Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ମାଧ୍ୟମରେ ଜିଲ୍ଲାର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ଏକଜୁଟ୍ ହୋଇ ପାରିଛନ୍ତି। ୧୯୮୧ ମସିହାରୁ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଆପଣମାନେ ଏହି ସଂଘ ଆରମ୍ଭ କରିଛନ୍ତି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ସଦସ୍ୟ ଅଛନ୍ତି।

ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆପଣମାନେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ଆପଣମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ। ଜୀବନକାଳ ମଧ୍ୟରେ ହାସଲ ହୋଇଥିବା ଅଭିଜ୍ଞତାକୁ ଆଜି ଦକ୍ଷତାର ସହ ସମାଜକଲ୍ୟାଣ କ୍ଷେତ୍ରରେ ଉପଯୋଗ କରୁଛନ୍ତି। ପ୍ରଶାସନିକ ଓ ସାମାଜିକ କ୍ଷେତ୍ରରେ ଆପଣମାନଙ୍କ ଜ୍ଞାନ ଓ ଅଭିଜ୍ଞତା ସମାଜ ପାଇଁ ଅମୂଲ୍ୟ ପୁଞ୍ଜି। ଏହି ପୁଞ୍ଜି ଆଗାମୀ ଦିନରେ ସମାଜକୁ ନିଶ୍ଚିତ ରୂପେ ସୁଦୃଢ ଓ ସମୃଦ୍ଧ କରିବ ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ଯେ ସରକାରୀ କର୍ମଚାରୀ ମାନଙ୍କୁ ପବ୍ଲିକ ସର୍ଭେଣ୍ଟ କୁହାଯାଇଥାଏ। ସେମାନେ ଜନସାଧାରଣଙ୍କ ସେବା କରିଥାନ୍ତି, ନାଗରିକ ମାନଙ୍କ ସେବା କରିଥାନ୍ତି। ଏହା ଏକ ଗୌରବର କଥା । ଅବସର ପରେ ମଧ୍ୟ ଆପଣମାନେ ଯେ କୌଣସି କ୍ଷେତ୍ରରେ ଜନସେବା ଜାରି ରଖିଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି। ଲୋକଙ୍କୁ ସାଇବର ଠକାମୀରୁ ବଞ୍ଚିବା ପାଇଁ ସଚେତନ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହିତ ସ୍ବାସ୍ଥ୍ୟ ଶିବିର ଆୟୋଜନ ଓ ବୃକ୍ଷ ରୋପଣ ଆଦି ସମାଜସେବା କାର୍ଯ୍ୟକ୍ରମ ଜରିଆରେ ସମାଜ ପ୍ରତି ଆପଣଙ୍କ ଦାୟିତ୍ବବୋଧକୁ ଆପଣମାନେ ସଠିକ୍‌ ଭାବେ ତୁଲାଉଛନ୍ତି। ଏହା ଖୁବ ପ୍ରଶଂସନୀୟ। କେନ୍ଦୁଝରର ବିକାଶ ପାଇଁ ମଧ୍ୟ ସୁଚିନ୍ତିତ ପରାମର୍ଶ ଦେଉଛନ୍ତି। ନୂଆ ସରକାର ଆସିବା ପରେ କେନ୍ଦୁଝର ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି। କେନ୍ଦୁଝର ଜିଲ୍ଲାର ଖଣିଜ ସମ୍ପଦର ସୁବିନିଯୋଗରେ ଆମକୁ ଆମ ପର ପିଢି ପାଇଁ ଜିଲ୍ଲାର ବିକାଶ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିସହିତ ସେ କହିଥିଲେ ଯେ ବୟସାଧିକ ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏହାକୁ ଦୃଷ୍ଟିରେ ରଖି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ୭୦ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତାର ବ୍ୟବସ୍ଥା କରିଛନ୍ତି।

ସେ ପୁଣି କହିଥିଲେ ଯେ ପରିବେଶ ସୁରକ୍ଷା ପାଇଁ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ‘ଏକ ପେଡ୍ ମା କେ ନାମ୍‌’ ର ଆହ୍ବାନ ଦେଇଛନ୍ତି। ଆମ ସମସ୍ତଙ୍କୁ ଏହାକୁ ଗୁରୁତ୍ବର ସହ ନେଇ ପରିବେଶ ପ୍ରଦୁଷଣ ରୋକିବା ପାଇଁ ବୃକ୍ଷ ରୋପଣ କରିବାକୁ ପଡିବ। ଶେଷରେ ଗାଁ ଗହଳିରେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରିବା ପାଇଁ ସେ ଉପସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ, କେନ୍ଦୁଝର ପୌରପାଳିକା ଅଧ୍ୟାକ୍ଷା ଶ୍ରୀମତୀ ନିକୁ ସାହୁ, ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ଚନ୍ଦ୍ର ମହାନ୍ତି, ସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ନାୟକ ଓ ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବୃଦ୍ଧି ପାଇଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର: ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି କଳ କାରଖାନା।

ପିଚୁ, ଗୋଡି, ବଜୁରିକୁ ମିଶ୍ରଣ କରି ନିର୍ମାଣ କରନ୍ତି ସୁନ୍ଦର ରାସ୍ତା। ତେଣୁ ଯଥାର୍ଥରେ ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାତା । ନିର୍ମାଣ କ୍ଷେତ୍ର କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରେ ନାହିଁ, ଏହା ମଧ୍ୟ ବ୍ୟାପକ କର୍ମସଂସ୍ଥାନ ଯୋଗାଇଥାଏ। ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳେ ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ବୈଷୟିକ ବିଦ୍ୟାର ସମିଶ୍ରଣ। ଭୁବନେଶ୍ୱରକୁ ଆଧୁନିକତାର ରୂପ ଦେବାର ବିନ୍ଧାଣୀ ହେଉଛନ୍ତି ଆମର ଏହି ଶ୍ରମିକ ଭାଇମାନେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ସେମାନେ କିପରି ସୁରକ୍ଷିତ ରହିବେ, ସେମାନଙ୍କ ଅଭାବ, ଅସୁବିଧା ସମୟରେ, ସେବା ନିବୃତ ହେବା ପରେ କିମ୍ବା ଦୁର୍ଘଟଣା ଅଥବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରର ମଙ୍ଗଳକୁ ଦୃଷ୍ଟିରେ ରଖି ଗଢା ହୋଇଛି ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’।

ସେଥିପାଇଁ ସମସ୍ତେ ତାଙ୍କର ସାମାଜିକ ନିରାପତ୍ତା ପାଇବା ପାଇଁ ବୋର୍ଡରେ ନିଜ ନିଜର ନାମ ପଞ୍ଜିକୃତ କରିବା ଆବଶ୍ୟକ। ଅସୁବିଧା ସମୟରେ, ଏହି ସଂସ୍ଥା କେବଳ ଏକ ସରକାରୀ ସଂସ୍ଥା ନୁହେଁ, ବରଂ ଆପଣଙ୍କ ପ୍ରିୟ ବନ୍ଧୁ ଭାବେ ମଧ୍ୟ ସାବ୍ୟସ୍ତ ହେବ। ପ୍ରତି ଜିଲ୍ଲାରେ ଆପଣଙ୍କୁ ସାହଯ୍ୟ କରିବା ପାଇଁ ଶ୍ରମ ଅଧିକାରୀମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ‘ମୋ ସେବା’ ନାମରେ ଏକ ପୋର୍ଟାଲ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି।

ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବୋର୍ଡ ପକ୍ଷରୁ ଏସବୁ ସୁବିଧା ସୁଯୋଗ କରାଯାଇଛି। ତେଣୁ ଆପଣମାନେ ସମସ୍ତେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ ରେ ସାମିଲ କରନ୍ତୁ ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ। ଆମ ସରକାର ଆପଣମାନଙ୍କ ସହିତ ଅଛି ଓ ସବୁବେଳେ ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ମାଣ କାର୍ଯରେ ନିୟୋଜିତ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ପରିବାର ସଦସ୍ୟକୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା।

ସେ କହିଥିଲେ ଯେ ଆଜି ଆମେ ଯାହା ବି ଆଧୁନିକତା ଦେଖୁଛୁ ନିର୍ମାଣ ଶ୍ରମିକଙ୍କ ଏଥିରେ ମହତ୍ୱପୂର୍ଣ୍ଣ ଶ୍ରମଦାନ ରହିଛି। ପାଖାପାଖି ୪୩ ଲକ୍ଷ ନିର୍ମାଣ ଶ୍ରମିକ ବୋର୍ଡ ଦ୍ୱାରା ପଞ୍ଜିକୃତ ହୋଇଛନ୍ତି। ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସଚେତନ କରି ସେମାନଙ୍କ ନାମ ପଞ୍ଜିକରଣ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ଦିଗରେ ଆମ ଶ୍ରମଜୀବୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବିକଶିତ ଓଡିଶା ଗଠନରେ ନିର୍ମାଣ ଶ୍ରମିକଙ୍କ ବହୁତ ବଡ ଯୋଗଦାନ ରହିବ। ଆପଣଙ୍କ ସୁରକ୍ଷା ଆମ ପାଇଁ ବହୁ ଗୁରୁତ୍ୱ ରଖେ ଏବଂ ଆପଣମାନେ ମନରେ ବଡ ବଡ ସ୍ୱପ୍ନ ରଖନ୍ତୁ । ଏହା ଦ୍ୱାରା ରାଜ୍ୟ ଏବଂ ଆପଣଙ୍କ ପରିବାରର ବିକାଶ ହେବ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରୁ ହିତାଧିକାରୀଙ୍କ ପରିବାରର ଏମ୍.ଟେକ୍ କରିଥିବା କାଦମ୍ବିନୀ ସାହୁ, ନିର୍ମାଣ ଶ୍ରମିକ କଲ୍ୟାଣ ଛାତ୍ରବୃତ୍ତି ସହାୟତା ଯୋଗୁ ଆଜି ଉଚ୍ଚ ଶିକ୍ଷା କରି ସେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଖଲିକୋଟ ଅଞ୍ଚଳର କାଠ ମିସ୍ତ୍ରୀ ନିରାକାର ମହାରଣା ସରକାରୀ ଅଧିକାରୀ ତାଙ୍କ ପାଖକୁ ଯାଇ ନାମ ପଞ୍ଜିକରଣ କରି ପରିଚୟ ପତ୍ର ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାର ପ୍ରଭାତି ନାୟକଙ୍କୁ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ଚେକ୍, ରେବତି ଦାସଙ୍କୁ ପ୍ରସୂତି କାଳୀନ ସହାୟତା ୧୦ ହଜାର ଟଙ୍କାର ଚେକ୍, ମଦନ ମହାଲିଙ୍ଗଙ୍କୁ ପୁଅର ଶିକ୍ଷାବୃତ୍ତି ପାଇଁ ୧୦ ହଜାର ଟଙ୍କାର ଚେକ୍, ମନମୋହନ ପ୍ରଧାନଙ୍କୁ ଝିଅର ଉଚ୍ଚ ଶିକ୍ଷା ପାଇଁ ୪୮ ହଜାର ଟଙ୍କାର ଚେକ୍ ଓ ସ୍ୱର୍ଗତ ନରେନ୍ଦ୍ର ବେହେରାଙ୍କ ପତ୍ନୀ ସୁଷମା ବେହେରାଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ସେହିପରି କଟକ ଜିଲ୍ଲାର ସୁଶିଳା ପ୍ରଧାନ ଓ ବିନୋଦିନୀ ଦେବତାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସ୍ୱଭାବିକ ମୃତ୍ୟୁ ପାଇଁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଟଙ୍କା, ବାଲୋ ବିବି ଓ ହିରୋ ମଲିକଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଟଙ୍କା ଏବଂ ଦିଲ୍ଲିପ ସାହୁଙ୍କ ଝିଅ ପାଇଁ ଶିକ୍ଷାବୃତ୍ତି ବାବଦକୁ ୪୮ ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସ୍ୱାଗତ ଭାଷଣ ଦେଇଥିଲେ ଓ ଶ୍ରମ କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବହୁସଂଖ୍ୟକ ଶ୍ରମିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୂଆଖାଇକୁ ନେଇ ଆସିଲା ବଡ ଖବର, ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ।

ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ magisterial court ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ,୯୪ ଜଣଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଓ ସାହସିକତା ପଦକ ଏବଂ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି। ଲୋକସେବା ଭବନ କନଭେନସନ୍‌ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି।

ଏହି ଅବସରରେ ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଡିଜି-ପୋଲିସ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଡିଜି-ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ. ସୁଧାଂଶୁ କୁମାର ଷଡଙ୍ଗୀ, ଅତିରିକ୍ତ ଡିଜି-କାରାଗାର ଓ ସଂସ୍କାର ସେବା ଶ୍ରୀ ଅମିତାଭ ଠାକୁରଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ପଦକ ପ୍ରଦାନ ଉତ୍ସବ ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁରସ୍କୃତ ହୋଇଥିବା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଫଟୋ ଉଠାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଅଧିକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର କୋଇଲା ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍‌ ପ୍ରସାଦ ଏବଂ ନେଭେଲି ଲିଗ୍‌ନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍‌ଡସ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ ।

ଆଲୋଚନାରେ ଶ୍ରୀ ମୀନା କହିଥିଲେ ଯେ ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦ ପ୍ରତିଶତ କୋଇଲା କେବଳ ଓଡିଶାରୁ ଉତ୍ପାଦିତ ହେଉଛି। ତେଣୁ ଓଡିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ବୈଠକରେ କୋଇଲା ସଚିବ ଶ୍ରୀ ମୀନା ଓଡିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ପ୍ରଦୁଷଣ ଯଥାସମ୍ଭବ କମ୍‌ କରିବା ପାଇଁ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଥିଲେ।

ବ୍ୟବହୃତ ଖଣିର ବ୍ୟାକ ଫିଲିଙ୍ଗ ଓ ପୁନରୁଦ୍ଧାର ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏମ୍‌.ସି.ଏଲ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କୋଇଲା PSUରେ ସ୍ଥାନୀୟ ଯୁବକଯୁବତୀ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରିଥିଲେ । ତାଳଚେର ମେଡିକାଲ କଲେଜକୁ MCL ସହଯୋଗରେ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା।

ଏହାସହିତ CSR ପାଣ୍ଠିରେ ସ୍ଥାନୀୟ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟରେ କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ ଏମ.ସି.ଏଲ ପାଣ୍ଠି ଯୋଗାଇ ଦେବ ବୋଲି ଜଣାଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ରାଜସ୍ବ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂହ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର ରାଜ୍ୟ ଖବର

Budget 2024: କେନ୍ଦ୍ର ବଜେଟକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Budget 2024: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ 2024-25 ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବଜେଟରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଥିବା ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ’ ଏବଂ ‘ଅନ୍ନଦାତା’ (କୃଷକ) ଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

ଏହି ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରକୁ 1 ଲକ୍ଷ 52 ହଜାର କୋଟି ଟଙ୍କା, ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ 3 ଲକ୍ଷ କୋଟି ଟଙ୍କାର ଆବଣ୍ଟନ କୃଷକ ଏବଂ ମହିଳା ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

କେନ୍ଦ୍ର ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ 5 ବର୍ଷରେ 3 କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ଓଡିଶା ଜନସାଧାରଣ ବିଶେଷ ଉପକୃତ ହେବେ।

ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା 5 କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା 63,000 ଗାଁକୁ ଅନ୍ତର୍ଭୁକ୍ତ କରିବ। ଏହାଦ୍ଵାରା ଓଡିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ।

ଆଗାମୀ 5 ବର୍ଷ ମଧ୍ୟରେ 4 କୋଟି 10 ଲକ୍ଷ ଯୁବକ ଯୁବତୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସୁଯୋଗ ସୃଷ୍ଟି ପାଇଁ 2 ଲକ୍ଷ କୋଟିର ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି। ଏହାଦ୍ଵାରା ଓଡିଶାର ଯୁବବର୍ଗ ବିଶେଷ ଭାବରେ ଲାଭବାନ ହେବେ।

କେନ୍ଦ୍ର ବଜେଟରେ ମୋଟ ପୁଞ୍ଜି ବିନିଯୋଗ 11 ଲକ୍ଷ 11 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ 1 ଲକ୍ଷ 50 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହାଦ୍ଵାରା ଓଡିଶାକୁ ପ୍ରାୟ 1 ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ। ଏହା ପ୍ରାକ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଦାବି ଥିଲା। ଏହି ଦାବି ଗ୍ରହଣ କରିଥିବାରୁ, ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି।

ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ଵତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଆମେ କୃତଜ୍ଞ। ସ୍ଵତନ୍ତ୍ର ପୂର୍ବୋଦୟ ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି।ଏହା ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ର ଉଚ୍ଚାରଣ ଭିତରେ ମୁଣ୍ଡିଆ ମାରି ଲୋକସେବା ଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ପୁରା 22 ଦିନ ପରେ ଆଜି ଲୋକସେବା ଭବନରେ ପ୍ରବେଶ କରି କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ପରେ ପ୍ରଥମେ ଭିତରେ ଥିବା ପ୍ରବେଶ ଦ୍ବାର ପାଖରେ ମୁଣ୍ଡିଆ ମାରିଥିଲେ। ଏହାପରେ ସେ ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ସେଠାରେ ପଣ୍ଡିତମାନେ ମନ୍ତ୍ରୀପାଠ କରି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ବସାଇଥିଲେ।

ଆଜି ପୁର୍ବାହ୍ମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନକୁ ପ୍ରବେଶ କରିଥିଲେ। ତା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସହିତ ମୁଖ୍ୟଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ସଚିବାଳୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ସେ ମୁଖ୍ୟ ଫାଟକରେ ସେ ମୁଣ୍ଡିଆ ମାରି ଲିଫ୍ଟରେ ତୃତୀୟ ମହଲାକୁ ଯାଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ଆସିବେ ବୋଲି ଏହାର ମୁଖ୍ୟ ଫାଟକ, ତୃତୀୟ ମହଲା ଫାଟକରେ ଫୁଲର ତୋରଣରେ ସଜାଯାଇଥିଲା। ସେହିପରି ଗ୍ରାଉଣ୍ଡ ଫ୍ଲୋରରେ ଫୁଲର ଝୋଟି ପକାଯାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସେଠାରେ ସଚିବାଳୟ କର୍ମଚାରୀମାନେ ତାଙ୍କୁ ଫୁଲତୋଡା ଦେଇ ତୃତୀୟ ମହଲାକୁ ନେଇଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବା ପରଠାରୁ ସେ ରାଜ୍ୟ ଅତିଥୀ ଭବନରେ ନିଜର କାର୍ଯ୍ୟ କରୁଥିଲେ। ଶପଥ ଦିନ ସେ ଲୋକସେବା ଭବନ ଆସି ତୃତୀୟ ମହଲା କନଫ୍ରେସନ ହଲରେ କ୍ୟାବିନେଟ ବୈଠକ କରିଥିଲେ। ହେଲେ ସେ ତାଙ୍କ କାର୍ଯ୍ୟାଳୟକୁ ଯାଇ ନ ଥିଲେ। ସେହିଠାରୁ ସେ କ୍ୟାବିନେଟ ବୈଠକ ସାରି ଫେରିଆସିଥିଲେ। ହେଲେ ଆଜି ସେ ରଂଗାରଂଗ ପରିବେଶ ମଧ୍ୟରେ ଲୋକସେବା ଭବନ ପ୍ରବେଶ କରି ତାଙ୍କ କାମ ଆରମ୍ଭ କରିଛନ୍ତି।