Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ଗ୍ୟାସ ଚୋରା ଚାଲାଣ: ୫ ଟି ଗ୍ୟାସ ବୋଝେଇ ଟେଙ୍କର ଜବତ, ୭ ଜଣ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ବୈଷ୍ଣବଝୁଲି ଗ୍ରାମ ୫୫ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ବେଆଇନ ଗ୍ୟାସ ଚୋରା ଚାଲାଣ ହେଉଥିବା ବେଳେ ରେଢାଖୋଲ ପୋଲିସ୍ ଖଵର ପାଇ ୫ ଟି ଗ୍ୟାସ ବୋଝେଇ ଟେଙ୍କର୍ ସହିତ ୪୦ ରୁ ୪୫ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବା ବେଳେ ଏଥିରେ ୭ ଜଣ ଅଭିଯୁକ୍ତ କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ରାଉରକେଲା ଅଞ୍ଚଳର ଦୁର୍ଗା ଚରଣ ପୁଲେଇ, ଗଞ୍ଜାମ ଜିଲ୍ଲା ର କବିରାଜ ନାଏକ, ଆଲାଉଦିନ ଖାଁ, ଅନ୍ତର୍ଯ୍ୟାମୀ ପଣ୍ଡା, ବିନୟ ସିଂ, ହନିଫ ଖାଁ, ରାଜ କିଶୋର ବେହେରା।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ୫୫ ନଂ ଜାତୀୟ ରାଜପଥ ରାସ୍ତା କଡ ଓ ରାସ୍ତା କଡ ଢ଼ାବା ଗୁଡି଼କରେ ବେଆଇନ ଭାବରେ ଗ୍ୟାସ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ପାଖରେ ବାରମ୍ବାର  ଅଭିଯୋଗ ହେଉ ଆସୁଥିଲା। ଏଥିରେ ବିଳମ୍ବିତ ରାତ୍ରୀରେ ଗ୍ୟାସ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇ ସମ୍ବଲପୁର ଜିଲ୍ଲା ଏସପି ମୁକେଶ କୁମାର ଭାମୁ ଙ୍କ ନିର୍ଦ୍ଦେଶ କ୍ରମେ ରେଢ଼ାଖୋଲ ପୋଲିସ ଏକ ସ୍ବତନ୍ତ ଟିମ ଗଠନ କରି ୫୫ ନଂ ଜାତୀୟ ରାଜପଥ ବୈଷ୍ଣବଝୁଲି ରାସ୍ତା କଡ଼ ଢ଼ାବା ରେ ଅତର୍କିତ ଭାବେ ଚଢ଼ାଉ କରି ୫ ଟି ଗ୍ୟାସ ବୋଝେଇ ବଡ଼ ଟେଙ୍କର ଟିଏସ ୧୨ ସି ୮୧୩୭, ଟିଏସ ୧୨ ୟୁବି ୬୩୫୧, ଏନଏଲ୍ ୦୧ ଏନ ୮୫୯୦, ଓଡି ୧୫ ଏମ ୩୩୦୧, ଏନଏଲ ୦୧ ଏଲ୍ ୫୧୧୧ ବିଶିଷ୍ଟ ଗ୍ୟାସ ବୋଝେଇ ଟେଙ୍କର ସହିତ ୪୦ ରୁ ୪୫ ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହିତ ଉକ୍ତ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମର ବାସିନ୍ଦା ସୁଦର୍ଶନ ସେଠୀ (୪୪) ତାଙ୍କ ଘର ନିକଟ ଧାନ ଜମିରେ ଟୁଲୁ ପମ୍ପ ଜରିଆରେ ପାଣି ପ୍ରବାହିତ କରାଯାଇଥିଲା। ଏଥିରେ ସୁଦର୍ଶନ ଚାଷ କାର୍ଯ୍ୟରେ ଯାଇଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଚିକିତ୍ସା ପରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ।

ରେଢ଼ାଖୋଲ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ସେପଟେ ସୁଦର୍ଶନଙ୍କ ପରିବାରରେ ୨ ଟି ପୁତ୍ର ସନ୍ତାନ ଓ ଗୋଟିଏ ଝିଅ ଅବିବାହିତା ରହିଛନ୍ତି।

Categories
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କୁକୁଡ଼ା ବାହାଳି ପଞ୍ଚାୟତରେ ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଡାକ୍ତରଖାନାରେ ଚିକିତ୍ସାଧନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା କୁକୁଡାବାହାଳି ଗ୍ରାମର ନିତ୍ୟାନନ୍ଦ ସାହୁ (୪୭) ଭୋର ସକାଳୁ ଘର ପଛପଟେ ଥିବା ପାଖ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ହଠାତ୍ ସେଠାରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଭାଲୁ ସହ ସଂଘର୍ଷ କରି ନିଜକୁ ଭାଲୁ କବଳରୁ ବଞ୍ଚାଇ ଘରକୁ ଆସିବାରେ ସକ୍ଷମ ହୋଇଥିଲେ।

ପରିବାର ଲୋକେ ସଂଗେ ସଂଗେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ନିତ୍ୟାନନ୍ଦ ବର୍ତ୍ତମାନ ଭଲରେ ଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଯୁବକ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତ ଯୁବକ ଙ୍କୁ ଚାରମାଳ ପୋଲିସ ଗିରଫ କରିଛି।

ସୂଚନା ଯୋଗ୍ୟ ଯେ ବଂଶାଜାଲ ଗ୍ରାମର ଅନିଲ ପ୍ରଧାନ (୩୦), ଚିରନ ପ୍ରଧାନ(୧୯) ଓ ବଳ ପ୍ରଧାନ(୨୮) ତିନି ଜଣ ଯୁବକ ଅଭିଯୁକ୍ତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି କରି ନେଉଥିବା ବେଳେ ମୂଷାକଟା ଗ୍ରାମବାସୀ ଚାରମାଳ ପୋଲିସ ଖବର ଦେଇଥିଲେ।

ଏ ସଂକ୍ରାନ୍ତ ରେ ପୋଲିସ ଉକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ଚୋରି କରିଥିବା ନଳକୂପ ସହିତ ଏକ ବାଇକ ନଂ ଓଡ଼ି ୧୫ ଓ ୩୪୮୯ ବିଶିଷ୍ଟ ବାଇକ ଜବତ କରିଛି। କେଶ ନଂ ୧୫୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଞ୍ଚକତା କରି ଲିଜ ଜମିକୁ ବିକ୍ରି ଅଭିଯୋଗ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗିନାଳୀ ଗ୍ରାମବାସୀଙ୍କ ପୂର୍ବ ପୁରୁଷରୁ ଦଖଲ କରି ଆସୁଥିବା ଏକ ଜମିକୁ କଦଳୀଗଡ଼ ରାଜସ୍ୱ ସର୍କଲରେ ପୂର୍ବରୁ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କ ନାମରେ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ପଟ୍ଟା କରି ନେଇ ଥିବା ନେଇ ଅଭିଯୋଗ ହୋଇଛି। ହେଲେ ଉକ୍ତ ଜମିକୁ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ବିକ୍ରି କରି ଥିବା ନେଇ ଘୁଙ୍ଗିନାଳୀ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ମଙ୍ଗଳବାର ରେଢାଖୋଲ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ଘୁଙ୍ଗିନାଳୀ ଗ୍ରାମର ଖାତା ନମ୍ବର ୧, ପ୍ଲଟ ନମ୍ବର ୭୩/୨୮୮ ଜମିକୁ ଗ୍ରାମବାସୀମାନେ ଦୀର୍ଘ ୪୫ ବର୍ଷ ହେଲା ଦଖଲ କରି ଆସୁଥିଲେ।  ମାତ୍ର ଗ୍ରାମବାସୀଙ୍କ ଅଜ୍ଞାତରେ ୧୯୭୯ ମସିହାରେ ରେଢାଖୋଲ ତହସିଲ ଅନ୍ତର୍ଗତ କଦଳୀଗଡ଼ ଆରଆଇ ସର୍କଲରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ଭଗବାନ ସାହୁ ଚଞ୍ଚକତା କରି ପ୍ଲଟ ନମ୍ବର ୭୩/୨୮୮କୁ ତାଙ୍କ ପତ୍ନୀଙ୍କ ନାମରେ ଲିଜ ସୂତ୍ରରେ କରାଇ ଦେଇ ସେଇ ଜମିକୁ ତା୨୦.୦୮.୨୦୨୨ରିଖରେ ନାକଟିଦେଉଳ ବ୍ଲକ ଜଳ ବିଭାଜିକା ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁଙ୍କ ଘନିଷ୍ଠ ସହଯୋଗୀ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ପୁଅ ନରୋତ୍ତମ ପ୍ରଧାନଙ୍କୁ ବିକ୍ରି କରିଥିବା ଜଣା ପଡ଼ିଛି।

ତେବେ ଉକ୍ତ ଜମି ଟିକୁ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁ ନିଜ ନାମରେ କ୍ରୟ କରୁଥିବା ତଥା ଦସ୍ତାବିଜ ପ୍ରସ୍ତୁତ କରୁଥିବା ଖବର ପାଇ ଗ୍ରାମବାସୀମାନେ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଜମି କିଣାରୁ ନିବୃତ୍ତ ରହିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁ ଚଞ୍ଚକତା କରି ଉକ୍ତ ଜମିଟିକୁ ତାଙ୍କ ନିଜ ନାମରେ ନ କରି ତାଙ୍କର ଘନିଷ୍ଠ ସହଯୋଗୀ ନରୋତ୍ତମ ପ୍ରଧାନଙ୍କ ନାମରେ କ୍ରୟ କରି ନେଇଥିଲେ। ହେଲେ ପୂର୍ବରୁ କଦଳୀଗଡ଼ ଆରଆଇ ସର୍କଲରେ ଭଗବାନ ସାହୁ ଜଣେ ସରକାରୀ ଚାକିରୀଆ ଥିଲେ।

