Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି।

ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ।

ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହ ଗୋବିନ୍ଦ ସାହୁ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ଶାସନ ସଚିବମାଙ୍କୁ ଝିଅ ଯୋଗାଉଥିଲେ। ଏହାଦ୍ୱାରା ଗୋବିନ୍ଦ ବଡ଼ ବଡ଼ କାର୍ଯ୍ୟ ହାସଲ ସହ ପ୍ରଚୁର ଅର୍ଥ ମଧ୍ୟ କମାଉଥିଲେ। ଗୋବିନ୍ଦର ଏସବୁ କାରବାର ଜାଣିବା ପରେ ମମିତା ଏହାର ପ୍ରତିବାଦ କରି ଗୋବିନ୍ଦ କାରବାରର ପର୍ଦ୍ଦାଫାସ କରିବାକୁ ସୂଚନା ମଧ୍ୟ ଦେଇଥିଲେ।

ଗୋବିନ୍ଦ ଘଟଣାର ଗୁରୁତ୍ୱ ବୁଝି ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏହି ଘଟଣା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନଙ୍କ ସମ୍ପୃକ୍ତି ଅଛି, ତାଙ୍କୁ ଧରି କାରାଦଣ୍ଡ ଦେବାକୁ ନାଗରିକ ସମାଜ ଦାବି କରିଛି। ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ନାଗରିକ ସମାଜ ପ୍ରସ୍ତାବ ରଖିଛି। ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏହି ତାରିଖରୁ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ ତାରିଖରେ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୨୫ ତାରିଖରୁ ସ୍କୁଲ ଖୋଲାଯିବ। ଏହା ପୂର୍ବରୁ ନବମ, ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀଗୃହରେ ପଢିବା ବ୍ୟବସ୍ଥା ହୋଇଛି।

କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରଭାବିତ ହେଉଛି। ତେଣୁ ଶ୍ରେଣୀ ଗୃହରେ ପାଠ ପଢା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କିନ୍ତୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲାଯିବ, ତାହା ନିଷ୍ପତ୍ତି ହୋଇନାହିଁ। କରୋନା ସଂକ୍ରମଣ ହାର କମୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି।

ପାଠ ପଢା ସମୟରେ ସ୍କୁଲରେ କୋଭିଡ କଟକଣା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦଶହରା ଭେଟି: ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ ଜିଆଇଏସ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ଜିଆଇଏସ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ମଚାରୀ ମାନଙ୍କ ପାଇଁ ଜିଆଇଏସଏକ ସାମାଜିକ ସୁରକ୍ଷା ଯୋଜନା। ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା। ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜିଆଇଏସ ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆକ୍ଟୋବର ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାସରେ ଥିବା ପର୍ବପର୍ବାଣିରେ କରୋନା କଟକଣାକୁ ମାନିବା ପାଇଁ ପରାମର୍ଶ ଦିଆଯାଇଛି। ପୂଜା ବଜାରରେ ଭିଡ ଠାରୁ ଦୂରେଇ ରହିବ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆଗକୁ ଦଶହରା ଥିବାରୁ ଲୋକଙ୍କୁ ସାମାଜିକ ଦୁରତ୍ଵ, ମାସ୍କ ପରିଧାନ, ସାନିଟାଇଜକୁ ଗୁରୁତ୍ଵ ଦେବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ନଚେତ ପରିସ୍ଥିତି ଭୟାବୟ ହେବ ବୋଲି ଏସଆରସି ସତର୍କ କରାଇଦେଇଛନ୍ତି।

ରାଜ୍ୟର ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି। ସମସ୍ତ ପୌରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। କିନ୍ତୁ କଟକ-ଭୁବନେଶ୍ଵର ପାଇଁ ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କଟକ-ଭୁବନେଶ୍ଵରରେ ରାତ୍ରି ୮ ଟା ରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଲାଗୁ ରହିବ। ଏହା ଅକ୍ଟୋବର ୧୧ ତାରିଖ ଠାରୁ ୨୦ ତାରିଖ ଯାଏଁ ମାତ୍ର ୧୦ ଦିନ ଯାଏଁ ବଳବତ୍ତର ରହିବ। ଦୂର୍ଗା ପୂଜାକୁ ଦ୍ରୁଷ୍ଟିରେ ରଖି ଟ୍ଵିନ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁକୁ କଡାକଡି କରାଯାଇଛି।

ତେବେ ସେପ୍ଟେମ୍ବର ମାସରେ ଯେଉଁ କରୋନା ନିୟମ ଲାଗୁ କରାଯାଇଥିଲା, ସେସବୁ ବଳବତ୍ତର ରହିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନାରୁ ପ୍ରାଣ ହରାଇଥିବା ପରିବାରକୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେଉଁ ରାଜ୍ୟ ଦେଉଛି କେତେ ରାଶି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଠୋରତା ପରେ ଶେଷରେ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ କେନ୍ଦ୍ର ୫୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ଜୁନ୍ ୩୦ ତାରିଖ ନିର୍ଦ୍ଦେଶକୁ ପାଳନ କରି ସେପ୍ଟେମ୍ବର ୧୧ ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶାବଳୀ ଜାରି କରିଛି। ଜୁନ୍ ୩୦ ତାରିଖରେ କୋର୍ଟ ତାଙ୍କ ରାୟରେ ଏନଡ଼ିଏମଏ କୁ ଛଅ ସପ୍ତାହ ମଧ୍ୟରେ କ୍ଷତିପୂରଣ ପାଇଁ ରାଶି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡ଼ିଆରଏଫ) ରୁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ପଡିବ ବୋଲି କେନ୍ଦ୍ର କହିଛି। କିନ୍ତୁ କେତେକ ରାଜ୍ୟ କୋଭିଡ ପୀଡିତଙ୍କ ସମ୍ପର୍କୀୟଙ୍କୁ ଏସଡ଼ିଆରଏଫ ପାଣ୍ଠିରୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟଗୁଡିକ ହେଲେ-

୧- ଆନ୍ଧ୍ରପ୍ରଦେଶ (ଅନାଥ ପିଲାମାନଙ୍କୁ ୧୦ ଲକ୍ଷ ଟଙ୍କା, ପିତାମାତାଙ୍କ ମୃତ୍ୟୁରେ ୫ ଲକ୍ଷ ଟଙ୍କା)

୨- ବିହାର (୪ ଲକ୍ଷ ଟଙ୍କା)

୩- ହରିୟାଣା (କେବଳ ବିପିଏଲ ପରିବାରକୁ ୩ ଲକ୍ଷ ଟଙ୍କା)

୪- କର୍ଣ୍ଣାଟକ (୧ ଲକ୍ଷ ଟଙ୍କା)

୫- ଆସାମ (୧ ଲକ୍ଷ ଟଙ୍କା)

୬- ତାମିଲନାଡୁ (ଅନାଥ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏକାକୀ ପିତାମାତାଙ୍କ ମୃତ୍ୟୁ ମାମଲାରେ ୩ ଲକ୍ଷ ଟଙ୍କା)

୭- ତ୍ରିପୁରା (ତିନି କିସ୍ତିରେ ୧୦ ଲକ୍ଷ ଟଙ୍କା)

୮- ନାଗାଲାଣ୍ଡ (କେବଳ କାର୍ଯ୍ୟରତ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା)

ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହାର ଦାୟିତ୍ଵରୁ ଦୂରେଇ ରହିପାରିବେ ନାହିଁ। ମହାମାରୀର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରବର୍ତ୍ତୀ କ୍ଷତିପୂରଣ ରାଶି ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମଏ) ସ୍ଥିର କରେ। ଏହି ଅଧିନିୟମ ଅନୁଯାୟୀ କରୋନା ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା।

ଆବେଦନକାରୀଙ୍କ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା। କିନ୍ତୁ ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଏନଡ଼ିଏମଏ କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପାଇଁ ନିର୍ଦ୍ଦେଶାବଳୀ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ, ସେପ୍ଟେମ୍ବର ୩ ତାରିଖରେ, କୋଭିଡ କାରଣରୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବର୍ତ୍ତମାନ ଏନଡ଼ିଏମଏ ଦ୍ଵାରା ସ୍ଥିର ହୋଇଥିବା ରାଶିକୁ ଯଥାର୍ଥ କହି କେନ୍ଦ୍ର କହିଛି ଯେ, “କୋଭିଡ ଏକ ବିପର୍ଯ୍ୟୟ ଯାହା ହ୍ରାସ ପାଇନାହିଁ। ମୋଟ ମୃତ୍ୟୁ ସଂଖ୍ୟା ବଢିବାବାରେ ଲାଗିଛି। ଭାଇରସର ନୂତନ ରୂପ ଏବଂ ଭବିଷ୍ୟତର ଲହରକୁ ନେଇ ଅନିଶ୍ଚିତତା ରହିଛି।” କ୍ଷତିପୂରଣ ରାଶିରୁ ପଡିବାକୁ ଥିବା ମୋଟ ଆର୍ଥିକ ବୋଝ ସ୍ଥିର କରିବା ସମ୍ଭବ ନୁହେଁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ କରୋନା ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ନିର୍ମାଣ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ, ପଢିବେ ୫ ଶହ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ଵାରା ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ଵରର ଅନ୍ଧାରୁଆରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏହା ୨୫ ଏକର ଜମିରେ ନିର୍ମାଣ ହେବ।

ତେବେ ଆସନ୍ତା ୫ ତାରିଖରେ ଏହାର ଶୁଭ ଉଦଘାଟନ ହେବ। ଏହି ବିଦ୍ୟାଳୟରେ ୫ ଶହ ଛାତ୍ରଛାତ୍ରୀ ଯୁକ୍ତ ୨ ପଢିବା ଲାଗି ବ୍ୟବସ୍ଥା ହେଉଛି। ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ ହୋଇଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛି ଛାତ୍ରଛାତ୍ରୀମାନେ ଏଠାରେ ପଢିବାକୁ ସୁଯୋଗ ଦିଆଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଆଉ ୨ ଜଣ ଶିଶୁଙ୍କ ଗଲା ଜୀବନ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଦୈନିକ ୧୦୦ ରୁ ଉର୍ଦ୍ଧ୍ଵ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ଗତକାଲି ବଲାଙ୍ଗୀରି ଜିଲ୍ଲାର ଜଣେ ୩ ମାସର ଶିଶୁ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ଉଭୟ ଶିଶୁ କନ୍ୟା ସନ୍ତାନ ବୋଲି ସୂଚନା ରହିଛି।

ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ସେ ହୃଦରୋଗରେ ଆକ୍ରାନ୍ତ ଥିବା ସୂଚନା ରହିଛି। ସେହିଭଳି ଅନ୍ୟ ଶିଶୁ କନ୍ୟା ଜଣକ କଟକ ଜିଲ୍ଲାର ବୋଲି ଖବର ରହିଛି। ସେ ୧୨ ଦିନ ହେଲା ଜନ୍ମଗ୍ରହଣ କରିଥିଲା। ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ ମାଧ୍ୟମରେ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ଭାବ୍ୟ ତୃତୀୟ ଲହର ବଢାଇଲା ଚିନ୍ତା: ୩ ମାସ ଶିଶୁର କରୋନାରେ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଯାଉଛି। କ୍ରମାଗତ ଭାବେ ଏବେ ରାଜ୍ୟରେ ୦-୧୮ ବର୍ଷ ବର୍ଗର ପିଲାମାନଙ୍କ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହୁଛି। ଯାହା ଫଳରେ ରାଜ୍ୟ ପାଇଁ ଚିନ୍ତା ବଢିଛି।

ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି। ତେବେ ରାଜ୍ୟ ସରକାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶିଶୁମାନଙ୍କୁ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରାକର ବ୍ୟବସ୍ଥା କରୁଛି। ହେଲେ ଏହା ଭିତରେ ରାଜ୍ୟ ପାଇଁ ଏକ ଦୁଃଖଦ ଖବର ପହଞ୍ଚିଛି। କରୋନାରେ ୩ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି। ବଲାଙ୍ଗୀରି ଜିଲ୍ଲାର ୩ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ରାଜ୍ୟରେ ସବୁ ଜିଲ୍ଲାରେ ହେବ ଆରଟିପିସିଆର ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ଏଣିକି କରୋନା ସଂକ୍ରମଣ ତଥା ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏବେ ସବୁ ଜିଲ୍ଲାରେ କରୋନାର ଆରଟିପିସିଆର ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେଥିପାଇଁ ସମସ୍ତ ଜିଲ୍ଲାରେ ପରୀକ୍ଷା ଲ୍ୟାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ମାତ୍ର ୧୪ ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ଉପଲବ୍ଧ ଥିବା ବେଳେ ଆଉ ୧୬ ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସେଥିପାଇଁ ଟେଣ୍ଡର ଦିଆସାରିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ରାଜ୍ୟ ସରକାରଙ୍କ ବସୁଧା ଯୋଜନାକୁ ଉପହାସ, ବୋରିଂ ପାଇପରେ ବନ୍ଧା ହେଉଛନ୍ତି ଗୋରୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ତିନି ମାସ ପୂର୍ବେ ଏକ ନଳକୂପ ଖୋଳାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।  ଉକ୍ତ ସ୍ଥଳରେ କେବଳ ବୋରିଂ କରି ଛାଡିଦିଆଯାଇଛି। ଯାହା ଫଳରେ ଉକ୍ତ ବୋରିଂ ପାଇପ କୁ ଗ୍ରାମବାସୀ ମାନେ ଗୋରୁଙ୍କୁ ବାନ୍ଧିବା ନିମନ୍ତେ ଖୁଣ୍ଟ ହିସାବରେ ବ୍ୟବହାର କରୁଛନ୍ତି।

ରାଜ୍ୟ ସରକାର ପାନୀୟ ଜଳ ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରୀଷ୍ମ ଦିନେ ନଳକୂପ ଖୋଳାଯାଇଥିବା ବେଳେ ବର୍ଷା ଦିନ ଆସିଲାଣି ତଥାପି ସରକାରୀ ବାବୁମାନଙ୍କ ଅବା ସରପଞ୍ଚଙ୍କ ନିଦ ଭାଙ୍ଗୁନାହିଁ। ପାଣି ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ପୋତି ହୋଇଗଲାଣି। ଏବଂ ନୂଆ ନଳକୂପର କେବଳ ଚ୍ଛାଞ୍ଚ ପଡ଼ିଛି ସିନା ହେଲେ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ।

ପାଣି ପାଇଁ ଗ୍ରାମବାସୀ ମାନେ ଦୂର ଦୁରାନ୍ତ ତଥା ବିପଦପୂର୍ଣ ରାସ୍ତା ଅତିକ୍ରମ କରି ଯାଉଛନ୍ତି।  ଏ ନେଇ ଆମ ପ୍ରତିନିଧି ନନ୍ଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକ ଆର.ଡବ୍ଲୁ.ଏସ.ଏସ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଉଭୟ ନଳକୂପ ସ୍ଥାପନର ବିଳମ୍ବ ଲାଗି ପରସ୍ପରକୁ ଦାୟୀ କରିଥିଲେ।

ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନଳକୂପ ବସାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଗ୍ରୀଷ୍ମ ଋତୁରେ ବସିଥିବା ନଳକୂପ ଯଦି ବର୍ଷା ଋତୁ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରଖ୍ୟାତ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ନାମରେ ନାମିତ ବିଦ୍ୟାଳୟକୁ ନିଶ୍ଚିହ୍ନ କରିବାକୁ ଷଡଯନ୍ତ୍ର!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଳ୍ପ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସ୍କୁଲ୍ ସହ ମିଶ୍ରଣ କରାଯାଇଛି। ଯାହାଫଳରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଅନେକ ସରକାରୀ ବିଦ୍ୟାଳୟ ସତ୍ତା ହରାଇଥିବା ବେଳେ ସମ୍ପୃକ୍ତି ଅଞ୍ଚଳରେ ଦିନକୁ ଦିନ ବେସରକାରୀ ବିଦ୍ୟାଳୟମାନ ଗଢ଼ିଉଠୁଛି। ସରକାରୀ ବିଦ୍ୟାଳୟରେ ବହି, ଖାତାଠାରୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନି। ଛାତ୍ରଛାତ୍ରୀମାନେ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ନଜିର ରହୁଛି।

ରାଜ୍ୟରେ ବରପୁତ୍ରଙ୍କୁ ସମ୍ମାନ ଓ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରାନ୍ତରେ ଏକାଧିକ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିମାନ ବନ୍ଦର, ଡାକ୍ତରଖାନା ଆଦି ନାମକରଣ କରାଯାଇଛି। ଦେଶ ତଥା ଜାତି ପାଇଁ ଉତ୍ସର୍ଗୀକୃତ ଅବଦାନକୁ ଚିରସ୍ମରଣୀୟ କରିବାକୁ ସରକାରଙ୍କ ଅନୁଦାନକ୍ରମେ ସାରା ରାଜ୍ୟରେ ତଥା ଦେଶରେ ବିଭିନ୍ନ ଅନୁଷ୍ଠାନମାନ ସ୍ଥାପିତ ହୋଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ବିଦ୍ୟାଳୟମାନଙ୍କ ମିଶ୍ରଣ ଆଳରେ ଅନେକ ନାମୀଦାମୀ ବିଦ୍ୟାଳୟ ବିଲୋପ ହୋଇଯିବା ସାଙ୍ଗକୁ ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ ବିଦ୍ୟାଳୟଗୁଡ଼ିକ ଧ୍ୱଂସାଭିମୁଖୀ ପାଲଟିଗଲାଣି। ଯାହାକି ବରପୁତ୍ରଙ୍କୁ ଘୋର ଅସମ୍ମାନ ସଦୃଶ।

ଯାହାର ଜ୍ୱଳନ୍ତ ନମୁନା ସ୍ୱରୂପ ଦୀର୍ଘ ୩୧ ବର୍ଷ ଧରି ଆଦର୍ଶ ବିଦ୍ୟାଳୟରେ ପରିମାର୍ଜିତ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟକୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ସହିତ ମିଶ୍ରଣ ଆଳରେ ନିଶ୍ଚିହ୍ନ କରିବାକୁ କିଛି ଅଧିକାରୀ କୁଟ ଚକ୍ରାନ୍ତ ଚଳାଇଛନ୍ତି। ଏପରିକି କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବା ସୁଯୋଗ ନେଇ ବିଦ୍ୟାଳୟର ନାମକୁ ଲିଭାଇଦେବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକଟିକୁ ଉଭାନ କରିଦେଇଛନ୍ତି। ଏହି ପ୍ରତିବାଦରେ ଶିକ୍ଷାବିତ୍ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱାଧୀନ କୁମାର ପଣ୍ଡା ନିଜ ପିତାଙ୍କ ସ୍ମୃତିରେ ଗଢ଼ି ତୋଳିଥିବା ଆଦର୍ଶ ବିଦ୍ୟାଳୟକୁ ଉଜ୍ଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନା ମୁତାବକ ୧୯୮୯ରେ ବାଲୁଗାଁ ଠାରେ ଗାନ୍ଧୀବାଦୀ ତଥା ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ସ୍ମୃତିରେ ପୁତ୍ର ଶ୍ରୀ ପଣ୍ଡା ନିଜ ବାସଭବନରେ ଅସହାୟ, ନିରାଶ୍ରୟ, ଗରିବ ଛାତ୍ରୀଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ନିଜ ପୃଷ୍ଠପୋଷକତାରେ ଚଳାଇବା ପରେ ତାହା ସରକାରୀ ମାନ୍ୟତା ପାଇଥିଲା। ପ୍ରତିଷ୍ଠାତାଙ୍କ ମନୋବଳ, ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ସମଗ୍ର ଚିଲିକା ବ୍ଲକ୍‌ରେ ଏକ ଆଦର୍ଶ ତଥା ଶେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିଥିଲା। ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ବୃଦ୍ଧିକୁ ନେଇ ବିଦ୍ୟାଳୟର ସ୍ଥାୟୀ ଗୃହ ନିମନ୍ତେ ବାଲୁଗାଁ ହାଇସ୍କୁଲ୍ ନିକଟବର୍ତ୍ତୀ ଏକ ଜମି କିଣି ସେଠାରେ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଉକ୍ତ ବିଦ୍ୟାଳୟକୁ ବିଭିନ୍ନ ପର୍ଯ୍ୟାୟରେ ଅନେକ ରାଜନେତା ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟଟି ସମଗ୍ର ଅଞ୍ଚଳରେ ଖ୍ୟାତି ଲାଭ କରିଥିବା ବେଳେ ଏହାକୁ ନିଶ୍ଚିହ୍ନ କରିବା ପାଇଁ ଅହରହ ଷଡ଼ଯନ୍ତ୍ର ଜାରି ରହିଛି।

ବାଲୁଗାଁ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ ଆଳରେ ଦୀର୍ଘ ୩୧ ବର୍ଷ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟ ନାମ, ପରିଚୟ ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା ହାଇସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଉଦ୍ୟମ କରାଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ଏଥିସହିତ ଉକ୍ତ ବିଦ୍ୟାଳୟର କୋଠା ଓ ଫାଟକ ଉପରେ ଥିବା ବିଦ୍ୟାଳୟର ନାମକୁ ଲିଭାଇ ଦିଆଯିବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକ ଗେଟ୍‌କୁ ଉଭାନ କରିଦିଆଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ କାଗଜପତ୍ର ମନଇଚ୍ଛା ହାଇସ୍କୁଲ୍ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାଲୁଗାଁ ହାଇସ୍କୁଲ୍‌ର ପରିଚୟପତ୍ର ମଧ୍ୟ ଦିଆଯାଇଥିବାର ଅଭିଯୋଗ ହୋଇଛି।

ଏପରି ଉଦ୍ୟମ କରିବା କେତେଦୂର ଯଥାର୍ଥ? ଉକ୍ତ ଘଟଣାକୁ ନେଇ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଥିଲା ବେଳେ ଓଡ଼ିଶାର ବରପୁତ୍ର ଭାବେ ପରିଚିତ ରାଧାଚରଣ ପଣ୍ଡାଙ୍କ ସ୍ମୃତିକୁ ବଜାୟ ରଖି ଗଢ଼ି ଉଠିଥିବା ଅନୁଷ୍ଠାନ ପ୍ରତି ଅନ୍ୟାୟକୁ ସାଧାରଣରେ ପ୍ରତିବାଦ କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁଖଦାୟକ।

ରାଜ୍ୟରେ ବରପୁତ୍ରଙ୍କ ନାମରେ ଅନେକ ଅନୁଷ୍ଠାନମାନ ରହିଥିଲେ ମଧ୍ୟ ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ ବିଲୋପ ହୋଇଯିବା ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା କେତେ ଦୁର ଗ୍ରହଣୀୟ ବୋଲି ପ୍ରତିଷ୍ଠାତା ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଜନ ପ୍ରତିନିଧି ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରିଣୀ ଏ ଦିଗରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି, ଦଶମ ଏବଂ ଦ୍ଵାଦଶ ଛାତ୍ରଛାତ୍ରୀ ସ୍କୁଲ ଆସିବେ

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ ତାରିଖରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଉଛି, ସେହି ସ୍କୁଲଗୁଡିକରେ ପରୀକ୍ଷା ପରେ ପାଠ ପଢା କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ କୁହାଯାଇଛି। ସ୍କୁଲକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ନୁହେଁ, ପିଲାଙ୍କ ଇଚ୍ଛା ଉପରେ ଏହା ନିର୍ଭର କରେ।

ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ଶ୍ରେଣୀର ପିଲାମାନେ ଅନଲାଇନରେ ପାଠ ପଢା ଜାରି ରଖିବେ। ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବ, ସେହି ଅଞ୍ଚଳରେ ସ୍କୁଲ ଖୋଲିବା ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ। ସଂପୂର୍ଣ୍ଣ କୋଭିଡ ଗାଇଡଲାଇନ ଉପରେ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ହୋଇଛି। ସ୍କୁଲରେ ସାନିଟାଇଜର, ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଉପରେ ବିଶେଷ ଗୁରୁତ୍ଵ ଦେବାକୁ କୁହାଯାଇଛି। ତେବେ ସ୍କୁଲ ସକାଳ ୧୦ ଟାରୁ ଅପରାହ୍ନ ୧ ଟା ୩୦ ଯାଏଁ ଖୋଲା ରହିବ। ଅଫଲାଇନରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ହୋଇଛି।  ପରୀକ୍ଷାର ଦୁଇଦିନ ପୂର୍ବରୁ ସେମାନେ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି।

ସେହିଭଳି ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏବଂ ସେପ୍ଟେମ୍ବର ୧୫ ତାରିଖରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ଘୋଷଣା ହୋଇଛି। ସ୍କୁଲ ଖୋଲିବା ଉପରେ ଜିଲ୍ଲାପାଳ ସଂପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଖୋଲିବ ଆଉ ୧୦ ନର୍ସିଙ୍ଗ୍ କଲେଜ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ରାଜ୍ୟରେ ଆଉ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ୧୦ ଜିଲ୍ଲାରେ ୬୦ ଟି ସିଟ ବିଶିଷ୍ଟ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବ।

ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ନୂଆ ନର୍ସିଙ୍ଗ କଲେଜ ଖୋଲିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ: ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟ ସରକାରଙ୍କୁ ପରୀକ୍ଷା ଫଳ ପ୍ରସ୍ତୁତି ଲାଗି ଗଠିତ ବିଶେଷଜ୍ଞ ଟିମ ରିପୋର୍ଟ ପ୍ରଦାନ କରିବେ। ଦଶମ ବୋର୍ଡ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନକୁ ଗୁରୁତ୍ଵ ଦିଆଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଋଣ ବୋଝ ବେଳେ ଅଧିକାରୀଙ୍କ ପାଇଁ କିଣାଗଲା ୩୨ ଟି ମହଙ୍ଗା କାର: ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧୀ

ତେଲଙ୍ଗନା: ତେଲଙ୍ଗନା ସରକାର ପକ୍ଷରୁ କରୋନା ମହାମାରୀ ସମୟରେ ୩୨ ଜଣ ଅତିରିକ୍ତ ଡିଏମଙ୍କୁ ବୋନସ ହିସାବରେ ବ୍ୟବହାର ପାଇଁ ମହଙ୍ଗା କାର ଦିଆଯାଇଛି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୩୨ ଟି କିଆ କାର କିଣିଛନ୍ତି। ପ୍ରତ୍ୟେକ କାରର ଅନୁମାନିକ ମୂଲ୍ୟ ୨୫ ରୁ ୩୦ ଲକ୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।

କାର କିଣାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଏହି ମହାମାରୀ ସମୟରେ ଯେତେବେଳେ ରାଜ୍ୟ ଉପରେ ୪୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି, ସେତେବେଳେ ଏହି ମହଙ୍ଗା କାର କିଣିବାର କଣ ଆବଶ୍ୟକ ଥିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁଆର ରୋକିବାକୁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦି ଯୋଜନା: ୩୮୦ କିମି ପର୍ଯ୍ୟନ୍ତ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ବର: ସମୁଦ୍ର ଜୁଆର ରୋକିବା ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ସମୁଦ୍ର ତଟରେ ପଥର ବନ୍ଧ ପାଇଁ ଯୋଜନା କରାଯାଇଛି। ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ୩୮୦ କିମି ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୧୯୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା: ୫ ଆଇଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲା ଦାୟିତ୍ଵ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଅଧିକ ପ୍ରଭାବିତ ହେଉଥିବା ୫ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟା ଯୋଗୁଁ ୨ ଦିନ ପାଇଁ ୧୦ ଜିଲ୍ଲାରେ ଲକଡାଉନକୁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା କୋହଳ କରାଯାଇଛି।

ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା କାଳରେ ବ୍ଲାକ ଫଙ୍ଗସ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏହି ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ରାଜସ୍ଥାନରେ ସର୍ବାଧିକ ୭୦୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୦ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କରିଛି।

ତେବେ ଓଡିଶାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ବ୍ଲାକ ଫଙ୍ଗସ୍ ମହାମାରୀ ଭାବେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ ଏହାକୁ ମହାମାରୀ ଘୋଷଣା କରାଯାଇଛି। ଏନେଇ ରାଜ୍ୟସରକାର ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ମିଳିବ ଟୀକା

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ପରିବାର ଲୋକ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଭୟ ରହିଛି।