Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଆକ୍ରମଣ ଘଟଣା: ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରେ ପ୍ରଶାନ୍ତ ହାଜର ହେବା ସହ ଜାମିନ ଆବେଦନ କରିଥିବା ସୂଚନା ରହିଛି। ଗତ ୫ ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବାଦନକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫ ଦାବି: ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା।

ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ବିଧାୟକଙ୍କୁ ଗିରଫ କରାଯାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଜନଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଜନଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଘଟଣା: ଆସନ୍ତାକାଲି ବାଲୁଗାଁ ଥାନା ଘେରାଉ କରିବ ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏ ନେଇ ଉକ୍ତ ଦିନ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁକରିଥିବା ବେଳେ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ। ଆଜିକୁ ଦୀର୍ଘ ଚାରି ଦିନ ବିତିଗଲାଣି କିନ୍ତୁ ସାମ୍ବାଦିକଙ୍କ ଏତଲାକୁ ବାଲୁଗାଁ ପୋଲିସ ରୁଜୁ କରୁନାହିଁ।

ଅପରପକ୍ଷେ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରିପାଇନାହାନ୍ତି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଠୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଦାବି ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ସେପ୍ଟେମ୍ବର ୧୨ ତାରିଖ ଦିବା ୧୦ ଘଟିକାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ ମାନେ ଶାନ୍ତିପୂର୍ଣ ଧାରଣା ଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡା, ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଧନ୍ୟବାଦ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡାଭାବେ ସରକାରୀ ଅଫିସର ଏବଂ ସାଧାରଣ ଜନତା ଓ ରାଜନେତାଙ୍କୁ ଆକ୍ରମଣ କରିଥାନ୍ତି। ବହୁତ ଥର ଏପରି ଅମାନବୀୟ କାର୍ଯ୍ୟ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେଥିପାଇଁ ଧନ୍ୟବାଦ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀ ଦଳର କର୍ମୀଙ୍କୁ ଆକ୍ରମଣ ଏବଂ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବାହର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିସ୍କୃତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ବାଲୁଗାଁ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିଲା। ବିଜେପି ନଗର ମଣ୍ଡଳ ସଭାପତିଙ୍କ ଅଭିଯୋଗ କ୍ରମେ ଚିଲିକା ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬/୨୧ କେସ ନମ୍ବରରେ ଏକ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଥିବାର ଖୋର୍ଦ୍ଧା ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାର୍ଯ୍ୟ ପାଇଁ ନୂତନ ବିଧାୟକ ପ୍ରତିନିଧି ଚୟନ

ସମୀକ୍ଷା ବ୍ୟୁରୋ

ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ମନୋନୀତ ହୋଇଥିବା ଅଜୟ କୁମାର ଦାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସଫଳତାର ସହ ଏହି ଦାୟିତ୍ବ ନିର୍ବାହ କରିଥିବାବେଳେ ଏହି ନୂତନ କାର୍ଯ୍ୟକୁ ବେଶ୍‌ ସୂଚାରୁରୂପେ ସମ୍ପନ୍ନ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ରେ ବିଧାୟକଙ୍କ ନୂତନ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଗୋପୀନାଥ

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ମିଳିଲା ନୂତନ ଦାୟିତ୍ବ। ବାଣପୁର ବ୍ଲକ୍‌ର ବିଧାୟକଙ୍କ ପ୍ରତିନିଧି ଭାବେ ସେ କାର୍ଯ୍ୟ କରିବେ। ଏହି କ୍ରମରେ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁପରିଚାଳନା ନିମେନ୍ତ ତାଙ୍କୁ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ବାରା ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଗୋପୀନାଥଙ୍କ କର୍ତ୍ତବ୍ୟନିଷ୍ଠା ତଥା କର୍ମତତ୍ପରତା ପାଇଁ  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ଉପରେ ଏପରି ଏକ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଚିଲିକା ବିଧାୟକ ଚିଠି ନଂ ୩୮୦/୨୦୧୯ ଜରିଆରେ ବାଣପୁର ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଇଛନ୍ତି ।

ଛାତ୍ର ଜୀବନରୁ ଗୋପୀନାଥ ରାଜନୀତି, ସାମଜସେବା ତଥା ପ୍ରତିଟି କ୍ଷେତ୍ରରେ ଜଣେ ଉତ୍ସାହୀ ରୂପେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି। ୨୦୦୬ରୁ ଗୋଦାବୀରଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ହୋଇଥିବାବେଳେ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ।  କମ୍‌ ବୟସରୁ ନିଜର ଉତ୍ସାହ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗୋପୀନାଥ ସଫଳତାର ପାହାଚ ଅତିକ୍ରମ କରିଚାଲିଛନ୍ତି। ଆଗାମୀ ଦିନରେ ବାଣପୁରର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଗୋପୀନାଥ  କହିଛନ୍ତି।

ରିପୋର୍ଟର୍‌ : ସୀତାରାମ ଅଗ୍ରଓ୍ବାଲ