Categories
ବିଶେଷ ଖବର ରାଜ୍ୟ ଖବର

ଦୁର୍ନିତି ପାଇଁ ଆଜି ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କିଏ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମନ ସୁଦ୍ଧା ମୋଟ ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିସ୍କାର କରାଗଲା ।

ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍‌ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ ।

ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା ।

ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଆଲଫୋନ୍‌ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ।

ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍‌ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ ସମ୍ପତ୍ତି ଉପରେ ଚଢଉ କରାଗଲା ବେଳେ ଅନେକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା ।

କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍‌ର ବିଶ୍ବନାଥପୁରଠାରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ବୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍‌ ରହିଛି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍‌ର ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ପୁଷ୍ପାଞ୍ଚଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା । ତଲାସୀ ସମୟରେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗୀରରେ ଗୋଟିଏ ଦ୍ବିତଳ ପ୍ରାସାଦ, ଗୋଟିଏ ଟାଟା ନେକ୍‌ସନ କାର୍‌, ୩ଟି ପ୍ଲଟ୍‌ ଏବଂ ତାସହିତ ନିଜର ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରାଯାଇଛି।

ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍ଟେମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ତଳାସୀ ସମୟରେ ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ଧରା ଯାଇଥିବା ସଂପତି ଗୁଡିକ ହେଉଛି (୧) ବ୍ରହ୍ମପୁର ସହରରେ ୬୦ ଲକ୍ଷ ଟଙ୍କା ବିଶିଷ୍ଟ ଏକ ମହଲା ବିଶିଷ୍ଟ କୋଠାଘର, (୨) ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ରେ କ୍ୟାସିଅର ଭାବରେ କାମ କରୁଥିବା ଶ୍ରୀ ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି । ତାଙ୍କ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଜାରି ରଖିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍‌.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ ।

ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ପାଇଁ ୧୫୫୩ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ସେଥିପାଇଁ ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍‌.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୟୁରଭଂଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ।  ଏଥିସହିତ ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ ରହିଛି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବେ। ସେଠାରେ ଶହୀଦ ସ୍ମୃତିଭବନରେ ଆୟୋଜିତ ଏକ ସଭାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୬ ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟକାର୍ଡର ଲାଭ ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୟୁରଭଂଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ।  ଏଥିସହିତ  ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବେ। ସେଠାରେ ଶହୀଦ ସ୍ମୃତିଭବନରେ ଆୟୋଜିତ ଏକ ସଭାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୬ ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟକାର୍ଡର ଲାଭ ପାଇବେ।

ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।  ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ସେଠାରେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧%ବୃଦ୍ଧି 

ଭୁବନେଶ୍ବର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ।

ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଲା।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।

Categories
ବିଶେଷ ଖବର ରାଜ୍ୟ ଖବର

ଦଶହରା ଭେଟି: ଗଜପତି ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇ ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଥିଲେ।

ଗଜପତି ଜିଲ୍ଲାର ସ୍ବାତନ୍ତ୍ର୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ହେଉଛି କଳା ଓ ସସ୍ଖୃତିର ଭୂମି । ଛୋଟିଆ ଜିଲ୍ଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତି ର ଅବଦାନ ବହୁତ ବେଶୀ । ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ । ସେ ଥିଲେ ବିକାଶ ଓ ସ୍ବାଭିମାନ ର ପ୍ରତୀକ । ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ଡ ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ମେଗା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହାସହିତ ମହେନ୍ଦଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ସିପ୍‌ କାର୍ଯ୍ୟକ୍ରମ। ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ, ବଲାଙ୍ଗୀରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଆଜି ଗଜପତିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବିଧାୟକଗଣ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିପିଲି ଜନସାଧାରଣ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଜି ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, “ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ।”

Categories
ଆଜିର ଖବର ରାଜ୍ୟ ଖବର

‘ଗାନ୍ଧିଜୀ ଇନ ଓଡିଶା’ ସଂକଳନ ପୁସ୍ତକକୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଗାନ୍ଧି ଜୟନ୍ତୀ ଅବସରରେ ଏକ ସଂକଳନ ପୁସ୍ତକକୁ ଉନମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ନାମ ରହିଛି ‘ଗାନ୍ଧିଜୀ ଇନ ଓଡିଶା’। ଏହି ସଂକଳନକୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପୁନଃପ୍ରକାଶିତ କରାଯାଇଛି। ଏହି ପୁସ୍ତକରେ ବିଭିନ୍ନ ସମୟରେ ମହାତ୍ମା ଗାନ୍ଧିଙ୍କ ଓଡିଶା ଗସ୍ତ ସଂପର୍କରେ ଉଲ୍ଲେଖ କରାଯାଇଛି।

ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନ ସମୟରେ ସେ କଣ କଣ କାର୍ଯ୍ୟ କରିଥିଲେ, ତାଙ୍କୁ କିପରି ସମ୍ବର୍ଦ୍ଧିତ କରାଯାଇଥିଲା ସେ ସଂପର୍କରେ ଅବଗତ କରାଯାଇଛି। ଏଥିସହିତ ଗାନ୍ଧି କେଉଁ ସମୟରେ କଣ କଣ ଭାଷଣ ଦେଇଥିଲେ ତାହାକୁ ଏହି ସଂକଳନରେ ସ୍ଥାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅହିଂସାର ପ୍ରତୀକ ତଥା ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ଏହି ଅବସରରେ ସେ, ଗାନ୍ଧୀଙ୍କ ଅହିଂସା ମନ୍ତ୍ରକୁ ପାଥେୟ କରି ଲୋକଙ୍କ କଲ୍ୟାଣ ସହ ଦେଶକୁ ଶାନ୍ତି ଓ ମୈତ୍ରୀର ମାର୍ଗରେ ଅଗ୍ରସର କରାଇବାକୁ ସେ ଆହ୍ୱାନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ନ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ପ୍ରଦାନ କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଢ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ପ୍ରଧାନମନ୍ତ୍ରୀ ଏକ ଟୁଇଟ କରି ଏହି କଥା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଓଡିଆରେ ଲେଖିଥିବା ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ@Naveen_Odisha ଜୀଙ୍କ ସହ ଆଲୋଚନା କଲି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ୱସ୍ତ କଲି । ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା ।

Categories
ଆଜିର ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ରହି ‘ଗୁଲାବ’ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ମାଧ୍ୟମରେ ସମ୍ଭବ୍ୟ ବାତ୍ୟା ଗୁଲାବ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟଶାସନ ସଚିବ, ଏସଆରସି, ରାଜସ୍ବ ସଚିବ ଏବଂ ପୋଲିସ ଡିଜି ପ୍ରମୁଖ ବରିଷ୍ଠ ଅଧିକାରୀ ରହିବେ। ବର୍ତ୍ତମାନ ପରିସ୍ଥିତି କିପରି ରହିଛି ଏବଂ କଣ ପଦକ୍ଷେପ ନିଆଯାଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ଆଜି ସଂଧ୍ୟାରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ସହିତ ପୁରୀ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ପ୍ରଭାବିତ ହେବ। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ନୂଆଦିଲ୍ଲୀ ଗସ୍ତ, ମାଓ ମୁକାବିଲା ବୈଠକରେ ଦେବେ ଯୋଗ

ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଆୟୋଜିତ ନକ୍ସଲ ମୁକାବିଲା ବୈଠକରେ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହି ବୈଠକ ଆସନ୍ତା ରବିବାର ଦିନ ବସିବ। ସେ ସେହିଦିନ ବୈଠକ ଶେଷ ଭୁବନେଶ୍ବର ଫେରିଆସିବେ।

କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଏହି ବୈଠକ ଡାକିଥାନ୍ତି। ଏହି ମାଓ ଦମନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବଳ ଯୋଗାଇ ଦେବା ସହିତ ଆର୍ଥିକ ଅନୁଦାନ ମଧ୍ୟ ଦେଇଥାନ୍ତି। ତେବେ ଓଡିଶାକୁ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାୟ ନଅ ଶହ କୋଟି ଟଙ୍କା ବାକି ରହିଛି। ସେହି ବକେୟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉଠାଇପାରନ୍ତି ବୋଲି ଜଣାପଡିଛି। ବହୁଦିନ ପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ପଛକୁ ଫେରି ଆସୁଛି ଏବଂ ଆମେ ମୁଖ୍ୟ ସ୍ରୋତକୁ ଫେରିଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି। ମହାମାରୀ ପରଠାରୁ ଆମେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ଏହି ସମୟରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ଦ୍ୱାରା ସକରାତ୍ମକ ଭୂମିକା ଗ୍ରହଣ କରି ସିଏମ୍ କହିଛନ୍ତି ଯେ ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସମ୍ପ୍ରସାରଣ ଆଦିତ୍ୟ ବିର୍ଲା ଗୋଷ୍ଠୀ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ପ୍ରମାଣ। ବିଶେଷକରି ଓଡିଶାର ଆଦିବାସୀ ଅଞ୍ଚଳରେ ଏହି ସଂପ୍ରସାରଣ ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସିଏମ୍ ବିଶ୍ୱାସ ପ୍ରକାଶ କରିଛନ୍ତି।

ଉତ୍କଳ ଆଲୁମିନା 1993 ମସିହାରେ ରାୟାଗଡାଠାରେ 8 ହଜାର 600 କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇ ଥିଲା। ଏହି ସମ୍ପ୍ରସାରଣ ପାଇଁ 1500 କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ୟୁନିଟ୍ ପାଇଁ 500 ରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡିଶାରେ 12,000 ରୁ ଅଧିକ ଲୋକଙ୍କୁ ନିୟୋଜିତ କରିଛି ଯାହାକି ଏହାର ବିଶ୍ବ ସ୍ତରୀୟ ଶ୍ରମିକଙ୍କ 10 ପ୍ରତିଶତରୁ ଅଧିକ ଅଟେ। ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସଟି, ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଇ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଇଁ ଓଡିଶା ସର୍ବାଧିକ ପୁଞ୍ଜି ବିନିଯୋଗ ସ୍ଥାନ ଭାବରେ ଉଭା ହୋଇଛି। ସେ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ରାଜ୍ୟର ବିକାଶ କାହାଣୀରେ ଗର୍ବିତ ଅଂଶୀଦାର ଭାବରେ ତାଙ୍କର ଭୂମିକା ଉପରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ CM (5-T) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍। ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ହିଣ୍ଡାଲକୋ ମୁଖ୍ୟ ବି.ସି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାର ୫୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ କନଫ୍ରେନସ ହଲରେ ଆୟୋଜିତ ଏକି କାର୍ଯ୍ୟକ୍ରମରେ ଏହି ଶୁଭାରମ୍ଭ କରାଯାଇଛି।

ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ରାଉରକେଲା ବିଧାୟକ ସାରଦା ନାୟକ, ବିଧାୟକ ସୁବ୍ରତ ତରାଇ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ ସୁପରସ୍ପେଶାଲିଟ ହସପିଟାଲ କନଫ୍ରେନସ ହଲରେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ଭୂମିକା ରହିଛି। ଏହି ଜିଲ୍ଲାର ହକି ଖେଳ ଆଜି ସାରା ବିଶ୍ବରେ ବେଶ ପ୍ରସଂଶା ଆଣିଦେଇଛି। ଏହି ଜିଲ୍ଲା ଖଣିଖାଦନ ପାଇଁ ମଧ୍ୟ ବେଶ ପରିଚିତ। ଏହି ଜିଲ୍ଲା ବର୍ତ୍ତମାନ ଅଲମ୍ପିକ ପଦକ ଜିଲ୍ଲା ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାକାନାଗିରି ପରେ ସୁନ୍ଦରଗଡ ଜିଲ୍ଲା ହେଉଛି ଦ୍ବିତୀୟ ଯିଏ କି ଏହା କାର୍ଡର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି କାର୍ଡ ମାଧ୍ୟମରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସୁବିଧା ପାଇପାରିବେ ।

ଏହି କାର୍ଡ ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଡ ଥିଲେ ହସପିଟାଲରେ କୌଣସି କାଗଜପତ୍ର ଦେଖାଇବାର ଆବଶ୍ୟକତା ନାହିଁ।

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ସାରାଦା ନାୟକ, ବିଧାୟକ ସୁବ୍ରତ ତରାଇ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ସଭାରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରବି ଫସଲ ପାଇଁ ୩୭ ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି। ପବିତ୍ର ନୂଆଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ସାରା ରାଜ୍ୟର ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି। ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ। ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା। ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୂ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖି ସମ୍ଵଲପୁରର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ, ରାଧାକାନ୍ତ ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନାରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବାକୁ ପଡୁନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହରକୁ ନିୟନ୍ତ୍ରଣ ପାଇଁ ପର୍ବପର୍ବାଣୀରେ ସାବଧାନ ରୁହନ୍ତୁ, ମୁଖ୍ୟମନ୍ତ୍ରୀ କରାଇଲେ ସତର୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି high risk group ର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ Micro Contentment Zone କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିସ୍ଥିତିର ଗୁରୁତ୍ବକୁ ଉପଲବ୍‌ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକ୍‌ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର‌୍ୟ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବି.ଏମ୍‌.ସି ଏବଂ ସି.ଏମ୍‌.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ଚାରି ଶହ ଶିକ୍ଷକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରs ଚାରି ଶହ ତେୟାଳଶୀ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ଅବସରରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହେଉଛନ୍ତି ।

ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେଉ ବୋଲି ସେ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟ ଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗୀତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢିପାରିବେ ତାହା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତି ଛାତ୍ରଛାତ୍ରୀ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଆମର ଉଦ୍ୟମ ହେବ ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏବଂ ଏଦିଗରେ ଶିକ୍ଷକ ମାନେ ସେମାନଙ୍କ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ଆହ୍ଵାନ ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ ।ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ,ସହିତ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ ,କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ,ସ୍କୁଲ ସମୟରୁ ଦକ୍ଷତା ର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏତଦବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟ କୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେମାନେ ହେଲେ – ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଶ୍ରୀ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ସେଠୀ ।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ସମୀର ଦାଶ ,ଓଡ଼ିଶା ଆଦର୍ଶ ଵିଦ୍ୟା ଳୟ ସଗଠନର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍ ବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନବନିଯୁକ୍ତ ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ପାଣ୍ଡିଆନ୍ ସେମାନଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମ ରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥବାରୂ ଏ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ,ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ,ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୂ ସ୍ବାଗତ ଭାଷଣ ଦେଇ ଥିଲେ । ସୂଚନାଯୋଗ୍ୟ ଯେ ଆଦର୍ଶ ବିଦ୍ୟାଳୟ ପାଇଁ 443 ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସୋମାନଙ୍କ ମଧ୍ୟରେ 156 ଜଣ ଶିକ୍ଷୟତ୍ରୀ ଅଛନ୍ତି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖାଣ୍ଟି ଓଡିଆ ଖାଦ୍ୟକୁ ନେଇ ଓଟିଡିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ବର, ଖାଣ୍ଟି ଓଡିଶାର ଖାଦ୍ୟକୁ ନେଇ ଭୁବନେଶ୍ବରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ରେଷ୍ଟୁରାଣ୍ଟ। ଯାହାର ନାମ ରହିଛି ନିମନ୍ତ୍ରଣ। ରୂପାଲି ଛକରେ ଏହି ଭିନ୍ନ ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ଓଡିଆ ଖାଦ୍ୟ ସହିତ ପିଠା ମଧ୍ୟ ପରିବେଷଣ କରାଯିବ। ରାଜଧାନୀରେ ବିଭିନ୍ନ ବିଦେଶୀ ଖାଦ୍ୟର ଚାହିଦା ବଢୁବାରେ ଲାଗିଛି। ଏପରି ସ୍ଥଳେ ଓଡିଶାର ଯୁବ ପିଢୀଙ୍କୁ ଓଡିଆ ଖାଦ୍ୟ ସ୍ବାଦ ଚଖାଇବା ପାଇଁ ଓଟିଡିସି ତରଫରୁ ଏହି ଉଦ୍ୟମ କରାଯାଇଛି।

ଏହାର ସଫଳତା ପରେ ଏହିପରି ରେଷ୍ଟୁରାଣ୍ଟ ପୁରୀ, କଟକ, ରାଉରକେଲାରେ ମଧ୍ୟ କରାଯିବ ବୋଲି ଓଟିଡିସି ନିଷ୍ପତି କରିଛି। ଏହି ଉଦଘାଟନ ସମାରୋହରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକପ୍ରିୟ ଧାରାବାହିକ ‘ଦ କପିଳ ଶର୍ମା ସୋ’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି

ଭୁବନେଶ୍ବର, ସୋନି ଟିଭିରେ ପ୍ରସାରିତ ଦେଶର ଏକ ଲୋକପ୍ରିୟ ଧାରାବାହିକ ହେଉଛି ‘ଦ କପିଳ ଶର୍ମା ସୋ’। ଏହି ସୋ ରେ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଭାଗ ନେଇଛନ୍ତି। ସେହିପରି ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସୋ’ରେ ଦେଖା ଦେଇଛନ୍ତି। କାରଣ ହେଲା ନିକଟରେ ଅଲମ୍ପିକ୍ସରେ ପଦକ ଜିତିଥିବା ହକି ଖେଳାଳୀଙ୍କୁ ନେଇ କପିଲ ଏକ ସୋ କରିଥିଲେ।

ଏହି ସୋ’ରେ ସମସ୍ତ ହକି ଖେଳାଳୀ ଯୋଗ ଦେଇଥିଲେ। ସେମାନଙ୍କୁ କପିଲ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ। ଏହି ଭିତରେ କପିଲ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ। ନବୀନ ହକି ଇଣ୍ଡିଆକୁ ପ୍ରାୟୋଜିତ କରିଥିବାରୁ ସେ ପ୍ରଶଂସାରେ ଶତମୁଖ ହୋଇଯାଇଥିଲା।

ଏହି ଅବସରରେ କପିଲ କହିଥିଲେ ଯେ, ହକି ଇଣ୍ଡିଆକୁ ଯିଏ ପ୍ରାୟୋଜିତ କରିଛନ୍ତି ସେ ଆପଣମାନଙ୍କୁ କିଛି ସନ୍ଦେଶ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେକର୍ଡିଂ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ହକିର ସମସ୍ତ ଖେଳାଳୀଙ୍କୁ ଅଭିନନ୍ଦନ କରିଥିଲେ। ତାଙ୍କର ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ କପିଳ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ସେ ତାଙ୍କର ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ହକି ଖେଳାଳୀଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ କପିଳ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶାଂସା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।