Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା : ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୟାଗଡ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିସାବସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ଏହା ଘୋଷଣା କରିଛନ୍ତି । ଆଜି ବି ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ୍‌ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବେଳେ ବି ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା ।

ପରୀ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି ।  ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ଓ ଯୁବକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ।  ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି ।

ଅପରପକ୍ଷରେ ଏହି ମାମଲାକୁ ନେଇ ବିଧାନସଭା ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ବିଜେପି ସଦସ୍ୟମାନେ ପୋଷ୍ଟର ଓ ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି ସହ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହ ପୁଣି କମ୍ପିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଛି । ତେବେ ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିବା ଜଣାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସରିଲା କାଳିଆର ଶେଷକୃତ୍ୟ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ତିନି ବର୍ଷ ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି 9ଟା 10 ମିନଟରେ କାଳିଆର ମୃତ୍ୟୁ ହୋଇଥିଲା । ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ।  ତେବେ ଜଗା ଏବେ ସୁସ୍ଥ ରହିଛି ।

ଅପରପକ୍ଷରେ କାଳିଆର ମୃତ୍ୟକୁ ନେଇ ମୁଖ୍ୟମନ୍ତ୍ରୀ  ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ବେ ଦେହାନ୍ତ ହେଲା ।ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ।’ ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା କରିବା ସହ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ ରହିଲେ ସଂକ୍ରମଣ ବଢିବନି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର :  ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ  ସମ୍ବୋଧନ କରି ପୂଜାରେ ସତର୍କ ରହିବାକୁ  ଅପିଲ୍‌ କରିଛନ୍ତି ।  ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି । କରୋନାକୁ ଦୃଷ୍ଟିରେ ରଖି ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଲଢେଇ କରିପାରିବା । ଓଡ଼ିଶା 6 ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ଗତ 15 ଦିନ ହେଲା ରାଜ୍ୟରେ କୋଭିଡ୍‌ କେସ କମିବା ଆରମ୍ଭକରିଛି । ସେପ୍ଟେମ୍ବର 26ରେ 4 ହଜାରରୁ ଅଧିକ ଥିଲା, ଏବେ 2 ହଜାର ତଳେ ରହିଛି । ପିଜିଟିଭିଟି ରେଟ୍‌ ବି କମିଛି, ଆଗକୁ ଆହୁରି କମିବ ।

ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ । ଲୋକଙ୍କସହଯୋଗ, କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ, ଗଜପତିରେ ସଂକ୍ରମଣ କମିଛି, ଅନ୍ୟ ପାଇଁ ପ୍ରେରଣା ପାଲଟିଛି ।  କିନ୍ତୁ ଏଥିରେ ଆତ୍ମସନ୍ତୋଷ ନ କରି ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ମେଡିସିନ୍‌ ଓ ଭ୍ୟାକସିନ୍‌  ଆସିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।

ବ୍ରିଟେନ୍‌, ଫ୍ରାନ୍ସରେ ସଂକ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ବଢିଛି ।ଏବେ ସେମାନେ ପୁଣି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌କୁ ଫେରିଲେଣି । ଆମେରିକା ପରେ ଭାରତ ଏବେ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଅଛି । ଓନାମ ପର୍ବ ପାଇଁ କେରଳରେ ସଂକ୍ରମଣ ତିନିଗୁଣ ବଢି ଯାଇଛି । ଶୀତଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି।ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି । ଏହି ସମୟରେ ଘରେ ରହି ପୂଜା କରନ୍ତୁ । ଏହି ସମୟରେ ସମସ୍ତେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିତ ଦୂରତା ମାନିବା ସହ ହାତକୁ ସାବୁନରେ ଧୋଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପୂଜା ସମୟରେ ସର୍ବସାଧାରଣ ଜାଗାରେ ଭିଡ୍‌ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ବ ରଖନ୍ତୁ । ହାତ ଧୁଅନ୍ତୁ  । ଆମେ ସାବଧାନ ରହିଲେ ଆଉ ସଂକ୍ରମଣ ବଢିପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରରେ ନବୀନଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ ସହିତ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍‌କୁ ଅଧିକ standardised କରାଯାଇଛି। ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ବାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି।

ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍‌ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏତ୍‌ଦବ୍ୟତିତ ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି ବୋଲି ଜଣାଯାଇଛି। ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡିକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏତଦ୍‌ବ୍ୟତୀତ କୋଭିଡ ନିୟମାବଳୀ ଏବଂ ଔଷଧ ସେବନ ସଂକ୍ରାନ୍ତରେ ନିୟମିତ ସଚେତନତା ଅଭିଯାନ (IEC campaign) ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚପ୍ରଶଂସା କରିଥିଲେ।

ମୋ ସରକାରରେ ଲୋକଙ୍କ ଠାରୁ ନିଆଯାଇଥିବା feedback ଅନୁଯାୟୀ ଟେଷ୍ଟିଂ, ଟେଷ୍ଟିଂ ରିପୋର୍ଟ, ରୋଗୀଙ୍କୁ ସୂଚନା ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥାକୁ ଆହୁରି ଦକ୍ଷତାର ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ। ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। ସେ କହିଥିଲେ ଯେ ରାଜ୍ୟରେ ICU, ହସ୍‌ପିଟାଲ ଶଯ୍ୟା ଆଦି ବ୍ୟବସ୍ଥା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଅଛି । କଟକ-ଭୁବନେଶ୍ବରର ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ ବର୍ତ୍ତମାନ ପୋଲିସ କର୍ମଚାରୀମାନଙ୍କ ଦ୍ବାରା ପ୍ଲାଜମା ଦାନ ଅଧିକ ପରିମାଣରେ କରାଯାଉଛି ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମଧ୍ୟ କମୁଛି ବୋଲି ସେ ସୂଚନା ଦେଇଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଲେ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଭାବରେ ଗୃହ ସଂଗରୋଧ ଏବଂ ଆଣ୍ଟି ଭାଇରାଲ ଡ୍ରଗ୍‌ ଥେରାପୀ ପାଇଁ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯାଇଛି। ବିଭିନ୍ନ ଟେଲିଭିଜନ ଚ୍ୟାନେଲ, All India Radio ତଥା ସ୍ଥାନୀୟ ଚ୍ୟାନେଲ ମାନଙ୍କ ଜରିଆରେ ଏହାର ପ୍ରଚାର ପ୍ରସାର କରାଯାଉଛି। ଏହାସହିତ ୪୦ଟି Web Media Channelରେ ଏବଂ ଉଭୟ ବିଭାଗର ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଏହାର ପ୍ରଚାର କରାଯାଉଛି।

ଏହି ବୈଠକରେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର :  ଏକକ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ  ଫୋନ୍‌ରେ କଥା ହୋଇଛନ୍ତି ।  ନିଟ୍‌ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନ  ଚିଠି ଲେଖିଥିବା ବେଳେ ଆଜି  ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ବନ୍ୟା ସ୍ଥିତି ମଧ୍ୟ ଜଟିଳ ରହିଛି । ଏପରି ସମୟରେ ନିଟ୍ ଏବଂ ଜେଇଇ ପରି ପ୍ରବେଶିକା ପରୀକ୍ଷା କରାଇବା ଉପଯୁକ୍ତ ହେବ ନାହିଁ ବୋଲି କହିବା ସହିତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ନବୀନ । । କରୋନା ଏବଂ ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମାନଙ୍କ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ ଓ ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ଆଇସିୟୁ ପାଇଁ ଶିଳାନ୍ୟାସ

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍‌ଘାଟନ ସହିତ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି।

ସୂଚନାଯୋଗ୍ୟ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ଥିବା ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି। ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶ ମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ ଭୁବନେଶ୍ବରର ଦୂରତ୍ବ ବହୁତ ପରିମାଣରେ କମିଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସେତୁ ଜଗତସିଂହପୁର ଜିଲ୍ଲାରେ ବିକାଶର ଧାରାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।

ସେହିପରି ଶିଳାନ୍ୟାସ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟରେ ପାଇଁ ୧୬.୨୮ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମାଣ ହେବାକୁ ଥିବା ଆଇସିୟୁରେ ୧୦ଟି ଶଯ୍ୟା ରହିବ। ଏଥିପାଇଁ ୨.୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜିଲ୍ଲାର ମା ଓ ଶିଶୁ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଏହାର ସୁନାମ ରହିଛି। ବିଜୁବାବୁ ଏଠାରେ ପାରାଦୀପ ବନ୍ଦର ନିର୍ମାଣ କରି ବିକାଶ ଧାରା ଆରମ୍ଭ କରିଥିଲେ। ଆଜିର ଏହି ଦୁଇଟି ପ୍ରକଳ୍ପ ଜଗତସିଂହପୁରର ବିକାଶ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ରକୁ ସେ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି। ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ,କୋଭିଡ ଯୁଦ୍ଧରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରିବା ସହିତ ଜଗତସିଂହପୁର ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନସାଧାରଣଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏ ଯୁଦ୍ଧରେ ଓଡିଶା ନିଶ୍ଚିତ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।ଏଥିସହିତ ଜିଲ୍ଲାର ସମସ୍ତ କୋଭିଡ ଯୋଦ୍ଧା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ଜିଲ୍ଲାରେ ବିକାଶ ପ୍ରକ୍ରିୟା ଆହୁରି ମଜବୁତ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ଓଡିଶାରେ ମା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇଛି। ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ବିକାଶ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି।

ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ସେମାନଙ୍କର ବ୍ୟକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମର ସରପଞ୍ଚମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।  ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି।

ସେହିପରି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି।  ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି।  ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।  ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି।  ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର‌୍ୟ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।  ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି।  ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ।

ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି  ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।  ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ।

 

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ମିନଟ୍ ନିରବ ପ୍ରାର୍ଥନା କରିବା ପାଇଁ ନବୀନଙ୍କ ନିବେଦନ

ଭୁବନେଶ୍ବର, ବନ୍ଦେ ଉତ୍କଳ ଜନନୀ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟବାସୀଙ୍କୁ ଆଉ ଏକ ଅନୁରୋଧ କରିଛନ୍ତି। ତାହା ହେଲା ଆସନ୍ତାକାଲି ସଂଧ୍ୟା ୬ଟାରେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ନିଜେ ସମସ୍ତଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି।

ଏପରି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ।

ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ। ଞ୍ଚଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍‌।

ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ। ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।

କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି। ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି।

ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା। କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର‌୍ୟ୍ୟ କରିବାପାଇଁ ପ୍ରେରଣା ଦେବ।
ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର‌୍ୟ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ।

 

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ19 ମୁକାବିଲା କରିବା ପାଇଁ ବିଧାୟକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ, ବୈଠକରେ କଣ କହିଲେ ଜାଣନ୍ତୁ

ଭୁବନେଶ୍ବର, ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ।

କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ, ମା ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ୍ ଦେଶସେବକ ରହିଛନ୍ତି। ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପୀଢିକୁ ପ୍ରେରଣା ଦେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି। ଏହି କଷ୍ଟସାଧ୍ୟ ଲଢେଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିବେଦନ କରିଥିଲେ।
ଓଡିଶା ଆଜି ଏହି ଆହ୍ବାନକୁ ଦୃଢତାର ସହ ମୁକାବିଲା କରୁଛି । ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କଠିର ପରିଶ୍ରମ, ତ୍ୟାଗ ଯୋଗୁ ଆଜି ଆମ ରାଜ୍ୟର ୧୮ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ । କିନ୍ତୁ ନିଜେ ସଂକ୍ରମିତ ହେବା ସତ୍ତ୍ବେ ନିଜ ପରିବାର ଲୋକମାନେ ସଂକ୍ରମିତ ହେବା ସତ୍ତ୍ବେ ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ, ଆମର କୋଭିଡ ଯୋଦ୍ଧା ମାନେ ଯେଭଳି ବୀରତ୍ବର ସହ ଗତ ୧୫୦ ଦିନ ହେଲା କାମ କରିଚାଲିଛନ୍ତି, ତାର ପଟାନ୍ତର ନାହିଁ ।

ଗତ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ବିଧାନସଭାରେ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପୃଥିବୀ ଇତିହାସରେ ବହୁତ କମ୍ ସମୟ ମାନବଜାତି ତା କଳ୍ପନା ବାହାରେ ଏଭଳି ଏକ ଆହ୍ବାନର ସମ୍ମୁଖୀନ ହେଇଛି । ପ୍ରାୟ ଗତ ୫ ମାସ ହେଲା ସାରା ବିଶ୍ବର ବିଭିନ୍ନ ଦେଶକୁ ଏହି ମହାମାରୀ ପ୍ରଭାବିତ କରିଛି। ଏପରିକି ଯେଉଁ ଦେଶମାନେ ମହାମାରୀରୁ ମୁକ୍ତ ହୋଇସାରିଥିଲେ, ସେମାନେ ମଧ୍ୟ ପୁଣି ଥରେ ତା କବଳକୁ ଆସିଯାଇଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ଏକ ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି। ଭାରତ ଆଜି ବିଶ୍ବର ତୃତୀୟ ସ୍ଥାନରେ ଅଛି ।

ଓଡିଶାରେ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରାରୁ ସଂଗରୋଧ, ପରୀକ୍ଷା, Tracing, ଚିକିତ୍ସା,ଖାଦ୍ୟ, ରହଣୀ ସବୁକିଛି ଏଠାରେ କୋଭିଡ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନା ଗୁଡିକ କୋଭିଡ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବୀ କରୁଛନ୍ତି, ଓଡିଶା ସରକାର ସବୁକିଛି ମାଗଣାରେ ଯୋଗାଉଛନ୍ତି। ସାରା ବିଶ୍ବରେ ଯେକୌଣସି ଅଞ୍ଚଳରେ କୋଭିଡ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି, ତାକୁ ଆମେ ଓଡିଶାରେ କାର‌୍ୟ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ମାଗଣାରେ ଯୋଗାଇ ଦେଉଛୁ ।

ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ ଟୀକା ସଂପର୍କରେ Serum Instituteର CEOଙ୍କ ସହ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ। ମହାମାରୀର କୁପ୍ରଭାବ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ବାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ, ଜାତୀୟ ଏବଂ ବିଶ୍ବସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବରେ କ୍ଷତିଗ୍ରସ୍ତ କରିଛି । ଆମ ରାଜ୍ୟ ଓଡିଶା ବିଭିନ୍ନ ଜୀବିକା କାର‌୍ୟ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଏହା ଫଳପ୍ରଦ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ବିପର‌୍ୟ୍ୟୟର ମୁକାବିଲା କରିଛି। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଏବଂ ପୁଣିଥରେ ଦୃଢ ଭାବରେ ପୂର୍ବ ସ୍ଥିତିକୁ ଫେରିଆସିବାର ଶକ୍ତି ପ୍ରତିଟି ଓଡିଆଙ୍କ ରକ୍ତରେ ରହିଛି । ମହାମାରୀ ଚାଲିଯିବା ପରେ ଓଡିଶା ଅଧିକ ଦୃଢ ଓ ସମୃଦ୍ଧ ଭାବରେ ତାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାପୋଷଣା କରିଥିଲେ।

ଏହି ଅବସରରେ ବିଧାନସଭାର ମାନ୍ୟବର ବିଧାୟକ ମାନେ ବ୍ୟକ୍ତିଗତଭାବେ ନିଜର ଯତ୍ନ ନେବା ସହିତ ସେମାନଙ୍କ ଅଞ୍ଚଳରେ ଏହି ପରିସ୍ଥିତିରେ ପ୍ରେରଣାଦାୟୀ ନେତୃତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡରେ ସଂକ୍ରମିତ ହୋଇଥିବା ୩ ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଥିଲେ ।

ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ ଯୋଦ୍ଧା ମାନଙ୍କର ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର‌୍ୟ୍ୟୟ ହେଉ, ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ବ। ସରକାର କୋଭିଡ ନିୟମାବଳୀକୁ କାର‌୍ୟ୍ୟକାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ । ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସନ୍ଧ୍ୟା 5ଟାରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା 5ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁ୍ଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି କହିଛନ୍ତି । ରଥଯାତ୍ରା ଭଲଭାବରେ ହେବା ସହିତ ଭକ୍ତଶୂନ୍ୟ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି କୋଭିଡ କଟକଣା ସହ ସୁପ୍ରିମ୍‌କୋର୍ଟଙ୍କ ସର୍ତ୍ତ ଅନୁସାରେ ରଥଯାତ୍ରା କରାଯିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ।

ଏହି ବୈଠକରେ ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏତଦ୍‌ବ୍ୟତୀତ ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମ୍‌ବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ରହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ‘ମୋ ଜୀବନ’ କାର୍ଯ୍ୟକ୍ରମର ଆରମ୍ଭ କଲେ ନବୀନ, ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ କରିବାକୁ କଲେ ଅପିଲ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଜୀବନ କାର୍ଯ୍ୟକ୍ରମ’ର ଆରମ୍ଭ କରିଛନ୍ତି। ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ ନେବାକୁ କହିଛନ୍ତି ନବୀନ। ଜରୁରୀ କାମରେ ବାହାରକୁ ଗଲେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ। ଆମେ ସାବଧାନ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ନବୀନ। କରୋନା ପାଇଁ ଘରୁ ନ ବାହାରି ପାଇଁ ଶପଥ ନେବାର ଭିଡିଓ ଶୁଟିଂ କରି ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପାଖକୁ ପଠାଇବାକୁ କହିଛନ୍ତି ନବୀନ। ଏହି ଅବସରରେ ନବୀନ ଏକ ଭିଡିଓ ସେୟାର କରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ଲୋକଙ୍କୁ ଘରେ ରହି କରୋନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରେନାରୁ ବର୍ତ୍ତିବା ନିଜ ହାତରେ ରହିଛି ବୋଲି କହିଛନ୍ତି। ଆମେ ଆମର ପ୍ରିୟଜନଙ୍କ ନାମରେ ଶପଥ କରି ଘରୁ ବାହାରକୁ ନ ଯିବା ପାଇଁ ପ୍ରତିଜ୍ଞା କରିବା ପାଇଁ କହିଛନ୍ତି। ଯଦି କିଛି ଜରୁରୀ କାମରେ ଯିବାକୁ ପଡେ, ତେବେ କରୋନା ପାଇଁ ଯଥେଷ୍ଟ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ଶପଥ ନେବାକୁ କହିଛନ୍ତି ନବୀନ। ସାମାଜିକ ଦୂରତ୍ବ ଜରିଆରେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ନବୀନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରିଥିବାବେଳେ ଲୋକେ ଏହାକୁ ଗମ୍ଭୀର ରୂପରେ ନେଉନଥିବାର ଦେଖାଯାଉଛି। ଆଜି ନବୀନ ପଟ୍ଟନାୟକ ଏକ ଭିଡିଓ ସେୟାର କରି ଲୋକଙ୍କୁ ସଚେତନ କରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତା 31 ଯାଏଁ ସ୍କୁଲ ବନ୍ଦ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନୁସାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । କରେନା ମୁକାବିଲା ପାଇଁ 200 କୋଟି ଟଙ୍କାର ଫାଣ୍ଠି ରଖାଯାଇଛି । ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସିନେମା ହଲ୍‌, ସୁଇମିଂ ଫୁଲ୍‌କୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ, ବୈଠକ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଧାନସଭା ପରିସରରେ ପାନ ଛେପ ନ  ପକାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ମାର୍ଚ୍ଚ 29 ତାରିଖ ଯାଏଁ ଗୃହ କାର୍ଯ୍ୟ ବନ୍ଦ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତରେ କରୋନା ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ କରୋନାରେ  ମୃତ୍ୟୁବରଣ କରିଛନ୍ତି । କର୍ଣ୍ଣାଟକାରେ ମହାମାରୀ କରୋନା ଭାଇରସ ପ୍ରଥମ ମୁଣ୍ଡ ନେଇଛି। ଗତକାଲି କର୍ଣ୍ଣାଟକର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀ ସରକାର ମଧ୍ୟ ଏହାକୁ ମହାମାରୀ ଘୋଷଣା କରି ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସ୍କୁଲ, ସିନେମା ହଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବଜେଟ୍‌ ଅନୁମୋଦନ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡିଶା ସିଭିଲ ସର୍ଭିସ ରୂଲ ସଂଶୋଧନ ହେବା ସହ ଓଡିଶା ସିଭିଲ ରିହାବିଲିଟେସନ ବଲ ଆସିବା ନେଇ ବୈଠକରେ ଅନୁମୋଦନ ହୋଇଛି । ଏଣିକି ବିଭିନ୍ନ ଗ୍ରୁପର କର୍ମଚାରୀ ଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ ଡି ପଦବୀରେ ମିଳିବ ଚାକିରୀ। ଆଗରୁ 10 ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେବି ତାଙ୍କ ପରିବାର ସଦସ୍ୟଙ୍କ ଗ୍ରୁପ ଡି ଅନୁସାରେ ନିଯୁକ୍ତି ମିଳିବ।

