Categories
ବିଶେଷ ଖବର

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର: ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ

ବିଶ୍ବବିଜୟୀ ଦାଶ

ପାରଳା ମହାରାଜା, ଭାଷା ଆନ୍ଦୋଳନର ପୁରୋଧା, ପ୍ରଜାବତ୍ସଳ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ।

ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ୧୮୯୨ ମସିହା ଅପ୍ରେଲ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତା ଙ୍କ ନାମ ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ମାତା ଙ୍କ ନାମ ରାଣୀ ବିଷ୍ଣୁପ୍ରିୟା ଦେବୀ।ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ତାଙ୍କର ବାଲ୍ୟଶିକ୍ଷା ସମାପ୍ତ ହୋଇଥିଲା।

ତା’ପରେ ଉଚ୍ଚଶିକ୍ଷା ପାଇଁ ସେ ମାନ୍ଦ୍ରାଜ ଗଲେ। ମାନ୍ଦ୍ରାଜରେ ପାଠ ପଢ଼ିବା ସମୟରେ ତାଙ୍କ ପିତାଙ୍କର ସ୍ବର୍ଗବାସ ହୋଇଥିଲା। ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ତା’ପରେ ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ।

ମହାରାଜା ହୋଇ ମଧ୍ୟ ରାଜକୀୟ ବିଳାସ ବ୍ୟସନ ଠାରୁ ବହୁ ଦୂରରେ ରହି ଜନସେବାକୁ ଗୁରୁତ୍ୱ ଦେଇଥିଲେ।ତାଙ୍କର ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନକରିଥିଲେ। ଏହି ଅର୍ଥ ପାଇବା ପରେ ଗୋପବନ୍ଧୁ ଦାସ କୃଷ୍ଣଚନ୍ଦ୍ରଙ୍କୁ ଆଶୀର୍ବାଦ ଜଣାଇ ଏକ ପତ୍ର ଲେଖିଥିଲେ। ତା’ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ।

ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ। ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ।

ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ।ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା। ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ,ଉନ୍ନତୀ ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ। ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ।

ପାରଳାଖେମୁଣ୍ଡିଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ। ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ। ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,”ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।”

କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା।

ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା। ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଓଡ଼ିଶାର ଦାବୀ ଉତ୍‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,”ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ। ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ।” ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ।

ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ। କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ। ରାଜ୍ୟରେ ଜଳ ସେଚନର ସୁବିଧା ପାଈଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ ,ସାହିତ୍ୟ ଗବେଷଣା ପାଈଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

୧୯୧୩ ମସିହାରେ କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ରାଜ୍ୟାଭିଷେକ ପରେ ସେ ପାଞ୍ଚୋଟି କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ଜୀବନରେ ଏହି ସର୍ତ୍ତ ଗୁଡ଼ିକ ପାଳନ କରିଥିଲେ।

ବ୍ରିଟିଶ ପର୍ଲ୍ୟାମେଣ୍ଟରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା। ପ୍ରତି ପ୍ରଦେଶର ବିଧାନ ସଭା ପାଇଁ ନିର୍ବାଚନ ହେଲା। ଓଡ଼ିଶା ବିଧାନ ସଭାରେ ୬୦ଟି ଆସନରୁ ୩୬ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦେଇ ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ଟି ଆସନ ଥିଲା। ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ୱତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ୱ ନେଲେ ନାହିଁ। ତେଣୁ ଓଡ଼ିଶାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବେ ରହିଲେ ବାଣପୁର ମାଟିର ଗୌରବ ପଣ୍ଡିତ ଗୋଦାବରୀଶ ମିଶ୍ର।ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ବର୍ଷକ ପରେ ଅର୍ଥାତ ୧୯୩୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ। ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚଶିକ୍ଷାର ସୁବିଧା ପାଇଁ କଲେଜ ପ୍ରତିଷ୍ଠା କରିବା ସଙ୍ଗେସଙ୍ଗେ ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ବ୍ୟବସ୍ଥା ମଧ୍ୟ କରିଥିଲେ। ମହାରାଜାଙ୍କ ମନ୍ତ୍ରୀତ୍ୱ ଥିବାଯାଏ ତାଙ୍କର ମାସିକ ଦରମା ଓ ଗସ୍ତଖର୍ଚ୍ଚ ସବୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରୁଥିଲେ।ପଣ୍ଡିତ ଗୋପୀନାଥ ନନ୍ଦଙ୍କ “ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ”ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ “ପ୍ରାଚୀନ ଉତ୍କଳ” ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,”ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ”ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ। ସେ ତତ୍‌କାଳୀନ ଓଡ଼ିଶାର କୃଷକମାନଙ୍କ ଉନ୍ନତି ପାଇଁ ପାରଳାଖେମୁଣ୍ଡିରେ ଆଦର୍ଶ କୃଷି ଫାର୍ମ ଓ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ।

ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ସେ ପାରଳାଖେମୁଣ୍ଡିଠାରେ ମଧ୍ୟ ଏକ ଛୋଟ ଇସ୍ପାତ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ତାହାକୁ ଟାଟା କମ୍ପାନୀ ସହିତ ଚୁକ୍ତି କରିଥିଲେ। ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଅବଦାନ ଅତୁଳନୀୟ। ବିଶେଷ କରି ଲଳିତକଳା, ସାହିତ୍ୟ, ସଙ୍ଗୀତ, ରାଗ ରାଗିଣୀ, ଗୋଟିପୁଅ ନାଚ ବା ଗାନ୍ଧର୍ବ ବିଦ୍ୟାରେ ମହାରାଜାଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡି ଥିଲା ଚିରପ୍ରସିଦ୍ଧ। ଯାହାକି ସହରର ଅବସ୍ଥିତି ସାହିତ୍ୟ ସଙ୍ଗୀତର ଏକ କ୍ଷୁଦ୍ର ସଂସ୍କରଣ ବୋଲି ମନେହୁଏ। ଘୁମୁସରର ରାଜା ଧନଞ୍ଜୟ ଭଞ୍ଜ ନାତି ଉପେନ୍ଦ୍ର ଭଞ୍ଜଙ୍କୁ କଥା ଛଳରେ କହିଥିଲେ-

“ଗଣିତରେ ଖଣ୍ଡପଡା ସଂସ୍କୃତରେ ନୟାଗଡ଼
କ୍ଷତ୍ରିୟରେ ଘୁମୁସର
ଧରାକୋଟ ରାଜନୀତି,
ଗନ୍ଧର୍ବବିଦ୍ୟାରେ ପାରଳାଖେମୁଣ୍ଡି
ମନେରଖିଥିବୁ ନାତି।”

ମାଡ୍ରାସର ଜଷ୍ଟିସ ପାର୍ଟିର ସେ ଜଣେ ସଭ୍ୟ ଭାବରେ କାମ କରୁଥିଲେ। ଏଥି ସହିତ ରୟାଲ ଆଗ୍ରିକଲଚରାଲ କମିସନର ସଭ୍ୟ ଭାବରେ ୧୯୨୭ରୁ କାମ କରୁଥିଲେ। ୧୯୪୭ରୁ ୧୯୫୦ ଯାଏଁ ସେ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ। ଏହା ସହିତ ସେ ରୟାଲ ସୋସାଇଟି ଅଫ ଆର୍ଟସ ଓ ରୟାଲ ଏସିଆଟିକ ସୋସାଇଟି, ଲଣ୍ଡନ ଓ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ ଭାବେ ରହିଥିଲେ। ୧୯୩୨ରେ ତାଙ୍କୁ ଓଡ଼ିଶା ସରକାର “ମହାରାଜା” ଉପାଧିରେ ଭୂଷିତ କରିଥିଲେ। ସେହି ବର୍ଷ ବ୍ରିଟିଶ ସରକାର ତାଙ୍କୁ କେସିଆଇ ଉପାଧି ମଧ୍ୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ୧୯୯୨ ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ସମୟରେ ତାଙ୍କରି ନାମରେ ଗଜପତି ଜିଲ୍ଲା ଭାବରେ ନାମିତ ହୋଇଥିଲା। ସେ ୧୯୭୪ ମସିହା ମଇ ୨୫ ତାରିଖ ରେ ଦୁନିଆ ଛାଡ଼ି ଚ଼ାଲିଗଲେ।

ସେହି ମହାପୁରୁଷ ଓଡ଼ିଶାର ଗର୍ବ ଓ ଗୌରବ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, 
ପିନ୍- ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦେ୍ୱତ କୁମାର ପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ(ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭାରତର ପ୍ରଥମ ରାଜ୍ୟ ଭାବେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ।

ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଞ୍ଚଳିକ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପୁଣ୍ୟତିଥି ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୪୬ତମ ପୁଣ୍ୟତିଥି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ବହୁମୁଖୀ ସଂଘ ତରଫରୁ ପାଳିତ ହୋଇଯାଇଛି । ଏମ୍‌କେସିଜି ମେଡ଼ିକାଲ୍ କଲେଜ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯିବା ସହ ତାଙ୍କ ସ୍ମୃତି ଆଚରଣ କରାଯାଇଥିଲା ସେ ଜଣେ ଦେଶପ୍ରେମୀ, ତ୍ୟାଗୀ ବ୍ୟକ୍ତିଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି ରାମକୁମାର ପାତ୍ର, ପ୍ରହ୍ଲାଦ ପାଣିଗ୍ରାହୀ, ଅଶୋକ ନିମାଇଁ, ଭଗବାନ ଭୂୟାଁ, କେଶବ ପାଢ଼ୀ, ସନ୍ତୋଷ ସବାତ, ଆଲୋକ ଚୌଧୁରୀ, ମଧୁ ସାହୁ, କିରଣ ସାହୁ, ଟୁଟୁ ନାୟକ, ମହେଶ୍ୱର ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।