Categories
ବିଶେଷ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର: କଂଗ୍ରେସ ନେତୃତ୍ଵକୁ କଲେ ସମାଲୋଚନା

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଅନ୍ତିମ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ରେଡ୍ଡୀ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।

ଦଳରେ ଯୋଗଦେବା ପରେ ଖୁବ ଶୀଘ୍ର ବିଜେପି ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି କିରଣ କହିଛନ୍ତି ଯେ, କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ନୁହେଁ ଏବଂ ହାଇକମାଣ୍ଡର ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ରାଜ୍ୟ ପରେ ରାଜ୍ୟ ଭାଙ୍ଗୁଛି। ଏହା ଗୋଟିଏ ରାଜ୍ୟର ବିଷୟ ନୁହେଁ, ପ୍ରାୟ ସମସ୍ତ ରାଜ୍ୟ ସମାନ ଅବସ୍ଥାରେ ଅଛନ୍ତି।

ବିଜେପିରେ ଯୋଗଦେବା ପ୍ରଶ୍ନରେ କିରଣ କ’ଣ କହିଥିଲେ?:

ଗଣମାଧ୍ୟମକୁ ସମ୍ବୋଧିତ କରି କିରଣ କହିଛନ୍ତି ଯେ, ମୁଁ କଂଗ୍ରେସ ପାଇଁ କହିବାକୁ ଚାହେଁ ଯେ କଂଗ୍ରେସ ଦଳ ଲୋକଙ୍କ ମତ ବୁଝିବାରେ ସକ୍ଷମ ନୁହଁନ୍ତି। ଭୁଲ୍ କ’ଣ କଂଗ୍ରେସ ଦଳ ବିଶ୍ଳେଷଣ କରୁନାହିଁ, କିମ୍ବା ସେମାନେ ସଂଶୋଧନ କରିବାକୁ ଚାହୁଁନାହାଁନ୍ତି।

ସେମାନେ ଭାବନ୍ତି ଯେ, ସେମାନେ ଠିକ୍ ଅଛନ୍ତି ଏବଂ ଦେଶର ଲୋକଙ୍କ ସମେତ ଅନ୍ୟ ସମସ୍ତେ ଭୁଲ୍ କରୁଛନ୍ତି। ଏହି ଆଦର୍ଶ ହେତୁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ପାଇଁ ଏକ ପୁରୁଣା କାହାଣୀ ଅଛି ଯେ, ମୋର ରାଜା ବହୁତ ବୁଦ୍ଧିମାନ, ସେ ନିଜେ ଭାବନ୍ତି ନାହିଁ କିମ୍ବା ସେ କାହାର ପରାମର୍ଶ ଗ୍ରହଣ କରନ୍ତି ନାହିଁ। ଆପଣମାନଙ୍କୁ ସବୁ ଅବଗତ ହୋଇଯାଇଥିବ ଯେ, ମୁଁ କ’ଣ କହିବାକୁ ଚାହେଁ।

କିରଣ କୁମାର କଂଗ୍ରେସରୁ ଇସ୍ତଫା ଦେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶକୁ ଏବଂ ତେଲେଙ୍ଗାନାକୁ ପୃଥକ କରିବା ପାଇଁ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୦୧୪ ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଏହି ନିଷ୍ପତ୍ତିର ବିରୋଧ ଏପରି ଥିଲା ଯେ, ଇସ୍ତଫା ଦେବା ପରେ ସେ ନିଜର ଏକ ଦଳ ‘ଜୟ ସମେକ୍ୟ ଆନ୍ଧ୍ର’ ଗଠନ କରିଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ​​ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପରବର୍ତ୍ତୀ ବର୍ଷରେ ଶ୍ରୀ ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ଯଦିଓ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି, ତେବେ ଆଗାମୀ ଦିନରେ ରାଜ୍ୟ ୟୁନିଟରେ ବିଜେପି ତାଙ୍କୁ କେଉଁ ଭୂମିକା ଦେଉଛି ତାହା ଦେଖିବା ମଜାଦାର ହେବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଓଡିଶା-୨୦୨୩; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ ।

କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି ।

ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପାଇକମାଳ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି।

ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳ ର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।

ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ।
ପାଇକମାଳ ର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କୋରାପୁଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ୧୫୯୬ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରିବେ। ସେଠାରେ ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ ଜୁବିଲି ଉତ୍ସବରେ ଯୋଗଦେବେ। ଗତକାଲି ବିକ୍ରମ ଦେବ କଲେଜକୁ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ସାରିଛନ୍ତି।

ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିବାରୁ ଏହି ଉତ୍ସବର ମାହଲ ଦୁଇଗୁଣ ବୃଦ୍ଧି ପାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାରେ ୧୫୯୬ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଯାଉଛନ୍ତି। ସେ ସେଠାରେ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ। ଏହି ହେଉଛି ଏକ ବୃହତ୍ତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ।

ଏହି ଷ୍ଟାଡିୟମ ନିର୍ମାଣରେ ପ୍ରାୟ 12 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହକି ଷ୍ଟାଡିୟମ ସହିତ ସେଠାରେ ଫୁଟବଲ ଷ୍ଟାଡିୟମ, ମଲଟି କାର ପାର୍କି ବ୍ୟବସ୍ଥା, ରିଂ ରୋଡ ସୌନ୍ଦର୍ଯ୍ୟକରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ ଉଦଘାଟନ ସହିତ ସେଠାରେ ବିଶ୍ବକପ ଗ୍ରାମ, ମୋ ବସ ସେବା, ସୁନ୍ଦରଗଡ ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିବେ।

 

Categories
ବିଶେଷ ଖବର

କିଏ ହେବ ହିମାଚଳର ମୁଖ୍ୟମନ୍ତ୍ରୀ?, ପ୍ରତୀଭା ସିଂଙ୍କ ବ୍ୟତୀତ ଆଗରେ ରହିଛି ଏହି କଂଗ୍ରେସ ନେତାଙ୍କ ନାମ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ କଂଗ୍ରେସରେ ଆଭ୍ୟନ୍ତରୀଣ ରାଜନୀତି ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତୀଭା ସିଂ ଏହି ଦୌଡରେ ଆଗରେ ଅଛନ୍ତି। ତେବେ ବର୍ତ୍ତମାନ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ତାଙ୍କ ସପକ୍ଷରେ ବହୁ ସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସୂତ୍ରରୁ ପ୍ରକାଶ। ଖୁବ ଶୀଘ୍ର ଶିମଲାରେ କଂଗ୍ରେସ ବିଧାୟକଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି।

ସୂଚନାନୁସାରେ, ପ୍ରତୀଭା ସିଂ ଏବଂ ବିକ୍ରମଦିତ୍ୟ ସିଂଙ୍କୁ କୁହାଯାଇଛି ଯେ, ନେତୃତ୍ୱ ଉପରେ ଚାପ ପକାଇବା ପାଇଁ କୌଣସି ବିବୃତ୍ତି ନ ଦେବାକୁ କୁହାଯାଇଛି। ଏହି ସମୟରେ କଂଗ୍ରେସ ନେତା ରାଜୀବ ଶୁକ୍ଲା, ଭୁପେନ୍ଦ୍ର ହୁଡା, ଭୁପେଶ ବଘେଲ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟି ସଚିବ ତଜିନ୍ଦର ପାଲ ସିଂ ବିଟୁ ହିମାଚଳ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ସୁଖବିନ୍ଦର ସିଂ ସୁଖୁଙ୍କୁ ସମର୍ଥନ ମିଳୁଛି କି?:

ସୁଖବିନ୍ଦର ସିଂ ସୁଖୁଙ୍କୁ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ଉପରେ ଭରସା ରହିଛି, କିନ୍ତୁ ତାଙ୍କୁ ମିଳିଥିବା ସମର୍ଥନକୁ ପର୍ଯ୍ୟବେକ୍ଷକମାନେ ଆକଳନ କରିବେ। ସୂତ୍ରରୁ ପ୍ରକାଶ ଯେ, ସୁଖୁଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ, ଯଦି ସୁଖୁଙ୍କ ପାଇଁ ସହମତି ସୃଷ୍ଟି ହୁଏ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ଜଣେ ପ୍ରାର୍ଥୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ତାଙ୍କୁ ସମର୍ଥନ କରିପାରନ୍ତି।

କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ ଶୁକ୍ରବାର ଦିନ କହିଛନ୍ତି ଯେ, ଦଳର ହାଇକମାଣ୍ଡ ଦ୍ୱାରା ମନୋନୀତ ହୋଇଥିବା ବିଧାୟକ ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ବାଛିବେ। ହାଇ କମାଣ୍ଡ ଯାହା ଚାହିଁବ ତାହା ଘଟିବ। ସେ କହିଛନ୍ତି ଯେ, ପ୍ରତ୍ୟେକ ସାମ୍ବାଦିକ ମୋତେ ପୂର୍ବରୁ ପଚାରିଛନ୍ତି କେଉଁ ବ୍ୟକ୍ତିଙ୍କ ନେତୃତ୍ୱରେ ଆମେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ମୁଁ କହିଥିଲି ଯେ, ଏହା ସାମୂହିକ ନେତୃତ୍ୱରେ ହେବ, ଆଦର୍ଶ ସର୍ବୋଚ୍ଚ ଏବଂ ପଦବୀ ପରେ ଆସିବ। ଆମର ଜଣେ ମୁଖ୍ୟମନ୍ତ୍ରୀ ରହିବେ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଲୋକଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ଚୟନ ହେବେ।

ପ୍ରତୀଭା ସିଂ ବିରୋଧ କରିବେ କି?:

ପୂର୍ବତନ ରାଜ୍ୟ ସଭାପତି ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ପ୍ରଭାବଶାଳୀ ଠାକୁର ସମ୍ପ୍ରଦାୟର ଅଟନ୍ତି। ଏଥର ତାଙ୍କୁ ପ୍ରଚାର ଅଭିଯାନ କମିଟିର ମୁଖ୍ୟ କରାଯାଇଥିଲା। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ସୁଖୁଙ୍କୁ ପସନ୍ଦ କରନ୍ତି ବୋଲି କୁହାଯାଏ। ରାଜା ବିରଭଦ୍ରଙ୍କ ସହ ତାଙ୍କର ମତଭେଦ ଥିଲା ଏବଂ ଏଭଳି ପରିସ୍ଥିତିରେ ପ୍ରତୀଭା ସିଂ ତାଙ୍କ ଶପଥ ଗ୍ରହଣକୁ ବିରୋଧ କରିପାରନ୍ତି। ହମିରପୁର ଜିଲ୍ଲାର ନାଦୋନ୍ ଆସନରୁ ନିର୍ବାଚନ ଜିତିବା ପରେ ସୁଖ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ୯ ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସନ୍ଧ୍ୟା  ୫.୩୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନ୍‌ର ମଧ୍ୟ ଶୁଭାରମ୍ଭ କରିବେ।

ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍‌ ବ୍ଲକ୍‌, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସଂପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍‌ ହଲ ଓ ଜୁନାଗଡ଼ ଏନ୍‌ଏସିଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଷ୍ଟାଡିୟମ୍‌ ଓ ନୂଆପଡ଼ା ଜିଲ୍ଲାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ
କରିବେ।

ସେହିପରି ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ବରଗଡ଼ ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକି୍ରଟ ଡ୍ରେନ୍‌, ବଲାଙ୍ଗିର ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଇକୋ ପାର୍କ, କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ କଲ୍ୟାଣ ମଣ୍ଡପ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡାଠାରେ ମୁକୁଣ୍ଡି ଷ୍ଟାଡୟିମ୍‌ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ହସ୍ତତନ୍ତ ମଲ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଆଧୁନିକ ଅଡିଟୋରିୟମ୍‌, କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆର ଉନ୍ନତିକରଣ, ପକ୍କା ରାସ୍ତା ଆଦି ଲୋକାଭିମୁଖୀ ପ୍ରକଳ୍ପ ପ୍ରଭୃତି ନିର୍ମାଣ ଫଳରେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକର ଭିତ୍ତିଭୂମି ଓ ଅର୍ଥନୈତିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହୋଇପାରିବ।

Categories
ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଣବ ଦାସ

ଭୁବନେଶ୍ବର: ବିଜେଡିର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ‘ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’

ସେହିପରି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ ଦଳ ତରଫରୁ ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଗତକାଲି ରାତିରେ ବରିହା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ବିଜୟରଂଜନ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ।

ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ଥରେ ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପକୋର୍ଟ, ମୁଖ୍ୟମନ୍ତ୍ରୀ ଦେଲେ କଡା ନିର୍ଦ୍ଦେଶ

ଏବେଠୁ ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା
ପ୍ରତ୍ୟେକ ସପ୍ତାହରେ ୨-୩ ଦିନ ହେବ କ୍ୟାମ୍ପ କୋର୍ଟ
ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା
କ୍ୟାମ୍ପ କୋର୍ଟ ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି। ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି। ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଫଳରେ ରାଜସ୍ୱ ସେବାରେ ଉଲ୍ଲେଖନୀୟ ପରିବର୍ତନ ଆସିଛି।

ରାଜସ୍ୱ ସମୀକ୍ଷା ବୈଠକ ପରେ ରାଜସ୍ୱ ରଥ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପାଖାପାଖି ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ଏବେ ପ୍ରାୟ କୌଣସି ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ଓ ବିବାଦବିହୀନ ଦାଖଲ ଖାରଜ ମାମଲାରେ ଲୋକମାନଙ୍କୁ ତହସିଲ ଯିବାର ଆବଶ୍ୟକତା ନାହିଁ। ତଥାପି ରାଜସ୍ୱ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ୱ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ ଅଫିସ ଯିବାକୁ ପଡିଥାଏ।

ସେହି ସବୁ ରାଜସ୍ୱ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଓ ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜସ୍ୱ କ୍ଷେତ୍ରାଧିକାରୀ ଯଥା ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ ରୁ ୩ ଦିନ ବିଭିନ୍ନ ସେମାନଙ୍କ ଅଧିନସ୍ଥ ରାଜସ୍ୱ ନିରୀକ୍ଷକଙ୍କ ଅଫିସ, ପଂଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ୱ ମାମଲାର ଫଇସଲା କରିପାରିବେ।

ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ଓ ପ୍ରତ୍ୟେକ ଡିଭିଜନର ରାଜସ୍ୱ ଆୟୁକ୍ତମାନଙ୍କୁ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି। ଏହା ପରେ ପ୍ରତ୍ୟେକ ଜିଲ୍ଲାର ନୋଡାଲ ଅଫିସରମାନଙ୍କୁ ତହସିଲ ଅଫିସର କ୍ୟାମ୍ପ କୋର୍ଟ ଉପରେ ସ୍ୱତନ୍ତ୍ର ଭାବରେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ।

କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ୱ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମିଶନ ଶକ୍ତି ମହିଳା

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ।

ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ପରି ଗୁରୁ ଦାୟିତ୍ୱ କୁ ସୁନ୍ଦର ଭାବରେ ନିର୍ବାହ କରି ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହ ଭଲକାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଜୀବନରେ ବହୁତ ବଡ ପରିବର୍ତନ ଆଣିଛି ବୋଲି କହିଥିଲେ. ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ସେମାନେ କିପରି ସଫଳ ହୋଇପାରିଛନ୍ତି ତାହା ବର୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ମଙ୍ଗଳବାରରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ଏ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ସେ ମୁମ୍ବାଇରେ ଆୟୋଜିତ ଇନଭେଷ୍ଟର ମିଟ୍ ରେ ଯୋଗ ଦେବେ। ଆସନ୍ତା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିବେ।

ମୁଖ୍ୟମନ୍ତ୍ର ମଙ୍ଗଳବାରରେ ମୁମ୍ବାଇରେ ପହଁଚିବେ। ଏହାପରେ ବୁଧବାର ଦିନ ହେବ ଇନଭେଷ୍ଟର ମିଟ। ଏଥିରେ ଯୋଗଦେବା ପରେ ସେ ଗୁରୁବାର ଦିନ ଭୁବନେଶ୍ବର ଫେରିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେଠାରେ ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଯାଇଛନ୍ତି। ଫିକି ସହିତ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କରାଯିବ। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଯୋଗଦେବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ‘ମେକ ଇନ ଓଡିଶା’ ର ପୂର୍ବ ପ୍ରସ୍ତୁତି ବୈଠକ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି।

ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି।

ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ ଦେଇ ପୁଂଜି ବିନିଯୋଗ କରିଛନ୍ତି। ଏହି କନକ୍ଲେଭରେ କିପରି ବିଦେଶୀ ଶିଳ୍ପପତି ଯୋଗ ଦେବେ ସେଥିପାଇଁ ଏହି ପ୍ରଚେଷ୍ଠା ଜାରୀ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ସରକାରୀ କଲେଜରେ ଯୋଗ ଦେଲେ ୨୭୪ ଜଣ ଅଧ୍ୟାପକ, ମୁଖ୍ୟମନ୍ତୀ ଦେଲେ ଦିଗଦର୍ଶନ

ଭୁବନେଶ୍ୱର: ଆଜି ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଇଂରାଜୀରେ ୧୫୬ ଜଣ , ରାଜନୀତି ବିଜ୍ଞାନରେ ୧୧୭ ଜଣ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି ।

ଲୋକସେବା ସମ୍ମିଳନୀ କକ୍ଷରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ। କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ। ଏହା ବାସ୍ତବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି ଯେଉଁଥିରେ ବୈଷୟିକ ଜ୍ଞାନ କୈଶଳ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି। ତଥାପି, ଯୁବକମାନେ ସମାଜକୁ ବୁଝିବା ଏବଂ ସମାଜରେ ପରିବେଶର ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପାରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟାରେ ଗୋଟିଏ ବି ଜୀବନହାନୀ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।

ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ସଂସ୍ଥାଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକ ସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଶକ୍ତି ବିଭାଗ ମଧ୍ୟ ବିଦ୍ୟାତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି।

କୌଣସି ଆବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି। ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନଡିଆରଏଫ ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି। ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ସିଏମସି କମିଶନରଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି। କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି। ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିତେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏତିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହାଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି।

ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ସହିତ ଏହାଦ୍ବାରା ୧୦୦ଟି ଗାଁର ଦୁଇ ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣ ମୂଳକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ।

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ମୟୁରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି। ସେ ଗୌରବକୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ।

ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି। ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଂସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ଓ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ବର୍ଣ୍ଣନା କରି ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିପାରିଛି ବୋଲି ସେମାନେ ମତ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସକୁ ଏବେ ମଧ୍ୟ ଜୀବନ୍ତ ରହିଛି ।

ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁପ୍ରିମ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀମନ୍ଦିର ସେବକଗଣ

ଭୁବନେଶ୍ବର: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଐତିହାସିକ ରାୟ ଆସିବା ପରେ ସମସ୍ତେ ବେଶ ଖୁସିପ୍ରକଟ କରିଛନ୍ତି। ବିଶେଷ କରି ଯେଉଁମାନେ ଜଗନ୍ନାଥ ସେବକ ସେମାନେ ବେଶ ଖୁସି ପ୍ରକଟ କରିଛନ୍ତି। କାରଣ ସେମାନେ ଏହି ପ୍ରକଳ୍ପ ପାଇଁ ଜମି ଘର ଯୋଗାଇ ଦେଇଛନ୍ତି।

ଆଜି ରାୟ ଆସିବା ପରେ ପୁରୀର ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ନବୀନ ନିବାସରେ ସେମାନେ ଏହି ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ କିପରି ଶିଘ୍ର ଶେଷ ହେବ ସେ ନେଇ ପଦକ୍ଷେପ ନେବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଏହି ପ୍ରକଳ୍ପ ଉପରେ ଯେଉଁ ରହିତାଦେଶ ପାଇଁ ନିବେଦନ କରିଛନ୍ତି ତାହାକୁ ରଦ୍ଦ କରାଗଲା। ଏହା ସାମୁହିକ ଭକ୍ତଙ୍କ ସ୍ବାର୍ଥ ପାଇଁ କରାଯାଉଥିବାରୁ ଏହା ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଏଥିସହିତ ଆବେଦନକାରୀଙ୍କୁ କୋର୍ଟ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ସେମାନେ ନିଜ ସ୍ବାର୍ଥ ପାଇଁ ଏପରି ଆବେଦନ କରିଛନ୍ତି। ଏଥିରେ କୋର୍ଟର ଅଯଥା ସମୟ ନଷ୍ଟ କରିଛନ୍ତି। ଏଥିପାଇଁ କୋର୍ଟ ଦୁଇ ଆବେଦନକାରୀଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ ମଧ୍ୟ କରିଛନ୍ତି। ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମା ତାରାତାରିଣୀ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ତା ପର୍ବରୁ ମୁଖ୍ୟଶାସନ ସଚିବ, 5ଟି ସଚିବଙ୍କ ଅନୁଧ୍ୟାନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ଗଂଜାମର ମା ତାରାତାରିଣୀ ମନ୍ଦିର ଗସ୍ତ କରିବେ। ସେ ସେଠାରେ ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ଯୋଗେଦେବେ। ରାଜ୍ୟ ସରକାର ମାଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ କରିଛନ୍ତି। ଏହି ନୂତନ ପ୍ରକଳ୍ପର ପ୍ରତିଷ୍ଠା ଦୁଇଦିନ ତଳେ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ ମାଙ୍କ ପିଠ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଉଥିବାର ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ସେହିପରି ଏହି ଦଳ ମାଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା କରି ବିଭିନ୍ନ ବିକାଶ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଣିକ ସାହା ହେବେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳର ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ତ୍ରିପୁରାରେ ବିପ୍ଲବ ଦେବଙ୍କ ଇସ୍ତଫା ପରେ ଏବେ ବିଜେପି ମଣିକ ସାହାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ବିଧାନସଭା ପାର୍ଟି ବୈଠକରେ ସାହାଙ୍କ ନାମ ମୋହର ଲାଗିଛି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ମଣିକ ସାହାଙ୍କ ନାମ ସମେତ ଅନେକ ନାମ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସମସ୍ତ ନେତା ସାହାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ଯାହା ପରେ ବର୍ତ୍ତମାନ ସେ ଶୀଘ୍ର ଶପଥ ନେଇ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି। ବର୍ତ୍ତମାନ ମଣିକ ସାହା ରାଜ ଭବନ ଅଭିମୁଖେ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମଣିକ ସାହା ତ୍ରିପୁରା ବିଜେପିର ସଭାପତି ଏବଂ ସେ ମଧ୍ୟ ରାଜ୍ୟସଭା ସାଂସଦ। ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିଛି। କାରଣ ଗତ କିଛି ଦିନ ହେବ ତ୍ରିପୁରାରେ ବିଜେପି ନେତା ଛାଡିବା ପ୍ରକ୍ରିୟା ଚାଲିଥିଲା ​​ଏବଂ ଏହା ପଛର କାରଣ ବିପ୍ଲବ ଦେବଙ୍କୁ ଦାୟୀ କରାଯାଉଥିଲା।