ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି, ବୃଦ୍ଧି କଲେ ମହଙ୍ଗା ଭତ୍ତା

Published: Dec 31, 2021, 6:31 pm IST

ଭୁବନେଶ୍ବର: ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ନୂଆ ଭେଟି। ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏ ନେଇ ସେ ଏକ ବଡ ଘୋଷଣା କରିଛନ୍ତି।

ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୧ ଜୁଲାଇ ଏକ ତାରିଖରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ ଉପକୃତ ହେବେ ।

ଏହା ସହିତ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇ ସାରିଛନ୍ତି। ଏହାଦ୍ବାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

Related posts