ରେଢ଼ାଖୋଲ (କନ୍ଦର୍ପ ବେହେରା): ଲୋକଙ୍କ ସରକାରରେ ଗାଁକୁ ରାସ୍ତା, ମହିଳାଙ୍କୁ ସମ୍ମାନ ନାରା ଦିଆଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡବାହାଳ ଗ୍ରାମ ପଞ୍ଚାୟତ ଅଧୀନ ଟାଲ ଗାଁର ନୂଆଁସାହି
ଗ୍ରାମ ରାସ୍ତାରେ ଧାନ ପହ୍ଲା ରୋପଣ କରି ଅଭିନଵ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଗ୍ରାମରେ ପ୍ରାୟ ଦେଢ଼ କିଲୋମିଟର ରାସ୍ତା କାଦୁଅ ପଚ ପଚ। ଯା’ ଫଳରେ ଜନସାଧାରଣ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରୋଗୀକୁ ସେଇ ରାସ୍ତାରେ ଆମ୍ବୁଲାନ୍ସରେ ମେଡିକାଲ ନେବାରେ ଅସୁବିଧା ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଲଗାଣ ବର୍ଷାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି।
ଏହି ରାସ୍ତା ଦୀର୍ଘ ୩୦ ବର୍ଷ ହେବ ଏପରି ଦୁର୍ଦ୍ଦିନ ଅବସ୍ଥାରେ ପଡ଼ିରହିଛି। ଏହି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ ସରପଞ୍ଚ ଓ ପ୍ରଶାସନ କୁ ହାରି ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏଥିରେ ରେଢ଼ାଖୋଲ ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଗାଁରେ ପହଞ୍ଚି ମହିଳା ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରି ଯଥାଶୀଘ୍ର ଯାତାୟତ ପାଇଁ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେପଟେ ଗ୍ରାମବାସୀ ଓ ମହିଳା ମାନେ ଶୀଘ୍ର ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ କରିବା ସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଧାରଣ ଦେବାକୁ ଚେତାବନୀ ଦେଇଛନ୍ତି।


