Categories
ଆଜିର ଖବର ଜାତୀୟ ଖବର

ଦୁଇ ବର୍ଷ ପୂରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିଛନ୍ତି।

କାର୍ଯ୍ୟକାଳର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଭୂମିକା ନିର୍ବାହ କରିଥିଲେ। ରାଷ୍ଟ୍ରପତି ଭବନରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ସଂକ୍ଷିପ୍ତ କିନ୍ତୁ ସାରଗର୍ଭକ ମତ ବିନିମୟ କାର୍ଯ୍ୟକ୍ରମରେ ସେ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଶିକ୍ଷା ଦେଇଥିଲେ। ନିଜ ପିଲାଦିନ କଥା ମନେ ପକାଇ, ରାଷ୍ଟ୍ରପତି ଉଦ୍ଭିଦ ଓ ପ୍ରାଣୀମାନଙ୍କର ଯତ୍ନ ନେବାରେ ତାଙ୍କର ଅନୁଭୂତି ବାଣ୍ଟିଥିଲେ । ଛାତ୍ରଛାତ୍ରୀ ଉତ୍ସାହର ସହ ମତ ରଖିବା ସହ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ।

ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା:

୧. ପୁନଃବିକଶିତ ଶିବ ମନ୍ଦିରର ଉଦଘାଟନ।

୨. ପ୍ରଣବ ମୁଖାର୍ଜୀ ସାର୍ବଜନୀନ ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତି ଭବନ ପାଠାଗାରର ପୁରୁଣା ଓ ବିରଳ ପୁସ୍ତକର ଡିଜିଟାଲ ସଂସ୍କରଣ ଦେଖିଥିଲେ।

୩. ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଉପସ୍ଥିତିରେ ଏକ ସ୍କିଲ୍ ଇଣ୍ଡିଆ କେନ୍ଦ୍ରର ଉଦଘାଟନ କରିଥିଲେ।

୪. ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର କ୍ରୀଡ଼ା ପଡ଼ିଆରେ କ୍ରିକେଟ ପାଭିଲିୟନ ଉଦଘାଟନ।

୫. ସିନ୍ଥେଟିକ୍ ଓ ଘାସ ଟେନିସ୍ କୋର୍ଟର ଉଦଘାଟନ।

6. ରାଷ୍ଟ୍ରପତି ଭବନରେ ଇ-ଉପହାର, ଆରବି ଆପ୍, ଇ-ପୁସ୍ତକ – ରାଷ୍ଟ୍ରପତି ପଦବୀରେ ଗତ ଏକ ବର୍ଷର ଝଲକ (ଲିଙ୍କ୍ https://rb.nic.in/ebook.htm ) ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରୟାସର ସଂକଳନକୁ ଉନ୍ମୋଚନ କରିଥିଲେ।

ବିଭିନ୍ନ ଡିଜିଟାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସଂକ୍ଷିପ୍ତ ବକ୍ତବ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ କରାଯାଇଥିବା ଡିଜିଟାଲକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ସୁବିଧା, ଗତି, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବ ବୋଲି କହିଥିଲେ।

ସମାଜର ସବୁ ବର୍ଗ, ବିଶେଷ କରି ବଞ୍ଚିତ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଆମେ ସର୍ବଦା ଉଦ୍ୟମ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଛି ଯାହା ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂପୃକ୍ତିକୁ ବଢ଼ାଇଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ଭବନରେ ପଠନ ସଂସ୍କୃତି ଓ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୮, ୨୦୨୪) ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ ବ୍ରହ୍ମକୁମାରୀମାନଙ୍କର ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଏକ ଜାତୀୟ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ। କିନ୍ତୁ ମନୁଷ୍ୟ ମନେ ରଖିବା ଉଚିତ ଯେ ପ୍ରକୃତିର ପ୍ରଚୁରତାକୁ ନିଜର ଆବଶ୍ୟକତା ପାଇଁ ଉପଯୋଗ କରିବା ଉଚିତ, ନିଜ ଲୋଭ ପାଇଁ ନୁହେଁ। ମନୁଷ୍ୟ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି ଏବଂ ଏପରି କରି ପ୍ରକୃତିର କ୍ରୋଧର ଶିକାର ହେଉଛି। ପ୍ରକୃତି ସହ ସମନ୍ୱୟ ସ୍ଥାପନ ଏବଂ ପ୍ରକୃତି ଅନୁକୂଳ ଜୀବନ ବଞ୍ଚିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଭାରତୀୟ ସଂସ୍କୃତି ସର୍ବଦା ପ୍ରକୃତି ସହ ସୁସଙ୍ଗତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇ ଆସିଛି। ଆମ ଦର୍ଶନରେ ପୃଥିବୀକୁ ମା’ ଓ ଆକାଶକୁ ପିତା କୁହାଯାଏ। ନଦୀକୁ ମଧ୍ୟ ମା’ ଉପାଧି ଦିଆଯାଇଛି। ଜଳକୁ ଜୀବନ କୁହାଯାଏ। ବର୍ଷାକୁ ଆମେ ଭଗବାନ ଇନ୍ଦ୍ର ଏବଂ ସମୁଦ୍ରକୁ ଭଗବାନ ବରୁଣ ଭାବରେ ପୂଜା କରିଥାଉ। ଆମ କାହାଣୀରେ ପର୍ବତ ଓ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ପ୍ରାଣୀମାନେ ମଧ୍ୟ ପରସ୍ପର ସହ କଥା ବାର୍ତ୍ତା କରୁଥିବାର କୁହାଯାଇଛି। ଅର୍ଥାତ୍ ପ୍ରକୃତି ନିଷ୍କ୍ରିୟ ନୁହେଁ, ଏହା ଭିତରେ ଚେତନାର ଶକ୍ତି ପୂରି ରହିଛି। ପ୍ରକୃତିର ସୁରକ୍ଷା ପାଇଁ ଏସବୁ ଭାରତୀୟ ଦାର୍ଶନିକମାନଙ୍କର ସୁନ୍ଦର ବିଚାରରେ ପ୍ରକଟ ହୋଇଛି।

ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତାପନ ଏବଂ ପାଣିପାଗର ଅନିଶ୍ଚିତତା ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଏକ ବଡ଼ ଆହ୍ୱାନ ବୋଲି ରାଷ୍ଟ୍ରପତି କହିଛନ୍ତ । ବନ୍ୟା, ଭୂସ୍ଖଳନ, ହିମସ୍ଖଳନ, ଭୂମିକମ୍ପ, ଜଙ୍ଗଲରେ ନିଆଁ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଉ କେବେ କେବେ ହେଉନାହିଁ। ଏବେ ଏଭଳି ଘଟଣା ବାରମ୍ବାର ଘଟୁଛି।

ରାଷ୍ଟ୍ରପତି କହିଥିଲେ ଯେ ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ସମାଜରେ ବଡ଼ ପରିବର୍ତ୍ତନ ପାଇଁ ମାର୍ଗ ପ୍ରଶସ୍ତ କରେ। ପ୍ରାକୃତିକ ସମ୍ପଦର ସର୍ବନିମ୍ନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆମକୁ ଆମ ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡିବ। ଅନେକ ସମୟରେ ଟ୍ୟାପ୍ ଖୋଲା ରହୁଥିବାରୁ ପିଇବା ପାଣି ନଷ୍ଟ ହୋଇଯାଏ। ଦିନରେ ମଧ୍ୟ ଲାଇଟ୍ ଜଳୁଥାଏ।

ସେହିଭଳି ଘରେ ହେଉ କି ଅଫିସ୍, ଫ୍ୟାନ୍ କିମ୍ବା ଲାଇଟ୍ ବନ୍ଦ କରିବା ଉପରେ ଆମେ ଧ୍ୟାନ ଦେଉନାହୁଁ। ପ୍ଲେଟରେ କିଛି ଖାଦ୍ୟ ଛାଡିବାର ଅଭ୍ୟାସରୁ ଆମେ ନିଜକୁ ମୁକ୍ତ କରିପାରିନାହୁଁ। କେବଳ ପ୍ରକୃତି ଅନୁକୂଳ ଜୀବନଶୈଳୀ ବିଷୟରେ ଆଲୋଚନା କରିବା ଯଥେଷ୍ଟ ନୁହେଁ, ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହାକୁ ବଞ୍ଚାଇବାର ଅଭ୍ୟାସ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ରାଷ୍ଟ୍ରପତି ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଜାତୀୟ ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ଅଭିଯାନ କେବଳ ବୈଠକ, କମିଟି କିମ୍ବା ସମ୍ମିଳନୀରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ, ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବାକୁ ସେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁରୀରେ ବାର୍ଷିକ ରଥଯାତ୍ରା ମହୋତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପବିତ୍ର ସହର ପୁରୀରେ ଆୟୋଜିତ ବାର୍ଷିକ ରଥଯାତ୍ରା ମହୋତ୍ସବରେ ଯୋଗ ଦେଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ତାଙ୍କ ଅନୁଭୂତି ବିଷୟରେ ଲେଖିଛନ୍ତି: “ଜୟ ଜଗନ୍ନାଥ! ଆଜି ପୁରୀରେ ପବିତ୍ର ରଥଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କ ଦ୍ୱାରା ବଡ଼ଠାକୁର ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଦେଖି ମୁଁ ଦିବ୍ୟ ଅନୁଭୂତି ଲାଭ କଲି।

ମୁଁ ମଧ୍ୟ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ଆଧ୍ୟାତ୍ମିକ ମହାପର୍ବରେ ଅଂଶଗ୍ରହଣ କଲି ଏବଂ ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସହ ଏକାତ୍ମ ହୋଇଗଲି। ପରଂବ୍ରହ୍ମଙ୍କ ସର୍ବବ୍ୟାପକତାକୁ ଅନୁଭବ କରିବା ପାଇଁ ଏହା ଥିଲା ମୋ ପାଇଁ ଏକ ମଙ୍ଗଳମୟ ମୁହୂର୍ତ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମଗ୍ର ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ଅବ୍ୟାହତ ରହୁ, ଏହା ମୋର ଆନ୍ତରିକ କାମନା।”

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଭୁବନେଶ୍ୱରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ସେ କେଉଁ ପ୍ରକାରର ଜୀବନଯାପନ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ରାଷ୍ଟ୍ରପତି କହିଥିଲେ। ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିବା ସହ ଶ୍ରୀମତୀ ମୁର୍ମୁ ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଭଲ ଭାବରେ ଜାଣିଥିଲେ ଯେ ଉପଯୁକ୍ତ ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି କରିପାରିବ ନାହିଁ। ସେଥିପାଇଁ ସେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ମୁକ୍ତାକାଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହାକୁ ବନ ବିଦ୍ୟାଳୟ ମଧ୍ୟ କୁହାଯାଏ। ପ୍ରାରମ୍ଭିକ ଅବସ୍ଥାରୁ ତାଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ପରିଚିତ କରାଇବା ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଣ୍ଡିତ ଗୋପବନ୍ଧୁ ବନ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ଶିକ୍ଷାର ଅର୍ଥ କେବଳ ପୁସ୍ତକ ଭିତ୍ତିକ ଜ୍ଞାନ ନୁହେଁ ବରଂ ଶିକ୍ଷାର ଅର୍ଥ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା।

ରାଷ୍ଟ୍ରପତି କହିଥିଲେ ଯେ, ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ଏହି ପ୍ରକାଶନ ମାଧ୍ୟମରେ ସେ ଓଡ଼ିଶାରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଖବରକାଗଜ ଜରିଆରେ ସେ ଲୋକଙ୍କ ସମସ୍ୟା ମଧ୍ୟ ଉଠାଇଥିଲେ। ସମାଜରେ ତାଙ୍କର ସମ୍ପାଦକୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।

ରାଷ୍ଟ୍ରପତି ଆହୁରି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଜାତୀୟତାବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିଲେ। ତାଙ୍କର କବିତା ଓ ଗଦ୍ୟ ଦେଶପ୍ରେମ ଓ ବିଶ୍ୱ କଲ୍ୟାଣର ବାର୍ତ୍ତା ଦେଇଥାଏ। ସେ ଓଡ଼ିଆ ଗୌରବ ତଥା ଭାରତୀୟ ଜାତୀୟତାବାଦ ପ୍ରତି ଉତ୍ସର୍ଗୀକୃତ ଥିଲେ। ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ‘ମୁଁ ଭାରତରେ ଯେଉଁଠି ବି ଥାଏ ମୁଁ ଘରେ ଅଛି ବୋଲି ବିଶ୍ୱାସ କରିବା ଉଚିତ୍‌।’ ଗୋପବନ୍ଧୁଙ୍କ ଏହି ସର୍ବଭାରତୀୟ ଚିନ୍ତାଧାରାରୁ ପ୍ରେରଣା ନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ?

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ।

ଜୁଲାଇ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବେ। ରାଷ୍ଟ୍ରପତି ଜୁଲାଇ ୮ ତାରିଖରେ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ସେହିଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନର ଶୁଭାରମ୍ଭ କରିବେ।

ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ ରଜ ପର୍ବ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ରଜ ପର୍ବ ଉତ୍ସବରେ ଯୋଗ ଦେଇଛନ୍ତି। ସେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ। ଏହି ଅବସରରେ ରଜ ଶୁଭେଚ୍ଛା ସହିତ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ କର୍ମା ନୃତ୍ୟ ପରିବେଷଣ କରାଯାଇଥିଲା।

ରଜ ଉତ୍ସବର ଅଂଶବିଶେଷ ଭାବେ ଫୁଲରେ ସଜ୍ଜିତ ଦୋଳି ଲଗାଯାଇଥିଲା। ଫୁଲ ଓ ଆମ୍ବ ପତ୍ରରେ ସଜ୍ଜିତ ଦୋଳି ଏହି ପର୍ବର ମୁଖ୍ୟ ଆକର୍ଷଣ। ମେହେନ୍ଦି କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଅଂଶଗ୍ରହଣକାରୀମାନଙ୍କ ପାଇଁ ସରବତ ଓ ପାନ ବ୍ୟତୀତ ବିଭିନ୍ନ ପ୍ରକାର ପିଠା ଭଳି ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଓଡ଼ିଶାର କୃଷି ଭିତ୍ତିକ ପର୍ବ ରଜ ପର୍ବ ପାଳିତ ହୋଇଛି। ଏହି ଉତ୍ସବରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା।

ରଜ ପର୍ବ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ବ। ମୌସୁମୀ ଆରମ୍ଭ ସମୟରେ ତିନି ଦିନ ଧରି ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ। ମହିଳା ଓ ଶିଶୁମାନେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରଜ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି ରଜ। ଏହି ଉପଲକ୍ଷେ ଓଡିଶାର ଗାଁଗଣ୍ଡା ବେଶ ଉତ୍ସବ ମୁଖର। ଝିଅମାନେ ସୁନ୍ଦର ବେଶଭୂଷା ସହିତ ଦୋଳି ଖେଳି ଏହି ଉତ୍ସବ ପାଳନ କରିଥାନ୍ତି। ତିନିଦିନ ଧରି ଏହି ଉତ୍ସବ ପୁରପଲ୍ଲୀରେ ପାଳିତ ହେବ। ସେହି ଉପଲକ୍ଷେ ଓଡିଶାବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟି କରି ରାଷ୍ଟ୍ରପତି କହିଛନ୍ତି, “ଗଣପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା, ପାନ ଓ ଦୋଳି ଖେଳ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଏହି ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରନ୍ତି। କୃଷିଭିତ୍ତିକ ଏହି ରଜ ପର୍ବ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି।”

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ସଂସଦଙ୍କ ତାଲିକାର ନକଲ ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ଅବସରରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୭୩ ଅନୁଯାୟୀ ଅଷ୍ଟାଦଶ ଲୋକସଭା ସାଧାରଣ ନିର୍ବାଚନ ପରେ ସଦନକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ସମ୍ବଳିତ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିର ଏକ ନକଲ ସେମାନେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।