ନାକଟିଦେଉଳ ବ୍ଲକ ବାଟଗାଁ ଗ୍ରାମରେ ତାଙ୍କ ନିଜ ନାମରେ ପ୍ରାୟ ୨୦ ଏକର ଜମି ଥାଇ ତାଙ୍କ ସ୍ତ୍ରୀ କିପରି ଲିଜ ପାଇ ଜମି ପଟ୍ଟା ପାଇଲେ ତାହା ସନ୍ଦେହ ସୃଷ୍ଟି କରୁଛି। ଏଣୁ ଲିଜ ପାଇ ଥିବା ଦସ୍ତାବିଜ ଓ ବିକ୍ରି ହୋଇ ଥିବା ଜମି ସମ୍ପର୍କିତ ଦଲିଲ ଓ ଦସ୍ତାବିଜ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ: ତହସିଲଦାରଙ୍କୁ ଦାବବିପତ୍ର ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ଗ୍ରାମବାସୀମାନେ ଦୃଢ଼ ବିରୋଧ କରୁଛନ୍ତି। ଏଣୁ ଉକ୍ତ ଗ୍ରାମବାସୀମାନଙ୍କର ଜମିକୁ କୌଣସି ବିନିମୟରେ ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମବାସୀ ରେଢାଖୋଲ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଡିମିରିମୁଣ୍ଡା ଗ୍ରାମର ଖାତା ନମ୍ବର-୫୨, ପ୍ଲଟ ନଂ-୩୭୯,୪୪୦,୪୪୨,୧୨୪୮, ଖାତା ନଂ-୫୪, ପ୍ଲଟ ନଂ-୫୩୯, ୫୪୮,୫୫୩ ମୋଟ ୯୬.୮୮ଡିସିମିଲ ଜମି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତରକୁ ଦୃଢ ବିରୋଧ କରାଯାଇଛି।

ଗ୍ରାମର ଗୋଚର ପ୍ଲଟ ନଂ-୩୭୯,ଏରିଆ-୭ଏକର.୬୩ ଡିସମିଲ, ପ୍ଲଟ ନଂ-୪୪୨, ଏରିଆ ୧୯ ଏକର୦୫ ଡ଼ିସିମିଲ, ପ୍ଲଟ ନଂ ୧୨୪୮ ଏରିଆ ୨୬ ଏକର୭୩ ଡ଼ିସିମିଲ ଜମି ଗୃହ ପାଳିତ ପଶୁ ଯଥା ଗାଈ, ଛେଳି, ମେଣ୍ଢା, ମଇଁଷି ଇତ୍ୟାଦିଙ୍କ ଚାରଣ ଭୂମି ଭାବରେ ବ୍ୟବହାର ହେଉଅଛି। ପ୍ଲଟ ନଂ ୪୪୦କୁ ଗ୍ରାମର ଛାତ୍ର ଛାତ୍ରୀମାନେ ଖେଳ ପଡିଆ ଭାବରେ ବ୍ୟବହାର କରି ଆସୁଛନ୍ତି।ଉକ୍ତ ପ୍ଲଟର ଜମି ଖେଳ ପଡିଆ ଭାବରେ ସଂରକ୍ଷିତ ଅଛି।

ସେହିପରି ପ୍ଲଟ ନଂ ୫୩୯ ,୫୪୮ ଓ ୫୫୩ ଜମିରେ ଉକ୍ତ ଗ୍ରାମବାସୀଙ୍କ ଉଦ୍ୟମ ଓ ସୁରକ୍ଷାରେ ଏକ ସବୁଜ, ସୁନ୍ଦର ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହୋଇଅଛି। ଯାହାକି ପ୍ରାକୃତିକ ପରିବେଶର ସୁରକ୍ଷା କବଚ ଭାବେ କାମ କରୁ ଅଛି ଏବଂ ଶାଳ, ପିଆଶାଳ ମୂଲ୍ୟବାନ ଗଛ ଓ ମୂଲ୍ୟବାନ ଔଷଧିୟ ବୃକ୍ଷ ରହିଅଛି। ଏହି ଜମିରୁ କେନ୍ଦୁପତ୍ର, ମହୁଲ ଆଦି ସଂଗ୍ରହ କରି ଗ୍ରାମମାନଙ୍କର ଲୋକେ ଜୀବିକା ନିର୍ବାହ କରିଥାନ୍ତି। ଗ୍ରାମର ଉନ୍ନତି ମୂଳକ କାମ କଲେଜ, ଡାକ୍ତରଖାନା, ଗ୍ରାମ୍ୟ ପାର୍କ ପ୍ରତିଷ୍ଠା ନିମନ୍ତେ ବ୍ୟବହାର ପାଇଁ ରହିଛି।

ତେଣୁ ସେହି ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତର କରାଗଲେ ଗ୍ରାମବାସୀଙ୍କ ଗୃହ ପାଳିତ ପଶୁମାନଙ୍କର ଚାରଣ ଭୂମି ଧ୍ୱଂସ , ଖେଳ ପଡିଆ ନଷ୍ଟ,ଓ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବ।ସାଧାରଣ ଗରିବ ଲୋକଙ୍କର ଜୀବନ ଜୀବିକା ଉଜୁଡି ଯିବ। ଏପରିକି ଗ୍ରାମର ସାମଜିଜ , ସାଂସ୍କୃତିକ, ଅର୍ଥନୈତିକ ,ପରିବେଶ ବିକାଶରେ ବାଧାପ୍ରାପ୍ତ ହେବ। ଗ୍ରାମର ଏହି ଜମିକୁ କୌଣସି ବିନିମୟରେ ଇଡ଼କ ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।ଏଣୁ ଡିମିରିମୁଣ୍ଡା ଗ୍ରାମର ୯୬ ଏକର ୮୮ ଡ଼ିସିମିଲ ପରିମିତ ଜମି ଯଥା ଗୋଚର, ଖେଳପଡ଼ିଆ, ଜଙ୍ଗଲ , ସର୍ବସାଧାରଣଙ୍କ ଜାଗାକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର ଜମି ବ୍ୟାଙ୍କକୁ ହସ୍ତାନ୍ତର ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ପରିପ୍ରେକ୍ଷୀରେ ୱାର୍ଡ ସଭ୍ୟ ସଞ୍ଜୀବ କୁମାର ପ୍ରଧାନ, ଦାମିନି ମୁଣ୍ଡା, ସରତ କୁମାର ପ୍ରଧାନ, ଚମ୍ପାବତୀ ପ୍ରଧାନ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରି ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାନ ବିକ୍ରି କରି ଠକେଇର ଶିକାର ହେଲେ ଚାଷୀ: ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉନଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଖରିଫ ଋତୁରେ ବଡ଼ମାଳ ଅଞ୍ଚଳ ଚାଷୀ ସୀତାରାମ ଥାପା, ଦୀନବନ୍ଧୁ ସାହୁ, ବାବୁଲାଲ ରଣା, କଳ୍ପତରୁ ଷଣ୍ଢ, ମଣି ସେଠୀ, ଶୁକଦେବ ପ୍ରଧାନ, ବତିଷ୍ଟ ସାହୁ, ଓ ସୁବାଷ ସାହୁ ମଣ୍ଡିରେ ଧାନ ବିକ୍ରି କରି ବଳକା ଧାନକୁ ବରଗଡ଼ ଜିଲ୍ଲା ଗୋଡଭଗାର ଜଣେ ବ୍ୟକ୍ତିକୁ ୬ ମାସ ହେବ ଧାନ ବିକ୍ରି କରିଥିଲେ। ଧାନ ନେଲା ପରେ ବେପାରୀ ଜଣକ ଧରାଛୁଆଁ ଦେଉ ନ ଥିଲା। ବାରମ୍ବାର ଚାଷୀମାନେ ତାଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଥିଲେ। ବାଧ୍ୟ ହୋଇ ଚାଷୀ ପୋଲିସର ଆଶ୍ରୟ ନେଇଥିଲେ।

ଏହା ପରେ ବେପାରୀ ଜଣକ ଚାଷୀଙ୍କ ନାଁରେ ପାଖାପାଖି ୪ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ହେଲେ ଚେକ୍ ଗୁଡ଼ିକ ବାଉଁଶ ହୋଇ ଯାଇଥିଲା। ତା ପରେ ବେପାରୀକୁ ଜଣାଇବାରୁ ସେ ୧୫ ଦିନ ମଧ୍ୟରେ ଟଙ୍କା ଫେରେଇବାକୁ କହି କୋର୍ଟରେ ଚୁକ୍ତିନାମା ମଧ୍ୟ କରିଥିଲେ।

ଚୁକ୍ତିନାମା ଅବଧି ପୂରଣ ହେବା ପରେ ବେପାରୀର ଖବର ମିଳୁନାହିଁ। ଫୋନ କଲ୍ ବନ୍ଦ ଥିବାବେଳେ ଠିକଣା ଦେଇ ଥିବା ଘରେ ମଧ୍ୟ ରହୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଚାଷୀ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।