Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡିଶା ବନ୍ଦ ଡକରା ଦେଇଛି। ଓଡିଶାର ସମସ୍ତ କଂଗ୍ରେସ କର୍ମୀ ସକାଳ ୭ ଟା ରୁ ୧ ଟା ପର୍ଯ୍ୟନ୍ତ ବନ୍ଦ ଡାକରାରେ ସାମିଲ ହୋଇ ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି।

ତେବେ ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ ବୋଲି ସେ କହିଛନ୍ତି।

ଏହାସହିତ ତୈଳ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସେ ରାଜ୍ୟ ସରକାରକୁ କହିଛନ୍ତି। ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ  କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ  ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି-

୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ, ତା’ ପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ। ତା’ର ଚିକିତ୍ସା ପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ। ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ମାନଙ୍କର ୨୦ ପ୍ରତିଶତ ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ।

୨. ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ।

୩. ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଯାଇ ମେଡିକାଲ ଇକ୍ୟୁପ୍‌ମେଂଟ ତଥା ଜୀବନ ରକ୍ଷାକରୀ ଇକ୍ୟୁପ୍‌ମେଂଟ ଗୁଡିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ। କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ।

୪. ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୁନ ୨୫୦୦୦ କରାଯାଉ। କଂଟାକ୍ଟ ଟ୍ରେସିଙ୍ଗ ଗୁରୁତ୍ୱର ସହ କରାଯାଉ ଓ ଟେଷ୍ଟିଂ କରାଯାଉ। ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ। ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ।

ସର୍ବୋପରି ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷାକରିବା ପାଇଁ ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଆଗକୁ ନିଷ୍ପତି ନିଅନ୍ତୁ ଏବଂ ଏହାର ପରିଚାଳନା ଦାୟିତ୍ଵ ମୁଷ୍ଟିମେୟ ଅଧିକାରୀଙ୍କ ହାତରେ ଛାଡିନଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ  ପିସିସି ସଭାପତି  ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ ନୁହେଁ-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା  କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି। ଏବେ ବି ସମୟ ଅଛି, ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର​ ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର

କଂଗ୍ରେସର ‘ସ୍ପିକ୍ ଅପ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ରାଷ୍ଟ୍ରୀୟ କଂଗ୍ରେସ ଅନଲାଇନ୍‌ ମାଧ୍ୟମରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସ ତରଫରୁ ‘ସ୍ପିକ୍‌ ଅପ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା ମୁକାବିଲାରେ ସରକାର କିଭଳି ବିଫଳ ହେଲେ ସେନେଇ ଜନଜାଗରଣ ଆରମ୍ଭ କରିଛି କଂଗ୍ରେସ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ତଥା ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି ।ସେହିପରି ପ୍ରବାସୀ ଶ୍ରମିକଙ୍କୁ 6 ମାସ ପର୍ଯ୍ୟନ୍ତ 7500ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।

ସେହିପରି ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି  ପିସିସି ସଭାପତି । ଚାଷୀମାନଙ୍କୁ ସହାୟତା ପାଇଁ ମଧ୍ୟ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟବାସୀମାନେ ସୋସିଆଲ ମିଡିଆରେ ଦାବି ଉପସ୍ଥାପନା କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି । ଏପରି କରିବା ଦ୍ବାରା ସରକାରଙ୍କ ଉପରେ ପ୍ରଭାବ ପଡିବ ଓ କେନ୍ଦ୍ରର ନିଦ ଭାଙ୍ଗିବ ବୋଲି କହିଛନ୍ତି ପିସିସି ସଭାପତି ।