Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୪ ମାର୍ଚ୍ଚ, ୨୦୨୩)ରେ ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କରିଛନ୍ତି ଏବଂ ଜଳ ଶକ୍ତି ଅଭିଯାନ : କ୍ୟାଚ ଦ ରେନ୍‌-୨୦୨୩ର ଶୁଭାରମ୍ଭ କରିଛି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଜଳ ଓ ସ୍ୱଚ୍ଛତାର ବିଶେଷ ସ୍ଥାନ ରହିଛି। କିନ୍ତୁ ଏହି ପ୍ରସଙ୍ଗ ମହିଳାମାନଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ, କାରଣ ସାଧାରଣତଃ ଘରେ ପାଣି ବ୍ୟବସ୍ଥା କରିବାର ଉତ୍ତରଦାୟିତ୍ୱ ମହିଳାମାନଙ୍କ ଉପରେ ଥାଏ। ପୂର୍ବରୁ ଗାଁରେ ପାଣି ଯୋଗାଡ଼ କରିବା ଲାଗି ସେମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ପିଇବା ପାଣି ବ୍ୟବସ୍ଥା କରିବାରେ କେବଳ ଅଧିକ ସମୟ ଲାଗୁନଥିଲା ବରଂ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ୁଥିଲା। ସାଧାରଣତଃ ସ୍କୁଲ ଓ କଲେଜ ଯାଉଥିବା ଝିଅମାନେ ମଧ୍ୟ ନିଜ ପରିବାରର ବଡ଼ ଲୋକମାନଙ୍କ ସହିତ ପାଣି ବ୍ୟବସ୍ଥା କରିବାରେ ଲାଗି ରହୁଥିଲେ, ଯାହାଫଳରେ ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ଏହି ସମସ୍ୟାକୁ ଦୂର କରିବା ଲାଗି ଭାରତ ସରକାର ବିଶେଷ ଉପାୟ କରିଛନ୍ତି। ସରକାର ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛତା ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ଆଜିସୁଦ୍ଧା ୧୧.୩ କୋଟିରୁ ଅଧିକ ଘରକୁ ଟ୍ୟାପ ଯୋଗେ ପାନୀଳ ଜଳ ମିଳିପାରିଛି। ଏହା ଖୁସିର ବିଷୟ। ସେ କହିଥିଲେ, ଯେଉଁ ମହିଳାମାନେ ପୂର୍ବରୁ ପାଣି ଆଣିବାରେ ସମୟ ବିତାଉଥିଲେ ସେମାନେ ଏବେ ଅନ୍ୟ ଉତ୍ପାଦକ କାର୍ଯ୍ୟରେ ସେହି ସମୟର ଉପଯୋଗ କରୁଛନ୍ତି। ଟ୍ୟାପରୁ ବାହାରୁଥିବା ସ୍ୱଚ୍ଛ ପାଣିରୁ ସେହି ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି ଯେଉଁମାନେ ପୂର୍ବରୁ ଦୂଷିତ ପାଣି ପିଇବା କାରଣରୁ ଡାଇରିଆ ଏବଂ ଝାଡ଼ାବାନ୍ତି ଭଳି ସମସ୍ୟାରେ ପଡ଼ୁଥିଲେ।

ରାଷ୍ଟ୍ରପତି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ, ଆମ ଦେଶରେ ସୀମିତ ଜଳ ଉତ୍ସ ରହିଛି ଏବଂ ଏହାର ଅସମାନ ବିତରଣ ଦେଖିବାକୁ ମିଳିଥାଏ। ବିଶ୍ଵର ପାଖାପାଖି ୧୮ ପ୍ରତିଶତ ଜସଂଖ୍ୟା ଭାରତରେ ରହିଥାନ୍ତି, କିନ୍ତୁ ଏଠାରେ ବିଶ୍ଵର ମାତ୍ର ୪ ପ୍ରତିଶତ ଜଳ ଉତ୍ସ ଉପଲବ୍ଧ ରହିଛି। ଏହା ବ୍ୟତୀତ, ଏହି ପାଣିର ଅଧିକାଂଶ ଭାଗ ବର୍ଷା ଆକାରରେ ମିଳିଥାଏ, ଯାହାକି ନଦୀ ଓ ସମୁଦ୍ର ଦେଇ ବୋହିଯାଏ। ସେଥିପାଇଁ ଜଳ ସଂରକ୍ଷଣ ଓ ଏହାର ପରିଚାଳନା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଆମେ ଜଳ ଯୋଗାଣ ପାଇଁ ପାରମ୍ପରିକ ସାଧନ ଅପେକ୍ଷା ସଂସ୍ଥାଗତ ସାଧନ ଉପରେ ଅଧିକ ନିର୍ଭରଶୀଳ ରହିଛୁ। କିନ୍ତୁ ସ୍ଥାୟୀ ଜଳ ଯୋଗାଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିବା ସହିତ ଜଳ ପରିଚାଳନା ଏବଂ ଜଳ ସଞ୍ଚୟର ପାରମ୍ପରିକ ପଦ୍ଧତିକୁ ପୁନର୍ଜୀବିତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ଜଳ ସଂରକ୍ଷଣ ଓ ଏହାର ପରିଚାଳନା ପାଇଁ ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଥିଲେ ଯେ, କେବଳ ଆମ ନିଜ ପାଇଁ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଆମକୁ ଏହି ପ୍ରୟାସ କରିବାର ଆବଶ୍ୟକତା ରହିଛି।

ରାଷ୍ଟ୍ରପତି କହିଥିଲେ ଯେ, ଦେଶର ପ୍ରାୟ ଦୁଇ ଲକ୍ଷ ଗ୍ରାମ ନିଜକୁ ଓଡିଏଫ ପ୍ଲସ୍‌ ଘୋଷଣା କରିବା ଖୁସିର ବିଷୟ। ଏହାର ଅର୍ଥ ହେଉଛି ଏସବୁ ଗାଁରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ପ୍ରଣାଳୀ ରହିଛି। ସେ ଘରୋଇ ବର୍ଜ୍ୟର ଉଚିତ ଓ ପରିବେଶ ଅନୁକୂଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ସାଧାରଣତଃ ଘରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ସାର୍ବଜନୀନ ସ୍ଥାନରେ ଫିଙ୍ଗି ଦିଆଯାଇଥାଏ। ତରଳ ବର୍ଜ୍ୟ ଜଳାଶୟକୁ ଚାଲିଯାଏ। ରାଷ୍ଟ୍ରପତି କହିଥିଲେ ଯେ ଏହା ପରିବେଶ ଏବଂ ଜୀବଜନ୍ତୁଙ୍କ ପାଇଁ ହାନିକାରକ। ଆମ ପାଖରେ ଏପରି ଏକ ପ୍ରଣାଳୀ ରହିବା ଉଚିତ ଯେଉଁଥିରେ ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃଚକ୍ରଣ ହୋଇପାରୁଥିବ। ସେହିପରି ତରଳ ବର୍ଜ୍ୟବସ୍ତୁ ଭୂପୃଷ୍ଠ ଜଳକୁ ଦୂଷିତ କରୁନଥିବା ଆବଶ୍ୟକ ଏବଂ ଆମେ ଅବଶିଷ୍ଟ ବର୍ଜ୍ୟବସ୍ତୁରେ ଖତ ତିଆରି କରିପାରିବା।

ରାଷ୍ଟ୍ରପତି କହିଥିଲେ ଯେ, ଭାରତକୁ ଏକ ‘ସ୍ୱଚ୍ଛ ରାଷ୍ଟ୍ର’ ଭାବେ ଗଢ଼ି ତୋଳିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ନାଗରିକମାନଙ୍କର ସାମୂହିକ ଦାୟିତ୍ୱ ହେବା ଉଚିତ୍‌। ସେ କହିଥିଲେ ଯେ, ‘ନାରୀ ଶକ୍ତି’ ବିନା ‘ଜଳ ଶକ୍ତି’ ଫଳପ୍ରଦ ହୋଇପାରିବ ନାହିଁ। ସାମାଜିକ ସମୃଦ୍ଧି ପାଇଁ ଏହି ଦୁଇଟି ଶକ୍ତିକୁ ଉପଯୋଗ କରିବାର ଆବଶ୍ୟକତା ରହିଛି। ମହିଳାମାନଙ୍କ ସଶକ୍ତ କରିବା ଜଳ ଜୀବନ ମିଶନର ଉଦ୍ଦେଶ୍ୟ।

ରାଷ୍ଟ୍ରପତି କହିଥିଲେ ଯେ ସବୁ ପୁରସ୍କାର ବିଜେତାମାନଙ୍କ ଦ୍ବାରା ଜଳ ସଂରକ୍ଷଣ, ଗାଁକୁ ଓଡିଏଫ ପ୍ଲସ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ସଞ୍ଚୟ କ୍ଷେତ୍ରରେ କରାଯାଉଥିବା ପ୍ରୟାସ ଓ କଠିନ ପରିଶ୍ରମ କାରଣରୁ ଭାରତ ଜଳ ପରିଚାଳନା ଓ ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ଵ ସମୁଦାୟ ଆଗରେ ଏକ ଉଦାହରଣ ପ୍ରସ୍ତୁତ କରିବ। ପୁରସ୍କାର ବିଜେତାମାନଙ୍କୁ ଅନୁରୋଧ କରି ରାଷ୍ଟ୍ରପତି କହିଥିଲେ ଯେ ସାରା ଦେଶରେ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟ ବିଷୟରେ ସେମାନେ ନିଜ ନିଜ କ୍ଷେତ୍ରର ଲୋକମାନଙ୍କୁ ସୂଚନା ଦିଅନ୍ତୁ। ସେମାନେ ମଧ୍ୟ ଅନ୍ୟମାନଙ୍କୁ ପରିବେଶ ଅନୁକୂଳ ଜୀବନ ଆପଣାଇବାକୁ ଅନୁପ୍ରାଣିତ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର

କଟକରେ ଦ୍ବିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି

କଟକ: ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । କଟକ ସ୍ଥିତ ଆଇସିଏଆର – ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆଜି (ଫେବୃଆରୀ ୧୧, ୨୦୨୩) ଦ୍ବିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଜି ଭାରତ ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଏବଂ ବଡ଼ ରପ୍ତାନିକାରୀ, କିନ୍ତୁ ଦେଶ ସ୍ବାଧୀନ ହେବା ସମୟରେ ପରିସ୍ଥିତି ଭିନ୍ନ ଥିଲା। ସେତେବେଳେ ଆମେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ। ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା। ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ବିଶ୍ବର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍। ଏହି ଗବେଷଣା ପ୍ରତିଷ୍ଠାନ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଇଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି।

ରାଷ୍ଟ୍ରପତି କହିଥିଲେ ଯେ ବିଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଥିଲା। ନୂଆ ସ୍ଥାନରେ ଧାନ ଅମଳ ହେଲା ଏବଂ ଧାନକୁ ନୂଆ ଉପଭୋକ୍ତା ମିଳିଥିଲେ। ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି, କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖା ଦେଇଛି। ମରୁଡ଼ି, ମନ୍ୟା ଓ ବାତ୍ୟା ଭଳି ବିପର‌୍ୟ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି । ସେ କହିଥିଲେ ଯେ, ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।

ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍ । ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ । ଆଉ ଏକ ସମସ୍ୟା ହେଉଛି ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ହେଉଥିବା ମୃତ୍ତିକା କ୍ଷୟକୁ ରୋକିବା। ଆଧୁନିକ ଧାନ ଚାଷ ପାଇଁ ଏହାକୁ ଜରୁରି ବୋଲି ବିବେଚନା କରାଯାଇଥାଏ। ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ରାଷ୍ଟ୍ରପତି ବିଶ୍ବାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ବ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । କମ ଆୟ ବର୍ଗର ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରିଥାନ୍ତି, ଏହା ସେମାନଙ୍କ ପାଇଁ ଦୈନିକ ପୋଷଣର ଏକମାତ୍ର ଉତ୍ସ। ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଜରୁରି ପୋଷକ ତତ୍ତ୍ବ ଯୋଗାଇ ଦେବା ଦ୍ବାରା କୁପୋଷଣକୁ ଦୂର କରାଯାଇପାରିବ ।

ଆଇସିଏଆର-ଏନଆରଆରଆଇ ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ ‘ସିଆର ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବିଜ୍ଞାନ କିଭଳି ସମାଜ ସେବା କରିପାରୁଛି ତାହା ଏଭଳି ଜୈବପୋଷଣ ଯୁକ୍ତ କିସମର ଧାନ ବିକଶିତ କରାଯିବା ଦ୍ବାରା ପ୍ରମାଣିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ି ଚାଲିଥିବାରୁ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ଲାଗି ଏଭଳି ଅଧିକରୁ ଅଧିକ ପ୍ରୟାସ କରାଯିବା ଉଚିତ୍ । ଭାରତର ବୈଜ୍ଞାନିକ ସମୁଦାୟ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହେବେ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜଭବନରେ ନୂତନ ଅଭିଷେକ ହଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍‌ଘାଟନ କରିଛନ୍ତ।

ଉଦ୍‌ଘାଟନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି।

ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍‌ ହଲ୍‌, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନିଜ ଛାତ୍ରୀ ଜୀବନର ସ୍ମୃତି ଚାରଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଅପରାହ୍ନ ୪ଟା ୦୫ମିନିଟ୍  ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ। ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ କରୁଥିଲା ବୋଲି କହିଥିଲେ।

ରାଷ୍ଟ୍ରପତି ଭାରତର ବହୁ ମହିୟସୀ ମହିଳାମାନଙ୍କର ଉଦାହରଣ ଦେଇ କହିଲେ ଯେ, ସାହିତ୍ୟ, ସଂସ୍କୃତି, ନୃତ୍ୟ, କଳା, ମହାକାଶ ବିଜ୍ଞାନ ,ରାଜନୀତି, ଶାସନ ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନ ନିଜକୁ ପ୍ରତିଷ୍ଠିତ କରି ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପ୍ରାଦନ କରିଛନ୍ତି। ଏହି ଅବସରରେ ସେ କସ୍ତୁରବା ଗାନ୍ଧୀ,ମା ସରଳା ଦେବୀଙ୍କ ଠାରୁ ଆରମ୍ଭ କରି ପ୍ରତିଭା ରାୟ, ୟାମିନୀ କୃଷ୍ଣମୂର୍ତ୍ତୀ, କଳ୍ପନା ଚାଓଲା, କଳ୍ପନା ଦାସ, ସୋନାଲ ମାନସିଂହ ପର୍ଯ୍ୟନ୍ତ ଉଲ୍ଲେଖୀନୀୟ ସଫଳତା ତଥା ଦେଶପାଇଁ ଯୋଗଦାନ ରହିଥିବା ବହୁ ପ୍ରେରଣାଦାୟୀ  ନାରୀମାନଙ୍କର ଉଦାହରଣ ଦେଇଥିଲେ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ ଯେ,ଭାରତ ସରକାର ଓ ରାଜ୍ୟ ସରକାର ଦେଶ ତଥା ରାଜ୍ୟର ବିକାଶ ପାଇଁ ସବୁ ପ୍ରକାର  ପ୍ରକାଶ ଜାରି ରଖିଛନ୍ତି। ତେବେ ପ୍ରତ୍ୟେକ ନାଗରିକ କଠିନ ପରିଶ୍ରମ ଓ  ନିଜ  ଦାୟିତ୍ୱକୁ  ସଠିକ ରୁପେ ନିର୍ବାହ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବା ପାଇଁ ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ଗଭୀର ଆତ୍ମବିଶ୍ୱାସ ରଖିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।  ପ୍ରଥମେ ଦେଶ ଓ ଶେଷରେ ବ୍ୟକ୍ତି ବୋଲି କହିବା ସହିତ ନିଜ ଦେଶକୁ ଶ୍ରେଷ୍ଠ ରୂପେ ଦେଖିବା ପାଇଁ ବ୍ୟକ୍ତିକୁ ପ୍ରଥମେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ।

୨୦୪୭ ସୁଦ୍ଧା  ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସଂପ୍ରତି  ବୈଷୟକ ଜ୍ଞାନ କୌଶଳ ଦ୍ରୁତ ପରିବର୍ତ୍ତନର ବାହକ ହୋଇଥିବା ବେଳେ ସଦ୍ୟତମ ଟେକ୍ନନୋଲୋଜିର ସହାୟତାରେ ବିକାଶ କ୍ଷେତ୍ରରେ ଅଗ୍ରସର ହେବା ସହ ଜ୍ଞାନ ବିଜ୍ଞାନରେ ସମସ୍ତଙ୍କୁ ଦକ୍ଷ ହେବାକୁ ପଡିବ ବୋଲି ମାନ୍ୟବର ରାଷ୍ଟ୍ରପତି ପ୍ରକାଶ କରିଥିଲେ। ଏଥି ସହିତ ପ୍ରକୃତ ପ୍ରଗତି ପାଇଁ  ମାନବୀୟ ମୂଲ୍ୟବୋଧକୁ ଜୀବନଧାରାର ଅଙ୍ଗ କରିବା ତଥା ପ୍ରତ୍ୟହ ଯୋଗାଭ୍ୟାସ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା  ବିଶ୍ୱବିଦ୍ୟାଳୟର  କୁଳାଧିପତି ପ୍ରଫେସର ଗଣେଶୀ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଥିଲେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Exclusive: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏଥିସହିତ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସେ ବିମାନ ବନ୍ଦରରୁ ସିଧା ଉତ୍କଳ ମଣ୍ଡପକୁ ଗସ୍ତ କରିଛନ୍ତି। ସେଠାରେ ସେ ଜ୍ଞାନପିଠ ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି।  ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।

ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।

ସେହିପରି ସେ ଶୁକ୍ରବାରରେ ରାଜଭଭନରେ ରାତ୍ରୀ ଯାପନ କରିବେ। ଏହାପରେ ଶନିବାର ସକାଳୁ ସେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରୁ ସେ କଟକ ଅଭିମୁଖ୍ୟ ଯାତ୍ରା କରିବେ। କଟକସ୍ଥି ଧନ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏମଏଲସି ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଗତ କିଛି ଦିନ ଧରି ରାମଚରିତମାନସ ଉପରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାମଚରିତମାନସର ସେହି ପଦଗୁଡ଼ିକୁ ପରିବର୍ତ୍ତନ କିମ୍ବା ନିଷିଦ୍ଧ କରିବାକୁ ଦାବି କରିଛନ୍ତି।

ଏସପି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ରାମଚରିତମାନସର କିଛି ଚୌପାଇରେ ଆପତ୍ତିଜନକ ଅଂଶ ଯେଉଁଥିରେ ସମସ୍ତ ମହିଳା, ଆଦିବାସୀ, ଦଳିତ ତଥା ପଛୁଆବର୍ଗଙ୍କୁ ସାମାଜିକ, ଧାର୍ମିକ ସ୍ତରରେ ପ୍ରତିଦିନ ଅପମାନିତ ହେବାକୁ ପଡିଥାଏ। ପୀଡିତ ଶ୍ରେଣୀଙ୍କୁ ସମ୍ମାନ ଦେବା ପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହା ପରିବର୍ତ୍ତିତ/ ନିଷେଧ କରିବା ଲାଗି ଚିଠିରେ ନିବେଦନ କରାଯାଇଛି।

ଏହି ପତ୍ରରେ ସ୍ଵାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ସମଗ୍ର ଘଟଣାର ଗମ୍ଭୀରତାକୁ ଜାଣି ଦେଶର ସମସ୍ତ ଆଦିବାସୀ, ମହିଳା, ପଛୁଆ ତଥା ଦଳିତଙ୍କ କାରଣକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିବେ। ଆଜି ତଥାକଥିତ ବୁଦ୍ଧିଜୀବୀମାନେ ମୋର ଦାବିକୁ ବିକୃତ କରିବାର କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ ବିଶ୍ୱବିଦ୍ୟାଳୟର କନ୍‌ଭୋକେସନ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେଠାରୁ ରାଷ୍ଟ୍ରପତି ଆସି ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ଫେବ୍ରୁଆରୀ ୧୧ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଜ୍ଞାନ ମିଶନ ସହ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ। ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି। ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି। ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି। ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି। କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ। ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅମୃତ ଉଦ୍ୟାନ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାନୁୟାରୀ ୩୧ ରୁ ସାଧାରଣ ଲୋକଙ୍କୁ ଅନୁମତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନ ନାମରେ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅମୃତ ଉଦ୍ୟାନକୁ ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ଉଦ୍ୟାନ ଉତ୍ସବ ୨୦୨୩ ଅଧୀନରେ ଅମୃତ ଉଦ୍ୟାନକୁ ମଧ୍ୟ ନିରୀକ୍ଷଣ କରିଥିଲେ। ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ ବିଷୟରେ ସୂଚନା ଶନିବାର ଦିନ ରାଷ୍ଟ୍ରପତିଙ୍କ ଉପ ସଚିବ ନବିକା ଗୁପ୍ତା ପ୍ରଦାନ କରିଛନ୍ତି। ଲୋକମାନେ ଜାନୁୟାରୀ ୩୧ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଏହି ଉଦ୍ୟାନର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ରାଷ୍ଟ୍ରପତି ଭବନଙ୍କ ତରଫରୁ ଏହା କୁହାଯାଇଥିଲା, ‘ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଅମୃତ ମହୋତ୍ସବ ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନରେ ପରିବର୍ତ୍ତନ କରିଛନ୍ତି।’

ଏହି ଉଦ୍ୟାନ ୧୫ ଏକର ପରିସରରେ ବ୍ୟାପିଛି। ଏଠାରେ ଆପଣ ୧୩୮ ପ୍ରକାରର ଗୋଲାପ, ୧୫ ହଜାରରୁ ଅଧିକ ଟ୍ଯୁଲିପ ବଲ୍ବ ଏବଂ ୫ ହଜାରରୁ ଅଧିକ କିସମର ଫୁଲ ଦେଖିବାକୁ ପାଇବେ। ଏହି ଫୁଲଗୁଡ଼ିକ ବିଷୟରେ ସୂଚନା ପାଇଁ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥି ସହିତ, ଅଧିକାଂଶ ଗଛରେ QR କୋଡ୍ ସଂସ୍ଥାପିତ ହୋଇଛି, ଯାହା ମୋବାଇଲରୁ ସ୍କାନ କରାଯାଇପାରିବ ଏବଂ ଆପଣ ଏହି ଗଛଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ପାଇପାରିବେ। ଏହାର ଡିଜାଇନ୍ ୧୯୧୭ ମସିହାରେ ସାର୍ ଆଟୱିନ୍ ଲୁଟିୟନ୍ସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଅମୃତ ଉଦ୍ୟାନ ବ୍ରିଟିଶମାନଙ୍କ ଦ୍ଵାରା ନିର୍ମିତ ଏବଂ ସ୍ଥାପିତ ହୋଇଥିଲେ ମଧ୍ୟ ଏହାର ଡିଜାଇନ୍ ତାଜମହଲର ଉଦ୍ୟାନ ଏବଂ ଜମ୍ମୁ କାଶ୍ମୀରର ଉଦ୍ୟାନ ଦ୍ୱାରା ଅନୁପ୍ରାଣିତ ହୋଇଥିବା କୁହାଯାଉଛି। ଏହି କାରଣରୁ ଏହାକୁ ମୋଗଲ ଗାର୍ଡେନ କୁହାଯାଉଥିଲା। କିଛି ଲୋକ ଯୁକ୍ତି କରନ୍ତି ଯେ, ଭାରତର ଏକ ବୃହତ ଜନସଂଖ୍ୟା ସହିତ ଭାବପ୍ରବଣ ହେବା ପାଇଁ ବ୍ରିଟିଶମାନେ ଏହି ନାମ ଦେଇଥିଲେ।

ଏହି ସମୟରେ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନକୁ ନେଇ ରାଜନୀତି ଆହୁରି ତୀବ୍ର ହୋଇଛି। ଏହି ନିଷ୍ପତ୍ତି ଉପରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ନାମ ପରିବର୍ତ୍ତନ ହେବାର କାରଣ ହେଉଛି ମୋଗଲମାନଙ୍କ ପ୍ରତି ବିଜେପିର ଘୃଣା ବୋଲି କୁହାଯାଉଛି। କଂଗ୍ରେସ କହିଛି ଯେ, ନାମ ବଦଳାଇ ବିକାଶ ଚାଲିଛି ବୋଲି ବିଜେପି ଭାବୁଛି। ସେମାନେ ଭାବନ୍ତି ଏହାକୁ ବିକାଶ କୁହାଯାଏ।

Categories
ଜାତୀୟ ଖବର ବିଶେଷ ଖବର

୭୪ତମ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ଆଜି ସାରା ଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛି। ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ହେବା ପରେ ସେ ଏହି ପତାକା ଉତ୍ତୋଳନ ପ୍ରଥମେ କରିଛନ୍ତି।

ଏହି ଜାତୀୟ ଦିବସରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଗଣତନ୍ତ୍ର ଦିବସ ପରେଡରେ ଦେଶର ବିଭିନ୍ନ ସାମରିକ କାର୍ଯ୍ୟକଳାପ, ସାଂସ୍କୃତିକ ବିବିଧତା, ଆତ୍ମନିର୍ଭରଶୀଳ ପଦକ୍ଷେପ, ମହିଳା ସଶକ୍ତିକରଣ ଏବଂ ଏକ ‘ନୂତନ ଭାରତ’ର ଆବିର୍ଭାବ ପ୍ରଭୃତି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ଗସ୍ତରେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।

ରାଷ୍ଟ୍ରପତି ମୁର୍ମୁ ଜାତୀୟ ପତାକା ଉତ୍ତୋଳନ ପରେ ୨୧ ତୋପ ସଲାମି ଅଭିବାଦନ ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏଥର ୨୧ ତୋପ ସଲାମିରେ ଭିଣ୍ଟେଜ୍ ୨୫ ପାଉଣ୍ଡର ବନ୍ଧୁକ ପରିବର୍ତ୍ତେ ୧୦୫ ମିଲିମିଟର ଇଣ୍ଡିଆନ୍ ଫିଲ୍ଡ ବନ୍ଧୁକକୁ ବ୍ୟବହାର କରାଯାଇଥିଲା।

ସେହିପରି ୧୦୫ ହେଲିକପ୍ଟର ୟୁନିଟ୍ ର ଚାରୋଟି Mi-17 1V ଏବଂ V5 ହେଲିକପ୍ଟର କର୍ତ୍ତବ୍ୟ ପଥରେ ଉପସ୍ଥିତ ଦର୍ଶକଙ୍କ ଉପରେ ଫୁଲ ବର୍ଷା କରିଥିଲେ। ରାଷ୍ଟ୍ରପତିଙ୍କ ଅଭିବାଦନ ଗ୍ରହଣ କରିବା ସହିତ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଥିଲା।

ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ଏକ ଇଜିପ୍ଟର ମିଲିଟାରୀ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। କର୍ଣ୍ଣେଲ ମହମୁଦ ମହମ୍ମଦ ଅବଦେଲ ଫତ୍ତାହ ଏଲ୍ ଖରାସାୱିଙ୍କ ନେତୃତ୍ୱରେ ୧୪୪ ସୈନିକ କର୍ତ୍ତବ୍ୟ ପଥରେ ପରେଡ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯବାନଙ୍କୁ ସମ୍ମାନ!, ୯୦୧ ପୋଲିସ କର୍ମୀଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ଏଥର ସରକାର ସୈନିକମାନଙ୍କୁ ଅଭିବାଦନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ଗଣତନ୍ତ୍ର ଦିବସ ୨୦୨୩ ଅବସରରେ ସରକାର ଦେଶର ୯୦୧ ପୋଲିସ କର୍ମୀଙ୍କୁ ପୋଲିସ ପଦକ ସହିତ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କାରଣରୁ ପୋଲିସ ସମୁଦାୟ ୧୪୦ ଲୋକଙ୍କୁ ବୀରତା, ୯୩ ପୋଲିସ୍ କର୍ମୀଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ୍ (ପିପିଏମ୍) ଏବଂ ୬୬୮ ଜଣ କର୍ମୀଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପ୍ରଦାନ କରିବାକୁ ଯାଉଛି।

ପିଆଇବି ଅନୁଯାୟୀ, ବୀରତା ପୁରସ୍କାର ଦିଆଯାଉଥିବା ୧୪୦ ଜଣ ପୋଲିସ୍ ମଧ୍ୟରୁ ୮୦ ଜଣ ପୋଲିସ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି। ଏଥିମଧ୍ୟରୁ ୪୮ ଜଣ ଲୋକ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରୁ ଆସିଛନ୍ତି। ଏଥି ସହିତ, ଏହି ୧୪୦ ଜଣଙ୍କ ମଧ୍ୟରୁ ୩୧ ଜଣ ପୋଲିସ ମହାରାଷ୍ଟ୍ରରୁ, ୨୫ ଜଣ ଜମ୍ମୁ କାଶ୍ମୀର, ୯ ଜଣ ଝାଡ଼ଖଣ୍ଡ ଏବଂ ବାକି ୭ ଜଣ ପୋଲିସ ଅନ୍ୟ ରାଜ୍ୟ / ୟୁନିଅନ ଅଞ୍ଚଳରୁ ଆସିଛନ୍ତି।

ଏହା ବ୍ୟତୀତ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ବିଶିଷ୍ଟ ସେବା ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ପ୍ରତିବର୍ଷ ବୀରତା ଏବଂ ମେଧାବୀ ସେବା ମେଡାଲ ପ୍ରଦାନ କରନ୍ତି।

ଚଳିତ ବର୍ଷର ଗଣତନ୍ତ୍ର ଦିବସରେ ୧୧ ହଜାରରୁ ଅଧିକ ସୈନିକଙ୍କୁ ସମ୍ମାନଜନକ ପଦବୀ ପ୍ରଦାନ କରାଯାଇଥିଲା। ସେବା ତଥା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସୈନ୍ୟବାହିନୀରେ ସେମାନଙ୍କର ସମ୍ମାନଜନକ ସେବାକୁ ସ୍ୱୀକୃତି ଦେଇ ସମ୍ମାନିତ ପଦବୀ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ।

Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ।

ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ। ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ ସୁଗମତା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।

ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ନ୍ୟାୟ ପ୍ରଦାନ, ଡିଜିଟାଲ ନବସୃଜନ (ଇନୋଭେସନ)ର ପ୍ରମୁଖ  ଲକ୍ଷ୍ୟ ହେବା ଉଚିତ। ଏବେ ଦେଶରେ ଯେଉଁ ଡିଜିଟାଲ ବିଭାଜନ ବା ସହର  ମଫସଲ ଭିତରେ ଡିଜିଟାଲ ତାରତମ୍ୟ ରହିଛି; ଟେକ୍‌ନୋଲୋଜି ମାଧ୍ୟମରେ ତାହାର ଦୂରୀକରଣ କରାଯାଇପାରିଲେ ଭାରତ ଏକ ଜ୍ଞାନ ଅର୍ଥନୀତିରେ ପରିଣତ ହୋଇପାରିବ। ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ଇପ୍‌ସିତ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି  ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି  ଯେ ‘ଡିଜିଟାଲ ଅନ୍ତ୍ୟୋଦୟ ଯାତ୍ରା ପଥରେ ଭାରତ ଉପଯୁକ୍ତଭାବେ ଆଗେଇ ଚାଲିଛି ଏବଂ ଏଥିରେ ସମାଜର ଅବହେଳିତ ଓ ବଂଚିତ ବର୍ଗଙ୍କୁ ସାମିଲ କରି ସେମାନଙ୍କ ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିôଲେ ଯେ ଭାରତରେ ଡିଜିଟାଲ ପରିବର୍ତ୍ତନର କାହାଣୀ, ନବସୃଜନ, ରୂପାୟନ ଓ ସମସ୍ତଙ୍କୁ ସମ୍ପୃକ୍ତ କରିବାର କାହାଣୀ। ସମଗ୍ର ବିଶ୍ୱକୁ ଅଧିକ ସୁଗମ, ସମାନ ଏବଂ ସମାବେଶୀ କରିବା ପାଇଁ ଅଧିକରୁ ଅଧିକ ସହଯୋଗ ଭିତ୍ତିକ ମଞ୍ଚ ସୃଷ୍ଟି ମାଧ୍ୟମରେ ନୂଆ ନୂଆ ଅଭିନବ ସମାଧାନ ସୂତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଭାରତୀୟ ଆଇଟି କମ୍ପାନୀମାନେ ବିଦେଶୀଙ୍କୁ ଭାରତର ପ୍ରତିଭାର ମୂଲ୍ୟ ବୁଝିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଆମେ ବର୍ତ୍ତମାନର ନୀତିର ସଦୁପଯୋଗ କରି ଆମର ସୂଚନା ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ କରିବା ସହିତ ସପ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରରେ ଭାରତକୁ ଏକ ବୈଶ୍ୱିକ ପାୱାର ହାଉସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ପରିଣତ ହେବା ନିମନ୍ତେ ଭାରତ ଇନୋଭେଟିଭ ମେଡ୍ ଇନ୍ ଇଣ୍ଡିଆ ଟେକ୍‌ନୋଲୋଜି ପ୍ରସ୍ତୁତ କରିବା ଉଚିତ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ନୂଆ ଜ୍ଞାନ, ଅନ୍ତର୍ଦୃଷ୍ଟି ଓ ସମସ୍ୟା ସମାଧାନ ସୂତ୍ର ସୃଷ୍ଟିରେ ଦାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଫଳତା ବିନିଯୋଗର ନୂଆ କ୍ଷେତ୍ର ସୃଷ୍ଟି କରିଥାଏ। ତେଣୁ ଆମେ ସରକାରୀ ଡାଟା ବ୍ୟବହାରକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ। ଏହା ପଥରେ ଯୁବ ଟେକ୍ନୋଲୋଜି ଉତ୍ସାହୀମାନେ ଏହାକୁ ବ୍ୟବହାର କରି ସ୍ଥାନୀୟ ଡିଜିଟାଲ ସଲ୍ୟୁସନ୍ସର ବାଟ ବାହାର କରିପାରିବେ।

ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାରତର ସରକାରୀ  ସଂସ୍ଥାମାନେ ଯେଉଁ ନବ ସୃଜନକାରୀ ପ୍ରୟାସ ତୃଣମୂଳ ସ୍ତରରେ ହାତକୁ ଦେଇଛନ୍ତି ଏବଂ ଘରୋଇ-ସରକାରୀ ଅଂଶୀଦାରୀରେ ଷ୍ଟାର୍ଟଅପ୍‌ଗୁଡିକ ସହିତ ଯେଉଁ ସହଯୋଗ ରଖିଛନ୍ତି ତାହା ବେଶ ଉତ୍ସାହର ବିଷୟ। ସବୁ ନାଗରିକଙ୍କ ଜୀବନ ଧାରଣର ମାନକୁୁ  ବଢାଇ ସେମାନଙ୍କୁ ଜୀବନକୁ  ସୁଖଦ କରିବାର ଆହ୍ୱାନକୁ ସାକାର କରିବାକୁ ଆମକୁ ବ୍ରତୀ ହେବାକୁ ପଡିବ। ଏଥିପାଇଁ ନ୍ୟାୟପାଳିକା, ଭୂ-ପଞ୍ଜୀକରଣ, ସାର ଓ ଉର୍ବରକ ଉପଯୋଗ, ସାଧାରଣ ବଣ୍ଟନ ବ୍ୟବସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମକୁ କାମ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସିନେମା

୫୩ତମ ଆଇଏଫଏଫଆଇ ସମସ୍ତ ପ୍ରତିନିଧିଙ୍କୁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଆଇଏଫ୍‍ଏଫ୍‍ଆଇର ଅବଦାନକୁ ସୂଚିତ କରିଛନ୍ତି। ଏପରି କରିବା ଦ୍ୱାରା, ଚଳଚ୍ଚିତ୍ର ମହୋତ୍ସବ ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସୁଛି, ଚଳଚ୍ଚିତ୍ର ନିର୍ମାତା, କଳାକାର, ଶିଳ୍ପ ବିଶେଷଜ୍ଞ ଏବଂ ସିନେମା ପ୍ରେମୀମାନଙ୍କୁ ମତ ବିନିମୟ ଏବଂ ସେମାନଙ୍କର ସମୃଦ୍ଧ ଅନୁଭୂତି ବାଣ୍ଟିବାକୁ ସକ୍ଷମ କରାଏ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ସିନେମାର ମୂଲ୍ୟ ସୃଜନଶୀଳତା ଏବଂ ମନୋରଞ୍ଜନର ମାଧ୍ୟମ। ସିନେମା ଏକ ମାଧ୍ୟମ ଯାହା ଦୃଶ୍ୟ, ଶବ୍ଦ ଏବଂ କାହାଣୀ କୌଶଳକୁ ଏକ ଗତିଶୀଳତା ପ୍ରଦାନ କରେ। ରାଷ୍ଟ୍ରପତି କହିଛନ୍ତି ଯେ ସେ ନିଶ୍ଚିତ ଯେ ଆଇଏଫ୍‍ଏଫ୍‍ଆଇର ୫୩ ତମ ସଂସ୍କରଣ ସମସ୍ତ ଉତ୍ସବର ପ୍ରତିନିଧିଙ୍କ ପାଇଁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅର୍ଜ୍ଜୁନ ମୁଣ୍ଡା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ନଭେମ୍ବର ୧୫ ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଅର୍ଜୁନ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଏବଂ ଉପାନ୍ତ ଅଞ୍ଚଳରେ ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସେ କହିଥିଲେ ଯେ, ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିବେ। ସାରା ଦେଶରେ ସେମିନାର ଓ କର୍ମଶାଳା ଆୟୋଜନ କରାଯିବ; ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଆୟୋଜନ ଲାଗି ଯୋଜନା କରାଯାଇଛି । ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଶ୍ରୀ ଅର୍ଜୁନ ମୁଣ୍ଡା ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରିଥିଲେ । ରାଷ୍ଟ୍ରର ଇତିହାସ ଓ ସଂସ୍କୃତିରେ ଜନଜାତି ସମୁଦାୟର ଯୋଗଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଏଥର ଦ୍ବିତୀୟ ବର୍ଷ ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ସବୁ ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଏବଂ ଜନଜାତି କ୍ଷେତ୍ର ଓ ସମୁଦାୟର ସାମାଜିକ-ଆଥିର୍କ ବିକାଶ ପାଇଁ ହେଉଥିବା ପ୍ରୟାସକୁ ତ୍ବରାନ୍ବିତ କରିବା ଲାଗି ଏହି ଦିବସ ଆୟୋଜନ କରାଯାଉଛି ।

ଜନଜାତୀୟ ଦିବସ ସମାରୋହ ପାଳନ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଏଥିରେ ସାମିଲ କରିବା ଲାଗି ଶ୍ରୀ ଅର୍ଜୁନ ମୁଣ୍ଡା ନିବେଦନ କରିଥିଲେ । ସେ ଆହୁରି କହିଥିଲେ ଯେ ସାରା ଦେଶରେ ୭୪୦ଟି ଇଏମଆରଏସ ସମ୍ପୂର୍ଣ୍ଣ କରିବା ଦିଗରେ ସୁଗମ ରୂପରେ କାର୍ଯ୍ୟ ଜାରି ରହିଛି ।

ଶ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଯେ, ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପାନ୍ତ ଅଞ୍ଚଳ, ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଲୋକମାନଙ୍କୁ ମୌଳିକ ସୁବିଧାସୁଯୋଗ, ନିଯୁକ୍ତି, ଶିକ୍ଷା ଆଦି ଯୋଗାଇ ଦେବା ପାଇଁ ଏକ ସଂକଳ୍ପ କରିବା ନିମନ୍ତେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି ।

ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ଜନଜାତୀୟ ଗୌରବ ଦିବସ ୨୦୨୨ ଭଳି ବିଶେଷ ଅବସରରେ ଟ୍ରାଇଫେଡ୍‌ ପକ୍ଷରୁ ଜନଜାତୀୟ ଉତ୍ପାଦକୁ ନେଇ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୫ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଇନ୍ଦୋରସ୍ଥିତ ଗ୍ରାମୀଣ ହାଟ ଠାରେ ଏକ ଆଦି ମହୋତ୍ସବ ଆୟୋଜନ କରାଯିବ । ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ବରର ଏକାମ୍ର ହାଟ ଠାରେ ଆଦି ବଜାର ଆୟୋଜନ କରାଯିବ । ସେହିପରି ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଗୌହାଟୀ ଠାରେ ଲକ୍ଷୀଧର ବୋରା କ୍ଷେତ୍ର ଦିଗାଲି ପୁଖୁରୀ ଠାରେ ଆଉ ଏକ ଆଦି ବଜାର ଆୟୋଜନ କରାଯିବ । ପୁଡୁଚେରୀ ହସ୍ତଶିଳ୍ପ ବଜାର ଠାରେ ମଧ୍ୟ ଏହି ସମୟରେ ଏକ ଆଦି ବଜାର ଆୟୋଜିତ ହେବ । ଡେରାଡୁନର ଚକ୍ରତା ରୋଡ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଠାରେ ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଦି ବଜାର ଏବଂ କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ଠାରେ ୧୫ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଆଦି ଚିତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ସାରା ଦେଶର ୩୯୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନଭେମ୍ବର ୧୫ ତାରିକରେ ଏକ ପ୍ରବନ୍ଧ ରଚନା ପ୍ରତିଯୋଗିତା ଏବଂ ୧୬ ତାରିଖରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହେବ । ନଭେମ୍ବର ୧୭ ତାରିଖରେ  ନୃତ୍ୟ ପ୍ରତିଯୋଗିତା, ୧୮ ତାରିଖରେ ସ୍କିଟ୍ ପ୍ରତିଯୋଗିତା, ୧୯ ତାରିଖରେ କବିତା ଓ ସଙ୍ଗୀତ ପ୍ରତିଯୋଗିତା, ୨୧ ତାରିଖରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ସେମିନାର, ୱେବିନାର ଏବଂ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ ।

କାର୍ଯ୍ୟକ୍ରମର ହାଶଟ୍ୟାଗ୍‌ #JanjatiyaGauravDivas ରଖାଯାଇଛି ଏବଂ ଜନଜାତିଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ନିମନ୍ତେ ଏହାକୁ ଉପଯୋଗ କରାଯିବ । ଏହା ସରକାରଙ୍କ ବିକାଶମୂଳକ ପ୍ରୟାସକୁ ମଧ୍ୟ ବ୍ୟାପକ ପ୍ରଚାର କରିବ ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରପତିଙ୍କ ଉପରେ ‘ଆପତ୍ତିଜନକ ମନ୍ତବ୍ୟ’ ମାମଲା: ବେଙ୍ଗଲ କ୍ୟାବିନେଟ ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅଖିଲ ଗିରି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଏହା ସହିତ କ୍ୟାବିନେଟ ମନ୍ତ୍ରୀଙ୍କ ଏହି ଟିପ୍ପଣୀ ଯୋଗୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି।

ବାସ୍ତବରେ ପଶ୍ଚିମବଙ୍ଗ ସରକାରର ଜଣେ ମନ୍ତ୍ରୀ ଅଖିଲ ଗିରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସର୍ବସାଧାରଣରେ କହୁଛନ୍ତି ଯେ, “ଆମେ କାହାକୁ ଚେହେରା ଦ୍ୱାରା ବିଚାର କରୁନାହୁଁ। ଆମେ ରାଷ୍ଟ୍ରପତିଙ୍କ ଆସନକୁ ସମ୍ମାନ କରୁ। କିନ୍ତୁ ଆମର ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି?

ତାଙ୍କ ଭିଡିଓ ଉପରେ ପ୍ରତିକ୍ରିୟା ରଖି ବିଜେପିର ଜାତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗ ଅମିତ ମାଲଭିୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ, “ମମତା ବାନାର୍ଜୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ସେ କହିଛନ୍ତି ଯେ, ଆମେ ଚେହେରାକୁ ଗୁରୁତ୍ୱ ଦେଉନାହୁଁ। ବିଜେପି ନେତା କହିଛନ୍ତି, “ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଥିଲେ। ସେ ନିର୍ବାଚନରେ ​​ମୁର୍ମୁଙ୍କୁ ସମର୍ଥନ କରିନଥିଲେ ଏବଂ ବର୍ତ୍ତମାନ ଏହା ଲଜ୍ଜାଜନକ ସ୍ତରର ଅଭିବ୍ୟକ୍ତି।” ଉଲ୍ଲେଖନୀୟ କଥା ହେଉଛି, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ପୁରୀରେ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ଓ ୧୧ ନଭେମ୍ବର, ୨୦୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

୧୦ ନଭେମ୍ବର, ୨୦୨୨ରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ।

୧୧ ନଭେମ୍ବର ୨୦୨୨ରେ ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।

Categories
ବିଶେଷ ଖବର

ଦେଶର ୫୦ ତମ ସିଜେଆଇ ହେଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ, ପଢନ୍ତୁ ତାଙ୍କ ବିଷୟରେ କିଛି ଜାଣିବା କଥା

ନୂଆଦିଲ୍ଲୀ: ଜଷ୍ଟିସ୍ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ନୂତନ ପ୍ରଧାନ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ସୁପ୍ରିମକୋର୍ଟର ବିଚାରପତି, କେନ୍ଦ୍ର ମନ୍ତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ।

ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ୨୦୧୬ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପୂର୍ବରୁ ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ବିଚାରପତି ଭାବରେ ତାଙ୍କର ପ୍ରଥମ ନିଯୁକ୍ତି ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ହୋଇଥିଲା। ଏହାପୂର୍ବରୁ ସେ ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ। ସେ ୧୯୮୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ସେ ସମ୍ମାନଜନକ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ।

ନଭେମ୍ବର ୧୧ ତାରିଖ ୧୯୫୯ ରେ ଜନ୍ମ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ମଧ୍ୟ ଭାରତର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦୀର୍ଘ ସମୟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେ ୧୯୭୮ ରୁ ୧୯୮୫ ପର୍ଯ୍ୟନ୍ତ ୭ ବର୍ଷ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ଜଷ୍ଟିସ୍ ଚନ୍ଦ୍ରଚୁଡଙ୍କ ବିଷୟରେ ଗୋଟିଏ ବିଶେଷ କଥା ହେଉଛି ଯେ, ତାଙ୍କ ମୁହଁରେ ସବୁବେଳେ ହସଖୁସି ଥାଏ।

କୋଭିଡ ଯୁଗରେ ସେ ଅମ୍ଳଜାନ ଏବଂ ଔଷଧର ଉପଲବ୍ଧତା ଉପରେ ଅନେକ ନିର୍ଦ୍ଦେଶ ଦେଇଥିଲେ। ସେ ନିଜେ କରୋନା ଶିକାର ହୋଇଥିଲେ ମଧ୍ୟ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଯୋଗ ଦେଇଥିଲେ। ସମ୍ପ୍ରତି ସେ ରାତି ୯.୧୦ ପର୍ଯ୍ୟନ୍ତ କୋର୍ଟ ପ୍ରକ୍ରିୟା ପରିଚାଳନା କରିଥିଲେ ଏବଂ ସେହି ଦିନ ତାଙ୍କ ସମ୍ମୁଖରେ ସମସ୍ତ ମାମଲା ସମାଧାନ କରିଥିଲେ।

ତାଙ୍କର ବ୍ୟକ୍ତିତ୍ୱ ସର୍ବଦା ତାଙ୍କର ଉଦାରବାଦୀ ଭାବମୂର୍ତ୍ତିର ନିଷ୍ପତ୍ତିରେ ଛାପାଯାଇଥାଏ। ବ୍ୟଭିଚାର ପାଇଁ ଆଇପିସିର ଧାରା ୪୯୭ କୁ ରଦ୍ଦ କରିବା ସମୟରେ ଦିଆଯାଇଥିବା ବିଚାରରେ ସେ ଲେଖିଛନ୍ତି ଯେ ଜଣେ ବିବାହିତା ମହିଳାଙ୍କର ମଧ୍ୟ ସ୍ଵାଧୀନତା ରହିଛି। ତାଙ୍କୁ ସ୍ୱାମୀଙ୍କ ସମ୍ପତ୍ତି ଭାବରେ ଦେଖାଯାଇପାରିବ ନାହିଁ। ଅନ୍ୟ ପୁରୁଷ ସହିତ ସମ୍ପର୍କ ଛାଡପତ୍ର ପାଇଁ ଏକ ବୈଧ କାରଣ ହୋଇପାରେ, କିନ୍ତୁ ଏହାକୁ ଅପରାଧ ବୋଲି ଭାବି ଅନ୍ୟ ପୁରୁଷକୁ ଜେଲରେ ରଖିବା ଭୁଲ ହେବ।

ସମ୍ପ୍ରତି ସେମାନେ ଅବିବାହିତା ମହିଳାମାନଙ୍କୁ ସେମାନଙ୍କର ୨୦ ରୁ ୨୪ ସପ୍ତାହ ଗର୍ଭପାଟ କରିବାକୁ ମଧ୍ୟ ଅନୁମତି ଦେଇଥିଲେ। ଏହି ଐତିହାସିକ ନିଷ୍ପତ୍ତିରେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସ୍ୱାମୀ ପତ୍ନୀଙ୍କୁ ଜବରଦସ୍ତ ଯୌନ ଶୋଷଣ କରି ଗର୍ଭବତୀ କରିଛନ୍ତି, ତେବେ ତାଙ୍କୁ ମଧ୍ୟ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିବାର ଅଧିକାର ମିଳିବ। ଏହିପରି ଭାବରେ, ଗର୍ଭପାତ ମାମଲା ଆଇନରେ ପ୍ରଥମ ଥର ପାଇଁ ବୈବାହିକ ବଳାତ୍କାରକୁ ସ୍ୱୀକୃତି ମିଳିଥିଲା।

ଅଭିବ୍ୟକ୍ତିର ସ୍ୱାଧୀନତା ସମେତ ସମସ୍ତ ମୌଳିକ ଅଧିକାର ବିଷୟରେ ଜଷ୍ଟିସ୍ ଚନ୍ଦ୍ରଚୁଡ ଅବଗତ ଅଛନ୍ତି। ରାଜନୈତିକ ଏବଂ ଆଦର୍ଶଗତ ଭାବରେ ଭିନ୍ନ ପ୍ରାନ୍ତରେ ଠିଆ ହୋଇଥିବା ଲୋକଙ୍କ ଅଭିବ୍ୟକ୍ତିର ସ୍ଵାଧୀନତା ଉପରେ ସେ ସମାନ ଆଦେଶ ଦେଇଛନ୍ତି। ତାହା ହେଉଛି, କେବଳ ନିଜର ମତ ପ୍ରକାଶ କରିବା ପାଇଁ କାହାକୁ ଜେଲରେ ରଖିବା ଠିକ୍ ନୁହେଁ। ଦୀର୍ଘ ଦିନ ଧରି ସେନାରେ ସ୍ଥାୟୀ ଆୟୋଗ ପାଇଁ ସଂଗ୍ରାମ କରୁଥିବା ମହିଳା ଅଧିକାରୀଙ୍କୁ ମଧ୍ୟ ସେ ଆଶ୍ଵସ୍ତି ପ୍ରଦାନ କରିଥିଲେ। ଅଯୋଧ୍ୟା ମାମଲାର ରାୟ ଦେଇଥିବା ଜଷ୍ଟିସ ଚନ୍ଦ୍ରଚୂଡ ମଧ୍ୟ ୫ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ। ଆଧାର ମାମଲାରେ ଏହି ରାୟ ପ୍ରଦାନ କରି ଗୋପନୀୟତାକୁ ଏକ ମୌଲଳିକ ଅଧିକାର ଭାବରେ ଘୋଷଣା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ଆସନ୍ତାକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗୁରୁବାରରେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ କରିବେ। ଦର୍ଶନ ପରେ ସେ ମହାପ୍ରସାଦ ସେବନ କରିବା ନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ମନ୍ଦିର, ରାଜ ଭବନ ଓ ହେଲିପ୍ୟାଡ଼ ଆଦି ସମସ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଆଜି କାରକେଡେ ରିହଲସଲ କରାଯିବ।

ସେହିପରି ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର, ଡିସିପି, ବିମାନବନ୍ଦର ନିର୍ଦ୍ଦେଶକ ଓ ସିଆରପିଏଫ ଅଧିକାରୀ। ତାଙ୍କର ସୁରକ୍ଷା ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏହାସହ ୩୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ।

ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଭୁବନେଶ୍ୱରରେ ରାଷ୍ଟ୍ରପତି ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଥିବାରୁ ସେ ସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯି । ଆଜି ଭୁବନେଶ୍ବର ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରିହଲସଲ କରାଯିବ। ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡିଶା ଗସ୍ତ।