ମାନବ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିର୍ବାଚନ ଆୟୋଗ, ଏହାର ଅଧିକାରୀ ଓ କର୍ମଚାରୀ, ପ୍ରଚାର ଓ ମତଦାନର ପରିଚାଳନା ଓ ତଦାରଖରେ ନିୟୋଜିତ ଥିବା ଅନ୍ୟ ସରକାରୀ ଅଧିକାରୀ ଏବଂ କେନ୍ଦ୍ର ଓ ରାଜ୍ୟ ପୁଲିସ ଏବଂ ସୁରକ୍ଷା କର୍ମୀମାନେ ଲୋକଙ୍କ ମତଦାନର ପବିତ୍ରତା ବଜାୟ ରଖିବା ତଥା ଏକ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସମଗ୍ର ଦେଶ ତରଫରୁ ରାଷ୍ଟ୍ରପତି ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସର୍ବୋପରି, ଏତେ ବ୍ୟାପକ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ଲକ୍ଷ ଲକ୍ଷ ମତଦାତାଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ଆମ ସମ୍ବିଧାନ ଭାବନାକୁ ବଜାୟ ରଖିବା ଏବଂ ଭାରତର ଗଭୀର ଓ ସୁଦୃଢ଼ ଗଣତାନ୍ତ୍ରିକ ପରମ୍ପରା ସହିତ ସମାନ ବୋଲି ରାଷ୍ଟ୍ରପତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାନବ ସମାଜ ବନର ମହତ୍ତ୍ୱକୁ ଭୁଲି ଯିବାର ଭୁଲ କରିବସୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ମାନବ ସମାଜ ବନକୁ ନିଜ ମନରୁ ଭୁଲି ଯିବାର ଭୁଲ କରିବସୁଛି। ବନ ହେଉଛି ମାନବ ସମାଜର ଜୀବନଦାତା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୪ ଏପ୍ରିଲ, ୨୦୨୪) ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବନ ଏକାଡେମୀ, ଡେରାଡ଼ୁନଠାରେ ଭାରତୀୟ ବନ ସେବା (୨୦୨୨ ବ୍ୟାଚ୍)ର ଦୀକ୍ଷାନ୍ତ ସମାରୋହରେ ଅଧିକାରୀ ପ୍ରଶିକ୍ଷୁମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବାସ୍ତବିକତା ଏହା ଯେ ବନ ପୃଥିବୀରେ ଜୀବସତ୍ତାକୁ ସଂରକ୍ଷିତ କରି ରଖିଆସିଛି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଅବସରରେ କହିଛନ୍ତି ଯେ ଆଜି ଆମେ ଏନ୍ଥ୍ରୋପୋସିନ୍ ଯୁଗର କଥା କହୁଛୁ, ଯାହା ମାନ କେନ୍ଦ୍ରିତ ବିକାଶର ଯୁଗ । ଏହି ଅବଧିରେ ବିକାଶ ସହିତ ବିନାଶକାରୀ ପରିଣାମ ଆମ ସମ୍ମୁଖରେ ଉଭା ହୋଇଛି । ପ୍ରାକୃତିକ ସଂସାଧନର ନିରନ୍ତର ଦୋହନ ଫଳରେ  ମାନବ ସମାଜ ଏପରି ଏକ ବିନ୍ଦୁରେ ଆସି ପହଞ୍ଚିଛି ଯାହା ଫଳରେ ବିକାଶର ମାନକଗୁଡ଼ିକର ପୁନର୍ମୂଲ୍ୟାୟନ କରିବାକୁ ପଡ଼ିବ । ରାଷ୍ଟ୍ରପତି ମାନବ ସମାଜକୁ ଏହାର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ସକାଶେ ପରାମର୍ଶ ଦେଇ କହିଛନ୍ତି ଯେ ଆମେ ପୃଥିବୀର ସକଳ ସଂପଦର ମାଲିକ ନୋହୁ, ବରଂ ଆମେ ଏହାର ଟ୍ରଷ୍ଟି । ଆମର ପ୍ରାଥମିକତା ଗୁଡ଼ିକ ମାନବଶାସ୍ତ୍ରୀୟ ହେବା ସହିତ ପର୍ଯ୍ୟାବରଣ କେନ୍ଦ୍ରିତ ମଧ୍ୟ ହେବା ଆବଶ୍ୟକ । ସେ ଆହୁରି କହିଛନ୍ତି ଯେ କେବଳ ପାରିସ୍ଥିତିକ ପରିବେଶ ସହିତ ଯୋଡ଼ିହୋଇ ରହିଲେ ହିଁ ଆମେ ବାସ୍ତବ ମାନବଶାସ୍ତ୍ରଧର୍ମୀ ହୋଇପାରିବା ।

ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱର ଅନେକ ଭାଗରେ ବନ୍ୟ ସମ୍ପଦ ବ୍ୟାପକ ମାତ୍ରାରେ ହ୍ରାସ ପାଇଚାଲିଛି । ବନ୍ୟ ସମ୍ପଦର ହ୍ରାସ ଗୋଟିଏ ଦୃଷ୍ଟିରୁ ବିଚାର କଲେ ମାନବତାର ହ୍ରାସ ବୋଲି ବୁଝା ପଡ଼ିବ । ଏହା ଏକ ସର୍ବଜନବିଦିତ ତଥ୍ୟ ଯେ ବିଶ୍ୱର ଜୈବ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସଂରକ୍ଷଣ ଏକ ଅତୀବ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଆମକୁ ଯଥା ଶୀଘ୍ର ସଂପାଦନ କରିବାକୁ ପଡ଼ିବ ।

ରାଷ୍ଟ୍ରପତି କହିଛନ୍ତି ଯେ ବନସମ୍ପଦ ଏବଂ ବନ୍ୟଜୀବମାନଙ୍କ ସଂରକ୍ଷଣ ଏବଂ ସଂବର୍ଦ୍ଧନ  ମାଧ୍ୟମରେ ମାନବ ଜୀବନ ପ୍ରତି ଦେଖା ଦେଇଥିବା ସଂକଟରୁ ଆମେ ଉଦ୍ଧାର ପାଇପାରିବା । ଆମେ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକତାର ସହାୟତା ନେଇ ଯଥା ଶୀଘ୍ର ହୋଇଥିବା କ୍ଷୟକ୍ଷତିକୁ ଭରଣା କରିପାରିବା । ଉଦାହରଣ ସ୍ୱରୂପ, ମିୟାବାକି ପଦ୍ଧତିକୁ ଯେକୌଣସି ସ୍ଥାନରେ ପ୍ରବର୍ତ୍ତନ କରାଯାଇ ପାରିବ । କୃତ୍ରିମ ପ୍ରଜ୍ଞା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ମାଧ୍ୟମରେ ବନୀକରଣ ଏବଂ କ୍ଷେତ୍ରୀୟ ବୈଶିଷ୍ଟ୍ୟ ଜରିଆରେ ବୃକ୍ଷ ପ୍ରଜାତି ନିମନ୍ତେ ଉପଯୁକ୍ତ କ୍ଷେତ୍ର ଚିହ୍ନଟ କରିବାରେ ଆମକୁ ସହାୟତା ପ୍ରାପ୍ତ ହୋଇପାରିବ । ସେ କହିଥିଲେ ଯେ ଏହିଭଳି ବିଭିନ୍ନ ବିକଳ୍ପଗୁଡ଼ିକର ଆକଳନ କରିବା ଏବଂ ଭାରତର ଭୌଗୋଳିକ ପରିସ୍ଥିତିମାନଙ୍କ ସକାଶେ ଉପଯୁକ୍ତ ସମାଧାନର ବିକାଶ ଘଟାଇବାର ଜରୁରି ଆବଶ୍ୟକତା ରହିଛି ।

ରାଷ୍ଟ୍ରପତି କହିଛନ୍ତି ଯେ ବିକାଶ ରଥର ଦୁଇଟି ଚକ ରହିଛି – ଗୋଟିଏ ହେଉଛି ପରମ୍ପରା ଏବଂ ଅନ୍ୟଟି ହେଉଛି ଆଧୁନିକତା । ଆଜି ମାନବ ସମାଜ ଅନେକ ପାରିବେଶିକ ସମସ୍ୟାର କୁଫଳ ଭୋଗ କରୁଛି । ଏହାର ଏକ ମୁଖ୍ୟ କାରଣ ହେଉଛି ଏହାର ଯେ ଗୋଟିଏ ବିଶେଷ ପ୍ରକାର ଆଧୁନିକତା ଆମେ ଆପଣାଇଛୁ । ତାହା ହେଉଛି ଶୋଷଣର ମାନସକତା । ଏହି ପ୍ରକ୍ରିୟାରେ ପାରମ୍ପରିକ ଜ୍ଞାନକୁ ଉପେକ୍ଷା କରାଯାଉଛି ।

ରାଷ୍ଟ୍ରପତି କହିଛନ୍ତି ଯେ ଆଦିବାସୀ ସମାଜ ସଦାସର୍ବଦା ପ୍ରକୃତିର ଶାଶ୍ୱତ ନିୟମକୁ ନିଜର ଜୀବନର ଆଧାର ଭାବରେ ଗ୍ରହଣ କରିଆସିଛନ୍ତି । ଏହି ସମାଜର ଲୋକମାନେ ପ୍ରକୃତିର ସଂରକ୍ଷଣ କରିଥାନ୍ତି । କିନ୍ତୁ, ଅସନ୍ତୁଳିତ ଆଧୁନିକତାର ଆବେଗରେ କିଛି ଲୋକ ଆଦିବାସୀ ସମ୍ପ୍ରଦାୟ ଏବଂ ଅନେକ ସାମୂହିକ ଜ୍ଞାନକୁ ଆଦିମ ବୋଲି ହେତୁ କରିଥାନ୍ତି । ଜଳବାୟୁ ପରିବର୍ତ୍ତନରେ ଆଦିବାସୀ ସମାଜର କୌଣସି ଭୂମିକା ନାହିଁ, କିନ୍ତୁ ଏହାର ଦୁଷ୍ପ୍ରଭାବର ବୋଝ ସେମାନଙ୍କୁ ଅଧିକ ମାତ୍ରାରେ ମୁଣ୍ଡାଇବାକୁ ପଡ଼ୁଛି ।

ରାଷ୍ଟ୍ରପତି କହିଛନ୍ତି ଯେ ଶହ ଶହ ବର୍ଷ ଧରି ଆଦିବାସୀ ସମାଜ ଦ୍ୱାରା ସଂଗ୍ରହ କରାଯାଇଆସିଥିବା ଜ୍ଞାନର ମହତ୍ତ୍ୱକୁ ବୁଝିବା ଏବଂ ପରିବେଶକୁ ଉତ୍ତମ ଓ ସୁରକ୍ଷିତ ରଖିବା ନିମନ୍ତେ ଏହାର ଉପଯୋଗ କରିବା ବେଶ୍ ମହତ୍ତ୍ୱପୂର୍ଣ୍ଣ କଥା । ସେ କହିଛନ୍ତି ଯେ ଏହାର ସାମୂହିକ ଜ୍ଞାନ ଆମକୁ ପାରିସ୍ଥିତିକ ରୂପରେ ଯେତିକି ହିତପ୍ରଦ, ନୈତିକତା ଦୃଷ୍ଟିରୁ ସେତିକି ବାଂଛନୀୟ ଏବଂ ସାମାଜିକ ରୂପରେ ସେତିକି ଉଚିତ ମାର୍ଗ ଯାହା ମାଧ୍ୟମରେ ଆମକୁ ଆଗକୁ ଅଗ୍ରସର ହେବାରେ ସହାୟତା ପ୍ରାପ୍ତ ହୋଇପାରିବ । ସେ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆମମାନଙ୍କୁ ଅନେକ ଭୁଲ୍ ଧାରଣରକୁ ମନରୁ ଦୂର କରିବାକୁ ପଡ଼ିବ ଏବଂ ଆଦିବାସୀ ସମାଜର ସନ୍ତୁଳିତ ଜୀବନ ଶୈଳୀକୁ ଆଦର୍ଶ ଭାବରେ ଶିକ୍ଷାଲାଭ କରିବାକୁ ହେବ । ଆମକୁ ପରିବେଶ ନ୍ୟାୟର ଭାବନାର ସହିତ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।

ରାଷ୍ଟ୍ରପତି କହିଛନ୍ତି ଯେ ୧୮ଶ ଏଂ ୧୯ଶ ଶତାବ୍ଦୀରେ ଔଦ୍ୟୋଗିକ ବିପ୍ଳବରେ କାଠ ଏବଂ ଅନ୍ୟ ବନ ଉତ୍ପାଦର ଚାହିଦାକୁ ବୃଦ୍ଧି କରିଥିଲା । ଏହି ଆବଶ୍ୟକତାକୁ ପୂରଣ କରିବା ସକାଶେ ନୂଆ ନୂଆ ନିୟମ, ବିନିୟମ ଏବଂ ବନ ଉପଯୋଗର ଉପାୟର ନୂଆ ନୂଆ ଉପାୟ ଅବଲମ୍ବନ କରାଯାଇଥିଲା । ଏଭଳି ନିୟମ ଏବଂ ବିନିୟମକୁ ଲାଗୁ କରିବା ସକାଶେ ଭାରତୀୟ ବନ ସେବାର ପୂର୍ବବର୍ତ୍ତୀ ସେବା, ଇମ୍ପରିଆଲ ବନ ସେବା ଗଠନ କରାଯାଇଥିଲା । ଏହି ସେବାର ଅଧିଦେଶ ଜନଜାତୀୟ ସମାଜ ଏବଂ ବନ୍ୟ ସମ୍ପଦର ସୁରକ୍ଷା କରିବା ନଥିଲା । ଏହାର ଜନାଦେଶ ଭାରତର ବନ୍ୟ ସଂସାଧନକୁ ଅଧିକତମ ଦୋହନ କରିବା ବ୍ରିଟିଶ୍ ସରକାରଙ୍କ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ଥିଲା ।

ବ୍ରିଟିଶ ଶାସନ କାଳରେ ବନ୍ୟପ୍ରାଣୀଙ୍କୁ ସାମୂହିକ ଭାବରେ ଶିକାର ସମ୍ପର୍କରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଯେତେବେଳେ ସେ କୌଣସି ସଂଗ୍ରହାଳୟ ପରିଦର୍ଶନ କରୁଛନ୍ତି ଯେଉଁଠାରେ ଏଭଳି ଜଙ୍ଗଲର ଜୀବଜନ୍ତୁମାନଙ୍କ ଚମଡ଼ା କିମ୍ବା କଟା ହୋଇଥିବା ମୁଣ୍ଡ କାନ୍ଥରେ ସଜା ହୋଇଥିବା ଦେଖନ୍ତି, ସେତେବେଳେ ତାଙ୍କୁ ଲାଗେ ଯେ ଏଭଳି ବସ୍ତୁ ମାନବ ସଭ୍ୟତାର ପତନର କାହାଣୀ ହିଁ ବଖାଣିଥାଏ ।

ରାଷ୍ଟ୍ରପତି କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ବନ ସେବାର ଅଧିକାରୀମାନେ ଏଭଳି ଉପନିବେଶବାଦୀ ମାନସିକତା ଏବଂ ପୂର୍ବର ରାଜକୀୟ ବନ ସେବା ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନିଜର କର୍ତ୍ତବ୍ୟ ସଂପାଦନ କରିବା ଉଚିତ । ସେ କହିଛନ୍ତି ଯେ ଭାରତୀୟ ବନ ସେବାର ଅଧିକାରୀମାନଙ୍କୁ କେବଳ ଭାରତର ପ୍ରାକୃତିକ ସଂସାଧନର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରିବା ନୁହେଁ, ଅପରନ୍ତୁ ମାନବତାର ହିତ ସାଧନ ନିମନ୍ତେ ପାରମ୍ପରିକ ଜ୍ଞାନର ମଧ୍ୟ ଉପଯୋଗ କରିବା ଆବଶ୍ୟକ । ରାଷ୍ଟ୍ରପତି ଆଧୁନିକତା ଏବଂ ପରମ୍ପରାକୁ ସମକାଳୀନ କରିବା ଏବଂ ବନବାସୀମାନଙ୍କ ହିତ ସାଧନ ନିମନ୍ତେ ଏହାକୁ ଆଗକୁ ଆଗେଇ ନେବା ଲାଗି ବନ ସମ୍ପଦର ରକ୍ଷା କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେ କହିଛନ୍ତି ଯେ ମାନବ ସଭ୍ୟତାର ଜୀବନ ବନ ଉପରେ ଆଧାରିତ । ତେଣୁ ଏଭଳି ପନ୍ଥା ଆପଣାଇଲେ ବନସେବା ଅଧିକାରୀମାନେ ସକାରାତ୍ମକ ଯୋଗଦାନ କରିପାରିବେ ଏବଂ ଅନ୍ୟମାନଙ୍କୁ ସକ୍ଷମ କରିପାରିବେ ଯାହା ବାସ୍ତବତା ଦୃଷ୍ଟିରୁ ସମାବେଶୀ ଏବଂ ପରିବେଶ ଅନୁକୂଳ ।

ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀ ବନ ସେବା ଦେଶକୁ ଅନେକ ଅଧିକାରୀ ପ୍ରଦାନ କରିଛି ଯେଉଁମାନେ ପରିବେଶ ସୁରକ୍ଷା ନିମନ୍ତେ ଅଦ୍ୱିତୀୟ କାର୍ଯ୍ୟ ସଂପାଦନ କରିଛନ୍ତି । ଶ୍ରୀ ପି. ଶ୍ରୀନିବାସ, ଶ୍ରୀ ସଞ୍ଜୟ କୁମାର ସିଂହ, ଶ୍ରୀ ଏସ ମଣିକନ୍ଦନଙ୍କ ଭଳି ଭାରତୀୟ ବନ ସେବା ଅଧିକାରୀମାନଙ୍କ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସେମାନଙ୍କର ଜୀବନକୁ ବଳିଦାନ କରିଛନ୍ତି । ରାଷ୍ଟ୍ରପତି ଅଧିକାରୀ ପ୍ରଶିକ୍ଷୁମାନଙ୍କୁ ଆହ୍ୱାନ ଜଣାଇଥିଲେ ଯେ ସେମାନେ ଏହିଭଳି ଅଧିକାରୀମାନଙ୍କୁ ନିଜର ଆଦର୍ଶ ଏବଂ ମାର୍ଗଦର୍ଶକ ଭାବରେ ଗ୍ରହଣ କରନ୍ତୁ ଏବଂ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଆଗକୁ ଅଗ୍ରସର ହୁଅନ୍ତୁ ।

ରାଷ୍ଟ୍ରପତି ଆଇଏଫଏସ. ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ ସେମାନେ ଜନଜାତୀୟ ଲୋକମାନଙ୍କ ନିକଟକୁ ସମୟାନ୍ତରେ ଯାଇ କିଛି ସମୟ ବିତାନ୍ତୁ ଏବଂ ସେମାନଙ୍କର ସ୍ନେହ ଓ ବିଶ୍ୱାସ ଅର୍ଜନ କରନ୍ତୁ । ସେ କହିଛନ୍ତି ଯେ ସେମାନେ ଆଦିବାସୀ ସମାଜର ଉତ୍ତମ ପ୍ରଥାର କିଛି ଶିକ୍ଷାଲାଭ କରିବା ଆବଶ୍ୟକ । ସେମାନେ ଆଦିବାସୀମାନଙ୍କର ଦାୟିତ୍ୱବୋଧର ସ୍ୱାମୀତ୍ୱ ନେବା ଏବଂ ଏକ ରୋଲ ମଡେଲ ଭାବେ ନିଜକୁ ଗଢ଼ିବା ଲାଗି ଆହ୍ୱାନ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର କଳା କ୍ଷେତ୍ରରେ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନାଗରିକ ସମ୍ମାନ ସମାରୋହରେ ରାଷ୍ଟ୍ରପତି ଓଡ଼ିଶାର କଳା କ୍ଷେତ୍ରରେ ଯୋଗଦାନ ପାଇଁ ଉଭୟ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ପୁରସ୍କାର ବିଜେତାଙ୍କ ଜୀବନ କୃତି ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦିଆଗଲା

ବିନୋଦ କୁମାର ପଶାୟତ (ପଦ୍ମଶ୍ରୀ)

ବିନୋଦ କୁମାର ପଶାୟତ ଓଡ଼ିଶାର ଅନ୍ୟତମ ବିଶିଷ୍ଟ କବି ଓ ଲେଖକ। ସମ୍ବଲପୁରୀ/କୋଶଳି ସାହିତ୍ୟରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। କବିତା ଏବଂ ଅନ୍ୟାନ୍ୟ ଲେଖାରେ ତାଙ୍କର ସରଳତା ପାଇଁ ସେ ଜଣାଶୁଣା। ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବେଶ୍ ପରିଚିତ।

୩ ଡିସେମ୍ବର ୧୯୩୫ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଶାୟତ ପେସାରେ ଜଣେ ଭଣ୍ଡାରୀ। ୧୦ ବର୍ଷ ବୟସରେ ନାଟକ ଜଗତ ସହ ତାଙ୍କର ପରିଚୟ ହୋଇଥିଲା। ବଲାଙ୍ଗୀର ରାଜପରିବାରର ପୃଷ୍ଠପୋଷକତାରେ ସମୃଦ୍ଧ ପବିତ୍ର ରାମଜୀ ଡ୍ରାମା ପାର୍ଟି ଦ୍ୱାରା ପରିବେଷିତ ନାଟକରେ ସେ ଶିଶୁ କଳାକାର ଭାବରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେ ସମ୍ବଲପୁରୀ/କୋଶଳି ସାହିତ୍ୟରେ ନିଜର ଯାତ୍ରା ଆରମ୍ଭ କରିଥିଲେ।

ଶ୍ରୀ ପଶାୟତ ୧୯୫୩ ମସିହାରେ ସମ୍ବଲପୁର ଆସି ସମ୍ବଲପୁରରେ ଏକ ଭଣ୍ଡାରୀ ଦୋକାନ ଖୋଲିଥିଲେ। ଏହା ପରଠାରୁ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା କାରଣ ସେ ଏହି ଦୋକାନକୁ କେବଳ ନିଜର ରୋଜଗାର ପାଇଁ ବ୍ୟବହାର କରୁନଥିଲେ ବରଂ ଏଠି ସେ କିଛି କବିତା ଓ ଗୀତ ଇତ୍ୟାଦି ଲେଖୁଥିଲେ।

ଶ୍ରୀ ପଶାୟତ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୦୮ ମସିହାରେ ସାରଳା ପୁରସ୍କାର, ୨୦୧୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୯ମସିହାରେ ଓଡ଼ିଶା ସଂସ୍କୃତି ନାଟକ ଏକାଡେମୀ ପକ୍ଷରୁ ସାରଦା ପ୍ରସନ୍ନ ସମ୍ମାନ ଭଳି ତିନୋଟି ଲୋକପ୍ରିୟ ରାଜ୍ୟସ୍ତରୀୟ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଅନେକ ଜିଲ୍ଲା ଓ ସ୍ଥାନୀୟ ସ୍ତରର ସମ୍ମାନ ମଧ୍ୟ ମିଳିଛି। ଏତେ ଉଚ୍ଚ ପ୍ରସିଦ୍ଧି ଓ ସ୍ୱୀକୃତି ପାଇବା ସତ୍ତ୍ୱେ ସେ କେବେ ବି ଜଣେ ଭଣ୍ଡାରୀ ଭାବରେ କାମ କରିବା ଛାଡ଼ି ନାହାନ୍ତି ଯାହାକି ତାଙ୍କ ପୂର୍ବପୁରୁଷଙ୍କ ଏକ କୌଳିକ ବୃତ୍ତି।

ଗୁରୁ ଗୋପୀନାଥ ସ୍ୱାଇଁ (ପଦ୍ମଶ୍ରୀ)

ଗୁରୁ ଗୋପୀନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି।

୧୯୧୮ ମସିହା ଫେବ୍ରୁଆରି ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସ୍ୱାଇଁ ୧୦ ବର୍ଷ ବୟସରୁ ତାଙ୍କ ବଡ଼ ବାପାଙ୍କ ଠାରୁ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ।