ସେହିପରି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ଜଣାପଡ଼ିଛି । ସେହିପରି ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜ୍‌କୁ ଅନୁମୋଦନ ଦିଆଯାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ରିପୋର୍ଟକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ସେହିଭଳି ସଫ୍ଟୱେର ଟେକ୍ନୋଲଜି ପାର୍କ ପାଇଁ ୩ ଏକର ଯାଏ ପ୍ରିମିୟମ ମାଗଣା ଓ ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନକୁ ବି କ୍ୟାବିନେଟ ମଞ୍ଜୁରି ମିଳିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :

ଅଙ୍ଗଦାନ ପରି ମହତ କାର୍ଯ୍ୟ କରିଥିବା ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ କଟକ ଏସସିବିରେ ପ୍ରଥମ ଥର ମୃତ୍ୟୁକାଳୀନ କିଡ୍‌ନୀ ପ୍ରତ୍ୟାରୋପଣ ସଫଳ କରିଥିବା ଡାକ୍ତରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାରାଣୀଙ୍କ ପରିବାର ଲୋକଙ୍କ ବଳିଦାନ ଓ ଡାକ୍ତରମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ରାତ୍ରିରେ ଏସ୍‌ସିବିରେ ଜଣେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କଠାରେ ଭୁବନେଶ୍ବରର ଆପୋଲ୍‌ରେ ବ୍ରେନ୍‌ଡେଡ୍‌ ହୋଇସାରିଥିବା ପ୍ରିୟଙ୍କାରାଣୀଙ୍କ କିଡ୍‌ନୀଙ୍କୁ ନେଇ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇପାରିଥିଲା ।

Categories
ଆଜିର ଖବର

ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୪ ଘଣ୍ଟା ସମୟରେ ଗୋପାଳପୁରଠାରେ ଥିବା ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସେଠାରୁ ସିଧା କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଉପସ୍ଥିତ ନେତା, ଅଧିକାରୀଙ୍କ ଗହଣରେ ଗୋପାଳପୁର ମହୋତ୍ସବକୁ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟିତ କରିଥିଲେ। ଏହା ସହ ହର୍ବାଲ ମେଳା ଏବଂ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ରୂପେ ଜଂଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ
ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏମ୍.ଓ. କଲେଜ ଚେୟାରମ୍ୟାନ ଆକାଶ ଦଶନାୟକ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ବ୍ରହ୍ମପୁରର ଓଡ଼ିଶୀ ଡ଼୍ୟାନସ, ୱାଉ ଡ଼୍ୟାନସ ଏକାଡ଼େମୀ ବ୍ରହ୍ମପୁରର ମଡ଼ର୍ନ ଡ଼୍ୟାନସ, ହିଂଜିଳିକାଟୁର ଲକ୍ଷ୍ମୀନୃଶିଂହ କଳା ମନ୍ଦିର ପକ୍ଷରୁ ଡ଼୍ୟାନସ, ପ୍ରାରମ୍ଭିକ ସଂଗୀତ ଓଡ଼ିଶୀ ସଂଗୀତ ପରିଷର ବ୍ରହ୍ମପୁରର କଳାକାରମାନେ। ନରେନ୍ଦ୍ରପୁରର ଯୋଡ଼ିଶଂଖ, ବ୍ରହ୍ମପୁର ଗଂଜାମ କଳା ପରିଷଦର ଫକ୍ ଡ଼୍ୟାନସ, ମତ୍ସ୍ୟଜୀବୀଙ୍କ ଲୋକକଳା ପରିବେଷିତ ହୋଇଥିଲା। ଗଂଜାମ ତଥା ଓଡ଼ିଶାର କଳାସଂସ୍କୃତି ସହ ରାଜ୍ୟ ବାହାରୁ ମଧ୍ୟ ଉଚ୍ଚକୋଟିର କଳାସଂସ୍କୃତିକୁ ନିମନ୍ତ୍ରିତ କରାଯାଇଛି। ଯାହାକି ଦର୍ଶକ ଭରପୁର ଉପଭୋଗ କରିବାର ଯୋଜନା ରହିଛି। ଏଠାରେ ସୂଚନାଥାଉକି କୌଣସି କାରଣବଶତଃ ଦୈବ୍ୟଦୁର୍ବିପାକ ପାଇଁ ଗତ ତିନିବର୍ଷ ହେଲା ଏହି ବେଳାଭୂମି ମହୋତ୍ସବ ବନ୍ଦ ଥିଲା। ଯାହାକି ଏହିବର୍ଷ ମୁଖ୍ୟ ଆକର୍ଷଣକୁ ନେଇ ଅତି ସରଗରମ ରୂପେ ଏହି ମହୋତ୍ସବର ଚେୟାରମ୍ୟାନ ତଥା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଗତ ୧୫ ଦିନ ହେଲା ତର୍ଜମା କରି ଏହାର ରୂପରେଖ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବହୁ ନାମୀ କଳାକାର ତଥା ଗାୟକ ମାନେ ଆସୁଥିବା ଯୋଗୁଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଦର୍ଶକମାନଙ୍କର ସୁଅ ଛୁଟିବାର ଆଶା ରଖାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ ଏହି ମହୋତ୍ସବକୁ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରି ଏକ ସଫଳ ଉତ୍ସବରେ ଭେଟିଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ଼୍ ଗାୟକ ସୋନୁ ନିଗମ୍ ନିଜର ସଂଗୀତ ମାଧ୍ୟମରେ ଲୋକଙ୍କୁ ମତୁଆଲା କରିଥିଲେ। ସେ ନିଜେ ଗାଇଥିବା ବିଭିନ୍ନ ପ୍ରକାର ଗୀତରେ ଲୋକଙ୍କୁ ବାନ୍ଧି ରଖିଥିଲେ। ପ୍ରବଳ ଶୀତ ସତ୍ତ୍ୱେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗୋପାଳପୁର ଅଂଚଳ ପୋଲିସ୍ ଛାଉଣିରେ ପରିବର୍ତ୍ତନ ହୋଇଥିଲା। ପୋଲିସ୍ ବିଭାଗ ପକ୍ଷରୁ ୧୯ ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ସେ ୧୯ଟି ପାର୍କିଂ ସ୍ଥାନରେ କିଛି ବସ୍ ରହିଥିବାବେଳେ କିଛି ସ୍ଥାନ ହାଲୁକା ଗାଡ଼ି ଯଥା କାର୍ ରହିଥିଲା ଏବଂ ଅନ୍ୟ କିଛି ପାର୍କିଂ ସ୍ଥାନରେ ଦୁଇଚକିଆ ଯାନ ରହିଛି। ପ୍ରତ୍ୟେକ ପାର୍କିଂ ସ୍ଥାନରେ ବୋର୍ଡ଼ ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏସ୍.ପି ସୂଚନା ଦେଇଥିଲେ। ସମୁଦାୟ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜନ ରହିଛନ୍ତି। ୨୫ ପ୍ଲାଟୁନ୍ ଫୋର୍ସ ବାହାରୁ ଆସିଛନ୍ତି ଏବଂ ୫ ପ୍ଲାଟୁନ୍ ଫୋର୍ସ ଗଂଜାମ ଜିଲ୍ଲାରୁ ରହିଛନ୍ତି। ୨୦୦ ହୋମ୍ଗାର୍ଡ଼କୁ ମଧ୍ୟ ନିୟୋଜିତ କରାଯାଇଛି। ୪ ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡ଼ିଏସ୍ପି ରହିଛନ୍ତି। ସମୁଦାୟ ରୁଟ୍ କୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରର ଗେଟ୍ ପୋଷ୍ଟରେ ଜଣେ ଜଣେ ଇନିସ୍ପେକ୍ଟର ନିୟୋଜିତ ରହି ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍ ବ୍ୟବସ୍ଥା ଦେଖିବେ। ପ୍ରତି ଜଙ୍କସନ, ଭିଡ଼, ଛକ, ପାର୍କିଂ ସ୍ଥଳ ଅଂଚଳରେ ୨୦୦ ଟି ସିସି ଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ୧୦ ମୋଟର ସାଇକେଲ୍ ପେଟ୍ରୋଲିଂ ଟିମ୍ ସହ ସାଧା ପୋଷାକରେ ୨୦ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି ଯେଉଁମାନେ କି ଆସାମାଜିକ ତତ୍ତ୍ୱକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଫୋର୍ସ ରହିଛନ୍ତି।

ଏହି ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ଏବଂ ହର୍ବାଲ ମେଳା ମଧ୍ୟ ଉଦ୍ଘାଟିତ ହୋଇଯାଇଛି। ପଲ୍ଲିଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ରାଜ୍ୟତଥା ରାଜ୍ୟ ବାହାର ପୁରପଲ୍ଲୀରୁ ଆସିଥିବା ବିଭିନ୍ନ ସାମଗ୍ରୀକୁ ଲୋକେ ଦେଖିବା ସହିତ ବିକ୍ରୀବଟା ହେବ। ହର୍ବାଲ ମେଳା ଦୀର୍ଘ ଦିନ ପରେ ହେଉଥିବା ଯୋଗୁଁ ଏହାର ଚାହିଦା ମଧ୍ୟ ଆୟୁର୍ବେଦିକ କ୍ଷେତ୍ରରେ ପ୍ରଚାର ଏବଂ ପ୍ରସାର ଉତ୍ତମ ରୂପେ ହୋଇପାରିବ ବୋଲି ଆଶା କରାଯାଉଛି। କାରଣ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଆୟୁର୍ବେଦ ବିଶେଷଜ୍ଞ ଏବଂ ଜଡ଼ିବୁଟି ଚାଷ କରୁଥିବା ଚାଷୀ, ବିଭିନ୍ନ ବୈଦ୍ୟ ଏହି ମେଳାକୁ ଆସିବାର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଆୟୁର୍ବେଦ କ୍ଷେତ୍ରରେ ଯାହାକି ପୃଥିବୀର ଏକ ପୁରାତନ ଚିକିତ୍ସା ପଦ୍ଧତି ବିଷୟରେ ଲୋକେ ଅବଗତ ହେବା ସହ ଏହାର ଲାଭ ଉଠାଇପାରିବେ। ପ୍ରବଳ ଶୀତ ସତ୍ତେ୍ୱ ଲୋକଙ୍କ ଜନଗହଳି ଲାଗି ରହିଛି। ଏହି ମହୋତ୍ସବ ଡ଼ିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।