍ଷିତ ମନେକଲେ ଓ ଲେଖି ଜଣାଇଲେ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯିବ। ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚିଦାନନ୍ଦ ସାହୁ ଏହି ବୈଠକରେ  ଯୋଗଦେଇଥିଲେ। ଏଥିସହିତ ଉକ୍ତ ବୈଠକରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତ ୯ଜଣ ପ୍ରାର୍ଥୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଓ ସ୍ଥାନ ପରିବର୍ତ୍ତନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୨. ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ନିର୍ବାଚନ ଆୟୋଗ ଭାରତ ସରକାରଙ୍କ ପତ୍ରସଂଖ୍ୟା – 64/0R/2020-ES-ll ତା ୧୦.୦୯.୨୦୨୦ ରିଖ ଅନୁଯାୟୀ ୧୦୮ ଗୋଟି ସହାୟକ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଏବଂ ୫ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଅନୁମୋଦନ ଲାଭ କରିଛି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ପତ୍ରସଂଖ୍ୟା EC-Rev-PROG-0006-2000-3261 ତା ୦୨.୦୯.୨୦୨୦ରିଖ ଅନୁଯାୟୀ ୧୭୯ ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ନାମ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ନିଜ ଭୋଟ୍ ଗ୍ରହଣ କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର, ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ, ସମ୍ପୃକ୍ତ ପଞ୍ଚାୟତ ସମିତି, ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କଲା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଚିଲିକା ନିର୍ବାଚନମଣ୍ଡଳୀ ରେ ତାର କାୟା ବିସ୍ତାର କରୁଛି। ବର୍ତ୍ତମାନ ଅନଲକ ୪.୦ ରେ ପ୍ରାୟତଃ ନବେ ପ୍ରତିଶତ କଟକଣା ଉଠିଯାଇଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ରେ ଏହାର ଓଲଟା ପ୍ରଭାବ ପଡ଼ିଛି।  କଟକଣା ଉଠିଯିବାରୁ ପ୍ରତିଦିନ ଦୋକାନ ବଜାରରେ ଭିଡ଼ ଜମିବା ସହ ଗାଁ ଗହଳିରେ କେହି କୋଭିଡ ଗାଇଡଲାଇନ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି।

ଗତ ସପ୍ତାହରେ ଲଗାତାର ତିନି ଦିନ ଧରି ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ହୋଇଥିବାସ୍ଥଳେ ଗତ ଦୁଇଦିନ ହେବ ପରିସ୍ଥିତି ସ୍ୱାଭାବିକ ଥିଲା। ହେଲେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

କୁଲେଇ ପଞ୍ଚାୟତର ବିଂଝଳା ଏବଂ କୁଲେଇ ଗ୍ରାମ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ବରପାଟଣା ଗ୍ରାମ, ନାଚୁଣୀ ପଞ୍ଚାୟତର କହେଁଇପୁର ଏବଂ ବଡ଼ପଦର ଗ୍ରାମ, ଭବାନୀପୁର ପଞ୍ଚାୟତର ଭବାନୀପୁର ଗ୍ରାମ, କୁମାରାଙ୍ଗ ପଞ୍ଚାୟତର କୁମାରାଙ୍ଗ ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମ, ଗାଲୁଆ ପଞ୍ଚାୟତର ମାଟିଆପୋଖରୀ ଗ୍ରାମ ଏବଂ ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମକୁ ଆଜି ତା ୨୨.୦୯.୨୦ ଠାରୁ ତା ୨୯.୦୯.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାହକଙ୍କ ଠିକଣା ନ ରଖିଲେ ହଜାର ଟଙ୍କାର ଫାଇନ୍‌ ଗଣିବେ ଦୋକାନୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଥିବା ସମସ୍ତ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଗ୍ରାହକଙ୍କ ଠିକଣା ନ ରଖିଲେ ହଜାରଟଙ୍କାର ଫାଇନ୍‌ ଗଣିବା ନେଇ ନିର୍ଦ୍ଦେଶ ରହିଛି । ଦୋକାନୀ ଗ୍ରାହକଙ୍କ ଠିକଣା ଲେଖି ରଖିବେ, ନ ହେଲେ ଦୋକାନ ସିଲ୍‌ ହେବ। ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନୀ ମାଲିକ ହଜାରେ ଟଙ୍କା ଫାଇନ୍‌ ଦେବେ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଦୋକାନୀମାନେ ଗ୍ରାହକଙ୍କ ଫୋନ୍‌ ନମ୍ବର ସହ ସବିଶେଷ ତଥ୍ୟ ରଖିବେ ଦୋକାନୀ।

ସମସ୍ତ ଦୋକାନୀ ସାମାଜିକ ଦୂରତ୍ବା ବଜାୟ ରଖିବା ସହ ମାସ୍କ ଏବଂ ଗ୍ଲୋଭସ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର୍‌ ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଦୋକାନ ପାଖରେ ଗ୍ରାହକଙ୍କ ଛିଡା ହେବା ପାଇଁ ଦୁଇ ମିଟର ଦୂରତାରେ ଗୋଲ୍‌ ବୁଲାଇବା ପାଇଁ କୁହାଯାଇଛି । ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ।

ସୂଚନାଯାଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 538ରେ ପହଞ୍ଚିଥିବାବେଳେ ଗଞ୍ଜାମରେ 200 ପାର୍‌ କରିଛି। ସେହିପରି ଗଞ୍ଜାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି।