Categories
ଆଜିର ଖବର ରାଜ୍ୟ ଖବର

ଇଭେଣ୍ଟ ସଂସ୍ଥା ହାତରେ ବ୍ରହ୍ମପୁର ହର୍ବାଲ ମେଳା: ପ୍ରଶାସନ ଏଠି କଟ୍‌ପୁତ୍‌ଲୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ହର୍ବାଲ ମେଳାର ଭାଗ୍ୟ ଓ ଭବିଷ୍ୟତ ଲେଖିବାରେ ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ତତ୍ପରତା, ଆଗ୍ରହ, ଉତ୍ସାହ ସବୁ କିଛିକୁ ଧୂଳିସାତ୍ କରି ନିଜ ଇଚ୍ଛାରେ ନିଜେ ସବୁକିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି ଇଭେଣ୍ଟ ସଂସ୍ଥା।

ଏଇ ଇଭେଷ୍ଟ ସଂସ୍ଥା ବ୍ରହ୍ମପୁର ହର୍ବାଲ ମେଳା ଆରମ୍ଭ ଦିନଠାରୁ ଅର୍ଥାତ୍ ୨୦୦୮ ରୁ ୨୦୨୧ ଭିତରେ ସର୍ବାଧିକ ଥର ଆୟୋଜନ କରି ବାହା ବାହା ନେଇ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ଆସି ସେଇ ସମାନ ତରିକାରେ ଆୟୋଜକ ଭାବରେ ଭେଟି ଦେଇ ଚାଲୁଛି ଯାହାବି ଅନେକ ପ୍ରଶ୍ନ ବଳୟରେ ରାଜ୍ୟ ଜଂଗଲ ଓ ପରିବେଶ ବଭାଗ ଛନ୍ଦି ହେବା ସ୍ୱାଭାବିକ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏଇ ମେଳାର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ରାଜ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ସବୁ ବ୍ୟବସ୍ଥା ଭୁବନେଶ୍ୱରରୁ ନିୟନ୍ତ୍ରିତ ହୁଏ।

ଏଣୁ ଇଭେଣ୍ଟ ସଂସ୍ଥା ପାଇଁ ବାଟ ପରିଷ୍କାର ଏବଂ ବ୍ରହ୍ମପୁରରେ ସେ ସବୁବେଳେ ଆୟୋଜନ ହେବାର ସୌଭାଗ୍ୟ ଅର୍ଜନ କରିବା ସ୍ୱାଭାବିକ। ଜଂଗଲ ପରିବେଶ ବିଭାଗର ଅତୀତରୁ ଅଜି ଯାଏ ହର୍ବାଲ ମେଳା ବ୍ରହ୍ମପୁର ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରି ଆସିଛି। ଏହି ଅଂଚଳରେ ଆୟୁର୍ବେଦର ଲୋକପ୍ରିୟତା ହିଁ ଏହାର ପ୍ରମାଣ। ତେଣୁ ଜଡ଼ିବୁଟି ଔଷଧ ବିକ୍ରୟ କରି ଆସୁଥିବା ବୈଦ୍ୟମାନେ ଭଲ ପଇସା ରୋଜଗାର କରି ଫେରିଯାଆନ୍ତି ଏବଂ ବ୍ରହ୍ମପୁରବାସୀ ମଧ୍ୟ ପ୍ରତିବର୍ଷ ଏଇ ମେଳାକୁ ବୁଲି ଆସି ଖୁସୀ।

ସବୁ ପଛରେ ଆୟୋଜନର ଭୂମିକା ଥିଲେ ମଧ୍ୟ ତା’ର କେତେକ ଅରୁଚିକର କଥା ମଧ୍ୟ ପଦାକୁ ଆସିଛି। କାରଣ ଦିନେ ଅଭୟକାନ୍ତ ପାଠକ ପରି ଦୁର୍ନୀତିଖୋର ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସୁଧାଂଶୁ ମିଶ୍ର, ଆଶିଷ ବେହେରା ମଧ୍ୟ ହର୍ବାଲ ମେଳାର ଅଧ୍ୟକ୍ଷ ରହି ଏଇ ଇଭେଣ୍ଟ ସଂସ୍ଥା ଦ୍ୱାରା ଉପକୃତ ହୋଇଛନ୍ତି। ଇଭେଣ୍ଟ ସଂସ୍ଥା ରେସପନସକୁ ଉତ୍ସାହିତ କରୁଥିବା ସେଇ ଚରିତ୍ରମାନଙ୍କ ମଧ୍ୟରୁ ଅନେକ ଭିଜିଲାନସ୍‌ର ସ୍କାନରରେ ଏବଂ କାହାର ଚାକିରି ଯାଇଛି ତ କିଏ ଜେଲ୍‌ରେ।

ଆଜି ଯେତେବେଳେ ବ୍ରହ୍ମପୁର ହର୍ବାଲ ମେଳା ମହାମାରୀ ସମୟରେ ସିଟି ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି, ଇଭେଣ୍ଟ ସଂସ୍ଥାର କର୍ମକର୍ତ୍ତାଙ୍କ ଆଚରଣ ଏବଂ ବ୍ୟବସ୍ଥା ସବୁ ଔଦ୍ଧତ୍ୟର ପରିପ୍ରକାଶ ଯାହାକି ପୂର୍ବ ପଦାଧିକାରୀଙ୍କ ଦ୍ୱାରା ଏଇ ସଂସ୍ଥା ଭୁବନେଶ୍ୱରରୁ ବଳପାଇ ବଳୀୟାନ୍। କେଉଁ ଆଧାରରେ ବ୍ରହ୍ମପୁର ବନଖଣ୍ଡ ବିଭାଗ ନିଜ ହାତକୁ ଆୟୋଜନ ଦାୟିତ୍ୱ ନ ନେଇ ସବୁବେଳେ ସେଇ ସମାନ ଇଭେଣ୍ଟ ସଂସ୍ଥାକୁ କାର୍ଯ୍ୟ ଦେଉଛି ବୋଲି ପ୍ରଶ୍ନ ପଚାରାଗଲେ କୌଣସି ସଂସ୍ଥା ମିଳୁନାହାନ୍ତି ବୋଲି କହି ସୁବିଧାରେ ଖସି ପଳାଇବା ବାହାନା ନୁହେଁ ତ?

ବ୍ରହ୍ମପୁର ହର୍ବାଲ ମେଳାରେ ଆୟୁର୍ବେଦ ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ବହୁ ସରକାରୀ ଆୟୁଷ ଡ଼ାକ୍ତର ଆସନ୍ତି ଏଇ ମେଳାକୁ କିନ୍ତୁ ଏମାନଙ୍କ ପ୍ରତି ଉଚିତ ସମ୍ମାନ ଦେବାରେ ଉଭେଣ୍ଟ ସଂସ୍ଥା ନିଜର ନୈତିକ ଦାୟିତ୍ୱ ଭୁଲିଯାଉଛି। ଏମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଏ, କିନ୍ତୁ ପ୍ରମାଣପତ୍ର ମଧ୍ୟ ଇଭେଣ୍ଟ ସଂସ୍ଥା ହିଁ ଧାର୍ଯ୍ୟ କରେ। ଏହାଠାରୁ ବିଡ଼ମ୍ବନା କ’ଣ ବୋଲି କିଛି ଡ଼ାକ୍ତର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା ଚକ୍ରକୁ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବୁଦ୍ଧିଜୀବୀ, ଡ଼ାକ୍ତର, ଶିକ୍ଷାବିତ୍‌, ପରିବେଶବିତ୍ ଆସି ବକ୍ତବ୍ୟ ପ୍ରଦାନ କରନ୍ତି। ଏମାନଙ୍କ ପାଇଁ ଆକର୍ଷଣ ହର୍ବାଲ ମେଳା ବହୁଗୁଣିତ। ଅଥଚ କାର୍ଯ୍ୟକ୍ରମକୁ ସୁନ୍ଦର କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ନିମନ୍ତ୍ରଣ ପତ୍ରରେ ନଥାଏ। ଏହା ସେମାନଙ୍କ ବ୍ୟକ୍ତିତ୍ୱ ପ୍ରତି ଅସମ୍ମାନ ନୁହେଁକି?

ଗତକାଲି ପ୍ରଥମଥର ପାଇଁ ସହରରେ ଏଭଳି କାର୍ଯ୍ୟକ୍ରମ ସହରବାସୀ ଦେଖିଲେ ଯେଉଁ ମଂଚରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଫିସର ବସିଥିଲେ କିନ୍ତୁ ସେମାନଙ୍କୁ ମଧ୍ୟ ଉଚିତ ସମ୍ମାନ ଦେଲା ନାହିଁ ଇଭେଣ୍ଟ ସଂସ୍ଥା। ସାଂସଦ, ବିଧାୟକଙ୍କ ସମେତ ନିମନ୍ତ୍ରିତ ଆଇଏଫ୍‌ଏସ୍‌, ଆଇଏଏସ୍ ଅଫିସରଙ୍କ ବେକରେ ଯେଉଁ ଗାମୁଛା ପକାଇ ଦିଆଗଲା, ଫୁଲତୋଡ଼ାର ଦାମଠାରୁ ମଧ୍ୟ ତାହା କମ୍।

ଏଣୁ ମଂଚରୁ ଫେରିଗଲା ବେଳେ ଜଣେ ଆଇଏଏସ୍ ଅଫିସର ମଧ୍ୟ କ୍ଷୋଭ ପ୍ରକାଶ କରି ଫୁଲତୋଡ଼ା ଓ ଗାମୁଛା ଖଣ୍ଡିକ ଥୋଇ ଦେଇ ଚାଲିଗଲେ। ଏଇ ମେଳାରେ ପ୍ରତିଦିନ ବୁଲି ଆସୁଥିବା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଦିଗ ପ୍ରତି ଧ୍ୟାନ ଦେଇ କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ତଥା ଅନୁଶାସନକୁ ମାନିବାକୁ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ କଠୋର ନିର୍ଦ୍ଦେଶ ରହିଛି। ଏପରିକି ପ୍ରଥମଥର ପାଇଁ ସିସି ଟିଭି ନଜରରେ ସବୁ କାର୍ଯ୍ୟକ୍ରମ ଚାଲିଛି। ଯଦି ସାମାନ୍ୟ ତ୍ରୁଟି ରହିବ, ଜିଲ୍ଲା ପ୍ରଶାସନ ମୁଣ୍ଡକୁ ଯିବ। ଏଣୁ ଇଭେଣ୍ଟ ସଂସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ସହରବାସୀ ସ୍ୱାଗତ କରିଛନ୍ତି।

ସବୁ ଅବ୍ୟବସ୍ଥା ଭିତରେ ବ୍ୟବସ୍ଥାକୁ ସଜାଡ଼ୁଥିବା ଏମିତି କିଛି ଜଣେ ଦୁଇ ଜଣଙ୍କ ପାଇଁ ହିଁ ଏଇ ହର୍ବାଲ ମେଳାର ଆକର୍ଷଣ ରହିଛି। ସେମାନଙ୍କ ପ୍ରତି ମଧ୍ୟ ଉଚିତ୍ ମୂଲ୍ୟ ମିଳୁଛି କି ନାହିଁ ଜାଣିନୁ କିନ୍ତୁ ଏତିକି ଜାଣିଛୁ ସେମାନଙ୍କ ନିଷ୍ଠା ଆନ୍ତରିକ ଉଦ୍ୟମରୁ ମାତ୍ର ହାତଗଣତି ଲୋକଙ୍କ ପାଇଁ ହର୍ବାଲ ମେଳା ସଫଳ ଇଭେଣ୍ଟ ସଂସ୍ଥା ବେକରେ ପଡ଼ିଯାଏ ଫୁଲମାଳ। ଏହା ଏକ ବିଡ଼ମ୍ବନା ନୁହେଁ ତ କ’ଣ?

ବ୍ରହ୍ମପୁର ସହରକୁ ଦୂରଦୂରାନ୍ତରୁ ଅନେକ ବୈଦ୍ୟ ଏବର୍ଷ ଆସିଛନ୍ତି। ଏମାନଙ୍କ ପାଇଁ ଖାଦ୍ୟ, ପାନୀୟ, ରହିବାର ବ୍ୟବସ୍ଥା ଇଭେଣ୍ଟ ସଂସ୍ଥା କରୁଛି। ଏଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିୟନ୍ତ୍ରଣ କରନ୍ତି। ବିଧି ବ୍ୟବସ୍ଥା ଏମାନଙ୍କ ପ୍ରତି ଠିକ୍ ଆତିଥ୍ୟ ନ ମିଳିଲେ ବ୍ରହ୍ମପୁର ସହର ଅସମ୍ମାନ। କାର୍ଯ୍ୟକ୍ରମର ବକ୍ତାମାନେ ମଧ୍ୟ ମଂଚକୁ ଆସି ନିଜର ବକ୍ତବ୍ୟ ପ୍ରଦାନ କରନ୍ତି। ବିଜ୍ଞାନ ସମ୍ମତ ଆଲୋଚନା, ରୋଗ ସମ୍ବନ୍ଧୀୟ ଆଲୋଚନା ହୁଏ। ଏମାନଙ୍କ ପ୍ରତି ରାଜ୍ୟ ସରକାରୀ ବ୍ୟବସ୍ଥାରେ କ’ଣ ରହିଛି ଆମେ ଜାଣିନୁ କିନ୍ତୁ ଇଭେଣ୍ଟ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରେ ମେଳାରେ ବୈଦ୍ୟ ସମ୍ମିଳନୀ, ଡ଼ାକ୍ତରଙ୍କ ସମାବେଶ ଏବଂ ଆସୁଥିବା ଅନୁଭବୀ ବକ୍ତାଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ କାହିଁକି?

ଏ ସମୁହ ପ୍ରଶ୍ନ ଘେରରେ ଇଭେଣ୍ଟ ସଂସ୍ଥା। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅଧ୍ୟକ୍ଷ ଅନେକ ଜଂଜାଳରେ ଘାଣ୍ଟି ନହେବା ପାଇଁ ସବୁ ଦାୟିତ୍ୱ ଇଭେଣ୍ଟ ସଂସ୍ଥାକୁ ଦିଅନ୍ତି କିନ୍ତୁ ଇଭେଣ୍ଟ ସଂସ୍ଥା ଯଦି ନିଜ ଲାଭ ଓ ସୁବିଧାକୁ ଗୁରୁତ୍ୱ ଦେଇ ଯେଉଁମାନଙ୍କ ପାଇଁ ମେଳାର ଆକର୍ଷଣ ସେମାନଙ୍କୁ ଠିକ୍ ମୂଲ୍ୟ ନଦିଏ ଏହାର ଉତ୍ତରଦାୟୀ କିଏ?

ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଏ ଦିଗକୁ ଗୁରୁତ୍ୱର ସହ ନେବା ପାଇଁ ଅନେକ ଆୟୁର୍ବେଦ ଜଡ଼ିବୁଟି ପ୍ରେମୀଙ୍କ ଦାବି ରହିଛି। ପ୍ରତିଦିନ ମେଳାକୁ ବୁଲି ଆସିବା ସମୟରେ ସବୁ ପ୍ରକାର ଆନନ୍ଦ ଦେଇ ପାରୁଥିବା ପରିବେଶ ଭିତରେ କଳାକାହାଣୀ ଯଦି ଅନୁସନ୍ଧାନ କରାଯିବ ହର୍ବାଲ ମେଳାର ଗୁମର କଥା ଖୋଲିଯିବ। ମେଳାର ଅଧ୍ୟକ୍ଷ ଧନ୍ୟବାଦର ପାତ୍ର, କିନ୍ତୁ ଉଭେଣ୍ଟ ସଂସ୍ଥାର ବଡ଼ବାବୁମାନଙ୍କ ସହ ଚୋରା ପୀରତି ଯେତେ ଘୋଡ଼େଇଲେ କ’ଣ ଲୁଚିବ କି?

Categories
ଆଜିର ଖବର

ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୪ ଘଣ୍ଟା ସମୟରେ ଗୋପାଳପୁରଠାରେ ଥିବା ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସେଠାରୁ ସିଧା କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଉପସ୍ଥିତ ନେତା, ଅଧିକାରୀଙ୍କ ଗହଣରେ ଗୋପାଳପୁର ମହୋତ୍ସବକୁ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟିତ କରିଥିଲେ। ଏହା ସହ ହର୍ବାଲ ମେଳା ଏବଂ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ରୂପେ ଜଂଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ
ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏମ୍.ଓ. କଲେଜ ଚେୟାରମ୍ୟାନ ଆକାଶ ଦଶନାୟକ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ବ୍ରହ୍ମପୁରର ଓଡ଼ିଶୀ ଡ଼୍ୟାନସ, ୱାଉ ଡ଼୍ୟାନସ ଏକାଡ଼େମୀ ବ୍ରହ୍ମପୁରର ମଡ଼ର୍ନ ଡ଼୍ୟାନସ, ହିଂଜିଳିକାଟୁର ଲକ୍ଷ୍ମୀନୃଶିଂହ କଳା ମନ୍ଦିର ପକ୍ଷରୁ ଡ଼୍ୟାନସ, ପ୍ରାରମ୍ଭିକ ସଂଗୀତ ଓଡ଼ିଶୀ ସଂଗୀତ ପରିଷର ବ୍ରହ୍ମପୁରର କଳାକାରମାନେ। ନରେନ୍ଦ୍ରପୁରର ଯୋଡ଼ିଶଂଖ, ବ୍ରହ୍ମପୁର ଗଂଜାମ କଳା ପରିଷଦର ଫକ୍ ଡ଼୍ୟାନସ, ମତ୍ସ୍ୟଜୀବୀଙ୍କ ଲୋକକଳା ପରିବେଷିତ ହୋଇଥିଲା। ଗଂଜାମ ତଥା ଓଡ଼ିଶାର କଳାସଂସ୍କୃତି ସହ ରାଜ୍ୟ ବାହାରୁ ମଧ୍ୟ ଉଚ୍ଚକୋଟିର କଳାସଂସ୍କୃତିକୁ ନିମନ୍ତ୍ରିତ କରାଯାଇଛି। ଯାହାକି ଦର୍ଶକ ଭରପୁର ଉପଭୋଗ କରିବାର ଯୋଜନା ରହିଛି। ଏଠାରେ ସୂଚନାଥାଉକି କୌଣସି କାରଣବଶତଃ ଦୈବ୍ୟଦୁର୍ବିପାକ ପାଇଁ ଗତ ତିନିବର୍ଷ ହେଲା ଏହି ବେଳାଭୂମି ମହୋତ୍ସବ ବନ୍ଦ ଥିଲା। ଯାହାକି ଏହିବର୍ଷ ମୁଖ୍ୟ ଆକର୍ଷଣକୁ ନେଇ ଅତି ସରଗରମ ରୂପେ ଏହି ମହୋତ୍ସବର ଚେୟାରମ୍ୟାନ ତଥା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଗତ ୧୫ ଦିନ ହେଲା ତର୍ଜମା କରି ଏହାର ରୂପରେଖ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବହୁ ନାମୀ କଳାକାର ତଥା ଗାୟକ ମାନେ ଆସୁଥିବା ଯୋଗୁଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଦର୍ଶକମାନଙ୍କର ସୁଅ ଛୁଟିବାର ଆଶା ରଖାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ ଏହି ମହୋତ୍ସବକୁ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରି ଏକ ସଫଳ ଉତ୍ସବରେ ଭେଟିଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ଼୍ ଗାୟକ ସୋନୁ ନିଗମ୍ ନିଜର ସଂଗୀତ ମାଧ୍ୟମରେ ଲୋକଙ୍କୁ ମତୁଆଲା କରିଥିଲେ। ସେ ନିଜେ ଗାଇଥିବା ବିଭିନ୍ନ ପ୍ରକାର ଗୀତରେ ଲୋକଙ୍କୁ ବାନ୍ଧି ରଖିଥିଲେ। ପ୍ରବଳ ଶୀତ ସତ୍ତ୍ୱେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗୋପାଳପୁର ଅଂଚଳ ପୋଲିସ୍ ଛାଉଣିରେ ପରିବର୍ତ୍ତନ ହୋଇଥିଲା। ପୋଲିସ୍ ବିଭାଗ ପକ୍ଷରୁ ୧୯ ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ସେ ୧୯ଟି ପାର୍କିଂ ସ୍ଥାନରେ କିଛି ବସ୍ ରହିଥିବାବେଳେ କିଛି ସ୍ଥାନ ହାଲୁକା ଗାଡ଼ି ଯଥା କାର୍ ରହିଥିଲା ଏବଂ ଅନ୍ୟ କିଛି ପାର୍କିଂ ସ୍ଥାନରେ ଦୁଇଚକିଆ ଯାନ ରହିଛି। ପ୍ରତ୍ୟେକ ପାର୍କିଂ ସ୍ଥାନରେ ବୋର୍ଡ଼ ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏସ୍.ପି ସୂଚନା ଦେଇଥିଲେ। ସମୁଦାୟ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜନ ରହିଛନ୍ତି। ୨୫ ପ୍ଲାଟୁନ୍ ଫୋର୍ସ ବାହାରୁ ଆସିଛନ୍ତି ଏବଂ ୫ ପ୍ଲାଟୁନ୍ ଫୋର୍ସ ଗଂଜାମ ଜିଲ୍ଲାରୁ ରହିଛନ୍ତି। ୨୦୦ ହୋମ୍ଗାର୍ଡ଼କୁ ମଧ୍ୟ ନିୟୋଜିତ କରାଯାଇଛି। ୪ ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡ଼ିଏସ୍ପି ରହିଛନ୍ତି। ସମୁଦାୟ ରୁଟ୍ କୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରର ଗେଟ୍ ପୋଷ୍ଟରେ ଜଣେ ଜଣେ ଇନିସ୍ପେକ୍ଟର ନିୟୋଜିତ ରହି ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍ ବ୍ୟବସ୍ଥା ଦେଖିବେ। ପ୍ରତି ଜଙ୍କସନ, ଭିଡ଼, ଛକ, ପାର୍କିଂ ସ୍ଥଳ ଅଂଚଳରେ ୨୦୦ ଟି ସିସି ଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ୧୦ ମୋଟର ସାଇକେଲ୍ ପେଟ୍ରୋଲିଂ ଟିମ୍ ସହ ସାଧା ପୋଷାକରେ ୨୦ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି ଯେଉଁମାନେ କି ଆସାମାଜିକ ତତ୍ତ୍ୱକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଫୋର୍ସ ରହିଛନ୍ତି।

ଏହି ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ଏବଂ ହର୍ବାଲ ମେଳା ମଧ୍ୟ ଉଦ୍ଘାଟିତ ହୋଇଯାଇଛି। ପଲ୍ଲିଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ରାଜ୍ୟତଥା ରାଜ୍ୟ ବାହାର ପୁରପଲ୍ଲୀରୁ ଆସିଥିବା ବିଭିନ୍ନ ସାମଗ୍ରୀକୁ ଲୋକେ ଦେଖିବା ସହିତ ବିକ୍ରୀବଟା ହେବ। ହର୍ବାଲ ମେଳା ଦୀର୍ଘ ଦିନ ପରେ ହେଉଥିବା ଯୋଗୁଁ ଏହାର ଚାହିଦା ମଧ୍ୟ ଆୟୁର୍ବେଦିକ କ୍ଷେତ୍ରରେ ପ୍ରଚାର ଏବଂ ପ୍ରସାର ଉତ୍ତମ ରୂପେ ହୋଇପାରିବ ବୋଲି ଆଶା କରାଯାଉଛି। କାରଣ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଆୟୁର୍ବେଦ ବିଶେଷଜ୍ଞ ଏବଂ ଜଡ଼ିବୁଟି ଚାଷ କରୁଥିବା ଚାଷୀ, ବିଭିନ୍ନ ବୈଦ୍ୟ ଏହି ମେଳାକୁ ଆସିବାର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଆୟୁର୍ବେଦ କ୍ଷେତ୍ରରେ ଯାହାକି ପୃଥିବୀର ଏକ ପୁରାତନ ଚିକିତ୍ସା ପଦ୍ଧତି ବିଷୟରେ ଲୋକେ ଅବଗତ ହେବା ସହ ଏହାର ଲାଭ ଉଠାଇପାରିବେ। ପ୍ରବଳ ଶୀତ ସତ୍ତେ୍ୱ ଲୋକଙ୍କ ଜନଗହଳି ଲାଗି ରହିଛି। ଏହି ମହୋତ୍ସବ ଡ଼ିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।