Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଶ୍ବରେ କରୋନା ସ୍ଥିତି: ମହାମାରୀରେ ଜୀବନ ହରେଇଛନ୍ତି ୩୧ ଲକ୍ଷ ୬୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବରେ ମୋଟ ୨୧୯ଟି ଦେଶକୁ କରୋନା କାୟା ବିସ୍ତାର କରିଛି। ବର୍ତ୍ତମାନ ବିଶ୍ବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୨୦ ଲକ୍ଷ ୯ ହଜାର ୫୯୦ ଜଣ ଥିବା ବେଳେ ୧୨ କୋଟି ୭୭ ଲକ୍ଷ ୩୧ ହଜାର ୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ୩୧ ଲକ୍ଷ ୬୩ ହଜାର ୩୯୬ ଜଣ ଆକ୍ରାନ୍ତ କରୋନା ଯୁଦ୍ଧରେ ଜୀବନ ହରେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ: ମହାମାରୀ ସମୟରେ ଆର୍ଥିକ ସୁଧାରକୁ ନେଇ କହିଲା ବିଶ୍ଵ ବ୍ୟାଙ୍କ

ନୂଆଦିଲ୍ଲୀ/ୱାଶିଂଟନ: ଗତ ଏକ ବର୍ଷ ତୁଳନାରେ ଭାରତ ବହୁତ ଆଗକୁ ଚାଲିଯାଇଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ନିୟୋଜିତ ବିଶ୍ଵ ବ୍ୟାଙ୍କ ମୁଖ୍ୟ ଅର୍ଥଶାସ୍ତ୍ରୀ ହଂସ ଟିମର କହିଛନ୍ତି।

ଯଦି ଏକ ବର୍ଷର ପୂର୍ବ କଥା ଚିନ୍ତା କରାଯାଏ, ତେବେ ଭାରତର ଆର୍ଥିକ ସ୍ଥିତିରେ ଅଭୁତପୂର୍ବ ହ୍ରାସ ଘଟିଥିଲା। କରୋନା ଟିକାକୁ ନେଇ କୌଣସି ସ୍ପଷ୍ଟତା ନଥିଲା। ମହାମାରୀ ବିଷୟରେ ଅନିଶ୍ଚିତତା ଲାଗିରହିଥିଲା। ଯଦି ଏବେ ଏହାର ତୁଳନା କରାଯାଏ, ତେବେ ଭାରତର ଅର୍ଥ ବ୍ୟବସ୍ଥା ପୁଣିଥରେ ବୃଦ୍ଧି ହେବାର ଦେଖିବାକୁ ମିଳୁଛି। ଭାରତ ଟୀକାକରଣ ଆରମ୍ଭ କରିବା ସାଙ୍ଗକୁ ଟୀକା ପ୍ରସ୍ତୁତିରେ ଭାରତ ଅଗ୍ରଣୀ ଭୂମିକା ତୁଲାଉଛି ବୋଲି ହଂସ ତିମର କହିଛନ୍ତି।

Categories
ଧର୍ମ ବିଶେଷ ଖବର

ମହାମାରୀ ସମୟରେ ବୁଢ଼ୀ ଠାକୁରାଣୀ ଯାତ୍ରା: ତର୍କ ନୁହେଁ ସତର୍କର ସମୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ।

ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି।

ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ସମାନ ମା’ ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା କେବଳ ମଣ୍ଡପରେ କରାଯାଇ ସାଧାରଣ ଭକ୍ତ ଦର୍ଶନକୁ ପୁନଃବିଚାର କରିବା ପାଇଁ ବୋଧହୁଏ ସମୟ ବାଧ୍ୟ କରିବ। ମା’ଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୯ ତାରିଖ ଦିନ ପାଳନ ହୋଇ ଏକ ସପ୍ତାହବ୍ୟାପୀ ଚାଲିବ। ଶୁଭଖୁଣ୍ଟି ସ୍ଥାପନ ସ୍ଥଳରେ ପୂଜା ଅର୍ଚ୍ଚନା କରାଯାଇ ଅସ୍ଥାୟୀ ମଣ୍ଡପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲିଛି। ତଥାପି ସହରବାସୀ ମାଆଙ୍କୁ ପୂଜାର୍ଚ୍ଚନା ଦର୍ଶନ ପର୍ବକୁ କିଭଳି ଢ଼ଂଗରେ କରୁଛନ୍ତି ଏହି ଦୃଶ୍ୟ ଦେଖିବାକୁ ବାକି ରହିଲା।

ବ୍ରହ୍ମପୁର ସହରର ଆରାଧ୍ୟାଦେବୀ ବୁଢ଼ୀ ଠାକୁରାଣୀ ତାଙ୍କର ପର୍ବ ଦ୍ୱିବର୍ଷକୁ ଥରେ ପାଳନ କରାଯାଇ ବିଶ୍ୱସ୍ତରରେ ଏଇ ଯାତ୍ରାର ମହାତ୍ମ୍ୟକୁ ପ୍ରସାର କରାଯାଇଥାଏ। ବିଭିନ୍ନ ପ୍ରକାର କଳାକୁଂଜ, ବେଶ, ଭୋଗ ଏବଂ ରାତ୍ରିରେ ମା’ଙ୍କ ଭ୍ରମଣରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଏକପ୍ରକାର ଭକ୍ତି ଆଧ୍ୟାତ୍ମିକ ଚେତନାର ପରିବେଶ ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ।

ଦକ୍ଷିଣ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟରୁ ମଧ୍ୟ ଅନେକ ଦର୍ଶନ ସକାଶେ ଶ୍ରଦ୍ଧାଳୁ ଆସନ୍ତି। ମା’ ପୂଜା ପାଉଥିବା ସ୍ଥଳରେ ବିବାହିତ ଝିଅବୋହୂ କୁମାରୀ କନ୍ୟାଙ୍କ ସକାଳୁ ରାତ୍ରି ଯାଏ ଗହଳି ରହିଥାଏ। ୨୦୨୧ରେ ଏସବୁର ଚିତ୍ର ପ୍ରତି ମହାମାରୀର କଡ଼ା ପ୍ରହାର ରହିଛି। ଏଣୁ ମହାମାରୀ ରୋଗର ପ୍ରତିକାର ନିମିତ୍ତ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ। ଜୀବନକୁ ସୁରକ୍ଷିତ କରି ରଖିବା ପାଇଁ ସ୍ୱାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରି ଯେଉଁ ପ୍ରକାର ମା’ଙ୍କ ଉତ୍ସବ ପାଳନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସାଧାରଣ ଜନତା ଓ ଆୟୋଜକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ।

ଯଦି ସାମାନ୍ୟ ତ୍ରୁଟି ରହିଯାଏ କିମ୍ବା ସଂକ୍ରମିତ ରୋଗୀଙ୍କୁ ଅନୁପ୍ରବେଶ ହୋଇ ସଂକ୍ରମଣ ବ୍ୟାପିବାର ବାଟ ଖୋଲିଯାଏ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଗଂଜାମ ଜିଲ୍ଲାର ନାଗରିକମାନେ ପ୍ରଚଣ୍ଡ ଅଧ୍ୟାତ୍ମ ବିଶ୍ୱାସୀ। ତୀର୍ଥ ହେଉକି ଯାନିଯାତ୍ରା ଉତ୍ସବରେ ଏମାନଙ୍କ ତ୍ୟାଗ, ସମର୍ପଣ, ଭାବପୂର୍ଣ୍ଣ ପୂଜାର୍ଚ୍ଚନାର ତୁଳନା ନାହିଁ। ସାରା ଭାରତରେ ଗଂଜାମ ଜିଲ୍ଲାର ଲୋକମାନଙ୍କ ପ୍ରଗାଢ଼ ଈଶ୍ୱର ବିଶ୍ୱାସକୁ ନେଇ ସବୁବେଳେ ଚର୍ଚ୍ଚା। ଏଣୁ ମା’ ସାଆନ୍ତାଣୀଙ୍କ ଯାତ୍ରାରେ ଜନସମାଗମ ପାଇଁ କିଛି ଦାୟିତ୍ୱହୀନ ମଣିଷଙ୍କ ପାଇଁ ଯେ ମାହାମାରୀ ବିରୁଦ୍ଧରେ ଲଢ଼ିବାକୁ ଥିବା ସବୁ ବ୍ୟବସ୍ଥାକୁ ବିଫଳ କରିନଦେବ କିଏ ବା କହିବ?

ଏପରି ସମୟରେ ଆମ ହାତରୁ ଅନେକ ପୁଣି ସମସ୍ୟାର ସମାଧାନର ବାଟ ମଧ୍ୟ ଖସିଯିବ ଏବଂ ଗଂଜାମକୁ ଭୟ ପୁଣି ଗ୍ରାସ କରିବ। ଆମ ପାଇଁ ବିକଳ୍ପ ହେଲା ମା’ ଏପ୍ରିଲ୍ ୯ ତାରିଖରେ ପୂଜାମଣ୍ଡପକୁ ଆସିବାପରେ ଦେଶୀ ବେହେରା ସାହିରେ ତାଙ୍କ ପୂଜାର୍ଚ୍ଚନା ବିଧି ସବୁ ସୂଚାରୁ ରୂପରେ ପାଳନ ହେଉ କିନ୍ତୁ ଲୋକ ସଂପର୍କ ଓ ଦର୍ଶନକୁ ଆଦୌ ସ୍ୱୀକୃତି ନଦେବା ହିଁ ସମୟର ଆବଶ୍ୟକତା ରହିଛି। ସେଇ ସ୍ଥାନ ଧୂପ, ଦୀପ, ହଳଦୀ, ଚନ୍ଦନ, କର୍ପୁରକନା ଓ ଭୋଗ ଆଦି ବିକ୍ରି ସଂପୂର୍ଣ୍ଣ ବାରଣ କରିଦିଆଯାଉ। ଏପରିକି ଫୁଲହାର ଦେବା କେବଳ ବିଧି ଅନୁଯାୟୀ ପରମ୍ପରାକୁ ପାଳନ କରି ପୂଜାର୍ଚ୍ଚନାରେ ନିୟୋଜିତ ସବୋୟତମାନଙ୍କ ଦ୍ୱାରା ହିଁ ସୀମିତ ରହୁ।

ସହରବାସୀ ନିଜକୁ ନିଜେ ପ୍ରସ୍ତୁତ କରିନେଇ ଦର୍ଶନ ଲାଭର ଉତ୍କଣ୍ଠାକୁ ମହାମାରୀ ସମୟରେ ନ ରଖି ବରଂ ନିଜ ନିଜ ଘରେ ମା’ଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଟିଏ ରଖି ଦୀପଟିଏ ଜାଳି ନିଜର ମନର ଭାବ ପ୍ରକଟ କରି ମହାମାରୀ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ରାତ୍ରିରେ ମା’ଙ୍କ ଭ୍ରମଣରେ ସଂଖ୍ୟା ୫୦ ଭିତରେ ହିଁ ସୀମିତ ରହୁ। ବିଶ୍ୱାବସୀଙ୍କୁ ମହାମାରୀ ମୁହଁରୁ ମୁକୁଳିବା ପାଇଁ ବ୍ୟାକୁଳ ମନରେ ପ୍ରାର୍ଥନା ଶ୍ରେଷ୍ଠ ନୈବେଦ୍ୟ।

ମା’ଙ୍କ ପୂଜା ଅର୍ଚ୍ଚନା ବିଧି ପୂର୍ବକ ହେଉ କିନ୍ତୁ ସାଧାରଣ ଭକ୍ତ ଭାବରେ ଜନସମାଗମ ପାଇଁ ସେଇ ସ୍ଥାନକୁ ୧୪୪ ଧାରା ମଧ୍ୟରେ ବଳବତ୍ତର ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବାହିନୀ ଅଧିକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସହରର ବହୁ ଗୁଣୀଜ୍ଞାନୀ ଆଧ୍ୟାତ୍ମପ୍ରେମୀ ଗବେଷକ, ସାହିତ୍ୟିକମାନେ ସହରବାସୀଙ୍କ ତରଫରୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍: ସୋଆ ବିଶେଷଜ୍ଞ

ଭୁବନେଶ୍ୱର: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଥିଲେ।

ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍। ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍। କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍‌ରେ ପତାକା ଉତ୍ତୋଳନ ଅବସରରେ ସୂଚନା ଦେଇଛନ୍ତି ସୋଆର ପ୍ରୋ-ଚାନ୍‌ସେଲର୍‌ ତଥା ବିଶିଷ୍ଟ କାର୍ଡିଓ – ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ।

ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ କୋଭିଡ ବିରୁଦ୍ଧରେ ଭାକ୍ସିନ୍ ଆସିଗଲାଣି ତଥାପି ଏହି ମହାମାରୀର ଭୟାବହତା ଚାଲିଗଲାଣି ବୋଲି କେହି ଭାବିବା ଉଚିତ୍ ନୁହେଁ। ଭାକ୍ସିନ୍ ଆସିଯିବା ଦ୍ୱାରା ଏବଂ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ଦ୍ୱାରା ବିନା କୌଣସି କଟକଣାରେ ସବୁଆଡେ ଅନାୟସରେ ବୁଲି ହେବ ବୋଲି ଲୋକେ ଭାବିବା ଆରମ୍ଭ କଲେଣି।

ତେବେ ଏହା ଠିକ୍ କଥା ନୁହେଁ। ଅନେକ ଦେଶରେ ବର୍ତ୍ତମାନ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଗଲାଣି। ତେଣୁ ଆମକୁ ଏ କଥାକୁ ଏତେ ସହଜରେ ନେବା ଉଚିତ୍ ନୁହେଁ ବୋଲି ପ୍ରଫେସର ମହାପାତ୍ର କହିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋଆରେ ପୂର୍ବ ଭଳି ଗଣତନ୍ତ୍ର ଦିବସ ପାଳନରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ପୃଥକ ପୃଥକ ଭାବେ ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ (ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିଜ୍‌) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍‌ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍‌
ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ନୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କରୋନା ଭଳି ଏକ ମହାମାରୀର ସାମ୍ନା କଲାବେଳେ ଗଣମାଧ୍ୟମ ସରକାର ସାଙ୍ଗରେ ରହିବ ନା ଲୋକଙ୍କ ସାଙ୍ଗରେ?

କେଦାର ମିଶ୍ର

ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ କରିବାର ଅର୍ଥ ଗଣମାଧ୍ୟମ ପାଇଁ ସବୁବେଳେ ଅଲଗା। ଆମେ ଯେ କୌଣସି ବିପର୍ୟୟ ବେଳେ ଆମର କ୍ୟାମେରା ତଥା କଲମ ଧରି ଲୋକଙ୍କ ସହ ଛିଡା ହୋଇଥାଉ। ଆମର କାମ ହେଉଛି ଲୋକଙ୍କ କଥା ଦେଖାଇବା ଓ ଲେଖିବା। ଲୋକ ଯେଉଁ ପରିସ୍ଥିତିରେ ଅଛନ୍ତି ଓ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ଯାହା କରୁଛନ୍ତି, ତା ଉପରେ ଆମର କଡା ନଜର ରହିବା ଉଚିତ। ଯୁଗେ ଯୁଗେ ତାହା ହିଁ ସାମ୍ବାଦିକତାର ଧର୍ମ। ତେବେ ଏପ୍ରକାର ପରିସ୍ଥିତିରେ ସରକାରକୁ ସମାଲୋଚନା କରିବା କିମ୍ବା ଭୁଲତୃଟି ଦେଖାଇବା ଉଚିତ ନୁହଁ ବୋଲି ଏବେ ଏକ ଧାରଣା ସୃଷ୍ଟି ହୋଇଛି। ଏପ୍ରକାର ଧାରଣା, ଗୋଟେ ସମାଜକୁ ପଙ୍ଗୁ କରିଦେବ ଓ ସରକାରକୁ ଅନ୍ଧ କରିଦେବ, ଏ କଥା ଆମକୁ ବୁଝିବାକୁ ପଡିବ।

କରୋନା ଭଳି ଏକ ସଂକ୍ରାମକ ମହାମାରୀର ସ୍ଥିତିକୁ ଅନୁଧ୍ୟାନ କଲାବେଳେ ଆମେ ସରକାରଙ୍କ ଭଲକାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବୁ ଓ ସରକାର ଯେଉଁଠି ଶିଥିଳ ପଡିବେ ସେଠି ଆମେ ଖେଞ୍ଚା ମାରିବୁ। ଏକଦା କେହିଜଣେ ଦାର୍ଶନିକ କହିଥିଲେ, ଆମର କାମ ହେଉଛି ମଶା ପରି। ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ ଗୁଣୁ ହୋଇ ଉଠେଇଦେବାର କାମଟି ଆମେ କରିଥାଉ। ତେବେ ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ  ଗୁଣୁ କଲେ ସେ ରାଗିକି ହେଉ ବା ବିରକ୍ତିରେ ହେଉ ଆପଣଙ୍କୁ ଚଟକଣା ପକାଇପାରେ। ତେବେ ସେଥିପ୍ରତି ଆମେ ସବୁବେଳେ ସତର୍କ ଓ ସଜାଗ। କରୋନା ମହାମାରୀର ବ୍ୟାପକତାକୁ ଦେଖି ଭାରତରେ ଯେଉଁ ୨୧ ଦିନିଆଁ ତାଲାବନ୍ଦ ଚାଲିଛି, ତାହା ଦେଶ ପାଇଁ ଏକାନ୍ତ ଆବଶ୍ୟକ। ସଂକ୍ରମଣର ଶ୍ରୁଙ୍ଖଳା କାଟିବାକୁ ହେଲେ ଏମିତି କିଛି ବଡ ମୂଲ୍ୟ ଆମକୁ ଦେବାକୁ ପଡିବ ଓ ତାହା ଆମେ ଦେଉଛୁ ମଧ୍ୟ। ତେବେ ଏମିତି ସମୟରେ ସରକାର ଶୋଇରହିଲେ, ଆମେ ଚୁପ ବସିବା ଉଚିତ ହେବ କି?

ଏହି ଦୁର୍ଦ୍ଦିନରେ କିଛି ଚିତ୍ର ଆମକୁ ପ୍ରବଳ ବିଚଳିତ ଓ ବ୍ୟଥିତ କରୁଛି। କରୋନା ରୋକିବା ଲାଗି ଯେଉଁ ସାମାଜିକ ଦୂରତ୍ଵ ବା ତାଲା ବନ୍ଦର କଥା କୁହାଯାଇଛି, ଏହା ଏକପ୍ରକାର ମଧ୍ୟବିତ୍ତ ଛୁଟି କି? ୟା ଭିତରେ ଦୁଇଟି ଚିତ୍ର ଆମେ ଦେଖିଲୁ। ଗୋଟେ ଚିତ୍ରରେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜ ପତ୍ନୀଙ୍କ ସହିତ ଲୁଡୁ ଖେଳୁଛନ୍ତି ଓ ଆଉ ଗୋଟେ ଚିତ୍ରରେ ଦେଶର ପରିବେଶ ତଥା ସୂଚନା-ପ୍ରସାରଣ ମନ୍ତ୍ରୀ ଟ୍ରାକସୁଟ ପିନ୍ଧି ବଡ ଆରାମରେ ଟିଭିରେ ରାମାୟଣ ଦେଖୁଛନ୍ତି। ଏହାକୁ ଆମେ କଣ ବୋଲି କହିବା? ଏ ପ୍ରକାର ଛୁଟି ମନାଇବାର ଚିତ୍ର ଆମକୁ ବ୍ୟଥିତ କରୁନାହିଁ କି? ଦେଶରେ ଯେତେବେଳେ ସବୁଠୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି, ସେତେବେଳେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଲୁଡୁ ଖେଳିବାର ଚିତ୍ର, ଏହା ରୋମ ନଗରୀ ଜଳିଗଲା ବେଳେ ସେତେବେଳର ସମ୍ରାଟ ନୀରୋଙ୍କ ବଂଶୀବାଦନ ନୁହେଁ ତ!! ଅବଶ୍ୟ ଆଉ ଗୋଟେ ଚିତ୍ର ବି ଆସିଛି, ପ୍ରଧାନମନ୍ତ୍ରୀ ତାଙ୍କର ଯୋଗମୂଦ୍ରାର ଚିତ୍ର ଆମକୁ ଦେଖାଇଛନ୍ତି। ଏହାକୁ ଆମେ ସରକାରୀ ତତ୍ପରତାର ଉଦାହରଣ ବୋଲି ଭାବିନେଇ ଚୁପ ରହିବା କି?

ଭାରତରେ ଏହି ସମୟ ଅତ୍ୟନ୍ତ ସଙ୍କଟର ସମୟ। ଯେତେବେଳେ ଆମର ବଡ ବଡ ରାଜନେତାମାନେ ଛୁଟିର ସମୟ ବିତାଉଛନ୍ତି, ସେତେବେଳେ ଦେଶର ଗରିବ ଓ ଅସହାୟ ଜନତାଙ୍କ ଉପରେ ପ୍ରବଳ ନିର୍ୟାତନା ଆରମ୍ଭ ହୋଇଛି। ସରକାର କହୁଛନ୍ତି, ଲୋକଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ, ହେଲେ ଲୋକ ସରକାର ଉପରେ ବିଶ୍ଵାସ କରୁନାହାନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏବେ ରାଜରାସ୍ତାରେ ଚାଲି ଚାଲି ଗାଁ କୁ ଫେରୁଛନ୍ତି। ରାସ୍ତାରେ ଅନେକ ଲୋକ ପ୍ରାଣ ବି ହରାଇସାରିଲେଣି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଏହି ଶ୍ରମିକ ଓ ଗରିବଙ୍କ ଉପରେ ଅକଥନୀୟ ନିର୍ୟାତନାର ଚିତ୍ର ଆମେ ଦେଖୁଛୁ। ଲୋକଙ୍କ ଉପରେ ରାସାୟନିକ କୀଟାଣୁ ନାଶ ଛିଞ୍ଚୁଥିବାର ଦୃଶ୍ୟ ଦେଖି ମାନବିକତା ଉପରେ ଆମର ଭରସା ରହିବ ତ! ଏ ପ୍ରଶ୍ନ ଆଜି ଗଣମାଧ୍ୟମ ପଚାରିବାକୁ ବାଧ୍ୟ।

ଓଡିଶା ସରକାର କରୋନା ମୁକାବିଲା କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି ଓ ସେଥିଲାଗି ସରକାରଙ୍କୁ ପ୍ରଶଂସା କରିବାରେ ଆମର କାର୍ପଣ୍ୟ କରିବାର ନାହିଁ। ତେବେ ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯେଉଁ କିଛି ଚିତ୍ର ଆସୁଛି, ତାହା ଆଦୌ ପ୍ରଶଂସାଯୋଗ୍ୟ ନୁହେଁ। ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିବା ପରିବର୍ତ୍ତେ ଅନେକ ପୋଲିସ ଅଧିକାରୀ କଙ୍ଗାରୁ ଅଦାଲତ ଖୋଲି ବସିଛନ୍ତି। କିଏ ଲୋକଙ୍କୁ ମନଇଛା ମାଡ ମାରିଲାଣି ତ ଆଉ କିଏ ଲୋକଙ୍କୁ ରାସ୍ତାରେ କାନଧରେଇ ବସ ଉଠ କଲାଣି। ସବୁଠୁ ଜଘନ୍ୟ ଚିତ୍ର ହେଉଛି, ଲୋକଙ୍କୁ ହୀନସ୍ତା କରାଇବାକୁ ସେମାନଙ୍କ ଛାତିରେ ଏକ ପୋଷ୍ଟର ମାରି “ମୁଁ ଦେଶର ଶତ୍ରୁ” ବୋଲି ଦେଖାଯାଉଛି ଓ ବୀରଦର୍ପରେ ଆମର ଗଣମାଧ୍ୟମ ଏହାକୁ ପ୍ରଦର୍ଶିତ କରୁଛନ୍ତି।

ଉଭୟ ପୋଲିସ ଓ ଗଣମାଧ୍ୟମର ଏହା ସବୁଠୁ ବଡ ବର୍ବରତା। ଦେଶର ଶତ୍ରୁ ବୋଲି ଜଣେ ଲୋକର ଛାତିରେ ପୋଷ୍ଟର ମାରିବା ଏକ ଅପରାଧ ଓ ଏ ପ୍ରକାର ଅପରାଧ ପାଇଁ ଦେଶର ସମ୍ବିଧାନ ଆଗରେ ଆମେ ସମସ୍ତେ ଲଜ୍ଜିତ ହେବାକୁ ବାଧ୍ୟ।