Categories
ବିଶେଷ ଖବର

ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲଡ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ତାଳଚେର ଠାରେ ଏମସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି।

ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା କରୁଛି। ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପ୍ରାୟ ୭୦ ଲକ୍ଷ ଲୋକମାନେ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ମିମସାର)ରେ ଏମସିଏଲ ତରଫରୁ ୧୦୦ ଏମବିବିଏସ ସିଟ୍ ଓ ୫୦୦ଟି ମେଡ଼ିକାଲ ଶଯ୍ୟା ସହ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ୱ ନେବାକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମର୍ମରେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ନେବା ପାଇଁ ଏମସିଏଲର ସିଏମଡ଼ି ଗତ ଏପ୍ରିଲ ୨୧ ତାରିଖରେ ପତ୍ର ଲେଖି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଏମସିଏଲର ମିଳିତ ଭାଗୀଦାରୀରେ ଚାଲିବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ତାଳଚେର ମେଡିକାଲ କଲେଜକୁ ଚାଲୁ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଓ ମହାନଦୀ କୋଲଫିଲ୍ଡ ମିଳିତ ଭାଗୀଦାରୀରେ ଏହି ମେଡିକାଲ କଲେଜ ଚାଲିବ। ତାଳଚେର ମେଡିକାଲ କଲେଜର ଭିତ୍ତିଭୂମି ଓ ପରିଚାଳନା ଅର୍ଥ ଏମସିଏଲ ବହନ କରିବ। ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବେ। ତେବେ ଏହି କଲେଜରେ ପାଠ ପଢିବା ପାଇଁ ୧୦୦ ଟି ସିଟ ରହିବ। ଏହାସହିତ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ୫୦୦ ଟି ଶଯ୍ୟା ରହିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: କାଲିଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସହ୍ୟ ତାତି ସତ୍ତ୍ୱେ ରାଜ୍ୟରେ ସ୍କୁଲ କଲେଜରେ ପାଠ ପଢା ମଧ୍ୟ ଜାରି ରହିଛି। ତେଣୁ ସ୍କୁଲ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇଆସୁଛି। ଏଭଳି ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଚାଲୁ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ଦିବସରେ ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ଦାବି ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି।

ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ ପାଇକ ମହାସଂଘ ଆହ୍ୱାନ କରୁଛି। ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକ ବା କ୍ଷତ୍ରିୟର ଧର୍ମ। ରଣରଙ୍କା ପାଇକମାନେ ନିଜ ମାତୃଭୂମିର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ରଣହୁଙ୍କାର ଡ଼ାକରା ଦେଇଥିଲେ।

ପରନ୍ତୁ ଆଜି କିଛି ଅଣପାଇକ, ଚିଟ୍‌ଫଣ୍ଡ ଦଲାଲ, ଜମି ଦଲାଲ ଯେଉଁମାନଙ୍କ ପୂର୍ବପୁରୁଷ ଇଂରେଜମାନଙ୍କ ସହିତ ସାମିଲ୍ ହୋଇ ପାଇକ ବୀରମାନଙ୍କୁ ଇଂରେଜ ହାତରେ ଧରାଇ ଦେଇଥିଲେ, ସେହିମାନେ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପାଇକମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦି ପୁଣି ପାଇକମାନଙ୍କୁ ପଶାପାଲିରେ ବାଜି ଲଗାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମା’କୁ ଭଲପାଅ, ମାଟିକୁ ଭଲପାଅ, ଏହି ବାର୍ତ୍ତା ପ୍ରଦାନ କରିଛି ମହାସଂଘ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ବିଭୂତ ଭୂଷଣ ସ୍ୱାଇଁ, ମୁଖପାତ୍ର ରାଜୀବ ନୟନ ରଥ, ଇଂ. ଶିବ ପ୍ରସାଦ ମିଶ୍ର, କାକଟପୁର ପାଇକ ସର୍ଦ୍ଦାର ସୁଧାକର ନାୟକ ପମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦେଶର ଆର୍ଥିକ ଅଭିବୃଦ୍ଧିରେ ବାଧକ ମାଗଣା ଯୋଜନା

ନୂଆଦିଲ୍ଲୀ: ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା।

ନିର୍ବାଚନ ସମୟରେ ଉଭୟ ସରକାର ପ୍ରତିଶ୍ରୁତିର ବର୍ଷା କରିଥିଲେ। ଅନ୍ୟ ଦଳ ମଧ୍ୟ କରିଥିଲେ। କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କରି ଟଙ୍କାଏରେ କିଲେ ଚାଉଳ ଦେବାର ବ୍ୟବସ୍ଥା କରୁଥିଲେ ମଧ୍ୟ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କଲେ। ପ୍ରଚଳନ କଲା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡିକ କେତେ ଫଳପ୍ରଦ ହୋଇଛି ତାହା ଖୋଦ ସରକାର ଜାଣନ୍ତି ନାହିଁ ଏବଂ ଯୋଜନାର ଅର୍ଥ ବାଟମରଣା ହେଉଛି ଏ କଥା କେହି ଅସ୍ଵୀକାର କରିବେ ନହିଁ। କେବଳ ଏହି ମାଗଣା ଯୋଜନା ପାଇଁ ରାଜ୍ୟ ଯେ ଋଣ ଭାରରେ ବୁଡିଛି ଏବଂ ତାର ପ୍ରତ୍ୟକ୍ଷ ଚାପ ଜନତାଙ୍କ ଉପରେ ପଡୁଛି। ସମସ୍ତେ ସବୁ ଜାଣୁଛନ୍ତି ଅଥଚ ସରକାର ଶାସନ ବଞ୍ଚାଇବାକୁ ଯାଇ ଏହାର ଅନ୍ୟ ଦିଗ ପ୍ରତି ଆଖି ବୁଜି ଦେଇଥିବା ଭଳି ମନେ ହୁଏ। ଏହି ମାଗଣା ଯୋଜନା ଯେ କେବଳ ଆମ ରାଜ୍ୟ କି ଆମ ଦେଶରେ ବହୁତ ଆଗରୁ ପ୍ରଚଳିତ ତାହା ନୁହେଁ, ପୃଥିବୀର ଅନ୍ୟ ଦେଶରେ ମଧ୍ୟ ଏହିଭଳି ଯୋଜନା ଦେଖିବାକୁ ମିଳେ।

