ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କଲା ଜିଲ୍ଲା ପ୍ରଶାସନ

Published: Sep 22, 2020, 9:01 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଚିଲିକା ନିର୍ବାଚନମଣ୍ଡଳୀ ରେ ତାର କାୟା ବିସ୍ତାର କରୁଛି। ବର୍ତ୍ତମାନ ଅନଲକ ୪.୦ ରେ ପ୍ରାୟତଃ ନବେ ପ୍ରତିଶତ କଟକଣା ଉଠିଯାଇଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ରେ ଏହାର ଓଲଟା ପ୍ରଭାବ ପଡ଼ିଛି।  କଟକଣା ଉଠିଯିବାରୁ ପ୍ରତିଦିନ ଦୋକାନ ବଜାରରେ ଭିଡ଼ ଜମିବା ସହ ଗାଁ ଗହଳିରେ କେହି କୋଭିଡ ଗାଇଡଲାଇନ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି।

ଗତ ସପ୍ତାହରେ ଲଗାତାର ତିନି ଦିନ ଧରି ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ହୋଇଥିବାସ୍ଥଳେ ଗତ ଦୁଇଦିନ ହେବ ପରିସ୍ଥିତି ସ୍ୱାଭାବିକ ଥିଲା। ହେଲେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

କୁଲେଇ ପଞ୍ଚାୟତର ବିଂଝଳା ଏବଂ କୁଲେଇ ଗ୍ରାମ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ବରପାଟଣା ଗ୍ରାମ, ନାଚୁଣୀ ପଞ୍ଚାୟତର କହେଁଇପୁର ଏବଂ ବଡ଼ପଦର ଗ୍ରାମ, ଭବାନୀପୁର ପଞ୍ଚାୟତର ଭବାନୀପୁର ଗ୍ରାମ, କୁମାରାଙ୍ଗ ପଞ୍ଚାୟତର କୁମାରାଙ୍ଗ ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମ, ଗାଲୁଆ ପଞ୍ଚାୟତର ମାଟିଆପୋଖରୀ ଗ୍ରାମ ଏବଂ ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମକୁ ଆଜି ତା ୨୨.୦୯.୨୦ ଠାରୁ ତା ୨୯.୦୯.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Related posts