 ଏହାପରେ ସେ ଗୀତ ଗାଇବା ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ, ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗୁରୁ ଚୌଧୁରୀ ବେହେରାଙ୍କ ଠାରୁ ବିସ୍ତୃତ ରାଗ ଆଳାପ (ବିସ୍ତାର) ଏବଂ ବିନ୍ୟାସ (ସୁଧାର) ସହିତ ସେଗୁଡ଼ିକୁ ଶିଖିଥିଲେ। ଅଷ୍ଟାଦଶ ଶତାବ୍ଦୀର ସନ୍ଥ ବାବାଜୀ ଦୁଖୀଶ୍ୟାମ ଦାସଙ୍କ ଦ୍ୱାରା ଲିଖିତ ଓ ଓଡ଼ିଶୀ ସଙ୍ଗୀତ ଉପରେ ଆଧାରିତ କୃଷ୍ଣ ଲୀଳାରେ ସେ ବିଶେଷଜ୍ଞତା ଅର୍ଜନ କରିଥିଲେ। ସେ ଅନେକ ପାରମ୍ପରିକ ଆଖଡ଼ା ବିଦ୍ୟାଳୟ ମାଧ୍ୟମରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଏହି ରୂପରେ ବ୍ୟାପକ ପରିବେଷଣ ଓ ପ୍ରଶିକ୍ଷଣ ଦେଇଛନ୍ତି। ବିରଳ ଶାସ୍ତ୍ରୀୟ ରାଗ, ସ୍ୱରରେ ସୁଧାର, କୌଶଳ ଏବଂ ଉପସ୍ଥାପନର ଜଟିଳ ପ୍ରାଚୀନ ପଦ୍ଧତିକୁ ବଜାୟ ରଖିବା ଦିଗରେ ତାଙ୍କର ଅତୁଟ ସମର୍ପଣ ପାଇଁ ସେ ଜଣାଶୁଣା। ସମୟକ୍ରମେ ସେ ଆହୁରି ଅନେକ ଭୂମିକାରେ ଅଭିନୟ କରିଥିଲେ, ଶେଷରେ ମୁଖ୍ୟ ଗାୟକ-ନିର୍ଦ୍ଦେଶକ ଏବଂ ଗୁରୁ ହୋଇଥିଲେ।

ଗୁରୁ ଭାବରେ ନିଜର ସଂଗୀତ ଯାତ୍ରାରେ ଶ୍ରୀ ସ୍ୱାଇଁ ଏହି ପରମ୍ପରାର ବିରଳ ପୁରୁଣା ରାଗ ଏବଂ ଗୀତ ଧୀରେ ଧୀରେ ଲୋପ ପାଉଥିବା ଦେଖିବାକୁ ପାଇଥିଲେ। ଏହି ଅନୁଭୂତି ତାଙ୍କୁ ୧୯୪୦-୫୦ ଦଶକରେ ଜୀବିତ ଥିବା ଏହି ସ୍ୱରୂପର ସବୁଠାରୁ ବରିଷ୍ଠ ଗୁରୁମାନଙ୍କ ସଂସ୍କୃତିର ବିପନ୍ନ ଅଂଶ ସଂଗ୍ରହ ଏବଂ ଶିଖିବାରେ ନିଜକୁ ନିୟୋଜିତ କରିବାକୁ ପ୍ରେରଣା ଦେଇଥିଲା। ଧୀରେ ଧୀରେ ସେ ସମଗ୍ର ପ୍ରଦର୍ଶନରେ ପାରଦର୍ଶିତା ହାସଲ କରିଥିଲେ। ସେ ଦକ୍ଷିଣଶ୍ରୀ, ଚିନ୍ତା ଦେଶକଲିଆ, ତୋଡ଼ି ଭାଟିଆରୀ, ଭାଟିଆରୀ, କୁମ୍ଭ କମୋଦି, ପୁନ୍ନାଗ, କେଦାର କମୋଦି ଆଦି ବିରଳ ପ୍ରାଚୀନ ଓଡ଼ିଶୀ ରାଗଗାନ କରି ପାଠ ପଢ଼ାଉଛନ୍ତି। ଅସାଧାରଣ ସ୍ୱର ସଂସ୍କୃତି ସାଧନା ତାଙ୍କୁ ପରିଣତ ବୟସରେ ମଧ୍ୟ ଏକ ଶକ୍ତିଶାଳୀ ସ୍ୱର ବଜାୟ ରଖିବାକୁ ଅନୁମତି ଦେଇଛି। ୧୦୬ ବର୍ଷ ବୟସରେ ମଧ୍ୟ ସେ ସକ୍ରିୟ ରହିଛନ୍ତି। ଜଣେ ଗବେଷକ ଭାବରେ ସେ ପ୍ରାରମ୍ଭିକ ପାଣ୍ଡୁଲିପିରୁ ଦୁଖିଶ୍ୟାମ କୃଷ୍ଣ ଲୀଳାର ଉତ୍ପତ୍ତି ଏବଂ ଇତିହାସ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି, ଯାହାକୁ ସେ ତାଙ୍କ ସଂଗ୍ରହରେ ସଂରକ୍ଷିତ କରିଛନ୍ତି। ଆକାଶବାଣୀ, ବ୍ରହ୍ମପୁର ପାଇଁ ସେ କୃଷ୍ଣଲୀଳାର ଅନେକ କାର୍ଯ୍ୟକ୍ରମ ରେକର୍ଡ କରିଛନ୍ତି ଏବଂ ଏହି ବିରଳ ରୂପ ବିଷୟରେ ସୂଚନା ପ୍ରଚାର କରି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରକୁ ସାକ୍ଷାତକାର ଦେଇଛନ୍ତି।

ଶ୍ରୀ ସ୍ୱାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ବହୁ ଗ୍ରାମରେ ପାରମ୍ପରିକ ଆଖଡ଼ା (ସାଂସ୍କୃତିକ ଦଳ ପାଇଁ ଗ୍ରାମ ବିଦ୍ୟାଳୟ) ସ୍ଥାପନ କରି ଶିକ୍ଷାଦାନ କରିଛନ୍ତି। ତାଙ୍କର ଅନେକ ଶିଷ୍ୟ ନିଜେ ପ୍ରତିଷ୍ଠିତ ଗୁରୁ ହୋଇପାରିଛନ୍ତି ଯେଉଁମାନେ ଏହି ବିରଳ କଳାକୁ ଆଗକୁ ବଢ଼ାଉଛନ୍ତି।

ଶ୍ରୀ ସ୍ୱାଇଁ ଅନେକ ପୁରସ୍କାର ପାଇଛନ୍ତି, ସେଥିମଧ୍ୟରୁ ୨୦୨୩ ମସିହାରେ ସମ୍ମାନଜନକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଅନ୍ୟତମ। କୃଷ୍ଣଲୀଳା ଉପରେ ତାଙ୍କର ମହାନ ଅବଦାନ ଏବଂ ଦକ୍ଷତା ପାଇଁ ଶ୍ରୀ ସ୍ୱାଇଁଙ୍କୁ ରାଜ ପୃଷ୍ଠପୋଷକମାନଙ୍କ ଠାରୁ ସ୍ୱର୍ଣ୍ଣ କୁଣ୍ଡଳ ଏବଂ ଖଡୁ ଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ ଥେରାପିର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।”ସିଏଆର-ଟି ସେଲ୍ ଥେରାପି” ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ। ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ସିଏଆର୍-ଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ। ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। ‘ଆତ୍ମନିର୍ଭର ଭାରତ’ର ଏହା ଏକ ଜ୍ୱଳନ୍ତ ଉଦାହରଣ।

ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍।

ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ। ସିଏଆର୍-ଟି ସେଲ୍ଥେରାପିର ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେନିୟୋଜିତ କରାଯାଉନାହିଁ, ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହଭାଗିଦାରୀ କରାଯାଇଛି। ଗତ ତିନି ଦଶନ୍ଧି ଧରି ଆଇଆଇଟି, ବମ୍ବେ ଗବେଷଣା ଏବଂବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି ତାହା ଦ୍ୱାରା ଏହା ସମ୍ଭବ ହୋଇଛି। ସେକହିଥିଲେ ଯେ ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବାବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମକୁମାରୀମାନେ ଅହିଂସା, ଶାନ୍ତି, ସଦ୍ଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିରନ୍ତ ଓ ଭାରତୀୟ ମୂଲ୍ୟବୋଧକୁ ଭାରତ ତଥା ବିଦେଶରେ ପ୍ରସାର କରୁଛନ୍ତି। ବ୍ରହ୍ମକୁମାରୀଙ୍କ ଅନୁଷ୍ଠାନ ଯୋଗ ଓ ଧ୍ୟାନକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି ବୋଲି କହି ସେ ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି। ସେମାନେ ଭାବନ୍ତି ଯେ ସୁଖର ଅର୍ଥ କେବଳ ଭୌତିକ ସୁଖ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ଆମର ଭୌତିକ ଇଚ୍ଛାକୁ ସୀମିତ କରିବୁ ସେତେବେଳେ ହିଁ ଆମେ ପ୍ରକୃତ ସୁଖ ହାସଲ କରିପାରିବୁ।

ରାଷ୍ଟ୍ରପତି କହିଥିଲେ ଯେ ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି। ଶାନ୍ତି ବଜାୟ ରହିଲେ ହିଁ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜର ସାଂସାରିକ କର୍ତ୍ତବ୍ୟ ଛାଡିବାର ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ମିକ ଜୀବନଶୈଳୀ ଗ୍ରହଣ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନେ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ।

୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ। ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି। ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ। କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ।

ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ। ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍। ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।

୧୯୭୨ ବ୍ୟାଚ୍‌  ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଡକ୍ଟର ମିଶ୍ରଙ୍କର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟର ପ୍ରଶାସନିକ ଅଭିଜ୍ଞତା ରହିଛି। ସେ ଗୁଜରାଟ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଡକ୍ଟର ମିଶ୍ରଙ୍କର ପ୍ରଶାସନିକ ସେବା ବ୍ୟତୀତ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ବିଶେଷ ଖ୍ୟାତି ରହିଛି।

ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ଡକ୍ଟର ପି.କେ ମିଶ୍ର ଆସନ୍ତକାଲି କିଟ୍‌ ଓ କିସ୍‌ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସାମ୍ବୋଧିତ କରିବେ। ସେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଆଇଏମଟି ପରୀକ୍ଷାଗାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଗସ୍ତ କରି ଶ୍ରୀମନ୍ଦିର ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର ଗମ୍ଭରିଆ ଠାରେ ଆୟୋଜିତ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଆଜି (ଫେବୃଆରୀ ୨୯, ୨୦୨୪) ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ମୁଣ୍ଡା, କୋହ୍ଲ, ଭୂୟାଁ, ଜୁଆଙ୍ଗ, ବାଥୁଡି, ଗଣ୍ଡ, ସାନ୍ଥାଳ, ଓରାଙ୍ଗ ଓ କନ୍ଧ ଆଦି ସମ୍ପ୍ରଦାୟର ଲୋକ ରହୁଛନ୍ତି। ଆଲୋଚନାରେ ଭାଗ ନେଇଥିବା ଗବେଷକମାନେ ଆଦିବାସୀ ସଂସ୍କୃତିର ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଠୋସ୍ ସିଦ୍ଧାନ୍ତରେ ପହଞ୍ଚିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଯଦି କୌଣସି ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଦେଶର ବିକାଶର ମୁଖ୍ୟ ସ୍ରୋତରୁ ବାଦ୍ ପଡ଼ନ୍ତି, ତେବେ ଆମେ ଏହାକୁ ସମାବେଶୀ ବିକାଶ କହିପାରିବୁ ନାହିଁ। ତେଣୁ ଆଦିବାସୀ ସମ୍ପ୍ରଦାୟର ଅଧିକ ପଛୁଆ ଲୋକଙ୍କ ବିକାଶ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବିଲୁପ୍ତ ପ୍ରାୟ ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାର ପିଏମ-ଜନମନ ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜୀବିକା, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଟ୍ୟାପ୍ ଜଳ, ପରିମଳ ଓ ପୋଷଣ ମିଳିବ। ସମସ୍ତ ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି। ଆଦିବାସୀ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସଂରକ୍ଷଣ ଓ ପ୍ରୋତ୍ସାହନ ତଥା ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରୟାସ କରାଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଲୋକମାନେ ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ‘ମୁଁ’ ନୁହେଁ, ‘ଆମେ’ ଆଦିବାସୀ ସମାଜର ମୌଳିକ ମନ୍ତ୍ର। ଆଦିବାସୀ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ। ଏହି ଆଭିମୁଖ୍ୟ ହିଁ ମହିଳା ସଶକ୍ତିକରଣର ଆଧାର। ଯଦି ଆମେ ସମସ୍ତେ ଏହି ମୂଲ୍ୟବୋଧକୁ ଗ୍ରହଣ କରିବା, ତେବେ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ।

ଶିକ୍ଷକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ସେମାନେ ଶିକ୍ଷାଦାନ ସହିତ ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍। ଆଦିବାସୀ ଗାଁକୁ ଯାଇ ଗ୍ରାମବାସୀଙ୍କ ଅବସ୍ଥା ବୁଝିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଥିଲେ ଯେ ଆଦିବାସୀ ସମାଜରେ ପାରମ୍ପରିକ ଜ୍ଞାନର ଭଣ୍ଡାର ରହିଛି। ଅଭିଜ୍ଞ ଆଦିବାସୀ ଭାଇ ଭଉଣୀମାନେ ଗଛ, ଲତା ଓ ଔଷଧକୁ ଚିହ୍ନିବା, ବ୍ୟବହାର କରିବା ଏବଂ ଏହାର ବିଶେଷ ଔଷଧୀୟ ଗୁଣ ଚିହ୍ନଟ କରିବାର କଳା ଜାଣନ୍ତି। ସେ କହିଛନ୍ତି ଯେ ସେମାନେ ସେହି ବିଷୟ ଉପରେ ଗବେଷଣା କରିବା ଉଚିତ ଏବଂ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ପ୍ରେରଣା ଦେବା ଉଚିତ୍। ମାନବ ସମାଜର ହିତ ପାଇଁ ପାରମ୍ପରିକ ଜ୍ଞାନର ପ୍ରୟୋଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଖରେ ପ୍ରଚୁର ସମ୍ଭାବନା ଓ ସୁଯୋଗ ରହିଛି। ଶିକ୍ଷା ଓ ଦକ୍ଷତା ବଳରେ ସେମାନେ ଜୀବିକା ନିର୍ବାହ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଶିକ୍ଷା ମାଧ୍ୟମରେ ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହେବା ସହିତ ନିଜର ମୂଳକୁ ନଭୁଲିବା ପାଇଁ ସେ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଇରଙ୍ଗପୁରରେ ଅବକାଶ ନିବାସ ଓ କ୍ରୀଡ଼ା ପରିସରର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୮ ଫେବ୍ରୁଆରୀ ୨୦୨୪) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ଏବଂ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଆଭାସୀ ମାଧ୍ୟମରେ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି।

ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାର ଆଦିବାସୀ ଅଞ୍ଚଳର ବିକାଶ ଏବଂ ଆଦିବାସୀ ଭାଇଭଉଣୀଙ୍କ ପ୍ରଗତିକୁ ପ୍ରାଥମିକତା ଦେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଜୁଳି ଓ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ପରିବାରକୁ ନଳ ଯୋଗେ ପାଣି ଯୋଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ପିଢ଼ି ଧରି ଯେଉଁ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଥିଲେ ସେମାନେ ଉପକୃତ ହେବେ। ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହୋଇ ହିତାଧିକାରୀ ହେବାକୁ ସେ ଅନୁରୋଧ କରିଛନ୍ତି। ସେମାନଙ୍କ ଉଦ୍ୟମ ବିନା ବିକାଶ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ସମାଜର ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଥିଲେ। ସେଥିପାଇଁ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। ଯଦିଓ ସରକାର ସ୍କୁଲ ପ୍ରତିଷ୍ଠା କରୁଛନ୍ତି ତଥାପି ପିଲାଙ୍କୁ ସ୍କୁଲ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ଏକ ସଶକ୍ତ ସମାଜ ପାଇଁ ମହିଳା ସଶକ୍ତିକରଣ ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି କହିଥିଲେ, ମହିଳାମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସମସ୍ତଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ।

ଆଜି ଆରମ୍ଭ ହୋଇଥିବା ସଡ଼କ ପ୍ରକଳ୍ପଗୁଡ଼ିକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ। କ୍ରୀଡ଼ା ପରିସର ନିର୍ମାଣ ହେଲେ ଯୁବପିଢ଼ିଙ୍କୁ ଉନ୍ନତ କ୍ରୀଡ଼ା ସୁଯୋଗ ମିଳିବ। ଅବକାଶ ନିବାସ ନିର୍ମାଣ ପରେ ରାଇରଙ୍ଗପୁର ଆସିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚାରିଦିନିଆ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨, ୨୦୨୪ ପର‌୍ୟ୍ୟନ୍ତ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨୮ତାରିଖରେ ରାଷ୍ଟ୍ରପତି ରାଞ୍ଚିଠାରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ପାଇଁ ଶିଳାନ୍ୟାସ କରିବେ।

ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ ପ୍ରକଳ୍ପ ଓ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ।

ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ। ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଆସନ୍ତା ୧ ତାରିଖରେ ରାଷ୍ଟ୍ରପତି ଭଞ୍ଜ ବିହାରସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ କଟକରେ ସେ ବ୍ରହ୍ମକୁମାରୀ, ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ରାଜଭବନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ।

ଆସନ୍ତା ୨ ତାରିଖରେ ରାଷ୍ଟ୍ରପତି ସମ୍ବଲପୁର ଜିଲ୍ଲାରେ ସନ୍ଥ କବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସମ୍ବଲପୁର ମିନି ଷ୍ଟାଡିୟମରେ ସେ ମହିମା ସଂପ୍ରଦାୟର ଅନୁଗାମୀଙ୍କୁ ଭେଟିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ କିଚକେଶ୍ବରୀ ମନ୍ଦିରରେ କରିବେ ପୂଜା ଅର୍ଚ୍ଚନା

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 29 ତାରିଖରେ ସେ ତାଙ୍କ ଜିଲ୍ଲା ମୟୁରଭଂଜ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ମିଳିଛି। ସେ ମୟୁରଭଂଜର ଆରଧ୍ୟ ଦେବୀ କିଚକେଶ୍ବରୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି।

ସୂଚନା ଅନୁସାରେ ରାଷ୍ଟ୍ରପତି ସେଦିନ ସକାଳେ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ ହେଲିକାପ୍ଟର ଯୋଗେ ମୟୁରଭଂଜ ଯିବେ। ସେଥିପାଇଁ ଶୁକୃଳି ମହାବିଦ୍ୟାଳୟ ପଡିଆରେ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ସେଠାରୁ ସେ କିଚକେଶ୍ବରୀ ମନ୍ଦିର ଯାଇ 30 ମିନିଟ ରହିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଉଛ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କଲେ ରାଷ୍ଟ୍ରପତି: ଖୁସି ବ୍ୟକ୍ତ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପାଇଥିବା ସମସ୍ତଙ୍କ ଜୀବନ ଏବଂ କାର୍ଯ୍ୟର ଝଲକ ପ୍ରଦାନ କରୁଛି  ତାହାକୁ ପରିଦର୍ଶନ କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ମୁଁ ଅନ୍ୟ ମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ।

Categories
ବିଶେଷ ଖବର

ନୂଆ ଅପରାଧିକ ଆଇନକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି, ଏବେ ବଦଳିବ ଆଇପିସି ଓ ସିଆରପିସି

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ପାରିତ ହୋଇଥିବା ୩ଟି ନୂଆ ଅପରାଧିକ ନ୍ୟାୟ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ଏହି ତିନୋଟି ନୂତନ ଆଇନ – ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ୧୮୭୨ର ଭାରତୀୟ ପ୍ରମାଣ ଆଇନକୁ ବଦଳାଇ ଦେଇଛି। ସଂସଦରେ ତିନୋଟି ବିଲ ଉପରେ ବିତର୍କର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏହି ବିଲଗୁଡ଼ିକର ଗୁରୁତ୍ୱ ପୂର୍ବ ଆଇନ ପରି ଦଣ୍ଡ ଉପରେ ନୁହେଁ, ବରଂ ନ୍ୟାୟ ପ୍ରଦାନ ଉପରେ ରହିଛି।

ସେ କହିଛନ୍ତି ଯେ, ଏହି ଆଇନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅପରାଧ ଏବଂ ସେମାନଙ୍କ ଦଣ୍ଡକୁ ସଂଜ୍ଞା ଦେଇ ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବା। ଏଥିରେ ଆତଙ୍କବାଦକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଥିଲା, ଦେଶଦ୍ରୋହକୁ ଏକ ଅପରାଧ ଭାବରେ ଉଚ୍ଛେଦ କରାଯାଇଥିଲା ଏବଂ ‘ରାଜ୍ୟ ବିରୋଧରେ ଅପରାଧ’ ଶୀର୍ଷକ ଏକ ନୂତନ ଧାରା ଯୋଡ଼ାଯାଇଥିଲା।

ଅଗଷ୍ଟମାସରେ ସଂସଦର ମୌସୁମୀ ଅଧିବେଶନରେ ପ୍ରଥମେ ଏହି ବିଲ ଆଗତ ହୋଇଥିଲା। ଗୃହ ବ୍ୟାପାର ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ଏକାଧିକ ସୁପାରିସ ପରେ ସରକାର ଗତ ସପ୍ତାହରେ ଏହି ବିଲଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏକ ନୂତନ ସଂସ୍କରଣ ଆଗତ କରିଥିଲେ। ଶାହ କହିଥିଲେ ଯେ ଏହି ତିନୋଟି ବିଲ ବ୍ୟାପକ ବିଚାର ବିମର୍ଶ ପରେ ପ୍ରସ୍ତୁତ କରାଯାଇଛି ଏବଂ ଗୃହରେ ଉପସ୍ଥାପନ କରିବା ପୂର୍ବରୁ ସେ ଡ୍ରାଫ୍ଟ ବିଲର ପ୍ରତ୍ୟେକ କୋମା ଏବଂ ସମ୍ପୂର୍ଣ୍ଣ ବନ୍ଦ ଅନୁଧ୍ୟାନ କରିଛନ୍ତି।

ଭାରତୀୟ ନ୍ୟାୟ ସଂହିତାରେ ଅଲଗାତାବାଦ, ସଶସ୍ତ୍ର ବିଦ୍ରୋହ, ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପ, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କିମ୍ବା ଦେଶଦ୍ରୋହ ଆଇନର ନୂତନ ଅବତାରରେ ସାର୍ବଭୌମତ୍ୱ କିମ୍ବା ଏକତାକୁ ବିପଦରେ ପକାଇବା ଭଳି ଅପରାଧକୁ ତାଲିକାଭୁକ୍ତ କରାଯାଇଛି। ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଜାଣିଶୁଣି ବିଚ୍ଛିନ୍ନତାବାଦ ବା ସଶସ୍ତ୍ର ବିଦ୍ରୋହ କିମ୍ବା ବିଶୃଙ୍ଖଳାଜନକ କାର୍ଯ୍ୟକଳାପକୁ ଶବ୍ଦ କିମ୍ବା ଚିହ୍ନ କିମ୍ବା ଦୃଶ୍ୟ ପ୍ରତିନିଧିତ୍ୱ କିମ୍ବା ଇଲେକ୍ଟ୍ରୋନିକ୍ ଯୋଗାଯୋଗ କିମ୍ବା ଆର୍ଥିକ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଉତ୍ତେଜିତ କିମ୍ବା ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି କିମ୍ବା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରନ୍ତି କିମ୍ବା ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରନ୍ତି, ତେଣୁ ଏଭଳି କାର୍ଯ୍ୟ କଲେ ଆଜୀବନ କାରାଦଣ୍ଡ ସହ ଜରିମାନା ମଧ୍ୟ ଆଦାୟ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ଶୀର୍ଷ ସ୍ଥାନରେ ଥିବା ଦୁଇ ଓଡିଆ ହେଲେ ଭେଟାଭେଟି

ନୂଆଦିଲ୍ଲୀ: ଭାରତର ସାମ୍ବାଧାନିକ ପଦବୀର ଶୀର୍ଷ ସ୍ଥାନରେ ବସିଥିବା ଦୁଇ ଓଡିଆ ଗତକାଲି ଭେଟାଭେଟି ହୋଇଛନ୍ତି। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ,

Shri Biswa Bhusan Harichandan, Governor of Chhattisgarh, called on President Droupadi Murmu at Rashtrapati Bhavan.

ନିକଟରେ ଛତିଶଗଡରେ ନୂଆ ସରକାର ଗଠନ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଛତିଶଗଡରେ ନୂଆ ସରକାର ଗଠନ ହେବା ପରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।