Categories
ବିଶେଷ ଖବର

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ: ଦଳକୁ ସ୍ୱାଗତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବାଚନ ଘୋଷଣା ହେବା ପରଠାରୁ ଝାରସୁଗୁଡ଼ାରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତା ନିୟମିତ ବ୍ୟବଧାନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର‌୍ୟ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି।

ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପରାମର୍ଶଦାତା ସଦାଶିବ ନାୟକ, ସାଧାରଣ ସମ୍ପାଦକ ଅଶୋକ ମାଝି, ଉପସଭାପତି ବୀର ଧୁରୁଆ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସମ୍ପାଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ଏହି ନେତାମାନଙ୍କୁ ବିଜେଡି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୂପାନ୍ତରଣର ଧାରା ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର‌୍ୟ୍ୟ କରିବାର ସୁଯୋଗ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ସହ ସାରା ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଅବିସ୍ମରଣୀୟ। ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରିଛି ଓ ସେମାନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠାପର ଭାବରେ କାର‌୍ୟ୍ୟ କରିଛନ୍ତି ସେଥିପାଇଁ ସାରା ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ନିମନ୍ତେ ସେମାନେ କାର‌୍ୟ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର। ସେହିପରି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମାନେ ସାଧାରଣ ଲୋକଙ୍କ ନିମନ୍ତେ କାର‌୍ୟ୍ୟ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ମହେନ୍ଦ୍ର ବଢ଼େଇ, ଦଳର ମୁଖପାତ୍ର ସଞ୍ଜୟ ବାବୁ, ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପର‌୍ୟ୍ୟବେକ୍ଷକ ଅମରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶପଥ ନେଲେ ସସ୍ମିତ ପାତ୍ର, ଟେବୁଲ ବାଡାଇ ଗୃହରେ କରାଗଲା ସ୍ବାଗତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି।

ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କ ବାଣପୁର ଗସ୍ତ: ବିଭିନ୍ନ ସମସ୍ୟାଭିତ୍ତିକ କାର୍ଯ୍ୟ ବିଷୟରେ କଲେ ଆଲୋଚନା

ସୀତାରାମ ଅଗ୍ରୱାଲ

ବାଣପୁର: ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କାମନା କରିଥିଲେ। ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ସମୟରେ ମନ୍ଦିର ସେବାୟତମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ ଖୁବଶୀଘ୍ର ବ୍ୟୟବରାଦ କରିବେ ବୋଲି କହିଥିଲେ।

ମନ୍ଦିର ଦର୍ଶନ ସାରି ଫେରିଲା ପରେ ବାଣପୁରକୁ ସବ ଡିଭିଜନ ମାନ୍ୟତା, ଗୋଦାବରୀଶ ମହାବିଦ୍ୟାଳୟକୁ ଅଟୋନୋମସ ମାନ୍ୟତା ଆଦି ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ଉକ୍ତ ଦୁଇ ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି। ସାଂସଦଙ୍କ ଗସ୍ତ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଥିଲା।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଆଜି ନିର୍ଦ୍ବନ୍ଦରେ ବିଜେଡିର ତିନିଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ଥିଲା। ହେଲେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ତାଙ୍କୁ ନିର୍ବାଚିତ ଘୋଷିତ କରାଗଲା। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର। ଏହି ତିନିଜଣଙ୍କୁ ବିଧାନସଭା ରିଟର୍ଣିଂ ଅଫିସର ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଅନ୍ୟତମ ପ୍ରାର୍ଥୀ ନିରଂଜନ ବିଶିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ୬ ଜୁନ ପର୍ଯ୍ୟନ୍ତ ରହିଛି। କାରଣ ଏହା ଉପନିର୍ବାଚନ ଥିବାରୁ ଏଥିପାଇଁ ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲେ ମଧ୍ୟ ୬ ତାରିଖରେ ତାଙ୍କୁ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯିବ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଚାରି ବିଜେଡି ପ୍ରାର୍ଥୀ, ଆସନ୍ତାକାଲି ଯାଞ୍ଚ

ଭୁବନେଶ୍ବର: ଆଜି ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ନିକକଟରେ ଏହି ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଂଜନ ବିଶି।

ଆଜି ପୂର୍ବାହ୍ନରେ ସମସ୍ତ ପ୍ରାର୍ଥୀ ବିଧାନସଭା ଆସି ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ସାଥିରେ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଥିଲେ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ବର୍ତ୍ତମାନ ଆଉ କେହି ନାମାଙ୍କନ ଦାଖଲ କରିବାକୁ ନ ଥିବାରୁ ଏହି ଚାରିଜଣଙ୍କୁ ବିଜୟୀ ଘୋଷଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ତଫା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ  ଉପଦେଷ୍ଠା ପଦବୀରୁ ଇସ୍ତଫା ଦେଇଛନ୍ତି ମାନସ ମଙ୍ଗରାଜ। ସେ ଗତକାଲି ରାଜ୍ୟସଭା ପ୍ରାର୍ଥୀଭାବେ ମନୋନିତ ହୋଇଥିବାରୁ ମାନସ ଏହି ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦବୀରୁ ଇସ୍ତଫା ଦେବା ପରେ ସେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀ ଭାବେ କଣ ପାଇଁ ନବୀନ ଏହି ଚାରିଜଣଙ୍କୁ ବାଛିଲେ, ଜାଣନ୍ତୁ ଭିତିରି କାରଣ

ଭୁବନେଶ୍ବର: ବହୁ ଚର୍ଚ୍ଚା ପରେ ଶେଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଚାରିଜଣଙ୍କ ନାମ ମନୋନିତ କରିଛନ୍ତି। ଏହି ଚାରିଜଣ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି। ଏମାନଙ୍କ ମଧ୍ୟରୁ ସୁଲତା, ମାନସ ଏବଂ ସସ୍ମିତ ପୂର୍ଣ୍ଣକାଳୀନ ଅର୍ଥାତ ଛଅ ବର୍ଷ ପାଇଁ ରାଜ୍ୟସଭାକୁ ମନୋନିତ ହୋଇ ଯିବେ।

ହେଲେ ଶେଷ ପ୍ରାର୍ଥୀ ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି ସେ ହେଉଛନ୍ତି ନିରଞ୍ଜନ ବିଶି, ସ୍ବଳ୍ପ କାଳୀନ ଅବଧୀ ପାଇଁ ରାଜ୍ୟସଭା ଯିବେ। ରାଜ୍ୟ ରାଜନୀତିରେ ସୁଲତା, ମାନସ ଏବଂ ସସ୍ମିତଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା। ଏହିତିନି ଜଣ ରାଜ୍ୟସଭାକୁ ନିଶ୍ଚିତ ଯିବେ ବୋଲି ଆନୁମାନ କରାଯାଉଥିଲା। ଯାହା ପରବର୍ତ୍ତି ସମୟରେ ସତ ହୋଇଛି।

ତେବେ ନବୀନ ଏହି ଚାରିଜଣଙ୍କୁ ବାଛିବାରେ ଏକ ମୁଖ୍ୟ କାରଣ ରହିଛି। ତାହା ହେଲା ସେ ସବୁ ବର୍ଗକୁ ପ୍ରାଧାନ୍ୟ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ପ୍ରଥମ ପ୍ରାର୍ଥୀ ସୁଲତା ଦେଓ ହେଉଛନ୍ତି ମହିଳା, ମାନସ ହେଉଛନ୍ତି ଓବିସି, ସସ୍ମତି ହେଉଛନ୍ତି ସଂଖ୍ୟାଲଘୁ ଆଉ ନିରଞ୍ଜନ ହେଉଛନ୍ତି ଆଦିବାସୀ।

ଏହି ଚାରି ବର୍ଗକୁ ଧ୍ୟାନରେ ରଖି ନବୀନ ଏହି ନିଷ୍ପତି ଗ୍ରହଣ କରିଥିବାର ସ୍ପଷ୍ଟ ହୋଇଛି। ଫଳରେ ବିରୋଧୀଙ୍କର ମୁହଁ ଚୁପ ହୋଇଯାଇଛି। ସେମାନେ ଯେଉଁ ଅଭିଯୋଗ କରିଥାଆନ୍ତେ ନବୀନ ମହିଳା, ଓବିସି, ସଂଖ୍ୟାଲଘୁ କିମ୍ବା ଆଦିବାସୀଙ୍କୁ ଗୁରୁତ୍ବ ଦେଉ ନାହାଁନ୍ତି, ତାହା ଆଉ କହିପାରିବେ ନାହିଁ।

ସୁଲତା ଦେଓ ବିଜେଡିର ଜଣେ ଆଗଧାଡି ନେତ୍ରୀ। ଦୀର୍ଘ ବର୍ଷ ଧରି ସେ ଏହି ଦଳରେ ଅଛନ୍ତି। ହେଲେ ତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିଲା। ସମାଜ କଲ୍ୟାଣ ବୋର୍ଡ, ବିଜେଡି ପ୍ରବକ୍ତା ଏବଂ ପରବର୍ତ୍ତି ସମୟରେ ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଠା କରାଯାଇଛି। ହେଲେ ତାହାର କୌଣସି ମାନେ ନ ଥିଲେ ମଧ୍ୟ ସୁଲତା ସୁଚାରୁ ରୂପେ ଏହି କାର୍ଯ୍ୟ କରିଛନ୍ତି। ଫଳରେ ନବୀନ ଶେଷରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ଉଚିତ ମନେ କଲେ।

ସେହିପରି ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୁପରିଚାଳନା କରିବା କାର୍ଯ୍ୟ ସେ ଦକ୍ଷତାର ସହ କରିଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଦ୍ବାରା ସେ ବିଜେଡିର ଭାବମୂର୍ତ୍ତିକୁ ଗଣମାଧ୍ୟମରେ ଠିକ ଭାବେ ରଖିବା କାର୍ଯ୍ୟ ମଧ୍ୟ କରି ଦେଖାଇଛନ୍ତି।

ଅନ୍ୟତମ ପ୍ରାର୍ଥୀ ସସ୍ମିତ ପାତ୍ର ରାଜ୍ୟସଭାରେ ଯେତିକି ଦିନ ଥିଲେ ସେଥିରେ ସେ କେବଳ ବିଜେଡି କାହିଁକି ରାଜ୍ୟର ଟେକ ରଖିବାରେ ସକ୍ଷମ ହୋଇପାରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ରାଜନୀତିରେ ସେ ବେଶ ପାରଂଗମ। ପ୍ରଥମ ଥର ନିର୍ବାଚନ ହୋଇ ମଧ୍ୟ ସେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ପାଇଁ ମନୋନିତ ହେବା ନିଶ୍ଚିତ ଗର୍ବ ଓ ଗୌରବର କଥା। ସେ ପୁଣିଥରେ ରାଜ୍ୟସଭାକୁ ଯିବାର ଆବଶ୍ୟକତା ଥିଲା ଯାହା ନବୀନ କରି ଦେଖାଇଛନ୍ତି।

ତେବେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ବିଶି ହେଇଛନ୍ତି ଜଣେ ସପ୍ରାଇଜ ପ୍ରାର୍ଥୀ। କାରଣ ତାଙ୍କ ନାମ କେବେ ବି ଚର୍ଚ୍ଚାରେ ନ ଥିଲା। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି। ଦଳକୁ ପଶ୍ଚିମ ଓଡିଶାରେ ସୁଦୃଢ କରିବା ପାଇଁ ତାଙ୍କୁ ନବୀନ ମନୋନିତ କରିଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖାଲିଥିବା ଚାରୋଟି ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର ଅଛନ୍ତି। ଏହି ତିନିଜଣ ପୂର୍ଣ୍ଣ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବେ।

ତେବେ ସ୍ବଳ୍ପକାଳୀନ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ନବୀନ ଯାହାକୁ ବାଛିଛନ୍ତି ସେ ହେଉଛନ୍ତି ନିରଂଜନ ବିଶି। ଏହି ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ହେଉଛି। କାରଣ ଏହି ନେତା କେବେ ବି କୌଣସି ପ୍ରସଂଗରେ ଚର୍ଚ୍ଚାରେ ନ ଥିଲେ। ଏପରିକି ସେ ଜଣେ ବିଜେଡି ନେତା ତାହା ମଧ୍ୟ ରାଜ୍ୟବାସୀଙ୍କୁ ଜଣା ନ ଥିଲା।

ହେଲେ ହଠାତ ନବୀନ ତାଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆସନ୍ତୁ ଜାଣିବା ଏହି ନେତା କିଏ ସେ ଏବଂ କେଉଁଠାରେ ରାଜନୀତି କରନ୍ତି। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି।

ସେ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ଏଥିପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ରହିଥିଲା। ମୁଖ୍ୟତଃ ବଲାଙ୍ଗୀର ତଥା ପଶ୍ଚିମ ଓଡିଶାରେ ଆଦିବାସୀଙ୍କୁ ସଂଗଠିତ କରିବାରେ ଏହି ନେତାଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ବର୍ତ୍ତମାନ ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ପଦବୀ ପ୍ରଦାନ କରିଛି।

ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ରହିଛି ପ୍ରଚ୍ଛନ୍ନ ହାତ। ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଛନ୍ତି। ଏ କଥାକୁ ମଧ୍ୟ ନିରଂଜନ ବିଶି ନିଜେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତ ସିଂ ତାଙ୍କ ନାମକୁ ସୁପାରିଶ କରିଥିଲେ। ଫଳରେ ନବୀନ ତାଙ୍କ ନାମକୁ ମନୋନିତ କରିଛନ୍ତି।

ଏହାଦ୍ବାରା ନବୀନ ଗୋଟିଏ ବାଣରେ ଦୁଇଟି ଶିକାର କରିପାରିଛନ୍ତି। ପ୍ରଥମେ ଜଣେ ଆଦିବାସୀଙ୍କୁ ରାଜ୍ୟସଭାକୁ ପଠାଇଥିବା ବେଳେ ପଶ୍ଚିମ ଓଡିଶାରେ ଦଳର ସଂଗଠନକୁ ମଧ୍ୟ ମଜୁବୁତ କରିପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ମାନସ ମଙ୍ଗରାଜଙ୍କୁ କରୋନା, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ତଥା ବିଜେଡିର ଯୁବ ନେତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ବାସପ୍ରଶାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ କରୋନା ଟେଷ୍ଟ କରାଇଥିଲେ। ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ଆସିଥିଲା। ଏହାପରେ ସେ ସମ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ମାନସ ଟୁଇଟ କରି ଜଣାଇଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ମାନସ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି: ମାନସ ମଙ୍ଗରାଜ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସର୍କିଟ୍ ହାଉସ୍‌ଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ମିଡ଼ିଆ ସଂପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗୀୟ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବାବେଳେ ଗଂଜାମ ଜିଲ୍ଲାର ସ୍ଥିତି ଗମ୍ଭୀର। ତେଣୁ ଏହାକୁ ନେଇ ଉଭୟ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗୁୁୁରୁତର ଭାବରେ ନେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଗଣମାଧ୍ୟମ ଏବଂ ତା’ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ। ଜିଲ୍ଲାରେ କରୋନାର ମାତ୍ରା ଅହେତୁକ ଭାବେ ବୃଦ୍ଧିର ମୁଖ୍ୟ କାରଣ କ’ଣ ହୋଇପାରେ ବୋଲି ଆଜି ସାମ୍ବାଦିକମାନଙ୍କଠାରୁ ମତ ମଗାଯାଇଥିଲା।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାମ୍ବାଦିକ କରୋନା ମହାମାରୀ ଅହେତୁକ ବୃଦ୍ଧିକୁ ନେଇ ନିଜ ନିଜର ମତ ଦେଇଥିଲେ। ଯାହାକି ଆଗାମୀ ଦିନରେ କରୋନାକୁ ମୁକାବିଲା କରିବା ପାଇଁ ଏହା ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରିବ ବୋଲି ସାମ୍ବାଦିକମାନେ ଆଶା ବ୍ୟକ୍ତ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟତଃ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ୱୟର ଅଭାବ ଏବଂ ସାମ୍ବାଦିକମାନଙ୍କର ମତକୁ ଜିଲ୍ଲା ପ୍ରଶାସନ ଉପେକ୍ଷା କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକଙ୍କୁ ଅନ୍ଧାରରେ ରଖୁଥିବାକୁ ନେଇ ଆଜି ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ।