Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ରୁ ଇସ୍ତଫା ଦେଲେ ବଳଭଦ୍ର ମାଝି: ଦଳ ଉପରେ ଆଣିଲେ ଏହି ଅଭିଯୋଗ

ଭୁବନେଶ୍ଵର: ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଜେଡି ରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବଳଭଦ୍ର ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ଉପରେ ସେ ଅବହେଳା ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବିଜେଡ଼ି ପ୍ରତିଷ୍ଠା ହେବା ଦିନଠାରୁ ବଳଭଦ୍ର ମାଝି ଦଳ ସହ ଥିଲେ। ସେ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ ଥର ବିଧାୟକ ରହିଛନ୍ତି। ଜନତା ଦଳରୁ ଥରେ ବିଧାୟକ ହୋଇଥିବାବେଳେ ବିଜେଡି ଟିକେଟରେ ସେ ୪ ଥର ବିଧାୟକ ହୋଇଥିଲେ। ତେବେ ୨୦୧୯ରେ ବଳଭଦ୍ରଙ୍କୁ ବିଜେଡ଼ି ଟିକେଟ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ବପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା। ସେହିଦିନ ଠାରୁ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା ବୋଲି କୁହାଯାଉଥିଲା।
Categories
ଆଜିର ଖବର ରାଜ୍ୟ ଖବର

ନୂଆ ବରଷରେ ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଦଳୀୟ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଆଜି ବିଜେଡି ଦୁଇ ଜଣ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି।

ସେହି ଅନୁସାରେ ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କୁ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେଗୁଡିକ ହେଲା ତେଲକୋଇ ଏବଂ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ।

ସେହିପରି ବାଲିଆପାଳର ନେତା ଦେବ କୁମାର ଦେ ଙ୍କୁ ବାଲେଶ୍ବର ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା କିଛି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରାଯାଇଛି।

ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ-ସମ୍ବଲପୁର ଏନ୍‌ଏଚ୍‌-୫୫ର ଦୁରବସ୍ଥାକୁ ନେଇ ବର୍ଷିଲା ବିଜେଡ଼ି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁ ଯନ୍ତା ପାଲଟିଛି।

ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍ଏଚ୍ ଯାଇଥିଲେ ହେଁ ସେ ମଧ୍ୟ ପାଟି ଫିଟାଉ ନାହାନ୍ତି। ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁ ଆମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ ଯେ ଏନ୍ଏଚ୍-୫୫ ଏବେ ଦେଶର ସବୁଠାରୁ ବିପଦ ସଂକୁଳ ରାଜପଥରେ ପରିଣତ ହୋଇଛି।

ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯା’ଆସ କରୁଛନ୍ତି। ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ହଜାରହଜାର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି।

ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ୧୫/୨୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଲାଗୁଛି। ଫଳରେ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।

କେବଳ ସେତିକି ନୁହେଁ, ଏନ୍ଏଚ୍-୫୫ ଦେଇ ରୋଗୀଙ୍କୁ ନେଇଏସ୍ସିବି, ଏମ୍ସ କିମ୍ବା କଟକ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସ ଗୁଡ଼ିକ ମଧ୍ୟ ରାସ୍ତା ଖରାପ ଯୋଗୁଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି କିମ୍ବା ରାସ୍ତାଜାମରେ ଫସିଯାଉଛି।

ଫଳରେ ବେଳେ ବେଳେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯାଉଛି। ଏହି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟି ଯାଇଛି। ପ୍ରତିଦିନ ହାରାହାରି ୨ଟି ମୁଣ୍ଡ ଗଡ଼ୁ ଥିବା ବେଳେ ୧୦/୧୫ ଜଣ ଆହତ ହେଉଛନ୍ତି। ଅଥଚ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଓ ବିପଦ ମଧ୍ୟରେ ଛାଡ଼ିଦେଇ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି।

ଶ୍ରୀଦାସ ଆହୁରି କହିଲେ ଯେ ନିକଟରେ ଅନୁଗୁଳ ଜିଲ୍ଲାର ରୋଡ଼ ସେଫ୍ଟି କମିଟିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା।କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ମହୋଦୟ ଜାତୀୟ ରାଜପଥ ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି ଦେଇଥିଲେ।

ଏହି ବୈଠକରେ ଯାତ୍ରୀ ସୁରକ୍ଷା ଏବଂ ଏନ୍ଏଚ୍-୫୫ ମରାମତି କେବେ ସରିବ ସେ ନେଇ ଆଲୋଚନା ହେବାର ଥିଲା। ମାତ୍ର ଏନ୍ଏଚ୍ ଅଧିକାରୀମାନେ ବେପରୁଆ ମନୋଭାବ ଦେଖାଇ ବୈଠକକୁ ଆସିଲେ ନାହିଁ।

ଏମାନଙ୍କଚମଡ଼ା ଏତେ ମୋଟା ହୋଇଗଲାଣି ଯେ ଲକ୍ଷଲକ୍ଷ ଲୋକ ସମସ୍ୟାରେ ପଡ଼ୁଥିଲେ ମଧ୍ୟ ଏଥି ପ୍ରତି ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ କୌଣସି ନିଘା ନାହିଁ। ତେବେ ୧୫ ଦିନଭିତରେଏନ୍ଏଚ୍ ମରାମତି କାର୍ଯ୍ୟ ଶେଷ ନ ହେଲେ ଏନ୍ଏଚ୍ଏଆଇ ବିରୋଧରେ ମାମଲା ରୁଜୁ ହେବ ବୋଲି ରୋଡ଼ ସେଫ୍ଟି କମିଟି ବୈଠକରେ ଚେତାବନୀ ଦିଆଯାଇଛି।

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିଲେ ହେଁ କିଛି ପଦକ୍ଷେପ ନ ନେଇ ସେ ବି କ’ଣ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି କି ବୋଲି ଶ୍ରୀଦାସ ପ୍ରଶ୍ନ କରିଥିଲେ ଏବଂ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ଓଡ଼ିଶା ବିରୋଧୀ ବେପରୁଆ ମନୋଭାବକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ଚେତାଇ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ମିଡିଆ ପେନାଲିଷ୍ଟ ସୋଫିଆ ଆଲାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ରବାବୁ ନିଜ ଅଞ୍ଚଳର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁ ନାହାନ୍ତି? ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ କ’ଣ ପାଇଁ କିଛି ଠୋସ୍ ପଦକ୍ଷେପ ନେଉ ନାହାନ୍ତି?

୭ ବର୍ଷ ହେଲା ଏହି ଏନ୍ଏଚର ମରାମତି କାର୍ଯ୍ୟ ଚାଲିଥିବା ବେଳେ ତୁରନ୍ତ ଏହି କାର୍ଯ୍ୟ ସାରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ରବାବୁ ଚେଷ୍ଟା କରିବେ ବୋଲି ସୋଫିଆ ଆଶା ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଣ ବିକାଶ ହୋଇଛି ହିସାବ ନିଅ ବିରୋଧୀ ଦଳ, ଏପରି କାହିଁକି କହିଲା ବିଜେଡି

ଭୁବନେଶ୍ୱର: ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି। ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି। ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ସୋଫିଆ ଆଲାମ।

ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି। ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି ଏବଂ କ୍ରମାଗତ ଭାବେ ୧୧.୫% ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି।

ସିଏମ୍‌ଆଇଇ କ୍ୟାପେକ୍ସ ଡାଟାବେସ୍ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି।

ଏହା ଆର୍ଥିକ କ୍ଷେତ୍ରରେ ରାଜ୍ୟର ବଢୁଥିବା ବିଶ୍ୱସନୀୟତା ଏବଂ ଆକର୍ଷଣର ପ୍ରମାଣ। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିବା ବେଳେ ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି ଏବଂ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି। ଏହି ବିପୁଳ ଅଭିବୃଦ୍ଧି ଭାରତର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି।

ଭାରତରେ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଝାଡ଼ଖଣ୍ଡକୁ ୧.୩୬ ଗୁଣ ପଛରେ ପକାଇ ଆଗରେ ଥିବାବେଳେ ଛତିଶଗଡ଼ ପଛକୁ ରହିଛି। ଏହି ଚମତ୍କାର ସଫଳତା ଓଡ଼ିଶାକୁ ଦେଶର ଇସ୍ପାତ ଶିଳ୍ପରେ ଏକ ପ୍ରମୁଖ ଖେଳାଳି ଭାବେ ସ୍ଥାନିତ କରିଛି। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ସବୁଠାରୁ ଆଗରେ ରହିଛି। ବିଜେଡି ସରକାର ୨୦୨୧-୨୨ ସୁଦ୍ଧା ପ୍ରାୟ ୧୧ ହଜାର ଏକର ପରିମିତ ଅଞ୍ଚଳ ଓ ୧୫୦୦ରୁ ଅଧିକ ନିର୍ମିତ ସେଡ୍ ସହ ରେକର୍ଡ ୧୨୦ଟି ଶିଳ୍ପାଞ୍ଚଳ(ଆଇଇ)/ଏରିଆ/ପାର୍କ, ଥିମ୍ ପାର୍କ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି।

ବିଗତ ୨୩ ବର୍ଷରେ ଓଡ଼ିଶାର ଇସ୍ପାତ ଉତ୍ପାଦନ ୧୫ ଗୁଣା ବୃଦ୍ଧି ପାଇଛି। ବାର୍ଷିକ ୨.୧ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ରୁ ୩୧.୪ ଏମଏମଟିପିଏରେ ପହଞ୍ଚିଛି। ଆଲୁମିନା ଉତ୍ପାଦନ ୦.୮ରୁ ୬.୫ ଏମଏମଟିପିଏ ପର୍ଯ୍ୟନ୍ତ ୮ ଗୁଣ ବୃଦ୍ଧି ପାଇଛି। ଆଲୁମିନିୟମ ଉତ୍ପାଦନ ୦.୩୪୫ରୁ ୭.୫ ଗୁଣ ବୃଦ୍ଧି ପାଇ ୨.୬ ଏମଏମଟିପିଏ ହୋଇଛି।

ସିମେଣ୍ଟ ଉତ୍ପାଦନ ୨୨.୫ ଗୁଣ ବୃଦ୍ଧି ପାଇ ୧.୦ ରୁ ୨୨.୫ ଏମଏମଟିପିଏରେ ପହଞ୍ଚିଛି। ବନ୍ଦର କ୍ଷମତା ୨୦.୫ ଏମଏମଟିପିଏରୁ ୧୭୬ ଏମଏମଟିପିଏ ପର୍ଯ୍ୟନ୍ତ ୮.୬ ଗୁଣ ବୃଦ୍ଧି ପାଇଛି। ଶକ୍ତି କ୍ଷମତା ୩.୫ ଗୁଣ ବୃଦ୍ଧି ପାଇ ୫୦୦୯ ମେଗାୱାଟ ରୁ ୧୭,୬୮୫ ମେଗା ୱାଟ୍ ରେ ପହଞ୍ଚିଛି।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଯେଉଁ ବ୍ୟାପକ ପରିବର୍ତନ ଦେଖିଛି ଏବଂ ବିଶ୍ୱସ୍ତରୀୟ ସୁବିଧାର ବିକାଶ ଓ ପ୍ରଗତି ଚାଲିଛି, ଶିଳ୍ପାୟନ ଓ ଏହା ଦ୍ୱାରା ରାଜ୍ୟ ପାଇଁ ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି ଏହା ହେଉଛି ତାହାର ଏକ କ୍ଷୁଦ୍ର ଝଲକ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ।

କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ୱସ୍ତରରେ ବଦନାମ କରିବା ପାଇଁ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତିଙ୍କ ସହ ଆଲାମ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆନନ୍ଦ ଭବନରୁ ଶଙ୍ଖ ଭବନ: ପ୍ରତିଷ୍ଠା ଦିବସରେ ବିଜେଡି କରିବ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ସ୍ଥିତ ବିଜୁ ବାବୁଙ୍କ ଏନ୍ତୁଡ଼ିଶାଳ ‘ଆନନ୍ଦ ଭବନ’ ଠାରୁ ଭୁବନେଶ୍ବର ‘ଶଙ୍ଖ ଭବନ’ ପର୍ଯ୍ୟନ୍ତ ବିଶାଳ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିଜେଡି ଲୋକଙ୍କ ବଳ ବୋଲି ଏହି ସାଇକେଲ ରାଲିରେ ପ୍ରଚାର କରାଯିବ। ଏହା ସକଳା ଆଠଟାରୁ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ସମସ୍ତ ଯୁବକ ସାମିଲ ହେବା ପାଇଁ ଦଳ ତରଫରୁ ଆହ୍ବାନ କରାଯାଇଛି।

ଏହାପୂର୍ବରୁ ଶଙ୍ଖ ଭବନ ଠାରୁ ଏକ ପ୍ରତୀକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତୀକ ସାଇକେଲ ଶୋଭାଯାତ୍ରାରେ ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ସମେତ ଆମ ଯୁବ ଓ ଛାତ୍ର ସଂଗଠନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଇଲେକ୍ଟୋରାଲ ବଣ୍ଡରୁ ୫ଟି ଆଞ୍ଚଳିକ ଦଳକୁ ମିଳିଲା ୧୨୪୩ କୋଟି ଟଙ୍କା, ଜାଣନ୍ତୁ କିଏ କେତେ ପାଇଲେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଆଉ ମାତ୍ର ୨-୩ ମାସ ବାକି ଅଛି । ଏହା ପୂର୍ବରୁ ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ସାମ୍ନାକୁ ଆସିଛି । ସଦ୍ୟତମ ଅଡିଟ୍ ରିପୋର୍ଟ ଅନୁଯାୟୀ, ଇଲେକ୍ଟୋରାଲ ବଣ୍ଡ ଜରିଆରେ ୫ଟି ଆଞ୍ଚଳିକ ଦଳମୋଟ ୧୨୪୩ କୋଟି ଟଙ୍କା ପାଇଛନ୍ତି।

ଏହି ଦଳଗୁଡ଼ିକ ମଧ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ), ତୃଣମୂଳ କଂଗ୍ରେସ, ଡିଏମକେ, ବିଜୁ ଜନତା ଦଳ (ବିଜେଡି) ଏବଂ ଓ୍ଵାଇଏସ୍ଆର୍ ରହିଛନ୍ତି । ଏହା ୨୦୨୧-୨୨ରେ ସଂଗ୍ରହ କରାଯାଇଥିବା ୧୩୩୮ କୋଟି ଟଙ୍କା ତୁଳନାରେ କମ୍ ହୋଇଥିବାବେଳେ ବିଆରଏସ ଏହି ସମୟ ମଧ୍ୟରେ ବଣ୍ଡ ତୁଳନାରେ ୩.୪ ଗୁଣ ଅଧିକ ସଂଗ୍ରହ କରିଛି।

ଇଲେକ୍ଟୋରାଲ ବଣ୍ଡରୁ କେଉଁ ଦଳକୁ କେତେ ଫାଇଦା

ଇଲେକ୍ଟୋରାଲ ବଣ୍ଡ ସହାୟତାରେ ୨୦୨୨-୨୩ରେ ତୃଣମୂଳ କଂଗ୍ରେସ ୯୭%, ଡିଏମକେର ୮୬%, ବିଜେଡି ୮୪%, ୱାଇଏସଆର କଂଗ୍ରେସର ୭୦% ଏବଂ ବିଆରଏସର ୭୧% ବୃଦ୍ଧି ପାଇଛି । ଜାତୀୟ ଦଳ ପାଲଟିଥିବା ଆମ୍ ଆଦମୀ ପାର୍ଟି (ଆପ୍) ୨୦୨୨-୨୩ରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୩୬.୪ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୨୦୨୧-୨୨ରେ ଏହା ୨୫.୧ କୋଟି ଟଙ୍କା ଥିଲା।

ଏହାର ମୋଟ ଆୟ ୨୦୨୧-୨୨ରେ ୪୪.୫ କୋଟି ଟଙ୍କା ଥିବା ବେଳେ ୨୦୨୨-୨୩ ରେ ଏହା ୮୫.୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହି ସମୟ ମଧ୍ୟରେ ଏହାର ବାର୍ଷିକ ଖର୍ଚ୍ଚ ୩୦.୩ କୋଟି ଟଙ୍କାରୁ ୧୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଆପ୍‍ର ସାଧାରଣ ପ୍ରଚାର ଖର୍ଚ୍ଚ ୨୦୨୨-୨୩ରେ ୩୩୦% ବୃଦ୍ଧି ପାଇ ୫୮.୮ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୨-୨୩ରେ ଦିଲ୍ଲୀ ଓ ପଞ୍ଜାବରେ ଶାସକ ଦଳ ପାଇଁ ସର୍ବସାଧାରଣ ପ୍ରଚାର ଓ ସର୍ଭେ ପାଇଁ ୨୩.୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

୨୦୨୨-୨୩ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ପାଞ୍ଚଟି ଆଞ୍ଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟ:

ବିଆରଏସ ସର୍ବାଧିକ ଆୟ ୭୩୭.୭ କୋଟି ଟଙ୍କା (୨୦୨୧-୨୨ରେ ୨୧୮ କୋଟି ଟଙ୍କାରୁ ହ୍ରାସ), ତୃଣମୂଳ କଂଗ୍ରେସ ୩୩୩.୪ କୋଟି ଟଙ୍କା (୫୪୫.୭ କୋଟି ଟଙ୍କାରୁ ହ୍ରାସ), ଡିଏମକେ ୨୧୪.୩ କୋଟି ଟଙ୍କା (୩୧୮.୭ କୋଟି ଟଙ୍କାରୁ ହ୍ରାସ), ବିଜେଡି ୧୮୧ କୋଟି ଟଙ୍କା (୩୦୭ କୋଟି ଟଙ୍କାରୁ ହ୍ରାସ) ଏବଂ ୱାଇଏସଆର କଂଗ୍ରେସ (୯୪.୭ କୋଟି ଟଙ୍କାରୁ ହ୍ରାସ) ୧୦୦ କିଲୋମିଟର/ସେକେଣ୍ଡରୁ କମ୍ ଆୟ ଘୋଷଣା କରାଯାଇଛି ।

୨୦୨୨-୨୩ରେ ତୃଣମୂଳ କଂଗ୍ରେସର ସର୍ବାଧିକ ୧୮୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୱାଇଏସଆର କଂଗ୍ରେସର ୭୯.୩ କୋଟି ଟଙ୍କା, ବିଆରଏସର ୫୭.୫ କୋଟି ଟଙ୍କା, ଡିଏମକେର ୫୨.୬ କୋଟି ଟଙ୍କା ଏବଂ ବିଜେଡିର ୯.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଇଲେକ୍ଟୋରାଲ ବଣ୍ଡ ଯୋଜନାର ଅଧିକାଂଶ ହିତାଧିକାରୀ ବିରୋଧୀଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ ଯୋଜନାରୁ ସବୁଠାରୁ ଅଧିକ ଫାଇଦା ପାଇଥିବା ଦଳ ଥିଲା ବିଆରଏସ। ନିକଟରେ ତେଲେଙ୍ଗାନାରେ ସରକାରରୁ ହଟାଇ ଦିଆଯାଇଥିବା ଏହି ଦଳ ୨୦୨୨-୨୩ରେ ବଣ୍ଡରୁ ୫୨୯ କୋଟି ଟଙ୍କା ପାଇଥିଲା, ଯାହା କି ଗତବର୍ଷ ମିଳିଥିବା ୧୫୩ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ।

କାହାର କମିଲା ଆଉ କାହାର ବୃଦ୍ଧି ?

୨୦୨୨-୨୩ରେ ତୃଣମୂଳ ୩୨୫ କୋଟି ଟଙ୍କା, ଡିଏମକେ ୧୮୫ କୋଟି ଟଙ୍କା, ବିଜେଡି ୧୫୨ କୋଟି ଟଙ୍କା ଏବଂ ୱାଇଏସଆର କଂଗ୍ରେସ ୫୨ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡରୁ ସଂଗ୍ରହ କରିଥିଲା। ୨୦୨୧-୨୨ରେ ଏହି ୪ ଦଳ ବଣ୍ଡ୍ ତୁଳନାରେ ଅଧିକ ଅର୍ଥ ସଂଗ୍ରହ କରିଥିଲେ।

ତୃଣମୂଳକୁ ୫୨୮ କୋଟି, ଡିଏମକେକୁ ୩୦୬ କୋଟି, ବିଜେଡିକୁ ୨୯୧ କୋଟି ଓ ୱାଇଏସଆର କଂଗ୍ରେସକୁ ୬୦ କୋଟି ଟଙ୍କା ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅନ୍ୟ ଏକ ଜାତୀୟ ଦଳ ସିପିଏମ୍ର ବାର୍ଷିକ ଅଡିଟ୍ ରିପୋର୍ଟ ଗୁରୁବାର ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି।

୨୦୨୧-୨୨ରେ ଦଳର ମୋଟ ଆୟ ୧୬୨.୨ କୋଟି ଟଙ୍କାଥିବା ବେଳେ ଏବେ ତାହା ୧୪୧.୭ କୋଟିଟଙ୍କାକୁ ଖସି ଆସିଛି। ସେହିପରି ୨୦୨୧-୨୨ରେ ଦଳର ଖର୍ଚ୍ଚ ୮୩.୪ କୋଟି ଟଙ୍କା ଥିବାବେଳେ ଏବେ ତାହା ୧୦୬ କୋଟିକୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ବିଜେଡି ନେତାଙ୍କୁ ସମ୍ବୋଧନ କଲେ କାର୍ତ୍ତିକ ପାଣ୍ଡିଆନ, କଣ କହୁଛି ସମୀକରଣ

ଭୁବନେଶ୍ବର: ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ବିଜେଡି ନେତାଙ୍କୁ ସମ୍ବୋଧନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସେ ଏହି ସମ୍ବୋଧନ କରିଛନ୍ତି। ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ସେ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।

ତେବେ ସମ୍ବୋଧନ କରିବା ଅବସରରେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ସେ ୨୦୨୪ ନିର୍ବାଚନରେ ଲଢେଇ କରିବେ ନାହିଁ। ସେ ଦଳରେ ଜଣେ କର୍ମି ଭାବେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ସମସ୍ତ ଚେଷ୍ଠା କରିବେ ବୋଲି କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ, ସେ ଦଳରେ ଜଣେ କର୍ମି ଭାବେ ରହିବେ ନା ଦଳର କିଛି ପଦପଦବୀ ନେବେ। ଏହି କାର୍ଯ୍ୟକାରିଣୀ ବୈଠକରେ ସେ ଦଳର ଏକ ବଡ ପଦବୀ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାହା ହେଲା ନାହିଁ। ଏହା ଚର୍ଚ୍ଚା ହେଉଥିଲା ଯେ, ପାଣ୍ଡିଆନ ବିଜେଡିର କାର୍ଯ୍ୟକାରୀ ସଭାପତି ହେବେ। ଏପରିକି କେତେକ ଆଶା କରିଥିଲେ ଯେ, ସେ ପ୍ରଚାର କମିଟର ଅଧ୍ୟକ୍ଷ ହେବେ। ହେଲେ ତାହା ହେଲା ନାହିଁ।

ତେବେ ଏହି ବୈଠକରେ ଯୋଗଦେଇଥିବା କେତେକ ନେତାଙ୍କ ଅନୁସାରେ ସେ ଦଳର କୌଣସି ପଦପଦବି ଗ୍ରହଣ କରିବାର ଆଗ୍ରହ ପରିଲକ୍ଷିତ ହେଉ ନାହିଁ। ହେଲେ ତାଙ୍କର ଏକମାତ୍ର ଲକ୍ଷ୍ୟ କିପରି ବିଜେଡି ପୁଣି ଥରେ ଶାସନ କ୍ଷମତାକୁ ଆସିବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ। ସେଥିପାଇଁ ସେ ଆହରହ ଉଦ୍ୟମ କରିବେ।

ଦଳର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଅନୁସାରେ ପାଣ୍ଡିଆନ ଯେହେତୁ ଦଳରେ ସାମିଲ ହୋଇସାରିଛନ୍ତି, ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସେ ନିର୍ବାଚନରେ ଅବତିର୍ଣ୍ଣ ହୋଇପାରିବେ। ହେଲେ ସେ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ସେହିପରି ସେ ଚାହିଁଲେ ଦଳର ଏକ ବଡ ପଦବୀରେ ମଧ୍ୟ ବସିପାରିବେ ହେଲେ ସେଥିରେ ମଧ୍ୟ ତାଙ୍କର ଆଗ୍ରହ ନାହିଁ।

କାର୍ତ୍ତିକ ପାଣ୍ଡିଆନଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ତଳ ସ୍ତରରେ ଏକ ଭଲ ପ୍ରଭାବ ପକାଇବ। କାରଣ ସମସ୍ତେ ଏହି ଘୋଷଣାରୁ ସ୍ପଷ୍ଟ ହୋଇଛନ୍ତି ଯେ, ପାଣ୍ଡିଆନଙ୍କର କୌଣସି ପଦପଦବୀ ପ୍ରତି ଲାଳସା ନାହିଁ। ସେ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ପରି ପଦବୀ ନେବାର କ୍ଷମତା ଥିଲେ ମଧ୍ୟ ତାହା ମଧ୍ୟ ଗ୍ରହଣ କରୁ ନାହିାଁନ୍ତି। ପାଣ୍ଡିଆନଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ବିଜେଡିକୁ ବେଶ ଭଲ ଫାଇଦା ଦେବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କୁ ଏକ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢେଇ କରୁ ନାହିଁ। ଏ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଲେ ଯେ, ଭି କେ ପାଣ୍ଡିଆନ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ।

ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢେଇ କରିପାରିବେ। କାରଣ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ଏଥର ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ବରାନିତ କରିବା ସହିତ ଦଳକୁ ଆହୁରି ମଜବୁତ କରିବେ ବୋଲି ଦେବୀ କହିଛନ୍ତି।

ଆଜି ଶଙ୍ଖଭବନରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଜେଡିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଦଳର ନେତା ପାଣ୍ଡିଆନ ଭାଷଣ ଦେଇ ସେ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

ଆଇଏଏସ ଅଫିସର ଥିବା ବେଳେ ପାଣ୍ଡିଆନ କାହିଁକି ଚାକିରୀ ଛାଡି ଦଳରେ ସାମିଲ ହେଉ ନାହିଁନ୍ତି ବୋଲି ବିରୋଧୀ ସେତେବେଳେ ଆହ୍ବାନ ଦେଉଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଚାକିରୀ ଛାଡି ଦଳରେ ସାମିଲ ହେଲେ। ଯାହା ଫଳରେ ବିରୋଧୀଙ୍କୁ ମୁହଁ ଚୁପ ହୋଇଗଲା। ଏହାପରେ ସେମାନେ ପାଣ୍ଡିଆନଙ୍କ ନାମରେ ପରୋକ୍ଷରେ ଏକ ପ୍ରଚାର କଲେ। ତାହା ହେଲା ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ହେଲେ ପାଣ୍ଡିଆନଙ୍କ ଆଜିର ଘୋଷଣା ପରେ ବିରୋଧୀ ମୁହଁ ନାଲି ପଡିଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ, ବିଜେପି ସଭାପତିଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା।

ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି। ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି।

ମନମୋହନ ସାମଲଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡକ୍ଟର ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମଦ ବ୍ୟବସାୟୀଙ୍କ ଜବତ ଟଙ୍କାକୁ ନେଇ ଓଡିଶା ରାଜନୀତିରେ ଝଡ, ବିଜେଡି କଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି।

ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଟଙ୍କା ବିଜେଡି ଆଗୁଆ ନିର୍ବାଚନ କରି ଖର୍ଚ୍ଚ କରିବା ପାଇଁ ମଦ ବ୍ୟବସାୟୀଙ୍କ ପାଖରେ ଗଚ୍ଛିତ ରଖିଥିଲା।

ମନୋଜ କହିଛନ୍ତି ଯେ, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ବିଜେଡି ନେତା ଏଥିରେ ସଂପୃକ୍ତି ରହିଛି। ହେଲେ ବିଜେଡି ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରଛି। ଦଳର ମୁଖପାତ୍ର ଇପିସ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ମିଛ କହୁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ସେଠାରେ ଅଭିଯୋଗ କରିଛି ଯେ, ଏହି ଟଙ୍କା କଂଗ୍ରେସ ଦଳର। ହେଲେ ଓଡିଶା ବିଜେପି କହୁଛି ଏହା ବିଜେଡିର।

ତେଣୁ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଦଳ କହିଛି ଯେ, ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଝାଡଖଣ୍ଡ ବିଜେପିକୁ ପଚାରି ଦେଇଥିଲେ ଭଲ ହୋଇଥାଆନ୍ତା। ତେବେ ଇପସ୍ସିତା ଆଉ ଏକ ବଡ ଅଭିଯୋଗ କରିଛନ୍ତି। ତାହା ହେଲା ଯେ, ଜବତ ଟଙ୍କା ହେଉଛି ପଶ୍ଚିମ ଓଡିଶାର କେତେକ ବିଜେପି ନେତାଙ୍କର। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ତଦନ୍ତ ପରେ ପ୍ରକୃତ ରହସ୍ୟ ଫିଟିବ ବୋଲି ବିଜେଡି କହିଛି।

ତେବେ ପ୍ରକୃତରେ ଦେଖିବାକୁ ଗଲେ ଏପରି ବିପୁଳ ପରିମାଣର ଟଙ୍କା ମିଳିବା କେବଳ ଓଡିଶା ଝାଡଖଣ୍ଡ କାହିଁକି ସାରା ଦେଶରେ ଏହା ଏକ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏହି ଖବରକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହିପରି ବହୁ ବିଜେପି ନେତା ଓ ମନ୍ତ୍ରୀ ଏହି ଟଙ୍କାକୁ ନେଇ କେବଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ହେଲେ କେହି ବିଜେଡିକୁ ସମାଲୋଚନା କରି ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କନ୍ଧନୟାଗଡରେ ପୁଣି ବିଜେପି ନେତ୍ରୀ ସୁରମା ପାଢୀଙ୍କୁ କଳା ପତାକା ପ୍ରଦର୍ଶନ

ରଣପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରଣପୁର ନିର୍ବାଚନମଣ୍ଡଳୀ ଚଳଚଂଚଳ ହାଇଛି। ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ କନ୍ଧନୟାଗଡ ପଚାଂୟତରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଛି। ୪ ଦିନ ତଳେ ବିଜେଡି ତରଫରୁ କନ୍ଧନୟାଗଡରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ବେଳେ ବିଜେପି ତରଫରୁ ସ୍ଥାନୀୟ ବିଧାୟକଙ୍କୁ କଳା ପତକା ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏବେ ପୁଣି ସେହି ପଚାଂୟତରେ ବିଜେଡି ତରଫରୁ ବିଜେପି ନେତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରାଯିବା ସହ ଗୋବ୍ୟାକ୍ ସ୍ଲୋଗାନ ଦିଆଯାଇଥିଲା। ସୋମବାର ଦିନ ଜଙ୍କିଆ ପଚାଂୟତରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ପୁଣି କନ୍ଧନୟାଗଡ ପଚାଂୟତରେ ଏହି ଘଟଣାର ପୁନରାବୃତ୍ତି ଘଟିଛି।

ଘଟଣାରୁ ପ୍ରକାଶ ଗତକାଲି ରଣପୁର ବ୍ଲକ ଚାନ୍ଦପୁର ପଚାଂୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ କନ୍ଧନୟାଗଡ ପଚାଂୟତରେ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। କିନ୍ତୁ ସୁରମା ପାଢୀଙ୍କ ଯୋଗଦାନକୁ ବିଜେଡି ତରଫରୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକରେ ବସି ପାରିବେ ବୋଲି ମତ ଦେବା ସହ ସୁରମାଙ୍କୁ କଳାପତକା ଦେଖାଇବା ସହ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଚିଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଟାଙ୍ଗି (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି।

ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମଙ୍ଗଳପୁରରୁ ବାହାରି କୁଞ୍ଜୁରୀ, କୁହୁଡି ଓ ରତନପୁର ପଂଚାୟତ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଲୋକଙ୍କ ସହ ମିଶି ଓଡ଼ିଶାରେ ନବୀନ ସରକାରଙ୍କ ସଫଳତାକୁ ପାଥେୟ କରି ଆଗମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବା ପାଇଁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ବଭୂଷଣଙ୍କ ଉପରେ ବିଜେଡି ଖପ୍ପା, ପୁଅର ରାଜନୈତିକ ଭବିଷ୍ୟତ ପାଇଁ ସେ ବ୍ୟଗ୍ର ବୋଲି ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି।

ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ ସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି।

ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ।

ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ। ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏ କି ତାଙ୍କ ଜୀବନରେ କେବେବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେବି ଦେଖିବାକୁ ମିଳି ନ ଥିଲା।

ଆସାମର ରାଜ୍ୟପାଳ ଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି। ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ। ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କି ରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି।

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉ ନାହିଁ। ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣ ରାଜନୈତିକ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ନେତା ନାରାୟଣ ଜେନା ବିଜେଡିରେ ସାମିଲ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନଠାରେ ଦଳର ଉପସଭାପତି ତଥା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳରେ କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଥିଲେ ।

ଏହି ମିଶ୍ରଣ ପର୍ବରେ କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା କନକପୁର ସମବାୟ ସମିତି ସଭାପତି ଅଜୟ କୁମାର ରାଉଳ, କନକପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପର୍ଶୁରାମ ଭଟ୍ଟ, କନକପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ରସେଠୀ ଯୋଗଦେଇଛନ୍ତି।

ସେହିପରି ଗୋବିନ୍ଦପୁର ପାଣି ପଞ୍ଚାୟତର ସଭାପତି ରଶ୍ମି ରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ନୃସିଂହ ଚରଣ ଲେଙ୍କା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଭଟ୍ଟ, ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ଶୁଭ୍ରଜିତ ଲେଙ୍କା, ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଦେବୀ ପ୍ରସାଦ ରାଉଳ ଓ ଦୀନେଶ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶଙ୍ଖ ଭବନକୁ ପ୍ରବେଶ କରିବେ ଭି କେ ପାଣ୍ଡିଆନ, ଚାଲିଛି ବଡ ପ୍ରସ୍ତୁତି

ଭୁବନେଶ୍ବର: ଆଇଏଏସ ରୁ ଅବସର ନେବା ପରେ ବର୍ତ୍ତମାନ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେବେ। ସେଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। ତାଙ୍କୁ ନବୀନ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ସଭ୍ୟ ଭାବେ ଗ୍ରହଣ କରିବେ।

ସେ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଚାକିରୀ ଛାଡିବାର କିଛି ଘଣ୍ଟା ପରେ ତାଙ୍କୁ ନବୀନ କ୍ୟାବିନେଟ ପ୍ୟାହାରେ ନିଯୁକ୍ତି ପ୍ରଦାନ କଲେ। ଫଳରେ ସେ ବିଜେଡି ସାମିଲ ହେବା ସନ୍ଦେହ ଧିରେଧିରେ ଘନିଭୂତ ହେବାରେ ଲାଗିଲା। ସେ ସିଧା ରାଜନୀତିରେ ଯୋଗଦେଇ ଓଡିଶାର ବିକାଶ କାମକୁ ତଦାରଖ କରିବେ ବୋଲି ବିଜେଡି ମହଲରୁ ଜଣାପଡିଛି।

ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରି ବିଭିନ୍ନ ଜିଲ୍ଲା ଗସ୍ତ କଲେ ସେତେବେଳେ ବିରୋଧୀ ପ୍ରବଳ ବିରୋଧ ଆରମ୍ଭ କଲେ। ଉଭୟ କଂଗ୍ରେସ ଓ ବିଜେପି ପାଣ୍ଡିଆନଙ୍କୁ ଆହ୍ବାନ ଦେଲେ ଯେ, ସେ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ। ସେହି ଆହ୍ବାନ ବର୍ତ୍ତମାନ ପାଣ୍ଡିଆନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇପଡିଛି। କାରଣ ସେ ଦଳରେ ଯୋଗଦେଲେ ଆଉ ବିରୋଧୀ ଦଳର କିଛି କହିବାର ସାମର୍ଥ୍ୟ ରହିବ ନାହିଁ।

ବହୁ ବର୍ଷ ଧରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂତ ଭାବରେ ଓଡିଶାର ବିକାଶର ମଙ୍ଗ ଧରି ଆସିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କିମ୍ବା ସମଲେଶ୍ବରୀ ଉନ୍ନୟନ। ସେହିପରି ଚାଷୀଙ୍କ ସମସ୍ୟା ହେଉ କିମ୍ବା ମହିଳା ଶସକ୍ତିକରଣ। ସବୁ କ୍ଷେତ୍ରରେ ପାଣ୍ଡିଆନଙ୍କ ଅବଦାନକୁ ସ୍ବୀକାର କରିବାକୁ ପଡିବ। ଭୋର 4 ଟାରୁ ଉଠି ଶୀତକାକରରେ ଓଡିଶା ବିକାଶର ଚିତ୍ର ଅଙ୍କନ କରୁଥିବା ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ।

ତାଙ୍କର ଏହି କାର୍ଯ୍ୟ ଶୈଳୀକୁ ଦେଖି ବିରୋଧୀ ସବୁବେଳେ ଖପ୍ପା ହେଉଥିଲେ। ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ଉପରେ ଅଭିଯୋଗ କରିବାରେ ଲାଗିଲେ। ହେଲେ ଫଳ ହେଲା ଶୂନ। କାରଣ ହେଲା ସେ ଓଡିଶାର ବିକାଶ ସହିତ ରାଜନୈିକ ଦଳକୁ କିପରି ପରିଚାଳନା କରାଯାଇପାରିବ ତାହାର କଳାକୌଶଳ ପାଣ୍ଡିଆନଙ୍କୁ ବେଶ ଭଲଭାବରେ ଜଣା ଅଛି। ସେଥିପାଇଁ ସେ ବିଜେଡି ସହିତ ବିରୋଧୀ ଦଳକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା କରି ଆସୁଛନ୍ତି।

ତେବେ ଚାକିରୀର କଟକଣା ଭିତରେ ଓଡିଶାର ବିକାଶ କାମ କରିବା ତାଙ୍କ ପାଇଁ ବହୁ ବାଧା ସୃଷ୍ଟି ହେଉଥିଲା। ଫଳ ସ୍ବରୂପ ସେ ଆଇଏଏସ ପରି ଚାକିରୀରୁ ଇସ୍ତଫା ପ୍ରଦାନ କଲେ। ଏବେ ସେ ସିଧା ରାଜନୀତିରେ ଲମ୍ପ ପ୍ରଦାନ କରି ବିଜେଡିର ହର୍ତ୍ତାକର୍ତ୍ତା ପାଲଟି ଓଡିଶାର ବିକାଶକୁ ଆହୁରି ସୁଦୃଢ କରିବେ ବୋଲି ଆଶା କରାଯାଉଛି।

Categories
ବିଶେଷ ଖବର

ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି!

ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି।

ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାର ମତଦାତାମାନେ ନରେନ୍ଦ୍ର ମୋଦିଙ୍କ ହାଓ୍ୱାରେ ପ୍ରଭାବିତ ହୋଇ ନଥିଲେ। ଫଳରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡିକୁ ମତଦାତାମାନେ ପସନ୍ଦ କରିଥିବାବେଳେ ୮ଟି ବିଜେପି ହାତକୁ ଓ ଗୋଟିଏ କଂଗ୍ରେସକୁ ଯାଇଥିଲା।

ଓଡ଼ିଶାରେ ବିଜେଡି ଓ ବିଜେପିର ନେତାମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିସ୍ପର୍ଦ୍ଧା ବଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିଛନ୍ତି। ନିର୍ବାଚନ ସମୟରେ କିମ୍ବା ପରେ ବିଜେଡିରେ ଅନ୍ତର୍ହକଳହ ସୃଷ୍ଟି ସହିତ ବିଭାଜନ ହେଲେ ବିଜେପି ନେତାମାନେ କ୍ଷମତାକୁ ଆସିବା ପାଇଁ ବିଜେପି ନେତାମାନେ ଆଶା ରଖିଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ନବୀନଙ୍କ ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଦୀର୍ଘ ଦିନ ଧରି ତାଙ୍କର ବ୍ୟାକରୁମ୍ ଭୂମିକା ତୁଲାଉଥିଲେ। ଏବେ ୪୮ ବର୍ଷୀୟ ପାଣ୍ଡିଆନ ଚାକିରିରୁ ଅବସର ନେବା ପରେ ବିଜେଡିରେ ଅଧିକରୁ ଅଧିକ କ୍ଷମତା ମିଳିଛି। ବିଜେଡିର ଦାୟିତ୍ୱ ନେବା ପାଇଁ ସେ ନବୀନଙ୍କ ମନୋନୀତ ବ୍ୟକ୍ତି ବୋଲି ଏବେ ସ୍ୱର ଉଠିବାରେ ଲାଗିଛି।

କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ଗଠିତ ଏବଂ କୌଣସି ଦ୍ୱିତୀୟ ସ୍ତରର ନେତା ବିଜେଡିକୁ ଶୀଘ୍ର ଭାଙ୍ଗିବା ନେଇ ବିଜେପି ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେ ଧୂଳିସାତ୍ ହୋଇଯାଇଛି । ତେବେ ପାଣ୍ଡିଆନଙ୍କ ଉତ୍‍ଥାନ ବିଜେଡିରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଉ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉନ୍ନତିକୁ ନେଇ ଦଳର ଏକ ବଡ଼ ବର୍ଗ ଅସନ୍ତୁଷ୍ଟ ଅଛନ୍ତି। ଉଦାହରଣସ୍ୱରୂପ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପିକେ ବଳବନ୍ତରାୟ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ଅନେକ ଯୁବ ବିଜେଡି ନେତାଙ୍କୁ ଉଦୀୟମାନ ତାରକାଭାବେ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନେଇ ରାଜନୀତିକ ମହଲରେ ଆଲୋଚନା ହେଉଛି।

ତେବେ ଜଣେ ନେତାଙ୍କ କହିବା ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ନବୀନଙ୍କୁ ମାନୁଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନଥିବାରୁ ଏହି ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ପାଣ୍ଡିଆନଙ୍କ ବିଜେଡରେ ପଅଭାବ ବଢଆିବା ସମ୍ପର୍କରେ ପ୍ରାୟ ୫ ବର୍ଷ ହେଲା ଚର୍ଚ୍ଚାରେ ରହିଛି। ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପାଣ୍ଡିଆନଙ୍କ ପ୍ରତି ଦଳୀୟ ନେତାମାନଙ୍କର ଭଲ ପାଇବା ନ ଥିବାବେଳେ ବିଶେଷ ଅସନ୍ତୋଷ ମଧ୍ୟ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ରାଜ୍ୟ ବିଜେପି ନେତାମାନେ ଏବେ ଅନୁଭବ କଲେଣି ଯେ ସେମାନେ କ୍ଷମତାକୁ ଆସିବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଅନେକ ବିଜେପି ନେତାଙ୍କ ପାଖରେ ଏବେ ଧୈର୍ଯ୍ୟ ନାହିଁ। କିନ୍ତୁ ଅପର ପକ୍ଷରେ ନବୀନଙ୍କ ସହ ସମ୍ପର୍କ ଖରାପ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ବିଜେଡିର ସହାୟତା ନେଇଥିବା କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଯୋଗୁଁ ଏହି ଅଚଳାବସ୍ଥା ଅଧିକ ଅନୁଭୂତ ହେଉଛି।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦଳର ନେତୃତ୍ୱ ସେହି ଭୋଟ୍‍ ପାଇବାକୁ ଆଗ୍ରହୀ ନୁହଁନ୍ତି। ବିଜେପି ମଝିରେ ଅଟକି ରହିବାର ଅର୍ଥ ଏହାର ନେତାମାନେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିନାହାଁନ୍ତି କି ଅନ୍ୟ ଦଳର ଭଲ ଚେହେରାଙ୍କୁ ଆକର୍ଷିତ କରିପାରୁ ନାହାଁନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱ ବିଶ୍ୱାସଯୋଗ୍ୟ ନୁହେଁ। କୌଣସି ନେତା ବିଜେପିରେ ମିଶିଲେ ନିଜ ସ୍ଥିତି ନେଇ ନିଶ୍ଚିତ ନୁହଁନ୍ତି ବୋଲି ବିଜେଡିର ଜଣେ ପୂର୍ବତନ ସାଂସଦ କହିଛନ୍ତି।

ପାଣ୍ଡିଆନଙ୍କ ପ୍ରବେଶର ଆଉ ଏକ ଦିଗ ରହିଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ହେବ। ଏହା ପୂର୍ବରୁ ଠିକଣା ସମୟରେ ଆଇଏଏସ୍ ପଦରୁ ସ୍ୱେଚ୍ଛାକୃତ ଅବସର ନେବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ ଦୃଢ଼ ସମ୍ପର୍କ ରହିଛି ବୋଲି ଜଣେ ନେତା ଦର୍ଶାଇଛନ୍ତି।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପକ୍ଷର ନରମ ଆଭିମୁଖ୍ୟ ପରିବର୍ତ୍ତନ ହୋଇପାରେ। ଉଦାହରଣସ୍ୱରୂପ ଖୁବଶୀଘ୍ର ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି।

ଜାତୀୟ ରାଜନୀତିରେ ନିଜର ବାର୍ଗେନିଂ ପାୱାର ବଜାୟ ରଖିବା ପାଇଁ ବିଜେଡି ଲୋକସଭାରେ ଯଥାସମ୍ଭବ ଅଧିକ ଆସନ ଜିତିବାକୁ ଚାହୁଁଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ୨୦୨୪ ଭଳି ପ୍ରଭାବଶାଳୀ ହେବ ନାହିଁ ବୋଲି ଆଶା କରାଯାଉଥିବାରୁ ଆଗକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆସନରେ ବିଜୟୀ ହୋଇପାରେ।

ଯଦି କେନ୍ଦ୍ର ସରକାର ସଂସଦରେ ସଂଖ୍ୟା ଖେଳରେ ଦୁର୍ବଳ, ତେବେ ଆଞ୍ଚଳିକ ଦଳ ଓ ରାଜ୍ୟ ପାଇଁ ଭଲ ଶକ୍ତି ରହିବା ସବୁବେଳେ ଭଲ। ବିଜେଡି ଏହାକୁ କାହିଁକି ବାଜି ଲଗାଇବ ବୋଲି ବିଜେଡିର ଜଣେ ନେତା ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବବି ଦାସ, ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହିତ ପ୍ରଣାମ ଜଣାଇଲେ ପାଣ୍ଡିଆନ

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ। ସେ ବର୍ତ୍ତମାନ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା। ତାହାର କାରଣ ହେଲା ସେ ଯେପରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କରିବାରେ ଲାଗିଛନ୍ତି। ସେହିପରି ସରକାରର ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସମସ୍ତ ସହଯୋଗ ଦେଇ ଆସୁଛନ୍ତି।

ସେଥିପାଇଁ ପାଣ୍ଡିଆନ ବବି ଦାସଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଗତ ଗୁରୁବାର ଦିନ ଯାଜପୁରର ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କରାଯାଇଥିଲା। ସେଥିରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ ଭି କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଉଦଘାଟନ ସମାରୋହରେ ଯାଜପୁର ଜିଲ୍ଲାର ବହୁ କର୍ମି ଯୋଗଦେଇ ଥିଲେ।

ଉଦଘାଟନୀ ଭାଷଣରେ ପାଣ୍ଡିଆନ କହିଥିଲେ ଯେ, ଓଡିଶାରେ ଯେଉଁ ସବୁ ବିକାଶ ହେଉଛି ସେଥିରେ ବବିବାବୁଙ୍କର ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି, ମା ସମଲେଇର କାମ ହେଉଛି, ହରିଶଙ୍କରର କାମ ହେଉଛି, ନୃସିଂହନାଥଙ୍କର କାମ ହେଉଛି, ଗୁପ୍ତେଶ୍ବରର କାମ ହେଉଛି, ତାଳଦଣ୍ଡା କେନାଲର ରୂପାନ୍ତରିକରଣ ହେଉଛି, ମା ଚଣ୍ଡିଙ୍କ କାମ ହେଉଛି। ଏସବୁ କାମରେ ଯାଜପୁର ବିଧାୟକଙ୍କର ସଂପୂର୍ଣ୍ଣ ହାତ ରହିଛି। ଏ ସବୁ କାମ ପାଇଁ ସେ ଆତ୍ମସର୍ମପଣ କରିଛନ୍ତି।

ଦିନରାତି ପରିଶ୍ରମ କରି ସେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି। ଓଡିଶାବାସୀ ନିଶ୍ଚିତ ଭାବେ ଆପଣଙ୍କର ଏହି କାମକୁ ମନ ରଖିବେ ବୋଲି ମୋର ବିଶ୍ବାସ। ସେଥିପାଇଁ ମୁଁ ଆପଣଙ୍କ ନିକଟରେ ବିନମ୍ର ପ୍ରଣାମ କରୁଛି। ଭି କେ ପାଣ୍ଡିଆନ ଏହା କହିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଜୟ ଜଗନ୍ନାଥ କହି ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଓଡିଶା ରଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।

ସେହିପରି ଏହି ବୈଠରେ ବବି ଦାସ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉଚିତ୍ ପଟ୍ଟଶିଷ୍ୟ ବୋଲି ଅବିହିତ କରିଥିଲେ। ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ ବୋଲି ସେ କହିଥିଲେ। ଆଜି ଓଡିଶାର ବିକାଶର ଯେଉଁ ଧାରା ସୃଷ୍ଟି ହୋଇଛି ତାହା କେବଳ ପାଣ୍ଡିଆନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ବବି ଦାସ ଏହି ଉଦଘାଟନ ସମାରୋହରେ ବକ୍ତବ୍ୟ ଦେଇଥିଲେ।

ନିକଟରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଲା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏହାର କିଛି ଦିନ ପରେ ପାଣ୍ଡିଆନ ବବି ଦାସଙ୍କୁ ସାଥୀରେ ପୁରୀ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ଏହାପରେ ବବିଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଥିଲା। ପୁଣି ଯାଜପୁରର ନବୀନ ଓଡିଶା ଉଜଘାଟନ ବୈଠକରେ ବବିଙ୍କୁ ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ଏହି ଖବର ସଂପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ବିଜେଡିରୁ ବହିସ୍କୃତ ହେଲେ ଆଉ ଜଣେ ନେତା, ଜାଣନ୍ତୁ ସେ କିଏ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଆଉ ଜଣେ ନେତାଙ୍କୁ ଦଳରୁ ବହିସ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହିସ୍କାର ଆଦେଶ ଦେଇଛନ୍ତି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଯେଉଁ ନେତାଙ୍କୁ ବହିସ୍କାର କରାଯାଇଛି ସେ ହେଲେ କୋରାପୁଟର ନେତା ରଘୁରାମ ମାଛ। ସେ ଗତ ୨୦୧୪ ମସିହାରେ ଶିକ୍ଷକତା ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏଥିସହିତ ସେ ସେହି ବର୍ଷ ବିଜେଡିରୁ କୋରାପୁଟ ଆସନ ପାଇଁ ବିଧାୟକ ଭାବେ ଲଢେଇ କରି ହାରିଯାଇଥିଲେ।

ରଘୁରାମ ଗତ କିଛିମାସ ଧରି ବିଜେଡି ନେତାଙ୍କୁ ଟାର୍ଗେଟ କରିବା ସହିତ ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ପ୍ରଦାନ କରୁଥିଲେ। ସେଥିପାଇଁ ଦଳ ତାଙ୍କୁ ବହିସ୍କାର କରିଛି। ପୂର୍ବରୁ ସେ ୨୦୨୧ ମସିହାରେ ମଧ୍ୟ ଦଳରୁ ନିଳମ୍ବିତ ହୋଇଥିଲେ।