ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାର୍ଯ୍ୟ ପାଇଁ ନୂତନ ବିଧାୟକ ପ୍ରତିନିଧି ଚୟନ

Published: Dec 3, 2019, 8:00 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ମନୋନୀତ ହୋଇଥିବା ଅଜୟ କୁମାର ଦାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସଫଳତାର ସହ ଏହି ଦାୟିତ୍ବ ନିର୍ବାହ କରିଥିବାବେଳେ ଏହି ନୂତନ କାର୍ଯ୍ୟକୁ ବେଶ୍‌ ସୂଚାରୁରୂପେ ସମ୍ପନ୍ନ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts