ଭଦ୍ରକ: ପାରିବାରିକ କଳହରୁ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ନଙ୍ଗାମହଲା ଗାଁରେ ଘଟିଛି ଦୁଃଖଦ ଘଟଣା। ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସ୍ୱାମୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଦମ୍ପତି ହେଲେ ନଙ୍ଗାମହଲା ଗାଁର ମୁସ୍ତାଫା ରାଜା ଓ ତାଙ୍କ ସ୍ତ୍ରୀ ସୋନୁ ବିବି।
ସୂଚନା ଅନୁଯାୟୀ, ମୁସ୍ତାଫା ଓ ସୋନୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ବର୍ଷ ଓ ୬ ବର୍ଷ ବୟସର ଦୁଇଜଣ କନ୍ୟା ସନ୍ତାନ ଅଛନ୍ତି। ଗୁରୁବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।
ଏହି ସମୟରେ ମୁସ୍ତାଫା ଉତ୍କ୍ଷିପ୍ତ ହୋଇ ସୋନୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସୋନୁଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୁସ୍ତାଫା ମଧ୍ୟ ସେହି ସ୍ଥାନରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୁରୁଣାବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ପାରିବାରିକ କଳହର ପ୍ରକୃତ କାରଣ କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।


