Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅକ୍ସିଜେନ ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୧୦ ହଜାର ଉପରେ ରହୁଛି। ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିକିତ୍ସା ପାଇଁ ଅମ୍ଳଜାନ ଆବଶ୍ୟକ ହୋଇପାରେ। ତେଣୁ ଯେପରି ଅମ୍ଳଜାନର ଦୁରୁପଯୋଗ ହେବ ନାହିଁ, ସେଥିପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ତେବେ ଏହି ଟାସ୍କ ଫୋର୍ସରେ ୯ ଜଣ ସଦସ୍ୟ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ଅମ୍ଳଜାନ ଉତ୍ପାଦନ ଏବଂ ବିତରଣର ତଦାରଖ କରିବ ଟାସ୍କଫୋର୍ସ। ଏହାସହ ମେଡିକାଲ ଅକ୍ସିଜେନ ଉପରେ ଏହି ଟାସ୍କଫୋର୍ସ ଦୀର୍ଘମିଆଦି ଯୋଜନା କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁଙ୍କ ସୁରକ୍ଷା ଏବଂ ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି

ଭୁବନେଶ୍ବର: କୋଭିଡ଼ର ଦ୍ଵିତୀୟ ଲହରୀରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଏକ କମିଟି ଗଠନ କରିଛନ୍ତି। ଡିଏମଇଟିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ରହିବେ। ଏହି କମିଟି ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ତର୍ଜମା କରିବ।

ସେହିଭଳି ୧୮ ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ଼ ସୁରକ୍ଷା ପାଇଁ ମଧ୍ୟ କମିଟି ଗଠନ ହୋଇଛି। ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୨ ଜଣିଆ କମିଟି ଗଠନ କରିଛି। ଏହି କମିଟି  ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକାକରଣ ପ୍ରକ୍ରିୟାକୁ ତଦାରଖ କରିବ। ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ୨ଟି ବଡ ନିଷ୍ପତ୍ତି: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର୨ଟି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଥମତଃ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ ବହୁ ବରିଷ୍ଠ ଡାକ୍ତର ଏବଂ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରାମାକାନ୍ତ ପଣ୍ଡା କମିଟିରେ ସଦସ୍ୟ ଅଛନ୍ତି।

ତେବେ ଏହି କମିଟି କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଟୀକାକରଣ ଏବଂ ପରବର୍ତ୍ତୀ ଲହର ବିଷୟରେ ରାଜୟ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଦ୍ଵିତୀୟ ନିଷ୍ପତ୍ତି ହେଉଛି, ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମଧ୍ୟ ସୂଚନା ଦେଇଛନ୍ତି। ୩ କୋଟି ୮୦ ଲକ୍ଷ ଟୀକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ଟୀକା ଯୋଗାଇଦେବାକୁ କୁହାଯାଇଛି। ଯଦି ସଫଳ ବିଡିଂ ହୁଏ, ତେବେ ମେ’ ୨୮ ପରେ ଆମେ ଟୀକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କଲେ ୭ ଜଣିଆ କମିଟି

ଭୁବନେଶ୍ବର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୭ ଜଣିଆ କମିଟି ଗଠନ କରିଛନ୍ତି। ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଏହି କମିଟି ଗାଇଡଲାଇନ ପ୍ରସ୍ତୁତ କରିବ।

ତେବେ ଏଥିରେ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସାମିଲ କରାଯାଇଛି। ଏସସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିରୁପମା ଚଇନି ଏହି କମିଟିରେ ଅଧ୍ୟକ୍ଷା ରହିବେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କମିଟିର ଆବାହକ ରହିବେ।

ସେହିଭଳି ଏସସିବି ମେଡିକାଲର ଆଉ ୫ ଜଣ ପ୍ରଫେସର ଏହି କମିଟିରେ ସଦସ୍ୟ ରହିବେ। ରାଜ୍ୟର କୌଣସି ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେଲେ ସମ୍ପୃକ୍ତ ହସ୍ପିଟାଲର କର୍ତ୍ତୁପକ୍ଷ ଏହି କମିଟିକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ଆସିଲେ ବିଭିନ୍ନ ବର୍ଗର କର୍ମଚାରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୫ ଲକ୍ଷ ଟୀକା ଏବଂ ସିଲିଣ୍ଡର ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ରଠାରେ ଦାବି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡକୁ ନେଇ ଏକ ବୈଠକ ହୋଇଯାଇଛି। ଏହି ବୈଠକରେ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଅଭାବ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସ ଆଲୋଚନା କରିଛନ୍ତି। ଓଡ଼ିଶାକୁ ତୁରନ୍ତ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି। ତୁରନ୍ତ ୨୫ ଲକ୍ଷ ଟୀକା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଆଉ ୨୨ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଅପେକ୍ଷାରତ ଅଛନ୍ତି। ସେଥିପାଇଁ ୨୫ ଲକ୍ଷ ଟୀକା ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ନବ ଦାସ ଦାବି କରିଛନ୍ତି। ଏହା ସହ ରାଜ୍ୟରେ ଅମ୍ଳଜାନ ପର୍ଯ୍ୟାପ୍ତ ଥିଲେ ମଧ୍ୟ ସିଲିଣ୍ଡରର ଅଭାବ ପରିଲିକ୍ଷିତ ହେଉଛି।

ତେଣୁ ୩୦ ହଜାର ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ ଅନୁରୋଧ କରିଛନ୍ତି। ସେହିଭଳି ରାପିଡ୍ ଆଣ୍ଟିଜେନ୍ କିଟ୍, ପିପିଇ କିଟ୍, ମାସ୍କ ଆଦି ଦେବା ପାଇଁ ଓଡିଶା ଦାବି କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ଭିକାରୀ, ସାଧୁସନ୍ଥ, ମାନସିକ ବିକୃତ ଲୋକ ନେବେ ଟୀକା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧୁ, ସନ୍ଥ, ଅସହାୟ, ଭିକାରୀ, ମାନସିକ ବିକୃତ ଲୋକଙ୍କୁ ଏଥର ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ଟୀକାଦେବା ପାଇଁ ବ୍ୟବସ୍ଥା ପାଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଟୀକା ପାଇଁ ୭ ଟି ପରିଚୟ ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଥିବା ବେଳେ ଏଭଳି କିଛି ଲୋକଙ୍କ ପାଖରେ କୌଣସି ପରିଚୟ ନଥାଏ। ସେମାନଙ୍କୁ ମଧ୍ୟ ସଂକ୍ରମଣ ଭୟ ଥିବାରୁ ଚିହ୍ନଟ କରାଯାଇ ଟୀକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାବାସୀ

ରମେଶ ମହାନ୍ତି
ଜଗତସିଂହପୁର: ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଏହି ଚିକିତ୍ସାଳୟରେ ପ୍ରଥମରୁ ୧୨୬ଟି ବେଡ୍ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଚିକିତ୍ସାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁରରେ (ଏମ୍.ସି.ଏଚ୍) ୧୦୦ ବେଡ୍ ହସପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଆଗେଇ ଚାଲିଛି। ଏନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ନେଇ ଆସନ୍ତାକାଲି ସକାଳ ୧୦ ଟାରେ ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ପାଇଁ ଦୁଇ ଉତ୍ପାଦକଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି

ଭୁବନେଶ୍ୱର: ସରକାର ଆଜିର କରୋନା ମହାମାରୀ ସମୟରେ ସମସ୍ତ କରୋନା ଓ ଅଣକରୋନା ରୋଗୀଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଉପଲବ୍ଧ କରାନ୍ତୁ। ଏହା ହିଁ ଆଜିର ସମୟର ଆହ୍ୱାନ ଓ ଏକ ଲୋକ କଲ୍ୟାଣକାରୀ ସରକାରଙ୍କ ଠାରୁ ରାଷ୍ଟ୍ରର ଜନଗଣଙ୍କ ଆଶା।

ଏହି ସମୟରେ ସରକାର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଜୀବନ ବଞ୍ଚାଇବାର ଦାୟିତ୍ୱକୁ ପ୍ରମୁଖତା ଦିଅନ୍ତୁ। ଆଜି ସାମ୍ବାଦିକ ଭବନ ପରିସରରେ ସମ୍ବାଦିକ ସମ୍ମିଳନୀ କରି ଏ ନେଇ ବକ୍ତବ୍ୟ ରଖିଥିଲେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଥିଲେ ଯେ, କରୋନା ମହାମାରୀକୁ ନେଇ ସରକାର ବହୁତ ପ୍ରଚାରର ସତର୍କତା କରୁଥିଲେ ହେଁ ପ୍ରକୃତପକ୍ଷେ ପର୍ଯ୍ୟାପ୍ତ ତ ଛାଡ଼ ସର୍ବନିମ୍ନ ସ୍ୱାସ୍ଥ୍ୟସେବା କରୋନା ରୋଗୀଙ୍କ ପାଇଁ ସଙ୍କଟ କାଳରେ ଉପଲବ୍ଧ କରାଇ ପାରୁନାହାଁନ୍ତି। ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଚାଲିଯିବା ଆମ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଜଳଜଳ କରି ଦେଖାଇଦେଇଛି। ସବୁଠୁ ବେଶୀ ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି କରୋନା ଅଣସଂକ୍ରମିତ ରୋଗୀ। କରୋନା ସଂକ୍ରମଣ କାଳରେ ଅଣସଂକ୍ରମିତ ରୋଗୀମାନ ବି ଚିକିତ୍ସା ସୁବିଧା ପାଇବା କଥା। ମାତ୍ର ସେମାନେ ଅବହେଳା ଓ ଉପେକ୍ଷାର ଶିକାର ହୋଇ ବହୁବିଧ ଯନ୍ତ୍ରଣାର ସାମ୍ନା କରୁଛନ୍ତି।

ସେହିଭଳି ଯଦି କୋଭିଡ୍ ଗ୍ରାଫ ଅଧିକ ଶିଖରକୁ ଛୁଉଁଛି ଓ ପରିସ୍ଥିତି ସଙ୍ଗୀନ ହେଉଛି ତେବେ ସରକାର ତୁରନ୍ତ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରି ପୁଞ୍ଜିପତିଙ୍କ ଠାରୁ ସ୍ୱତନ୍ତ୍ର କ୍ଷମତା ବଳରେ ଅଧା ଅର୍ଥ ନେଇଆସନ୍ତୁ। କରୋନ ସମୟରେ ଅନ୍ୟମାନଙ୍କ ଅପେକ୍ଷା ଶିଳ୍ପପତିମାନଙ୍କୁ ସରକାର ଅଧିକ ପ୍ୟାକେଜ ଦେଇଥିଲା ବେଳେ ଏବଂ ସିଏସ୍‌ଆର ଫଣ୍ଡ ଅର୍ଥ ପିଏମ୍ କେୟାର ପାଣ୍ଠିକୁ ଦେଇ ସେମାନେ ଖସି ଯାଇଥିବା ବେଳେ ଏବେ ଦେଶର ବିପଦ ବେଳେ ମୁଣ୍ଡ ଦେଖାନ୍ତୁ। ନିଜେ ସରକାର ଘୋଷଣା କରିଛନ୍ତି ଜୀବନ ସବୁଠାରୁ ମୂଲ୍ୟବାନ। ଜନମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଶିକ୍ଷା ସ୍ୱାସ୍ଥ୍ୟର ସୁନିଶ୍ଚିତ ବ୍ୟବସ୍ଥା କରିବା।

ଆଜିର କରୋନା ମହାମାରୀ ସମୟରେ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସରକାର ଜୀବନର ସୁରକ୍ଷା ପାଇଁ ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ସରକାର ଭାବରେ କରୋନା ଏବଂ କରୋନା ବାହାର ରୋଗୀମାନଙ୍କର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ସହିତ ଏହି ସମୟକୁ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବ୍ୟାପାର ନାମରେ ଏକାଠି ହୋଇଥିବା ପୁଞ୍ଜିର ଏକାଧିକାର ଓ ବୌଦ୍ଧିକ ଏକାଧିକାରକୁ ସମାପ୍ତ କରି ସମସ୍ତ ଅର୍ଥକୁ ଚିକିତ୍ସା ଖର୍ଚ୍ଚରେ ଉପଯୋଗ କରିବା ଉଚିତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନବନିର୍ମାଣ କୃଷକ ସଂଗଠନ ଚାଷୀର ହିତ ପାଇଁ ସବୁବେଳେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଆଜି ସାରା ଦେଶର ସାଧାରଣ ବ୍ୟକ୍ତିର ଜୀବନକୁ ମହତ୍ତ୍ୱ ଦେଇ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ କରୁଛି।

(୧) କରୋନା ସଂକ୍ରମିତ ଓ ଅଣସଂକ୍ରମିତ ଉଭୟ ରୋଗୀଙ୍କ ଚିକିତ୍ସା ସରକାର ମାଗଣାରେ ଉପଲବ୍ଧ କରାନ୍ତୁ।

(୨) ଘରୋଇ ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ଉପଲବ୍ଧ ହେଉ।

(୩) ସ୍କୁଲ୍ କଲେଜଠାରୁ ଆରମ୍ଭ କରି ଖାଲିଥିବା ସମସ୍ତ ବିଲ୍‌ଡ଼ିଙ୍ଗ ଗୁଡ଼ିକୁ କରୋନା ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଉ।

(୪) ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ସରକାର ବୌଦ୍ଧିକ ଅଧିକାର ଓ ପୁଞ୍ଜିଗତ ଏକାଧିକାରକୁ ସମାପ୍ତ କରାଯାଇ ବ୍ୟାପାରକୁ ସେବାମୁଖୀ କରାଯିବା ସହ ରାଷ୍ଟ୍ରପତି ସମର୍ପିତ କରାଯାଉ। ସେହି ଅର୍ଥରେ ସାଧାରଣ ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଇ ଜୀବନକୁ ସୁରକ୍ଷିତ କରାଯାଉ।

(୫) ଶିକ୍ଷିତ ଯୁବକମାନଙ୍କୁ ପ୍ରଶିକ୍ଷିତ କରାଯାଇ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ବିନିଯୋଗ କରାଯାଉ।

ଉକ୍ତ ଦାବିସମୂହକୁ ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଗଠକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ କଟକଣା

ଭୁବନେଶ୍ବର: କରୋନା କଟକଣାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବଡ ଘୋଷଣା। ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ଵାରେଣ୍ଟିନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି କଟକଣା ଲାଗିବ। ପଶ୍ଚିମବଙ୍ଗରୁ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ପଶ୍ଚିମବଙ୍ଗ ସୀମାରେ କଡାକଡି ଯାଞ୍ଚ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁମାନେ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ କିମ୍ବା ଟୀକାର ଦ୍ଵିତୀୟ ଡୋଜ ନେଇଥିବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ। ହେଲେ ସେମାନଙ୍କୁ ହୋମ କ୍ଵାରେଣ୍ଟିନରେ ରହିବାକୁ ବାଧ୍ୟତାମୂଳକ। ଏଭଳି ରିପୋର୍ଟ ନଥିବା ଯାତ୍ରୀମାନଙ୍କୁ ହୋମ କ୍ଵାରେଣ୍ଟିନ ପାଇଁ ଅନୁମତି ନାହିଁ। ସେମାନେ କ୍ଲଷ୍ଟର ସେଣ୍ଟର କିମ୍ବା ପେଡ଼ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ରିଙ୍ଗ୍ ରୋଡ୍ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଦେବ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ରିଙ୍ଗ ରୋଡ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଚତୁପାର୍ଶ୍ବରେ ଏହି ରୋଡ ନିର୍ମାଣ ହେବ। ୬ ଲେନ ବିଶିଷ୍ଟ ଏହ ରୋଡ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ଼ ଏବଂ ଚୌଦ୍ଵାର ଦେଇ ଯିବ। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଟଙ୍କା ବହନ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ନିକଟରେ ଦାବି କଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ମାଗଣାରେ ଟୀକା ଦେବା ପାଇଁ ସରକାର ନିକଟରେ ବିଜେପି ଦାବି କରିଛି। ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ଦାବି କରିଛନ୍ତି।

ଅନ୍ୟ ରାଜ୍ୟରେ ମାଗଣାରେ ଟୀକା ମିଳୁଥିବା ନେଇ ସ୍ଥାନୀୟ ସରକାର ଘୋଷଣା କରିଥିବା ବେଳେ ଓଡିଶାରେ ମଧ୍ୟ ଟୀକା ମାଗଣାରେ ମିଳୁ ବୋଲି ସେ ଦାବି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨୪ ଘଣ୍ଟା ଭିତରେ ଘୋଷଣା କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାତିଲ ହେଲା ଦଶମ ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଆଜି ରାଜ୍ୟ ସରକାର ଦଶମ ପରୀକ୍ଷାକୁ ବାତିଲ କରିଛନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଥିଲା। କିନ୍ତୁ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ହେଲେ ଆଜି ଏହାକୁ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବାତିଲ କରିଛନ୍ତି। ତତସହିତ ମଦ୍ରେସା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ବୋର୍ଡ ନିର୍ଦ୍ଧାରଣ କରିବ। ଯଦି ଏହି ଫଳାଫଳରେ କୌଣସି ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି, ତେବେ ସେମାନେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ୩୦ ଟି ଜିଲ୍ଲା ପାଇଁ ୭ ଟି ମେଡିକାଲ କଲେଜ ମଧ୍ୟରେ ଦାୟିତ୍ଵ ବଣ୍ଟନ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ୭ ଟି ମେଡିକାଲ କଲେଜକୁ ୩୦ ଟି ଜିଲ୍ଲାର ଦାୟିତ୍ଵ ଦେଇଛନ୍ତି। ମେଡିକାଲ କଲେଜ ଟିମ୍ ଜିଲ୍ଲା କୋଭିଡ଼ ସେଣ୍ଟରର ତଦାରଖ କରିବେ।

ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା ଦାୟିତ୍ଵ:

୧- ଏସସିବି ମେଡିକାଲ କଲେଜ ଟିମ୍- କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲା

୨- ଏମକେସିଜି, ବ୍ରହ୍ମପୁର- ଗଞ୍ଜାମ, ବୌଦ୍ଧ, ଗଜପତି ଏବଂ କନ୍ଧମାଳ ଜିଲ୍ଲା

୩- ଭୀମସାର- ଅନୁଗୁଳ, ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା

୪- ଏସ.ଏଲ.ଏନ ମେଡିକାଲ କଲେଜ-  କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା

୫- ପି.ଆର.ଏମ, ବାରିପଦା- କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା

୬- ଏଫ.ଏମ କଲେଜ- ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା

୭- ବି.ବି କଲେଜ- ବଲାଙ୍ଗୀରି, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲା ଦାୟିତ୍ଵ ମିଳିଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା: ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଛତିଶଗଡ ରାଜ୍ୟ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ।

ସେହିଭଳି ବାକି ୨୦ ଟି ଜିଲ୍ଲାର ସବୁ ସହରାଞ୍ଚଳରେ ରାତ୍ରି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହା ସହିତ ଛତିଶଗଡ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ଲକଡାଉନ ଆରମ୍ଭ ହେବ। ଏହିସବୁ କଟକଣା ସମୟରେ ଜରୁରୀକାଳିନ ସେବା ଉପଲବ୍ଧ ହେବ।

ଜିନିଷ କିଣିଲା ବେଳେ ଗ୍ରାହକ କିମ୍ବା ଦୋକାନୀଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ଦୋକାନ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ତରାଜ୍ୟ ବସ ସେବାକୁ ବାରଣ କରାଯାଇଛି। କେବଳ ରାଜ୍ୟ ଭିତରେ ବସ ସେବା ଜାରି ରହିବ। ଅଟୋ ଏବଂ ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ।

ଧାର୍ମିକ କାର୍ଯ୍ୟକ୍ରମ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଲାଗିଛି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ସରକାରୀ ଅଫିସ ପାଇଁ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ମିଳିଥିବା ବେଳେ ଘରୋଇ ଅଫିସରେ କର୍ମଚାରୀଙ୍କୁ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର ଲାଗି ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପାଇଁ ଦର୍ଶକଙ୍କ ସଂଖ୍ୟା ୨୦୦୦ ରୁ ୧୦୦୦ କୁ ହ୍ରାସ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଘୋଷଣା କଲେ ନୂଆ ମାର୍ଗଦର୍ଶିକା

ଭୁବନେଶ୍ଵର: କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାର କଟକଣାକୁ ଆହୁରି କଡାକଡି କରିଦେଇଛନ୍ତି। ସେଥିପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ଏକ ନୂଆ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।

ବସ, ରେଳ, ବିମାନରେ ଯାତ୍ରା କରି ଓଡିଶା ଆସୁଥିବା ଲୋକଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ। ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଦେଖାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ଦ୍ଵିତୀୟ ଡୋଜ ଟୀକା ସାର୍ଟିଫିକେଟ ଦେଖାଇବା ପରେ ଓଡିଶା ଆସିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି।

ଏହାସହ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ରେଲୱେ ବୋର୍ଡକୁ ଚିଠି ହୋଇଛି। ଆସନ୍ତା ୧୦ ତାରିଖରୁ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ଚିଠି ହୋଇଛି।

ଛତିଶଗଡରୁ ଯାତ୍ରୀବାହି ଗାଡିକୁ ଓଡିଶାରେ ପ୍ରବେଶ ପାଇଁ ବାରଣ କରାଯାଇଛି। ଏପ୍ରିଲ ୧୦ ତାରିଖରୁ ୩୦ ତାରିଖ ଯାଏଁ ଗାଡିମୋଟରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଆଦେଶକୁ କଡାକଡି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ହୋଇଛି।

ସୀମା ଚେକପୋଷ୍ଟକୁ କଡାକଡି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଚେକପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ। ରିପୋର୍ଟ ନଥିଲେ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ହୋଇଛି। ପୁନର୍ବାର ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କାର୍ଯ୍ଯକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ଦ ହେଲା ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ପାଇଁ ଘୋଷଣା କରିଛନ୍ତି। ସରକାରୀ, ଘରୋଇ ଏବଂ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢା ବନ୍ଦ ପାଇଁ ଘୋଷଣା ହୋଇଛି। ହଷ୍ଟେଲ, ଆବାସିକ ସ୍କୁଲରେ ପଢୁଥିବା ପିଲାଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ହୋଇଛି। ଏପ୍ରିଲ ୩୦ ଯାଏଁ ସ୍କୁଲକୁ ବାତିଲ କରାଯାଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ୧୦ ଦିନରେ ମିଳିବ ରେସିଡେଣ୍ଟ ଏବଂ ଇନକମ ସାର୍ଟିଫିକେଟ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରେସିଡେଣ୍ଟ ଏବଂ ଇନକମ ସାର୍ଟିଫିକେଟ ୧୦ ଦିନରେ ମିଳିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ଏହା ୧୫ ଦିନରେ ମିଳିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା।

ସେହିଭଳି ୧୫ ଦିନ ମଧ୍ୟରେ ମିଳିବ ଜାତିଗତ(କାଷ୍ଟ) ସାର୍ଟିଫିକେଟ। ପୂର୍ବରୁ ଏହା ୩୦ ଦିନରେ ମିଳୁଥିଲା। କିନ୍ତୁ ଏବେ ୧୫ ଦିନରେ ମିଳିବା ପାଇଁ ରାଜସ୍ୱ ସଚିବ ବିଷ୍ଣୁ ଶେଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ସଚିବ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୧୭ ଲକ୍ଷ ଟୀକା ମହଜୁଦ: ଟୀକାଦାନ ପ୍ରକ୍ରିୟାରେ ପଛରେ ଅଛି ୯ ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଟୀକା ମହଜୁଦ ଅଛି। ମୋଟ ୪୦ ଲକ୍ଷ ଟୀକା ଆସିଥିଲା। ସେଥିରୁ ୨୩ ଲକ୍ଷ ଟୀକା ଲୋକଙ୍କୁ ଦିଆଯାଇଛି। ଆସନ୍ତା ୧ ତାରିଖରୁ ଦୈନିକ ୧ ଲକ୍ଷ ଟୀକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨ ତାରିଖରେ ରାଜ୍ୟକୁ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଟୀକା ମିଳିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କିନ୍ତୁ ରାଜ୍ୟରେ ଏବେ ଟୀକାଦାନ ପ୍ରକ୍ରିୟାରେ ୯ ଟି ଜିଲ୍ଲା ପଛରେ ଅଛି। ଅନୁଗୁଳ, ବରଗଡ, ବଲାଙ୍ଗୀରି, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ସୁନ୍ଦରଗଡ ଏବଂ ସୋନପୁର ଟୀକାଦାନ ପ୍ରକ୍ରିୟାରେ ପଛରେ ଅଛି ବୋଲି ନିର୍ଦ୍ଦେଶକ କହିଛନ୍ତି।

ହେଲେ ଆମ ରାଜ୍ୟର  କରୋନା ଟୀକାକରଣ ପ୍ରକ୍ରିୟା ଭଲ ସ୍ଥିତିରେ ଅଛି। ଅନ୍ୟ ରାଜ୍ୟ ଅପେକ୍ଷା ଟୀକା ନଷ୍ଟ ହେବା ହାରରେ ଓଡିଶା ପଛରେ ଅଛି। ଅନ୍ୟ ରାଜ୍ୟରେ ୧୦% ଟୀକା ନଷ୍ଟ ହେଉଥିବା ବେଳେ ଓଡିଶାରେ ମାତ୍ର ୦.୨% ଟୀକା ନଷ୍ଟ ହେଉଛି ବୋଲି ଶ୍ରୀ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି।