Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟ୍ ଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ୭ ଜୁଆଡିଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି।

ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଟାଙ୍ଗୀ ଥାନା ଉଗ୍ରତାରା ନିକଟସ୍ଥ କନ୍ତଳବାଇ ଜଙ୍ଗଲରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିବାର ପୋଲିସ ଜାଣିପାରିଥିଲା। ସେହି ଜୁଆ ଆଡ୍ଡା ଉପରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଜୁଆଡିମାନେ ଖସି ପଳାଇଯିବା ପାଇଁ ସକ୍ଷମ ହେଉଥିଲେ।

କିନ୍ତୁ ଏଥର ଯୋଜନା ମୁତାବକ ଜୁଆଡିମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଚଢାଉରେ ୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବା ସହ ନକଦ ୩ ହଜାର ଟଙ୍କା, ୫ ଟି ବାଇକ ଏବଂ ଦୁଇଟି ସାଇକେଲକୁ ଜବତ କରିଛି। ଗିରଫ ଜୁଆଡିମାନଙ୍କ ବିରୋଧରେ ୩ ଓପିଜି ଆଇନ ଅନୁଯାୟୀ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୦/୨୧ ରେ ମାମଲା ରୁଜୁ ହୋଇଥିବାର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୨୦ ଲିଟର ଦେଶିମଦ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଶନିବାର ରାତି ତମାମ ବାଣପୁର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ତିନି ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ସମୁଦାୟ ୨୨୦ ଲିଟର ଦେଶୀ ମଦ ପୋଲିସ ଜବତ କରିଛି। ତେବେ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣକ ନାଚୁଣୀ ଫାଣ୍ଡି ଅଞ୍ଚଳର।

ଅଭିଯୁକ୍ତମାନେ ସଟ ଡ଼ାଉନରେ ଅବାଧ ଭାବେ ଚୋରା ଦେଶୀ ମଦ କାରବାରରେ ଲିପ୍ତ ଥିଲେ। ସେମାନଙ୍କ ବିରୋଧରେ ବାଣପୁର ପୋଲିସ କେସ ନମ୍ବର ୨୦୬, ୨୦୭ ଏବଂ ୨୦୮ ରେ ତିନି ଗୋଟି ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବାର ବାଣପୁର ଥାନା ସବ ଇନ୍ସପେକ୍ଟର ରାଜକିଶୋର ବେହେରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଖବର ପ୍ରସାରଣ ପରେ ଦୃଷ୍ଟିହୀନଙ୍କୁ ମିଳିଲା ରାସନ ସାମଗ୍ରୀ: ବାଲୁଗାଁ ଏସଡିପିଓ ମଧ୍ୟ କଲେ ସାହାଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଦୃଷ୍ଟିହୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀ ପଞ୍ଚାୟତର ଦୃଷ୍ଟିହୀନ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏନେଇ ଏକ ଖବର ସମୀକ୍ଷା ନିୟୁଜରେ ପ୍ରସାରଣ କରାଯାଇଥିଲା। ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ସ୍ଥାନୀୟ ବ୍ଲକ ପ୍ରଶାସନ। ଆଜି ସକାଳୁ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ନିର୍ଦ୍ଦେଶକ୍ରମେ ଯୋଗେନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ରାସନ ଚାଉଳ ପ୍ରଦାନ କରାଯାଇଅଛି।

ବିଡ଼ିଓଙ୍କ କହିବା ମୁତାବକ ଇ-ପିଓଏସ ଯନ୍ତ୍ରଟି ବିଗତ ଚାରିଦିନ ହେଲା ଖରାପ ଥିବାରୁ ଏହାକୁ ମରାମତି ନିମନ୍ତେ ଖୋର୍ଦ୍ଧା ପଠାଯାଇଥିଲା। ତେବେ ଗତକାଲି ସଂନ୍ଧ୍ୟାରେ ଯନ୍ତ୍ର ମରାମତି ହୋଇ ଆସିଲାପରେ ଆଜି ଯୋଗେନ୍ଦ୍ରଙ୍କୁ ରାସନ ସାମଗ୍ରୀ ଦିଆଯାଇଛି।

ଅନୁରୂପଭାବେ ଯୋଗେନ୍ଦ୍ରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦ୍ଦେଶକ୍ରମେ ଖୋଦ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯୋଗେନ୍ଦ୍ରଙ୍କ ଘରକୁ ଯାଇ ରନ୍ଧା ଖାଦ୍ୟ ସହ ପନିପରିବା, ଚୁଡା, ଚିନି, ସୋୟାବିନ ବଡି, ଚାଉଳ ଏବଂ କିଛି ପଇସା ମଧ୍ୟ ପ୍ରଦାନ କରିଛନ୍ତି। ଏସଡ଼ିପିଓ ଏବଂ ଫାଣ୍ଡି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସୂଚନା ଥାଉକି ଲକଡ଼ାଉନ ପ୍ରାରମ୍ଭରୁ ବାଲୁଗାଁ ଏସଡ଼ିପିଓ ଅସହାୟଙ୍କ ନିମନ୍ତେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ରାସନ ସହ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ଖାଦ୍ୟ ସାମଗ୍ରୀ ପାଇ ଯୋଗେନ୍ଦ୍ରଙ୍କ ପରିବାର ବର୍ତ୍ତମାନ ବେଶ୍ ଖୁସି ହୋଇପଡିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ, ଚିଲିକା ବିଡ଼ିଓ, ବାଲୁଗାଁ ଏସଡ଼ିପିଓଙ୍କୁ ଅନ୍ତରରୁ ଧନ୍ୟବାଦ ଦେଇଛନ୍ତି।

Categories
ଆଞ୍ଚଳିକ

ଦୁଇଟି ପଥର ବୋଝେଇ ଗାଡିକୁ ଜବତ କଲେ ବାଲୁଗାଁ ଏସଡିପିଓ: ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଦୁଇଟି ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏହି ଦୁଇ ଗାଡିକୁ ଜବତ କରି ଟାଙ୍ଗୀ ତହସିଲକୁ ଜିମା ଦେଇଛନ୍ତି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଜିଲ୍ଲାପାଳଙ୍କ ଗସ୍ତ ନିମନ୍ତେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ନିକଟରେ ଦୁଇଟି ପଥର ବୋଝଇ ହାଇୱାକୁ ଜବତ କରିଥିଲେ। ଗୋଟାଏ ଗାଡିର ୱାୟୀ ଫର୍ମ ନଥିବାବେଳେ ଅନ୍ୟ ଗାଡିଟି ଓଭରଲୋଡ଼ ସହ ବିପଦ ସଂକୁଳ ଅବସ୍ଥାରେ ବଡ ବଡ ପଥର ନେଇ ଯାଉଥିଲା। ଦୁଇ ଗୋଟି ଗାଡିକୁ ଟାଙ୍ଗୀ ତହସିଲ ଜିମ୍ମା ଦେଇଥିଲେ ଏସଡ଼ିପିଓ।

ତେବେ ଉଭୟ ଗାଡ଼ିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ।

ସେହିପରି ଭାବେ ଆଜି ମଧ୍ୟାହ୍ନରେ ସଟ ଡ଼ାଉନ ନିୟମ ଉଲଂଘନ କରି ବାଲୁଗାଁ କଲେଜ ନିକଟରେ ଏକ ଚିଙ୍ଗୁଡ଼ି ଗୋଦାମ ଖୋଲା ଥିବାବେଳେ ସେଠାରେ ପ୍ରବଳ ଭିଡ ମଧ୍ୟ ହୋଇଥିଲା। ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ ଉକ୍ତ ଗୋଦାମରେ ଚଢ଼ାଉ କରି ଦୋକାନିକୁ ଏନଏସିକୁ ଜିମ୍ମା ଦେଇଥିଲେ। ତେବେ ସମ୍ପୃକ୍ତ ଦୋକାନୀଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କ ବଡ ପଦକ୍ଷେପ: ବିବାହ କାର୍ଯ୍ୟ ଲାଗି ନିୟମରେ ହେଲା ପରିବର୍ତ୍ତନ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା।

ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା।

ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ ଏବଂ ବିବାହରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସୂଚୀ ଦାଖଲ କରିବାକୁ ପଡିବ। ଆଉ ଆଫିଡେଭିଟ ଦେବାକୁ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  ଏସଡ଼ିପିଓଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜନସାଧାରଣମାନେ ବହୁ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛଦ୍ମବେଶ ଧରି ବାଣପୁର ମଦ ଦୋକାନରେ ଚଢାଉ କଲେ ଏସଡିପିଓ: ମୋଟା ଅଙ୍କର ଆଦାୟ କଲେ ଜରିମାନା

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ରାଜ୍ୟରେ ଲକଡ଼ାଉନ ଜାରି ରହିଥିବାବେଳେ ମଦକୁ କେବଳ ହୋମ ଡେଲିଭେରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଦ ଦୋକାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି।

ଏହି ବିଦେଶୀ ମଦ ଦୋକାନରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ପରେ ଆଜି ବାଲୁଗାଁ ଏସଡିପିଓ ସତ୍ୟତା ଜାଣିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜ ବେଶ ବଦଳାଇ ଉକ୍ତ ଦୋକାନରେ ମଦ କିଣିବା ପାଇଁ ପହଞ୍ଚିଥିଲେ।

ଏହା ପୂର୍ବରୁ ଶକ୍ତି ସିନେମା ହଲ ନିକଟରେ ପାଖାପାଖି ଅପରାହ୍ନ ୧.୩୦ ମିନିଟ ସମୟରେ  ବାଣପୁର ଥାନାକୁ ଏନ୍ଫୋର୍ସମେଣ୍ଟ ପାଇଁ ଆସିଥିବା ଦୁଇ ଜଣ ନୂଆ ସିଏସଆଇଙ୍କୁ ଡକାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯୋଜନା ମୁତାବକ ଆଜି ଅପରାହ୍ନ ୨ ଘଟିକା ସମୟରେ ସମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ଏସଡ଼ିପିଓ ହେଲମେଟ ପିନ୍ଧି ସାଧା ପୋଷାକରେ ଯାଇ ସମ୍ପୃକ୍ତ ମଦ ଦୋକାନ ନିକଟରେ ପହଞ୍ଚିଥିଲେ।

ଏସଡ଼ିପିଓ ଛଦ୍ମ ବେଶରେ ଦୋକାନ ନିକଟରେ ବସିଥିବାବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଦୋକାନୀଙ୍କୁ ମଦ ମାଗିବାପାଇଁ ଉଦ୍ୟମ ହେବାପୂର୍ବରୁ ସେଠି ଖୋଲାଖୋଲି ମଦ ବିକ୍ରି ହେଉଥିବାର ଦେଖିବାକୁ ପାଇଥିଲେ। ଏହା ପୋଲିସ ପାଇଁ ଆହୁରି ସହଜ ହୋଇପଡ଼ିଥିଲା। ଯୋଜନା ଅନୁଯାୟୀ ଆଉ ଦୋକାନୀଙ୍କଠାରୁ ମଦ ନକିଣି ଦୋକାନୀ ଗ୍ରାହକଙ୍କୁ ମଦ ଦେବା ସମୟରେ ଏସଡ଼ିପିଓ ପ୍ରମାଣ ସ୍ୱରୂପ ଏହାର ଭିଡିଓ ରେକର୍ଡ଼ିଂ କରିବା ସହ ପରିଶେଷରେ ନିଜ ପରିଚୟ ପ୍ରକାଶ କରିଥିଲେ।

ଏହାପରେ ସେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଘଟଣା ସ୍ଥଳକୁ ଡକାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ଏନଏସି ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସଦାବେଳେ ବାଲୁଗାଁ ଏସଡ଼ିପିଓ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏସଡ଼ିପିଓ ଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ତେବେ ଆସନ୍ତାକାଲିଠାରୁ ବାଣପୁର ଏବଂ ବାଲୁଗାଁରେ ଲକଡ଼ାଉନ ନିୟମ ଉଲଂଘନ କରୁଥିବା ଦୋକାନୀ ଏବଂ ନିୟମକୁ ନମାନି ଲୁଚିଛପି ବେପାର କରୁଥିବା ବିଭିନ୍ନ ଦୋକାନୀମାନଙ୍କ ଉପରେ ଏହିପରି ଛଦ୍ମବେଶ ରେ ଚଢ଼ାଉ ଆରମ୍ଭ ହେବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ: ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ ଏବଂ ଚିଲିକା ପ୍ରଶାସନର ସହଯୋଗରେ ମୃତବ୍ୟକ୍ତିଙ୍କ ସସମ୍ମାନେ ଶବସତ୍କାର କରାଯାଇଛି।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ଘର ହୋଇଥିବାରୁ ପୁଅ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାଏ ସେଥିରେ ମା ପୁଅ ଚଳନ୍ତି। ତେବେ ଗତକାଲି ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ମୁତାବକ, ଦିବାକରଙ୍କୁ ଦୀର୍ଘ ଦିନ ଧରି ଜ୍ୱର ହେଉଥିଲା।  ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ତାଙ୍କୁ ଔଷଧ ଯୋଗାଇଦିଆଯାଇଥିଲା ଏବଂ କୋଭିଡ ଟେଷ୍ଟ ପାଇଁ କୁହାଯାଇଥିଲା। ହେଲେ ସେ ଟେଷ୍ଟ ନକରି ଘରକୁ ପଳାଇଯାଇଥିଲେ।

ଅପରାହ୍ନରେ ସେ ଗାଁ ରେ ଠିଆ ହୋଇଥିଲା ସମୟରେ ହଠାତ ଟଳିପଡ଼ିଥିଲେ। ଏ ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବାରୁ ତାଙ୍କୁ ୧୦୮ ଯୋଗେ ବାଲୁଗାଁ ମେଡିକାଲ ଅଣାଯାଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ।

ତେବେ କରୋନା ସନ୍ଦେହରେ ଦିବାକରଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ। ଏପରିକି ଶବ ସତ୍କାର ପାଇଁ ମଧ୍ୟ ଗ୍ରାମବାସି ବିରୋଧ କରିବାରୁ ପାଖାପାଖି ଦୀର୍ଘ ୬ ଘଣ୍ଟା ନିଜ ବାଢୁଅ ପୁଅର ଶବକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ତାଙ୍କ ମା କାନ୍ଦୁଥିବାର ଦେଖାଯାଇଥିଲା।

ଏ ଖବର ପାଇ ଆମ ପ୍ରତିନିଧି ତୁରନ୍ତ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଁଚି ମୃତକଙ୍କ ମା’ ଙ୍କୁ ଆଶ୍ୱାସନା ଦେଇଥିଲେ।  ତେବେ ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ଦିବାକରଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଆଖୁପୋଖରିଆ ସ୍ମଶାନ ଠିକ ହୋଇଥିଲା ଏବଂ ଶବ ଦାହ ନିମନ୍ତେ ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯାଇଥିଲା।

ହେଲେ ଏ ସବୁ କାର୍ଯ୍ୟ ହେଲା ବେଳକୁ ରାତି ୧୨ଟା ବାଜିଯାଇଥିଲା। କୋଭିଡ ସନ୍ଦେହରେ ଦିବାକରଙ୍କ ଶବ ସତ୍କାର ନିମନ୍ତେ କେହି ବି ଆଗକୁ ନଆସିବାରୁ ଖୋଦ ବାଲୁଗାଁ ଏସଡ଼ିପିଓ ପିପିଇ କିଟ ପିନ୍ଧି ସ୍ଥାନୀୟ ସମାଜସେବୀ ଜୀନା ପଣ୍ଡା, ସାମ୍ବାଦିକ ଶକ୍ତି ମହାପାତ୍ର ଏବଂ ମେଡିକାଲ କର୍ମଚାରୀ ଦିଲ୍ଲୀପ ବେହରାଙ୍କ ସହଯୋଗରେ ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରିଥିଲେ।

ଅନ୍ୟପକ୍ଷରେ ବାଲୁଗାଁ ଥାନାଧିକାରୀ ରାତି ତମାମ ଶବ ସତ୍କାର ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ମଶାନ ରେ ପ୍ରହରା ଦେଇଥିଲେ। ତେବେ ପ୍ରଶାସନର ଏପରି କାର୍ଯ୍ୟକୁ ସମସ୍ତେ ଭୂୟାଁସୀ ପ୍ରଶଂସା କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ବଦାନ୍ୟତାକୁ ସାଧୁବାଦ ଜଣାଇଛନ୍ତି।  ପ୍ରାୟତଃ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଜନସାଧାରଣଙ୍କ ଆକ୍ରୋଶ ମନୋଭାବ ରହୁଥିବାବେଳେ ଏହି ଘଟଣା ଉଭୟ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅନୁରୂପ ଭାବେ ଦିବାକରଙ୍କ ମା’ ଗରିବ ଅସହାୟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ଥଇଥାନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟବସ୍ଥା କରାଗଲେ ସେ ଉପକୃତ ହୋଇପାରନ୍ତେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କୁ ସହାୟ ହେବେ ବାଲୁଗାଁ ଏସଡିପିଓ: ଜାରି କଲେ ହେଲ୍ପଲାଇନ ନମ୍ବର

ସୀତାରମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।

କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ  ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏଥର ଆଉ ନିସ୍ତାର ନାହିଁ: ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଦିନକୁ ଦିନ ଟାଙ୍ଗୀ ତହସିଲ ଅଂଚଳରେ ପଥର ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। କେତେବେଳେ ତହସିଲଦାର ତ କେତେବେଳେ ରାଜସ୍ୱ ନୀରିକ୍ଷକ ପଥର ମାଫିଆମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ହେଲେ ମାଫିଆମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବେଆଇନ ପଥର ଖଣିର ଉପରେ ଚଢାଉ କରିଛି। କୁହୁଡି ତଳ ଗଡ ମୌଜାରେ ଚଢାଉ କରି ଜିଲ୍ଲା ପ୍ରଶାସନ ୪ ଟି ମାଟି ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିଛି। ଟାଙ୍ଗୀ ତହସିଲଦାର ଯୁଗଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟ୍ୟାୟ ଏହି ଚଢାଉରେ ସାମିଲ ଥିଲେ।

ପଥର ମାଫିଆ ମାନେ ବେଧଡକ ଦିନ ଦ୍ୱିପ୍ରହରରେ ମାଟି ଲୁଟି ନେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଛି। ଏହାସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ତେଣୁ ଏଭଳି ଚଢାଉ ଆଗକୁ ଜାରି ରଖିବେ ବୋଲି ଖଣି ମାଫିଆମାନଙ୍କୁ ବାଲୁଗାଁ ଏସ୍ ଡି ପି ଓ ମାନସ ରଂଜନ ବାରିକ କଡା ସନ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ଚାଲାଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବେଆଇନ ଗୋରୁ ଚାଲାଣ ମାଫିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୋଲିସ ହାତରେ ଧରା ପଡ଼ିଛି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିଲା।

ତେବେ ଆଜି ସକାଳେ ଉକ୍ତ ମାଫିଆ ଗ୍ୟାଙ୍ଗର କିଙ୍ଗପିନ ନେହେରୁ ଖାନ(୩୭ )ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଟାଙ୍ଗୀ ଥାନା ତାଙ୍କ ବିରୋଧରେ କେସ ନମ୍ବର ୧୨୬/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଘଟଣାର ଲିଙ୍କ ସାରା ରାଜ୍ୟରେ କେଉଁଠି କେଉଁଠି ଅଛି ତାହାର ଅନୁସନ୍ଧାନ ପୋଲିସ ଜାରି ରଖିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ବଡ଼ି ଭୋରରୁ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ବାଲୁଗାଁ ଏସଡ଼ିପିଓ କୁହୁଡି ଛକରୁ ଏକ ବେଆଇନ ଗୋରୁ ଚାଲାଣ ହେଉଥୁବା ବୋଲେରୋ ପିକ ଅପ ଭ୍ୟାନକୁ ଧରି ତନ୍ମଧ୍ୟରୁ ୧୦ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡି ଡ୍ରାଇଭର ସାଜିଦ ଖାନଙ୍କୁ ଗିରଫ କରିଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ବେଆଇନ ଗୋରୁ ଚାଲାଣ ରୋକିବାକୁ ବାଲୁଗାଁ ଏସଡିପିଓଙ୍କୁ ଦାବି ଜଣାଇଲା ବଜରଙ୍ଗ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧିକୁ ନେଇ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ଚିନ୍ତା ପ୍ରକଟ କରିଛି। ଗୋରୁଙ୍କ ସୁରକ୍ଷା ପାଇଁ ବଜରଙ୍ଗ ଦଳ ଆଜି ବାଲୁଗାଁ ଏସଡିପିଓ ମନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ହିନ୍ଦୁ ସଂସ୍କୃତି ହେଉଛି ବିଶ୍ଵର ସର୍ବ ପୁରାତନ ସଂସ୍କୃତି। ହିନ୍ଦୁମାନେ ଗାଈଙ୍କୁ ଦେବତା ରୂପେ ପୂଜା କରନ୍ତି। ତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ। ଗାଈଙ୍କଠାରୁ ମନୁଷ୍ୟ ସମାଜ ସବୁକିଛି ପାଇଥାଏ। ମନୁଷ୍ୟର ଦୈନଦିନ ଜୀବନରେ ଗାଈର କ୍ଷୀରଠାରୁ ଆରମ୍ଭ କରି ଗୋବର ପର୍ଯ୍ୟନ୍ତ ସବୁ ଜିନିଷ କାମରେ ଆସିଥାଏ।

ଏଇ ସଂସାରରେ ଗାଈ ଏମିତି ଏକ ଜନ୍ତୁ, ଯିଏ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଅମ୍ଳଜାନ ମଧ୍ୟ ତ୍ୟାଗ କରିଥାଏ। ଗାଈର ମୁତ୍ରରେ ଏକ ଔଷଧୀୟ ଗୁଣ ଥାଏ, ଯାହା କର୍କଟ ପରି ମାରାତ୍ମକ ରୋଗ ଦାୟୁରୁ ଲୋକଙ୍କୁ ରକ୍ଷା କରାଯାଇପାରେ ବୋଲି ମଧ୍ୟ ଦାବି କରାଯାଏ।

ହେଲେ ଏହି ଅଞ୍ଚଳରେ ଗୋରୁ ଚାଲାଣ କରାଯାଇ ପଶ୍ଚିମବଙ୍ଗ ଦେଇ ବଙ୍ଗଳାଦେଶକୁ ଯାଉଥିବା ବଜରଙ୍ଗ ଦଳ ପୋଲିସ ନିକଟରେ ଅଭିଯୋଗ କରିଛି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବହୁମାତ୍ରାରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ହୋଇ ବଙ୍ଗଳାଦେଶକୁ ଯାଉଛି। ଯେତେବେଳେ ସେମାନଙ୍କର କାର୍ଯ୍ଯକର୍ତ୍ତା ଖବର ପାଇ ବେଆଇନ ଚାଲାଣ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରନ୍ତି, ସେମାନେ ଗାଡ଼ି ଛାଡି ଚାଲିଯା’ନ୍ତି। ବେଳେବେଳେ ଗୋରୁ ଚାଲାଣକାରୀମାନେ ମଧ୍ୟ ଧାରୁଆ ଆସ୍ତ୍ରରେ ଆକ୍ରମଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖ ରାତି ୧.୨୨ ମିନିଟରେ କିଛି ଦୁର୍ବୃତ୍ତ ଗୋପୀନାଥପୁର ଛକ ନିକଟରେ ବୁଲୁଥିବା ଗୋରୁଙ୍କୁ ଚାଲାଣ କରିବା ଲାଗି ପ୍ରୟାସ କରୁଥିଲେ। ହେଲେ କିଛି ସ୍ଥାନୀୟ ଲୋକ ଏହା ଜାଣି ପାରି ଦୁର୍ବୃତ୍ତଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗିଥିଲେ। ଯାହାଫଳରେ ସେମାନେ ଘଟଣାସ୍ଥଳରୁ ଦୌଡିପଳାଇ ଯାଇଥିଲେ। ଏସବୁ ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ସଂଗଠନ ପ୍ରକାଶ କରିଛି।

ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏଭଳି ବେଆଇନ ଚାଲାଣ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ନିବେଦନ କରିଛି ବଜରଙ୍ଗ ଦଳ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବାଲୁଗାଁ ଏସଡିପିଓ ଏବଂ ବାଲୁଗାଁ ଆଇଆଇସିଙ୍କ ନିକଟରେ ସଂଗଠନ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜାତୀୟ ରାଜପଥରେ ସହାୟତା ନିମନ୍ତେ ବାଲୁଗାଁ ଏସଡ଼ିପିଓ ଜାରି କଲେ ଜରୁରୀକାଳୀନ ନମ୍ବର

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗୀରୁ ନାଭାଲ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତି ବଢ଼ୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି।

ଅସୁବିଧା ସମୟରେ ଯେ କୌଣସି ବ୍ୟକ୍ତି ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇପାରିବେ। ଟାଙ୍ଗୀ ଠାରୁ ନାଭାଲ ଜାତୀୟ ରାଜପଥ ମଧ୍ୟରେ ଯଦି କୌଣସି ଯାତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥା ଚୋରି, ଡକାୟତି ଅବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଏସଡ଼ିପିଓ।

ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ତେବେ ଜାତୀୟ ରାଜପଥରେ ପୋଲିସର ତୁରନ୍ତ ସହାୟତା ପାଇଁ ଉକ୍ତ ଉପାୟ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।