Categories
ଆଞ୍ଚଳିକ

ବାଣପୁର ବ୍ଲକରେ ପୋକ୍ସୋ ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବ୍ଲକ ସଭାଗୃହରେ ପୋକ୍ସୋ ଆଇନ ଏବଂ ଉକ୍ତ ଆଇନ ଅଧୀନ ମହିଳା ପୀଡ଼ିତାଙ୍କ ନିମନ୍ତେ କ୍ଷତିପୂରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଆଇନଜୀବୀ ଜଗଦିଶ ପଟ୍ଟନାୟକ, ସୀତାରାମ ଅଗ୍ରୱାଲ, କାମେଶ୍ୱର ଆଚାରୀ ଏବଂ ବାଣପୁର ବ୍ଲକ ଓ ଏନଏସି ର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧ ଏବଂ ଦଣ୍ଡବିଧାନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଯୌନ ନିର୍ଯ୍ୟାତନା, ହିଂସା ଏବଂ ଯୌନ ଉଦ୍ଦୀପକ (ପର୍ଣ୍ଣଗ୍ରାଫି) ପ୍ରକାଶନ, ବିତରଣ ଏବଂ ତାହାକୁ ନିଜ ପାଖରେ ରଖିବା ଅପରାଧ ବୋଲି ବିବେଚିତ କରିଥିଲେ। ଶିଶୁଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଲୁଚାଇରଖିବା ଏବଂ ଶିଶୁଙ୍କର ପରିଚୟ ପ୍ରକାଶ କରିବା ମଧ୍ୟ ଉକ୍ତ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ତତସହିତ ପୀଡ଼ିତାଙ୍କ ନିମନ୍ତେ ଉକ୍ତ ଆଇନ ଅନ୍ତର୍ଗତ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ବିଚାରପତି ଶ୍ରୀ ମହାପାତ୍ର।

Categories
ଆଜିର ଖବର ଜାତୀୟ ଖବର

ଯୌନ ନିର୍ଯ୍ୟାତନା ମାମଲା: ସରକାରଙ୍କୁ ୧୫ ଦିନ ଅଲ୍ଟିମେଟମ୍ ଦେଲେ କୁସ୍ତିଯୋଦ୍ଧା ଏବଂ କୃଷକ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଜନ୍ତର ମନ୍ତ୍ରରରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ସହ କୃଷକ ନେତା ରାକେଶ ଟିକାୟେତ ସରକାରଙ୍କୁ ଏକ ଅଲ୍ଟିମେଟମ୍ ଦେଇଛନ୍ତି। ରେସଲର ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ରାକେଶ ଟିକାୟେତ ଏବଂ ମହତ ଚୌବିସି ଖାପ ପଞ୍ଚାୟତର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି ଯେ, “ଆଜିର ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି ଯେ ଆମ ଖାପର ଲୋକମାନେ ପ୍ରତିଦିନ ଏଠାକୁ ଆସିବୁ। ଯଦି ସରକାର ୧୫ ଦିନ ମଧ୍ୟରେ ରାଜି ନ ହୁଅନ୍ତି, ତେବେ ଆସନ୍ତା ୨୧ ତାରିଖରେ ପୁଣି ଏକ ବୈଠକ ହେବ। ବୈଠକରେ ପରବର୍ତ୍ତୀ ରଣନୀତି କ’ଣ ହେବ ତାହା ସ୍ଥିର ହେବ। ଖାପ ପଞ୍ଚାୟତର ମୁଖ୍ୟ କହିଛନ୍ତି ଯେ, ଖାପ ପଞ୍ଚାୟତ ହେଉ କିମ୍ବା କୃଷକ ସଂଗଠନ, ଆମେ ସମସ୍ତେ ବାହ୍ୟରୁ କୁସ୍ତିଯୋଦ୍ଧାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସଂଗ୍ରାମକୁ ସମର୍ଥନ କରିବୁ।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

ଆମ ସହିତ କ୍ରୀଡା ମନ୍ତ୍ରଣାଳୟ ଖେଳ ଖେଳୁଛି: ଧର୍ମଘଟରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କର ବଡ ଅଭିଯୋଗ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କର ଜନ୍ତର ମନ୍ତ୍ରରରେ ଧର୍ମଘଟ ଜାରି ରହିଛି। ଏହି ଦ୍ୱିତୀୟ ପ୍ରତିବାଦରେ ବିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ସାମିଲ ହୋଇଛନ୍ତି। ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ଅନୁସନ୍ଧାନ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି।

ଏହି ସମୟରେ ଜନ୍ତର ମନ୍ତ୍ରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିନେଶ ଫୋଗାଟ କ୍ରୀଡ଼ା ମନ୍ତ୍ରଣାଳୟ ଉପରେ ଏକ ବଡ ଅଭିଯୋଗ ଆଣି କହିଛନ୍ତି ଯେ, କମିଟି କେବଳ ନାମ ପାଇଁ, ସବୁକିଛି ବ୍ରିଜ ଭୂଷଣଙ୍କ ଦ୍ୱାରା କରାଯାଉଛି। ଫୋଗାଟ କହିଛନ୍ତି ଯେ, କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ରାଜନୀତି ଚାଲିଛି। ମନ୍ତ୍ରଣାଳୟ ଯାହା କହିଲା ଆମେ ତାହା କରିଥିଲୁ। ମୁଁ ନାମ ନେବି ନାହିଁ କିନ୍ତୁ ଯାହାକୁ ଆମେ ବିଶ୍ଵାସ କରିଥିଲୁ ସେ ହିଁ ଆମ ସହିତ ଖେଳିଲେ।

ଅନ୍ୟପକ୍ଷରେ ସାକ୍ସି ମଲିକ କହିଛନ୍ତି ଯେ, “ନିଜକୁ ରକ୍ଷା କରିବା ପାଇଁ ମୋତେ ଯୌନ ନିର୍ଯ୍ୟାତନା କମିଟିର ଏକ ଅଂଶ କରାଯାଇଥିଲା। ନା ମୁଁ କେବେ ଏହାର ଅଂଶ ହୋଇଥିଲି, ନା ମୋତେ କେବେ ପଚରାଯାଇ ସେଥିରେ ସାମିଲ କରାଯାଇଥିଲା, ନା ମୁଁ କେବେ କୌଣସି ଦଲିଲରେ ଦସ୍ତଖତ କରିଥିଲି। କାଗଜ ସ୍ୱାକ୍ଷରିତ ହୋଇଛି। ” ଏହା ବ୍ୟତୀତ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟି ବିଷୟରେ ସାକ୍ସି ମଲିକ କହିଛନ୍ତି ଯେ, “ସେତେବେଳେ ଆମେ ନିଶ୍ଚିତ ଥିଲୁ ଯେ କମିଟି ନ୍ୟାୟ ଦେବ କିନ୍ତୁ କିଛି ଘଟିଲା ନାହିଁ। ତିନି ଦିନ ପୂର୍ବରୁ ଅଭିଯୋଗ ଦିଆଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ଏଫଆଇଆର ପପଞ୍ଜୀକୃତ ହୋଇନାହିଁ। ”

ଏଥି ସହିତ ଜନ୍ତର ମନ୍ତ୍ରରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ, ବର୍ତ୍ତମାନ ଯିଏ ସେମାନଙ୍କ ସମର୍ଥନରେ ଆସନ୍ତି ତାଙ୍କୁ ସ୍ୱାଗତ କରାଯିବ ସେ କୌଣସି ରାଜନୈତିକ ଦଳ ହେଉ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୁଅନ୍ତୁ। ପ୍ରକାଶ ଜେ, ଶେଷ ଥର ପାଇଁ ଯେତେବେଳେ ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂ ଏହି ଖେଳାଳିଙ୍କ ସମର୍ଥନରେ ଜନ୍ତର ମନ୍ତ୍ରରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ମଞ୍ଚରୁ ଓହ୍ଲାଇ ଭିଡ଼ରେ ବସିବାକୁ କହିଥିଲେ। କୁସ୍ତିମାନଙ୍କ ବ୍ୟତୀତ ମଞ୍ଚରେ କାହାକୁ ସ୍ଥାନ ଦିଆଯାଇ ନଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଉ ଏକ ଭଣ୍ଡ ବାବା, କୃଷ୍ଣ ନାମରେ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ସେମାନଙ୍କ ମହିଳାଙ୍କ ପ୍ରତି ଘଟିଥିବା ଯୌନ ନିର୍ଯ୍ୟାତନା ଓ ଜମି ହଡ଼ପ ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ବେଳେ କମିଶନରେଟ ପୋଲିସ୍ ଅପରାଧୀଙ୍କ ସହ ସାଲିସ୍ କରି ଘଟଣାଗୁଡ଼ିକୁ ରଫାଦଫା କରୁଛି। କୌଣସି ଘଟଣାର ସମୁଚିତ ତଦନ୍ତ କରୁନାହିଁ। ଅପରାଧୀମାନେ ବାରମ୍ବାର ଓ ଲଗାତର ପୀଡ଼ିତାମାନଙ୍କୁ ନିର୍ଯ୍ୟାତନା ଦେଉଥିବା ବେଳେ ପୋଲିସ୍ ସେମାନଙ୍କୁ ତଦନ୍ତ ଓ ଗିରଫ କରିବାରେ ବିଫଳ ହୋଇଛି। ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାଧୀମାନଙ୍କୁ ଗିରଫ କରାନଯାଏ, ତେବେ ସଂଗଠନ ଖଣ୍ଡଗିରି ଥାନା ଘେରାଉ କରିବ ବୋଲି ଓଡ଼ିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି।

ପ୍ରକାଶଥାଉକି, ରାଜ୍ୟ ରାଜଧାନୀରେ ଭଣ୍ଡ ସାରଥୀ ପରି ଆଉ ଏକ ଭଣ୍ଡ ବାବା କମିଶନରେଟ ପୋଲିସ୍ ସହାୟତାରେ ନିଜର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିଚାଲିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାର ରଘୁନାଥ ନଗରରେ କୃଷ୍ଣମଠ ନାମରେ ସରକାରୀ ଜମି ମାଡ଼ିବସି ସେଠାରେ ରାଧା ପୂଜା ନାମରେ ମହିଳା ଓ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଛି।

ମହିଳା ଓ ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଖଣ୍ଡଗିରି ଥାନାରେ ଏଫ୍‌ଆଇଆର ୨୦୭/୨୦୨୧ ଓ ୩୬୬/୨୦୨୧, ବାଲିଅନ୍ତା ଥାନାରେ ୩୮୫/୨୦୨୧, ଜଟଣୀ ଥାନାରେ ୬୮୬/୨୦୨୨ ଆଦି ଅନେକ ଥାନାରେ ଭଣ୍ଡ ବାବା ପ୍ରଫୁଲ୍ଲ ଦାସ ଓ ତାର ସହଯୋଗୀ ମାନଙ୍କ ନାମରେ ଥିବାବେଳେ କମିଶନରେଟ ପୋଲିସ୍ ହାତବାନ୍ଧି ବସିଛି। ଏପରିକି ଜାତୀୟ ମାନବ ଅଧିକାର କମିଶନ ସମ୍ପୃକ୍ତ ଘଟଣାରେ ରାଜ୍ୟର ପୋଲିସ୍ ମୁଖ୍ୟ ଡ଼ିଜିପିଙ୍କୁ ନୋଟିସ୍ ଦେଇ ଜବାବ ମାଗିଥିଲେ ମଧ୍ୟ କମିଶନରେଟ ପୋଲିସ୍‌ର ଅପରାଧୀମାନଙ୍କ ସହ ସାଲିସ୍ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ସେହିପରି ସମ୍ପୃକ୍ତ କୃଷ୍ଣମଠରେ ଧଳା ଜହର, ଗଞ୍ଜେଇ ଆଦି ନିଶା କାରବାର ମାଧ୍ୟମରେ କୋଟି କୋଟି ଟଙ୍କାର ବେଆଇନ ବେପାର କରି, ରାଜ୍ୟର ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ କୃଷ୍ଣମଠ ଶାଖା ନିର୍ମାଣ କରି ଅପରାଧର ସାମ୍ରାଜ୍ୟ ବିସ୍ତାର କରୁଥିଲେ ମଧ୍ୟ କେଉଁ ପ୍ରଭାବଶାଳୀ ମହିଳା ସାଂସଦଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବାରୁ ପୋଲିସ୍ ଚୁପ୍ ରହୁଛି, ତାହା ପାଲିସ୍ କହିବ ବୋଲି ସଂଗଠନ ଅଭିଯୋଗ କରିଛି। ସେହିପରି ଗଞ୍ଜାମର ଅଜୟ ଜେନା ଓ ଡୁମୁଡୁମାର ଲକ୍ଷ୍ମୀ ନାରାୟଣ ପଣ୍ଡା ଦଳିତ ଜମି ହଡ଼ପ କରିବା ଓ ସେମାନଙ୍କ ମହିଳାଙ୍କୁ ନିର୍ଯ୍ୟାତନା ଦେବା ଘଟଣାରେ ଖଣ୍ଡଗିରି ଥାନାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ପୋଲିସ୍ ମାମଲା ରୁଜୁ କରି ଚୁପ୍ ବସିଛି। ଏହି ସମସ୍ତ ମାମଲା ସମ୍ପର୍କରେ ରାଜ୍ୟ ଗୃହ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ, ପୋଲିସ୍ କମିଶନର ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରି ଓଡ଼ିଶା ନ୍ୟାୟ ମଞ୍ଚ ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଣ୍ଡ ବାବା ପ୍ରଫୁଲ୍ଲ ଦାସ ଓ ତାର ସହଯୋଗୀ ପ୍ରକାଶ ସାହାଣୀ, ଦଳିତ ଓ ସରକାରୀ ଜମି ହଡ଼ପକାରୀ ଅଜୟ ଜେନା, ଲକ୍ଷ୍ମୀନାରାୟଣ ପଣ୍ଡା, ଦେବେନ୍ଦ୍ର ରାଉତ, ନରେନ୍ଦ୍ର ରାଉତ ପ୍ରମୁଖଙ୍କୁ ଖଣ୍ଡଗିରି ପୋଲିସ୍ ଗିରଫ ନକରେ, ତେବେ ସଂଗଠନ ତରଫରୁ ଖଣ୍ଡଗିରି ଥାନା ଘେରାଉ କରିବା ସହ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ସଂଗଠନର ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ, ପ୍ରଦୀପ୍ତ ନାୟକ, ବୀରେନ୍ଦ୍ର ନାୟକ, ମମତା ସାମନ୍ତରାୟ, ମଣ୍ଟୁ ନାୟକ ଓ ଅମୂଲ୍ୟ ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି।