Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ ଘରକୁ ୫ ଗୋଟି ମୌଳିକ ସେବା ଯୋଗାଇ ଦିଆଯିବ: ଭୁବନେଶ୍ଵର ସାଂସଦ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ବର୍ତ୍ତମାନ ସମୟ ଉପନୀତ। ଦଳମତ ନିର୍ବିଶେଷରେ ମିଶିକି କାମ କରି ଖୋର୍ଦ୍ଧା ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବାର ଅଛି। ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଚୁଛି ନା ନାହିଁ ତାହାର ତଦାରଖ କରିବା ଆଜିର ବୈଠକର ମୁଖ୍ୟ ଆଭିମୁଖ୍ୟ। ଗତ ତା ୦୫.୧୦.୨୦୨୪ ରେ ଶେଷ ବୈଠକ ବସିଥିଲା।

ଆଜିର ଦିଶା ବୈଠକ ପରେ ପ୍ରତ୍ୟେକ ୩ ମାସରରେ ଏଥର ନିରନ୍ତର ବୈଠକ ବସିବ। ପ୍ରତ୍ୟେକ ଘରେ ୫ ଗୋଟି ମୌଳିକ ସେବା ଯଥା ଛାତ ଘର, ବିଶୁଦ୍ଧ ପିଇବା ପାଣି ସଂଯୋଗ, ଶୌଚାଳୟ, ବିଜୁଳି, ଗ୍ୟାସ ସିଲିଣ୍ଡର ଏବଂ ସର୍ବୋପରି ଗାଁକୁ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ ବୋଲି ମାନ୍ୟବର ସାଂସଦ ଭିଜନ ରଖିଛନ୍ତି ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) ବୈଠକରେ ଅଧ୍ୟକ୍ଷତା କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଭୁବନେଶ୍ୱର ସାଂସଦ ଏବଂ ବିଧାୟକ ବୃନ୍ଦ, ମନ୍ତ୍ରୀ ଏବଂ ବିଧାୟକଙ୍କ ପ୍ରତିନିଧି ବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେ ଯୋଗଦେଇ କହିଲେ ଯେ, ଦିଶା ବୈଠକ ଖୋର୍ଦ୍ଧା ଜିଲ୍ଲା ବିକାଶରେ ନିଶ୍ଚିତ ଭାବେ ଦିଶା ଦେଖାଇବ। ଜିଲ୍ଲାରେ ବର୍ତ୍ତମାନ ରାଜନୈତିକ ଏବଂ ପ୍ରଶାସନିକ ଦକ୍ଷତା ଅଛି। କେନ୍ଦ୍ର ଓ ରାଜ୍ୟରେ ସମାନ ସରକାର ଅଛି। ବିକାଶରେ କୌଣସି ଦଳ ନଥାଏ। ଏଣୁ ଖୋର୍ଦ୍ଧାର ଦୃତ ବିକାଶରେ ସମସ୍ତେ ଏକାଠି ହେଲେ ଲକ୍ଷ୍ୟ ସ୍ଥଳରେ ଆମେ ଖୁବ୍ ଶୀଘ୍ର ପହଞ୍ଚି ପାରିବା ସହ ଏକ ଜେନେରସନ୍ ପାଇଁ ଭିଜନ ପ୍ରସ୍ତୁତ ହୋଇଯିବ ବୋଲି କହିଥିଲେ।

ବୈଠକରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଦେଇ କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ ରୌଦ୍ର ତାପ ଯୋଗୁଁ ପାଣି ସମସ୍ୟା ଦେଖାଦେଇଛି। ଏଣୁ ପାଣି ସମସ୍ୟା ଦୂର କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାର ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ ମାନ୍ୟବର ସାଂସଦ ଗୁରୁତ୍ଵ ଦେବାକୁ କହିଥିଲେ।

ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଯୋଗଦେଇ କହିଥିଲେ ଯେ, ବିକାଶରେ କୌଣସି ଦଳ ନାହିଁ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ଜନ ପ୍ରତିନିଧି ମାନଙ୍କ ସହଯୋଗରେ ସମସ୍ତ ଯୋଜନାର ଉପକାରିତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱାରୋପ କରିବା ସହ କଲ୍ୟାଣପୁର ପାଞ୍ଚଗାଁ ରୋଡ ମଧ୍ୟରେ କଳ୍ଭର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ।

ଏହି ପରିପ୍ରେକ୍ଷୀରେ  ସାଂସଦ କହିଥିଲେ ଯେ, ଏପ୍ରିଲ ୧ ତାରିଖ ଠାରୁ ଜିଲ୍ଲାରେ ଯୋଜନା ସଫଳ ରୂପାୟନରେ ରାଜନୈତିକ ଅଡିଟ କରାଯିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ୫ ଗୋଟି ମୌଳିକ ସେବାର ଯୋଜନା ସଫଳତା ଦିଗରେ ଘରକୁ ଘର ବୁଲି ସର୍ଭେ କରାଯିବ। ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ରିଡ଼ିଂ ରୁମ୍ ହେବ ଏବଂ ଏହା ବ୍ଲକ୍ ଅଫିସ୍ ଦ୍ଵାରା ପରିଚାଳିତ ହେବ। ସେହିପରି କୋଚିଙ୍ଗ ସେଣ୍ଟର ମଧ୍ୟ ଖୋଲାଯାଇ ବିଦ୍ୟା ଅର୍ଜନକୁ ଗୁରୁତ୍ଵ ପ୍ରଦାନ କରାଯିବ।

ଗ୍ରାମୀଣ ଗୃହ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୪-୨ ୫ବର୍ଷରେ ୩୮୧ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୩୭୪ ନିର୍ମାଣାଧୀନ ଅଛି। ଏ ସମ୍ବନ୍ଧରେ ୭୫୭ ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ପ୍ରଥମ କିସ୍ତି ୭୫୫ ହିତାଧିକାରୀଙ୍କୁ, ଦ୍ୱିତୀୟ କିସ୍ତି ୪୯୧ ହିତାଧିକାରୀଙ୍କୁ ଏବଂ ତୃତୀୟ କିସ୍ତି ୩୫୭ ହିତାଧିକାରୀଙ୍କୁ ପ୍ରଦନ କରାଯାଇଛି।  ଆସନ୍ତା ୧୫ ମଇ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଂସଦ ବି ଡି ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସର୍ଭେ କାର୍ଯ୍ୟ ଚାଲିଥିବାରୁ ଏହାକୁ ଆସନ୍ତା ୧୫ ମଇ ସୁଦ୍ଧା ଶେଷ କରିବାକୁ ମଧ୍ୟ ସାଂସଦ ବି ଡି ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାରେ ଗ୍ରାମୀଣ ଘର ସଂଖ୍ୟା ପ୍ରାୟ ୨ ଲକ୍ଷ ଅଛି। ଜିଲ୍ଲାରେ ଜାତୀୟ ସାମାଜିକ ନିରାପତ୍ତା ଯୋଜନା ରେ ୪୧୦୦ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୨୪-୨୫ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୪.୯୮ଲକ୍ଷ କାର୍ଯ୍ୟ ଦିବସ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୮.୯୬କାର୍ଯ୍ୟ ଦିବସ ଯୋଗାଇଦିଆ ଯାଇ ୬୦ଶତକଡା ସଫଳତା ମିଳିଛି।

ସେହିପରି ୬୮୪ ଘରକୁ ୧୦୦ଦିନର କାର୍ଯ୍ୟ ଦିବସ ଯୋଗାଇ ଦିଆଯାଇଛି। ସେହିପରି ଅମୃତ ସରୋବର ଯୋଜନାରେ ୫୮୩ ପ୍ରକଳ୍ପକୁ ଚିହ୍ନଟ କରାଯାଇଥିବାବେଳେ ୧୯୦ ଗ୍ରାମ ପଂଚାୟତରେ ୫୭୦ ହିତାଧି କାରିଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ୨୫୫୪ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୧୫୫୮ନିର୍ମାଣ ଶେଷ ହୋଇଛି। ଏଥିସହ ମାନ୍ୟବର ସାଂସଦ ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯୋଜନା ଅନ୍ତର୍ଗତ ନଳକୂପ ଖନନ, ପାଇପଲାଇନ ଜଳ ଯୋଗାଣ, ଜଳସେଚନ, ପ୍ରାଚୀ ନଦୀବନ୍ଧ ଖଣ୍ଡ ଯୋଜନା, ଉଠାଜଳସେଚନ ଯୋଜନା, ୮ଟି ବ୍ଲକରେ ୨୦୦ ପି ଏମ କୁସୁମ ଯୋଜନା, ଗ୍ରାମୀଣ ରାସ୍ତା ନିର୍ମାଣ, ବୋଲଗଡ଼ ବାଙ୍କୋଈ ରୁ ପାଟ ବନ୍ଧା ରାସ୍ତା ମଇ ୩୧ ସୁଦ୍ଧା ସାରିବା, ଜିଲ୍ଲାରେ ୧୦୮ ଗୋଟି ଗ୍ରାମୀଣ ରାସ୍ତା ନିର୍ମାଣ ଅଗ୍ରଗତି, ପି ଏମ ଫସଲ ବୀମା ଯୋଜନା ଓ ଏହି ଯୋଜନାରେ ୨୦୨୩ ବର୍ଷରେ ମୋଟ୨୯୫୧୪୮ ଚାଷୀମାନଙ୍କ ୨୬୦୯୫ହେକ୍ଟର ଖରିପ ଚାଷରେ ଏବଂ ୧୧୮୮ଚାଷୀଙ୍କ ୨୬୦ହେକ୍ଟର ଚାଷ ଜମି ଯୋଜନାର ସମୀକ୍ଷା କରିଥିଲେ।

ଏହା ସହ ପଶୁସମ୍ପଦ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ ଯୋଜନା,ସାଂସଦ ପାଣ୍ଠି ଯୋଜନା, ବୃକ୍ଷ ରୋପଣ ଓ ଜଙ୍ଗଲସୃଷ୍ଟି ଯୋଜନା, ପୂର୍ତ୍ତ ବିଭାଗ ଯୋଜନା, ପର୍ଯ୍ୟଟନ, ଜାତୀୟ ରାଜମାର୍ଗ ଯୋଜନା, ରୋଗି କଲ୍ୟାଣ ସମିତି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ସମସ୍ତ ଅଧିକାରୀ ଓ କର୍ମଚାରୀ ଜଣେ ଜଣେ ସଚ୍ଚୋଟ, କାର୍ମିକ, ଦାୟିତ୍ବ ସମ୍ପନ୍ନ, ନିଷ୍ଠାପର ସେବକ ହେବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତିଶଙ୍କର ସାହୁ, ଖୋର୍ଦ୍ଧା ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଅପରାଜିତାଙ୍କୁ କଡ଼ା ଜବାବ ଦେଲେ ସୁଲତା: ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ

ଭୁବନେଶ୍ଵର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ। ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି। ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ।

ଏକ ପ୍ରେସ ବିବୃତିରେ ଶ୍ରୀମତୀ ଦେଓ କହିଛନ୍ତି ଯେ, ଅପରାଜିତା ମାଡାମ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି। ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ, ୨୩ ବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି। କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ଵାସ କରନ୍ତି। ତେଣୁ ସେ କଥା କମ୍ କାମ ବେଶି କରନ୍ତି। ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି। ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ, ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ।

ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି। ସରକାର କୃଷି ଓ ଜଳସେଚନ ଉପରେ ଅଧିକ ଗୁରୁତ୍ଵ ଦେବା ସହ କୃଷକଙ୍କ ଆୟ ବୃଦ୍ଧି କରିଛନ୍ତି। ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି। ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଜେଡ଼ିର ଦରଦାମ ବୃଦ୍ଧି ଆନ୍ଦୋଳନ: ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ବିଜେଡ଼ି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବ। ନଭେମ୍ବର ୧ ତାରିଖ ଠାରୁ ମହିଳା ବିଜେଡ଼ି ମଧ୍ୟ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ। ସେହିଭଳି ଛାତ୍ର ବିଜେଡ଼ି ମଧ୍ୟ ନଭେମ୍ବର ୫ ତାରିଖରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ।

ତେବେ ଏହାକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। କ୍ରିୟା ହେଲେ ପ୍ରତିକ୍ରିୟା ହେବ ବୋଲି ସାଂସଦ ଅପରାଜିତା କହିଛନ୍ତି। ନାରୀ ନିର୍ଯ୍ୟାତନାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଜେଡ଼ି ଏଭଳି କାର୍ଯ୍ୟ କରୁଛି ବୋଲି ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ତେଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ସାଂସଦ ପ୍ରକାଶ କରିଛନ୍ତି।

ସେହିଭଳି ବିଜେପି ନେତା ଗୋଲଖ ମହାପାତ୍ର ମଧ୍ୟ ବିଜେଡ଼ିକୁ ସମାଲୋଚନା କରିଛନ୍ତି। ଗୋଲଖ କହିଛନ୍ତି ଯେ, ଯଦି ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବାକୁ ବିଜେଡ଼ି ଚାହୁଁଛି, ତେବେ ରାଜ୍ୟସରକାର ଟିକସ ଛାଡ କାହିଁକି କରୁନାହାନ୍ତି। ପେଟ୍ରୋଲ-ଡିଜେଲ ବାବଦକୁ ରାଜ୍ୟ ସରକାର ୩୯ ଟଙ୍କା ଭ୍ୟାଟ ନେଉଥିବା ବେଳେ ଏହାକୁ ଛାଡ କଲେ ମୂଲ୍ୟ ୭୦ ଟଙ୍କାକୁ ହ୍ରାସ ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କେବଳ ମମିତା ହତ୍ୟାକାଣ୍ଡ ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ବିଜେଡ଼ି ଏକ ନାଟକ କରୁଛି ବୋଲି ବିଜେପି ନେତା ଗୋଲଖ ମହାପାତ୍ର କହିଛନ୍ତି।