Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ତିରିଶଟି ସେତୁ ନିର୍ମାଣ କରାଯିବ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାର ଏକ ସେତୁ ଉଦଘାଟନ କରିଛନ୍ତି। ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ପରିବର୍ତ୍ତନ କରାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତ୍ବ ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯୋଗାଯୋଗରେ ସୁବିଧା ଆସିବ। ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

“ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର‌୍ୟ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।”

ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି। ସଡକ, ସେତୁ ନିର୍ମାଣରେ ଆଖିଦୃଶିଆ ଉନ୍ନତି ଆସିଛି।  ପର୍ଯ୍ୟଟନ କ୍ରୀଡା ଆଦି କ୍ଷେତ୍ରରେ ବିଶ୍ବ ସ୍ତରୟ ପ୍ରକଳ୍ପ ନିର୍ମାଣ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି୍ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ।

ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ। କରୋନା ଦ୍ବୀତିୟ ଲହର ଭୟ ରହିଛି । ତେଣୁ ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତା ରଖନ୍ତୁ ।

ଏହି କାର୍ଯ୍ୟକ୍ରମ ରେ ଆସ୍କା ଏମ୍ ପି ଆସ୍କା ବିଧାୟକ ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ପ୍ରମୁଖ ଉଦ୍ ବୋଧନ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କାଳିଆ ଯୋଜନାରୁ ଆର୍ଥିକ ବର୍ଷ ଆରମ୍ଭ କଲେ ନବୀନ, 34 ଲକ୍ଷ ଚାଷୀଙ୍କ ଖାତାକୁ ଗଲା 700 କୋଟି ଟଙ୍କା

ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷର ଆରମ୍ଭ ଦିନରେ ମୁଖ୍ୟମନ୍ତ୍ରୀ ସେହି କାଳିଆ ଯୋଜନାରୁ ତାଙ୍କର ଜନହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାଲିଆ ଯୋଜନାରେ ପ୍ରାୟ 34 ଲକ୍ଷ ଚାଷୀଙ୍କୁ 693.94 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିଛନ୍ତି। ତେବେ ପିପିଲି ନିର୍ବାଚନ ଚାଲିଥିବାରୁ ପୁରୀ ଜିଲ୍ଲାର ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ ନାହିଁ।

ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। Its heartening to note that kalia is having an impact in the lives of 37 lakh farmers in the state as well as 17 lakh landless poor. Kalia scheme is the only scheme in the entire country which also helps landless poor along with farmers.

ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଚାଷୀକୁ zero percent interestରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ।

ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ । ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ MSP କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି । M S Swaminathan Committee Recommendationକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ।

ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ। ବୋଲି ମୁଖ୍ୟମନ୍ତ୍ରୀ ବର୍ଣନା କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ  କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକରେ ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

କଟକ, ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ମାନବତାର ପ୍ରତିମୂର୍ତ୍ତୀ ବା Statue of Humanity ନାମରେ ନାମିତ କରାଯାଇଛି । ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି । ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର‌୍ୟ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ତେଣୁ ସେ ଥିଲେ ମାନବତାର ମହାନ ଉଦ୍‌ଗାତା । ଗୋପବନ୍ଧୁଙ୍କ ମୂର୍ତ୍ତୀ ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି । ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତର ପ୍ରଥମ ପର୍ଯ୍ୟାୟରେ କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲ ଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳାର (High Relief Mural Sculpture) ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି ।

ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ। ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର‌୍ୟ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଏହି କାର‌୍ୟ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମନ୍ତ୍ରୀ ପ୍ରତାପ ଜେନା ଏମ୍ ପି ଶ୍ରୀ ଭତୃହରି ମହତାବ ଏମ୍ ପି ସୁବାସ ସିଂହ କଟକ ଜିଲ୍ଲାର ବିଧାୟକଗଣ ସମାଜ ଅନୁଷ୍ଠାନର କର୍ମକର୍ତା ମାନେ ଊପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନସଭାରେ କଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ

ଭୁବନେଶ୍ବର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସହ ନିଜର ବକ୍ତବ୍ୟ ରଖିଛନ୍ତି। ସେ ବିଧାନସଭାରେ ଯାହା କହିଛନ୍ତି ତାହା ହେଲା…

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି । ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧିନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।

ସମଗ୍ର ବିଶ୍ବକୁ ଭାରତର ଯାହା ଅବଦାନ ରହିଛି, ତନ୍ମଧ୍ୟରୁ ଗାନ୍ଧୀ ଦର୍ଶନ ଓ ଗାନ୍ଧୀଙ୍କ ବାର୍ତ୍ତା ଏକ ମହାନ ଅବଦାନ ଭାବରେ ପରିଗଣିତ।

ଆଜି ଆମେ କୌଣସି ସାଧାରଣ ପରିସ୍ଥିତି ମଧ୍ୟରେ ଗତି କରୁନାହୁଁ। ମହାମାରୀର ମୁକାବିଲା ଏହି ଆହ୍ବାନର ସାମୁହିକ ରୂପକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବକୁ ମନେପକାଇ ଦେଇଛି ଯେ ଯଦି ଆମ ଜନସଂଖ୍ୟାର ଏକ ବଡ ଅଂଶ ଦାରିଦ୍ର‌୍ୟ ଓ ଶଂକାକୂଳ ଅବସ୍ଥାରେ ରୁହନ୍ତି, ତେବେ ଅଳ୍ପ କିଛି ଲୋକଙ୍କ ସଂପତ୍ତି ଓ ବିକାଶ ମୂଲ୍ୟହୀନ। ଆମେ ସମସ୍ତେ ଗୋଟିଏ ସୂତ୍ରରେ ଯୋଡି ହୋଇ ରହିଛେ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ବ୍ୟକ୍ତିଗତ ଲୋଭକୁ ଦୂର କରିବା ଉପରେ ଗାନ୍ଧୀଜୀଙ୍କ ଗୁରୁତ୍ବ ଏବଂ ସାଧାରଣ ଲୋକ ସଂପର୍କରେ ଚିନ୍ତା କରିବାପାଇଁ ତାଙ୍କର ଆହ୍ବାନ ଆମକୁ ବିଶ୍ବର ଆବଶ୍ୟକତା ସଂପର୍କରେ ମନେ ପକାଇ ଦିଏ ।

ଆଜି ସମଗ୍ର ବିଶ୍ବରେ ବିଭେଦ ଓ ଧୃବୀକରଣ ବଢିଚାଲିଛି। ବହୁ ମତବାଦର ସୁରକ୍ଷା ପ୍ରତି ଗାନ୍ଧୀଜୀଙ୍କର ନିଷ୍ଠା, ସହିଷ୍ଣୁତା ଓ ସଦ୍‌ଭାବର ବାର୍ତ୍ତା ଆଜି ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯାହା ସେତେବେଳେ ଥିଲା । ମହାତ୍ମାଗାନ୍ଧୀଙ୍କ ଅହିଂସ ପ୍ରତିବାଦ ଏପରି ଏକ ସ୍ଫୁଲିଙ୍ଗ, ଯାହା ସମଗ୍ର ବିଶ୍ବରେ ଅନେକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରେରଣା ଦେଇଛି ।

ଗାନ୍ଧୀଙ୍କ ଏହି କାଳଜୟୀ ଦର୍ଶନକୁ ମନେ ପକାଇବା ପାଇଁ କଳିଙ୍ଗ ଠାରୁ ଆଉ ଭଲ ସ୍ଥାନ କଣ ଥାଇପାରେ, ଯେଉଁଠାରେ ଦୁଇ ସହସ୍ର ବର୍ଷ ପୂର୍ବେ ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତିର ମାର୍ଗ ଗ୍ରହଣ କରିଥିଲେ । ଆଜି ଏହି ଅବସରରେ ମାର୍ଟିନ ଲୁଥର କିଙ୍ଗ (ଜୁନିଅର)ଙ୍କ କଥାକୁ ମନେ ପକାଉଛି । ସେ କହିଥିଲେ “ ଯଦି ମାନବତାକୁ ଅଗ୍ରସର ହେବାକୁ ଅଛି, ତାହେଲେ ଗାନ୍ଧୀଙ୍କୁ ଛାଡି ହେବ ନାହିଁ । ଆମେ କେବଳ ନିଜ ପାଇଁ ବିପଦ ସୃଷ୍ଟି କରି ହିଁ ଗାନ୍ଧୀଜୀଙ୍କୁ ଉପେକ୍ଷା କରିପାରିବା”। କିଙ୍ଗ୍‌ଙ୍କ ଏହି ମନ୍ତବ୍ୟ ଆଜିର ଦୁନିଆ ପାଇଁ ସଂପୂର୍ଣ୍ଣ ଭାବେ ପ୍ରାସଙ୍ଗିକ।

ମହାତ୍ମାଗାନ୍ଧୀ ଯେତେବେଳେ ୧୯୨୧ରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳେ ଓଡିଶା ଗୋଟିଏ ସ୍ବତନ୍ତ୍ର ରାଜ୍ୟ ନ ଥିଲା। ଲକ୍ଷ୍ୟ ଲକ୍ଷ୍ୟ ଓଡିଆ ଭାଷାଭାଷୀ ଲୋକଙ୍କ ଆକାଂକ୍ଷା ୧୯୩୬ରେ ବାସ୍ତବ ରୂପ ନେଇଥିଲା। ଗାନ୍ଧୀ ଯେତେବେଳେ ୧୯୪୬ ଜାନୁଆରୀରେ ଶେଷ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳକୁ ଏକ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ୧୦ ବର୍ଷ ପୂରଣ କରିସାରିଥିଲା। ଓଡିଶା କିଭଳି ଭାବେ ନିଜର ଭାଷାଗତ ଓ ଆଞ୍ଚଳିକ ଆକାଂକ୍ଷା ସହିତ ଜାତୀୟ ଲକ୍ଷ୍ୟର ସମନ୍ବୟ ରକ୍ଷା କରିପାରିଥିଲା, ତାହା ଏକ ଚମତ୍କାର ଉବଗ୍ଦର ଝଗ୍ଧଙ୍କୟଚ୍ଚ ଥିଲା।

ଏହି ଅବସରରେ ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରୁଛି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ଏକ ପ୍ରତୀକ ନ ଥିଲା । ଗାନ୍ଧୀଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ବାସର ପ୍ରତିଫଳନ । ଆଜି ଯେତେବେଳେ ଏହି ପବିତ୍ର ଗୃହ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଏହି ଅବସରରେ ଏକ କୃତଜ୍ଞତାର ଭାବନା ସହ ମୁଁ ଗାନ୍ଧୀଜୀଙ୍କର ପ୍ରସିଦ୍ଧ ପରଶମଣି ସଂପର୍କରେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଜେଇଇ ମେନ୍ ଟପ୍ପରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ଦିନରେ ସମସ୍ତଙ୍କର ଆହୁରି ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହିଳାମାନଙ୍କୁ “ଜନ୍ମିତ ନେତା” ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଆଗରେ ରହିଛନ୍ତି । ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଏକ ଐତିହାସିକ ନିଷ୍ପତି ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ଓ ପୌରାଞ୍ଚଳରେ ପଚାଶ ପ୍ରତିଶତ ସଂରକ୍ଷଣ କରିଛୁ । ମା ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ।

ମା ମାନେ ହେଉଛନ୍ତି ଜନ୍ମିତ ନେତା । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା ଭିତରେ ଅଛି ନେତୃତ୍ଵ ର କ୍ଷମତା। ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।

ମା ମାନଙ୍କ ପାଇଁ ବିଧାନନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ ୩୩ % ଗ୍ଦରବଗ୍ଧ ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।

ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅନୁସୂଚିତ ଜନଜାତି ଓ ଜାତି ବିଭାଗର 5T କାର୍ଯ୍ୟକ୍ରମରେ 50 ହଜାର ଛାତ୍ରଛାତ୍ରୀଙ୍କୁ ମିଲିଲା ୧୦୧ କୋଟି ଟଙ୍କା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ 5T କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ 3ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , 50 ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମ ଗୁଡିକ ବିଭାଗର କାର୍ଯ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର ।

ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି । ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାତୃଭାଷା ଜରିଆରେ ହିଁ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି ।

ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ଵାରା ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ । ସେହିପରି ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, Odisha State Scholarship Portal ରେ Post Matric Scholarship ସିଧା ସଳଖ ବ୍ଯାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି । ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ ।

ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ 1.5 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିପରି ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ମୋ ଛତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କର ଯାଇଛି ।

ଏହା ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା 6700 ହଷ୍ଟେଲର 5.75 ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ । ସେହିପରି Odisha State Scholarship Portal ଜରିଆରେ 50 ହଜାର ଛାତ୍ରଛାତ୍ରୀଙ୍କୁ 101 କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରଦାନ କରାଯାଇଛି ।

ଅନୁସୂଚିତ ଜନଜାତି , ଜାତି ପିଲା ମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଅଛି । ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ରେ ୩ ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିଥିଲେ ।

ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ 68ଟି ଛତ୍ରାବାସ ଲୋକାର୍ପିତ କରିଥିଲେ । ଏହି ଛତ୍ରାବାସ ଗୁଡିକ ପାଇଁ 150 କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ପ୍ରୟାସ ଯୋଜନାରେ 7500 ରୁ ଅଧିକ ST, SC ଓ OBC ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଓଡିଶା skill development authority ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।

ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ Ajim Premji Philanthropic Initiativeର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଆମର 3500 PVTG ଚାଷୀ, 23 ହଜାର ଶିଶୁ ଏବଂ 25 ହଜାର ମା ଉପକାର ପାଇବେ । ଏହି କାର୍ଯ୍ୟକ୍ରମ ରାଜ୍ୟର 1138 ଟି PVTG ଗ୍ରାମରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ଵାରା ଜନଜାତି , ଜାତି ଛାତ୍ରଛାତ୍ରୀ ମାନେ ଆଗକୁ ବଢିବା ସହିତ ଓଡିଶା ର ବିକାଶ ରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ ।

ଆପଦଗ୍ରସ୍ଥ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେଉଁଝର ର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷା ରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଫଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ, ଜାଣନ୍ତୁ କଣ ?

ଭୁବନେଶ୍ୱର, ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବାଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍‌(୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍‌ ଏବଂ (୫) ମୋ ଶିଶୁ ପୋର୍ଟାଲ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନଗୁଡିକରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି ।

ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି। ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମା ଓ ଶିଶୁମାନଙ୍କୁ ସବୁ ପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରେଚ୍‌, କର୍ମଜୀବି ମହିଳାମାନଙ୍କ ପାଇଁ ହଷ୍ଟେଲ, ଅନାଥାଶ୍ରମ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି ।

ରାଜ୍ୟ ସରକାରଙ୍କର ଏହି ସବୁକାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଲୋକାର୍ପିତ ୫-ଟି ଅନ୍‌ଲାଇନ୍ ସେବା,ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣରେ ପ୍ରତି ପରିବାର ପାଖରେ ପହଞ୍ଚି ପାରିଛି ବୋଲି ଶ୍ରୀମତୀ ସାହୁ କହିଥିଲେ ।

ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଅନୁଗର୍ଗ ଲୋକାର୍ପିତ ହୋଇଥିବା ଅନ୍‌ଲାଇନ ସେବା ବିଷୟରେ ସମ୍ୟକ ସୁଚନା ତାଙ୍କ ସ୍ୱାଗତ ଭାଷଣରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଇ-କଳିକା ଆପ ଜରିଆରେ କ୍ରେଚ୍‌ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ତଦାରଖ କରାଯାଇ ପାରିବ । ଏଥିରେ ମା ମାନଙ୍କୁ ଶିଶୁ ମାନଙ୍କ ଯତ୍ନ, ତତ୍ ସମ୍ବନ୍ଧୀୟ ତଥ୍ୟ, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର ରଖାଯାଇପାରିବ ।

ମୋ-ଛତୁଆ ଆପ୍‌

ମୋ-ଛତୁଆ ଆପ୍‌ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରିଦର୍ଶି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକମାନଙ୍କୁ ମାନଦେୟ, ପ୍ରୋତ୍ସାହନ ପାଇଁ ଇ-ମାନଦେୟ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଅଛି । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ ।

ମମତା ମୋବାଇଲ ଆପ୍‌

ରାଜ୍ୟ ସରକାରଙ୍କର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ମମତାକୁ ଆହୁରି ଲୋକାଭିମୁଖୀ ଓ ସେବା କୈନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍‌ ଖୋଲାଯାଇଛି । ଏଥିରେ ଘରେ ବସି ମା ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ ଏବଂ ଅଭିଯୋଗ ପାଇଁ ୧୮୧ ହେଲ୍ପଲାଇନକୁ ମଧ୍ୟ ବ୍ୟବହାର କରିପାରିବେ ।

ମୋ ଶିଶୁ ପୋର୍ଟାଲ

ସେହିପରି ମୋ ଶିଶୁ ପୋର୍ଟାଲ ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ କରିବା ପାଇଁ ଏକ ସରଳ ବ୍ୟବସ୍ଥା । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଏହା ଦ୍ୱାରା ଉପକୃତ ହୋଇ ପାରିବେ । ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ ମଧ୍ୟ ଅନଲାଇନରେ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କାର୍ଯ୍ୟକାରୀ କରିପାରିବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିଭାଗରେ ୫-ଟି କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପୁସ୍ତିକ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା

ଏହି ଅବସରରେ ୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଘରକୁ ନେବା ଶୁଖିଲା ଖାଦ୍ୟର ମାନବୃଦ୍ଧି ପାଇଁ ବୈଷୟିକ ସହଯୋଗ ଓ ମିଶନ ଶକ୍ତି ମା ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସି.ଏଫ୍‌.ଟି.ଆର.ଆଇ ସହିତ,ଘରକୁ ନେବା ଶୁଖିଲା ଖାଦ୍ୟର ଗୁଣବତ୍ତାର ଉନ୍ନତି ଏବଂ ପୁଷ୍ଟିକର ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ,ମାଶିଶୁ ଓ କିଶୋରୀ ମାନଙ୍କର ପୁଷ୍ଟିହୀନତା ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଇ.ସି.ଏମ୍‌.ଆର ସହିତ ଏବଂ ଶିଶୁ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫ ମଧ୍ୟରେ ବୁଝାମୁଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ମୃତକ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ।

ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଗୁରୁତର ଥିବା ଜଣାପଡିଛି। ମୃତକ ମାନେ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା  ଓ ଗାୟତ୍ରୀ ରଇତ। ଗୁରୁତର ମାନଙ୍କ ମଧ୍ୟରୁ ତିନିରୁ ଚାରି ବର୍ଷର ଏକ ଶିଶୁ ରହିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

‘କାଳିଆ ଯୋଜନା’ର ତୃତୀୟ କିସ୍ତି: ଆଜି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘କାଳିଆ ଯୋଜନା’ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଓଡ଼ିଶା ସରକାର ୫୩ ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ୧୨ ଶହ କୋଟି ଟଙ୍କା ବାଣ୍ଟିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।

ତେବେ ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ମିଳି ନଥିଲା। ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ।

Categories
ଆଜିର ଖବର ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବିକାଶ ପାଇଁ ୧୮ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ନବୀନ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ୧୮ କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିରେ   ବିଶ୍ବବିଦ୍ୟାଳୟର ନୂଆ ଏକାଡେମୀ ବ୍ଲକ, ପାଠାଗାର ଓ ହଷ୍ଟେଲ ବିଲିଡିଂର ଭିତ୍ତିଭୂମିକୁ ନୂଆରୂପ ଦିଆଯିବ। ଏହାର ଭିତ୍ତିଭୂମିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ପରେ ଆଜି ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟୁଛି। ଓଡିଶାର ପ୍ରଥମ ମହିଳା ୟୁନିଭରସିଟି, ରମାଦେବୀ ମହିଳା ୟୁନିଭରସିଟିକୁ ଆସିଛି । ଏଥିପାଇଁ ମୁଁ ବହୁତ ଖୁସି। ଏହି ଅବସରରେ ତୁମମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ଦାବି କଲେ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି।

ନବୀନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି। ତେଣୁ କେନ୍ଦ୍ର ସରକାର ବାଇ ଲ’ କୁ ଖୁବ୍ ଶୀଘ୍ର ପ୍ରତ୍ୟାହାର କରନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି। ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି।

ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଭୁବନେଶ୍ବର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବରର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ  ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିଲେ ଏବଂ ମହାନଗର ନିଗମର କମିଶନର  ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛାଡ ହେଲା ୯ ମାସର ହଷ୍ଟେଲ ଫି: ଉପକୃତ ହେବେ ୩୦ ହଜାର ଆଇ.ଟି.ଆଇ ଛାତ୍ରଛାତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁରୁ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ମୋଲନା ଆଜାଦ, ଡଃ. ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଶହିଦ ଲକ୍ଷ୍ମଣ ନାୟକ, ରମା ଦେବୀ, ପାର୍ବତୀ ଗିରି, ଡଃ. ହରେକୃଷ୍ଣ ମହାତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସହିଦ ହୋଇଥିବା କୋଭିଡ଼ ଯୋଦ୍ଧାମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭାରତ ବହୁ ଜାତି, ଧର୍ମ, ଭାଷା, ସଂସ୍କୃତି, ବିଶ୍ବାସକୁ ନେଇ ଗଠିତ ହୋଇଛି। ବିଭିନ୍ନ ଅଞ୍ଚଳର ଭୁଗଲା ମଧ୍ୟ ଭିନ୍ନ ଭିନ୍ନ ରହିଛି। ଏସବୁ ସତ୍ତ୍ୱେ ଆମର ଏକତା ବଜାୟ ରହିଛି। ଯାହା ଆମର ସବୁଠାରୁ ବଡ ଶକ୍ତି। ଏହା ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧି କରିଛି। ଯାହା ଆମ ସମ୍ବିଧାନରେ ବହୁତ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ସମାନ ବିକାଶ ଦେବାରେ ସୁଯୋଗ ସୃଷ୍ଟି ହୋଇଛି।

ଆମ ବିଭିଦତାର ସୁରକ୍ଷା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ଆମେ କାମ କରିବା ଦରକାର। ଏହା ଆମ ଗଣତନ୍ତ୍ରର ଅଧିକ ମଜଭୁତ କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ। ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତକୁ ମଜଭୁତ କରିପାରିଛି। କୃଷି, ଶିଳ୍ପ ଓ ଭିତିଭୂମୀ ଉପରେ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଦୃଶ୍ୟମାନ ଉନ୍ନତି କରିପାରିଛି।

ରାଜ୍ୟର କୃଷି ଉତ୍ପାଦନ ବଢିବା ସହ ଚାଷୀମାନଙ୍କ ରୋଜଗାର ମଧ୍ୟ ବଢିଛି। ରାଜ୍ୟରେ ନୂଆ ନୂଆ ପୁଞ୍ଜି ଆସି ଭିତ୍ତିଭୂମୀର ବିକାଶ ପାଇଁ ଅର୍ଥନିତୀକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି। ବିଭିନ୍ନ କଲ୍ୟାଣକାରୀ ଯୋଜନା କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।

ବିଗତ ୧୦ ମାସ ହେଲା କରୋନା ଲଢେଇରେ ଓଡିଶା ସଫଳ ହୋଇଛି। ଏହାସହିତ ଟିକା ଆସିଥିଲେ ମଧ୍ୟ କରୋନା କଟକଣାକୁ କଡାକଡି ଭାବେ ମାନିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ସଂକଲ୍ପ ସହ ଆଗକୁ ବଢୁଛେ। କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗରେ ଆମକୁ ଲକ୍ଷ ସ୍ଥଳରେ ପହଞ୍ଚାଇପାରିବ। ମୁଖ୍ୟମନ୍ତ୍ରୀ ଏକ ନୂଆ ଓଡିଶା ଗଠନ ଦିଗରେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ। ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ। ତାହା ଭିତ୍ତିଭୂମି ବିକାଶ ହେଉ, ବା ଶିକ୍ଷାଦାନ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକ ମାନଙ୍କୁ ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି। ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ ଗୋଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବ।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ କହିଛନ୍ତି ଯେ ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ବାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି। ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ ସୃଷ୍ଟି କରିଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛି। ସମାଜ ପ୍ରତି ଉତ୍ତରଦାୟିତ୍ବକୁ ଠିକ୍‌ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟକୁ/ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସ୍କୁଲ ଆମକୁ ବହୁତ କିଛି ଦେଇଛି। ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି।

ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ଶୈକ୍ଷିକ ପରିବେଶରେ ଆରମ୍ଭ ହୋଇଥିବା ରୂପାନ୍ତରରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାରଣ କଣ ଜାଣନ୍ତୁ

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବେ। ସେ ଭୁବନେଶ୍ବରରୁ ହେଲିକେପ୍ଟରେ ଯୋଗେ ଦିନ 10ଟା 30ରୁ ବାହାରି କଟକ ଉପର ବାଲିଯାତ୍ରା ପଡିଆରେ ଦିନ 10ଟା 50ରେ ପହଁଚିବେ। ଆସନ୍ତାକାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଜାନକୀନାଥ ଭବନରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏଥିସହିତ ସେଠାରେ ପତାକା ଉତ୍ତୋଳନ ମଧ୍ୟ କରିବେ।

ଏହାପରେ ନବୀନ ଖାନନଗରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ ମଧ୍ୟ କରିବେ। ଏଥିସହିତ ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିବେ। ପ୍ରାୟ 12 ଏକର ସ୍ଥାନରେ ଏହି ବସ ରହଣିସ୍ଥଳ ନିର୍ମାଣ ହେବ। ସେଥିପାଇଁ 65 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବସ ଟର୍ମିନାଲରେ ଏକାଥରେ 150ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି।

ଏହି ବସ ଟର୍ମିନାଲରେ ଯାତ୍ରୀମାନେ ଯେପରି ଅନ୍ତର୍ଜାତୀୟ ଅନୁଭବ ପାଇବେ ସେହି ଢାଞ୍ଚାରେ ନିର୍ମାଣ କରାଯିବ। ଏହି ସ୍ଥାନରେ ଏକ କିଓସ୍କୋ ମଧ୍ୟ ନିର୍ମାଣ ହେବ। ସେଠାରେ ଯାତ୍ରୀଙ୍କୁ ନେତାଜୀଙ୍କ ଅବଦାନ ସଂପର୍କରେ ଅବଗତ କରାଯିବ। ଏହି ଟର୍ମିନାଲ ତିନି ମହଲା ବିଶିଷ୍ଠ କରାଯିବ। ଏଥିସହିତ ଯାତ୍ରୀମାନଙ୍କ ସୂଚନା ପାଇଁ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯିବ।

ଯାତ୍ରୀମାନଙ୍କର ସାଧାରଣ ଆବଶ୍ୟକତା ସହିତ ବ୍ୟବସାୟ ବାଣିଜ୍ୟ ପାଇଁ ସେଠାରେ ଆକର୍ଷଣୀୟ ବ୍ୟବସାୟିକ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ। ସେଥିପାଇଁ ସେହି ସ୍ଥାନ ନିକଟରେ ପ୍ରାୟ ଦୁଇ ଏକର ଜାଗା ଚିହ୍ନଟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବୃଦ୍ଧି ପାଇଲା ନବୀନ ପଟ୍ଟନାୟକଙ୍କ ଟୁଇଟର ଫଲୋଅରସ ସଂଖ୍ୟା, ଜାଣନ୍ତୁ କେତେ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ ଫଲୋଅରସ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଏହି ସଂଖ୍ୟା 3 ମିଲିୟନ ବା 30 ଲକ୍ଷରେ ପହଁଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ 2015 ମସିହା ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା। ପ୍ରଥମରୁ ଏହି ଆକାଉଣ୍ଟର ଫଲୋଅରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହା ପ୍ରାୟ 7 ଲକ୍ଷରେ ପହଁଚିଥିଲା।

ନବୀନ ପଟ୍ଟନାୟକଙ୍କ ଏହି ଆକାଣଣ୍ଟରେ ବିଭିନ୍ନ ସମୟରେ ସରକାରଙ୍କ ପଦକ୍ଷେପ ସହିତ ବିଭିନ୍ନ ନିଷ୍ପତି ପୋଷ୍ଟିଂ କରାଯାଇଥାଏ। ଯାହା ସାଧାରଣ ଜନତା ଜାଣିବାରେ ସହାୟକ ହୋଇଥାଏ। ସେଥିପାଇଁ ଗଣମାଧ୍ୟମ ବ୍ୟକ୍ତି ବିଶେଷ, ନେତା,ମନ୍ତ୍ରୀ ଏପରିକି ସାଧାରଣ ଜନତା ମଧ୍ୟ ନବୀନଙ୍କ ଟୁଇଟରକୁ ଫଲୋ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ ଶୁଭାରମ୍ଭ

ଭୁବନେଶ୍ୱର, ଆସନ୍ତା ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁ ସାଗରର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ୍ ଥୋରାଟ୍ ।

ଥୋରାଟ୍ କହିଛନ୍ତି ଯେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ(ଆଇଓସି) କ୍ୟାମ୍ପସ ଭୁବନେଶ୍ୱର ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନର ମିଳିତ ଉଦ୍ୟମରେ ବହୁ ପ୍ରତିକ୍ଷୀତ ବିନ୍ଦୁ ସାଗର ପୁନଃଉଦ୍ଧାର କାମ କରାଯିବ । ଏହି ଅନୁଷ୍ଠାନର ତତ୍ୱାବଧାନରେ ଏହାର ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ବିଶେଷ ଯନ୍ତ୍ରପାତି ଲାଗିବ ।

ଏଚଡ଼ିସି ରିଆକଟର ସହ ୪ଟି ପମ୍ପିଂ ସିଷ୍ଟମ ବିନ୍ଦୁସାଗରରେ ଚତୁର୍ଦିଗରେ ଅବସ୍ଥାପିତ ହେବା ସହ ଖୁବ ଶୀଘ୍ର ବିନ୍ଦୁ ସାଗର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହୋଇଯିବ। ବର୍ତମାନର ବିନ୍ଦୁ ସାଗର ନୀଳ ରଙ୍ଗ ହୋଇ ଯାଇଥିବା ଜଳ ପରିଷ୍କାର ହେବ। ଏହା ଦ୍ୱାରା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ୱରେ ପହଁଚାଇବା ପାଇଁ ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ଏପରି ଏକ ସବିନୟ ଉଦ୍ୟମ କରାଯାଇଛି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା,ରାଜ୍ୟ ଖଣି ଓ କୋଇଲା ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସ.ଏମ ବୈଦ୍ୟ, ଆଇସିଟି ମୁମ୍ବାଇ ଶିକ୍ଷାନୁଷ୍ଠାନର କୁଳପତି ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ ପ୍ରମୁଖ ଉପସ୍ଥିତ ରହିବେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟବୀମା ବିଭାଗର ପୋର୍ଟାଲ ‘ପରିଶ୍ରମ’ ଲୋକାର୍ପଣ, ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ହେଲା ଉପଲବ୍‌ଧ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ‘ପରିଶ୍ରମ’ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର‌୍ୟ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ। ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ।

ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ ((Ease of Doing Business)) ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ଶିଳ୍ପସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ ୤ ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍‌ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଗୁଡିକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍‌ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ କାର‌୍ୟ୍ୟକାରୀ କରିବା ଦିଗରେ ବିଭାଗ ନିଷ୍ଫାର ସହ କାର‌୍ୟ୍ୟ କରୁଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବାପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଚନ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଆଜିର ଏହି ୨୨ଟି ଅନ୍‌ଲାଇନ ସେବା ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍‌ସାର ଅନୁମୋଦନ, ଲାଇସେନ୍‌ସର ବଦଳିକରଣ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ। ଏଥିସହିତ ପୋର୍ଟାଲରୁ ବିଭାଗ ଅଧିନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପୈଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଶ୍ରୀ ତିରୁମଲ୍ଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ୤ ପୋର୍ଟାଲ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ଆ.ଟି ବିଭାଗର ସଚିବ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।