Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ, କୃଷି, ସମବାୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳସେଚନ, ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।

ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ୧,୮୬,୯୬୧ ହେକ୍ଟର,ମକା ୧୫୪୦୨ ହେକ୍ଟର, କ୍ଷୁଦ୍ର ଶସ୍ୟ ୯୩୦୦ ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୫୭୪୨ ହେକ୍ଟର, ତୈଳବୀଜ ୧୨୬୨୦ ହେକ୍ଟର, କପା ଜାତୀୟ ୭୪୫୦୮ହେକ୍ଟର, ପନିପରିବା ୧୫୭୫୩ ହେକ୍ଟର, ମସଲା ଜାତୀୟ ୨୭୦୦ ହେକ୍ଟର, ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜଣାଇଥିଲେ। ଏଥିମଧ୍ୟରୁ ୨,୪୧,୦୬୯ ହେକ୍ଟର ଜଳସେଚିତ ଏବଂ ୧୪୨୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ।

ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୬/୭/୨୦୨୨ରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ଏ ପର୍ଯ୍ୟନ୍ତ ୪୫୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ବିଷୟରେ ଗୃହ କୁ ଅବଗତ କରିଥିଲେ। ସେଭଳି ୨୦୨୧-୨୨ରେ ୨୦୫୫୯ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଥିବାବେଳେ ୨୦୨୨-୨୩ରେ ୨୫୦୦୦ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଡିଲର ମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସାର,ବିହନ ଓ କୀଟନାଶକ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୯୯ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୯ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା। ଭବାନୀପାଟଣା ସହରର ଗୋଷାଲ ପଡ଼ାର ପରିତ୍ରାଣ ବାଗଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଅନୁମୋଦନ କରାଯାଇଥିଲା।

ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭବାନୀପାଟଣା ବ୍ଲକର କୁଟୁର ଖମାର ଅଞ୍ଚଳର ରିତ୍ତିକ ମଶ୍ରା ଙ୍କୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ପାଇଁ ୭୦୦୦ ଟଙ୍କା ର ସହାୟତା ଅନୁମୋଦନ କରାଗଲା।

Categories
ବିଶେଷ ଖବର

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି। ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି। ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ସୁଜିତ କୁମାର ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍‌ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

କିସ୍‌ର ପ୍ରତିଷ୍ଠାତା ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ଼ ଗାଭାଲି ପରାଗ ହର୍ଷଦ୍  ଭବାନୀପାଟଣା ପୌରପରିଷଦ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଛନ୍ତି।

ଏହି ଆମ୍ବୁଲାନ୍ସ ସେବାର ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨ କୁ ଯେ କୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ। ଏହି ସେବା ସକାଳ ୬.୦୦ଘଣ୍ଟା ରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ନିଃଶୁଳ୍କ ରେ ଉପଲବ୍ଧ ହୋଇପାରିବ।

ଏହି ଆମ୍ବୁଲାନ୍ସ ସେବାରେ ୨ ଜଣ ପ୍ରାଣୀ ଚିକିତ୍ସକ,୨ ଜଣ ପ୍ରାଣୀ ସହାୟକ ଏବଂ ୨ ଜଣ ସହାୟକ ୨ଟି ସିଫ୍ ରେ ସେବା ଯୋଗାଇବେ। ଖୁସିର ବିଷୟ ରାଜ୍ୟର ୧୧ ଟି ମ୍ୟୁନିସିପାଲଟି ମଧ୍ୟରୁ ଭବାନୀପାଟଣା ମ୍ୟୁନିସିପାଲଟି ଆଜିଠୁ ଏହି ସେବାରେ ଅନ୍ତର୍ଭୁକ୍ତ ହେଲା।

ସୂଚନା ଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସମସ୍ତ ମ୍ୟୁନିସିପାଲଟିରେ ଅତିଶିଘ୍ର ଏହି ପ୍ରାଣୀ ଆମ୍ବୁଲାନ୍ସ ସେବାର ରାଜ୍ୟସ୍ତରୀୟ ଶୁଭ ଉଦଘାଟନ କରିବେ। ଏହି ଆମ୍ବୁଲାନ୍ସ ସେବାରେ ପରିଚାଳନା ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ” ଦାପ୍ତା” ସ୍ଵେଚ୍ଛା ସେବୀ ଅନୁଷ୍ଠାନ।

ଉକ୍ତ ଉଦଘାଟନ ସମାରୋହରେ ସି ଡି ଭି ଓ ଡ ଚୈତନ୍ୟ ଚରଣ ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ ଚନ୍ଦ୍ର ପଣ୍ଡା, ଏଭିଡିଓ ଡ ଦୟା ସାଗର ଦୁରୀୟା, ଉପ ନିର୍ଦ୍ଦେଶକ, ପ୍ରାଣୀସମ୍ପଦ ଡ ଧର୍ମାନନ୍ଦ ମହାନ୍ତି, ଜିଲ୍ଲା ତାଲିମ ସଂଯୋଜକ ଡ କେଦାରନାଥ ଖମାରୀ, ଡିଆଈପିଆର୍ ଓ ମନୋଜ ବେହେରା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ଦାପ୍ତା ସମ୍ପାଦକ ରାଜୁ ଶର୍ମାଙ୍କ ସମେତ ପ୍ରାଣୀସମ୍ପଦ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା। ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଅବନୀ ମହାପାତ୍ରଙ୍କ ସମେତ ନିହାର ଠାକୁର, ହିମାଂଶୁ ବାରିକ, ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ। ଚଳିତ ବର୍ଷର ସ୍ଲୋଗାନ” ତମାଖୁ ଆମ ପରିବେଶ ପ୍ରତି ବିପଦ”ଏବଂ ଏହା ଉପରେ ଗୁରୁତ୍ବ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।ଏହି ଦିବସର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯକ୍ରମ ହୋଇଥିଲା।

ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ପ୍ରତିଯୋଗିତା ରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ସଭା କାର୍ଯକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଦିବ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି , ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ପୌର ପରିଷଦ ଅଧ୍ୟକ୍ଷା  ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ ଆରମ୍ଭ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ ଓ ଦିବସ ପାଳନ ଉପରେ ସ୍ୟମକ ଧାରଣା ଦେଇଥିଲେ।

ବକ୍ତାଗଣ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ଶ୍ରମ, ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ଆଜି ରାଜ୍ୟର ସାମଗ୍ରିକ ବିକାଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି କହିଥିଲେ। ଲାଞ୍ଜିଗଡ ବିଧାୟକ ଶ୍ରମିକ ମାନଙ୍କୁ ଶ୍ରମ ଆଇନ୍ ସଚେତନତା ଅଭିଯାନ ଦ୍ଵାରା ସଚେତନ କରାଯାଉ ଏବଂ ପ୍ରତି ବ୍ଲକରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା କ୍ୟାମ୍ପ କରି ଶ୍ରମିକମାନଙ୍କୁ ପଞ୍ଜିକରଣ ର ବ୍ୟବସ୍ଥା କରି ଶ୍ରମ ଆଇନ ଓ ରାଜ୍ୟ ସରକାର ଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଉପରେ ବିଶେଷ ଧ୍ୟାନ ଦେବାପାଇଁ କହିଥିଲେ।ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ହିତାଧିକାରୀଙ୍କୁ ମେ ଦିବସର ଅଭିନନ୍ଦନ ଜଣାଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଶ୍ରମିକ ଯୋଜନାରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ ଯେପରି ଲାଭବାନ ହେବେ ଓ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ, ମଜୁରୀ,ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର ହେଲେ ଶ୍ରମିକ ମାନଙ୍କ ସ୍ୱାର୍ଥ ବଜାୟ ରହିବା ସଙ୍ଗେ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ପଟେଲ ଉପସ୍ଥିତ ଶ୍ରମିକ ମାନଙ୍କୁ ଶୁଭେଛା ଜଣାଇ ନିଜକୁ ପଞ୍ଜୀକୃତ କରି ସମସ୍ତ କଲ୍ୟାଣକାରୀ ଯୋଜନାରୁ ଲାଭ ଉଠାଇବାକୁ କହିଥିଲେ।

ଦିବସ ଉପଲକ୍ଷେ ଶ୍ରମିକ ହିତାଧିକାରୀ ମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ମୃତ୍ୟକାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା,ପ୍ରସୂତି କାଳୀନ ସହାୟତା,ଶିକ୍ଷା ସହାୟତା ଓ ପରିଚୟ ପତ୍ର ପ୍ରଦାନ କରିଥିଲେ ।ଶ୍ରୀମତୀ ତ୍ରିବେଣୀ ନାଏକ ଙ୍କୁ ମୃତ୍ୟକାଳୀନ ସହାୟତା ୨ ଲକ୍ଷ ଟଙ୍କା, ବୈଜନ୍ତି ଭାଟିଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ବାବଦ ୫୦୦୦ ଟଙ୍କା, ହଂସିନି ମାଝୀ ଙ୍କୁ ଅନ୍ତେଷ୍ଟି କ୍ରିୟାସହାୟତା ବାବଦ କୁ ୧୦୦୦୦ ଟଙ୍କା,ପାଣ୍ଡବ ସୁନା ଙ୍କୁ ଶିକ୍ଷା ସହାୟତା ବାବଦ ୩୬୦୦ ଟଙ୍କା, ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ ଅରକ୍ଷିତ ମାଝୀ ଙ୍କୁ ମୃତ୍ୟକାଳୀନ ସହାୟତା ବାବଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏହା ବ୍ୟତୀତ ଏଭଳି ସହାୟତା ପାଇଁ ତାଲିକାଭୁକ୍ତ ଶ୍ରମିକ ହିତାଧିକାରୀ ମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ଅନୁମୋଦନ ମଞ୍ଜୁରୀ ପାଇଁ ପଠାଯାଇଛି ବୋଲି ଶ୍ରମ ଅଧିକାରୀ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଭିଜନାଲ ଶ୍ରମ କମିସନର ନରେନ୍ଦ୍ର ରାଇକା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ସହକାରୀ ଶ୍ରମ ଅଧିକାରୀ, ଧର୍ମଗଡ ସୁଶାନ୍ତ ପାଇକରାୟ, ଶ୍ରମ କାର୍ଯ୍ୟାଳୟ କର୍ମକର୍ତ୍ତା ତଥା ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ, ପି ଡି , ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ବ୍ଲକ ଅଧ୍ୟକ୍ଷ/ଅଧକ୍ଷା,ଜିଲ୍ଲା ସ୍ତରୀୟ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।

ଡି ପି ଓ ପ୍ରହ୍ଲାଦ ପ୍ରଧାନ ସଭା ପରିଚାଳନା ସହ ଏଜେଣ୍ଡା ଅନୁଯାୟୀ ସଂଚାଳନ କରିଥିଲେ। ପ୍ରଥମେ ପି ଡି ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ସୋମେଶ ଉପାଧ୍ୟାୟ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ବିକାଶ ନିମନ୍ତେ ପ୍ରଶାସନକୁ ସହଯୋଗ ଓ ସ୍ଵମନ୍ୟୟ ରକ୍ଷା କରି ବିକାଶ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ନିବେଦନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ କୁ ଶାନ୍ତିପୂର୍ଣ୍ଣ ଭାବେ ଗଠନ ମୂଳକ ସହାୟତା କରିବାକୁ ଆହ୍ବାନ ଦେଇଥିଲେ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥାପିତ ଦାବୀ ଓ ସମସ୍ୟା କୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଥିଲେ। ଲୋକସଭା ସାଂସଦ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରି ଲୋକଙ୍କ ପ୍ରତିନିଧି ହିସାବରେ ନିଜ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ ଡ଼ ଗାଭାଲି ନିଜ ବକ୍ତଵ୍ୟରେ ସମସ୍ତଙ୍କୁ ସ୍ବାଗତ କରି ସମସ୍ତେ ନିଜ ଅଞ୍ଚଳର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ସଂଗେ ସଂଗେ ବଡ଼ ପ୍ରକଳ୍ପ ର ପରିକଳ୍ପନାକୁ ସାକାର କରିବାପାଇଁ ପ୍ରଶାସନ ସଦାବେଳେ ପ୍ରସ୍ତୁତ ଅଛି ବୋଲି କହିଥିଲେ।

ପ୍ରଥମ ବୈଠକ ରେ ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ସି ଏଫ୍ ସି ଓ ଏସ ଏଫ୍ ସି ଅନୁଦାନ ଉପରେ ଆଲୋଚନା ହୋଇଥିଲା।ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଆର୍ ଡବ୍ଲୁ ଏସ ଏସ , ଏସ୍ ଇ ଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ୬ ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ସେଥିରୁ ଥୁଆମୂଲ୍ ରାମପୁର ଓ କୋକସରା ରେ କାର୍ଯ ପାଇଁ ଟେଣ୍ଡର ଡକାଯାଇଛି।ଏହା ବ୍ୟତୀତ ଅନ୍ୟ ୭ ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା ,୩୨୪ ଟି ସୋଲାର ପାନୀୟ ଜଳ ପଏଣ୍ଟ ର ବ୍ୟବସ୍ଥା,ଅଚଳ ନଳକୁପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ୍ ଯାଇ ମରାମତି କରିବାର ବ୍ୟବସ୍ଥା ଉପରେ କହିଥିଲେ।

ଜୟପାଟଣା,ଗୋଲାମୁଣ୍ଡା,ଲାଞ୍ଜିଗଡ ଓ ଧର୍ମଗଡ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଞ୍ଚଳର ପାନୀୟ ସମସ୍ୟାକୁ ଏସ ଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସେଭଳି କଳାହାଣ୍ଡି ଜିଲ୍ଲାରେ ୨୯୩ ଟି ହାଇସ୍କୁଲ ରହିଛି ଏବଂ ଅନେକ ସ୍କୁଲ ରେ ଶିକ୍ଷକ ଅଭାବ ରହିଛି।କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଅତିଶିଘ୍ର ୬୪୯ ଟି ଶିକ୍ଷକ ପଦବୀ ପୂରଣ ହେଲେ ଅନେକ ସଭ୍ୟ ଓ ଅଧ୍ୟକ୍ଷ ଙ୍କ ଅଭିଯୋଗ ର ସମାଧାନ ହୋଇଯିବ ବୋଲି ଡି ଇ ଓ କହିଥିଲେ।

ସେଭଳି ୧୫୦ ଟି ହାଇସ୍କୁଲ ରୁପାନ୍ତିକରଣ କାର୍ଯ ସମାପ୍ତ ହେଲେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ। ଅନେକ ସଭ୍ୟ ନିଜ ଅଞ୍ଚଳର ସ୍କୁଲ ମାନଙ୍କରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ଉପରେ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୩୩୯ ଟି ଡାକ୍ତର ପଦବୀ ଆବଶ୍ୟକ ସତ୍ତ୍ୱେ କେବଳ ୧୭୨ ଟି ଅଛି ଏବଂ ୧୬୭ ଟି ଖାଲି ପଡ଼ିଛି।ବିଶେଷଜ୍ଞ ପଦବୀ ୧୦୭ ଜାଗାରେ କେବଳ ୩୭ ଜଣ ଓ ୭୦ ଖାଲି ପଡ଼ିଛି।

ସେଭଳି ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ୍ ପଦବୀ ଖାଲି ରହୁଚି ଏଣୁ ସ୍ବାସ୍ଥ୍ୟ ସେବା ଯୋଗଇଦେବାକୁ ଅସୁବିଧା ହେଉଛି ବୋଲି ସି ଡି ଏମ ଓ ପ୍ରକାଶ କରିଥିଲେ। ଗତ ଏପ୍ରିଲ୍ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୩ ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଇ ୯୦୦୦ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ସେଭଳି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଦ୍ଵାରା ପୁଣି ଜିଲ୍ଲାରେ ଆସନ୍ତା ୨୯ ଓ ୩୦ ତାରିଖରେ ଜିଲ୍ଲା ଡାକ୍ତରଖାନା ରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯିବ। ଅନେକ ସଭ୍ୟ ନିଜ ଅଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା,ଡାକ୍ତର ଅଭାବ ଉପରେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ସମାଧାନ ପାଇଁ କହିଥିଲେ।

ଏହା ଉପରେ ନିଜର ମତ ରଖି ସାଂସଦ ଶ୍ରୀ ପଣ୍ଡା ଡାକ୍ତର ମାନଙ୍କୁ ନିୟମିତ ଡେପୁଟେଶନ ରେ ଡାକ୍ତର ନ ଥିବା କେନ୍ଦ୍ରକୁ ପଠାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି କହିଥିଲେ। ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ଅଧକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା

କଲାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ ଶ୍ରବଣା ବିବେକ ଏମ, ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡି, ସୋମେଶ ଉପାଧ୍ୟାୟ, ପି ଡି, ଡି ଆର୍ ଡି ଏ, କଳାହାଣ୍ଡି, ଡ ବିଶ୍ୱଜିତ୍ ଦାସ , ଉପ ଜିଲ୍ଲାପାଳ, ଭବାନୀପାଟଣା, ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟବକ୍ତା ରୂପେ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ,ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଜୟନ୍ତୀ ପାଳନ ଅବସରରେ ସକାଳ ୭.୩୦ ମି ସମୟରେ ପ୍ରଶାସନ ତରଫରୁ ଆୟୋଜିତ ନକ୍ଟିଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପ୍ରତିମୂର୍ତ୍ତି ରେ ଅତିଥିଗଣ ଓ ଟାଉନ୍ ହାଇସ୍କଲ,ବ୍ରଜ ମୋହନ ହାଇସ୍କୁଲ ର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନରୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ସେଭଳି ରେଲୱେ ଷ୍ଟେସନ ଛକ ସ୍ତିତ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୋଲିସ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାଲ୍ୟାର୍ପଣ କରିଥିଲେ।

ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ଗାଭାଲି ଉପସ୍ଥିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରି ଆମ୍ବେଦକର ଙ୍କ ସଂଘର୍ଷମୟ ଜୀବନ ଓ ଶିକ୍ଷା ପ୍ରତି ନିଷ୍ଠାକୁ ପାଥେୟ କରି ଜୀବନରେ କିଛି ହାସଲ କରିବାକୁ ହେଲେ ଏହି ମହାପୁରୁଷ ଙ୍କ ଆତ୍ମଜୀବନୀ ପଠନ ପୂର୍ବକ ତାଙ୍କର ନୀତି କୁ ଅନୁଧ୍ୟାନ କରିବାକୁ କହିଥିଲେ। ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ଗଣ ନିଜ ଅଭିଭାଷଣ ରେ ଆମ୍ବେଦକର ଙ୍କ ଅସାଧରଣ ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ, ରାଜନୈତିକ , ପାଣ୍ଡିତ୍ୟ,ସାମାଜିକ ନ୍ୟାୟ, ମହିଳାଙ୍କ ଅଧିକାର,ସାମାଜିକ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନ ଉପରେ ମତ ରଖି ତାଙ୍କର ଦେଶ ପ୍ରତି ମହାନ୍ ଅବଦାନ କୁ ସ୍ମରଣ କରିଥିଲେ।

ଏହି ଉପଲକ୍ଷେ ଗତ ୧୨.୪.୨୦୨୨ ରିଖ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ, ଅଧ୍ୟାପକ, ଗଣମାଧ୍ୟମ ପ୍ରିତିନିଧି, ବିଭିନ୍ନ ଅନୁଷ୍ଠାନ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ, ଯାଇ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ହରିଜନ କଲ୍ୟାଣ ସମିତି ର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭାର ଆୟୋଜନ, ସଞ୍ଚାଳନ ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର

ଭବାନୀପାଟଣାରେ ୧୨ତମ ଜାତୀୟ ଭୋଟର ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା ଦିବସର ସ୍ମୃତିରେ ପ୍ରତି ବର୍ଷ ଜାତୀୟ ଭୋଟର ଦିବସ ପାଳନ କରାଯାଏ। ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଦ୍ଵାରା ୧୨ ତମ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି। କୋଭିଡ ୧୯ କଟକଣା ନିୟମ ପାଳନ ପୂର୍ବକ ସମ୍ମିଳନୀ କକ୍ଷରେ ବିଏଲ୍ ଓ ତଥା ନୂତନ ଭୋଟର ଙ୍କ ଗ୍ରହଣରେ ସଭା ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଭୋଟର ଦିବସ ର ବିଷୟ ରହିଛି ” ନିର୍ବାଚନକୁ ସମ୍ମିଳିତ, ସୁଲଭ ଓ ସହଭାଗୀ କରିବା”ଏବଂ ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଚନ୍ଦନ ଭୋଟର ତାଲିକାରେ ଉଲ୍ଲେଖନୀୟ କାର୍ଯଯୋଗୁଁ ୭୭ ଲାଞ୍ଜିଗଡ ବିଏଲ୍ ଓ କୈଳାଶ ଚନ୍ଦ୍ର ଦାସ ସହକାରୀ ଶିକ୍ଷକ ଏବଂ ୭୮ ଜୁନାଗଡ ପାଇଁ ବିଏଲ୍ ଓ ଗିରିଧାରୀ ଛତ୍ରିଆ, ଶିକ୍ଷକ/ଲିଙ୍ଗରାଜ ବେହେରା ଶିକ୍ଷକଙ୍କୁ ପୁରସ୍କୃତ କରିଥିଲେ।

ଉପସ୍ଥିତ ନୂତନ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରି ଗଣତନ୍ତ୍ରକୁ ସୁଦୃଢ କରିବାକୁ ତଥା ନିଜର ମତଦାନ ନିଶ୍ଚୟ ଦେବାକୁ ସଙ୍କଳ୍ପ ନେବାପାଇଁ କହିଥିଲେ। ସଭାରେ ଅନ୍ୟମାନଙ୍କମଧ୍ୟରେ ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ, ଡି ଆଇ ପି ଆର୍ ଓ ମନୋଜ ବେହେରା , ଡି ପି ଓ ପ୍ରହ୍ଲାଦ ପ୍ରଧାନ ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡି ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ବିଜେପିର ନବଗଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣାସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣି ସାହୁ, ବିଜେପି ଜିଲ୍ଲା ପ୍ରଭାରୀ ରମେଶ ସାହୁ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ମଂଚାସୀନ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିଜେପି ସମଗ୍ର ଦେଶରେ ୧୫ କୋଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସାଂଗଠନିକ ବ୍ୟବସ୍ଥା ହେବା ସହିତ ତୃଣମୂଳ ସମସ୍ୟା ସମାଧାନ ପାଇଁ ସର୍ବଦା ପ୍ରତିଶୃତିବଦ୍ଧ ବୋଲି ବିରୋଧିଦଳ ନେତା ପ୍ରକାଶ କରିଥିଲେ। ସେହିପରି ବର୍ତ୍ତମାନ ସ୍ଥିତିରେ ଚାଷୀ ସମସ୍ୟା, ମଣ୍ଡି ସମସ୍ୟା, ଅନ୍ୟାୟ, ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ମଧ୍ୟ ଶ୍ରୀ ନାୟକ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସଭାପତି ସୁନୀଲ ବେହେରା ଓ ଧନଂଜୟ ପାତ୍ର, ବରିଷ୍ଠ ନେତା ଗୌର ପଣ୍ଡା, ଅନିରୁଦ୍ଧ ପ୍ରଧାନ, ଭବେନ୍ଦ୍ର ପଣ୍ଡା,ପୂର୍ବତନ ସାସଂଦ ସୁବାସ ନାୟକ, ଆର୍ତ ମହାପାତ୍ର , ମନୋଜ ମେହେର ପ୍ରମୂଖ ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

ଜିଲ୍ଲା କାର୍ଯ୍ୟକାରିଣୀ ଗଠନ ହେବାପରେ କୋଭିଡ଼ କଟକଣା ଯୋଗୁଁ କାର୍ଯ୍ୟକ୍ରମ ହୋଇପାରୁନଥିବା ବେଳେ ସଂଗଠନ ଢିଲା ପଡିଯାଇଥିବା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ବିରୋଧି ଦଳ ନେତାଙ୍କ ନେତୃତ୍ୱରେ ଜିଲ୍ଲା ସାରା ଧାନମଣ୍ଡିରେ ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରତୀକାତ୍ମକ ଧାରଣା ଦିଆଯାଇଥିବା ବେଳେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଯତକିଂଚିତ ବ୍ୟବସ୍ଥା କରାଯାଉଛି।

ଅନ୍ୟପକ୍ଷରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେବଳ ନୂଆପଡା ଜିଲ୍ଲା ହିଁ ଉପରେ ଫୋକସ କରୁଥିବା ବେଳେ କଳାହାଣ୍ଡିରେ କେବଳ ନିଜ ସଂପର୍କୀୟ ମାନଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ହିଁ ଯୋଗ ଦେବାରେ ସୀମିତ ରଖୂଥିବା ଆଲୋଚନା ହେଉଛି। ଏପରିକି ଚାଷୀମାନେ ସମସ୍ୟା ସଂପର୍କରେ ଅବଗତ କଲେ ସେମାନଙ୍କୁ ବିଜେଡି ଲୋକ କହୁଥିବା ଜିଲ୍ଲାସାରା ଆଲୋଚନା ହେଉଛି।

ଏହା ବ୍ୟତୀତ ଜିଲ୍ଲା ସଭାପତି ଚୟନରେ ବିଜେପି ମଧ୍ୟରେ ଯେଉଁ ଭଲି ଭାବେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ଏବଂ ଚୂଡାନ୍ତ ହେବାପରେ ମଧ୍ୟ କର୍ମୀ ତଥା କାର୍ଯ୍ୟକର୍ତ୍ତାମାନେ ସାଂସଦଙ୍କ ଦ୍ୱାରା ଅବହେଳିତ ହେଉଥିବା ଜିଲ୍ଲାସାରା ଆଲୋଚନା ହେଉଛି। କଳାହାଣ୍ଡି ଜିଲ୍ଲାରେ ତୃଣମୂଳ ସ୍ତରରେ ଥିବା ପୁରୁଖା ବିଜେପି କାର୍ଯ୍ୟକର୍ତ୍ତା ବଜେପି ସହେଯାଗୀ ମାନଙ୍କୁ ନେଇ ସଂଗଠନକୁ ସୁଦୃଢ ଭାବେ ଆଗେଇ ନେବାରେ ପଛରେ ପଡିଯାଇଥିବା ଜିଲ୍ଲାସାରା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ମୋଦୀଙ୍କ ପାଇଁ ଭୋଟ ଦେଇଥିବା ଭୋଟର ଏବେ ନିଜ ସମସ୍ୟା ମୋଦୀଙ୍କ ପାଖରେ ପହଂଚାଇ ପାରୁନଥିବା ବେଳେ କାହାକୁ ଜଣାଇବେ ସେନେଇ ଦ୍ୱନ୍ଦରେ ପଡିଯାଇ ଚୁପ ରହୁଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଭବାନୀପାଟଣା: ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଲେ କୋଭିଡ ଯୋଦ୍ଧା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଦେଶରେ ମହାମାରୀର ରୂପ ନେଇ ଥିବା କୋଭିଡ-୧୯ ର ମୁକାବିଲା ପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତର ଖାନା ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ବିପନ୍ନ କରି ଦିନରାତି ସଂକ୍ରମିତ ରୋଗୀ ମାନଙ୍କ ସେବା ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଫଳରେ ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନେ ଭବାନୀପାଟଣା ସ୍ଥିତ ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଜିଲ୍ଲାରେ ନିଯୁକ୍ତ ୭୨ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିରେ ୧୨ ପଜିଟିଭ ଚିହ୍ନଟ: ଭବାନୀପାଟଣା ସଟଡାଉନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଡାକ୍ତରଖାନା ଏବଂ ଦାୟୀତ୍ୱରେ ଥିବା ପଦାଧିକାରୀଙ୍କୁ ବାଦ ଦିଆଯାଇଥିବା ପ୍ରକାଶ।

ଏଥିପୂର୍ବରୁ ଜୟପାଟଣା ବ୍ଲକର ମୁଖିଗୁଡା ଓ ବାନେର ପଂଚାୟତ ତଥା କଲମପୁର ବ୍ଲକର ବିଜମରା ଗ୍ରାମପଂଚାୟତକୁ ସଂପୃକ୍ତ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଜଣାପଡିଛି।

ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ କ୍ୱାରେନଟାଇନରେ ରହିବା ବାଧ୍ୟତା ମୂଳକ ବୋଲି ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଥିଲେ। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଳନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀପାଟଣାରେ ଜଣେ ପଜିଟିଭ ଚିହ୍ନଟ, ଅର୍କାବାହାଲିପଡା ବଫରଜୋନ ଘୋଷିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସହର ଅନ୍ତର୍ଗତ ୱାର୍ଡ ନଂ.୧୦ ଅଧିନସ୍ଥ ଅର୍କାବାହାଲିପଡାକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି। ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଠଟି ରାସ୍ତା ସଂଲଗ୍ନ ହେଉଥିବା ଅର୍କାବାହାଲିପଡାର ୩ କି.ମି. ବ୍ୟାସାର୍ଦ୍ଧ ଅଂଚଳକୁ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ ଗତ ୧୭ ଜୁନ ଠାରୁ ୨୬ ଜୁନ ମଧ୍ୟରେ ଦୁଇଥର ଭୂବନେଶ୍ୱରସ୍ଥିତ ସମ ହସପିଟାଲ ଓ ଥରେ ବିସମକଟକସ୍ଥିତ ମିଶନାରୀ ହସପିଟାଲକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଗତ ୨୬ ତାରିଖ ଦିନ ସମ ହସପିଟାଲରେ କୋଭିଡ ସନ୍ଦିଗ୍ଧ ଭାବେ ସ୍ୱାବ ପରୀକ୍ଷା କରାଯାଇ ଭୂବନେଶ୍ୱର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାର ପ୍ରକାଶ।

ସଂପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜାଚାଲିଥିବା ସହିତ ୱାର୍ଡ ନଂ୧୦ ଅନ୍ତର୍ଗତ ଦୟାନିଧି ଛକ ଠାରୁ ଖରିଆର ରାସ୍ତା ପୁରୁଣା ଚେକଗେଟ ପର୍ଯ୍ୟନ୍ତକୁ ୩ କି.ମି. ବ୍ୟାସାର୍ଦ୍ଧରେ ବଫର ଜୋନ ଭାବେ ଘୋଷଣା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପଜିଟିଭ କେଶ ଗୁଡିକ ମଧ୍ୟରୁ ଆଜି ୭ ଜଣ ଆରୋଗ୍ୟ ଲାଭ କରିଥିବା ବିଜ୍ଞପ୍ତିରେ ଜଣାପଡିଛି। ଆରୋଗ୍ୟ ହାର ଶତକଡା ୯୨.୯ ହୋଇଥିବା ପ୍ରକାଶ। ବର୍ତ୍ତମାନ ୫ ଜଣ କରୋନା ପଜିଟିଭ ହିଁ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରକାଶ।