Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକର ବିଭିନ୍ନ ଅଫିସ ଛୁଟି ଘୋଷଣା

ଭୁବନେଶ୍ବର: ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସେ କଟକ ଗସ୍ତ କରିବେ। କଟକରେ ସେ ଓଡିଶା ହାଇକୋର୍ଟର 75 ବର୍ଷ ପୁର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ। ଏହାପରେ ସେ କଟକ ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବେ।

ଏଥିସହିତ ରାଷ୍ଟ୍ରପତି ଜାତୀୟ ଆଇନ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିପରେ ସେ କଟକ ଚଣ୍ଡି ମନ୍ଦିର ଗସ୍ତ କରି ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟସ୍ଥ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏହି ଛୁଟି ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାସ୍ତାରେ ଓହ୍ଲାଇ ଲୋକଙ୍କ ଅଭିବାଦନ କଲେ ଗ୍ରହଣ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ମୁରଲିଧରନ, ମେୟର ସୁଲଚନା ଦାସ ପ୍ରମୁଖ ସ୍ବାଗତ କରିଥିଲେ।

ଏହାପରେ ସେ କାରକେଡରେ ରାଜଭବନକୁ ଆସଥିଲେ। ତେବେ ବାଟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ରାଷ୍ଟ୍ରପତି ରାସ୍ତାରେ ଓହ୍ଲାଇ ସୁରକ୍ଷା ବଳୟକୁ ତ୍ୟାଗ କରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଯାହାଫଳରେ ସାଧାରଣ ଲୋକେ ବେଶ ଖୁସି ପ୍ରକାଟ କରିଥିଲେ। ଆଜି ରାଜଭବନରେ ସେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି କଟକ ଗସ୍ତ କରିବେ। ସେଠାରେ ସେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ଏକ ବର୍ଷ ପୁରଣ କଲେ ଦ୍ରୌପଦୀ ମୁର୍ମୁ, ପ୍ରଶଂସା କରୁଛି ସାରା ବିଶ୍ବ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ଗ୍ରହଣ କରିବାର ବର୍ଷେ ପୁରିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ମୟୁରଭଂଜ ପରି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଜଣେ ମହିଳା ରାଜ୍ୟପାଳ ହେବା ଏବଂ ପରବର୍ତ୍ତି ସମୟରେ ଦେଶର ସର୍ବୋଚ୍ଚ ଆସନରେ ବସିବା କିଛି ସାମାନ୍ୟ କଥା ନୁହେଁ।

ସେ ଜଣେ ସାଧାରଣ ମହିଳା ଭାବେ ଏହି ପଦରେ ଅଧିଷ୍ଠିତ ହେବା ନେଇ ସେତେବେଳେ ଦେଶବିଦେଶର ନେତାମାନେ ବେଶ ପ୍ରଶଂସା କରିଥିଲେ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ସେତେବେଳର ସେହି ପ୍ରଶଂସା ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଖକୁ ଛୁଟି ଆସୁଛି। କେବଳ ଭାରତ କାହିଁକି ସେ ଯେ କୌଣସି ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସେଠାରେ ତାଙ୍କୁ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା। ତାଙ୍କୁ ଦେଖିବା ପାଇଁ ଲୋକ ଗହଳି ହିଁ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରିଦେଇଛି। ଏହି ବର୍ଷେ ମଧ୍ୟରେ ସେ ନିଜକୁ ଜଣେ ଜନପ୍ରିୟ ରାଷ୍ଟ୍ରପତି ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି।

ସେ ବିଭିନ୍ନ ସ୍ଥାନରେ ଦେଉଥିବା ଭାଷଣ ମଧ୍ୟ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛି। ସେଥିରୁ ତାଙ୍କର ଲୋକଙ୍କ ପ୍ରତି କିପରି ଭଲ ପାଇବା ରହିଛି ତାହା ପ୍ରମାଣିତ କରିଛି। ଏକଦା ସୁପ୍ରିମକୋର୍ଟ ତରଫରୁ ଆୟୋଜିତ ସମ୍ବିଧାନ ଦିବସରେ ଦେଇଥିବା ବକ୍ତବ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ସେ ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ଭାରତର ବିଭିନ୍ନ ଜେଲରେ ବିନା ଦୋଷରେ ଲୋକେ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ କଥା ବିଚାରପତିମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପରବର୍ତ୍ତି ସମୟରେ ଏହା ଉପରେ ଆରମ୍ଭ ହୋଇଥିଲା ତନାଘନା।

ଏହି ବର୍ଷେ ମଧ୍ୟରେ ତାଙ୍କୁ ବିଭିନ୍ନ ରାଜ୍ୟର ବିଧାନସଭା ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଏବଂ ବିଧାୟକଙ୍କୁ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟ ତାଙ୍କର ଲୋକପ୍ରିୟତାର ନିଦର୍ଶନ। ସେହିପରି ରାଷ୍ଟ୍ରପତି ଭବନ ଯାହା ମାଛି ପଡିଲେ ନବ ଖଣ୍ଡ ହୁଏ ସେହିପରି ଉଚ୍ଚ ସୁରକ୍ଷା ଐତିହାସିକ ଅଟ୍ଟଳିକା ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ସେ ହିଁ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ ଭିତରକୁ ଲୋପପାଇଯାଉଥିବା ଆଦିବାସୀଙ୍କଠାରୁ ଆରମ୍ଭ କରି ଜଣେ ସାଧାରଣ ଲୋକ ତାଙ୍କୁ ଦେଖିବା ପାଇଁ ଆଜି କଷ୍ଟକର ବ୍ୟାପାର ହୋଇ ନାହିଁ।

ସେହିପରି ଓଡିଶା ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ଦ୍ବାର ଖୋଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ଓଡିଶା ମାଟିର ଆଉ ଓଡିଶା ଲୋକଙ୍କୁ ଭଲ ପାଇବାର ଏହା ହେଉଛି ଅନ୍ୟତମ ପ୍ରମାଣ। ଏହି ବର୍ଷେ ମଧ୍ୟରେ ଓଡିଶାର ଶତାଧିକ ଲୋକ ତାଙ୍କୁ ସାକ୍ଷାତ କରିବାରେ ସକ୍ଷମ ହୋଇପାରିଛନ୍ତି। ଯାହା ପୂର୍ବରୁ କେବେ ସେହି ସୁଯୋଗ ଓଡିଶାବାସୀଙ୍କ ମିଳି ନ ଥିଲା। କେବଳ ସାକ୍ଷାତ ନୁହେଁ ସେମାନଙ୍କୁ ନିକଟରେ ବସାଇ ଦୁଃଖସୁଖ ହେବା କୌଣସି ଓଡିଆଙ୍କ ଭାଗ୍ୟରେ ଜୁଟି ନ ଥିଲା।

ରାଷ୍ଟ୍ରପତି ଭାବେ ସେ ଦାୟିତ୍ବ ନେବା ପରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଭାରତ ତରଫରୁ ଯୋଗଦେବା ପାଇଁ ତାଙ୍କୁ ମିଳିଥିଲା ନିମନ୍ତ୍ରଣ। ସେହିପରି ସୁରିନାମ ଏବଂ ସର୍ବିୟା ରାଷ୍ଟ୍ର ଗସ୍ତରେ ତାଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ଯାହା ଭାରତ ପାଇଁ ଆଣିଦେଇଛି ଗର୍ବ ଓ ଗୌରବ। ତାଙ୍କର ଏହି ବର୍ଷେ କାର୍ଯ୍ୟକାଳ ମଧ୍ୟରେ ସେ ଏ ପର୍ଯ୍ୟନ୍ତ ୨୬ ଟି ରାଷ୍ଟ୍ର ଗସ୍ତ କରିସାରିଛନ୍ତି।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ଯେତିକି ଐତିହାସିକ, ସେ ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡିବା ମଧ୍ୟ ସେହିପରି ଏକ ଐତିହାସିକ ଯାତ୍ରା ବୋଲି କୁହାଯିବ। କାରଣ ଏହି ବିମାନରେ ଉଡିବା ଏକ ସାହସିକତାର ପ୍ରତୀକ। ଯାହା ରାଷ୍ଟ୍ରପତି ମୁର୍ମୁ କରି ଦେଖାଇଛନ୍ତି। ସେତେକି ନୁହେଁ ତାଙ୍କର ଆହୁରି ଦୀର୍ଘକାଳ କାର୍ଯ୍ୟକାଳ ମଧ୍ୟରେ ଏହି ଦେଶ ତଥା ବିଦେଶ ଦେଖିବ ତାଙ୍କର ଅନେକ କିଛି ଐତିହାସିକ ନିଷ୍ପତି ଓ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା  ପାଇଁ ଶିଳାନ୍ୟାସ କରିବେ।

୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକ ଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେବେ।

ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ। ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ, ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜନ କରାଯିବ। ଏଥିସହିତ ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ଠାରେ ଏହାର ‘‘ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସ’’ ପାଇଁ ଶିଳାନ୍ୟାସ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷା କଡାକଡି

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ।

ସେ କଟକସ୍ଥିତ ଏସସିବି ମେଡିକ।ଲ କଲେଜର ଷ୍ଟୁଡେଣ୍ଟସ୍ ୟୁନିଅନ୍ ବାର୍ଷିକ ଉତ୍ସବରେ ଯୋଗଦେବେ। ଏ ନେଇ ର।ଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ କଲେଜ କର୍ତ୍ତୃପକ୍ଷଙ୍କ ଚିଠି କରାଯାଇଛି। ସେହିପରି କଟକରେ ରାଷ୍ଟ୍ରପତି ଓଡ଼ିଶା ହ।ଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ।

ସେ ସେହି ଦିନ କଟକସ୍ଥିତ ଜ।ତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାରୋହରେ ମଧ୍ୟ ଯୋଗଦେବେ। ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରି ସେ ଦିଲ୍ଲୀ ଫେରିଯିବେ।

ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ, ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି। ବ୍ଲ୍ୟୁ- ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବ। ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିମାନବନ୍ଦରେ ମହାମହିମଙ୍କୁ ସ୍ୱାଗତ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୫ ପ୍ଲାଟୁନ୍ ପୁଲସି ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୯, ୨୦୨୩) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ:

୧. ଡିଲାହ ଲୁସିଏନ୍, ଚାଡ୍ ରିପବ୍ଲିକ୍ ର ରାଷ୍ଟ୍ରଦୂତ

୨. ବୁରୁଣ୍ଡି ଗଣତନ୍ତ୍ରର ରାଷ୍ଟ୍ରଦୂତ ବ୍ରିଗେଡିୟର ଜେନେରାଲ ଅଲୋୟସ୍ ବିଜିନ୍ଦାଭି

୩. ଫିନଲ୍ୟାଣ୍ଡ ଗଣତନ୍ତ୍ରର ରାଷ୍ଟ୍ରଦୂତ କିମ୍ମୋ ଲାହଡେଭିର୍ତା

୪. ଆଙ୍ଗୋଲା ଗଣତନ୍ତ୍ରର ରାଷ୍ଟ୍ରଦୂତ କ୍ଲେମେଣ୍ଟେ ପେଡ୍ରୋ ଫ୍ରାନ୍ସିସ୍କୋ କାମେନ୍ହା

୫. ଫେଡେରାଲ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଥିଓପିଆର ରାଷ୍ଟ୍ରଦୂତ ଡେମେକ ଆଟନାଫୁ ଆମ୍ବୁଲୋ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଏକ କାଳୀନ ୧୯ଟି ଜିଲ୍ଲାକୁ ରାଷ୍ଟ୍ରପତି ପ୍ରଦାନ କଲେ ଭୂମି ସମ୍ମାନ

ଭୁବନେଶ୍ବର: ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ଯ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ଭୂମି ସମ୍ମାନ” ପ୍ରଦାନ କରିଛନ୍ତି।

ଦେଶର ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଓଡିଶାର ୧୯ଟି ଜିଲ୍ଲା ପୁରସ୍କାର ପ୍ରାପ୍ତ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

୧୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଉପଜିଲ୍ଲାପାଳମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ପ୍ରାପ୍ତ କରିଥିବା ଜିଲ୍ଲା: ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ନୟାଗଡ, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ସମ୍ବଲପୁର

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ପ୍ରଶାସନିକ ସ୍ତରରେ ବସୁଛି ଘନଘନ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜ ଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଥିବାବେଳେ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥା ଓ ଖୋର୍ଦ୍ଧା ଜିଲ୍ଲାପ୍ରଶାସନର ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା, ରାଜଭବନ ଓ ତମାଣ୍ଡୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେଭଳି ତ୍ରୁଟିଶୂନ୍ୟ ଓ ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥିପାଇଁ ଯନିବାନ ହେବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ସମୟରେ ସଭାସ୍ଥଳୀକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ ଏବଂ ଓପିଟିସିଏଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଜ୍ଞ ଯନ୍ତ୍ରୀମାନେ ଉପସ୍ଥିତ ରହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ମହଜୁଦ୍‌ ଜେନେରେଟରଗୁଡ଼ିକର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ଯାଞ୍ଚ କରିବେ।

କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ ଯୋଗାଣ, ଅନୁମୋଦିତ ଯୋଜନା ଅନୁସାରେ ସଭା ମଂଚ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା, ଚିକିତ୍ସା ଓ ଆମ୍ବୁଲାନ୍ସ, ଡାକ୍ତରୀ ଟିମ ମୁତୟନ, ଉତ୍ସବସ୍ଥଳୀକୁ ଯାତାୟତ ରାସ୍ତାର ମରାମତି ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟେଲିଫୋନ, ବ୍ରଡବ୍ୟାଣ୍ଡ ଓ ହଟଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକରେ ଉପସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହି ସମୟରେ ଗସ୍ତସୂଚୀରେ ଥିବା ରୁଟରେ ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଯାନବାହାନକୁ ହଟାଇନେବା ପାଇଁ କୁହାଯାଇଥିଲା। ପୁଲିସ ବିଭାଗ ତରଫରୁ କାରକେଡ୍‌, ଟ୍ରାଫିକ୍‌ ଏବଂ ଯାନବାହାନ ପାର୍କିଂକୁ ସୁବ୍ୟବସ୍ଥିତ କରାଯିବ।

ସଭାମଞ୍ଚ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ, ବ୍ୟାରିକେଡିଂ ବ୍ୟବସ୍ଥା, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ଆବଶ୍ୟକ ପାସ୍‌ ବ୍ୟବସ୍ଥା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ଯାନବାହନ ଯୋଗାଣ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମୁତୟନ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଉପସ୍ଥିତ ଥିବା ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନଙ୍କ ସହ ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସମସ୍ତ ଆୟୋଜନ କରିବାକୁ କୁହାଯାଇଥିଲା।

ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ଉଚିତ ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଏଥି ନିମନ୍ତେ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତେ ନିଜ ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବେ। ଦାୟିତ୍ୱରେ ଅବହେଳା କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସଫଳ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ମହାପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଠକ, ଏଥର ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଗୁରୁତ୍ବ

ଭୁବନେଶ୍ବର: ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର  ଓଡିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ବୈଠକରେ ଗୃହ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ  ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରସ୍ତୁତି ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ।

ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ରାଜ ଭବନଠାରେ ଓଡିଶାର ଆପଦଗ୍ରସ୍ତ  ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ୨୬ ତାରିଖରେ କଟକର ଚଣ୍ଡି ମନ୍ଦିର, ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସ ଭବନ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ।

ଏହି ଦିନ ମଧ୍ୟ କଟକ ଉଚ୍ଚ ନ୍ୟାୟାଳୟର  ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ,କଟକର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକୋତ୍ସବ, ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ସେହିପରି ୨୭ ତାରିଖରେ ମଧ୍ୟ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି  ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ଠାରୁ ୨୭ ତାରିଖରେ ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବୈଠକରେ ବିସ୍ତୃତ  ଆଲୋଚନା କରାଯାଇଥିଲା। ଉଚ୍ଚ ନ୍ୟାୟାଳୟ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, ସଂପୃକ୍ତ ଜିଲ୍ଲାରୁ ଜିଲ୍ଲାପାଳ , ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମର କର୍ତ୍ତୃପକ୍ଷମାନେ ଆଭାସୀ ମାଧ୍ୟମରେ ବୈଠକରେ   ଯୋଗଦେଇଥିଲେ।

ବୈଠକରେ ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ,  ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ , ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି।ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ୍, ଟିପିଏନଓଡିଏଲ୍ କୁ ଭଲଭାବେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ  ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଯାଂଚ ନିମନ୍ତେ ସମ୍ପୃକ୍ତ ଅଭିଜ୍ଞ ନିର୍ବାହୀ ଯନ୍ତ୍ରୀମାନେ  ଉପସ୍ଥିତ ରହିବେ।  ଯଥେଷ୍ଟ ସଂଖ୍ୟକ  ଜେନେରେଟର ମହଜୁଦ ରହିବା ସହ ସେସବୁର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ। କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ଯୋଗାଣ, ଅନୁମୋଦିତ ଯୋଜନା ଅନୁସାରେ ସଭା ମଂଚ ପ୍ରସ୍ତୁତି, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ଆବଶ୍ୟକ  ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭିନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା।

ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ ମହାନିରୀକ୍ଷକ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସୁରକ୍ଷା ଦାୟିତ୍ୱରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।

ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ,  ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଭୁବନେଶ୍ୱର-କଟକ-ପୋଲିସ କମିଶନର ଶ୍ରୀ  ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ  ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ  ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଆଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ର ଉଦଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶିକ୍ଷାବିତ ମାନଙ୍କୁ ମାର୍ଗଦର୍ଶନ ନିମନ୍ତେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତିତ ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯାଉଛି। ଭାରତ ବିଶ୍ୱର ଜ୍ଞାନର ମହାଶକ୍ତି ହେବା ଦିଗରେ ମଧ୍ୟ ଗତି କରୁଛି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି। ବିଗତ ଜାତୀୟ ଶିକ୍ଷା ନୀତିରେ ଅନେକ ପଦକ୍ଷେପ ନିଆଯାଇଛି। ଭାରତରେ ପ୍ରଥମ ଥର ପାଇଁ ୩ ବର୍ଷ ପିଲାଙ୍କୁ ସାଧାରଣ ଶିକ୍ଷାରେ ଯୋଡା ଯାଉଅଛି। ବାଲବାଟିକା ୧, ୨, ୩ ଏବଂ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟର ଶିକ୍ଷା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇସାରିଛି। ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ସାର୍ବଜନୀନ ହେବାକୁ ଯାଉଛି। ଆଗାମୀ ପ୍ରାୟ ଦୁଇ ବର୍ଷ ଭିତରେ ଦ୍ୱାଦଶ ପର୍ଯ୍ୟନ୍ତ ସେ ସବୁକୁ ପୁସ୍ତକରେ ରୂପାନ୍ତରିତ କରାଯିବ।

ପ୍ରଧାନମନ୍ତ୍ରୀ କହିବାନୁସାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି। ଏହି ଦଶକର ଅନେକ ନିର୍ଣ୍ଣୟ ବିଗତ ୧୦୦ ବର୍ଷକୁ ପ୍ରଭାବିତ କରିଛି। ଦେଶକୁ ସ୍ୱାଧୀନତା ମିଳିବା ସହ ଭାରତର ସମ୍ବିଧାନ ପ୍ରଣୟନ ହେଲା। ଦେଶରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା। ଆଇଆଇଟି, ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନେକ ଉତ୍କର୍ଷ କେନ୍ଦ୍ର ଆଜି ଭାରତରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅନେକ ଅନୁଷ୍ଠାନର କ୍ୟାମ୍ପସ ବିଦେଶରେ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହି ପ୍ରବାସ ବାସ୍ତବରେ ବୈଶ୍ୱିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କ ଜାତି ଦର୍ଶାଇ ଉତ୍ତେଜନାମୂଳକ ବିବୃତ୍ତି!, କେଜ୍ରିୱାଲ ଏବଂ ଖଡଗେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ନୂତନ ସଂସଦ ଭବନର ଉଦଘାଟନ ଆୟୋଜନ ସଂପର୍କରେ। ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ଏହାର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଦର୍ଶାଯାଇଥିଲା ଏବଂ ଏହା ଦ୍ଵାରା ସମ୍ପ୍ରଦାୟ / ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଥିଲା। ଉତ୍ତେଜନାମୂଳକ ବିବୃତ୍ତି ମଧ୍ୟ ଦିଆଯାଇଥିଲା। ଯାହାକି ଆଇପିସିର ଧାରା ୧୨୧,୧୫୩ଏ, ୫୦୫ ଏବଂ ୩୪ ଅଧୀନରେ ଅପରାଧ ବର୍ଗରେ ଆସିଥାଏ।

ବାସ୍ତବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନକରିବାରୁ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସରକାରଙ୍କୁ ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି ଯେ, କେବଳ ନିର୍ବାଚନ କାରଣରୁ ମୋଦୀ ସରକାର ଦଲିତ ଏବଂ ଆଦିବାସୀ ସମ୍ପ୍ରଦାୟରୁ ରାଷ୍ଟ୍ରପତି କରନ୍ତି। ଖଡଗେ କହିଛନ୍ତି ଯେ ଯେତେବେଳେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନାହିଁ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ସେ କେବଳ ସରକାର ଏବଂ ବିରୋଧୀ ତଥା ପ୍ରତ୍ୟେକ ନାଗରିକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ରାଷ୍ଟ୍ରପତି ନୂତନ ସଂସଦ ଭବନର ଉଦଘାଟନ କରିଥାନ୍ତେ, ତେବେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ହୋଇଥାନ୍ତା। ଏଥି ସହିତ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଦଳିତ ସମାଜ ପଚାରୁଛି କି ସେମାନଙ୍କୁ ଅଶୁଭ ବୋଲି ବିବେଚନା କରାଯାଉଛି କି, ସେଥିପାଇଁ ସେମାନଙ୍କୁ ଡକାଯାଇ ନାହିଁ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ମୋଦୀ ସରକାରଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ରାମ ମନ୍ଦିରର ମୂଳଦୁଆ ପକାଇବାକୁ ନିମନ୍ତ୍ରଣ କରାଯାଇ ନାହିଁ। କିମ୍ବା ନୂତନ ସଂସଦର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥି ସହିତ ନୂତନ ସଂସଦ ଭବନର ଉଦଘାଟନ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ କରାଯାଉନାହିଁ।

Categories
ବିଶେଷ ଖବର

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୬, ୨୦୨୩ ରେ) ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଅତି କମ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଭିନବ ପରିଚୟ ସୃଷ୍ଟି କରିଛି।

ଜନଜାତି ପଦ୍ଧତି ଓ ସାଂସ୍କୃତିକ ପରମ୍ପରାର ମୂଳଦୁଆକୁ ସଂରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ‘ପବିତ୍ର ଉପବନ’ ପ୍ରତିଷ୍ଠା କରାଯିବାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ‘ପବିତ୍ର ଉପବନ’ ପରିବେଶ ଓ ସ୍ଥାନୀୟ ବିବିଧତାର ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ସମ୍ବଳର ଗୋଷ୍ଠୀ ଆଧାରିତ ପରିଚାଳନାର ଏହା ଏକ ଶ୍ରେଷ୍ଠ ଉଦାହରଣ।

ରାଷ୍ଟ୍ରପତି କହିଥିଲେ ଯେ, ଆଜି ସାରା ବିଶ୍ୱ ବିଶ୍ୱ ଉତ୍ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ସମସ୍ୟାର ସମ୍ମୁଖିନ ହେଉଛି। ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା କ୍ଷେତ୍ରରେ ଭାରତ ସାରା ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ଏହାକୁ ‘ଲାଇଫ’ ବା ଲାଇଫଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ ବୋଲି କୁହାଯାଉଛି। ଆମ ପରମ୍ପରାରେ, ଉଦ୍ଭିଦ, ବୃକ୍ଷଲତା, ପର୍ବତ, ନଦୀର ଜୀବନ ଅଛି ବୋଲି ବିଶ୍ୱାସ କରାଯାଏ। କେବଳ ମଣିଷ ନୁହନ୍ତି ସମ୍ପୂର୍ଣ୍ଣ ଜୀବଜଗତ ପ୍ରକୃତି ମାତାର ସନ୍ତାନ। ତେଣୁ ପ୍ରକୃତି ସହିତ ସହାବସ୍ଥାନ କରି ରହିବା ସବୁ ମନୁଷ୍ୟଙ୍କ କର୍ତ୍ତବ୍ୟ। ସେ କହିଥିଲେ ଯେ, ଏହି କ୍ଷେତ୍ରରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଜୈବବିବିଧତା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ ଜରିଆରେ ଜୈବବିବିଧତାର ସଂରକ୍ଷଣ ପାଇଁ ମାର୍ଗ ସନ୍ଧାନ କରିପାରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, କେବଳ ଡିଗ୍ରୀ ହାସଲ କରିବା ଦ୍ୱାରା ଶିକ୍ଷାଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବା ନାହିଁ। ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା। ସେ କହିଥିଲେ ଯେ, ଉଚ୍ଚଶିକ୍ଷା ହାସଲ କରିସାରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଚାକିରି କରିବେ, ଆଉ କିଛି ବ୍ୟବସାୟ ଏବଂ ଆଉ କିଛି ଗବେଷଣା କରିବେ, କିନ୍ତୁ ଚାକିରି କରିବା ଅପେକ୍ଷା ଚାକିରି ଦେବା ପାଇଁ ଚିନ୍ତା କରିବା ଭଲ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା କରାଯିବା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କୁ ଷ୍ଟାର୍ଟଅପ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇ ଦିଆଯାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ପ୍ରତିଯୋଗିତା ଜୀବନର ଏକ ଅପରିହାର୍ଯ୍ୟ ଦିଗ। ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ପ୍ରତିଯୋଗିତାର ସାମ୍ନା କରିଥାନ୍ତି। ସେ କହିଥିଲେ ଯେ ଛାତ୍ରଛାତ୍ରୀ ସବୁବେଳେ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍‌ ଏବଂ ଏଥିପାଇଁ ସେମାନେ ଉଚ୍ଚ ଦକ୍ଷତା ଅର୍ଜନ କରିବା ତଥା ଅଧିକ ଦକ୍ଷ ହେବା ପାଇଁ ଚେଷ୍ଟା କରିବା ଜରୁରି। ନିଜର ଇଚ୍ଛାଶକ୍ତି ବଳରେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ।

ରାଷ୍ଟ୍ରପତି କହିଥିଲେ ଯେ ପ୍ରତିଯୋଗିତା ଜୀବନର ଏକ ପ୍ରାକୃତିକ ଦିଗ, କିନ୍ତୁ ସହଯୋଗ ଜୀବନର ଏକ ସୁନ୍ଦର ଦିଗ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଜୀବନରେ ଆଗକୁ ବଢ଼ିବା ସମୟରେ ସେମାନେ ଯେତେବେଳେ ପଛକୁ ଫେରି ଚାହିଁବେ, ସେମାନେ ଏମିତି କିଛି ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିବା ଲାଗି ସମର୍ଥ ନୁହନ୍ତି। ବଞ୍ଚିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଏବଂ ସେମାନଙ୍କୁ ଆଗକୁ ଆଣିବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ। କେବଳ ନିଜର ଖୁସି ଓ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ଚିନ୍ତା କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ, ଏହା ଦେଖି ରାଷ୍ଟ୍ରପତି କହିଲେ..

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତି ଭାଷଣ ଦେବାର କିଛି ସମୟ ପରେ ପ୍ରେକ୍ଷାଳୟର ଲାଇନ ଚାଲିଯାଇଥିଲା। ଫଳରେ ରାଷ୍ଟ୍ରପତି ଭାଷଣ ନ ଦେଇ ଲାଇନକୁ ଅପେକ୍ଷା କଲେ।

ହେଲେ କିଛି ସମୟ ଧରି ଲାଇନ ନ ଆସିବାରୁ ସେହି ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ। ପୋଡିୟମରେ ଥିବା ଏକ ଚାର୍ଯ୍ୟ ଲାଇଟ ମାଧ୍ୟମରେ ସେ ଭାଷଣକୁ ଚାଲୁରଖିଲେ। ପ୍ରାୟ ନ ମିନିଟ ଧରି ପ୍ରେକ୍ଷାଳୟର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା।

ଲାଇନ କଟିବାକୁ ନେଇ ରାଷ୍ଟ୍ରପତି ବିରକ୍ତି ଭାବ ଜଣାପଡୁଥିଲେ ମଧ୍ୟ ସେ ଏ ନେଇ କିଛି କହି ନ ଥିଲେ। ହେଲେ ସେ କହିଥିଲେ ଯେ, ‘ଆଲୁଅ ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’। ପରିସ୍ଥିତିକୁ ହାଲକା କରିବା ପାଇଁ ରାଷ୍ଟ୍ରପତି ଏପରି କହିଥିଲେ। ହେଲେ ସେଠାକାର ଉପସ୍ଥିତ ଲୋକେ ତାହାକୁ ସହଜରେ ଗ୍ରହଣ କରି ନ ଥିଲେ।

ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଖବର ଜାଣିବା ପରେ ଆରଡିସି ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ବିଦ୍ୟୁତ ଯୋଗାଣ କଂପାନୀର ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ତେବେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିକ୍ରିୟା ନେଇ ଲୋକେ ଅଧିକ ବିରକ୍ତିକର ହୋଇପଡିଛନ୍ତି। କୁଳପତି କହିଲେ ଯେ, ବିଭ୍ରାଟ ନ ଥିଲେ କାର୍ଯ୍ୟକ୍ରମର ସୁଆଗ ନ ଥାଏ। ଆମେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିସାରିଛୁ। ଲାଇନ କଟିବା ପରେ ହଠାତ ଜେନେରେଟର ଚାଲି ନ ଥିଲା।

ତେବେ ଏହି ଘଟଣା ନେଇ ଟାଟା ପାୱାର ତାହାର ଦୋଷ ତୁଟାଇ କହିଲା ଯେ, ଆମର କିଛି ଭୁଲ ନାହିଁ। ଟାଟା ପାୱାର ଏବଂ ଭିସିଙ୍କ ଉତ୍ତର ନେଇ ବିଭିନ୍ନ ମହଲରେ ବିରୋଧ କରିବା ଆରମ୍ଭ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜନ୍ମସ୍ଥାନ ଭ୍ରମଣ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି, ଏହି ଗସ୍ତ ଏକ ସ୍ମରଣୀୟ ମୁହୁର୍ତ୍ତ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ହେଉଛି ଶେଷ ଦିନ। ଆଜି ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିଛନ୍ତି। ସେ ମୁଣ୍ଡରେ ଟୋପି ପିନ୍ଧି ଏକାଏକା ଅଭୟାରଣ୍ୟ ଭିତରେ ଭ୍ରମଣ କରିଛନ୍ତି। ରାଷ୍ଟ୍ରପତି ଶୁକ୍ରବାର ସକାଳୁ ନିଜ ଗ୍ରାମରୁ ବାହାରି ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେ ରାଇରଂଗପୁରର ଦାଣ୍ଡବୋଷରେ ଅଲିଚିକି ଭାଷାର ଜନକ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ଏହାପରେ ସେ ହେଲିକାପ୍ଟରରେ ଯଶିପୁରରେ ପହଞ୍ଚିବା ପରେ କାରକେଡରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିଲେ। ସେଠାରେ ଅଭୟାରଣ୍ୟ ତରଫରୁ ପାରଂପାରିକ ନୃତ୍ୟଗୀତରେ ସ୍ବାଗତ କରି ଭିତରକୁ ପାଛୋଟି ନିଆଯାଇଥିଲା। ରାଷ୍ଟ୍ରପତି ସେଠାରେ ପ୍ରାୟ ଦୁଇ ଘଣ୍ଟା ଭ୍ରମଣ କରିଥିଲେ। ଅଭୟାରଣ୍ୟ ବୁଲିବା ପାଇଁ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ରାଷ୍ଟ୍ରପତି ଗାଡି ଛାଡି କିଛି ସମୟ ଏକା ଏକା ମଧ୍ୟ ବୁଲିଥିଲେ। ଶିମିଲିପାଳର ପ୍ରାକୃତିକ ଶୋଭାରାଶି ଦେଖି ସେ ଅଭିଭୂତ ହୋଇପଡିଥିଲେ। ସେ ପିଲାଟି ଦିନରୁ ପ୍ରାକୃତିକ ପରିବେଷ ମଧ୍ୟରେ ବଢିଥିଲେ ମଧ୍ୟ ଶିମିଳିପାଳ ଶୋଭା ତାଙ୍କୁ ବେଶ ଆକର୍ଷିତ କରିଥିଲା। ସେଠାରେ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥିରେ ପଣସ ତରକାରୀ କରାଯିବା ସହିତ ପାରଂପାରିକ ଖାଦ୍ୟ ପରଶା ଯାଇଥିଲା।

ଶୁକ୍ରବାରରେ ରାଷ୍ଟ୍ରପତି ବାରିପଦା ସର୍କିଟ ହାଉସରେ ରାତ୍ରୀଯାପନ କରିଥିଲେ। ସେଠାରେ ମଧ୍ୟ ରାତ୍ରୀ ଭୋଜନରେ ପାରଂପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

ଏହାପରେ ଆଜି ସକାଳୁ ସେ ବାରିପଦା ସର୍କିଟ ହାଉସରୁ ବାହାରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ସେଠାରେ ସେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ନିଜ ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସେଠାକାର ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ନିଜ ମାଟିର ଝିଅ ରାଷ୍ଟ୍ରପତି ହୋଇଥିବାରୁ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଛି।

ଗୁରୁବାର ରାତିରେ ରାଷ୍ଟ୍ରପତି ଅତିଥୀ ଭବନରେ ନ ରହି ନିଜ ଘରେ ଅବସ୍ଥାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କର ରହଣୀ ରାଇରଙ୍ଗପୁର ଗେଷ୍ଚ ହାଉସରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ସେଠାରେ ରହି ନ ଥିଲେ। ପ୍ରୋଟକଲ ପରିତ୍ୟାଗ କରି ସେ ନିଜ ଘରେ ପରିବାର ଲୋକଙ୍କ ସହ ଖାଇବା ଏବଂ ସେହିଠାରେ ରାତ୍ରୀ ଯାପନ ମଧ୍ୟ କରିଥିଲେ।

ପରିବାର ଲୋକେ ରାଷ୍ଟ୍ରପତିଙ୍କ ପାଇଁ ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର ପ୍ରସ୍ତୁତ କରିଥିଲେ। ରାତି ପର୍ଯ୍ୟନ୍ତ ରାଷ୍ଟ୍ରପତି ପରିବାର ଲୋକଙ୍କ ସହିତ ଗପସପ କରିଥିଲେ। ରାଷ୍ଟ୍ରପତି ତାଙ୍କ ଜନ୍ମସ୍ଥାନର ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ମୁହୁର୍ତ୍ତ ହୋଇ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଇରଙ୍ଗପୁରରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେଥିପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ରାଇରଂଗପୁରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଆଜି ପୂର୍ବତନ ରାଷ୍ଟ୍ରପତି ସିଂହଙ୍କ ଜନ୍ମତିଥୀ ହୋଇଥିବାରୁ ସେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ମୟୁରଭଂଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମମାଟି ଗସ୍ତ। ସେ ଗୁରୁବାରଠାରୁ ମୟୁରଭଂଜ ଜିଲ୍ଲାରେ ଅଛନ୍ତି। ଗତକାଲି ସେ ତାଙ୍କର ନିଜ ଘରେ ରାତ୍ରିଯାପନ କରିଥିଲେ। ଆଜି ସେ ସିମିଳିପାଳ ଗସ୍ତ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ବିଶେଷ ଖବର

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୪, ୨୦୨୩)ରେ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ କୁମାରୀ କେନ୍ଦ୍ରକୁ ପ୍ରଶଂସା କରିଥିଲେ। ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ସଫଳତା ପାଇଁ ସେ କାମନା କରିଥିଲେ।

ପୂର୍ବରୁ, ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ପହଞ୍ଚି ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ସେ ଗାଁରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବା ସହିତ ଗାଁ ଲୋକଙ୍କ ସହିତ ମତବିନିମୟ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗାଁକୁ ଭିତରକୁ ଗଲେ ଚାଲିଚାଲି

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମ ମାଟି ପାହାଡପୁରରେ ପହଞ୍ଚିଛନ୍ତି। ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଆଜି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସେଥିପାଇଁ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି।

ସେଠାରେ ସେ ନିଜ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାଁ ଭିତରକୁ ପ୍ରବେଶ କରି ସମସ୍ତଙ୍କୁ ହାତହଲାଇ ଅଭିନନ୍ଦନ ଜଣାଇଥିଲେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ଥିବା ନୂଆ ସର୍କିଟ ହାଉସରେ ଅବସ୍ଥାନ କରିବେ।

ମେ ୫ ତାରିଖରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ। ମେ ୬ ତାରିଖରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ।

ଆଜି ରାଷ୍ଟ୍ରପତି ପାହାଡ଼ପୁର ଠାରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ। ଏହାପରେ ସେ ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରକୁ ଗସ୍ତ କରିବେ ଏବଂ ସେଠାରେ ବ୍ରହ୍ମ କୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଆରମ୍ଭ କରିବେ। ସନ୍ଧ୍ୟାରେ ରାଷ୍ଟ୍ରପତି ରାଇରଙ୍ଗପୁର ଠାରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ।

ମେ ୫ ତାରିଖରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ।
ମେ ୬ ତାରିଖରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ମେ ୯ ତାରିଖରେ ଆସିବାର ସମୟ ନିର୍ଦ୍ଧାରିତ ହୋଇଥିଲା। ହେଲେ ସେହି ଦିନ ପରିବର୍ତ୍ତେ ସେ ୪ ତାରିଖରେ ଓଡିଶା ଆସି ମୟୂରଭଞ୍ଜ ଯିବେ।

ତେବେ ୯ ତାରିଖରୁ ଯାହା କାର୍ଯ୍ୟକ୍ରମ ଥିଲା ତାହା ପୂର୍ବ ନିର୍ଦ୍ଧାରିତ ଅନୁସାରେ ୪ ତାରିଖରୁ କରାଯିବ। ରାଷ୍ଟ୍ରପତି ସେଦିନ ଓଡିଶା ଆସି ରାତିରେ ବାରିପଦା ସର୍କିଟ୍ ହାଉସରେ ରହିବେ । ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ତାଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ଏମଏସସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ଓଡିଶା ଗସ୍ତରେ ଆସିବେ। ଆସନ୍ତା ମାସରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏମଏସସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମେ ୯ ତାରିଖରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମ୍ମାନ ପ୍ରଦାନ ସମାରୋହରେ ୨୦୨୩ ବର୍ଷ ପାଇଁ ତିନୋଟି ପଦ୍ମ ବିଭୂଷଣ, ଚାରିଟି ପଦ୍ମ ଭୂଷଣ ଏବଂ ୪୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ର୍ବିଲା, କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଯୋଗ ଦେଇଥିଲେ।

ସମ୍ମାନ ପ୍ରଦାନ ସମାରୋହ ପରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ।

ଆସନ୍ତାକାଲି (ମାର୍ଚ୍ଚ ୨୩, ୨୦୨୩) ସକାଳେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେମାନେ ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିବେ।