Categories
ଆଜିର ଖବର ରାଜ୍ୟ ଖବର

ସିଏସଆଇଆର-ଆଇଏମଏମଟି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱର ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପକ୍ଷରୁ ଆଜି ଏକ ବୈଜ୍ଞାନିକ-ଛାତ୍ରଛାତ୍ରୀ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସିଏସଆଇଆର- ଆଇଏମଏମଟିର ବୈଜ୍ଞାନିକ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଜିଜ୍ଞାସା ଦ୍ୱାରା କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଏମବିବି ସାଇନ୍ସ କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଭର୍ସିଟୀ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଜି୨୦ ଓ ଭବିଷ୍ୟତର ଶିକ୍ଷା ଓ ଗବେଷଣା କାର୍ଯ୍ୟ ଉପରେ ଆଲୋଚନାଚକ୍ର, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ଗବେଷଣାଗାର ପରିଦର୍ଶନ, ବୈଜ୍ଞାନିକ ପ୍ରୟୋଗ ପ୍ରଦର୍ଶନ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଭବିଷ୍ୟତର କାର୍ଯ୍ୟ ବିଷୟରେ ଆଲୋଚନା, ଆଇଏମଏମଟି ପରିସରରେ ଥିବା ଜିଜ୍ଞାସା ଉଦ୍ୟାନ (ଔଷଧିୟ, ସୁଗନ୍ଧିତ ଏବଂ ପୁଷ୍ପଉଦ୍ୟାନ) ପରିଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଦୁଇଟି ବର୍ଗରେ ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଅପରାହ୍ଣରେ, ସିଏସଆଇଆର ଆଇଏମଏମଟି ପରିସରରେ ଥିବା ଆମ୍ବ ଉଦ୍ୟାନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଜି୨୦ ଏବଂ ଭବିଷ୍ୟତର କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜାତୀୟ ଦକ୍ଷତା ବିକାଶ ଆୟୋଗ (ଏନଏସଡିସି)ର ଡିଜିଏମ ଶ୍ରୀମତୀ ଭାବନା ବର୍ମା ମୁଖ୍ୟ ଅତିଥି, ଏନଏସଡିସିର ଅଧିକାରୀ ଦେବୀ ପ୍ରସାଦ ଏବଂ ସ୍ମୃତି ରଞ୍ଜନ  ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ତଥା ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ନୋଡାଲ ଅଧିକାରୀ ଡକ୍ଟର ଅଶୋକ କୁମାର ସାହୁ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବୀ ପ୍ରସାଦ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଆଜି ଆଇଆଇଏମ ସମ୍ବଲପୁର ସହଯୋଗରେ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଗଣଦୌଡ଼  ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ଭାରତ ଜି-୨୦ ଅଧ୍ୟକ୍ଷତାକୁ ଜନସଚେତନତା ସୃଷ୍ଟି କରିଥିଲେ।

ଅନ୍ୟପଟେ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମିନି-ମାରାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିପରି ଏନଆଇଟି ପରିସରରେ ‘ଜାତୀୟ ଉଦ୍ୟମିତା ଶିଖର ସମ୍ମିଳନୀ ୨୦୨୩’ ଆଜି ଉଦଘାଟିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ଉପ ଆୟୁକ୍ତ ରୋନିତ କୁମାର ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ଉଦ୍ୟୋଗୀମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଉପରେ ସଚେତନ କରାଯାଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି ପକ୍ଷରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ କ୍ରିକେଟ, ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱରସ୍ଥିତ ସିପେଟ୍‌ ଆଇପିଟି ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିୟୁଟିଏମ୍‌ ଓ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ଆଜି ସେଞ୍ଚୁରିଅନ ୟୁନିଭର୍ସିଟୀ ଅଫ୍‌ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିଏମ) ପକ୍ଷରୁ ଗଜପତି ଜିଲ୍ଲାରେ ଏକ ଗ୍ରାମୀଣ ହାଟ ଆୟୋଜନ କରାଯାଇଥିଲା। ହାଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଘରକରଣା ସାମଗ୍ରୀ ବିକ୍ରି କରାଯାଇଥିଲା। ସିୟୁଟିଏମର ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳରେ ଜି-୨୦ ବୈଠକକୁ ନେଇ ସଚେତନତା ସୃଷ୍ଟି କରିଥିଲେ।

ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ବୈଠକର ଅଂଶବିଶେଷ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଏକ ସ୍ଲୋଗାନ୍‌ ଲେଖା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଜି୨୦ ସମ୍ମିଳନୀର ପ୍ରଚାର ଉଦ୍ଦେଶ୍ୟରେ ସ୍ଲୋଗାନମାନ ଲେଖିଥିଲେ। ସେହିପରି ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କିଟ୍‌, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର/ପୁରୀ: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ଶିଖର ଚଣ୍ଡି ପାହାଡ଼ ଉପରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। କିଟ୍‌ ବିଶ୍ୱବିଦ୍ୟାଳୟର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ପାହାଡ଼ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପୁରୀ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଆଜି ପ୍ରତିଷ୍ଠାନ ପରିସରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏଥିରେ ୧୫୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗ ଦେଇ ବ୍ୟାଡମିଣ୍ଟନ ଓ ଲନ୍‌ ଟେନିସ୍‌ ଖେଳିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି.ଅଗ୍ରୱାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ହେବରା, ପ୍ରଫେସର ଏ.କେ ମହାପାତ୍ର, ଡକ୍ଟର ଡି.କେ ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଜର ଏବଂ ଏନଆଇଏଫଏମଡି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇଛି ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଜର)। ଗୁରୁବାର ପ୍ରତିଷ୍ଠାନ ପକ୍ଷରୁ ବ୍ରହ୍ମପୁର କେନ୍ଦ୍ର ବିଦ୍ୟାଳୟ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଶିଷ୍ଟ ଭାରତୀୟ ଜୈବ ରସାୟନ ବିଜ୍ଞାନୀ ୱାଇ ସୁବାରାଓଙ୍କ ଯୋଗଦାନ ବିଷୟରେ ଅବଗତ କକରାଯାଇଥିଲା। ଏଥିରେ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଜନଭାଗିଦାରୀ: ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହେଲା ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗୁରୁବାର ଦିନ ଆଇଆଇଏମ ସମ୍ବଲପୁର ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରତିଯୋଗିତାରେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଜି-୨୦ ରାଷ୍ଟ୍ରଗୋଷ୍ଠୀର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ର

ତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍‌  ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)- ନେସନାଲ ଇନଷ୍ଟିଚ୍ୟୁଟ୍‌ ଅନ୍‌ ଫୁଟ୍‌ ଏଣ୍ଡ ମାଉଥ୍‌ ଡିଜିଜ୍‌ (ଏନଆଇଏଫଏମଡି) ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଏନଆଇଏଫଏମଡି ପରିସରକୁ ସଫେଇ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ‘ଜି-୨୦’ ସମ୍ମିଳନୀ, କେବେ ଏବଂ କେଉଁ ବିଷୟରେ ହେବ ଆଲୋଚନା

ଭୁବନେଶ୍ବର: ଓଡିଶାରେ ହେବ ଅନ୍ତର୍ଜାତୀୟ ଜି-୨୦ ବୈଠକ। ଏଥିରେ ଜି-୨୦ର ସଦସ୍ୟ ଥିବା ୨୦ଟି ରାଷ୍ଟ୍ରର ପ୍ରତିନିଧି ଓଡିଶା ଆସି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ଓଡିଶା ସରକାର ବର୍ତ୍ତମାନଠାରୁ ତତ୍ପରତା ପ୍ରକାଶ କରିଛନ୍ତି। ହକି ପରି ଅନ୍ତର୍ଜାତୀୟ ମ୍ୟାଚକୁ ସଫଳତାର ସହିତ ପରିଚାଳନା କରିଥିବାରୁ ଏହାକୁ ମଧ୍ୟ ସଫଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଠା ଆରମ୍ଭ କରିଛନ୍ତି।

ଜି-୨୦ କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଓଡିଶାରେ ଦୁଇଟି ବିଷୟରେ ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ତାହା ହେଲା ‘ସଂସ୍କୃତି’ ଏବଂ ‘ଶିକ୍ଷା’। ଆସନ୍ତା ଏପ୍ରିଲ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଉପରେ ଆଲୋଚନା କରାଯିବ। ସେହିପରି ସଂସ୍କୃତି ଉପରେ ଆଲୋଚନା ମେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ। ସମସ୍ତ ପ୍ରତିନିଧି ମେ ୧୬ ତାରିଖରେ କୋଣାର୍କ ପରିଭ୍ରମଣରେ ଯିବେ ବୋଲି ନିର୍ଦ୍ଧାରିତ ହୋଇଛି।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ସଂସ୍କୃତି ବିଷୟରେ ଯେଉଁ ବୈଠକ ହେବ ତାହାକୁ ବିଶ୍ବ ଐତିହ୍ୟ କୋଣାର୍କରେ ଆୟୋଜନ କରାଯିବ। ହେଲେ କେନ୍ଦ୍ର ସରକାର ସମସ୍ତ ବୈଠକକୁ ଭୁବନେଶ୍ବରରେ କରିବା ପାଇଁ ପରାମର୍ଶ ଦେଇଥିବାରୁ ତାହାକୁ ବାତିଲ କରାଯାଇଛି।

ଏ ନେଇ ରାଜ୍ୟ ସରକାର ଶିଳ୍ପ ବିଭାଗକୁ ନୋଡାଲ ଏଜେନସି ଭାବେ ମନୋନିତ କରିଛନ୍ତି। ଏହି ବିଭାଗ ସମସ୍ତ ବୈଠକକୁ ପରିଚାଳନା କରିବେ। ତେବେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଅନ୍ୟ ସ୍ଥାନରେ କିପରି ହେଉଛି ସେ ନେଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ଚାଲିଥିବା ବୈଠକରେ ଯୋଗଦେଇ ଅନୁଧ୍ୟାନ କରିବେ ବୋଲି ନିଷ୍ପତି ହୋଇଛି। ଏଥିସହିତ ମୁଖ୍ୟ ଶାସନ ସଚିବ ଏ ନେଇ ପ୍ରସ୍ତୁତି ବୈଠକ କରିବେ। ଏହି ବୈଠକରେ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ।

ଜି-୨୦ ସଦସ୍ୟ ରାଷ୍ଟ୍ରର ପ୍ରତିନିଧୀଙ୍କୁ ଓଡିଶା ଉପରେ ଏକ ଭଲ ଛବି ସୃଷ୍ଟି କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ମଧ୍ୟ ପଦକ୍ଷେପ ଆରମ୍ଭ କରିଛି। ନିକଟରେ ହକି ଚମ୍ପିୟାନସିପରେ ଯେପରି ଭୁବନେଶ୍ବରୁ ସଜେଇ ଦିଆଯାଇଥିଲା, ପୁଣି ଥରେ ସେହିପରି କରାଯିବ ବୋଲି ଜଣାପଡିଛି। ଏ ନେଇ କେତେକ ଅଧିକାରୀ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିସାରିଛନ୍ତି।

ଜି-୨୦ ର ବିଭିନ୍ନ ସମ୍ମିଳନୀ ବର୍ତ୍ତମାନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି। ଏଥିରେ ପରିବେଷ ପରିବର୍ତ୍ତନ, ଅର୍ଥନୈତିକ ସ୍ଥିତି, ଶିଳ୍ପ, ବାଣିଜ୍ୟ, କୃଷି, ସ୍ବାସ୍ଥ୍ୟ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଛି। ଏହି ଜି-୨୦ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଇୟୁ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା ସଦସ୍ୟ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିିଶ୍ୱବ୍ୟାପୀ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ଜି-୨୦ ରେ ଭାରତ

ଭି ଅନନ୍ତ ନାଗେଶ୍ୱରମ୍ ଏବଂ ଚଂଚଳ ସିି. ସରକାର

ଆର୍ଥିକ ପ୍ରଗତି ଏବଂ ବିକାଶ ନିମନ୍ତେ ଆର୍ଥିକ ଅନ୍ତର୍ଭୁକ୍ତିର ଆବଶ୍ୟକତା ଦୀର୍ଘଦିନ ହେଲା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାର ଭାବରେ ସ୍ୱୀକୃତି ପାଇଛି। ଉତ୍ପାଦନକ୍ଷମ ଅର୍ଥନୀତି ମଧ୍ୟରେ ଦାରିଦ୍ର‌୍ୟ ଦୂରୀକରଣ, ଲୋକଙ୍କ ସଶକ୍ତିକରଣ ଏବଂ ପରସ୍ପର ସହ ସମ୍ପର୍କ ରକ୍ଷା କ୍ଷେତ୍ରରେ ଏହାର ଭୂମିକା ଗୁରୁ୍‌ତ୍ୱପୂର୍ଣ୍ଣ। ଦୀର୍ଘସ୍ଥାୟୀ ପ୍ରଗତି ଲକ୍ଷ୍ୟ କ୍ଷେତ୍ରରେ ରହିଥିବା ସତରଟି ଲକ୍ଷ୍ୟ ମଧ୍ୟରୁ ମୁଖ୍ୟ ସାତଟି ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତି କୁ ସ୍ଥାନ ଦିଆଯାଇଛି।

୨୦୧୦ମସିହାର ଶେଷଭାଗରେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଜି-୨୦ରାଷ୍ଟ୍ରର ନେତୃବୃନ୍ଦ ବିଶ୍ୱବ୍ୟାପି ପ୍ରଗତି ନିମନ୍ତେ ଆର୍ଥିକ ଅନ୍ତଭୁକ୍ତୀକୁ (ଜିବିଏଫଆଇ) ସ୍ୱୀକର କରିଥିଲେ। ତେଣୁ ସେମାନେ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ଯୋଜନା ଉପରେ ଗୁରୁତ୍ୱ ପ୍ରତିଷ୍ଠା କରି ଜି-୨୦ ରାଷ୍ଟ୍ର ଏବଂ ଅନ୍ୟ ରାଷ୍ଟ୍ରଗୁଡିକରେ ଏହାକୁ କାର‌୍ୟ୍ୟକାରୀ କରିବା ଲକ୍ଷ୍ୟ ରଖିଥିଲେ । ଏପରିକି ଆର୍ଥିକ ଅନ୍ତର୍ଭୁକ୍ତି ଜି-୨୦ ରାଷ୍ଟ୍ର ସମୂହ ବାହାରେ ଥିବା ରାଷ୍ଟ୍ରଗୁଡିକରେ କାର‌୍ୟ୍ୟକାରୀ ହେଲା।

ସେହିଦିନଠାରୁ ଜି.ପି.ଏଫ୍‌.ଆଇ ପକ୍ଷରୁ ଅନେକ ପ୍ରକାରର ପଦକ୍ଷେପ ନିଆଯାଇସାରିଲାଣି। ଏହା ଫଳରେ ଅନେକ ଦରକାରୀ ନୀତିଗତ ନିଷ୍ପତ୍ତି ନିଆଯାଇ କାର‌୍ୟ୍ୟକାରୀ କରାଯାଇଛି। ସେଥିମଧ୍ୟରେ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତି ନିମନ୍ତେ ଜି-୨୦ ନୀତି, ଆର୍ଥିକ କାରବାରରେ ହେଉଥିବା ଖର୍ଚ୍ଚ କମାଇବା ଏବଂ ଏଥିଯୋଗୁଁ ପରିବାର ମଧ୍ୟରେ ହୋଇପାରୁଥିବା ଉଦ୍ୟୋଗ କ୍ଷେତ୍ରକୁ ବାଦ୍ ଦେଇ ଅନ୍ୟ କ୍ଷେତ୍ରର ସୁଯୋଗ ବୃଦ୍ଧି ପାଇଛି।

ବିକାଶଶୀଳ ଦେଶଗୁଡିକରେ ସ୍ମାଟଫୋନ ମାଧ୍ୟମରେ ବୈଷୟିକ ଉଦ୍ଭାବନ ହୋଇପାରିଛି। ଏ କ୍ଷେତ୍ରରେ ହାଇସ୍ପିଡ୍ ଇଂଟରନେଟ ବ୍ୟବସ୍ଥା ଏହି କାର‌୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହା ଗତ ଦଶନ୍ଧି ଗୁଡିକରେ ଘଟିଛି। ଜି-୨୦ ଏହି ସବୁକୁ ଗୁରୁତ୍ୱ ସହ କାର‌୍ୟ୍ୟକାରୀ କରିଛି।

ଜି-୨୦ ରାଷ୍ଟ୍ର ଅନ୍ତର୍ଭୁକ୍ତ ନ ଥିବା ଦେଶଗୁଡିକ ମଧ୍ୟ ଏହି ନୀତିକୁ ବୈଷୟିକ କୌଶଳ, ଉଦ୍ଭାବନ ଏବଂ ଆର୍ଥିକ କ୍ଷେତ୍ରରେ ଡିଜିଟାଇଜେସନଙ୍କୁ କାର‌୍ୟ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି। ଅନେକ ବିକାଶଶୀଳ ରାଷ୍ଟ୍ର ସମୂହ କିଭଳି ପଦକ୍ଷେପ ନେଇଛନ୍ତି, ତାହା ମଧ୍ୟ ଏକ ପ୍ରଶ୍ନ। ବିପୁଳ ସଂଖ୍ୟାରେ ମହିଳା,ଗରିବ, ଅଳ୍ପ ଶିକ୍ଷିତ ବୟସ୍କ ଆଦିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୧ଶତାଂଶ।

ଡିଜିଟାଲ ଆର୍ଥିକ ଅନ୍ତଭୁକ୍ତି କ୍ଷେତ୍ରରେ ଆର୍ଥିକ ପରିବେଶ ସୃଷ୍ଟି କରାଯାଇ ଥିବା ସମୟରେ ଏମାନଙ୍କ ସ୍ଥିତି କଣ ? ଏମାନେ ଆର୍ଥିକ ଅନ୍ତଭୁକ୍ତିରୁ ବାହାରେ ଅଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଭାରତର ଉଦ୍ୟମ ଉଲ୍ଳେଖନୀୟ। ଏହାର ଏକ କର୍ତ୍ତବ୍ୟ ଏ କ୍ଷେତ୍ରରେ ରହିଛି। ଡିଜିଟାଲ ଆର୍ଥିକ ପରିବେଶ ମଧ୍ୟକୁ ନୀତି ନିର୍ଦ୍ଧାରକ, ନିୟାମକ, ଘରୋଇ କ୍ଷେତ୍ରଗୁଡିକୁ ଗୋଟିଏ ମଂଚକୁ ଆଣିବା ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଦେଶବ୍ୟାପୀ ଏକ ସମୃଦ୍ଧ ଅର୍ଥନୀତି ଦିଗରେ ଭାରତ କଣ ପଦକ୍ଷେପ ନେଇଛି-ଏହା ମଧ୍ୟ ଏକ ପ୍ରଶ୍ନ। ଭାରତର କର୍ତ୍ତବ୍ୟ- ଏଥିରେ ଜଣେ ଅନ୍ୟ ଜଣଙ୍କୁ ଜାଣିବା, ସମ୍ଭବ ହେବା ଏହି ପ୍ରକାର ପରିବେଶ ଦ୍ୱାରା ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡିକ ଅତିକ୍ରମ କରାଯାଇପାରିବ। ଏଥିରେ ନିୟାମକ ଗୁଡିକର ନିୟନ୍ତ୍ରଣ କରାଯାଇପାରିବ।

ଘରୋଇ କ୍ଷେତ୍ରରେ ମଧ୍ୟ ସୃଜନଶୀଳତା ଦେଖାଦେବ। ଏ ସମ୍ପର୍କୀତ ଅନେକ ପରିଭାଷା ଭାରତରେ ଥିବା ସତ୍ୱେ ଅନ୍ୟ ଦେଶକୁ ଏହା ସାହାଯ୍ୟ କରିପାରିବ । ଏହା ଫଳରେ ଆମ ଦେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅନ୍ୟ ଦେଶକୁ ଯାଇପାରିବ। ଅନ୍ୟ ଦେଶଗୁଡିକ ସ୍ୱତନ୍ତ୍ର ଭିନ୍ନତା ସତ୍ୱେ ଆର୍ଥିକ ଅନ୍ତଭୁର୍କ୍ତି ପ୍ରୟୋଗ କରି ପାରିବେ।

ଏହି କାରଣରୁ ଗତ ଦଶନ୍ଧିରେ ଭାରତ ୧. ୩ ବିଲିୟନ ଆଧାର ପଞ୍ଜୀକରଣ କରିପାରିଛି। ୧୨ଲକ୍ଷ କୋଟି ଟଙ୍କାର ମାସିକ ୟୁପିଆଇ ଦେଣନେଣ ହୋଇପାରିଛି । ୪୭୦ ନିୟୁତ ହିତାଧିକାରୀଙ୍କୁ ଜନଧନ ଆକାଉଂଟ, ଆଧାର ନମ୍ବର ଏବଂ ମୋବାଇଲ ଫୋନ ମାଧ୍ୟମରେ ଉପକୃତ କରାଯାଇଛି। ଏଥିରେ ୫୫ ଶତାଂଶ ମହିଳା ଏବଂ ୬୭ ଶତାଂଶ ଗ୍ରାମୀଣ ଓ ଅର୍ଦ୍ଧ ସହରାଂଚଳର ମହିଳା ଅଛନ୍ତି। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ମାତ୍ର ୭ବର୍ଷ ମଧ୍ୟରେ ଏକ ବିପ୍ଳବଭାବରେ ଆର୍ଥିକ ଅନ୍ତଭୁକ୍ତି, ଆର୍ଥିକ ସେବାର ଗୁଣବତା ଓ ପରିମାଣ ବିଶ୍ୱବ୍ୟାପି ଏକ ସଫଳତା ଦିଗରେ ଅଗ୍ରସର ହୋଇଛି।

ଜି-୨୦ରେ ଭାରତର ଅଧ୍ୟକ୍ଷତାରେ କୋଲକାତାଠାରେ ପ୍ରଥମ ଜି.ପି.ଏଫ୍‌.ଆଇ. ସମ୍ମିଳନୀ ଭାରତ ଆୟୋଜନ କରିବାକୁ ଯାଉଥିବା ସମୟରେ ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ମୁଖ୍ୟ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରାଯିବ। ଏହା ଫଳରେ ଅର୍ଥନୀତିକ ପ୍ରଗତି ହାସଲ ସହ ଲୋକଙ୍କ ଜୀବନଧାରଣରେ ମାନରେ ଉନ୍ନତି, ଉତ୍ପାଦନର ଅଭିବୃଦ୍ଧି, ଏବଂ ଉତ୍ତମ ଗୁଣବତା ସମ୍ପନ୍ନ ଆର୍ଥିକ ସେବା ପ୍ରଦାନ କରାଯାଇପାରିବ।

ଏହି ସମ୍ମିଳନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା କରାଯିବା ନିମନ୍ତେ ଉଦ୍ୟମ ହେବ। ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକ ଦ୍ୱାରା ନିଆଯାଇଥିବା ବିଭିନ୍ନ ଡିଜିଟାଲ ଆର୍ଥିକ କାରବାରରେ ସୃଜନଶୀଳତାର ପ୍ରଦର୍ଶନ କରାଯିବ। ଏସବୁ ଭାରତର ଆର୍ଥିକ କାରବାର କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ପ୍ରୟୋଗକୁ ସଫଳଭାବରେ ପ୍ରଦର୍ଶନ କରିଛନ୍ତି। ବିଶ୍ୱର ପ୍ରତିଷ୍ଠିତ ବକ୍ତାମାନେ ଏଠାରେ ଆର୍ଥିକ ଅନ୍ତର୍ଭୁକ୍ତି ଓ ଉତ୍ପାଦକତା ବୃଦ୍ଧି ସମ୍ପର୍କରେ ମତ ଉପସ୍ଥାପନ କରିବେ।

ଏଇ ନିକଟରେ କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ର ପ୍ରଥମ ଜି.ପି.ଏଫ୍‌.ଆଇ. ୱାର୍କିଂ କମିଟି ବୈଠକରେ ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଭାରତର ଦୃଷ୍ଟିଭଙ୍ଗୀର ବିଶ୍ୱବ୍ୟାପୀ ପ୍ରସାର ହୋଇପାରିବ।

(ଲେଖକ ଦ୍ୱୟ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶ ଦାତା ଅଛନ୍ତି)

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟକୁ ଅନୁସରଣ କରିବ ଆମେରିକା

ୱାଶିଂଟନ୍: ୟୁକ୍ରେନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ଆମେରିକା ଶୁକ୍ରବାର ଦିନ ପୁଣି ଥରେ ସ୍ୱାଗତ କରି ସମସ୍ତ ପ୍ରକାର ହିଂସାକୁ ବନ୍ଦ କରିବାକୁ ଏବଂ କୂଟନୀତିର ପଥ ଅନୁସରଣ କରିବାକୁ କହିଛି। ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପମୁଖପାତ୍ର ବେଦାନ୍ତ କହିଛନ୍ତି ଯେ, “ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ଗ୍ରହଣ କରିବୁ। ଏବଂ ଯେତେବେଳେ ଏହି ଘଟଣା ଘଟିବ, ଆମେ ସେହି ମନ୍ତବ୍ୟଗୁଡିକୁ ସ୍ୱାଗତ କରିବୁ। ଋଷ ସହ ଜଡିତ ହେବା ପାଇଁ ଅନ୍ୟ ଦେଶମାନେ ନିଜେ ନିଷ୍ପତ୍ତି ନେବେ।” ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ସହଯୋଗୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ଜାରି ରଖିବୁ।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଋଷ-ୟୁକ୍ରେନ ବିବାଦ ଉପରେ ଭାରତର ଆଭିମୁଖ୍ୟ ଏବଂ ଯୁଦ୍ଧ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ଵାନର ପ୍ରଶ୍ନର ଉତ୍ତରରେ ପଟେଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ସମରକନ୍ଦରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧ ନୁହେଁ। ଖାଦ୍ୟ, ଇନ୍ଧନ ସୁରକ୍ଷା ଏବଂ ସାର ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଋଷ-ୟୁକ୍ରେନ ଯୁଦ୍ଧକୁ ରୋକିବାରେ ଭାରତର ଭୂମିକା ବିଷୟରେ ପଚରାଯିବାରୁ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର କହିଛନ୍ତି ଯେ, ଶାନ୍ତି ସହ ଜଡିତ ହେବାକୁ ତଥା ଏହି ଯୁଦ୍ଧକୁ ସମାପ୍ତ କରିବାକୁ ଆଗ୍ରହୀ ଥିବା ଯେକୌଣସି ଦେଶ ୟୁକ୍ରେନ ସହଭାଗୀମାନଙ୍କ ସହ ଘନିଷ୍ଠ ସହଭାଗିତାରେ ଏହା କରିବା ଉଚିତ। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନିକ୍ ବାର୍ତ୍ତାଳାପ କରିବାର କିଛି ଘଣ୍ଟା ପରେ ସ୍ୱରାଷ୍ଟ୍ର ବିଭାଗର ଏହି ମନ୍ତବ୍ୟ ଆସିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏସଆରସି ଶିଖର ସମ୍ମିଳନୀରେ ସମରକନ୍ଦରେ ସେମାନଙ୍କର ବୈଠକ ପରେ ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ତଥା ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ସମୀକ୍ଷା କରିଛନ୍ତି। ୟୁକ୍ରେନରେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ଏବଂ କୂଟନୀତି ବିଷୟରେ କହିଛନ୍ତି।

ପିଏମଓ କହିଛି ଯେ, “ଜି-୨୦ରେ ବର୍ତ୍ତମାନର ଅଧ୍ୟକ୍ଷତା ବିଷୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଥିଲେ ଏବଂ ଏହାର ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ପରସ୍ପର ସହ ନିୟମିତ ଯୋଗାଯୋଗ କରିବାକୁ ରାଜି ହୋଇଥିଲେ।

Categories
ବିଶେଷ ଖବର

ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇବା ପାଇଁ ଜି-୨୦ର ଅଧ୍ୟକ୍ଷତା ଏକ ଭଲ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ଜି-୨୦ର ଅଧ୍ୟକ୍ଷତା ସମଗ୍ର ଦେଶ ପାଇଁ, ବିଶ୍ୱକୁ ନିଜର ଶକ୍ତି ଦେଖାଇବା ପାଇଁ ଏହା ଏକ ଅନନ୍ୟ ସୁଯୋଗ। ସୋମବାର ଏଠାରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତି ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା ବଡ଼ ସୁଯୋଗ ଆଣିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜି-୨୦ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ର ଅଧ୍ୟକ୍ଷତା ଦେଶର ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତା ଆଣିବା ସହ ପାରମ୍ପାରିକ ବଡ ମହାନଗର ବ୍ୟତୀତ ଭାରତର କିଛି ଅଂଶକୁ ପ୍ରଦର୍ଶିତ କରିବାରେ ସୁଯୋଗ ମିଳିବ। ଜି-୨୦ ର ଅଧ୍ୟକ୍ଷତା ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଭାରତ ପ୍ରତି ବୈଶିକ ଜିଜ୍ଞାସା ଏବଂ ଆକର୍ଷଣ ରହିଛି, ଯାହା ଏହି ଉତ୍ସବର ମହତ୍ତ୍ଵକୁ ଆହୁରି ବଢାଇଥାଏ।

ଏହି ସର୍ବାଦଳୀୟ ବୈଠକରେ ଆମ୍ ଆଦମୀ ପାର୍ଟି (ଏଏପି) ର ଅରବିନ୍ଦ କେଜ୍ରିୱାଲ, YSR କଂଗ୍ରେସର ଜଗନମୋହନ ରେଡ୍ଡୀ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ସୀତାରାମ ୟେଚୁରୀ, ଡିଏମକେର ଏମ.କେ ଷ୍ଟାଲିନ, ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଭାରତର ଜି-୨୦ ପ୍ରାଥମିକତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଏସ ଜୟଶଙ୍କର, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ ଏବଂ ଭୁପେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନର ଉଦୟପୁରରେ ଜି-୨୦ ଶେର୍ପା ବୈଠକର ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଠାରେ ଜି୨୦ ଶେର୍ପା ବୈଠକ ଅନୁଷ୍ଠିତ ହେଉଛି। ଏହି ଚାରି ଦିନିଆ ବୈଠକ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଡିସେମ୍ବର ୫ ତାରିଖ ଥିଲା ବୈଠକର ଦ୍ୱିତୀୟ ଦିବସ। ଏଥିରେ ଭାରତର ଜି୨୦ ଅଧ୍ୟକ୍ଷତାର ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ଦୁଇଟି ଅଧିବେଶନରେ ‘ପ୍ରଯୁକ୍ତିଗତ ପରିବର୍ତ୍ତନ’ ଏବଂ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ’ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଏହାପରେ ‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା : ପରିଦୃଶ୍ୟ ଓ ଆହ୍ବାନ’ ବିଷୟରେ ବିଚାରବିମର୍ଶ କରାଯାଇଥିଲା। ଏତଦ୍‌ବ୍ୟତୀତ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ଅନୌପଚାରିକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତର ଜି୨୦ ଶେର୍ପା ଅମିତାଭ କାନ୍ତ ୧୩ଟି କାର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଭାରତର ଜି୨୦ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଏହା ଉପରେ ପ୍ରଥମ ଶେର୍ପା ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅମିତାଭ କାନ୍ତ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରକୁ ଅଧିକ ମହତ୍ବ ଦେବାରେ ଭାରତର ଭୂମିକା ଏବଂ ବିକାଶଶୀଳ ରାଷ୍ଟ୍ର ଓ ଆଧୁନିକ ଅର୍ଥବ୍ୟବସ୍ଥା ମଧ୍ୟରେ ସଫଳ ସହଭାଗିତା ଉପରେ ଭାରତର ପ୍ରାଥମିକତା ନେଇ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ବର୍ତ୍ତମାନ ସମୟରେ ବିଶ୍ବ ସମ୍ମୁଖିନ ହେଉଥିବା ଆର୍ଥିକ ଆହ୍ବାନ ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସମାଧାନ ଦିଗରେ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।

ଏହାପରେ ପ୍ରଯୁକ୍ତିଗତ ପରିବର୍ତ୍ତନକୁ ନେଇ ଏକ ଅଧିବେଶନରେ ଆଲୋଚନା କରାଯାଇଥିଲା। ଏଥିସହିତ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ କାର୍ଯ୍ୟ ଗୋଷ୍ଠୀ, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ବିଷୟରେ ବିଚାରବିମର୍ଶ ହୋଇଥିଲା। ବୈଠକରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ସେମାନଙ୍କ ଦେଶରେ ଦ୍ରୁତ ଡିଜିଟାଲକରଣ କ୍ଷେତ୍ରରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ମାର୍ଗରେ ପ୍ରଯୁକ୍ତିର ଶକ୍ତି ଉପଯୋଗ କରିବା ଲାଗି ଆବଶ୍ୟକ ହସ୍ତକ୍ଷେପ ବିଷୟରେ ଜି୨୦ ରାଷ୍ଟ୍ରଗୋଷ୍ଠୀର ପ୍ରତିନିଧି, ନିମନ୍ତ୍ରିତ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ। ସାଇବର ସୁରକ୍ଷା ଉପରେ ଗୁରୁତ୍ବାରୋପ, ପ୍ରଯୁକ୍ତି ସେବା, ଭିତ୍ତିଭୂମି ଓ ଡିଜିଟାଲ କୌଶଳର ପ୍ରସାରରେ ସମାବେଶୀତା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବା କ୍ଷେତ୍ରରେ ମିଳିତ ପ୍ରୟାସ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  ଭାରତର ଜି୨୦ ଶେର୍ପା ଏହି ଅଧିବେଶନରେ ଅଂଶଗ୍ରହଣ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଥିଲେ। ବିକଳ୍ପ ଶକ୍ତି ଉତ୍ସ ଦିଗରେ ପରିବର୍ତ୍ତନ, ଜଳବାୟୀ ଦୀର୍ଘସ୍ଥାୟିତ୍ବ କାର୍ଯ୍ୟଗୋଷ୍ଠୀ, ବିପର୍ଯ୍ୟୟ ବିପତ୍ତି ସହନଶୀଳତା ଓ ହ୍ରାସ କାର୍ଯ୍ୟଗୋଷ୍ଠୀ ଆଦି ବିଷୟରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା। ସଦସ୍ୟ ରାଷ୍ଟ୍ରମାନେ ଭାରତର ‘ଲାଇଫ’ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏ ଦିଗରେ ଭବିଷ୍ୟତ ପ୍ରୟାସ ପାଇଁ ସମର୍ଥନ ଘୋଷଣା କରିଥିଲେ।

‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା: ପରିଦୃଶ୍ୟ ଓ ସମସ୍ୟା’ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରଣନୀତି ଓ ନୀତି ବିଭାଗ ଉପନିର୍ଦ୍ଦେଶକ କ୍ରିଷ୍ଟିକା କୋଷ୍ଟିଆଲ ସାମ୍ପ୍ରତିକ ବିଶ୍ବର ଆର୍ଥିକ ସମସ୍ୟା ଉପରେ ଏକ ବିବରଣୀ ଉପସ୍ଥାପନ କରିଥିଲେ।  ଅନ୍ତର୍ଜାତୀୟ ଋଣ ସ୍ଥିତି ଓ ବାଣିଜ୍ୟ ବିଷୟରେ ସେ ସୂଚନା ଦେଇଥିଲେ। ବିଶ୍ବସ୍ତରୀୟ ଆର୍ଥିକ ସମସ୍ୟା ଦୂର କରିବା ଏବଂ ସହନଶୀଳ ଅର୍ଥବ୍ୟବସ୍ଥା ଉପରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା।

ଏହାପରେ ଜି୨୦ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ ଜି୨୦ ଶେର୍ପା ଏକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅନୌପଚାରିକ ଆଲୋଚନାରେ ଜି୨୦ ରାଷ୍ଟ୍ର ଗୋଷ୍ଠୀ ମଧ୍ୟରେ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ନେଇ ଆଲୋଚନା ହୋଇଥିଲା।

ଏହାପରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଉଦୟପୁରର ମାନେକ୍‌ ଚୌକକୁ ବୁଲି ଦେଖିଥିଲେ। ଏହି ଅବସରରେ ସେମାନଙ୍କୁ ପାରମ୍ପରିକ ଭାରତୀୟ ଜ୍ୟାକେଟ, ପଗଡ଼ି ଦିଆଯାଇଥିଲା।  ଶେଷରେ ଉଦୟପୁରର ଜଗମନ୍ଦିର ସ୍ଥିତ ଭବ୍ୟ ସମାରୋହ ସ୍ଥଳରେ ସେମାନଙ୍କୁ ରାତ୍ରୀଭୋଜନରେ ଆପ୍ୟାୟିତ କରାଯାଇଥିଲା।

ଜି୨୦ ପ୍ରତିନିଧିମାନେ ଏହି ବୈଠକ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା, ଐତିହାସିକ ସ୍ଥାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥଳୀ ଦେଖିବାକୁ ପାଉଛନ୍ତି। ସେମାନେ ରାଜସ୍ଥାନୀ କଳା ଓ ସଂସ୍କୃତି ବିଷୟରେ ପରିଚିତ ହେଉଛନ୍ତି। ଐତିହାସିକ ସହର ଉଦୟପୁରରେ ଧଳା ମାର୍ବଲ ପଥର ନିର୍ମିତ ସ୍ଥାପତ୍ୟ ଅନ୍ତର୍ଜାତୀୟ ପ୍ରତିନିଧି, ଅତିଥିମାନଙ୍କୁ ପ୍ରଭାବିତ କରୁଛି।

ସୂଚନାଯୋଗ୍ୟ ଯେ ଗତକାଲି ଜି୨୦ ଶେର୍ପା ବୈଠକର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନା ଏବଂ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ଏକ ଅନୌପଚାରିକ ଗଣମାଧ୍ୟମ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ : ୨୦୩୦ ଏଜେଣ୍ଡାର ମଧ୍ୟଭାଗରେ ଜୀବନଧାରାରେ ପରିବର୍ତ୍ତନ’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜି୨୦ ପ୍ରଥମ ଶେର୍ପା ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ୯ଟି ଅତିଥି ରାଷ୍ଟ୍ର ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଜି ୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଉପଲକ୍ଷେ ସାରା ଦେଶର ୧୦୦ରୁ ଅଧିକ କିର୍ତ୍ତୀରାଜି ହେଲା ଆଲୋକିତ

ନୂଆଦିଲ୍ଲୀ: ଡିସେମ୍ବର ପହିଲା ଠାରୁ ଭାରତ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି। ଏହି ଉପଲକ୍ଷେ ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କିର୍ତ୍ତୀରାଜିଗୁଡ଼ିକୁ ଜି୨୦ ଲୋଗୋରେ ଆଲୋକିତ କରାଯାଇଥିଲା।

ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜିଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ହୁମାୟୁଁ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତବମୀନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜାମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀ ବୀରୂପାକ୍ଷ ମନ୍ଦିର, ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟ କୀର୍ତ୍ତିକୁ ଜି-୨୦ ଲୋଗୋରେ ଉଦଭାସିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଲୋଗୋକୁ ନେଇ ବିରୋଧ: କଂଗ୍ରେସ ଉଠାଇଲା ପ୍ରଶ୍ନ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜି-୨୦ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ପ୍ରକାଶ କରିଛନ୍ତି। ଡିସେମ୍ବର ୧ ତାରିଖ ୨୦୨୨ରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଭାରତ ଏକ ବର୍ଷ ପାଇଁ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ହେବ। ଭାରତ ଏହି ଗ୍ରୁପ୍ ର ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ଆୟୋଜନ କରିବ। ବର୍ତ୍ତମାନ କଂଗ୍ରେସ ଦଳ ଜି-୨୦ସମ୍ମିଳନୀର ଲୋଗୋ ଉପରେ ପ୍ରଶ୍ନ ଉଠାଇଛି।

ଜି-୨୦ ଶିଖର ସମ୍ମିଳନୀର ଲୋଗୋକୁ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ଏକ ପଦ୍ମ ଫୁଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଦ୍ମ ଫୁଲ ହେଉଛି ବିଜେପିର ନିର୍ବାଚନ ଚିହ୍ନ। କଂଗ୍ରେସ ଏହାକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିଛି।

କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ୭୦ ବର୍ଷ ପୂର୍ବେ କଂଗ୍ରେସର ପତାକାକୁ ଜାତୀୟ ପତାକା କରିବା ପ୍ରସ୍ତାବକୁ ନେହେରୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପିର ନିର୍ବାଚନ ଚିହ୍ନ ବର୍ତ୍ତମାନ ଜି-୨୦ ର ଅଧ୍ୟକ୍ଷତା ସରକାରୀ ଲୋଗୋ ପାଲଟିଛି। ଆମେ ଜାଣୁ ଯେ, ପିଏମ ମୋଦୀ ଏବଂ ବିଜେପି ଲଜ୍ଜାଜନକ ଭାବରେ ନିଜକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ସୁଯୋଗ ହରାଇବେ ନାହିଁ।

କଂଗ୍ରେସ ନେତା ରସିଦ ଅଲଭି ମଧ୍ୟ ଜି-୨୦ ର ଅଫିସିଆଲ ଲୋଗୋରେ ପଦ୍ମ ଫୁଲ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଭାରତ ସରକାରଙ୍କ ପ୍ରତୀକ ଠାରୁ କମ୍ ଏବଂ ଭାରତୀୟ ଜନତା ପାର୍ଟିର ଚିହ୍ନ ପରି ଅଧିକ ମନେହୁଏ। ଏହି ପ୍ରତୀକରେ ପଦ୍ମ ଫୁଲ କେଉଁଠୁ ଆସିଲା? କ’ଣ ଏହି ସରକାର ଭାରତର ନୁହେଁ, ବିଜେପିର ଅଟେ? ଏହି ପ୍ରତୀକକୁ ହଟାଇବା ଉଚିତ ଏବଂ ଏଥିରୁ କମଲ ପଦ୍ମ ହଟାଇବା ଉଚିତ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି -୨୦ ର ଅଧ୍ୟକ୍ଷତା କରିବ ଭାରତ, ସମଗ୍ର ଦେଶରେ ୨୦୦ ରୁ ଅଧିକ ହେବ ସଭା

ନୂଆଦିଲ୍ଲୀ: ୨୦୨୨ ଶେଷରେ ଆରମ୍ଭ ହେବାକୁ ଥିବା ଜି-୨୦ ବୈଠକରେ ଭାରତ ଅଧ୍ୟକ୍ଷତା କରିବାକୁ ଯାଉଛି। ଭାରତ ଡିସେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷତା କରିବ। ଏହି ଅଧ୍ୟକ୍ଷତା ଦେଶରେ ୨୦୦ ରୁ ଅଧିକ ଜି-୨୦ ବୈଠକ ଆୟୋଜନ କରିବେ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଜି-୨୦ ଦେଶର ନେତାଙ୍କ ଶିଖର ସମ୍ମିଳନୀ ୨୦୨୩ ମସିହା ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଜି-୨୦ କିମ୍ବା ଗ୍ରୁପ୍ ଅଫ୍ ୨୦ ହେଉଛି ବିଶ୍ଵର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଆନ୍ତ- ସରକାରୀ ମଞ୍ଚ। ଏଥିରେ ୧୯ ଟି ଦେଶ ଅନ୍ତର୍ଭୁକ୍ତ।

ଜି-୨୦ରେ କେଉଁ ଦଶ ଅନ୍ତର୍ଭୁକ୍ତ?:

ଜି-୨୦ ରେ ଅନ୍ତର୍ଭୁକ୍ତ ଦେଶଗୁଡିକ ହେଉଛି- ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍। ସାମୂହିକ ଭାବରେ ଜି-୨୦ ବିଶ୍ଵ ଜିଡିପିର ୮୫ ପ୍ରତିଶତ, ଆନ୍ତର୍ଜାତୀୟ ବାଣିଜ୍ୟର ୭୫ ପ୍ରତିଶତ ଏବଂ ବିଶ୍ଵର ଦୁଇ ତୃତୀୟାଂଶ ଜନସଂଖ୍ୟାକୁ ଏହା ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ କରିପାରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ସଦୃଢ଼ କରିବା ନେଇ ବ୍ରାଜିଲ ଶିକ୍ଷା ମନ୍ତ୍ରୀଙ୍କ ସହମତି

ବାଲି: ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ଓ୍ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ୟମିତା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପର ପୁନରୁଦ୍ଧାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।

ଉର୍ଜା ସୁରକ୍ଷା, ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପାରମ୍ପରିକ ଔଷଧ, ଯୋଗ, ଆୟୁର୍ବେଦ ଏବଂ ଡ଼ିଜଟାଲ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଗବେଷଣାକୁ ଅଧିକ ମଜବୁତ୍ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଉଭୟ ଦେଶର ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡ଼ିକୁ ଯୋଡ଼ାଗଲେ ଉଭୟ ରାଷ୍ଟ୍ର ଲାଭପ୍ରଦ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ଅଧିକ ସଦୃଢ଼ କରିବା ଦିଗରେ ଇଚ୍ଛାପ୍ରକାଶ କରିଛନ୍ତି। ଏହାସହ ଏଜୁକେସନ ଓ୍ୱାର୍କିଂ ଗ୍ରୁପର ଏଜେଣ୍ଡାରେ ଭାରତ ପ୍ରତି ବ୍ରାଜିଲର ସମର୍ଥନ ରହିଥିବା ସେ ସହମତି ପ୍ରକାଶ କରିଥିଲେ।

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ବାଲିରେ ପହଞ୍ଚିବା ପରେ ଇଣ୍ଡୋନେସିଆ ଶିକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଡ଼. ଇଓ୍ୱାନ ଶ୍ୟାରିଲ୍ ଇଣ୍ଡୋନେସିଆର ପାରମ୍ପରିକ ଶୈଳିରେ ତାଙ୍କୁ ସ୍ୱାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଶିକ୍ଷା ମନ୍ତ୍ରୀମାନଙ୍କ ବୈଠକ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୨୯ ତଥା ଆଜି ଠାରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ୪  ଦିନିଆ ଇଣ୍ଡୋନେସିଆର ବାଲି ଗସ୍ତରେ ଯାଉଛନ୍ତି। ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା ମନ୍ତ୍ରୀ  ମାନଙ୍କ ବୈଠକରେ ଯୋଗ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରେ ବାଲିରେ ପହଞ୍ଚିବା ପରେ ପ୍ରଥମେ ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆସିଥିବା ବ୍ରାଜିଲର ପ୍ରତିନିଧି ମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ପରେ ବାଲିରେ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କ ସହ ସାକ୍ଷାତ୍ କରିବେ। ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜିମ ଆଣ୍ଡ୍ ବିଜନେସ ଅନୁଷ୍ଠାନକୁ ଯାଇ କୁଳପତିଙ୍କୁ ଭେଟିବେ। ସୁଗ୍ରିବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିବେ।

ସେପ୍ଟେମ୍ବର ୧ରେ ଶ୍ରୀ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଯୋଗଦେବେ। ଚଳିତବର୍ଷ ଏହି ବୈଠକର ବିଷୟବସ୍ତୁ ରହିଛି “ରିକୋଭର, ରିଇମାଜିନ୍ ଆଣ୍ଡ୍ ରିବିଲ୍ଡ ଷ୍ଟ୍ରଙ୍ଗର୍”। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ସିଙ୍ଗାପୁର, ୟୁଏଇ, ସାଉଦିଆରବ ସହ ପୃଥକ ପୃଥକ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ରହିବେ। ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ମଧ୍ୟ ପୃଥକ ବୈଠକରେ ସହ-ଅଧ୍ୟକ୍ଷତା କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାଥୀରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବାଲି ଗସ୍ତ କରୁଛନ୍ତି।