ଭେନେଜୁଏଲା ପ୍ରକୃତି କୋଳରେ ଗୋଟିଏ ସୁନ୍ଦର ଦେଶ। ଦକ୍ଷିଣ ଆମେରିକାର ଉତ୍ତର ଉପକୂଳରେ ଅବସ୍ଥିତ ଭେନେଜୁଏଲା ଦିନେ ପ୍ରାଚୁର୍ଯ୍ୟରେ ଭରପୁର ଏକ ବିକଶିତ ରାଷ୍ଟ୍ର ଥିଲା। ଏହାର ଆୟତନ  ଆମ ଦେଶର ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ ଓ ହରିୟାନାର ମିଶ୍ରିତ କ୍ଷେତ୍ରଫଳ ସହିତ ସମାନ। ଜନସଂଖ୍ୟା ତିନିକୋଟି ପଚାଶ ଲକ୍ଷ ଯାହା ଦିଲ୍ଲୀ ମହାନଗର ନିଗମର ଲୋକସଂଖ୍ୟା ଠାରୁ ମଧ୍ୟ କମ୍। ଏଠାରେ ଉର୍ବର ଚାଷଜମି, ଲକ୍ଷ ଲକ୍ଷ ହେକ୍ଟର ଚାରଣ ଭୂମି, ପ୍ରଚୁର ବର୍ଷା, ଶହ ଶହ ଛୋଟ ନଦୀ, ହଜାର ହଜାର ମାଇଲ୍ ର ବେଳାଭୂମି ଅର୍ଥାତ୍ ସମୁଦ୍ର ତଟ, ପର୍ଯ୍ୟଟନ ପାଇଁ  ପ୍ରକୃତି ପ୍ରଦତ୍ତ ଝରଣା, ପ୍ରପାତ ଓ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ସ୍ଥାନ ଅଛି। ପ୍ରଚୁର ଚାଷଜମି ଓ ଜଳସମ୍ପଦ ଥିବାବେଳେ ସେ ଦେଶରେ ଖାଦ୍ୟାଭାବ ଉତ୍କଟ ଅବସ୍ଥାରେ ପହଞ୍ଚିଛି।

ସେ ଦେଶର ସାଧାରଣ ଜନତା  ମାଗଣା ଯୋଜନା ପାଇଁ ଏପରି କର୍ମବିମୁଖ ହୋଇ ଯାଇଛନ୍ତି ଯେ, ସେମାନେ କୌଣସି ଶାରିରୀକ କାମ କରୁ ନାହାଁନ୍ତି। ଏଠାରେ ଧାନ, ଗହମ, ଡାଲି, ପରିବା, ଫଳ ଅନେକ କିଛି ଉତ୍ପାଦନ ହୋଇ ପାରନ୍ତା। କିଛି ଶ୍ରମ ନକରି ମଧ୍ୟ ଯଦି ଗାଈ, ମଇଁଷି,ଛେଳି,ମେଣ୍ଢାଙ୍କୁ ଖୋଲା ଛାଡ଼ି ଦିଆ ଯାଆନ୍ତା, ତେବେ କେଇ ବର୍ଷ ପରେ ଏମାନଙ୍କ ସଂଖ୍ୟା କୋଟି କୋଟି ହୋଇଯାଆନ୍ତା। କାରଣ ଏଠାରେ ଚାରଣଭୂମି ଓ ଜଳ ପ୍ରଚୁର ପରିମାଣର ମିଳିଥାଏ। ସେଠାକାର ନଦୀ ଓ ସମୁଦ୍ରରେ ପ୍ରଚୁର ପରିମାଣର ମାଛ ମିଳେ। କିନ୍ତୁ ଲୋକେ ଏତେ କର୍ମଭୀରୁ ଯେ ମାଛ ଧରିଆଣି ଖାଇବା ପାଇଁ ସେମାନଙ୍କର  ଆଗ୍ରହ ନାହିଁ।  ସେଠାରେ ପର୍ଯ୍ୟଟନ ଶିଳ୍ପ ବିକାଶ ଲାଭ କରି ପାରନ୍ତା ସତ୍ୟ ମାତ୍ର, ଦେଶର ଲୋକଙ୍କ  କର୍ମ ବିମୁଖତା ପାଇଁ ସେଠାକୁ ଯାଉଥିବା  ପର୍ଯ୍ୟଟକମାନଙ୍କ ପ୍ରତି ବ୍ୟବହାର ଖୁବ୍ ନିକୃଷ୍ଟ ଧରଣର। ଅତିଥିଟିଏକୁ ଖୁସି କରିବାପାଇଁ ଯେତିକି ଶାରୀରିକ ଶ୍ରମ ଦରକାର, ସେମାନେ ସେତିକି କରିବାପାଇଁ  ମଧ୍ୟ ଆଗ୍ରହୀ ନୁହଁନ୍ତି।

ଏଠାରେ ଉର୍ବର ଚାଷଜମି, ଲକ୍ଷ ଲକ୍ଷ ହେକ୍ଟର ଚାରଣ ଭୂମି, ପ୍ରଚୁର ବର୍ଷା, ଶହ ଶହ ଛୋଟ ନଦୀ, ହଜାର ହଜାର ମାଇଲ୍ ର ବେଳାଭୂମି ଅର୍ଥାତ୍ ସମୁଦ୍ର ତଟ, ପର୍ଯ୍ୟଟନ ପାଇଁ  ପ୍ରକୃତି ପ୍ରଦତ୍ତ ଝରଣା, ପ୍ରପାତ ଓ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ସ୍ଥାନ ଅଛି। ବର୍ଷ ତମାମ କିଛି ଶ୍ରମ ନକରି ଯଦି କିଛି ଫଳ ଓ ପରିବା ମଞ୍ଜି ଏଠି ସେଠି ଫିଙ୍ଗି ଦିଆ ଯାଆନ୍ତା, ତେବେ ଉର୍ବର ମାଟି ଓ ପ୍ରଚୁର ବର୍ଷା ଯୋଗୁଁ ଯେତିକ ଫଳ ଓ ପନିପରିବା ହୁଅନ୍ତା, ସେତିକିରେ ଅନେକ ଅଭାବ ଦୂର ହୋଇ ଯାଆନ୍ତା। ସରକାରଙ୍କ ତରଫରୁ ଖାଦ୍ୟ, ବସ୍ତ୍ର, ଗୃହ ଓ ସମସ୍ତ ପ୍ରକାରର ସେବା ମାଗଣାରେ ମିଳୁଥିବାରୁ ଲୋକେ ଏପରି ହୋଇ ଯାଇଛନ୍ତି। ସେମାନେ ସରକାରୀ ଯୋଜନା ପାଇଁ ଏତେ ଅଳସୁଆ ହୋଇ ଯାଇଛନ୍ତି ଯେ ତାଙ୍କ ପାଖରେ ପ୍ରକୃତିଦତ୍ତ ସବୁ ଥାଇ ମଧ୍ୟ ଦେଶ ଏବେ ଉତ୍କଟ ଖାଦ୍ୟାଭାବ ଉବୁଟୁବୁ।

କୋଡ଼ିଏ ବର୍ଷ ପୂର୍ବେ ଏହି ଦେଶଟି ଏକ ବିକଶିତ ରାଷ୍ଟ୍ର ଥିଲା। ରାଜନୈତିକ ନେତାଙ୍କ ତୃଟିପୂର୍ଣ୍ଣ ନୀତିପାଇଁ ଏକ ବିକଶିତ ରାଷ୍ଟ୍ର ଭିକାରି ରାଷ୍ଟ୍ରରେ ପରିଣତ ହୋଇଗଲା। ପରିସ୍ଥିତି ଏପରି ଖରାପ ଅବସ୍ଥାରେ ପହଞ୍ଚିଛି ଯେ ଦେଶର ଲୋକଙ୍କ ପାଖରେ ପ୍ରଚୁର ମୁଦ୍ରା ଥିଲେ ବି ଖାଦ୍ୟ, ବସ୍ତ୍ର କିଛି ମିଳୁନାହଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ  ପରେ କଞ୍ଚା ତେଲର ମୂଲ୍ୟ ଅହେତୁକ  ବୃଦ୍ଧି ପାଇବାରେ ଲାଗିଲା। ଭେନେଜୁଏଲା ସେତେବେଳେ ଦିନକୁ ଏକ କୋଟି ବ୍ୟାରେଲ୍ ତୈଳ ଉତ୍ପାଦନ କରୁଥିଲା ଓ ବିକ୍ରି କରୁଥିଲା। ସେ ସମୟରେ ଦେଶପାଇଁ ଏହା ଥିଲା ସୁବର୍ଣ୍ଣ ଯୁଗ। ଦେଶ ହାତକୁ ଆସୁଥିଲା ପ୍ରଚୁର ଅର୍ଥ। ଦେଶ ଉନ୍ନତି କରୁଥିଲା। ଅଭାବ ନଥିଲା। ନାଗରିକମାନେ ପ୍ରାଚୁର୍ଯ୍ୟ ଭିତରେ ବଞ୍ଚୁଥିଲେ। ୧୯୯୮ ମସିହା ସୁଦ୍ଧା ଦେଶଟି ପୃଥିବୀର ବିକଶିତ ରାଷ୍ଟ୍ରମାନଙ୍କ ତାଲିକାରେ ରହି ଯାଇଥିଲା।

ଏହି ସମୟରେ ହ୍ୟୁଗୋ ଚାଭେଜ୍ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଶାସନକୁ ଆସିଲେ। ଦେଶ ରେ ପ୍ରଚୁର ସମ୍ପତ୍ତି ଥିବାରୁ ଦୁର୍ନୀତି ମଧ୍ୟ ବଢିବାକୁ ଲାଗିଲା। ନିଜର ଆସନକୁ ସ୍ଥାୟିତ୍ୱ ଦେବାପାଇଁ ଓ ନିଜର ଦୁର୍ନୀତିକୁ ଘୋଡ଼ାଇ ରଖିବାପାଇଁ ନୂତନ ନୀତି ପ୍ରଚଳନ କଲେ। ତେଣୁ ସରକାର ଦେଶର ନାଗରିକଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଓ ଗୃହ ଯୋଗାଇ ଦେଲେ। ଏହା ସହିତ ସମସ୍ତ ପ୍ରକାରର ସେବା ମାଗଣା କରି ଦିଆଗଲା। ଶିକ୍ଷା, ଚିକିତ୍ସା, ବିଦ୍ୟୁତ, ଜଳ, ଯାତାୟତ ସବୁକିଛି। ଦେଶରୁ ତେଲ ବିକ୍ରି କରାଯାଇ ଲବ୍ଧ ଅର୍ଥରେ ପୃଥିବୀର ବିଭିନ୍ନ ଦେଶରୁ ଚାଉଳ, ଗହମ, ପରିବା, ଫଳ, ମାଂସ, ମାଛ, ଔଷଧ, ବସ୍ତ୍ର ଯନ୍ତ୍ରପାତି ଇତ୍ୟାଦି ଆମଦାନୀ କରାଗଲା ଏବଂ ଲୋକଙ୍କୁ ମାଗଣାରେ ବଣ୍ଟନ କରାଗଲା। ତେଲ ଅର୍ଥରେ ପ୍ରାଚୁର୍ଯ୍ୟ ଭୋଗ କରୁଥିବା ଦେଶବାସୀ କ୍ରମେ ଅଳସୁଆ ହେବାକୁ ଆରମ୍ଭ କରିଥିଲେ। ସେତେବେଳେ ଚାଷବାସ ମାନ୍ଦା ହୋଇ ଆସୁଥିବାରୁ ୟୁରୋପୀୟ ଦେଶମାନଙ୍କରୁ ଭେନେଜୁଏଲା ଟମାଟୋ ଓ ବନ୍ଧାକୋବି ଆମଦାନୀ କରୁଥିଲା।

୧୯୫୦-୬୦ ମସିହା ବେଳକୁ ସାରା ପୃଥିବୀର ଦେଶମାନେ ଶିଳ୍ପ ପ୍ରତିଷ୍ଠା କରି ନିଜର ବିକାଶ ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ଭେନେଜୁଏଲାର ସମସ୍ତ ଶିଳ୍ପ ବନ୍ଦ ହୋଇ ଯାଇଥିଲା।। ଏହି ସମୟ ବେଳକୁ ଦେଶର ଅବସ୍ଥା ଖରାପ ଆଡ଼କୁ ଗତି କରିବା ଆରମ୍ଭ ହୋଇ ଯାଇଥିଲା।

କ୍ରମେ ତେଲ ଦର ହ୍ରାସ ହେବାରୁ ଲୋକମାନଙ୍କୁ ପୂର୍ବ ପରି ମାଗଣା ଜିନିଷ ଯୋଗାଇବାରେ ଅସୁବିଧା ଉପୁଜିଲା। ତେଣୁ ସରକାର ନିଜର ତେଲ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଲେ ଅଧିକ କର୍ମଚାରୀ ମୂତୟନ କରିବାପାଇଁ। କମ୍ପାନୀମାନେ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ଚାଭେଜ୍ ନିର୍ଦ୍ଦେଶ ଦେଲେ ସର୍ବନିମ୍ନ ପ୍ରତି ପରିବାରରୁ ଜଣକୁ ଚାକିରି ଦିଆଯାଉ। ଫଳରେ ସବୁ କମ୍ପାନୀରେ ଲୋକମାନେ ମିଛ ଚାକିରି କରି ବସି ବସି ମୋଟା ଅଙ୍କର ଦରମା ନେଲେ। ଏହାପରେ ତେଲର ଦର ଆହୁରି କମିବାକୁ ଲାଗିଲା। କମ୍ପାନୀର କର୍ମଚାରୀମାନେ କାମ କରିବାକୁ ଅନାଗ୍ରହୀ ହେବାରୁ ତୈଳ ଉତ୍ପାଦନ କମିବାରେ ଲାଗିଲା। କମ୍ପାନୀଗୁଡ଼ିକ ପ୍ରଚୁର କ୍ଷତିରେ ଚାଲିଲା। ଫଳରେ ମାଗଣାରେ ଜିନିଷ ଯୋଗାଇବା ଅସମ୍ଭବ ହୋଇଗଲା। ଅର୍ଥାଭାବରୁ ଦେଶର ଜନତାଙ୍କ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଆମଦାନୀ ବନ୍ଦ ହେବାକୁ ଲାଗିଲା। ସବୁ ଜିନିଷର ଅଭାବ ଦେଖା ଦେଲା। ଲୋକେ  ଲୁଟପାଟ୍ ଆରମ୍ଭ କରିଦେଲେ।

ଏତେ ସବୁ ପରେ ମଧ୍ୟ  ସରକାର ଏଥିରୁ କିଛି ଶିଖିଲେ ନାହିଁ। ବିଦେଶରୁ ଋଣ କରି ମାଗଣା ଜିନିଷ ଯୋଗାଇ ଚାଲିଲେ। ଅପର୍ଯ୍ୟାପ୍ତ ପରିମାଣର ମୁଦ୍ରା ଛପାଇଲେ। ଲୋକଙ୍କ ହାତକୁ ପ୍ରଚୁର ମୁଦ୍ରା ଆସିଲା। ଫଳରେ ନିତ୍ୟବ୍ୟହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଲା। ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ଆମଦାନୀ ହ୍ରାସ ପାଇ ଥିବାରୁ କିଛି ଜିନିଷ ମିଳିଲା ନାହିଁ। ତେଣୁ ଅନେକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲି ଯିବାକୁ ଲାଗିଲେ। ଯେଉଁମାନଙ୍କ ପାଖରେ ଆର୍ଥିକ ଓ ଦେଶ ଛାଡ଼ି ଚାଲିଯିବାର କ୍ଷମତା ନଥିଲା, ସେମାନେ ଖାଦ୍ୟାଭାବରୁ ମରିବାକୁ ଲାଗିଲେ।

ବର୍ତ୍ତମାନ ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍ ପୃଥିବୀର ସବୁଠାରୁ ଅସୁରକ୍ଷିତ ସ୍ଥାନ ହିସାବରେ ପରିଚୟ ଲାଭ କରିଛି। ପ୍ରତିଦିନ ହତ୍ୟାକାଣ୍ଡ ଘଟିବା ସେଠାକାର ସାଧାରଣ କଥା। ଝିଅମାନେ ଖଣ୍ଡେ ପାଉଁରଟି ବା ଗୋଟିଏ ପ୍ଲେଟ୍ ଖାଦ୍ୟ ପାଇଁ ଦେହ ଦାନ କରି ଦିଅନ୍ତି। ଭାରତୀୟ ମୁଦ୍ରାରେ ଗୋଟିଏ ଖାଦ୍ୟ ପ୍ଲେଟ୍ ର ମୂଲ୍ୟ ୪୧୫୮ ଟଙ୍କା। ଭେନେଜୁଏଲାର ମୁଦ୍ରା ୩୬୦୭ ବଲିଭାର୍ ରେ ଭାରତର ଏକ ଟଙ୍କା ହୁଏ। ଖଣ୍ଡିଏ ରୁଟି ବା ଏକ ପ୍ଲେଟ୍ ଖାଦ୍ୟର ମୂଲ୍ୟ ଦେଢ଼କୋଟି ବଲିଭାର୍ ଅଟେ। ଏକ କିଲୋ ମାଂସର ମୂଲ୍ୟ ୯୫ ଲକ୍ଷ ବଲିଭାର୍। ଭାରତୀୟ ମୁଦ୍ରାରେ ୨୬୩୩ ଟଙ୍କା। ସେହିଭଳି ଭାବରେ ଟମାଟୋ କିଲୋ ୧୩୮୬ ଟଙ୍କା । ଖଣ୍ଡିଏ ଟଏଲେଟ୍ ପେପର୍ ର ମୂଲ୍ୟ ୭୨୦ ଟଙ୍କା। ଗତ ଦଶବର୍ଷ ମଧ୍ୟରେ ଦେଶ ଭିତରର ହିଂସା, ଚୋରି, ଲୁଟପାଟ୍ ଓ ଆନ୍ଦୋଳନ,ହତ୍ୟା ଯୋଗୁଁ ଦେଶର ଅବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି। ବିଭିନ୍ନ ଦେଶମାନଙ୍କରୁ ସାହାଯ୍ୟ ପହଞ୍ଚୁଥିଲେ ମଧ୍ୟ ଭେନେଜୁଏଲାର ଅବସ୍ଥା ସହଜରେ ସୁଧୁରି ପାରୁନାହିଁ। ଦୀର୍ଘବର୍ଷ ଧରି ସେଠାରେ କ୍ଷୁଧାର ରାଜୁତି ଚାଲିଛି।

ହ୍ୟୁଗୋ ଚାଭେଜ୍ କ୍ୟାନସର୍ ରୋଗରେ ମୃତ୍ୟୁବରଣ କରିବା ପରେ ତାଙ୍କର ନିକଟତମ ବ୍ୟକ୍ତି ନିକୋଲାସ୍ ମଦୁରୋ ରାଷ୍ଟ୍ରପତି ହେଲେ। ସେ ଚାଭେଜ୍ ଙ୍କ ନୀତିକୁ ପୂର୍ବପରି ଚଳାଇ ରଖିଲେ। କିଛି ଶକ୍ତିଶାଳୀ,ଅପରାଧପ୍ରବଣ, ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତକୁ ଦେଶର ସମ୍ପତ୍ତି ଚାଲି ଯିବାକୁ ଲାଗିଲା। ତେଲ ଖଣି ମାନଙ୍କରୁ ପ୍ରଚୁର ପରିମାଣର ତେଲ ଚୋରିକରି, ସ୍ମଗଲିଂ କରି ଅର୍ଥ ଉପାର୍ଜନ କଲେ। ସରକାରୀ ଆୟ ତୁଳନାରେ ଏହି କଳାବଜାରୀ ମାନଙ୍କର ଆୟ ଏବେ ବହୁଗୁଣିତ ହୋଇଯାଇଛି। ଏତେ ରୋଜଗାର ପରେ ମଧ୍ୟ ସେମାନେ ସାଧାରଣ ଭାବରେ ଚଳି ପାରୁଛନ୍ତି। କାରଣ ସବୁ ପ୍ରକାର ଜିନିଷର ଅଭାବ ସହିତ ଦର ଆକାଶଛୁଆଁ ହୋଇ ଯାଇଛି।

