Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରରେ ନବୀନଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ ସହିତ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି।

Categories
ଫଟୋ ଖବର

ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।.

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଦୁଇଟି ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପାଇଁ ଚଳଚଞ୍ଚଳ ହୋଇପଡିଛି ଶାସକ ବିଜେଡି। ଆଜି ସେହି ଅଞ୍ଚଳର ମହାନଦୀ ଉପରେ ଦୁଇଟି ବ୍ରିଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ହେଲା  ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ପୋଷଳ ହାଇ ଲେବେଲ ସେତୁ। ଅନ୍ୟଟି ହେଲା ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁ।

ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଆଜି ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ସେତୁ ଜିଲ୍ଲାର ବିକାଶ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀ କୋଭିଡ ଲଢେଇର ବ୍ୟସ୍ତତା ମଧ୍ୟରେ ମଧ୍ୟ ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ନିୟମିତ ଉଦ୍ୟମ କରିଚାଲିଛନ୍ତି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷିଆନ୍ ଅଭିନେତା  ଅଜିତ୍‌ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର : ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । 71ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ଅଜିତ୍‌ ଦାସଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଅନନ୍ୟ ପ୍ରଭିଭାଧାରୀ ଏବଂ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଜଣେ ବହୁମୁଖୀ ଅଭିନେତା ଓ ନିର୍ଦେଶକ ଭାବେ ନିଜ ନିଖୁଣ ଅଭିନୟ ଛାଡ଼ି ଯାଇଛନ୍ତି।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ଭାବେ ସେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଯେତେଜଣ କଳାକାର ସୃଷ୍ଟି କରିଛନ୍ତି, ସେହି ଅଭାବ ପୂରଣ ପାଇଁ ବହୁ ବର୍ଷ ଲାଗିବ। ଓଡ଼ିଶା ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଅଜିତ୍ ଦାସ ସବୁଦିନ ପାଇଁ ବଞ୍ଚି ରହିବେ। ତାଙ୍କର ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ ।

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି । ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।  ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି  ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି । ୧୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି । ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି। ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), E&IT ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମର ସରପଞ୍ଚମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।  ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି।

ସେହିପରି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି।  ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି।  ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।  ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି।  ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର‌୍ୟ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।  ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି।  ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ।

ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି  ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।  ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ କରିବା ଏବେ ନିତାନ୍ତ ଅପରିହାର୍ଯ୍ଯ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ  ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନଲକ-୩ ପରେ ଦେଶର ହଟସ୍ପଟ ଅଞ୍ଚଳରୁ   ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି। ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ। ବ୍ରହ୍ମପୁରର ଏହି ଦୁଇଟି ହସ୍‌ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଶାପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ। ବ୍ରହ୍ମପୁର ମ୍ୟୁନିସ୍‌ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ବିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ଆଇସିୟୁ ବେଡ୍ ରହିଛି। ସେହିପରି ଏମକେସିଜି ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ଆଇସିୟୁ ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଗାଇଡଲାଇନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ

ଭୁବନେଶ୍ବର, ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଇଛନ୍ତି। କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ପରାମର୍ଶ ଦେଇ କହିଛନ୍ତି, କରୋନାର ମୁକାବିଲା କରିବା ପାଇଁ ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି, ବାହାରକୁ ଗଲା ବେଳେ ସର୍ବଦା ମାସ୍କ ପିନ୍ଧନ୍ତୁ। ଆପଣ ସଂକ୍ରମିତ ହେଲେ ଆପଣଙ୍କ ପରିବାର ସଂକ୍ରମିତ ହେବେ। ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସାରା ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ନବୀନ କହିଛନ୍ତି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା ମନ୍ତ୍ର

ଭୁବନେଶ୍ବର :ରାଜ୍ୟରେ କରୋନା ମାମଲା ବଢୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଏହି ଅବସରରେ  ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମନ୍ତ୍ର ଦେଇଛନ୍ତି । ଆଜି ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଆଲୋଚନା ବେଳେ 9ଟି ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୋଭିଡ୍‌ କେୟାର କମିଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ପ୍ରତିଷ୍ଠା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  କୋଭିଡ କେୟାର ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କ’ଣ କରିବା ଉଚିତ/ ଅନୁଚିତ ସେନେଇ ଷ୍ଟାଫ୍‌ମାନଙ୍କୁ ସଚେତନ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାମାଜିକ ଦୂରତ୍ବ ଉଂଲ୍ଲଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ । ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପୋଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଯୁଦ୍ଧରେ ସବୁ ବିଭାଗକୁ ସାମିଲ୍‌ ହେବାକୁ ଆହ୍ବାନ ଦେଇଛନ୍ତି ନବୀନ । ସେହିପରି କରୋନାକୁ ନେଇ ଘରୋଇ ହସ୍ପିଟାଲକୁଗଡିକ ସଚେତନ ପାଇଁ ନିର୍ଦ୍ଦେଶ ରହିଛି ।  ହଟସ୍ପଟ ଅଞ୍ଚଳ ପ୍ରତି ସ୍ପେଶାଲ୍‌ ଷ୍ଟ୍ରାଟେଜି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ସେହିପରି କରୋନା ମୁକାବିଲା ନେଇ ଆଉ କିଛି ପରାମର୍ଶ ଥିଲେ ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହା ସପକ୍ଷରେ ହେଉ ଅବା ବିପକ୍ଷରେ ନିର୍ବିଘ୍ନରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନ ଅଧିକାର କଲେ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଦୀର୍ଘ କୋଡିଏ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି ଭୋଟର୍‌ ଦ୍ବାରା ପ୍ରସ୍ତୁତ ଷ୍ଟେଟ୍ ଅଫ୍ ନେସନ୍: ମେ’ 2020 ନାମରେ କରାଯାଇଥିବା ଏହି ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନବୀନଙ୍କୁ 82.96 ପ୍ରତିଶତ ପସନ୍ଦ କରନ୍ତି ବୋଲି ସର୍ଭେରୁ ଜଣାପଡିଛି । ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ ଓ କେରଳ ମୁଖ୍ୟମନ୍ତ୍ରୀ । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି । ଭୂପେଶ ବଘେଲଙ୍କୁ 81.06 ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସର୍ଭେର ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ତୃତୀୟ ସ୍ଥାନରେ ରହିଥିବାବେଳେ ତାଙ୍କୁ 80.28 ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସୂଚନା ରହିଛି । ସେହିପରି ସବୁଠାରୁ କମ୍‌ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ହରିୟାଣାର ମନୋହର ଲାଲ୍‌ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ୍‌ ରାଓ୍ବତ ଓ ପଞ୍ଜାବର ଅମରିନ୍ଦର ସିଂହ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ରହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ 65.69 ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ 95 ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ 93.95 ଓ ଛତିଶଗଡର 92.73 ପ୍ରତିଶତ ମୋଦିଙ୍କୁ ସମର୍ଥନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଶନିବାର ଦିନ ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା 2 ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶସଂନୀୟ ହୋଇ ପାରିଛି । ତେବେ ଏହି କରୋନାକୁ ମୁକାବିଲା କ୍ଷେତ୍ରରେ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶସଂନୀୟ ବୋଲି କହିଛନ୍ତି ନବୀନ ।

କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ ରହିଛି ବୋଲି କହିଛନ୍ତି ନବୀନ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।ଓଡ଼ିଶାର ମୃତ୍ୟୁ ହାର ସାରା ବିଶ୍ବରେ ସର୍ବନିମ୍ନ ରହିଛି ବୋଲି କହିଛନ୍ତି ନବୀନ ।

ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା  ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫ଟା 30ଟା ସମୟରେ ଦୁନିଆରେ ଯେକୌଣସି ସ୍ଥାନରେ ଥିଲେ ବି, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ। ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ପରାମର୍ଶ ଦେଇଛନ୍ତି ।

ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ। ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ପନ୍ଦର ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ ପ୍ରମୁଖ ସଚିବମାନେ ଉପସ୍ଥିତ ରହିଥିଲେ । କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ 15 ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ ବୋଲି କହିଛନ୍ତି ନବୀନ।  ବିମାନ, ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆମ ପାଇଁ ଏହା ଚାଲେଞ୍ଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁଇ ମାସ ଲକ୍‌ ଡାଉନ୍‌ରେ ଆମେ ଅନେକ କଥା ଶିକ୍ଷା କରିପାରିଛୁ । ଏହି ଦୁଇ ମାସରେ ଆମକୁ ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ଶିକ୍ଷା ମିଳିଛି। ଏହି ଶିକ୍ଷାକୁ ଆଧାର କରି ଆମ ପ୍ରତିକ୍ରିୟା ପୁନଃନିର୍ମାଣ କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଜୀବାଣୁ ଆଚରଣ ନେଇ ଆମର ଶିକ୍ଷା ଆମକୁ ଆଶା ଦେଇଛି । ସାମାଜିକ ଦୂରତା, ମାସ୍କ, ହାତଧୁଆ ଦ୍ବାରା ମହାମାରୀ ବିସ୍ତାରକୁ ରୋକି ହେବ । ସାମାଜିକ ଦୂରତା, ସାମାଜିକ ବୟକଟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚ ଏବଂ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ପ୍ୟାକେଜକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି କି?

ଭୁବନେଶ୍ବର, କୋଭିଡ 19  କ୍ଷୟକ୍ଷତିକୁ ଭରଣା ପାଇଁ କେନ୍ଦ୍ର ସରକାର 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ କଣ କଣ ରହିଛି ସେ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ପ୍ୟାକେଜରେ ଏମଏସଏମଇ କୁ ବେଶୀ ଗୁରୁତ୍ବ ଦିଆଯାଇଛି। ଏହି କ୍ଷେତ୍ର ପାଇଁ ସୀତାରମଣ 30 ହଜାର କୋଟି ଅନୁଦାନ ପ୍ରଦାନ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ତେବେ ସୀତାରମଣଙ୍କ ଏହି ପ୍ୟାକେଜକୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପ ଏମଏସଏମଇ ସେକ୍ଟରର ପାଇଁ ଏକ ଆଶା ସୃଷ୍ଟି କରିଛି। ଏହା ଦ୍ବାରା ଦେଶର ଲକ୍ଷାଧିକ ଶ୍ରମିକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବ ବୋଲି ନବୀନ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ଜାଣନ୍ତୁ କଣ ରହିଛି ନବୀନଙ୍କ ଦାବି ଓ ପ୍ରସ୍ତାବ

ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଲକ୍‌ ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି ।

ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢାଇବା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅନେକେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ବିରୋଧ କରିଥିଲେ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ଉପସ୍ଥାପନ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା, ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ କ’ଣ ରହିଛି ନବୀନଙ୍କ ଦାବି

  1. କେନ୍ଦ୍ର ସରକାରଙ୍କ ଦ୍ବାରା କରୋନା ସ୍ଥିତିକୁ ନେଇ ପ୍ରଚଳିତ ହେଉଥିବା ଜିଲ୍ଲାଓ୍ବାରୀ ଜୋନ୍‌କୁ ପରିବର୍ତ୍ତନ କରାଯାଇ ସ୍ଥାନୀୟ ପ୍ରଶାସନର ପରାମର୍ଶ କ୍ରମେ ଛୋଟ ଛୋଟ ତଥା ସାଇଣ୍ଟିଫିକ୍‌ କୋଭିଡ୍‌ ଜୋନ୍‌ରେ ପରିଣତ କରାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ ।
  2. ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ କରି ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନ ଉପରେ କ୍ଷମତା ନ୍ୟସ୍ତ କରାଯାଉ।
  3. ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ତ୍ବରାନ୍ବିତ ତଥା ସଶକ୍ତ କରିବା ପାଇଁ ଜାତୀୟ ସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର (ଏସ୍‌ଓପି) ପ୍ରସ୍ତୁତ କରାଯାଉ। ରାଜ୍ୟ ମାନଙ୍କର ଉତ୍ପାଦନ ଏବଂ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିୟମ ପ୍ରଣୟନ କରନ୍ତୁ ।
  4. କୋଭିଡ ପରିଚାଳନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା କରୋନା ନୀତିରେ କିଛି ପରିବର୍ତ୍ତନ କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମିଲ୍‌ କରାଯାଇପାରେ । କୋଭିଡ୍‌ ଯୁଦ୍ଧ ଆହୁରି ଲମ୍ବା ଚାଲିବାକୁ ଥିବାରୁ କେନ୍ଦ୍ର ସରକାର କରୋନା ପରିଚାଳନାରେ ପଞ୍ଚାୟତରାଜକୁ ସାମିଲ କରିବା ପାଇଁ ନବୀନ ଦାବି କରିଛନ୍ତି ।
  5. ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କୁ ଉଦ୍ଧାର ପାଇଁ ରାଜ୍ୟ ମାନଙ୍କସହ ପରାମର୍ଶ କରି ଟ୍ରେନ୍‌ ଚଳାଚଳ କରାଯିବା ପାଇଁ ଦାବି ରଖିଛନ୍ତି ନବୀନ ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍‌ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା କାର୍ଯ୍ୟକ୍ରମ ରହିଛି । କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ କରିବା ପାଇଁ  ନିବେଦନ କରିଛନ୍ତି ନବୀନ। ଏବେ କୋରୋନା ମୁକାବିଲା ପାଇଁ କର୍ମଚାରୀ ମୁତୟନ ରହିଛନ୍ତି, ଏ ସମୟରେ ଜନଗଣନା ହେଲେ କୋରୋନା ମୁକାବିଲା ବାଧାପ୍ରାପ୍ତ ହେବ । ସେହିପରି କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଫିଲ୍ଡ ଓ୍ବାର୍କରମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କା ରହିଛି। ଏହି ଜନଗଣନାରେ ଗୃହ ତାଲିକା, ଗଣନା,ଜନସଂଖ୍ୟା ପଞ୍ଜିକା ଅପଡେଟ୍‌ ହୋଇଥାନ୍ତା। ତେବେ କରେନାକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ ରଖାଯାଉ ବୋଲି ଚିଠିରେ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ ।

Categories
ଆଜିର ଖବର ରାଜ୍ୟ ଖବର

ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ: ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ପାଇଲେ ନିଯୁକ୍ତି

ସମୀକ୍ଷା ବ୍ୟୁରୋ :

ଭୁବନେଶ୍ବର : ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ। ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ନବୀନ ପଟ୍ଟନାୟକ ଏହି ନୂତନ ଦାୟିତ୍ବ ଦେଇଛନ୍ତି। ନୂତନ ଦାୟିତ୍ବ ସହ ସଞ୍ଜୟଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ପରେ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରିହେବ ଆଲୋଚନା କରିବେ ବୋଲି କହିଛନ୍ତି। ନୂଆ ରୂପ, ନୂଆ କଳେବରରେ ଯୋଜନା ବୋର୍ଡକୁ ପରିବର୍ତ୍ତନ କରିବା ନେଇ ମତ ରଖିଛନ୍ତି ସଞ୍ଜୟ ଦାସ ବର୍ମା।

Categories
ଆଜିର ଖବର ରାଜ୍ୟ ଖବର

ନିଖିଳ ଓଡିଶା ଆଇନଜୀବୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ନିଖିଳ ଓଡିଶା ଆଇନଜୀବୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିର ଅନୁଦାନ ରାଶି ବୃଦ୍ଧି କରିଥିବାରୁ ସଂଘ ଧନ୍ୟବାଦ ଅର୍ପଣ କରିଛି। ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟି ଟଙ୍କାରୁ ୫କୋଟି ଟଙ୍କା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଅବସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ ସ୍ଵୀକୃତି ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଆଜି ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଓ ବିଜୁ ଜନତା ଦଳର ଲିଗାଲ ଫ୍ରଣ୍ଟର ରାଜ୍ୟ ଆବାହକ ମିଲନ କାନୁନଗୋଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମ୍ବଲପୁର, ବରଗଡ଼, ଯାଜପୁର, ଅନୁଗୁଳ, ନୟାଗଡ, ଫୁଲବାଣୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବହୁ ଆଇନଜୀବୀ ଯୋଗଦେଇ, ଆଗାମୀ ଦିନରେ ଆଇନଜୀବୀମାନଙ୍କ ସାମୁହିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

 

Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ନିବେଶ ହେବ ୧୭ ହଜାର ୮ ଶହ କୋଟି ଟଙ୍କାର ପୁଞ୍ଜି, ୬ ହଜାର ୫ ଶହ ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ। ଏହା କାର୍ଯ୍ୟକାରୀ ହେଲେ ଏଥିରେ ୪ ହଜାର ୨ ଶହ ୫୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ଯେଉଁ ତିନୋଟି କଂପାନୀକୁ ଅନୁମୋଦନ ମିଳିଛି ସେଗୁଡିକ ହେଲା

୧-ହିଣ୍ଡାଲକୋ

ରାୟଗଡ଼ା ଜିଲ୍ଲାର କାନସାରିଗୁଡ଼ାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରକଳ୍ପ କରିବ। ଏଥିରେ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ ଏବଂ ୪ହଜାର ୨୫୦ଜଣଙ୍କୁ ନିଯୁକ୍ତି ମିଳିବ।

୨- ଏନଟିପିସି

ତାଳଚେରରେ ଥିବା ଏନଟିପିସିର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ ହେବ। ଏଥିରେ ୭ହଜାର ୬୯୮କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। କଂପାନୀ ୧୬୦୦ ୟୁନିଟ ତାପଜ ବିଦ୍ୟୁତ ଉତ୍ପାଦନକୁ ସମ୍ପ୍ରସାରଣ କରିବ।

୩- ରୁଙ୍ଗଟା ମାଇନସ୍

ସୁନ୍ଦରଗଡ଼ ଜିଲ୍ଲାର କମଣ୍ଡାଠାରେ ଥିବା ରୁଙ୍ଗଟା ମାଇନ୍ସର ୨.୭ଲକ୍ଷ ଟନ୍ କ୍ଷମତା ଥିବା ପ୍ରକଳ୍ପର ସଂପ୍ରସାରଣ ହେବ। ୯ଲକ୍ଷ ଟନ୍ ଉତ୍ପାଦନ ପାଇଁ କମ୍ପାନୀ ପକ୍ଷରୁ ୨ହଜାର ୧୩୫କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୨ହଜାର ୨୮୯ଜଣଙ୍କୁ ନିଯୁକ୍ତି ମିଳିବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତିର୍ପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଏମଏସଏମି ସଚିବ ସଂଜୟ ସିଂ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର

ବିଜେଡ଼ିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 5/1:ନବୀନ ନିବାସରେ ମୋ’ ପରିବାର ବୈଠକ ପରେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଜେଡି ତରଫରୁ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ପରିବେଶ ସୁରକ୍ଷା, ସ୍ଵାସ୍ଥ୍ୟ, ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି କହିବା ସହିତ ଏହି ୩ଟି ବିଭାଗ ଉପରେ ମୋ ପରିବାର କାର୍ଯ୍ୟ କରିବ ବୋଲି ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି। ଏଥିରେ ପରିବେଶ ସୁରକ୍ଷା ଦାୟିତ୍ଵରେ ସାଂସଦ ପିନାକୀ ମିଶ୍ର ରହିବେ। ସେହିପରି ଚନ୍ଦ୍ରଶେଖର ସାହୁଙ୍କୁ ପ୍ରବାସୀ ଓଡ଼ିଆ ଦାୟିତ୍ଵ ଦିଆଯାଇଥିବାବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସ୍ଵାସ୍ଥ୍ୟ ବିଭାଗ ଦାୟିତ୍ଵ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜେନ୍ଦ୍ର କଲେଜ ପାଇଁ ୫୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ବଲାଙ୍ଗୀର, ୩୧/୧୨: ବଲାଙ୍ଗୀର ରାଜେନ୍ଦ୍ର  ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ  ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କ୍ରୀଡା ବିସ୍ମୟ ପ୍ରଣୀତ ମିଶ୍ର, କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଏହି ଶିକ୍ଷଣୀୟ ସଂସ୍ଥାର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଏହି ବିଶ୍ବବିଦ୍ୟାଳୟରେ ଶୈକ୍ଷଣିକ ଓ ପ୍ରଶାସନିକ ସ୍ତରରେ ବିକାଶ କରାଯିବା ନେଇ ସୂଚନା ଦେବା ସହିତ ଏହି ସଂସ୍ଥା ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ଓ ପ୍ଲାନେଟୋରିୟମ୍‌ର ସ୍ଥାପନ ହେବା ନେଇ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଏହା ଛାତ୍ରଙ୍କୁ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା କ୍ଷେତ୍ରରେ ଅଭିପେତ୍ର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ। ଗୋଟେ ରାଷ୍ଟ୍ରର ଉନ୍ନତି ତା’ର ଜ୍ଞାନ ଓ ଶିକ୍ଷା ଦ୍ବାରା ହୋଇପାରିଥାଏ। ଓଡ଼ିଶାର ଯୁବଶକ୍ତିଙ୍କ ପାଖରେ ସବୁ ପ୍ରକାରର ସମ୍ଭାବନା ରହିଛି। ଯୁବବର୍ଗଙ୍କ ପାଖରେ ପ୍ରତିଭା, ଜ୍ଞାନ ଓ ସମର୍ପଣ ରହିଛି। ଏହି ଯୁବବର୍ଗ ଯେଉଁଠିକୁ ଗଲେ ବି ସବୁଠାରେ ନିଜର ଉତ୍କୃଷ୍ଟତାର ପ୍ରମାଣ ଦେବେ। ଓଡ଼ିଶାକୁ ଉଚ୍ଚ ବିକାଶ ଆଗକୁ ଆଗେଇନେବାରେ ଏହି ଯୁବଶକ୍ତିମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Categories
ବିଶେଷ ଖବର

ଏନ୍.ଆର୍.ସି. ସମ୍ବନ୍ଧରେ ନବୀନବାବୁଙ୍କୁ ୫ଟି ପ୍ରଶ୍ନ 

ରଙ୍ଗାଚରଣ ପ୍ରଧାନ

ନବୀନବାବୁ କହିଲେ ଯେ ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରୁଛି କିନ୍ତୁ ଜାତୀୟ ନାଗରିକ ରେଜିଷ୍ଟର (ଏନ୍.ଆର୍.ସି)କୁ ବିରୋଧ କରୁଛି। ଏହା ମାନେ ହେଲା ତାଙ୍କ ଦଳ ପାର୍ଲିଆମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିଥିଲେ ହେଁ ଓଡିଶାରେ ଏନ୍.ଆର୍.ସି କାର୍ଯ୍ୟକାରୀ କରାଇଦେବେ ନାହିଁ। ସେ ଆହୁରି କହିଛନ୍ତି ଯେ ସି.ଏ.ଏ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହାର ଭାରତୀୟ ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଠାରେ ନବୀନବାବୁଙ୍କ ପାଇଁ ୫ଟି ପ୍ରଶ୍ନ।

୧. ଗୄହମନ୍ତ୍ରୀ ଅମିତ୍ ଶାହ ପାର୍ଲିଆମେଣ୍ଟରେ ଜୋର ଦେଇ କହିଛନ୍ତି ଯେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ ଯେଉଁ ଅଣମୁସଲମାନ ବିନା କୌଣସି ଆଇନଗତ ଡକୁମେଣ୍ଟରେ ଭାରତ ଆସିଥିବେ ସେମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ନବୀନବାବୁ ଓଡିଶାରେ ସିନା ଏନ୍.ଆର୍.ସି ଲାଗୁ କରିବେନି ମାତ୍ର ଭାରତରେ ନୂତନଭାବେ ନାଗରିକତା ପାଇବାକୁ ଯାଉଥିବା ଏହି ଲୋକମାନଙ୍କୁ ଓଡିଶାରେ ଥଇଥାନ କରିବେ କି ନାହିଁ ? ସେମାନଙ୍କୁ ବାସସ୍ଥାନ, ରୋଜଗାର ଓ ଖାଦ୍ୟବସ୍ତ୍ର ଯୋଗାଇବେ କି ନାହିଁ ? ସେ କ’ଣ ଓଡିଶାରେ ସେମାନଙ୍କ ପ୍ରବେଶକୁ କଟକଣା କରିବେ ?

୨.ନବୀନବାବୁ ଏନ୍.ଆର୍.ସି ପ୍ରକ୍ରୀୟା ସିନା କାର୍ଯ୍ୟକାରୀ କରିବେ ନାହିଁ , କିନ୍ତୁ ତାହା କାର୍ଯ୍ୟକାରୀ ନକରି ମଧ୍ୟ ସି.ଏ.ଏର ନୂତନ ଧର୍ମୀୟ ବାଛବିଚାର ମୁଳକ ପ୍ରାବଧାନ ଅନୁଯାୟୀ ଓଡିଶାରେ ମୁସଲମାନମାନଙ୍କୁ ଚିହ୍ନଟ କରି ସେମାନକୁ ଅଣନାଗରିକ ଘୋଷଣା କରାଯାଇ ପାରିବ ନାହିଁ ? ସି.ଏ.ଏ ଲାଗୁ ହେବା ପୁର୍ବରୁ କ’ଣ ଚିହ୍ନଟ ହେଉ ନଥିଲା ଓ ସେମାନଙ୍କୁ ବିଦେଶକୁ ପଠାଯାଉ ନଥିଲା ? ଥରେ ସି.ଏ.ଏ ମାଧ୍ୟମରେ ଧର୍ମୀୟ ବାଛବିଚାରକୁ ସମର୍ଥନ ଦେଇ ଏବେ ପୁରୁଣା ପ୍ରକ୍ରିୟା ଅନୁଯାୟୀ  ଓଡିଶାର କେବଳ ମୁସଲମାନମାନଙ୍କଠାରୁ ନାଗରିକତା ଛଡାଇବାକୁ ନବୀନବାବୁ କେମିତି ରୋକିବେ?

୩. ଆସନ୍ତା ଏପ୍ରିଲ୍ ମାସରୁ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର (ଏନ୍.ପି.ଆର୍)ତିଆରି ପ୍ରକ୍ରିୟା ଆରମ୍ଭ ହେବ। ସେଥିରେ ସରକାରୀ କର୍ମଚାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ, ଆଧାର କାର୍ଡ ଦେଖାଇବାକୁ କହିବେ ଓ ପିତାମାତାଙ୍କ ଜନ୍ମସ୍ଥାନ ବିଷୟରେ ପଚାରିବେ। ଏହି କର୍ମଚାରୀମାନେ ମନମୂଖୀଭାବେ କାହାକୁ ବି ସନ୍ଦେହାସ୍ପଦ-ନାଗରିକ ଘୋଷଣା କରିପାରିବେ। ଏନ୍.ଆର୍.ସି ଏହି ସନ୍ଦେହାସ୍ପଦ-ନାଗରିକମାନଙ୍କର ତାଲିକା ଏନ୍.ପି.ଆରରୁ ନେବ ଓ ମୁସଲମାନମାନେ ଏହାର ଶିକାର ହେବେ। କାରଣ ବିଜେଡି ସମର୍ଥନ କରିଥିବା ସି.ଏ.ଏ ଧର୍ମୀୟ ବାଛବିଚାରର ବାଟ ଖୋଲିଦେଇଛି। ତେଣୁ ଏନ୍.ପି.ଆର୍ ହେଉଛି ଏନ୍.ସି.ଆର୍ ର ପୂର୍ବ ପଦକ୍ଷେପ। ନବୀନବାବୁ ଓଡିଶାରେ ଏନ୍.ପି.ଆର ତିଆରି ପ୍ରକ୍ରୀୟା ବନ୍ଦ କରିପାରିବେ କି ?

୪. ଏନ୍.ସି.ଆର୍ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବେ ଏବଂ ଏଥିପାଇଁ ରାଜ୍ୟ ସରକାର ନିଜ କର୍ମଚାରୀ ଯୋଗାଇବେ। ନିର୍ବାଚନ ସମୟ ଭଳି ଏ ସମୟରେ ମଧ୍ୟ ଏହି କାମ କରୁଥିବା ରାଜ୍ୟ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଆଦେଶ କାର୍ଯ୍ୟକାରୀ କରିବେ ନାହିଁ। କ’ଣ ନବୀନବାବୁ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କର୍ମଚାରୀ ଯୋଗାଇବା ପାଇଁ ମନା କରିପାରିବେ ? ନିକଟରେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଧମକ ଦେଇଛନ୍ତି ଯେ ଯେଉଁ ରାଜ୍ୟ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବାକୁ ମନା କରିବ ସେଠାରେ ରାଷ୍ଟ୍ରପତି ଶାସନ ହେବ। କୌଣସି ବିଜେଡି ମୁଖପାତ୍ର ଏହାର କଡା ଜବାବ ଦେଇଛନ୍ତି କି ? ଯଦି କେନ୍ଦ୍ର ସରକାର ବିଧାନସଭା ନ ଭାଙ୍ଗି ଓ ମାତ୍ର ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରି ସେହି ସମୟରେ ଏନ୍.ସି.ଆର୍ ପ୍ରକ୍ରୀୟା ଶେଷ କରନ୍ତି ତାହେଲେ ନବୀନବାବୁ କ’ଣ କରିପାରିବେ ?

୫. ନିଜ ରାଜ୍ୟରେ ଯଦି ବି ନବୀନବାବୁ ଏନ୍.ସି.ଆର୍ ପ୍ରକ୍ରୀୟା ରୋକିବାରେ ସଫଳ ହେବେ, ଅନ୍ୟ ରାଜ୍ୟରେ ଏହାର ଶିକାର ହେବାକୁ ଥିବା ପ୍ରକୄତ ଭାରତୀୟ ମୁସଲମାନଙ୍କ ପାଇଁ କ’ଣ ନବୀନବାବୁଙ୍କର ଦରଦ ନାହିଁ ?  ସଂଶୋଧନ ବିଲ୍ କୁ ସମର୍ଥନ କରି ବିଜେଡି ଏଥିପାଇଁ ରାସ୍ତା ଖୋଲିଦେଇ ନାହିଁ କି ? ସାରା ଦେଶରେ ଧର୍ମୀୟ ବାଛ ବିଚାରରେ କୋଟି କୋଟି ନାଗରିକତା ହରାଇଥିବା ଲୋକଙ୍କୁ ଅବରୁଦ୍ଧ ଶିବିରରେ ରଖିବାକୁ ନବୀନବାବୁ ଓ ତାଙ୍କ ଦଳ ସମର୍ଥନ କରୁନାହିଁ କି ? ଏହା ଦ୍ବାରା ଅନ୍ୟରାଜ୍ୟରେ ରହୁଥିବା ଓଡିଆ ମୁସଲମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ନିର୍ଯ୍ୟାତିତ ହେବେ ନାହିଁ କି ?

ଏକଥା ସତ ଯେ ନବୀନବାବୁ ସାମ୍ବାଦିକମାନଙ୍କ ସହ ମାତ୍ର କେଇ ସେକେଣ୍ଡ କଥା ହୁଅନ୍ତି ଏବଂ ନିଜ କଥା କହି ଦେଇ ଚାଲି ଯାଆନ୍ତି। ସେଠାରେ ପ୍ରତିପ୍ରଶ୍ନର ସୁଯୋଗ ନଥାଏ। ଓଡିଶା ଗଣମାଧ୍ୟମର ମଧ୍ୟ ଏଥିରେ ପ୍ରତିବାଦ ନଥାଏ। ସେମାନେ ଏସବୁ ପ୍ରଶ୍ନରେ ଆଗ୍ରହୀ ନଥାନ୍ତି। ଯଦି ନବୀନବାବୁ କିମ୍ବା ତାଙ୍କ ଦଳର କୌଣସି ମୁଖପାତ୍ର ଏହି ୫ଟି ଗୁରୁତ୍ବପୂର୍ଣ ପ୍ରଶ୍ନର ଉତ୍ତର ନ ଦେବେ ତାହେଲେ ବୁଝାଯିବ ଯେ ସେମାନେ ଓଡିଶାବାସୀଙ୍କୁ ମିଛ କହୁଛନ୍ତି ଏବଂ ବିଜେପିର ସାଂପ୍ରଦାୟିକ ଏଜେଣ୍ଡାକୁ ସେମାନେ ନୀରବ ସମର୍ଥନ ଦେଉଛନ୍ତି।