Categories
ବିଶେଷ ଖବର

ଏନ୍.ଆର୍.ସି. ସମ୍ବନ୍ଧରେ ନବୀନବାବୁଙ୍କୁ ୫ଟି ପ୍ରଶ୍ନ 

ରଙ୍ଗାଚରଣ ପ୍ରଧାନ

ନବୀନବାବୁ କହିଲେ ଯେ ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରୁଛି କିନ୍ତୁ ଜାତୀୟ ନାଗରିକ ରେଜିଷ୍ଟର (ଏନ୍.ଆର୍.ସି)କୁ ବିରୋଧ କରୁଛି। ଏହା ମାନେ ହେଲା ତାଙ୍କ ଦଳ ପାର୍ଲିଆମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିଥିଲେ ହେଁ ଓଡିଶାରେ ଏନ୍.ଆର୍.ସି କାର୍ଯ୍ୟକାରୀ କରାଇଦେବେ ନାହିଁ। ସେ ଆହୁରି କହିଛନ୍ତି ଯେ ସି.ଏ.ଏ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହାର ଭାରତୀୟ ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଠାରେ ନବୀନବାବୁଙ୍କ ପାଇଁ ୫ଟି ପ୍ରଶ୍ନ।

୧. ଗୄହମନ୍ତ୍ରୀ ଅମିତ୍ ଶାହ ପାର୍ଲିଆମେଣ୍ଟରେ ଜୋର ଦେଇ କହିଛନ୍ତି ଯେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ ଯେଉଁ ଅଣମୁସଲମାନ ବିନା କୌଣସି ଆଇନଗତ ଡକୁମେଣ୍ଟରେ ଭାରତ ଆସିଥିବେ ସେମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ନବୀନବାବୁ ଓଡିଶାରେ ସିନା ଏନ୍.ଆର୍.ସି ଲାଗୁ କରିବେନି ମାତ୍ର ଭାରତରେ ନୂତନଭାବେ ନାଗରିକତା ପାଇବାକୁ ଯାଉଥିବା ଏହି ଲୋକମାନଙ୍କୁ ଓଡିଶାରେ ଥଇଥାନ କରିବେ କି ନାହିଁ ? ସେମାନଙ୍କୁ ବାସସ୍ଥାନ, ରୋଜଗାର ଓ ଖାଦ୍ୟବସ୍ତ୍ର ଯୋଗାଇବେ କି ନାହିଁ ? ସେ କ’ଣ ଓଡିଶାରେ ସେମାନଙ୍କ ପ୍ରବେଶକୁ କଟକଣା କରିବେ ?

୨.ନବୀନବାବୁ ଏନ୍.ଆର୍.ସି ପ୍ରକ୍ରୀୟା ସିନା କାର୍ଯ୍ୟକାରୀ କରିବେ ନାହିଁ , କିନ୍ତୁ ତାହା କାର୍ଯ୍ୟକାରୀ ନକରି ମଧ୍ୟ ସି.ଏ.ଏର ନୂତନ ଧର୍ମୀୟ ବାଛବିଚାର ମୁଳକ ପ୍ରାବଧାନ ଅନୁଯାୟୀ ଓଡିଶାରେ ମୁସଲମାନମାନଙ୍କୁ ଚିହ୍ନଟ କରି ସେମାନକୁ ଅଣନାଗରିକ ଘୋଷଣା କରାଯାଇ ପାରିବ ନାହିଁ ? ସି.ଏ.ଏ ଲାଗୁ ହେବା ପୁର୍ବରୁ କ’ଣ ଚିହ୍ନଟ ହେଉ ନଥିଲା ଓ ସେମାନଙ୍କୁ ବିଦେଶକୁ ପଠାଯାଉ ନଥିଲା ? ଥରେ ସି.ଏ.ଏ ମାଧ୍ୟମରେ ଧର୍ମୀୟ ବାଛବିଚାରକୁ ସମର୍ଥନ ଦେଇ ଏବେ ପୁରୁଣା ପ୍ରକ୍ରିୟା ଅନୁଯାୟୀ  ଓଡିଶାର କେବଳ ମୁସଲମାନମାନଙ୍କଠାରୁ ନାଗରିକତା ଛଡାଇବାକୁ ନବୀନବାବୁ କେମିତି ରୋକିବେ?

୩. ଆସନ୍ତା ଏପ୍ରିଲ୍ ମାସରୁ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର (ଏନ୍.ପି.ଆର୍)ତିଆରି ପ୍ରକ୍ରିୟା ଆରମ୍ଭ ହେବ। ସେଥିରେ ସରକାରୀ କର୍ମଚାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ, ଆଧାର କାର୍ଡ ଦେଖାଇବାକୁ କହିବେ ଓ ପିତାମାତାଙ୍କ ଜନ୍ମସ୍ଥାନ ବିଷୟରେ ପଚାରିବେ। ଏହି କର୍ମଚାରୀମାନେ ମନମୂଖୀଭାବେ କାହାକୁ ବି ସନ୍ଦେହାସ୍ପଦ-ନାଗରିକ ଘୋଷଣା କରିପାରିବେ। ଏନ୍.ଆର୍.ସି ଏହି ସନ୍ଦେହାସ୍ପଦ-ନାଗରିକମାନଙ୍କର ତାଲିକା ଏନ୍.ପି.ଆରରୁ ନେବ ଓ ମୁସଲମାନମାନେ ଏହାର ଶିକାର ହେବେ। କାରଣ ବିଜେଡି ସମର୍ଥନ କରିଥିବା ସି.ଏ.ଏ ଧର୍ମୀୟ ବାଛବିଚାରର ବାଟ ଖୋଲିଦେଇଛି। ତେଣୁ ଏନ୍.ପି.ଆର୍ ହେଉଛି ଏନ୍.ସି.ଆର୍ ର ପୂର୍ବ ପଦକ୍ଷେପ। ନବୀନବାବୁ ଓଡିଶାରେ ଏନ୍.ପି.ଆର ତିଆରି ପ୍ରକ୍ରୀୟା ବନ୍ଦ କରିପାରିବେ କି ?

୪. ଏନ୍.ସି.ଆର୍ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବେ ଏବଂ ଏଥିପାଇଁ ରାଜ୍ୟ ସରକାର ନିଜ କର୍ମଚାରୀ ଯୋଗାଇବେ। ନିର୍ବାଚନ ସମୟ ଭଳି ଏ ସମୟରେ ମଧ୍ୟ ଏହି କାମ କରୁଥିବା ରାଜ୍ୟ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଆଦେଶ କାର୍ଯ୍ୟକାରୀ କରିବେ ନାହିଁ। କ’ଣ ନବୀନବାବୁ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କର୍ମଚାରୀ ଯୋଗାଇବା ପାଇଁ ମନା କରିପାରିବେ ? ନିକଟରେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଧମକ ଦେଇଛନ୍ତି ଯେ ଯେଉଁ ରାଜ୍ୟ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବାକୁ ମନା କରିବ ସେଠାରେ ରାଷ୍ଟ୍ରପତି ଶାସନ ହେବ। କୌଣସି ବିଜେଡି ମୁଖପାତ୍ର ଏହାର କଡା ଜବାବ ଦେଇଛନ୍ତି କି ? ଯଦି କେନ୍ଦ୍ର ସରକାର ବିଧାନସଭା ନ ଭାଙ୍ଗି ଓ ମାତ୍ର ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରି ସେହି ସମୟରେ ଏନ୍.ସି.ଆର୍ ପ୍ରକ୍ରୀୟା ଶେଷ କରନ୍ତି ତାହେଲେ ନବୀନବାବୁ କ’ଣ କରିପାରିବେ ?

୫. ନିଜ ରାଜ୍ୟରେ ଯଦି ବି ନବୀନବାବୁ ଏନ୍.ସି.ଆର୍ ପ୍ରକ୍ରୀୟା ରୋକିବାରେ ସଫଳ ହେବେ, ଅନ୍ୟ ରାଜ୍ୟରେ ଏହାର ଶିକାର ହେବାକୁ ଥିବା ପ୍ରକୄତ ଭାରତୀୟ ମୁସଲମାନଙ୍କ ପାଇଁ କ’ଣ ନବୀନବାବୁଙ୍କର ଦରଦ ନାହିଁ ?  ସଂଶୋଧନ ବିଲ୍ କୁ ସମର୍ଥନ କରି ବିଜେଡି ଏଥିପାଇଁ ରାସ୍ତା ଖୋଲିଦେଇ ନାହିଁ କି ? ସାରା ଦେଶରେ ଧର୍ମୀୟ ବାଛ ବିଚାରରେ କୋଟି କୋଟି ନାଗରିକତା ହରାଇଥିବା ଲୋକଙ୍କୁ ଅବରୁଦ୍ଧ ଶିବିରରେ ରଖିବାକୁ ନବୀନବାବୁ ଓ ତାଙ୍କ ଦଳ ସମର୍ଥନ କରୁନାହିଁ କି ? ଏହା ଦ୍ବାରା ଅନ୍ୟରାଜ୍ୟରେ ରହୁଥିବା ଓଡିଆ ମୁସଲମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ନିର୍ଯ୍ୟାତିତ ହେବେ ନାହିଁ କି ?

ଏକଥା ସତ ଯେ ନବୀନବାବୁ ସାମ୍ବାଦିକମାନଙ୍କ ସହ ମାତ୍ର କେଇ ସେକେଣ୍ଡ କଥା ହୁଅନ୍ତି ଏବଂ ନିଜ କଥା କହି ଦେଇ ଚାଲି ଯାଆନ୍ତି। ସେଠାରେ ପ୍ରତିପ୍ରଶ୍ନର ସୁଯୋଗ ନଥାଏ। ଓଡିଶା ଗଣମାଧ୍ୟମର ମଧ୍ୟ ଏଥିରେ ପ୍ରତିବାଦ ନଥାଏ। ସେମାନେ ଏସବୁ ପ୍ରଶ୍ନରେ ଆଗ୍ରହୀ ନଥାନ୍ତି। ଯଦି ନବୀନବାବୁ କିମ୍ବା ତାଙ୍କ ଦଳର କୌଣସି ମୁଖପାତ୍ର ଏହି ୫ଟି ଗୁରୁତ୍ବପୂର୍ଣ ପ୍ରଶ୍ନର ଉତ୍ତର ନ ଦେବେ ତାହେଲେ ବୁଝାଯିବ ଯେ ସେମାନେ ଓଡିଶାବାସୀଙ୍କୁ ମିଛ କହୁଛନ୍ତି ଏବଂ ବିଜେପିର ସାଂପ୍ରଦାୟିକ ଏଜେଣ୍ଡାକୁ ସେମାନେ ନୀରବ ସମର୍ଥନ ଦେଉଛନ୍ତି।

 

Categories
ବିଶେଷ ଖବର

ପୁରୀ ପରି ଲିଙ୍ଗରାଜ ମନ୍ଦିର ମଧ୍ୟ ହେବ ବିଶ୍ବ ସ୍ତରୀୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରର କରାଯିବ। ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ବିକାଶ ସହିତ ଏକ ଉଚ୍ଚ କୋଟୀର ଧର୍ମ କ୍ଷେତ୍ରରେ ପରିଣତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ବଡ ଘୋଷଣା। ଏହି ପ୍ରାଚୀନ ଐତିହ୍ୟର ଚତୁଃପାର୍ଶ୍ଵ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା “ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା”। ଏହି ଯୋଜନାରେ ରହିଛି ଏକ ଆକର୍ଷଣୀୟ ପ୍ରବେଶ ପଥ ନିର୍ମାଣ, ବିନ୍ଦୁ ସାଗର ପୁନରୁଦ୍ଧାର, ନିକଟସ୍ଥ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ, ଇ- ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ତ୍ୟାଗ କରିବାକୁ ଜନ ସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯାହା ନିଷ୍ପତି କରାଯାଇଛି ସେଗୁଡିକ ହେଲା

୧-ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତରଣ
୨-ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ
୩- ମନ୍ଦିର ନିକଟସ୍ଥ ଚାରିଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
୪-ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ
୫-ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ ପଥ ନିର୍ମାଣ
୬-ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ
୭-ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ

୮-କେଦାରଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ

କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

୧-ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଏବଂ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ
୨-ପକ୍କା ଘର ଦୋକାନ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ମିଳିବ ୧୦ ହଜାର ଟଙ୍କାର ସହାୟତା

୩- ବିଏମସି, ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟ୍ କିମ୍ବା ନୂତନ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସଂପୃକ୍ତ ବ୍ୟବସାୟୀମାନଙ୍କୁ ଥଇଥାନ
୪-ସ୍ଥିତିବାନ ଆବାସିକ ଗୃହ, ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ

ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସବୁ ନିଷ୍ପତି ନିଆଯାଇଛି। ଏହା ଦ୍ବାରା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଫେରିପାଇବା ସହ ପର୍ଯ୍ୟଟକ ତଥା ଭକ୍ତମାନେ କୌଣସି ଅସୁବିଧାର ଯେପରି ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଗତ ସପ୍ତାହରେ ଫାଇବ-ଟି ସଚିବ ଭି.କେ ପାଣ୍ଡିୟାନ ଭୋର ୪ଟାରୁ ଯାଇ ଲିଙ୍ଗରାଜ ମନ୍ଦିରର ଆଧୁନିକକରଣ ଉପରେ ଆଲୋଚନା କରିଥିଲେ। ସେତେବେଳେ ସେ ସେଠାରେ ଥିବା ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ସେହି ରିପୋର୍ଟ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ବଡ ଘୋଷଣା କରିଛନ୍ତି।

Categories
ଆଜିର ଖବର

‘ମୋ ସରକାର’ ଟିମ୍‌ର ରିପୋର୍ଟ ଆଧାରରେ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍‌ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ୍‌ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ଏହି ୬ଟି ଜିଲ୍ଲାର ପୋଲିସ୍‌ ଏସ୍‌.ପି. ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ଏହିସବୁ ଜିଲ୍ଲାର ହସ୍ପିଟାଲ୍‌ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇ ବିଶ୍ରାମଗୃହ ନିର୍ମାଣ କରାଯିବ।

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହିବିଭାଗ ଚିକିତ୍ସା ବିଲ୍‌ଡିଂ ନିର୍ମାଣ କରାଯିବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂତନ ବିଲ୍‌ଡିଂ ନିର୍ମାଣ କରାଯିବ। ସେହିପରି ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ପାଇଁ ସମନ୍ବିତ ଲାବରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାୟେଲସିସି ୟୁନିଟ୍‌ ଓ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଃ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ।

ଦେବଗଡ ଜିଲ୍ଲା ସଦର ମହାକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ସେହିପରି ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍‌ପିଟାଲର ଶର୍ଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ୍‌ ମଧ୍ୟରେ ଏକ ନୂଆ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଡାଏଲସିସି ୟୁନିଟି ସମ୍ପ୍ରସାରଣ ସହ ଅତିରିକ୍ତ ଇସିଜି ମେସିନ୍‌ ଯୋଗାଇଦିଆଯିବ।

କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ। କର୍ମଚାରୀ ବାସଗୃହ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ସୋନପୁର ଜିଲ୍‌ଲା ସଦର ମହକୁମା ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲିଡିଂ ନିର୍ମାଣ ଏକ ମାସ ମଧ୍ୟରେ ଆରମ୍ଭ କରାଯିବର୍ର୍ ସେହିପରି ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ମେଡ଼ିକାଲରେ ଏକ ଶବଗୃହ ମଧ୍ୟ ପ୍ରତିଷ୍ଠା କରାଯିବ। (ଏଜେନ୍ସି)

Categories
ଆଜିର ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଘୋଷଣା

ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍‌ଘାଟନ କରିଥିଲେ। ଏତଦ୍‌ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।

Categories
ବିଶେଷ ଖବର

ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ୍ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ

କେଦାର ମିଶ୍ର

କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି, କେଉଁଠି ହେଲେ ଏ ବିଷୟରେ ଟୁପଟାପ କଥା ବି ଶୁଣା ଯାଉନଥିଲା।

ଗତ ପାଞ୍ଚ ବର୍ଷରେ ଚାରି ଜଣ ପୋଲିସ ମୁଖିଆଙ୍କୁ ଏମିତି ଢଙ୍ଗରେ ବିଦା କରା ହୋଇଛି। ସଂଜୀବ ମାରିକ, ପ୍ରକାଶ ମିଶ୍ର, କେ.ବି.ସିଂ ଓ ବିଜୟ କୁମାର ଶର୍ମା। ମଝିରେ କେବଳ ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ଵେଚ୍ଛାରେ ଅବସର ନେଇ ଲୋକାଯୁକ୍ତ ଭାବରେ ନିଯୁକ୍ତି ପାଇଥିଲେ। ଉଚ୍ଚ ପଦ ପଦବୀରେ ଥିବା ଅଧିକାରୀ ଓ ରାଜନେତାଙ୍କୁ ଚକିତ କରିଦେଲା ଭଳି କାର୍ୟାନୁଷ୍ଠାନ ନେବାରେ ନବୀନ ପଟ୍ଟନାୟକଙ୍କର ଅନୁଭୂତି ବହୁ ପୁରୁଣା। ନିଜ ଶାସନକାଳର ପ୍ରଥମ ସୋପାନରେ ବିଜୟ ମହାପାତ୍ରଙ୍କୁ ବିଜେଡ଼ିରୁ ବିଦା କରିବାର ପ୍ରକ୍ରିୟା ହେଉ ବା ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କର ଅପସାରଣ, ସବୁବେଳେ ନବୀନ ନିଜର “ଶକ ଥେରାପି” କୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିଛନ୍ତି। ଯେ କୌଣସି ରାଜନୈତିକ ବା ପ୍ରଶାସନିକ ନିଷ୍ପତ୍ତି ନେବାବେଳେ, ଅଚାନକ ଓ ଆଶ୍ଚର୍ୟ କରିଦେଲା ଭଳି ପ୍ରୟୋଗ ନବୀନଙ୍କୁ ରାଜନୀତିରେ ବଡ ସଫଳତା ଆଣି ଦେଇଛି। ସେ ପାରମ୍ପରିକ ରାଜନେତାଙ୍କ ଭଳି ନିଷ୍ପତ୍ତି ନିଅନ୍ତି ନାହିଁ କିମ୍ବା ମୁହଁ ଦେଖି ପ୍ରଶାସନିକ ନିଷ୍ପତ୍ତି ବଦଳାଇ ପକାନ୍ତି ନାହିଁ। କାର୍ୟାନୁଷ୍ଠାନ ନେବା ବେଳେ ସେ ଅତ୍ୟନ୍ତ କଠୋର ଓ ସେତେବେଳେ କୌଣସି ମାନବୀୟ ଦୁର୍ବଳତା ତାଙ୍କର ନଥାଏ ବୋଲି ଅନେକ ପ୍ରଶାସକ କହିଛନ୍ତି।

ଚାରି ବର୍ଷ ତଳେ ଏମିତି ଏକ ସନ୍ଧ୍ୟାରେ ସେ ତତ୍କାଳୀନ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଡାକି କହିଥିଲେ- “ୟୁ ଆର ରିଲିଭ୍ଡ , ଥ୍ୟାଙ୍କ ୟୁ ଭେରି ମଚ”। କାର୍ୟାନୁଷ୍ଠାନ ନେବାବେଳେ ଆଉ କିଛି ଶୁଣିବା ନବୀନଙ୍କ ଜାତକରେ ନାହିଁ। ତେବେ ଏ ପ୍ରକାର ନିଷ୍ପତ୍ତି ଗଣତାନ୍ତ୍ରିକ ନୁହେଁ ବୋଲି ଯୁକ୍ତି କରାଯାଇପାରେ। ପ୍ରଶାସନ ଓ ରାଜନୀତିରେ ଗଣତାନ୍ତ୍ରିକ ହେବାର ଅର୍ଥ ହେଉଛି କ୍ଷମତାର ହୁଗୁଳା ଅବସ୍ଥା ବୋଲି ଏବେ ଧରି ନିଆଯାଉଛି। ତେଣୁ  ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ସମସ୍ତେ ନିଷ୍ପତ୍ତି ନେବାବେଳେ ନିଜର ଇଚ୍ଛାକୁ ହିଁ ଜାହିର କରୁଛନ୍ତି। ରାଜନୀତିରେ ଏହାକୁ ଏକ ଗୁଣ ବୋଲି ସାଧାରଣ ଲୋକେ ଗ୍ରହଣ ମଧ୍ୟ କରୁଛନ୍ତି।

ନବୀନଙ୍କ ନିଷ୍ପତ୍ତି ନେବାର ତରିକା, ତାଙ୍କ ଲୋକପ୍ରିୟତାର ଏକ ବିଶେଷ କାରଣ। ତାଙ୍କ ନିଷ୍ପତ୍ତିକୁ ନେଇ ଏବେ ବିରୋଧୀ ନେତାଏ ଓ ଗଣମାଧ୍ୟମ ଘାଣ୍ଟି ହେବେ। ବିଜୟ କୁମାର ଶର୍ମାଙ୍କୁ କାହିଁକି ବିଦା କରାହେଲା, ତାର ଗୁଡାଏ ଉଦ୍ଭଟ ଓ କାଳ୍ପନିକ କାରଣ ବିଷୟରେ ଏବେ ଗପ ଲେଖାହେବା। ବିରୋଧୀ ଦଳ ବାକି ପ୍ରସଙ୍ଗ ଛାଡି ୟା ପଛରେ ମାତିବେ। ଆଉ ତାରି ଭିତରେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉଜ୍ଜଳ ହୋଇଉଠିବ। ନବୀନଙ୍କ ଏହି ରାଜନୈତିକ ଓ ପ୍ରଶାସନିକ ପ୍ରୟୋଗ ସବୁବେଳେ ଏମିତି ସଫଳ ହୋଇ ଆସିଛି।

କୌଣସି ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କିମ୍ବା ସେମାନଙ୍କ କାମ ଉପରେ ସାମାନ୍ୟ ସନ୍ଦେହ ହେଲେ, ତୁରନ୍ତ ତାଙ୍କୁ କ୍ଷମତାହୀନ କରିଦେବାର ନିଷ୍ଠୁର ନିଷ୍ପତ୍ତି ନବୀନ ନେଇପାରନ୍ତି। ସେ ଅଧିକାରୀ ତାଙ୍କର ଯେତେ ବିଶ୍ଵସ୍ତ ହୋଇଥାନ୍ତୁ ବା ତାଙ୍କର ଟ୍ରାକ ରେକର୍ଡ ଯେତେ ଭଲ ହୋଇଥାଉ, ଚୂଡାନ୍ତ ନିଷ୍ପତ୍ତି ନେଲାବେଳେ ଶେଷତମ ଅଭିଯୋଗ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସେଥିଲାଗି ରାଜନୀତିର ଅନ୍ଦର ମହଲରେ ଗୋଟେ କଥା ପ୍ରଚଳିତ ଅଛି- ନବୀନ ପଟ୍ଟନାୟକ କାହାର ନୁହନ୍ତି।

କାହାର ନହେବା ପ୍ରଶାସନିକ କ୍ଷେତ୍ରରେ ଏକ ବଡ ଶକ୍ତି ଓ ଏହାହିଁ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ସବୁଠୁ ବଡ ପାର୍ଥକ୍ୟ। ବିଜୁ ବାବୁ ସବୁବେଳେ ସମସ୍ତଙ୍କୁ ବିଶ୍ବାସକୁ ନେଇ ସାରା ଜୀବନ ପରାଜୟର ସାମ୍ନା କରିଥିଲେ। ନବୀନଙ୍କ ଲାଗି ତାହା ହିଁ ବଡ ଶିକ୍ଷା। କ୍ଷମତା ଓ ଶାସନରେ କେହି ବି ଅପରିହାର୍ୟ ନୁହନ୍ତି ଓ “ଲୋକଙ୍କ” ପାଇଁ ଯେତେବେଳେ ଆବଶ୍ୟକ, ଯେତେ ବଡ ଅଧିକାରୀ ବା ରାଜନେତା ହେଲେ ମଧ୍ୟ ତାଙ୍କୁ ବିଦା କରା ଯାଇପାରେ- ଏହାହିଁ ନବୀନଙ୍କ ସଫଳ ଓ ସାର୍ଥକ ”ଶକ ଥେରାପି”।

 

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ସିପିଆଇ ସାଧାରଣ ସଂପାଦକ ଡି. ରାଜା

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ବର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’ ଭଗତ ସିଂହଙ୍କ ସହିଦ୍‌ ଦିବସ ଉପଲକ୍ଷେ କଟକରେ ସିପିଆଇ ପକ୍ଷରୁ ଏକ ରାଜ୍ୟ ସାଙ୍ଗଠନିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି । ଦେଶରେ ମାନ୍ଦାବସ୍ଥା ଦେଖାଦେଉଥିବା ବେଳେ ବିରୋଧୀମାନେ ଏହାର ବିରୋଧ କରୁଛନ୍ତି କିନ୍ତୁ ନବୀନ ଏନେଇ ଚୁପ୍ ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ସହମତି ପ୍ରକାଶ କରୁଛନ୍ତି। ସବୁବେଳେ ଲୋକଙ୍କୁ ସତ ଲୁଚାଇ ହେବ ନାହିଁ। ତେଣୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଯଦି ହିନ୍ଦୀ ଏକକ ଭାଷୀ ହୁଏ ତେବେ ଓଡିଶା ଲୋକଙ୍କର କଣ ହେବ ବୋଲି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଡି. ରାଜା।