୧୯୮୦ ମସିହା ବେଳକୁ  ଭାରତରେ ସରକାରୀ ମାଗଣା ଯୋଜନାର ଆରମ୍ଭ ହୋଇଥିଲା।  ଓଡ଼ିଶାରେ ୧୯୯୦ରେ କାୟା ବିସ୍ତାର କଲା। ୨୦୦୦ ମସିହାରୁ ଏହା ଏଭଳି ବୃଦ୍ଧି ପାଇଛି ଯେ “ଜୟ ଭିକାରି ସଂସ୍କୃତି ର ଜୟ” ଧ୍ବନି ଗଗନ ପବନ ପ୍ରକମ୍ପିତ କରୁଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନା କରାଯାଇଛି। ପ୍ରସୂତି ଭତ୍ତା ଠାରୁ  ଶ୍ମଶାନରେ ହରିଶ୍ଚନ୍ଦ୍ର ଭତ୍ତା ମଧ୍ୟରେ ମମତା, ଯୋତା ଛତା ଠାରୁ ନାପକିନ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ, ଦଣ୍ଡମୁକ୍ତ ଅଣ୍ଡାଯୁକ୍ତ ଶିକ୍ଷାର ପ୍ରଭାବରେ କାର୍ଯ୍ୟ ଅକ୍ଷମ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମଦବନ୍ୟାରେ ଧନ୍ୟା ଆମ ରାଜ୍ୟର ଲୋକେ ନିକମ୍ମା, କର୍ମକୋଢି  ହୋଇ ଟାଉଟରି ଶିଳ୍ପର ଅଭିବୃଦ୍ଧିରେ ସହାୟକ ହୋଇ ଚାଷଜମିକୁ ପଡ଼ିଆ ପକେଇ ଛକ ଚା’ପାନ ଦୋକାନର ସ୍ଥାୟୀ ଗରାଖ ପରଚର୍ଚ୍ଚା, ପରନିନ୍ଦା, ଆତ୍ମଶ୍ଲାଘା ପ୍ରବଣତାରେ ମଗ୍ନ ଥିବା ବେଳେ ଅଣ ଓଡ଼ିଆ ଲୋକେ ଓଡ଼ିଶାର କ୍ଷମତା, ଜମି, ଜଳ, ଜଙ୍ଗଲ, ଖଣି, ପାଣି ସହ ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି କରାଗତ କରି ସାରିଲେଣି। ତେବେ ସରକାର ମାଗଣା ଯୋଜନା ଜରିଆରରେ ଲୋକଙ୍କୁ କର୍ମ କୋଢି ନ କରି କର୍ମ ମୁଖୀ କରାଇବା ଦିଗରେ ଯତ୍ନବାନ ହେବ ଆବଶ୍ୟାକ। ଏପରି କରାଗଲେ ଦେଶର ବିକାଶ ହୋଇପାରନ୍ତା। ଏବଂ ଏହି ମାଗଣା ଯୋଜନା ପ୍ରତି ସାଧାରଣରେ ଲୋକେ ସଚେତନ ହେବା ନିହାତି ଜରୁରୀ।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ମହିଳା ଦିବସ: ଟାଙ୍ଗୀର କୋଭିଡ ଭ୍ୟାକ୍ସିନେଟର ସୁଜାତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୋଭିଡ୍ ଟୀକା ଦାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଙ୍ଗୀର ସୁଜାତା ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ସୁଜାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୁଜାତାଙ୍କୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଛନ୍ତି।

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଜାତା ପ୍ରଧାନ ଅସ୍ଥାୟୀ ଭାକ୍ସିନେଟର ଭାବେ କାର୍ଯ୍ୟରତ ଅଛନ୍ତି। ଟାଙ୍ଗୀ ବ୍ଲକରେ ଜନ ସାଧାରଣଙ୍କୁ ମୋଟ ୧ ଲକ୍ଷ ୩୦ ହଜାର କୋଭିଡ୍ ଡୋଜ୍ ଦିଆଯାଇଥିବା ବେଳେ ଲୋକମାନଙ୍କୁ ସୁଜାତା ଏକାକୀ ୫୦ ହଜାର ଡୋଜ୍ କୋଭିଡ୍ ଟୀକା  ଦେଇଥିବା ଜଣା ପଡିଛି। ଟାଙ୍ଗୀ ବ୍ଲକରେ ୧୦ ଜଣ ଭାକ୍ସିନେଟର କାର୍ଯ୍ୟ କରୁଥିବା ବେଳେ ସୁଜାତା ଏକାକୀ ୫୦ ହଜାର ଡୋଜ୍ ଟୀକା ଦେଇଥିବା ଜଣା ପଡିଛି। ଏହା ସହ କୋଭିଡ୍ ସମୟରେ ତାଙ୍କର ନିଷ୍ଠା ସାହସ ବେଶ୍ ପ୍ରଶଂସନୀୟ। ସେଥିପାଇଁ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଟାଙ୍ଗୀ ବ୍ଲକ ଲେଣ୍ଡୋ ପଂଚାୟତର ଗୋପୀନାଥ ପୁର ଗ୍ରାମରେ ସୁଜାତାଙ୍କ ଘର।

Categories
ଆଜିର ଖବର

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏବେ ରାଜ୍ୟରେ ୧୫୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ଗତ ୧୫ ତାରିଖରେ ତାଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉଆ କରିଥିଲା। ଚଢାଉ ବେଳେ ବହୁ ନାମିଦାମୀ କାର ମିଳିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ୫ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି ଜାରି ରହିଛି। ଦୁର୍ନୀତି ଓ ଅପରାଗତା ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର କଡା ନଜର ଦେଇଛନ୍ତି। ଯେଉଁମାନେ ଦୁର୍ନୀତିଖୋର କିମ୍ବା ନିଜ କାର୍ଯ୍ୟରେ ଅବହେଳା କରନ୍ତି, ରାଜ୍ୟ ସରକାର ତାଙ୍କୁ ତୁରନ୍ତ ବାଧ୍ୟତାମୂଳକ ଅବସର ଦେଉଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ (IUCAW) ଡି.ଏସ୍‌.ପି ଭାବରେ ନିଯୁକ୍ତ ଓଡିଶା ପୋଲିସ ସେବା ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍‌ ଅଧିକାରୀ ଶ୍ରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା, ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୋଲିସ ଇନ୍‌ସପେକ୍ଟର ଶ୍ରୀ ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍‌ କାର୍‌ରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍‌ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍‌ ଦ୍ବାରା ଧରା ପଡିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା।

ବଙ୍ଗମୁଣ୍ଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା । ସମୁଦାୟ ତାଙ୍କ ଠାରୁ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସେ ଗିରଫ ହୋଇଥିଲେ। ଅଧିକ ତଦନ୍ତ ପରେ ଜଣାଯାଇଥିଲା ଯେ ସେ ଯେଉଁ ମାରୁତି କାର୍‌ (OD-15K-6111) ରେ ଯାଉଥିଲେ, ତାହା ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଏମ୍. ନାସିର ନାମକ ଜଣେ ବ୍ୟକ୍ତିଙ୍କୁ ପୁଅ ମହମ୍ମଦ ମଲିମ୍ଙ୍କ ନାମରେ ରହିଛି। ସେହି ବ୍ୟକ୍ତିଙ୍କ ନାମରେ ଧନୁପାଲ୍ଲୀ ପୋଲିସ ଷ୍ଟେସନରେ ୪ଟି ମାମଲା ଓ ସମ୍ବଲପୁର ସଦର ପୋଲିସ ଷ୍ଟେସନରେ ଗୋଟିଏ ମାମଲା ରହିଛି। ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ଶ୍ରୀ ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ଶ୍ରୀ ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡିଶା ସରାକାରୀ ସେବା ଆଚରଣ ବିଧି ୧୯୫୫ର ଉଲଙ୍ଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ସମୟ ଜାରି କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ଶ୍ରେଣୀର ପିଲା କେତେବେଳେ ପଢିବେ ପାଠ

ଭୁବନେଶ୍ଵର: କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ୧୪ ତାରିଖରୁ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ କେଉଁ ଶ୍ରେଣୀ ପିଲାଙ୍କ ପାଇଁ କେତେବେଳେ ସ୍କୁଲ ଖୋଲିବ, ତାହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ। ସେହିଭଳି ଦଶମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ। ପୂର୍ବଭଳି ମଧ୍ୟାହ୍ନ ଭୋଜନକୁ ବନ୍ଦ ରଖାଯାଇ ଶୁଖିଲା ରାସନ ଯୋଗାଣ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

Categories
CBSE10TH CBSE12th ICSE10th ICSE12th StateBoard ବିଶେଷ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଓଡିଶାରେ କେବେ ସ୍କୁଲ ଖୋଲିବା ତାହାକୁ ନେଇ ପ୍ରଶ୍ନ ଉଠୁଥିଲା।

ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି।

ସ୍କୁଲ କଲେଜ୍‌ ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ।

ସେହିଭଳି ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କିନ୍ତୁ ସେଥିପାଇଁ ବାଧ୍ୟତାମୂଳକ ନୁହେଁ। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ପାଠ ପଦ୍ଧବେ। ଛାତ୍ରଛାତ୍ରୀମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି। ଶ୍ରୀ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ। ଯାହାଦ୍ବାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା। ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ। ତନ୍ମଧ୍ୟରୁ ଦୁଇଟି କେସ୍‌ରେ ଶ୍ରୀ କୁମାର ଦୋଷୀ ସାବସ୍ତ ହୋଇଛନ୍ତି।

ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି। ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବା ର ଜଣେ ବରିଷ୍ଠ ଜଂଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବରଖାସ୍ତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ଡ୍ରେସ୍‌, ଜୋତା ବାବଦରେ ଦିଆଯାଉଥିବା ସରକାରଙ୍କ ଅନୁଦାନ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ଦାବି

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ନିମ୍ନଲିଖିତ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଡ୍ରେସ୍ ଓ ଜୋତା ଗୁଡ଼ିକ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ସିଧା ସେମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା ଦାବିରେ ମହାସଂଘ ପକ୍ଷରୁ ଏକ ପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରାଯାଇଛି।

ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ ଏକ ପ୍ରେସ୍ ଇସ୍ତାହାର ଜରିଆରେ କହିଛନ୍ତି ଯେ, ରାଜ୍ୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏସ୍‌.ଏସ୍‌.ଜି. ଗ୍ରୁପ୍ ମାଧ୍ୟମରେ ପିଲାଙ୍କୁ ଡ୍ରେସ୍ ଓ ଜୋତା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। କାରଣ ବର୍ତ୍ତମାନ କୋଭିଡ଼ର ଭୟାବହତା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଏମିତି କରିବା ଦ୍ୱାରା ପିଲାମାନଙ୍କୁ ଖୋଜି ବାହାର କରି ସମସ୍ତଙ୍କୁ ଡ୍ରେସ୍ ଓ ଜୋତା ବାଣ୍ଟିବା ସମ୍ଭବପର ହେବନି। ସେଥିପାଇଁ ସିଧା ପିଲାମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଗଲେ ସେମାନେ ନିଜେ ତାଙ୍କ ସୁବିଧା ଅନୁସାରେ ସ୍ଥାନୀୟ ବଜାରରୁ ଡ୍ରେସ୍ କିଣିପାରିବେ।

ଅପରପକ୍ଷରେ ଏସ୍‌.ଏସ୍‌.ଜି. ଗ୍ରୁପ୍‌ମାନେ ନିଜେ ସିଲାଇ କରି ବିତରଣ ପାଇଁ ସରକାରୀ ନିୟମ ଥିବାବେଳେ ସେମାନେ ନିଜେ ନକରି ବଜାରରୁ କିଣୁଛନ୍ତି। ଯାହାଦ୍ୱାରା ମଧ୍ୟସ୍ଥି କମିଶନ ବାବଦରେ ସରକାରୀ ଅର୍ଥର ବାଟମାରଣ ହେବା ସହିତ ନିମ୍ନମାନର ଜିନିଷ ମିଳୁଥିବା ଅଭିଯୋଗ ହୋଇଛି ଓ ଅନେକ ଗରିବ ଛାତ୍ରଛାତ୍ରୀ ସୁବିଧାରୁ ବଞ୍ôଚତ ହେଉଛନ୍ତି ବୋଲି ଶ୍ରୀ ଆଚାରୀ ଅଭିଯୋଗ କରିଛନ୍ତି। ଏଣୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ପ୍ରାଥମିକ ଶିକ୍ଷା ବିକାଶରେ ମଧ୍ୟସ୍ଥି ପ୍ରଥା ଉଚ୍ଛେଦ ପାଇଁ ମହାସଂଘ ପକ୍ଷରୁ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୯୯ ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦ୍ରୁଷ୍ଟିରେ ରଖି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। କରୋନା ସଂକ୍ରମଣର ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା କୋଭିଡ ହସ୍ପିଟାଲଗୁଡିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅକ୍ସିଜେନ ରଖିବା ଲାଗି ନିର୍ଦ୍ଦେଶ ହୋଇଛି। ଏହା ସହିତ କୋଭିଡ ଶଯ୍ୟା ବୃଦ୍ଧି କରିବା ପାଇଁ କୁହାଯାଇଛି। ଏନେଇ ଡିଏମଇଟି ରମା ରମଣ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଆଉ ଚାରି ମାସ ମିଳିବ ମାଗଣା ରାସନ

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କ ପାଇଁ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି। ଆଉ ଚାରି ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଡିସେମ୍ବର ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ମିଳିବ। ଏହା ଯୋଗୁଁ ୯ ଲକ୍ଷ ୧୫ ହଜାର ୫୩୨ ଜଣ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟସରକାର ୬୮ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀଙ୍କୁ ଏହି ଅତିରିକ୍ତ ଚାଉଳ ମିଳିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଚାରି ମାସ ପାଇଁ ରାସନ ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଜୱାଦ ପାଇଁ ଚିଲିକାରେ ପ୍ରସ୍ତୁତି, ଜାଣନ୍ତୁ କଣ ପଦକ୍ଷେପ ନେଇଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ମାଡିଆସୁଛି ବାତ୍ୟା ଜୱାଦ। ଏଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ପୂର୍ବପ୍ରସ୍ତୁତି ସାରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ। ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ସୂଚନା ମୁତାବକ ଏନଡ଼ିଆରଅଫ ର ଗୋଟେ ଟିମ ଖୋର୍ଦ୍ଧାରୁ ଆସି ଚିଲିକା ବ୍ଲକ ହେଡ଼ କ୍ୱାର୍ଟରରେ ସଜାଗ ଅଛି।

ସେହିପରି ଭାବେ ଚିଲିକା ତଟବର୍ତ୍ତୀ ଅଞ୍ଚଳଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା କୂଳକୁ ନଯିବା ପାଇଁ ପ୍ରଚାର ଜାରିରହିଥିବା ବେଳେ ଜରିପଡ଼ା ପଞ୍ଚାୟତର ମାଟିଆପଡା ପ୍ରାଥମିକ ବିଦ୍ୟାଳୟ, ପାଣିଦୁଆର ପ୍ରାଥମିକ ବିଦ୍ୟାଳୟ ଓ ଦାଶରଥି ଉଚ୍ଚ ବିଦ୍ୟାଳୟକୁ ବାତ୍ୟା ଆଶ୍ରୟସ୍ଥଳୀ ସେଣ୍ଟର ଭାବେ ଚି଼ହ୍ନଟ କରାଯାଇଥିବା ବେଳେ ସେଠାରେ ବିସ୍ଥାପିତଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ତେବେ ଅଦ୍ୟାବଧି ସ୍ୱଳ୍ପ ଜନସାଧାରଣ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବାର କହିଛନ୍ତି ତହସିଲଦାର।

ସେହିପରି ଭାବେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କ ସୂଚନା ଅନୁଯାୟୀ ଚିଲିକା କୁଳ ନିକଟସ୍ଥ ଗୋପବନ୍ଧୁ କଲୋନୀ, ସନ୍ୟାସୀ ନଗର ଏବଂ ଶାନ୍ତି ନଗର ଅଞ୍ଚଳକୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚି଼ହ୍ନଟ କରାଯାଇଥିବା ବେଳେ ଉକ୍ତ ଅଞ୍ଚଳବାସୀଙ୍କୁ ବାଲୁଗାଁ ଉଚ୍ଚ ବିଦ୍ୟାଳୟକୁ ବିସ୍ଥାପିତ କରାଯାଉଛି। ସେଠାରେ କୋଭିଡ ନିୟମ ମୁତାବକ ଆଣ୍ଟିଜେନ ଟେଷ୍ଟ ହେବାପରେ ଜନସାଧାରଣମାନେ ଏକାଠି ରହିବେ ଓ ଖାଇବେ। ସେହିପରି ଭାବେ ମତ୍ସ୍ୟଜୀବୀମାନଙ୍କୁ ଚିଲିକା ଭିତରକୁ ଆସନ୍ତା ତିନି ଦିନ ଯାଏଁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେମାନଙ୍କ ଡ଼ଙ୍ଗାଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରାଯାଇଛି।

ସେହିପରି ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ସୂଚନା ମୁତାବକ ବାଣପୁର ବ୍ଲକର ୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ସଜାଗ ଅଛି। ତତସହିତ ଶାଳିଆ ଡ୍ୟାମ, ନନ୍ଦପୁର ପଞ୍ଚାୟତ ଏବଂ କୁମାରାଙ୍ଗ ପଞ୍ଚାୟତର ତଳୁଆ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବିଦ୍ୟୁତ, ଅଗ୍ନିଶମ, ମେଡିକାଲ ଏବଂ ସମସ୍ତ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ସରିଛି ଓ ବାତ୍ୟା ପାଇଁ ସମସ୍ତେ ସଜାଗ ଥିବାର ସୂଚନା ଦେଇଛନ୍ତି ତହସିଲଦାର।

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସୂଚନା ମୁତାବକ ପଲଟନ ପଡିଆ ନିକଟସ୍ଥ ଶହୀଦ କୃତିବାସ ଭବନକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ସେଠାରେ ବିସ୍ଥାପିତଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।  ଅନୁରୂପ ଭାବେ ପ୍ରତି ୱାର୍ଡର ସ୍କୁଲ ଓ କମ୍ୟୁନିଟି ସେଣ୍ଟର ଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିବାର କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାତ୍ୟା ପାଇଁ ବାଣପୁର ଓ ଚିଲିକା ତହସିଲ ଅଞ୍ଚଳରେ ପୋଲିସ ପ୍ରଶାସନ ପୁରାପୁରି ଭାବେ ପ୍ରସ୍ତୁତ ରହିଥିବାର କହିଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ତଳୁଆ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କୁ ବିସ୍ଥାପିତ ଜାରି ରଖିଥିବାବେଳେ ବାତ୍ୟା ପାଇଁ ଚିଲିକା ଏବଂ ନଦୀ ଅଞ୍ଚଳକୁ ନଯିବା ପାଇଁ ଅନୁରୋଧ କରୁଛନ୍ତି। ଯଦି କୌଣସି ବ୍ୟକ୍ତି ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଏସଡ଼ିପିଓଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୯୦୭୮୯୩୪୯୩୪ କୁ ନିଃସଙ୍କୋଚ ଭାବେ ସହାୟତା ପାଇଁ ଯୋଗାଯୋଗ କରିପାରିବେ ବୋଲି ‘ସମୀକ୍ଷା’ ନିୟୁଜ ମାଧ୍ୟମରେ କହିଛନ୍ତି।

ତେବେ ଉଭୟ ଚିଲିକା ଏବଂ ବାଣପୁର ଅଞ୍ଚଳରେ ବର୍ତ୍ତମାନ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲପାଳ ଏବଂ ଉପଜିଲ୍ଲାପାଳ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥାର ତଦାରଖ ଜାରି ରଖିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

କ୍ରୀଡା କ୍ଷେତ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ୪ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ର ଉପରେ ମଧ୍ୟ ରାଜ୍ୟ ସରକାରଙ୍କ କଡା ନଜର ରହିଛି। କ୍ରିଡା କ୍ଷେତ୍ର ପାଇଁ ନିଯୁକ୍ତ ଅଧିକାରୀମାନେ ଯଦି ତାଙ୍କ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ରାଜ୍ୟ ସରକାରଙ୍କ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୀଡା କ୍ଷେତ୍ରରେ ୪ ଜଣ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଭଲି ବଲ୍ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ବଢେଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ ଏବଂ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ମନୋଜ କୁମାର ଦାସଙ୍କୁ ମଧ୍ୟ ରାଜ୍ୟ ସରକାର ଅବସର ଘୋଷଣା କରିଛନ୍ତି।

ସଠିକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁନଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ଆସୁଥିଲା। ଏତଦବ୍ୟତିତ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ରାଜ୍ୟରୁ କୌଣସି ଯୁବ ଖେଳାଳିଙ୍କୁ ବାହାର କରିନଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସତର୍କ ଦିଆଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା। ଯାହାଫଳରେ ଏହି ସମସ୍ତ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ମାସ ପାଇଁ ନୂଆ କରୋନା ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କରି ରାଜ୍ୟ ସରକାର ଏକ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଆଗକୁ ନୂଆ ବର୍ଷ ଆସୁଥିବାରୁ ପ୍ରବଳ ଭିଡକୁ ଏଡେଇବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଭିଡ ହେଲେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ଥିବାରୁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ତେଣୁ ଡିସେମ୍ବର ମାସରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ପାଇଁ ବାରଣ କରାଯାଇଛି। ଜିରୋ ନାଇଟ ସେଲିବ୍ରେସନ, ପିକିନିକ, ବଣ ଭୋଜି ଉପରେ କଟକଣା ଲଗାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦିରେ ନୂଆ ବର୍ଷ ସମାରୋହ କରିବାକୁ ବାରଣ କରାଯାଇଛି।

ପୂର୍ବପରି ଡିସେମ୍ବର ମାସରେ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ ବୋଲି କୁହାଯାଉଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ: ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ଭୂବନେଶ୍ବର: ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି କଠୋର ପଦକ୍ଷେପ ଜାରି ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର (Odisha state Police Housing & Welfare Corporation) ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଶ୍ରୀ ସାମଲ ନିଲମ୍ବିତ ହୋଇଥିଲେ। ନିକଟରେ ତାଙ୍କ ବାସଭବନ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରଯାଇ ବ୍ୟାପକ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବଢାଇଲେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଣିକି ୮ ହଜାର ୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୦ ହଜାର ୧୦୦ ଟଙ୍କା ଦରମା ମିଳିବ। ୮ହଜାର ୩ ଶହ ୯୦ ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ୧୦ ହଜାର ୫୦୦ ଟଙ୍କା, ୮ ହଜାର ୭୫୦ ଟଙ୍କା ପାଉଥିବା କର୍ମଚାରୀମାନେ ୧୦ ହଜାର ୯୦୦ ଟଙ୍କା ପାଇବେ।

ସେହିଭଳି ୮ ହଜାର ୮୮୦ ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ଦରମା ୧୧ ହଜାର ୧୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୯ ହଜାର ଟଙ୍କା ରୁ ୧୧ ହଜାର ୨୦୦ ଟଙ୍କା, ୯ ହଜାର ୨୫୦ ଟଙ୍କାରୁ ୧୧ ହଜାର ୫୦୦ ଟଙ୍କା, ୯ ହଜାର ୫୦୦ ଟଙ୍କାରୁ ୧୧ ହଜାର ୯୦୦ ଟଙ୍କା, ୧୦ ହଜାର ଟଙ୍କାରୁ ୧୨ ହଜାର ୫୦୦ ଟଙ୍କା ଓ ୧୬ ହଜାର ୮୮୦ ଟଙ୍କାରୁ ୨୧ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ବୃଦ୍ଧି କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ମୁମ୍ବାଇ: ଆଜି ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ହସ୍ପିଟାଲର କରୋନା ୱାର୍ଡରେ ଆରମ୍ଭ ହୋଇଥିଲା। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଯେଉଁମାନେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ସମସ୍ତ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିୟୁରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଆଇସିୟୁ ୱାର୍ଡରେ ନିଆଁ ଲାଗିବା ସମୟରେ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲେ, ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି। କିନ୍ତୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ନିଆଁକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇଛି। ଏହି ଘଟଣା ପରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ କହିଛନ୍ତି, “ଅହମ୍ମଦନଗରରେ ଥିବା ସରକାରୀ ଡାକ୍ତରଖାନାର ଆଇସିୟୁ ୟୁନିଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନାର ‘ଅଗ୍ନି ଅଡିଟ୍’ ହୋଇଛି କି ନାହିଁ ଆମେ ଯାଞ୍ଚ କରିବୁ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ସମ୍ପର୍କୀୟଙ୍କୁ ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ!

ଭୁବନେଶ୍ବର: ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦୀପାବଳି ଛୁଟି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। କରୋନାର ତୃତୀୟ ତରଙ୍ଗର ସମ୍ଭାବନା କମ ଥିବାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। ବିଦ୍ୟାଳୟଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଇପାରେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲାଯିବା ନିଷ୍ପତ୍ତି ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଛି।