Categories
ଜାତୀୟ ଖବର ବିଶେଷ ଖବର

ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।

ଡିଜିଟାଲ କୃଷି ମିଶନ: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଏହି ମିଶନ ପାଇଁ ମୋଟ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ

-କୃଷି ଷ୍ଟାକ୍‌

-ଚାଷୀ ରେଜିଷ୍ଟ୍ରୀ

-ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ

-ଫସଲ ବୁଣା ରେଜିଷ୍ଟ୍ରୀ

-କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ

-ଭୂସ୍ଥାନିକ ତଥ୍ୟ

-ମରୁଡ଼ି/ବନ୍ୟା ନିରୀକ୍ଷଣ

-ପାଣିପାଗ/ଉପଗ୍ରହ ତଥ୍ୟ

-ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ

-ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ

ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି

-ମୃତ୍ତିକା ପ୍ରୋଫାଇଲ୍

-ଡିଜିଟାଲ ଫସଲ ଆକଳନ

-ଡିଜିଟାଲ ଅମଳ ମଡେଲିଂ

-ଫସଲ ଋଣ ପାଇଁ ଯୋଗାଯୋଗ

-ଏଆଇ ଏବଂ ବିଗ୍ ଡାଟା ଭଳି ଆଧୁନିକ ଜ୍ଞାନକୌଶଳ

-କ୍ରେତାଙ୍କ ସହ ଯୋଗାଯୋଗ

-ମୋବାଇଲ ଫୋନରେ ନୂଆ ଜ୍ଞାନ

ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନ: ମୋଟ ୩,୯୭୯ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ପଦକ୍ଷେପ କୃଷକମାନଙ୍କୁ ଜଳବାୟୁ ମୁକାବିଲା ପାଇଁ ପ୍ରସ୍ତୁତ କରିବ ଏବଂ ୨୦୪୭ ସୁଦ୍ଧା ଖାଦ୍ୟ ନିରାପତ୍ତା ପ୍ରଦାନ କରିବ । ଏହାର ସାତଟି ସ୍ତମ୍ଭ ରହିଛି ଯଥା:

-ଗବେଷଣା ଓ ଶିକ୍ଷା

-ଉଦ୍ଭିଦ ଆନୁବଂଶିକ ସମ୍ବଳ ପରିଚାଳନା

ଖାଦ୍ୟ ଏବଂ ଗୋଖାଦ୍ୟ ଫସଲ ପାଇଁ ଆନୁବଂଶିକ ସୁଧାର

-ଡାଲି ଓ ତୈଳବୀଜ ଫସଲ ଉନ୍ନତି

-ବାଣିଜ୍ୟିକ ଫସଲରେ ସୁଧାର

-କୀଟପତଙ୍ଗ, ଜୀବାଣୁ, ପରାଗୀକରଣ ଇତ୍ୟାଦି ଉପରେ ଗବେଷଣା।

କୃଷି ଶିକ୍ଷାପରିଚାଳନା ଏବଂ ସାମାଜିକ ବିଜ୍ଞାନ ସୁଦୃଢ଼ୀକରଣ: ମୋଟ ୨,୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପଦକ୍ଷେପ କୃଷି ଛାତ୍ର ଏବଂ ଗବେଷକମାନଙ୍କୁ ସାମ୍ପ୍ରତିକ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ

-ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ

-କୃଷି ଗବେଷଣା ଓ ଶିକ୍ଷାର ଆଧୁନିକୀକରଣ

ନୂତନ ଶିକ୍ଷା ନୀତି ୨୦୨୦ର ଅନୁସରଣ

-ଅତ୍ୟାଧୁନିକ ଜ୍ଞାନକୌଶଳ… ଡିଜିଟାଲ ଡିପିଆଇ, ଏଆଇ, ବିଗ୍ ଡାଟା, ରିମୋଟ୍ ଇତ୍ୟାଦିର ବ୍ୟବହାର

-ପ୍ରାକୃତିକ ଚାଷ ଏବଂ ଜଳବାୟୁ ସହନଶୀଳତା ସାମିଲ କରିବା

ଦୀର୍ଘସ୍ଥାୟୀ ଗୃହପାଳିତ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦନ : ମୋଟ ୧୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ନିମ୍ନଲିଖିତ ରହିଛି

-ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ପ୍ରାଣୀ ଚିକିତ୍ସା ଶିକ୍ଷା

-ଦୁଗ୍ଧ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ବିକାଶ

ପ୍ରାଣୀ ଆନୁବଂଶିକ ସମ୍ବଳ ପରିଚାଳନା, ଉତ୍ପାଦନ ଓ ଉନ୍ନତି

-ପ୍ରାଣୀ ପୋଷଣ ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ଓ ବିକାଶ

ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ: ମୋଟ ୮୬୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏହି ପଦକ୍ଷେପ ଉଦ୍ୟାନ କୃଷି ଉଦ୍ଭିଦରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ନିମ୍ନଲିଖିତ ବିଷୟକୁ ନେଇ ଗଠିତ

-ଗ୍ରୀଷ୍ମମଣ୍ଡଳୀୟ, ଉପ-ଗ୍ରୀଷ୍ମମଣ୍ଡଳୀୟ ଏବଂ ସମଶୀତୋଷ୍ଣ ଉଦ୍ୟାନ କୃଷି ଫସଲ

-ମୂଳ, କନ୍ଦ, କନ୍ଦ ଜାତୀୟ ଓ ଶୁଷ୍କ ଫସଲ

ପନିପରିବା, ଫୁଲ ଓ ଛତୁ ଜାତୀୟ ଫସଲ

-ବଗିଚା, ମସଲା, ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ

୧୨୦୨ କୋଟି ଟଙ୍କାର ବ୍ୟୟବରାଦ ସହିତ କୃଷି ବିଜ୍ଞାନ କେନ୍ଦ୍ରର ସୁଦୃଢ଼ିକରଣ

୧,୧୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ସହିତ ପ୍ରାକୃତିକ ସମ୍ବଳ ପରିଚାଳନା

Categories
ଆଜିର ଖବର ଜାତୀୟ ଖବର

ଆଇଏସଏମ ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍‌କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ। ଏହି ୟୁନିଟରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ।

ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ ଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଦୂରସଞ୍ଚାର, ମୋବାଇଲ୍ ଫୋନ୍ ଇତ୍ୟାଦି ବିଭାଗ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ପ୍ରୟୋଗ କରାଯିବ।

ଭାରତରେ ସେମିକଣ୍ଡକ୍ଟରଏବଂ ଡିସପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ୨୧.୧୨.୨୦୨୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମୋଟ ୭୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା।

ଜୁନ୍ ୨୦୨୩ରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ପ୍ରଥମ ପ୍ରସ୍ତାବକୁ ଅନୁମୋଦନ କରିଥିଲା।

୨୦୨୪ ଫେବ୍ରୁଆରିରେ ଆଉ ୩ଟି ସେମିକଣ୍ଡକ୍ଟର ୟୁନିଟ୍ କୁ ମଞ୍ଜୁରୀ ମିଳିଥିଲା। ଟାଟା ଇଲେକ୍ଟ୍ରୋନିକ୍ସ ଗୁଜରାଟର ଧୋଲେରାରେ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଆସାମର ମୋରିଗାଓଁରେ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି। ଗୁଜରାଟର ସାନନ୍ଦଠାରେ ସିଜି ପାୱାର ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଅଛନ୍ତି।

ସମସ୍ତ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ୟୁନିଟ୍ ଗୁଡ଼ିକ ନିକଟରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଉଭା ହେଉଛି। ଏହି ୪ଟି ୟୁନିଟ୍ ରେ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ୟୁନିଟ୍ ଗୁଡ଼ିକର ସମୁଦାୟ କ୍ଷମତା କାର୍ଯ୍ୟକ୍ଷମ ହେଲେ ଦୈନିକ ପ୍ରାୟ ୭ କୋଟି ଚିପ୍ସ ନିର୍ମାଣ କରାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ୟାରିସ୍ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ଅବନୀ ଲେଖରା ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି, କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଟିଏ ୩ଟି ପାରାଲିମ୍ପିକ୍ ପଦକ ଜିତିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ଭାରତ ନିଜର ପଦକ ଖାତା ଖୋଲିଛି!

ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଜିତିବା ପାଇଁ ଅବନୀ ଲେଖରାଙ୍କୁ ଅଭିନନ୍ଦନ। ୩ଟି ପାରାଲିମ୍ପିକ୍ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ହୋଇଥିବାରୁ, ସେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଉତ୍ସର୍ଗ ତଥା ଉଦ୍ୟମ ଭାରତକୁ ଗର୍ବିତ କରିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଷ୍ଟାମ୍ପ ଓ ସ୍ମରଣିକା ମୁଦ୍ରା ଉନ୍ମୋଚନ କରିବେ।

ସୁପ୍ରିମ କୋର୍ଟ ଦ୍ୱାରା ଆୟୋଜନ କରାଯାଉଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ୫ଟି ଅଧିବେଶନ ରହିବ। ଏଥିରେ ଜିଲ୍ଲା ବିଚାରବିଭାଗ କ୍ଷେତ୍ରରେ ଆନୁଷଙ୍ଗିକ ଆବଶ୍ୟକତା, ମାନବ ସମ୍ବଳ, ସାମଗ୍ରିକ କୋର୍ଟରୁମ୍‌, ବିଚାରବିଭାଗୀୟ ନିରାପତ୍ତା,ମାମଲା ପରିଚାଳନା, ବିଚାରବିଭାଗୀୟ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯିବ।

ଉଦଘାଟନୀ କାର୍ଯ୍ୟକ୍ରମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଅନ୍ୟାନ୍ୟ ବିଚାରପତି ଗଣ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ରାଷ୍ଟ୍ର (ସ୍ୱାଧୀନ) ମନ୍ତ୍ରୀ, ସୁପ୍ରିମ କୋର୍ଟ ବାର୍ ଆସୋସିଏସନର ସଭାପତି, ବାର୍ କାଉନସିଲର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର

ମହାରାଷ୍ଟ୍ରର ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟିର ବାଧବାନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମହାରାଷ୍ଟ୍ରର ପାଲଘରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଖାପାଖି ୭୬,୦୦୦ କୋଟି ଟଙ୍କା ବ୍ୟୟରେ ବାଧବାନ ବନ୍ଦରର ଶିଳାନ୍ୟାସ ଏବଂ ପ୍ରାୟ ୧୫୬୦ କୋଟି ଟଙ୍କା ମୂଲ୍ୟର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମର ଜାତୀୟ ସ୍ତରରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମାଛ ମାର୍କେଟ ନିର୍ମାଣ ଏବଂ ବିକାଶ, ଉନ୍ନତିକରଣ ଏବଂ ଆଧୁନିକୀକରଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ ଟ୍ରାନ୍ସପୋଣ୍ଡର ସେଟ୍ ଏବଂ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ସନ୍ଥ ସେନାଜୀ ମହାରାଜଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଶ୍ରୀ ମୋଦୀ ତାଙ୍କ ହୃଦୟରୁ ବକ୍ତବ୍ୟ ରଖିଥିଲେ ଏବଂ ୨୦୧୩ ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିବା ସମୟକୁ ମନେ ପକାଇଥିଲେ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ସମାଧି ସମ୍ମୁଖରେ ପ୍ରାର୍ଥନା କରିବା ପାଇଁ ରାୟଗଡ଼ ଦୁର୍ଗ ପରିଦର୍ଶନ କରିବା ପ୍ରଥମ କଥା ବୋଲି ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ତାଙ୍କୁ ସେହି ‘ଭକ୍ତି ଭାବ’ ମିଳିଥିଲା ଯାହା ସହିତ ସେ ତାଙ୍କ ଗୁରୁଙ୍କୁ ସମ୍ମାନ ଦେଇଥିଲେ ଏବଂ ଦେଶ ସେବା ପାଇଁ ନୂତନ ଯାତ୍ରା ଆରମ୍ଭ କରିଥିଲେ। ସିନ୍ଧୁଦୁର୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ମହାରାଜ କେବଳ ଜଣେ ନାମ, ଜଣେ ସମ୍ମାନଜନକ ରାଜା କିମ୍ବା ମହାନ ବ୍ୟକ୍ତିତ୍ୱ ନୁହଁନ୍ତି ବରଂ ଜଣେ ଭଗବାନ । ସେ ଶ୍ରୀ ଶିବାଜୀ ମହାରାଜଙ୍କ ଚରଣରେ ପ୍ରଣାମ କରି ବିନମ୍ରତାର ସହ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କର ଲାଳନପାଳନ ଏବଂ ତାଙ୍କ ସଂସ୍କୃତି ତାଙ୍କୁ ଦେଶର ମହାନ ପୁତ୍ର ବୀର ସାବରକରଙ୍କୁ ଅସମ୍ମାନ କରିବା ଏବଂ ଜାତୀୟତାବାଦର ଭାବନାକୁ ଦମନ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ଭିନ୍ନ କରିଥାଏ । ବୀର ସାବରକରଙ୍କୁ ଅସମ୍ମାନ କରୁଥିବା ଲୋକଙ୍କ ଠାରୁ ମହାରାଷ୍ଟ୍ରବାସୀ ସତର୍କ ରହିବା ଉଚିତ ଏବଂ ଏଥିପାଇଁ କୌଣସି ଅନୁତାପ ଅନୁଭବ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ର ଗସ୍ତ ପରେ ସେ ପ୍ରଥମେ ନିଜ ଭଗବାନ ଛତ୍ରପତି ଶିବାଜୀ ମହାରାଜଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ଶିବାଜୀ ମହାରାଜଙ୍କୁ ପୂଜା କରୁଥିବା ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

ଉଭୟ ରାଜ୍ୟ ଏବଂ ଦେଶର ବିକାଶ ଯାତ୍ରାରେ ଏହି ଦିନକୁ ଐତିହାସିକ ବୋଲି ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରର ଅଭିବୃଦ୍ଧି ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କାରଣ “ଏକ ବିକଶିତ ମହାରାଷ୍ଟ୍ର ହେଉଛି ଏକ ବିକଶିତ ଭାରତର ସଂକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ରାଜ୍ୟର ଐତିହାସିକ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଉପକୂଳ ନିକଟରେ ଥିବାରୁ ରାଜ୍ୟରେ ଆଗକୁ ବଢ଼ିବାର ସମ୍ଭାବନା ଓ ସମ୍ବଳ ରହିଛି, ଯାହା ଭବିଷ୍ୟତ ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି କରିଛି। ବାଧବାନ ବନ୍ଦର ଦେଶର ସର୍ବବୃହତ କଣ୍ଟେନର ବନ୍ଦର ହେବ ଏବଂ ବିଶ୍ୱର ଗଭୀର ବନ୍ଦର ମଧ୍ୟରେ ପରିଗଣିତ ହେବ । ଏହା ମହାରାଷ୍ଟ୍ର ଓ ଭାରତ ପାଇଁ ବାଣିଜ୍ୟ ଓ ଶିଳ୍ପ ବିକାଶର କେନ୍ଦ୍ର ରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦର ପ୍ରକଳ୍ପ ପାଇଁ ପାଲଘର, ମହାରାଷ୍ଟ୍ର ଏବଂ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଦିଘୀ ବନ୍ଦର ଶିଳ୍ପାଞ୍ଚଳର ବିକାଶ ପାଇଁ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମହାରାଷ୍ଟ୍ରବାସୀଙ୍କ ପାଇଁ ଦ୍ୱିଗୁଣିତ ଖୁସିର ଅବସର । ଛତ୍ରପତି ଶିବାଜୀ ମହାରାଜଙ୍କ ସାମ୍ରାଜ୍ୟର ରାଜଧାନୀ ରାୟଗଡ଼ରେ ଶିଳ୍ପାଞ୍ଚଳର ବିକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଦିଘି ବନ୍ଦର ମହାରାଷ୍ଟ୍ରର ପରିଚୟ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱପ୍ନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପର୍ଯ୍ୟଟନ ଏବଂ ଇକୋ-ରିସୋର୍ଟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ସମଗ୍ର ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ସମଗ୍ର ଦେଶରେ ୭୦୦ କୋଟିରୁ ଅଧିକ ଟଙ୍କାର ମତ୍ସ୍ୟଜୀବୀଙ୍କ ସହ ଜଡ଼ିତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏବଂ ୪୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ବାଧବାନ ବନ୍ଦର, ଦିଘୀ ବନ୍ଦର ଶିଳ୍ପାଞ୍ଚଳର ବିକାଶ ଏବଂ ମତ୍ସ୍ୟ ଚାଷ ପାଇଁ ଏକାଧିକ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ସହ ମାତା ମହାଲକ୍ଷ୍ମୀ ଦେବୀ, ମାତା ଜୀବଦାନୀ ଓ ଭଗବାନ ତୁଙ୍ଗରେଶ୍ୱରଙ୍କ ଆଶୀର୍ବାଦରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି କହିଥିଲେ।

ଭାରତର ସୁବର୍ଣ୍ଣ ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଭାରତ ଏହାର ସାମୁଦ୍ରିକ ସାମର୍ଥ୍ୟ ଯୋଗୁଁ ସବୁଠାରୁ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ମାନଙ୍କ ମଧ୍ୟରେ ଗଣାଯାଉଥିଲା । ମହାରାଷ୍ଟ୍ରର ଲୋକମାନେ ଏହି ସମ୍ଭାବନା ବିଷୟରେ ଭଲ ଭାବେ ଜାଣିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ନିଜ ନୀତି ଏବଂ ଦେଶର ବିକାଶ ପାଇଁ ଦୃଢ଼ ନିଷ୍ପତ୍ତି ଦ୍ୱାରା ଭାରତର ସାମୁଦ୍ରିକ ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ, ସମଗ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଦର୍ୟ ସାରଙ୍ଗ କାହ୍ନୋଜୀ ଯଗନ୍ତିଙ୍କ ସମ୍ମୁଖରେ ଠିଆ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନେ ଭାରତର ସମୃଦ୍ଧ ଅତୀତ ପ୍ରତି ଧ୍ୟାନ ଦେବାରେ ବିଫଳ ହୋଇଥିଲେ । ଏହା ହେଉଛି ନୂଆ ଭାରତ। ଏହା ଇତିହାସରୁ ଶିଖିଥାଏ ଏବଂ ଏହାର ସାମର୍ଥ୍ୟ ଏବଂ ଗୌରବକୁ ସ୍ୱୀକୃତି ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଦାସତ୍ୱର ବନ୍ଧନର ପ୍ରତିଟି ଚିହ୍ନକୁ ପଛରେ ପକାଇ ସାମୁଦ୍ରିକ ଭିତ୍ତିଭୂମିରେ ନୂତନ ମାଇଲଖୁଣ୍ଟ ସୃଷ୍ଟି କରୁଛି ।

ଗତ ଦଶନ୍ଧି ମଧ୍ୟରେ ଭାରତର ଉପକୂଳରେ ବିକାଶ ଅଭୂତପୂର୍ବ ଗତିରେ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବନ୍ଦରଗୁଡ଼ିକର ଆଧୁନିକୀକରଣ, ଜଳପଥର ବିକାଶ ଏବଂ ଭାରତରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସର ଉଦାହରଣ ସେ ଦେଇଥିଲେ । “ଏହି ଦିଗରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇଛି”, ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଭାରତର ଅଧିକାଂଶ ବନ୍ଦରର ଦ୍ୱିଗୁଣିତ ପରିଚାଳନା କ୍ଷମତା, ଘରୋଇ ପୁଞ୍ଜିନିବେଶରେ ବୃଦ୍ଧି ଏବଂ ଜାହାଜଗୁଡିକର ମାଲପରିବହନ ସମୟରେ ଉଲ୍ଲେଖନୀୟ ହ୍ରାସ ମାଧ୍ୟମରେ ଏହାର ଫଳାଫଳ ଦେଖାଯାଇପାରିବ । ଏହା ଦ୍ୱାରା ଶିଳ୍ପ ଓ ବ୍ୟବସାୟୀମାନେ ଲାଭବାନ ହୋଇଥିବା ବେଳେ ଯୁବବର୍ଗଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ନାବିକମାନଙ୍କ ପାଇଁ ସୁବିଧା ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

“ସମଗ୍ର ବିଶ୍ୱ ଆଜି ବାଧବାନ ବନ୍ଦର ଆଡକୁ ଚାହିଁଛି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବହୁତ କମ୍ ବନ୍ଦର ବାଧବାନ ବନ୍ଦରର ୨୦ ମିଟର ଗଭୀରତା ସହିତ ସମକକ୍ଷ ହୋଇପାରିବ । ରେଳ ଓ ରାଜପଥ ସଂଯୋଗ ଯୋଗୁଁ ଏହି ବନ୍ଦର ସମଗ୍ର ଅଞ୍ଚଳର ଅର୍ଥନୈତିକ ଦୃଶ୍ୟରେ ପରିବର୍ତ୍ତନ ଆଣିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ | ସମର୍ପିତ ପୂର୍ବାଞ୍ଚଳ ମାଲପରିବହନ କରିଡର ସହ ସଂଯୋଗ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ନିକଟତରତା ହେତୁ ଏହା ନୂତନ ବ୍ୟବସାୟ ଏବଂ ଗୋଦାମ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଥିଲେ | ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲ ପରିବହନ ବର୍ଷସାରା ଏହି ଅଞ୍ଚଳଭିତରକୁ ଓ ବାହାରକୁ ପ୍ରବାହିତ ହେବ, ଯାହା ଦ୍ୱାରା ମହାରାଷ୍ଟ୍ରର ଲୋକମାନେ ଉପକୃତ ହେବେ।

ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ର ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମହାରାଷ୍ଟ୍ରର ବିକାଶ ମୋ ପାଇଁ ଏକ ବଡ଼ ପ୍ରାଥମିକତା। ଭାରତର ପ୍ରଗତିରେ ମହାରାଷ୍ଟ୍ରର ପ୍ରମୁଖ ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିକାଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ପ୍ରୟାସକୁ ଦୁଃଖ ପ୍ରକାଶ କରିଥିଲେ ।

ପ୍ରାୟ ୬୦ ବର୍ଷ ଧରି ବଧବାନ ବନ୍ଦର ପ୍ରକଳ୍ପକୁ ଅଟକାଇବା ପାଇଁ ପୂର୍ବ ସରକାରଙ୍କ ପ୍ରୟାସକୁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମୁଦ୍ରିକ ବାଣିଜ୍ୟ ପାଇଁ ଭାରତକୁ ଏକ ନୂତନ ଏବଂ ଉନ୍ନତ ବନ୍ଦର ର ଆବଶ୍ୟକତା ଥିଲା କିନ୍ତୁ ୨୦୧୬ ପର୍ଯ୍ୟନ୍ତ ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇନଥିଲା । ଦେବେନ୍ଦ୍ର ଫଡନାଭିସ କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପକୁ ଗମ୍ଭୀରତାର ସହ ନିଆଯାଇଥିଲା ଏବଂ ୨୦୨୦ ସୁଦ୍ଧା ପାଲଘରରେ ଏକ ବନ୍ଦର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାର ପରିବର୍ତ୍ତନ ଯୋଗୁଁ ଏହି ପ୍ରକଳ୍ପ ଅଢ଼େଇ ବର୍ଷ ଧରି ଅଟକି ରହିଥିଲା। କେବଳ ଏହି ପ୍ରକଳ୍ପରେ ଅନେକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ଏଠାରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହି ପ୍ରକଳ୍ପକୁ ଆଗକୁ ବଢିବାକୁ ଅନୁମତି ନ ଦେବା ପାଇଁ ସେ ପୂର୍ବ ସରକାରମାନଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ।

ସମୁଦ୍ର ସମ୍ବନ୍ଧୀୟ ସୁଯୋଗ କ୍ଷେତ୍ରରେ ଭାରତର ମତ୍ସ୍ୟଜୀବୀ ସମ୍ପ୍ରଦାୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ହିତାଧିକାରୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସରକାରୀ ଯୋଜନା ଏବଂ ଏହାର ସେବା ଭାବନା ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଏହି କ୍ଷେତ୍ରର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଭାରତ ବିଶ୍ୱର ଦ୍ବିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦେଶରେ ୮୦ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିବା ବେଳେ ଆଜି ୧୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ହେଉଛି। “ମାତ୍ର ୧୦ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ ହୋଇଛି”, ସେ କହିଥିଲେ। ସେ ଭାରତର ବଢୁଥିବା ସାମୁଦ୍ରିକ ଖାଦ୍ୟ ରପ୍ତାନି ବିଷୟରେ ମଧ୍ୟ କହିଥିଲେ ଏବଂ ୧୦ ବର୍ଷ ପୂର୍ବେ ୨୦ ହଜାର କୋଟି ଟଙ୍କାରୁ କମ୍ ମୂଲ୍ୟର ଚିଙ୍ଗୁଡ଼ି ରପ୍ତାନିର ଉଦାହରଣ ଦେଇଛନ୍ତି । “ଚିଙ୍ଗୁଡ଼ି ରପ୍ତାନି ମଧ୍ୟ ଆଜି ଦ୍ୱିଗୁଣିତ ହୋଇଛି”, ସେ ଆହୁରି ମଧ୍ୟ କହିଥିଲେ ଯେ ଏହାର ସଫଳତାର ଶ୍ରେୟ ନୀଳ ବିପ୍ଳବ ଯୋଜନାକୁ ଦିଆଯାଇଛି ଯାହା ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଛି ।

ମତ୍ସ୍ୟ ଚାଷ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ହଜାର ହଜାର ମହିଳାଙ୍କୁ ସହାୟତା କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ଉନ୍ନତ ଜ୍ଞାନକୌଶଳ ଏବଂ ଉପଗ୍ରହ ବିଷୟରେ କହିଥିଲେ ଏବଂ ଆଜି ଭେସେଲ କମ୍ୟୁନିକେସନ ସିଷ୍ଟମର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଯାହା ମତ୍ସ୍ୟଜୀବୀ ସମୁଦାୟ ପାଇଁ ଆଶୀର୍ବାଦ ପାଲଟିବ । ମତ୍ସ୍ୟଜୀବୀମାନେ ସେମାନଙ୍କ ପରିବାର, ଡଙ୍ଗା ମାଲିକ, ମତ୍ସ୍ୟ ବିଭାଗ ଏବଂ ତଟରକ୍ଷୀ ବାହିନୀ ସହ ନିରବଚ୍ଛିନ୍ନ ଯୋଗାଯୋଗ ସ୍ଥାପନ କରିବା ପାଇଁ ବ୍ୟବହୃତ ଜାହାଜରେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ। ଏହା ଦ୍ୱାରା ମତ୍ସ୍ୟଜୀବୀମାନେ ଜରୁରୀକାଳୀନ ପରିସ୍ଥିତି, ବାତ୍ୟା କିମ୍ବା କୌଣସି ଅପ୍ରୀତିକର ଘଟଣା ସମୟରେ ଉପଗ୍ରହ ସାହାଯ୍ୟରେ ଯୋଗାଯୋଗ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମତ୍ସ୍ୟଜୀବୀଙ୍କ ଜାହାଜକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ୧୧୦ରୁ ଅଧିକ ମାଛଧରା ବନ୍ଦର ଓ ଅବତରଣ କେନ୍ଦ୍ର ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। କୋଲ୍ଡ ଚେନ୍‍, ପ୍ରକ୍ରିୟାକରଣ ସୁବିଧା, ଡଙ୍ଗା ପାଇଁ ଋଣ ଯୋଜନା ଏବଂ ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପକୂଳବର୍ତ୍ତୀ ଗ୍ରାମଗୁଡିକର ବିକାଶ ଉପରେ ସରକାର ଅଧିକ ଧ୍ୟାନ ଦେଉଥିବା ବେଳେ ମତ୍ସ୍ୟଜୀବୀ ସରକାରୀ ସଂଗଠନଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ସର୍ବଦା ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରିଛନ୍ତି ଏବଂ ବଞ୍ଚିତମାନଙ୍କୁ ସୁଯୋଗ ଦେଇଛନ୍ତି, କିନ୍ତୁ ପୂର୍ବ ସରକାରମାନଙ୍କ ଦ୍ୱାରା ଗଠିତ ନୀତିରେ ଦେଶର ଏତେ ବଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଗୋଟିଏ ବି ବିଭାଗ ନଥିବା ମତ୍ସ୍ୟଜୀବୀ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସର୍ବଦା ତଳ ସ୍ତରରରେ ରଖାଯାଇଛି । ଆମ ସରକାର ହିଁ ଉଭୟ ମତ୍ସ୍ୟଜୀବୀ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି। ଆଜି ଅବହେଳିତ ଆଦିବାସୀ ଅଂଚଳ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଲାଭ ଉଠାଉଛନ୍ତି ଏବଂ ଆମର ଆଦିବାସୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଆମ ଦେଶର ବିକାଶ ଦିଗରେ ଏକ ବଡ଼ ଅବଦାନ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ମହିଳାଙ୍କ ନେତୃତ୍ବାଧୀନ ବିକାଶ ଆଭିମୁଖ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ମହାରାଷ୍ଟ୍ର ଦେଶ ପାଇଁ ମହିଳା ସଶକ୍ତୀକରଣର ମାର୍ଗ ନିର୍ଦ୍ଧାରଣ କରୁଛି । ମହାରାଷ୍ଟ୍ରର ଅନେକ ଉଚ୍ଚ ପଦବୀରେ ମହିଳାମାନେ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ପ୍ରଶାସନକୁ ମାର୍ଗଦର୍ଶନ କରୁଥିବା ସୁଜାତା ସୌନିକ, ରାଜ୍ୟ ପୁଲିସ ବଳର ନେତୃତ୍ୱ ନେଉଥିବା ଡିଜିପି ରଶ୍ମି ଶୁକ୍ଳା, ରାଜ୍ୟ ବନ ବାହିନୀର ମୁଖ୍ୟ ଭାବେ ଶୋମିତା ବିଶ୍ୱାସ ଏବଂ ରାଜ୍ୟର ଆଇନ ବିଭାଗର ମୁଖ୍ୟ ଭାବେ ସୁବର୍ଣ୍ଣ କେଓ୍ଵାଲେ ଦାୟିତ୍ୱ ତୁଲାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସେ ରାଜ୍ୟର ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ଭାବେ ଜୟା ଭଗତ, ମୁମ୍ବାଇରେ ସୀମା ଶୁଳ୍କ ବିଭାଗର ନେତୃତ୍ୱ ନେଉଥିବା ପ୍ରାଚୀ ସ୍ୱରୂପ ଏବଂ ମୁମ୍ବାଇ ମେଟ୍ରୋର ଏମଡି ଭାବରେ ଅଶ୍ୱିନୀ ଭିଡେଙ୍କ ବିଷୟରେ ଉଲ୍ଲେଖ କରିଥିଲେ | ଉଚ୍ଚଶିକ୍ଷା କ୍ଷେତ୍ରରେ ମହାରାଷ୍ଟ୍ରର ମହିଳାମାନଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ମାଧୁରୀ କାନିତକର ଏବଂ ମହାରାଷ୍ଟ୍ର ଦକ୍ଷତା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡ. ଅପୂର୍ବ ପାଲକରଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ଏକବିଂଶ ଶତାବ୍ଦୀର ନାରୀ ଶକ୍ତି ସମାଜକୁ ଏକ ନୂଆ ଦିଗ ଦେବାକୁ ପ୍ରସ୍ତୁତ ବୋଲି ଏହି ମହିଳାଙ୍କ ସଫଳତା ପ୍ରମାଣ ବୋଲି ଶ୍ରୀ ମୋଦୀ କହିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସରକାର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ର ବିଶ୍ୱାସ ନେଇ କାମ କରୁଛି। ମହାରାଷ୍ଟ୍ରବାସୀଙ୍କ ସହଯୋଗରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସିପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶ୍ରୀ ଅଜିତ ପାୱାର, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା । ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଯାହା ବଡ଼ କଣ୍ଟେନର ଜାହାଜଗୁଡିକୁ ପୂରଣ କରିବା, ଗଭୀର ବନ୍ଦରର ସେବା ପ୍ରଦାନ କରିବା ଏବଂ ଅତ୍ୟାଧୁନିକ ବୃହତ ମାଲବାହୀ ଜାହାଜଗୁଡିକୁ ରଖିବା ଦ୍ୱାରା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ପାଲଘର ଜିଲ୍ଲାର ଦହାନୁ ସହର ନିକଟରେ ଅବସ୍ଥିତ ବଦ୍ଧବନ ବନ୍ଦର ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରେ ସଜ୍ଜିତ ଏହି ବନ୍ଦରରେ ଗଭୀର ବର୍ଥ, ଦକ୍ଷ ମାଲ ପରିବହନ ସୁବିଧା ଏବଂ ଅତ୍ୟାଧୁନିକ ବନ୍ଦର ପରିଚାଳନା ବ୍ୟବସ୍ଥା ରହିବ। ଏହି ବନ୍ଦର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ବାଧବାନ ବନ୍ଦର ପ୍ରକଳ୍ପରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଏବଂ କଠୋର ପରିବେଶ ମାନଦଣ୍ଡ ଅନୁସରଣ କରିବା ଉପରେ ଧ୍ୟାନ ଦେବା ସହିତ ସ୍ଥାୟୀ ବିକାଶ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ଭାରତର ସାମୁଦ୍ରିକ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବେ ଏହାର ସ୍ଥିତି ଆହୁରି ସୁଦୃଢ଼ ହେବ।

ସମଗ୍ର ଦେଶରେ ଏହି କ୍ଷେତ୍ରର ଭିତ୍ତିଭୂମି ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ପଦକ୍ଷେପ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ପାଞ୍ଚ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥାର ଜାତୀୟ କାର୍ଯ୍ୟକାରିତାର ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପ ଅଧୀନରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଯାନ୍ତ୍ରିକ ଏବଂ ମୋଟରଚାଳିତ ମାଛଧରା ଜାହାଜରେ ପର୍ଯ୍ୟାୟକ୍ରମେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ। ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥା ଇସ୍ରୋ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ, ଯାହା ମତ୍ସ୍ୟଜୀବୀମାନେ ସମୁଦ୍ରରେ ଥିବା ସମୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ଆମ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ମାଛଧରା ବନ୍ଦର ଏବଂ ସମନ୍ବିତ ଆକ୍ୱାପାର୍କର ବିକାଶ ସହିତ ପୁନଃ ବ୍ୟବହାର ଯୋଗ୍ୟ ଜଳ ଦ୍ବରା ଚାଷ ପ୍ରଣାଳୀ ଏବଂ କୁଣ୍ଡରେ ମାଛଚାଷ ପରି ଉନ୍ନତ ଜ୍ଞାନକୌଶଳ ଗ୍ରହଣ କରିବା ଅନ୍ତର୍ଭୁକ୍ତ । ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବା ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ସଂପୃକ୍ତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଉନ୍ନତ ମାନର ଉପକରଣ ଯୋଗାଇବା ପାଇଁ ଏକାଧିକ ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ।

ପ୍ରଧାନମନ୍ତ୍ରୀ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମାଛ ମାର୍କେଟ ନିର୍ମାଣ ଏବଂ ବିକାଶ, ଉନ୍ନତିକରଣ ଏବଂ ଆଧୁନିକୀକରଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ମାଛ ଓ ସାମୁଦ୍ରିକ ଖାଦ୍ୟର ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ସୁବିଧା ଓ ପରିଷ୍କାର ପରିବେଶ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଷ୍ଟାମ୍ପ ଓ ସ୍ମରଣିକା ମୁଦ୍ରା ଉନ୍ମୋଚନ କରିବେ।

ସୁପ୍ରିମ କୋର୍ଟ ଦ୍ୱାରା ଆୟୋଜନ କରାଯାଉଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ୫ଟି ଅଧିବେଶନ ରହିବ। ଏଥିରେ ଜିଲ୍ଲା ବିଚାରବିଭାଗ କ୍ଷେତ୍ରରେ ଆନୁଷଙ୍ଗିକ ଆବଶ୍ୟକତା, ମାନବ ସମ୍ବଳ, ସାମଗ୍ରିକ କୋର୍ଟରୁମ୍‌, ବିଚାରବିଭାଗୀୟ ନିରାପତ୍ତା,ମାମଲା ପରିଚାଳନା, ବିଚାରବିଭାଗୀୟ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯିବ।

ଉଦଘାଟନୀ କାର୍ଯ୍ୟକ୍ରମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଅନ୍ୟାନ୍ୟ ବିଚାରପତି ଗଣ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ରାଷ୍ଟ୍ର (ସ୍ୱାଧୀନ) ମନ୍ତ୍ରୀ, ସୁପ୍ରିମ କୋର୍ଟ ବାର୍ ଆସୋସିଏସନର ସଭାପତି, ବାର୍ କାଉନସିଲର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୦, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପାଲଘର ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନ୍ସନ୍ ସେଣ୍ଟରରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୪କୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ପାଲଘରସ୍ଥିତ ସିଡକୋ ପଡ଼ିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବେ।

ପାଲଘରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୩୦ ଅଗଷ୍ଟ ୨୦୨୪ରେ ବାଧବାନ ବନ୍ଦରର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା। ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଯାହା ବଡ଼ କଣ୍ଟେନର ଜାହାଜଗୁଡିକର ଆବଶ୍ୟକତା ପୂରଣ କରିବା, ଗଭୀର ଡ୍ରାଫ୍ଟ ପ୍ରଦାନ କରିବା ଏବଂ ଅତ୍ୟାଧୁନିକ ବୃହତ ମାଲବାହୀ ଜାହାଜଗୁଡିକୁ ରଖିବା ଦ୍ୱାରା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

ପାଲଘର ଜିଲ୍ଲାର ଦହାନୁ ସହର ନିକଟରେ ଅବସ୍ଥିତ ବାଧବାନ ବନ୍ଦର ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରେ ସଜ୍ଜିତ ଏହି ବନ୍ଦରରେ ଗଭୀର ବର୍ଥ, ଦକ୍ଷ କାର୍ଗୋ ହ୍ୟାଣ୍ଡଲିଂ ସୁବିଧା ଏବଂ ଅତ୍ୟାଧୁନିକ ବନ୍ଦର ପରିଚାଳନା ବ୍ୟବସ୍ଥା ରହିବ। ଏହି ବନ୍ଦର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି।

ବାଧବାନ ବନ୍ଦର ପ୍ରକଳ୍ପରେ ନିରନ୍ତର ବିକାଶ ଅଭ୍ୟାସ ଅନ୍ତର୍ଭୁକ୍ତ, ପରିବେଶ ପ୍ରଭାବକୁ ହ୍ରାସ କରିବା ଏବଂ କଠୋର ପରିବେଶ ମାନଦଣ୍ଡ ଅନୁସରଣ କରିବା ଉପରେ ଧ୍ୟାନ ଦିଆଯାଇଛି। ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ଭାରତର ସାମୁଦ୍ରିକ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବେ ଏହାର ସ୍ଥିତି ଆହୁରି ସୁଦୃଢ଼ ହେବ।

ସମଗ୍ର ଦେଶରେ ଏହି କ୍ଷେତ୍ରର ଭିତ୍ତିଭୂମି ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପଦକ୍ଷେପ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ପାଞ୍ଚ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଜାହାଜ ଯୋଗାଯୋଗ ଏବଂ ସହାୟତା ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପ ଅଧୀନରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯାନ୍ତ୍ରିକ ଏବଂ ମୋଟରଚାଳିତ ମାଛଧରା ଜାହାଜରେ ପର୍ଯ୍ୟାୟକ୍ରମେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ। ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥା ଇସ୍ରୋ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ, ଯାହା ମତ୍ସ୍ୟଜୀବୀମାନେ ସମୁଦ୍ରରେ ଥିବା ସମୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ଆମ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ଗୁଡ଼ିକ ମଧ୍ୟରେ ମାଛଧରା ବନ୍ଦର ଏବଂ ସମନ୍ୱିତ ଆକ୍ୱାପାର୍କର ବିକାଶ ସହିତ ପୁନଃବ୍ୟବହାରଯୋଗ୍ୟ ଜଳଚାଷ ପ୍ରଣାଳୀ ଏବଂ କୁଣ୍ଡରେ ମାଛଚାଷ ପରି ଉନ୍ନତ ଜ୍ଞାନକୌଶଳ ଗ୍ରହଣ କରିବା ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଏକାଧିକ ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ମାଛ ଉତ୍ପାଦନ ବୃଦ୍ଧି, ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବା ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ନିୟୋଜିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଉନ୍ନତ ମାନର ଉପକରଣ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ଅବତରଣ ବନ୍ଦରର ବିକାଶ, ଉନ୍ନତିକରଣ ଓ ଆଧୁନିକୀକରଣ, ମାଛ ଅବତରଣ କେନ୍ଦ୍ର ଏବଂ ମାଛ ବଜାର ନିର୍ମାଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାଦ୍ୱାରା ମାଛ ଓ ସାମୁଦ୍ରିକ ଖାଦ୍ୟର ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ସୁବିଧା ଓ ପରିଷ୍କାର ପରିବେଶ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୪ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ। ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଫିନଟେକ୍‍ କନଭର୍ଜେନସ୍‍ କାଉନସିଲ୍ ମିଳିତ ଭାବେ ଜିଇଏଫ୍ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ଭାରତ ଓ ଅନ୍ୟାନ୍ୟ ଦେଶର ନୀତି ନିର୍ଦ୍ଧାରକ, ନିୟାମକ, ବରିଷ୍ଠ ବ୍ୟାଙ୍କ ଅଧିକାରୀ, ଶିଳ୍ପ ଅଧିନାୟକ ଏବଂ ଶିକ୍ଷାବିତଙ୍କ ସମେତ ପ୍ରାୟ ୮୦୦ ବକ୍ତା ୩୫୦ରୁ ଅଧିକ ଅଧିବେଶନକୁ ସମ୍ବୋଧିତ କରିବେ। ଏଥିରେ ଫିନଟେକ୍ ଲ୍ୟାଣ୍ଡସ୍କେପର ଅତ୍ୟାଧୁନିକ ଉଦ୍ଭାବନକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଜିଏଫଏଫ୍ ୨୦୨୪ରେ ୨୦ରୁ ଅଧିକ ଚିନ୍ତାଧାରାର ନେତୃତ୍ୱ ରିପୋର୍ଟ ଏବଂ ଶ୍ୱେତପତ୍ର ଉନ୍ମୋଚନ କରାଯିବ, ଯେଉଁଥିରେ ବୁଝାମଣା ଏବଂ ଗଭୀର ଶିଳ୍ପ ସୂଚନା ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ର ନିର୍ମାଣରେ ଯୋଗଦାନ ନିଶ୍ଚିତ କରୁଛନ୍ତି ଲକ୍ଷପତି ଦିଦି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲକ୍ଷପତି ଦିଦିମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନ ନିଶ୍ଚିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୦ ବର୍ଷ ଧରି ମହିଳାମାନଙ୍କର କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି ଯାହା ଦ୍ୱାରା ଦେଶର ମହିଳାମାନେ ଆଗକୁ ବଢ଼ିପାରିବେ, ସମୃଦ୍ଧ ହୋଇପାରିବେ ଏବଂ ଅଭିବୃଦ୍ଧିର ନୂତନ ଦିଗ ନିର୍ଦ୍ଧାରଣ କରିପାରିବେ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ଏକ୍ସ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲେଖାଯାଇଛି ଯେ;

“କେନ୍ଦ୍ର ମନ୍ତ୍ରୀ ଶିବରାଜ ଚୌହାନ ଲେଖିଛନ୍ତି ଯେ, ଲକ୍ଷପତି ଦିଦିମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନ ନିଶ୍ଚିତ କରୁଛନ୍ତି। ଗତ ୧୦ ବର୍ଷ ଧରି ମହିଳାମାନଙ୍କର କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି ଯାହା ଦ୍ୱାରା ଦେଶର ମହିଳାମାନେ ଆଗକୁ ବଢ଼ି ପାରିବେ, ସମୃଦ୍ଧ ହୋଇପାରିବେ ତଥା ଅଭିବୃଦ୍ଧିର ନୂତନ ଦିଗ ନିର୍ଦ୍ଧାରଣ କରିପାରିବେ। ମହିଳାମାନଙ୍କର ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଶକ୍ତିକରଣ ସୁନିଶ୍ଚିତ କରାଯାଇଛି।”

Categories
ଆଜିର ଖବର ଜାତୀୟ ଖବର

ପାରାଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ଦଳକୁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାଗ ନେଉଥିବା ଭାରତୀୟ ଦଳକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। କ୍ରୀଡ଼ାବିତମାନଙ୍କୁ ସାହସ ଓ ଦୃଢ଼ ନିଶ୍ଚିତତାକୁ ସେ ପ୍ରଶଂସା କରି କହିଛନ୍ତି, ୧୪୦ କୋଟି ଭାରତୀୟ ସେମାନଙ୍କ ସଫଳତା କାମନା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“୪୦ କୋଟି ଭାରତୀୟ ପ୍ୟାରିସ ଅଲିମ୍ପିକ୍ସରେ #paralympics  2024 ଆମ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତ୍ୟେକ କ୍ରୀଡ଼ାବିତଙ୍କ ସାହସ ଓ ଦୃଢ଼ନିଶ୍ଚିତତା ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ। ପ୍ରତ୍ୟେକ ସେମାନଙ୍କ ସଫଳତା କାମନା କରୁଛନ୍ତି।# Cheer4Bharat ”

Categories
ଆଜିର ଖବର ଜାତୀୟ ଖବର

ଜାତୀୟ କ୍ରୀଡା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଜାତୀୟ କ୍ରୀଡା ଦିବସ ଅବସରରେ ନାଗରିକମାନଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଟ୍ୱିଟ୍‌ରେ ଯେଉଁମାନେ କ୍ରୀଡାରେ ଉତ୍ସାହର ସହ ଯୋଗଦାନ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଗର୍ବର ସହ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ମୋଦୀ ଏକ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ସ୍ତରରେ କ୍ରୀଡାକୁ ସମର୍ଥନ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଯୁବ ଭାରତୀୟ ଖେଳିବାକୁ ଏବଂ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବାର ଆଶା ରଖିପାରିବେ।

ଏକ୍ସରେ ଏକ ପୋଷ୍ଟ ଶ୍ରୀ ମୋଦୀ ଲେଖିଛନ୍ତି;

“ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା। ଆଜି ଆମେ ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। କ୍ରୀଡା ପ୍ରତି ଉତ୍ସାହୀ ଥିବା ସମସ୍ତ ଯୁବପିଢୀ ଏବଂ ଯେଉଁମାନେ ଭାରତ ପାଇଁ ଖେଳିଛନ୍ତି ସେମାନଙ୍କୁ ପ୍ରଶଂସା କରିବାର ଏହା ଏକ ସୁଯୋଗ। କ୍ରୀଡାକୁ ସମର୍ଥନ କରିବା ଏବଂ ଅଧିକ ଯୁବପିଢୀ କିପରି ଖେଳିବାକୁ ସୁଯୋଗ ପାଇବା ସହ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସକ୍ଷମ ହେବେ ତାହା ନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ।”

Categories
ଆଜିର ଖବର ଜାତୀୟ ଖବର

୪୪ ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ତୃତୀୟ ପାଳିରେ ଏହା ଥିଲା ପ୍ରଥମ ବୈଠକ।

ଏହି ବୈଠକରେ ସଡ଼କ ଯୋଗାଯୋଗ ସମ୍ବନ୍ଧୀୟ ୨ଟି ପ୍ରକଳ୍ପ, ୨ଟି ରେଳ ପ୍ରକଳ୍ପ ଏବଂ କୋଇଲା, ଶକ୍ତି ଓ ଜଳସମ୍ପଦ କ୍ଷେତ୍ରର ଗୋଟିଏ ଲେଖାଏଁ ପ୍ରକଳ୍ପ ସମେତ ୭ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୭୬,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ଏହା ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଓଡ଼ିଶା, ଗୋଆ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଦିଲ୍ଲୀ ସହିତ ଜଡ଼ିତ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର କିମ୍ବା ରାଜ୍ୟ ସ୍ତରରେ ସରକାରଙ୍କ ପ୍ରତ୍ୟେକ ଅଧିକାରୀଙ୍କୁ ସଚେତନ କରାଯିବା ଆବଶ୍ୟକ ଯେ ପ୍ରକଳ୍ପଗୁଡ଼ିକରେ ବିଳମ୍ବ କେବଳ ଖର୍ଚ୍ଚ ବୃଦ୍ଧି କରେ ନାହିଁ ବରଂ ଜନସାଧାରଣଙ୍କୁ ପ୍ରକଳ୍ପର ଉଦ୍ଦିଷ୍ଟ ଲାଭରୁ ମଧ୍ୟ ବଞ୍ଚିତ କରେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏକ ପେଡ୍ ମା କେ ନାମ” ଅଭିଯାନ ପ୍ରକଳ୍ପ ର ବିକାଶ କରିବା ସମୟରେ ପରିବେଶକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଅମୃତ ୨.୦ ଏବଂ ଜଳ ଜୀବନ ମିଶନ ସମ୍ବନ୍ଧୀୟ ଜନ ଅଭିଯୋଗର ମଧ୍ୟ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମିଳିତ ଭାବେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ସମସ୍ୟାର ସମାଧାନ କରିଥାଏ। ଜଳ ଏକ ମୌଳିକ ମାନବ ଆବଶ୍ୟକତା ଏବଂ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅଭିଯୋଗର ଗୁଣାତ୍ମକ ସମାଧାନ ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାର ସଫଳତା ପାଇଁ ଜଳ ଜୀବନ ପ୍ରକଳ୍ପଗୁଡିକର ପର୍ଯ୍ୟାପ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଏବଂ ଅପରେସନ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଯୁବକମାନଙ୍କୁ ଦକ୍ଷ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ଜଳ ସମ୍ପଦ ସର୍ବେକ୍ଷଣ ଆୟୋଜନ କୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ଉତ୍ସ ସ୍ଥାୟୀତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ମୁଖ୍ୟ ଶାସନ ସଚିବମାନଙ୍କୁ ଅମୃତ ୨.୦ ଅଧୀନରେ କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସହରଗୁଡ଼ିକର ଅଭିବୃଦ୍ଧି ସମ୍ଭାବନା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ଯୋଜନା କରିବା ଉଚିତ୍। ସହର ପାଇଁ ପାନୀୟ ଜଳ ଯୋଜନା ପ୍ରସ୍ତୁତ କରିବା ସମୟରେ ଅର୍ଦ୍ଧ-ସହରାଞ୍ଚଳକୁ ମଧ୍ୟ ଧ୍ୟାନରେ ରଖାଯିବା ଦରକାର କାରଣ ସମୟ କ୍ରମେ ଏହି ଅଞ୍ଚଳଗୁଡ଼ିକ ମଧ୍ୟ ସହର ସୀମାରେ ଅନ୍ତର୍ଭୁକ୍ତ ହେଉଛି। ଦେଶରେ ଦ୍ରୁତ ସହରୀକରଣକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଶାସନରେ ସଂସ୍କାର, ବ୍ୟାପକ ନଗର ଯୋଜନା, ସହରାଞ୍ଚଳ ପରିବହନ ଯୋଜନା ଏବଂ ପୌର ଆର୍ଥିକ ବ୍ୟବସ୍ଥା ସମୟର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରଗୁଡିକର ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଭଳି ପଦକ୍ଷେପର ଲାଭ ଉଠାଇବା ଆବଶ୍ୟକ। ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ସହରୀକରଣ ଏବଂ ପାନୀୟ ଜଳର ଅନେକ ଦିଗ ଉପରେ ଆଲୋଚନା ହୋଇଛି ଏବଂ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ନିଜେ ମୁଖ୍ୟ ଶାସନ ସଚିବମାନେ ସମୀକ୍ଷା କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମିଶନ ଅମୃତ ସରୋବର କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ସଚିବମାନଙ୍କୁ କହିଛନ୍ତି। ସେ କହିଥିଲେ ଯେ ଅମୃତ ସରୋବର ଜଳ ଭଣ୍ଡାର ଅଞ୍ଚଳକୁ ପରିଷ୍କାର ରଖିବା ସହ ଗ୍ରାମ ସମିତି ର ସମ୍ପୃକ୍ତିରେ ଆବଶ୍ୟକତା ଅନୁଯାୟୀ ଏହି ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯିବା ଉଚିତ।

ପ୍ରଗତି ବୈଠକର ୪୪ତମ ସଂସ୍କରଣ ସୁଦ୍ଧା ସମୁଦାୟ ୧୮.୧୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ୩୫୫ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶର ୧୨ଟି ସହରକୁ କରାଯିବ ଶିଳ୍ପ ସ୍ମାର୍ଟ ସିଟି, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି।

ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ।

୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜାହିରାବାଦ, ଆନ୍ଧ୍ରପ୍ରଦେଶର ଓର୍ଭାକଲ ଓ କୋପ୍ପର୍ତ୍ତି ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ଏହି ଶିଳ୍ପାଞ୍ଚଳ ଅବସ୍ଥିତ।

ମୁଖ୍ୟ ବିଶେଷତ୍ୱ

ରଣନୀତିକ ପୁଞ୍ଜିନିବେଶ: ଏନଆଇସିଡିପିକୁ ଉଭୟ ବୃହତ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ରେ ପୁଞ୍ଜିନିବେଶ ପାଇଁ ସୁବିଧା ପ୍ରଦାନ କରି ଏକ ଜୀବନ୍ତ ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ୨୦୩୦ ସୁଦ୍ଧା ୨ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ଶିଳ୍ପ ନୋଡଗୁଡ଼ିକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ, ଯାହା ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଭାରତ ନିର୍ମାଣ ନିମନ୍ତେ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ସ୍ମାର୍ଟ ସିଟି ଏବଂ ଆଧୁନିକ ଭିତ୍ତିଭୂମି: ନୂଆ ଶିଳ୍ପ ସହରଗୁଡିକୁ ବିଶ୍ୱସ୍ତରୀୟ ମାନର ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି ଭାବରେ ବିକଶିତ କରାଯିବ, ଯାହା ‘ପ୍ଲଗ୍-ଏନ୍-ପ୍ଲେ’ ଏବଂ ‘ୱାକ୍-ଟୁ-ୱାର୍କ’ ଅବଧାରଣାକୁ ଆଧାର କରି ‘‘ଚାହିଦା ପୂର୍ବରୁ’’ ନିର୍ମିତ ହେବ। ଏହି ଆଭିମୁଖ୍ୟ ସୁନିଶ୍ଚିତ କରେ ଯେ ସହରଗୁଡ଼ିକ ଉନ୍ନତ ଭିତ୍ତିଭୂମିରେ ସଜ୍ଜିତ ଯାହା ସ୍ଥାୟୀ ଏବଂ ଦକ୍ଷ ଶିଳ୍ପ କାର୍ଯ୍ୟକୁ ସମର୍ଥନ କରେ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଉପରେ ଆଞ୍ଚଳିକ ଆଭିମୁଖ୍ୟ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ପ୍ରକଳ୍ପଗୁଡିକରେ ବହୁମୁଖୀ ସଂଯୋଗ ଭିତ୍ତିଭୂମି ରହିବ, ଯାହା ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ନିରବଚ୍ଛିନ୍ନ ପରିବହନକୁ ସୁନିଶ୍ଚିତ କରିବ। ସମଗ୍ର ଅଞ୍ଚଳର ପରିବର୍ତ୍ତନ ପାଇଁ ଶିଳ୍ପ ସହରଗୁଡିକୁ ଅଭିବୃଦ୍ଧି କେନ୍ଦ୍ର ଭାବରେ ପରିକଳ୍ପନା କରାଯାଇଛି ।

‘ବିକଶିତ ଭାରତ’ର ପରିକଳ୍ପନା:

ଏହି ପ୍ରକଳ୍ପଗୁଡ଼ିକର ଅନୁମୋଦନ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ। ବିଶ୍ୱ ମୂଲ୍ୟ ଶୃଙ୍ଖଳା (ଜିଭିସି)ରେ ଭାରତକୁ ଏକ ଶକ୍ତିଶାଳୀ ଖେଳାଳି ଭାବେ ସ୍ଥାନିତ କରି ଏନଆଇସିଡିପି ଆବଣ୍ଟନ ପାଇଁ ସହଜରେ ଉପଲବ୍ଧ ଉନ୍ନତ ଜମି ଯୋଗାଇଦେବ, ଯାହା ଘରୋଇ ଓ ଅନ୍ତର୍ଜାତୀୟ ନିବେଶକଙ୍କ ଲାଗି ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ସହଜ କରିବ। ଏହା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନର ବ୍ୟାପକ ଉଦ୍ଦେଶ୍ୟ ସହିତ ସମାନ, ଯାହା ଶିଳ୍ପ ଉତ୍ପାଦନ ଏବଂ ନିଯୁକ୍ତି ବୃଦ୍ଧି ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ।

ଆର୍ଥିକ ପ୍ରଭାବ ଏବଂ ନିଯୁକ୍ତି ସୃଷ୍ଟି:

ଯୋଜନାବଦ୍ଧ ଶିଳ୍ପାୟନ ମାଧ୍ୟମରେ ଆନୁମାନିକ ୧ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୩ ନିୟୁତ ପରୋକ୍ଷ ନିଯୁକ୍ତି ସମେତ ଏନଆଇସିଡିପି ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା କେବଳ ଜୀବିକା ର ସୁଯୋଗ ମିଳିବ ନାହିଁ ବରଂ ଯେଉଁ ସବୁ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।

ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରତିବଦ୍ଧତା:

ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଆଇସିଟି-ସକ୍ଷମ ୟୁଟିଲିଟି ଏବଂ ସବୁଜ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରି ଏନଆଇସିଡିପି ଅଧୀନରେ ପ୍ରକଳ୍ପଗୁଡିକୁ ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି। ଗୁଣାତ୍ମକ, ବିଶ୍ୱସନୀୟ ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରଦାନ କରି ସରକାର ଶିଳ୍ପ ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା କେବଳ ଆର୍ଥିକ କାର୍ଯ୍ୟକଳାପର କେନ୍ଦ୍ର ନୁହେଁ ବରଂ ପରିବେଶ ପରିଚାଳନାର ମଡେଲ ମଧ୍ୟ ଅଟେ।

ଏନଆଇସିଡିପି ଅଧୀନରେ ୧୨ଟି ନୂତନ ଶିଳ୍ପ ନୋଡକୁ ଅନୁମୋଦନ ମିଳିବା ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ ଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସମନ୍ୱିତ ବିକାଶ, ସ୍ଥାୟୀ ଭିତ୍ତିଭୂମି ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ଉପରେ ରଣନୀତିକ ଧ୍ୟାନ ଦେବା ସହିତ ଏହି ପ୍ରକଳ୍ପଗୁଡିକ ଭାରତର ଶିଳ୍ପ ପରିଦୃଶ୍ୟକୁ ପୁନଃପରିଭାଷିତ କରିବ ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

ଏହି ନୂଆ ମଞ୍ଜୁରି ବ୍ୟତୀତ ଏନଆଇସିଡିପିରେ ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏବେ ଆଉ ୪ଟି କାର୍ଯ୍ୟକାରୀ ହେଉଛି। ଏହି କ୍ରମାଗତ ପ୍ରଗତି ଭାରତର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଓ ସମାବେଶୀ ଆର୍ଥିକ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

Categories
ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ୨୨ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଗତ ମାସରେ ତାଙ୍କର ସଫଳ ରୁଷ୍‍ ଗସ୍ତକୁ ସ୍ମରଣ କରିଥିଲେ।

ଉଭୟ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ଉଭୟ ନେତା ଚାଲିଥିବା ରୁଷିଆ-ୟୁକ୍ରେନ ବିବାଦ ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ୟୁକ୍ରେନ ଗସ୍ତ ସମ୍ପର୍କରେ ସୂଚନା ସେୟାର କରିଥିଲେ। ବିବାଦର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ସହିତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆନ୍ତରିକ ଏବଂ ବ୍ୟବହାରିକ ଯୋଗଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ନିରନ୍ତର ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିଜ୍ ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିଜ୍ ସହ କଥା ହୋଇଛନ୍ତି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ସହ କ୍ୱାଡ୍ ସମେତ ଅନ୍ୟ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ମୋର ବନ୍ଧୁ ଆନ୍ଥୋନୀ ଅଲ୍‌ବାନିଜ୍‌ଙ୍କ ସହ କଥା ହୋଇ ଆନନ୍ଦିତ। ଆମେ ଦୁଇ ଜଣ ନିଜର ଦ୍ୱିପାକ୍ଷିକ ସମ୍ପର୍କ ଓ କ୍ୱାଡ ସମେତ ବିଭିନ୍ନ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ଆଲୋଚନା କରିଥିଲୁ।”

Categories
ଆଜିର ଖବର

“ଆଜି ଭାରତର ସ୍ୱପ୍ନଗୁଡିକ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଅଧିକ”: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ। ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ।

ମହାରାଷ୍ଟ୍ରରୁ ବାହାରିବା ସମୟରେ ଖରାପ ପାଗ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେତୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବର ଏକ ଅଂଶବିଶେଷ  ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ  ୭୫ ବର୍ଷ ପୂରଣ କରୁଛି।

ତେଣୁ ଏହା ଅନେକ ମହାନ ବ୍ୟକ୍ତିତ୍ୱଙ୍କ ନ୍ୟାୟ, ଅଖଣ୍ଡତା ଏବଂ ସମର୍ପଣକୁ ପାଳନ କରିବାର ଏକ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନ୍ୟାୟର ଧ୍ୱଜବାହକ   ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଲ୍ଲେଖ କରିଥିଲେ ଯେ, “ଆଜିର କାର୍ଯ୍ୟକ୍ରମ ସମ୍ବିଧାନ ପ୍ରତି ଦେଶର ବିଶ୍ୱାସର ଏକ ଉଦାହରଣ” ।

ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଅସ୍ତିତ୍ୱ ଭାରତର ଏକତାର ଇତିହାସ ସହିତ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୫୦୦ରୁ ଅଧିକ ରାଜ୍ୟକୁ ଏକାଠି କରିବା ଏବଂ ଏହାକୁ ଏକତା ସୂତ୍ରରେ ବୁଣିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରୟାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଜୟପୁର, ଉଦୟପୁର ଏବଂ କୋଟା ଭଳି ରାଜସ୍ଥାନର ବିଭିନ୍ନ ଦେଶୀୟ ରାଜ୍ୟ ମାନଙ୍କର ନିଜସ୍ୱ ଉଚ୍ଚ ନ୍ୟାୟାଳୟ ଥିଲା , ଯାହା ରାଜସ୍ଥାନ ଉଚ୍ଚ ନ୍ୟାୟାଳୟକୁ ଅସ୍ତିତ୍ୱକୁ ଆଣିବା ପାଇଁ ସମନ୍ୱିତ ହୋଇଥିଲା । ଜାତୀୟ ଏକତା ଭାରତର ନ୍ୟାୟ ବ୍ୟବସ୍ଥାର ମୂଳଦୁଆ ଏବଂ ଏହାକୁ ସୁଦୃଢ଼ କରିବା ଦ୍ୱାରା ଦେଶ ଓ ଏହାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ , ନ୍ୟାୟ ସରଳ ଏବଂ ସାବଲୀଳ ଅଟେ, କିନ୍ତୁ ବେଳେବେଳେ ପ୍ରକ୍ରିୟା ଏହାକୁ ଜଟିଳ କରିଦିଏ । ନ୍ୟାୟକୁ ଯଥାସମ୍ଭବ ସରଳ ଓ ସାବଲୀଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ଆମର ସାମୂହିକ ଦାୟିତ୍ୱ ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ । ଭାରତ ଏ ଦିଗରେ ଏକାଧିକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଅନେକ ଅପ୍ରାସଙ୍ଗିକ ଔପନିବେଶିକ ଆଇନକୁ ରଦ୍ଦ କରିଛନ୍ତି ।

ସ୍ୱାଧୀନତାର ଅନେକ ଦଶନ୍ଧି ପରେ ଉପନିବେଶବାଦୀ ମାନସିକତାରୁ ବାହାରି ଭାରତ ଭାରତୀୟ ଦଣ୍ଡବିଧି ବଦଳରେ ଭାରତୀୟ ନ୍ୟାୟ ସଂହିତାକୁ ଗ୍ରହଣ କରିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା ‘ଦଣ୍ଡ ବଦଳରେ ନ୍ୟାୟ’ ର ଆଦର୍ଶ ଉପରେ ଆଧାରିତ, ଯାହା ହେଉଛି ଭାରତୀୟ ଚିନ୍ତାଧାରାର ଆଧାର । ଭାରତୀୟ ନ୍ୟାୟ ସଂହିତା ମାନବ ଚିନ୍ତାଧାରାକୁ ଆଗକୁ ବଢ଼ାଇବ ଏବଂ ଆମକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଭାରତୀୟ ନ୍ୟାୟ ସଂହିତାର  ଭାବନାକୁ ଯଥାସମ୍ଭବ ପ୍ରଭାବଶାଳୀ କରିବା ଏବେ ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।

ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଦଶମ ସ୍ଥାନରୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଂଚିବା ଭଳି ଉନ୍ନତି ଘଟିଛି । ନୂତନ ଭାରତର ଆବଶ୍ୟକତା ଅନୁଯାୟୀ ନୂତନ ଉଦ୍ଭାବନ ଏବଂ ବ୍ୟବସ୍ଥାର ଆଧୁନିକୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ,  “ଆଜି ଭାରତର ସ୍ୱପ୍ନ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଉଚ୍ଚ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ସମସ୍ତଙ୍କ ପାଇଁ ନ୍ୟାୟ’ ହାସଲ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ‘ଇ – କୋର୍ଟ’ ପ୍ରକଳ୍ପର ଉଦାହରଣ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୧୮,୦୦୦ରୁ ଅଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ଜାତୀୟ ନ୍ୟାୟିକ ଡାଟା ଗ୍ରିଡ୍ ମାଧ୍ୟମରେ ଏକ କେନ୍ଦ୍ରିକ ଅନଲାଇନ୍ ପ୍ଲାଟଫର୍ମରେ ୨୬ କୋଟିରୁ ଅଧିକ ଅଦାଲତ ମାମଲାର ସୂଚନା ଉପଲବ୍ଧ କରାଯାଇଛି । ୩୦୦୦ ରୁ ଅଧିକ କୋର୍ଟ କମ୍ପେ୍ଲକ୍ସ ଏବଂ ୧୨୦୦ରୁ ଅଧିକ ଜେଲକୁ ଭିଡିଓ କନଫରେନ୍ସିଂ ସୁବିଧା ସହିତ ସଂଯୋଗ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । କାଗଜବିହୀନ ଅଦାଲତ, ଇ – ଫାଇଲିଂ ବ୍ୟବସ୍ଥା, ଇଲେକ୍ଟ୍ରୋନିକ୍ ସମନ ସେବା ଏବଂ ଆଭାଷୀ ବ୍ୟବସ୍ଥା ମାଧ୍ୟମରେ ଶୁଣାଣି ପାଇଁ ସୁବିଧା ପ୍ରଦାନ କରି ଶତାଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଥିବାରୁ ରାଜସ୍ଥାନ ଏହି ଦିଗରେ ଯେଉଁ କାର୍ଯ୍ୟ କରୁଛି ସେଥିରେ ସେ ଖୁସି ବ୍ୟକ୍ତ କରିଛନ୍ତି । ଅତୀତରେ ଥିବା ଅଦାଲତ ଗୁଡ଼ିକର ମନ୍ଥର ଗତିରେ ଚାଲିଥିବା ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ନାଗରିକଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ଦେଶ ଦ୍ୱାରା ନିଆଯାଇଥିବା ପ୍ରଭାବଶାଳୀ ପଦକ୍ଷେପ ଭାରତରେ ନ୍ୟାୟ ପାଇଁ ନୂତନ ଆଶା ସୃଷ୍ଟି କରିଛି । ଦେଶର ନ୍ୟାୟିକ ବ୍ୟବସ୍ଥାରେ ନିରନ୍ତର ସଂସ୍କାର ଆଣି ଏହି ନୂତନ ଆଶା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତୀତରେ ଅନେକ ଥର ସେ ଆମର ଶହ ଶହ ବର୍ଷର ପୁରୁଣା ମଧ୍ୟସ୍ଥତା ବ୍ୟବସ୍ଥା ବିଷୟରେ କ୍ରମାଗତ ଭାବରେ ଉଲ୍ଲେଖ କରିଛନ୍ତି । ଆଜି ଦେଶରେ ଶସ୍ତା ଏବଂ ତ୍ୱରିତ ନିଷ୍ପତ୍ତି ପାଇଁ “ବିକଳ୍ପ ବିବାଦ ସମାଧାନ” ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ପାଲଟିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଳ୍ପ ବିବାଦ ସମାଧାନର ଏହି ବ୍ୟବସ୍ଥା ଦେଶରେ ସହଜ ଜୀବନଯାପନ ଏବଂ ସହଜ ନ୍ୟାୟକୁ ପ୍ରୋତ୍ସାହିତ କରିବ । ସରକାର ଆଇନରେ ସଂଶୋଧନ କରି ଏବଂ ନୂତନ ବ୍ୟବସ୍ଥା ଯୋଡ଼ିବା ସହିତ ଏହି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନ୍ୟାୟପାଳିକାର ସମର୍ଥନ ମିଳିଲେ ଏହି ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ମୋଦୀ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ।

ନ୍ୟାୟପାଳିକା କ୍ରମାଗତ ଭାବରେ ଜାତୀୟ ପ୍ରସଙ୍ଗରେ ସତର୍କ ଓ ସକ୍ରିୟ ରହିବାର ନୈତିକ ଦାୟିତ୍ୱ ବହନ କରିଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ – କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଭାରତର ଏକୀକରଣର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ ମତ ଦେଇଥିଲେ । ସେ ସିଏଏର ମାନବିକ ଆଇନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଅଦାଲତଙ୍କ ନିଷ୍ପତ୍ତି ବାସ୍ତବିକ ନ୍ୟାୟ ଉପରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଉଚ୍ଚତମ ନ୍ୟାୟାଳୟ  ଏବଂ ଉଚ୍ଚ ନ୍ୟାୟାଳୟଗୁଡିକ  ‘ପ୍ରଥମେ ଦେଶ’ ର ସଂକଳ୍ପକୁ ସୁଦୃଢ଼ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଭିଭାଷଣ ଦେବା ସମୟରେ ଉଲ୍ଲେଖ କରିଥିବା ଧର୍ମନିରପେକ୍ଷ ନାଗରିକ ସଂହିତା ବିଷୟରେ ଉଲ୍ଲେଖ କରିବା ସହିତ ଏହା ମଧ୍ୟ କହିଥିଲେ ଯେ, ଯଦିଓ ବର୍ତ୍ତମାନର ସରକାର ଏବେ ଏହି ପ୍ରସଙ୍ଗ ଉଠାଇଛନ୍ତି, ତଥାପି ଭାରତର ନ୍ୟାୟପାଳିକା ସର୍ବଦା ଏହାର ସପକ୍ଷରେ ସମର୍ଥନ କରିଛି । ସେ କହିଛନ୍ତି ଯେ ଜାତୀୟ ଏକତା ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ଆଭିମୁଖ୍ୟ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରେ ।

ଏକବିଂଶ ଶତାବ୍ଦୀର ଭାରତରେ ‘ଏକୀକରଣ’ ଶବ୍ଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆମର ଲକ୍ଷ୍ୟ ହେଉଛି ଦେଶର ସମସ୍ତ ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା, ପରିବହନ, ତଥ୍ୟ, ସ୍ୱାସ୍ଥ୍ୟ, ପୋଲିସ, ଫରେନସିକ୍‌, ସେବା ବ୍ୟବସ୍ଥା,   ଯାହା ଅଲଗା ଅଲଗା ଭାବରେ କାର୍ଯ୍ୟ କରୁଛି ସେମାନଙ୍କୁ ସମନ୍ୱିତ କରାଯିବା ଉଚିତ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଅଦାଲତ, ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ରାଜସ୍ଥାନର ସମସ୍ତ ଜିଲ୍ଲା ଅଦାଲତରେ ଆରମ୍ଭ ହୋଇଥିବା ଏକୀକରଣ ପ୍ରକଳ୍ପ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତରେ ଗରିବ ମାନଙ୍କର ସଶକ୍ତୀକରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର ଏକ ପରୀକ୍ଷିତ ଫର୍ମୁଲା ପାଲଟିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ଅନେକ ବିଶ୍ୱସ୍ତରୀୟ ଏଜେନ୍ସି ଏବଂ ସଂଗଠନ ଠାରୁ ପ୍ରଶଂସା ପାଇଛି । ଡିବିଟି ଠାରୁ ଆରମ୍ଭ କରି ୟୁପିଆଇ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତ କିପରି କାର୍ଯ୍ୟ କରୁଛି ଏବଂ ଏହା କିଭଳି ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ଉଭା ହୋଇଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେହି ଅନୁଭୂତିକୁ ନ୍ୟାୟ ବ୍ୟବସ୍ଥାରେ ମଧ୍ୟ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଛନ୍ତି । ଏହି ଦିଗରେ ନିଜ ଭାଷାରେ ବୈଷୟିକ ଜ୍ଞାନକୌଶଳ ଏବଂ ଆଇନଗତ ଦସ୍ତାବିଜ ଉପଲବ୍ଧ ହେବା ଗରିବମାନଙ୍କୁ ସଶକ୍ତ କରିବାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଦିଶା ନାମକ ଏକ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି ଅଭିଯାନରେ ସହାୟତା ପ୍ରଦାନ କରିବାକୁ ଆଇନ ଛାତ୍ର ଏବଂ ଅନ୍ୟ ଆଇନ ବିଶେଷଜ୍ଞମାନଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । ଆଇନଗତ ଦସ୍ତାବିଜ ଏବଂ ରାୟକୁ ସ୍ଥାନୀୟ ଭାଷାରେ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ସଫ୍ଟୱେୟାର ସାହାଯ୍ୟରେ ଏହା ଆରମ୍ଭ କରିସାରିଛନ୍ତି ଯେଉଁଠାରେ ନ୍ୟାୟିକ ଦସ୍ତାବିଜକୁ ୧୮ଟି ଭାଷାରେ ଅନୁବାଦ କରାଯାଇପାରିବ । ନ୍ୟାୟପାଳିକାର ସମସ୍ତ ନିଆରା ପ୍ରୟାସକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ସହଜ ନ୍ୟାୟକୁ ଅଦାଲତ ସର୍ବୋଚ୍ଚ ପ୍ରାଥମିକତା ଦେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଶେଷରେ କହିଥିଲେ , “ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିକଶିତ ଭାରତରେ ସମସ୍ତଙ୍କ ପାଇଁ ସରଳ, ସୁଲଭ ଏବଂ ସହଜ ନ୍ୟାୟ ସୁନିଶ୍ଚିତ ହେବା” ।

ଏହି ଅବସରରେ ରାଜସ୍ଥାନ ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଅର୍ଜୁନ ରାମ ମେଘୱାଲ, ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭକାମନା। ଜୟ ଶ୍ରୀ କୃଷ୍ଣ!”

Categories
ଆଜିର ଖବର ରାଜ୍ୟ ଖବର

ୟୁନିଫାଏଡ ପେନସନ ନୁହେଁ, ଅବିକଳ ପୁରୁଣା ପେନସନ ଦରକାର: ଓଡିଶା ପୁରୁଣା ପେନସନ ଅଭିଯାନ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ବିଳମ୍ୱରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମକୁ ଅନୁମୋଦନ କରାଯାଇଛି, ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଅଛି। କିନ୍ତୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରାଯାଉଛି କି କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଘୋଷଣା କରାଯାଉ।

ୟୁନିଫାଏଡ ପେନସନ ସ୍କିମରେ ୨୫ ବର୍ଷରୁ କମ କାର୍ଯ୍ୟକରିଥିବା କର୍ମଚାରୀ ମାନଙ୍କ କଥା ବିଚାର କରାନଯିବା, ମହଙ୍ଗା ଭତ୍ତା ଏବଂ ଜିପିଏଫ ସମ୍ବନ୍ଧରେ ସ୍ପଷ୍ଟୀକରଣ ନଦେବା କର୍ମଚାରୀମାନଙ୍କୁ ଦ୍ୱନ୍ଦ୍ୱ ମଧ୍ୟରେ ରଖୁଅଛି। ଏଥିସହିତ ସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଜୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଓଡିଶା ପୁରୁଣା ପେନସନ ଅଭିଯାନ ସଭାପତି ବିଜୟ ମଲ୍ଲ, ପ୍ରଯତ୍ନ ବରାଳ, ପୂର୍ଣ୍ଣଚନ୍ଦ୍ର ଆଏଚ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ବଙ୍କୀମ୍‌ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ଗୁରୁଗୋବିନ୍ଦ ଦଳାଇ, ଅଶ୍ବିନୀ ମିଶ୍ର, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ, ଆଦିତ୍ୟ ନାରାୟଣ ସ୍ୱାଇଁ, ଶ୍ୟାମଳୀ ପଟ୍ଟନାୟକ, ଅନୀତା ବେହେରା, ଅନ୍ତର୍ଯ୍ୟାମୀ ଲେଙ୍କା, ସରୋଜ ସାମନ୍ତରାୟ ପ୍ରମୁଖ ଅନୁରୋଧ କରିଛନ୍ତି ଆମେ ଓଡିଶା ର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କି କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବା ନିମନ୍ତେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଆଜି ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ। ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ :

ଲକ୍ଷପତି ଦିଦି ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଜଲଗାଓଁ ଗସ୍ତ କରିବେ। ସେଠାରେ ସେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିବେ, ଯେଉଁମାନେ ନିକଟରେ ଏନ୍‌ଡିଏ ସରକାରର ତୃତୀୟ କାର୍ଯ୍ୟକାଳରେ ଲକ୍ଷପତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ୨,୫୦୦ କୋଟି ଟଙ୍କାର ଏକ ରିଭଲ୍‌ଭିଙ୍ଗ୍ ଫଣ୍ଡ୍ ଜାରି କରିବେ, ଯାହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଲାଭବାନ ହେବେ। ସେ ମଧ୍ୟ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ, ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ଆଗାମୀ ଦିନରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ:

ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦ୍‌ଘାଟନ କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ ନୀତିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ବାୟୋଟେକ୍ନୋଲୋଜି) ନୀତି ପାଇଁ ବାୟୋଟେକ୍ନୋଲୋଜି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବାୟୋ-ଇଥ୍ରୀ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ଏବଂ ବିଷୟଗତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଉଦ୍ଭାବନ-ପରିଚାଳିତ ସମର୍ଥନ ଅନ୍ତର୍ଭୁକ୍ତ। ଏହା ଜୈବ ଉତ୍ପାଦନ ଓ ବାୟୋ-ଏଆଇ ହବ୍ ଏବଂ ବାୟୋ-ଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତି ବିଦ୍ୟା ବିକାଶ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ଅଭିବୃଦ୍ଧିର ବାୟୋଇକୋନୋମି ବା ଜୈବ ଅର୍ଥବ୍ୟବସ୍ଥା ମଡେଲକୁ ପ୍ରାଥମିକତା ଦେବା ସହିତ ଏହି ନୀତି ଭାରତର କୁଶଳୀ ଶ୍ରମଶକ୍ତିର ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବ।

ମୋଟାମୋଟି ଭାବେ ଏହି ନୀତି ‘ନେଟ୍ ଜିରୋ କାର୍ବନ ଇକୋନୋମି’ ବା ଅଙ୍ଗାରକାମ୍ଳମୁକ୍ତ ଅର୍ଥବ୍ୟବସ୍ଥା ଏବଂ ‘ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାଇରନମେଣ୍ଟ୍’ ବା ପରିବେଶ ପାଇଁ ଜୀବନଶୈଳୀ ଭଳି ସରକାରଙ୍କ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ‘ସର୍କୁଲାର ବାୟୋଇକୋନୋମି’ ବା ଚକ୍ରାକାର ଜୈବଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଭାରତକୁ ‘ସବୁଜ ଅଭିବୃଦ୍ଧି’ ପଥରେ ଅଗ୍ରସର ହେବାକୁ ତ୍ୱରାନ୍ୱିତ କରିବ। ବାୟୋ-ଇଥ୍ରୀ ନୀତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ାଇବ, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ଅଧିକ ସ୍ଥାୟୀ, ଅଭିନବ ଏବଂ ଉତ୍ତରଦାୟୀ ପ୍ରତିକ୍ରିୟା ସହ ଜଡିତ। ଏହି ନୀତି ଭାରତ ପାଇଁ ବିକଶିତ ଜୈବ ଦୃଷ୍ଟିକୋଣ ନିର୍ଦ୍ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ପ୍ରଶମନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଓ ଚକ୍ରୀୟ ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଜୈବ ବିଜ୍ଞାନର ଶିଳ୍ପାୟନରେ ନିବେଶ କରିବା ନିମନ୍ତେ ଆମର ବର୍ତ୍ତମାନର ଯୁଗ ଏକ ଉପଯୁକ୍ତ ସମୟ। ଜୈବ ଭିତ୍ତିକ ଉତ୍ପାଦର ବିକାଶ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଦେଶରେ ଏକ ଶକ୍ତିଶାଳୀ ଜୈବ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବା ଜରୁରୀ।

ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସୁରକ୍ଷା ଆହ୍ୱାନର ସମାଧାନ କରିବା ଏବଂ ଉନ୍ନତ ଜୈବ ପ୍ରଯୁକ୍ତି ପ୍ରକ୍ରିୟାର ଏକୀକରଣ ମାଧ୍ୟମରେ ଜୈବ ଆଧାରିତ ଉତ୍ପାଦର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର କ୍ଷମତା ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନରେ ରହିଛି। ଜାତୀୟ ପ୍ରାଥମିକତା ଅନୁଯାୟୀ, ବାୟୋ-ଇଥ୍ରୀ ନୀତି ନିମ୍ନଲିଖିତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ବ୍ୟାପକ ଭାବରେ ଧ୍ୟାନ ଦେବ, ଯଥା : ଉଚ୍ଚ ମୂଲ୍ୟର ଜୈବ-ଭିତ୍ତିକ ରାସାୟନିକ ପଦାର୍ଥ, ବାୟୋପଲିମର୍ସ ଏବଂ ଏନଜାଇମ; ସ୍ମାର୍ଟ ପ୍ରୋଟିନ୍ ଏବଂ ଫଙ୍କସନାଲ ଫୁଡ୍‌; ନିର୍ଦ୍ଦିଷ୍ଟ ବାୟୋମେଡିସିନ୍; ଜଳବାୟୁ ସହନଶୀଳ କୃଷି; କାର୍ବନ ସ୍ତର ହ୍ରାସ ଏବଂ ଏହାର ଉପଯୋଗ; ସାମୁଦ୍ରିକ ଓ ମହାକାଶ ଗବେଷଣା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନେପାଳ ବସ୍ ଦୁର୍ଘଟଣାର ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନେପାଳର ତନହୁନ ଜିଲ୍ଲାରେ ହୋଇଥିବା ବସ୍ ଦୁର୍ଘଟଣାର ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ରାଶି ଘୋଷଣା କରିଛନ୍ତି। ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେତ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ଯେ;

“ନେପାଳର ତନହୁନ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହିନ୍ଦୀ ଶିଖୁଥିବା ୟୁକ୍ରେନ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି।

ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଏବଂ ସେମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଭାରତୀୟ ସଂସ୍କୃତି ଓ ଇତିହାସକୁ ୟୁକ୍ରେନର ଲୋକଙ୍କ ନିକଟତର କରିବା ପାଇଁ ସେମାନଙ୍କ ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ।