Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ  ସାଫଲ୍ୟ ମଣ୍ତିତ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସ୍ତରରୁ ତମାଖୁ ଓ ନିଶା ଦ୍ରବ୍ୟ ସେବନ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଅନେକ ସମୟରେ ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ଓ ନୀତିଭ୍ରଷ୍ଟ ହେବା ସହ ପରିବାରରେ ବିଶୃଙ୍ଖଳା ହେଉଥିବା ଲକ୍ଷ କରାଯାଉଛି। ତମାଖୁ ବିକ୍ରି, ଶିକ୍ଷାନୁଷ୍ଠାନ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ତମାଖୁମୁକ୍ତ,କୋଟପା ଆଇନର କାର୍ଯ୍ୟକାରିତା, ବିଜ୍ଞାପନ ମାଧ୍ୟମରେ ସତର୍କ ସୂଚନା, ତମାଖୁ ସେବନରେ କ୍ୟାନସର,ହୃଦରୋଗ , ଯକୃତ ରୋଗ ହେଉଥିବା ଉପରେ ସେ ମତ ଦେଇଥିଲେ।

ଚଳିତ ବର୍ଷ ୧୦ଟି ସ୍ଥାନରେ ଚଢାଉ କରାଯାଇ ୧୬୧ ଜଣଙ୍କ ଠାରୁ ୨୧୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜିଲ୍ଲାର ୬୦ଟି ହାଇସ୍କୁଲ ଓ ୪ଟି ମହାବିଦ୍ୟାଳୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ.ମୁର୍ମୁ, ଡିପିଏଚଓ ଡଃ ପ୍ରଶାନ୍ତ ଦାଶ, ଏଡିଏମ୍ଓ ଡଃ ବିଶ୍ବମୋହନ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ଅମ୍ରିତା ପ୍ରୀତିନନ୍ଦା, ଅବକାରୀ ଉପ ଆରକ୍ଷୀ ଅଧୀକ୍ଷକ ସୁମିତ୍ରା ଓରାମ, ଜିଲ୍ଲା ଶିଳ୍ପ କେନ୍ଦ୍ରର  ସୁଶାନ୍ତ କୁମାର ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ।

ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଟୁଡି ଓ ଥ୍ରୀଡି ଭିଜୁଆଲ୍ ଆର୍ଟ, ସ୍ବଦେଶୀ ଖେଳନା ଓ ଖେଳ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ, ଗୋପାଳକୃଷ୍ଣ ଦାସ ଯୋଗଦେଇ ପ୍ରକୃତି ଓ ମାନବ ସଭ୍ୟତା ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଓ ନୂଆଁଖାଇ ସମଗ୍ର ରାଜ୍ୟରେ ଭାଇଚାରାର ପରବ ଭାବେ ପାଳନ କରାଯାଉଛି। ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ଏବଂ ନୂଆଁଖାଇ ଆମ ସାଂସ୍କୃତିକ ବିବିଧତାର ପ୍ରମୁଖ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ନାରାୟଣ ରାଓ ନୂଆଁଖାଇ ପରବ ଅତ୍ୟନ୍ତ ପ୍ରାଚୀନ ଓ ମାଦଳା ପାଞ୍ଜିରେ ଏ ସଂପର୍କରେ ଉଲ୍ଲେଖ ଥିବା କହିଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନର ବିଭିନ୍ନ ବିଧିବିଧାନ ସଂପର୍କରେ ପ୍ରଫେସର ରାଓ କହିବା ସହ ବର୍ତ୍ତମାନର ପର୍ବପର୍ବାଣୀ ସହ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଉପକ୍ରମ ଯୋଡି ହେଉଥିବା କହିଥିଲେ। ସେ ନିଜର ଅଭିଜ୍ଞତା ପୂର୍ଣ୍ଣ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ନିମନ୍ତେ ପରିବାର ସହ ମିଶିବାର ଉତ୍ସାହିତ ହେବା ହେଉଛି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହେମନ୍ତ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା। ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଅବନୀ ମହାପାତ୍ରଙ୍କ ସମେତ ନିହାର ଠାକୁର, ହିମାଂଶୁ ବାରିକ, ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ। ଚଳିତ ବର୍ଷର ସ୍ଲୋଗାନ” ତମାଖୁ ଆମ ପରିବେଶ ପ୍ରତି ବିପଦ”ଏବଂ ଏହା ଉପରେ ଗୁରୁତ୍ବ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।ଏହି ଦିବସର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯକ୍ରମ ହୋଇଥିଲା।

ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ପ୍ରତିଯୋଗିତା ରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ସଭା କାର୍ଯକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପ୍ରତିଟି ଶିଶୁ ସମାଜରେ ପ୍ରସ୍ଫୁଟିତ ହେବାକୁ ଥିବା ଗୋଟେ ଗୋଟେ ନବ କଳିକା। ଯେଉଁ ମାନଙ୍କୁ ଦରକାର ଟିକେ ସ୍ନେହ, ଆଦର ଓ ଉତ୍ସାହ। ସେହି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ବୋଲି ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ସମ୍ମାନିତ ଅତିଥି ପିଡ଼ି,ଡିଆରଡିଏ ସୋମେଶ ଉପାଧ୍ୟାୟ, ଏଡିଇଓ ଟେମଲାଲ ଦୁବେ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ଥିଲେ। ଏ

ହି ଅବସରରେ ଜିଲ୍ଲାର ୧୩ଟି ବ୍ଲକରୁ ଛାତ୍ରଛାତ୍ରୀ ମାନେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନି କାର୍ଯ୍ୟକ୍ରମରେ ଡିଇଓ ଶ୍ରୀ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ବିଇଓ ଭବାନୀପାଟଣା ଜଗନ୍ନାଥ ପୁରୋହିତ, ବିଇଓ ରାମପୁର ଠାକୁର ସାହୁ, ବିଇଓ କେସିଙ୍ଗା, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଡିଏସଏସ ପ୍ରକାଶ ନିଶଙ୍କ, ଏଫସି ସାଧୁ ଶରଣ ପ୍ରସାଦ, ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଏଡିଇଓ ଟେମଲାଲ ଦୁବେ। ଅତିଥିମାନେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ, ପ୍ରଭାତ ସାହୁ, ଲଳିତ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ, ଅଜିତ ପଧାନ, ପ୍ରମୁଖ ସହଯୋଗ କରିଥିଲେ।