Categories
ଆଜିର ଖବର ଜାତୀୟ ଖବର

ଦେଓରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଏବଂ ଜିପ୍ ମଧ୍ୟରେ ଧକ୍କା, ୬ ମୃତ

ଦେଓରିଆ: ଦେଓରିଆ ଜିଲ୍ଲାର ଗୌରୀବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବସ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଆଜି ଗୌରୀବଜାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଗୌରୀବଜାର-ରୁଦ୍ରପୁର ରାସ୍ତାରେ ଥିବା ଇନ୍ଦୁପୁର ଗ୍ରାମ ନିକଟରେ ଏକ ବସ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଏହି ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଯୋଗୀ ଟ୍ୱିଟ୍ କରି ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜେଶ ସୋନକର କହିଛନ୍ତି ଯେ, କୁଶୀନଗର ଜିଲ୍ଲାର କୋହଡା ଗାଁର ବାସିନ୍ଦାମାନେ ବିବାହ ପୂର୍ବରୁ ତିଲକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ରାତିରେ ରୁଦ୍ରପୁରର ରାଇଶ୍ରୀ ଗ୍ରାମରୁ ଫେରୁଥିଲେ। ହେଲେ ରାସ୍ତାରେ ସେମାନଙ୍କର ଜିପ୍ ଏବଂ ବସ୍ ମଧ୍ୟରେ ଧକ୍କା ହୋଇଥିଲା। ବସ୍ ଗୋରଖପୁରରୁ ରୁଦ୍ରପୁରକୁ ଯାଉଥିଲା।

ଏହି ଦୁର୍ଘଟଣାରେ ରାମପ୍ରକାଶ ସିଂ, ବଶିଷ୍ଠ ସିଂ, ଜୋଖନ ସିଂ, ଅଙ୍କୁର ପାଣ୍ଡେ ଏବଂ ରମାନନ୍ଦ ମୌର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ମୃତକଙ୍କ ମଧ୍ୟରୁ ଜଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ ଜିତେନ୍ଦ୍ର ପ୍ରତାପ ସିଂ ଏବଂ ପୋଲିସ ଅଧୀକ୍ଷକ ଶ୍ରୀପତି ମିଶ୍ର ବିଳମ୍ବିତ ରାତିରେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ଦୁଃଖ ପ୍ରକାଶ କରି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ମୃତ ତଥା ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ସାଢେ ୯ ଟା ବେଳେ ଏହି ଘଟଣା ଘଟିଛି।

ଖବର ମୁତାବକ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪୦୭ ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ସଂପୃକ୍ତ ଡ୍ରାଇଭରଙ୍କ ଗୋଡ ଷ୍ଟେରିଙ୍ଗରେ ଫସିଯାଇଥିଲା।

ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଗ୍ୟାସ କଟର ସାହାଯ୍ୟରେ ଷ୍ଟେରିଙ୍ଗ ପଟ ଡୋର ଭାଙ୍ଗି କ୍ୟାବିନ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: କୁଲେଇ ଛକ ନିକଟରେ ସଡକ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଅଟୋ ରିକ୍ସା ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି।  ଗୁରୁତର ଅବସ୍ଥାରେ ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତଙ୍କ ନାମ ମୁନା ପ୍ରତିହାରୀ (୨୫ ବର୍ଷ) ଏବଂ ତାଙ୍କ ଘର ବାଣପୁର ଥାନା କୁଲେଇ ଗ୍ରାମରେ ବୋଲି ଜଣାପଡିଛି। ସେ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା। ଖବର ପାଇ ଗଙ୍ଗାଧରପୁର ଅଗ୍ନୀଶମ ବାହିନୀ ଉଦ୍ଧାର କରି ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣକୋଷଡିହ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି।

ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କୋରିଅର ପିକ ଭ୍ୟାନ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକରେ ଉକ୍ତ ଭ୍ୟାନଟିକୁ ପଛପଟୁ ଏକ ବୋଲେରୋଟି ଶକ୍ତ ଧକ୍କା ଦେଇଥିଲା। ବୋଲେରୋଟି ମଧ୍ୟ ସମାନ ଦିଗରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଫଳରେ ଉଭୟ ଗାଡ଼ି ଜାତୀୟ ରାଜପଥରେ ପଲଟି ଯାଇଥିଲା। ବୋଲେରୋ ମଧ୍ୟରେ ଛୋଟ ବଡ଼ ସମୁଦାୟ ୧୪ ଜଣ ବ୍ୟକ୍ତି ଥିବା ବେଳେ କୋରିଅର ଗାଡ଼ିରେ କେବଳ ଗାଡ଼ି ଚାଳକ ଉପସ୍ଥିତ ଥିଲେ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାନାଡା: ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ନୂଆଦିଲ୍ଲୀ: ଶନିବାର ଦିନ କାନାଡାରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଛାତ୍ରମାନେ ଯେଉଁ ଗାଡିରେ ଯାତ୍ରା କରୁଥିଲେ, ସେହି ଗାଡିଟି ଓଣ୍ଟାରିଓ ରାଜପଥରେ ଏକ ଟ୍ରାକ୍ଟର-ଟ୍ରେଲର ସହ ମୁହାଁମୁହିଁ ହୋଇଥିଲା। ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। କାନାଡାର ଭାରତୀୟ ହାଇ କମିଶନର ଅଜୟ ବିସାରିୟା ସୋମବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ପୀଡିତାର ବନ୍ଧୁମାନଙ୍କ ସହ ତାଙ୍କ ଟିମ୍ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନାବାଳକ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ଘାସେଡିହ ଅଞ୍ଚଳରୁ ଶ୍ରୀତମ ନାୟକ (୧୭) ଏକ ବାଇକରେ ପିଙ୍କନ ନାୟକ (୧୪) ଏବଂ ବିଳାସ ନାୟକ (୧୫) ଙ୍କୁ ବସାଇ ବାଣପୁର ଅଭିମୁଖେ ଯାଉଥିଲେ। କିନ୍ତୁ ସାଲୁଣି ଛକ ମୋଡ଼ରେ ଭାରସାମ୍ୟ ହରାଇ ବାଇକଟିକୁ ଶ୍ରୀତମ ଏକ ଗଛରେ ପିଟିଦେଇଥିଲେ। ଫଳରେ ୩ ଜଣ ଯାକ ବାଇକରୁ ଛିଟିକି ତଳେ ପଡିଯାଇଥିଲେ।

ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଆହତଙ୍କୁ ବାଣପୁର ମେଡିକାଲକୁ ଆଣିଥିବା ବେଳେ ପିଙ୍କନଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ପିଙ୍କନ ଘାଷେଡିହ ଗ୍ରାମ ସଞ୍ଜୟ ନାୟକଙ୍କ ପୁତ୍ର ବୋଲି ଜଣାପଡିଛି। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସଂକଟପନ୍ନ ଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ପିଙ୍କନଙ୍କ ମୃତ ଶରୀର ବାଣପୁର ମେଡିକାଲ ମଧ୍ୟରେ ପଡ଼ିରହିଥିବା ବେଳେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ଲେଉଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ସେଠାରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ଭୁବନେଶ୍ୱରରୁ ବ୍ରହ୍ଣପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଭାରତ ପେଟ୍ରୋଲିୟମର ଟ୍ୟାଙ୍କରଟି ରାସ୍ତା ଉପରେ ଲେଉଟି ପଡିଛି। କିନ୍ତୁ ସ୍ଥାନୀୟ ଲୋକମାନେ ଜୀବନକୁ ଖାତିର ନକରି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ପେଟ୍ରୋଲ ଚୋରୀ କରିନେଉଥିବା ଦେଖିବାକୁ ମିଳିଛି।

ଖବର ପାଇ ବାଣପୁର ଆଇଆଇସି, ବାଲୁଗାଁ ଆଇଆଇସି ଏବଂ ଉଭୟ ଥାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏତଦବ୍ୟତୀତ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଟ୍ରକ୍ କାର ମଧ୍ୟରେ ଭୀଷଣ ଟକ୍କର: ନଅ ମୃତ୍ୟୁ, କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅନନ୍ତପୁରମ୍ (ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ଅନନ୍ତପୁରମ୍ ଜିଲ୍ଲାର ବୁଡାଗାଭି ଗ୍ରାମରେ ଟ୍ରକ୍ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣ ମହିଳା ଏବଂ ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ କାରରେ ଡ୍ରାଇଭର ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ। ରବିବାର ଦିନ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ସବ୍-ଇନ୍ସପେକ୍ଟର ଭେଙ୍କଟ ସ୍ବାମୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନେ ନିମାଗାଲୁରୁ ଫେରୁଥିଲେ। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

ଟ୍ରକଟି ଅତ୍ୟଧିକ ବେଗରେ ଆସୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା କାରକୁ ଧକ୍କା ଦେଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କୁ କ୍ଷତିପୂରଣ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଜେପି ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ

ମୁମ୍ବାଇ: ଆଜି ସକାଳେ ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ୭ ଜଣ ମେଡିକାଲ ଛାତ୍ରଙ୍କ ଦୁର୍ଘଟଣା ମୃତ୍ୟୁ ହୋଇଛି। ସେମାନଙ୍କ କାର ବ୍ରିଜରୁ ନଦୀକୁ ଖସିଯିବା ପରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଡାକ୍ତରୀ ଛାତ୍ରମାନେ ମହାରାଷ୍ଟ୍ରର ଦବେଲିରୁ ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାକୁ ଯାଉଥିଲେ। ମୃତ୍ୟୁବରଣ କରିଥିବା ଅଧିକାଂଶ ଛାତ୍ରଙ୍କ ବୟସ ୨୦ ରୁ ୩୫ ବର୍ଷ ହେବ ବୋଲି ଜଣାପଡିଛି। ଆହତମାନଙ୍କୁ ବର୍ଦ୍ଧା ଜିଲ୍ଲା ବର୍ତ୍ତମାନ ସମସ୍ତ ମୃତ ଦେହର ପୋଷ୍ଟମର୍ଟମ କରାଯିବ।

ମୃତ ଛାତ୍ରମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଗୋନ୍ଦିୟା ଜିଲ୍ଲାର ତିରୋଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ବିଜୟ ରହାଙ୍ଗଡାଲେଙ୍କ ପୁଅ ଅଭିଷେକ ରହାଙ୍ଗଡାଲେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବାଇପାସରେ ବସକୁ ଧକ୍କା ଦେଲା ଟ୍ରକ୍, ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗାଡ଼ି ଚାଳକଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ‘ଗାନ୍ଧୀ’ ନାମକ ଏକ ବସ ବାଣପୁର-ବାଲୁଗାଁ ବାଇପାସ ଠାରେ ଯାତ୍ରୀଙ୍କୁ ନେବାପାଇଁ ଅଟକିଥିଲା। ତେବେ ବାଣପୁର ଥାନା ଦୀକ୍ଷିତପଡା ଗ୍ରାମର ବୋଲେରୋ ଚାଳକ ସିଦ୍ଧାନ୍ତ ରଣସିଂହ କିଛି ଯାତ୍ରୀଙ୍କୁ ବୋଲେରୋରେ ନେଇ ଉକ୍ତ ବସରେ ଛାଡିବାକୁ ଯାଇଥିଲେ। ଠିକ ସେହି ସମୟରେ ହଠାତ ପଛପଟୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ବ୍ରହ୍ମପୁର ଯାଉଥିବା ଏକ କ୍ଷୀର ବୋଝେଇ ଅଶୋକ ଲେଲ୍ୟାଣ୍ଡ ଗାଡ଼ିଟି ‘ଗାନ୍ଧୀ’ ବସକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବସ ପାର୍ଶ୍ୱରେ ଠିଆ ହୋଇଥିବା ବୋଲେରୋ ଚାଳକ ସିଦ୍ଧାନ୍ତଙ୍କୁ ବସଟି କିଛି ବାଟ ଭିଡି ନେଇଯାଇଥିଲା। ଫଳରେ ସିଦ୍ଧାନ୍ତଙ୍କ ବାମ ଗୋଡ଼ ଏବଂ ବାମ ହାତଟି ନଷ୍ଟ ହୋଇଯାଇଥିବାର ଜଣାପଡିଛି।

ସଙ୍ଗେସଙ୍ଗେ ସ୍ଥାନୀୟ ଜନସାଧାରଣ ସିଦ୍ଧାନ୍ତଙ୍କୁ ଗୁରୁତର ଭାବେ ବାଲୁଗାଁ ମେଡିକାଲରେ ନେଇଥିବା ବେଳେ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଇକ୍ ଆରୋହୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲୁଗାଁ ନିକଟସ୍ଥ ଗୋପୀନାଥ ପୁର ଗ୍ରାମର ସୁଶିଲ କୁମାର ପାଢୀଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସୁଶିଲ କୁମାର ପାଢୀ (୩୪) ଗତ କାଲି ରାତିରେ ନିଜ ବାଇକ୍ ଯୋଗେ ଟାଙ୍ଗୀରୁ ବାଲୁଗାଁ ଫେରୁଥିଲେ। ତେବେ ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ସେ ଧକ୍କା ଦେଇଥିଲେ। ଫଳରେ ସୁଶିଲ ଗୁରୁତର ହୋଇ ପଡିଥିଲେ। କୁହୁଡି ଫାଣ୍ଡି ପୋଲିସ୍ ଖବର ପାଇ ଗୁରୁତର ଅଵସ୍ଥାରେ ସୁଶୀଲଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୁଶୀଲଙ୍କ ମୃତ ଦେହ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି। ସୁଶୀଲଙ୍କ ପକେଟ୍ ରୁ ପୋଲିସ୍ ୨୬ ହଜାର ଟଙ୍କା ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଶୀଲ ଜଣେ ଯୁବ ସମାଜସେବୀ ଥିଲେ। ସେ ଉକ୍ତ ଅଞ୍ଚଳରେ ଅନେକ ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣ କରି ଲୋକଙ୍କୁ ସେବା ଯୋଗାଉଥିଲେ। ଗତ କିଛି ଦିନ ତଳେ ବାଲୁଗାଁ ହସ୍ପିଟାଲର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ଭାଇରାଲ କରି ସେ ଚର୍ଚ୍ଚାକୁ ଆସିଥିଲେ। କମ ବୟସରୁ ସେ ଜନପ୍ରିୟତା ଲାଭ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗ ଯୋଗୁଁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ, ୧୫ ଆହତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ୧୮ ଜଣ ପୁରୁଷ ଯାତ୍ରୀ ଓଆର-୦୨-କ୍ସ-୬୫୯୯ ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ରା ମିନିବସ ଯୋଗେ ଗୁରୁବାର ଦିନ ସଂନ୍ଧ୍ୟାରେ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ତେବେ ଦର୍ଶନ ସାରି ଗତକାଲି ଫେରୁଥିବା ବେଳେ ରାତି ଦୁଇ ଘଟିକା ସମୟରେ ଯାତ୍ରୀମାନେ ପରିସ୍ରା କରିବା ନିମନ୍ତେ ବସଟି ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଅଟକିଥିଲା। ଉକ୍ତ ସମୟରେ ହଠାତ ପଛପଟୁ କ୍ଷିପ୍ର ଗତିରେ ଏକ ଅଜଣା ଟ୍ରକ ବସକୁ ଶକ୍ତ ଧକା ଦେଇ ଫେରାର ହୋଇଯାଇଥିଲା। ଯାହା ଫଳରେ ବସଟି ରାଜପଥ କଡ଼ରେ ଓଲଟିପଡିଥିଲା। ଏବଂ ତିନି ଜଣ ବ୍ୟକ୍ତି ବସ ତଳେ ଚାପି ହୋଇ ରହିଥିଲେ।

ସୂଚନା ପାଇ ସଙ୍ଗେସଙ୍ଗେ ବାଣପୁର, ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଘଟଣା ଗ୍ରସ୍ତ ବସରୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଆହତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ତେବେ ବସ ତଳେ ଚାପି ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାଲୁଗାଁ ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ତିନି ଜଣ ବ୍ୟକ୍ତି ହେଲେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲି ପଞ୍ଚାୟତ ଭେଙ୍କଟରାୟପୁର ଗ୍ରାମର ଇ. ଲୋହି ଦାସ (୫୭), ଗଙ୍ଗାଧର ମହାରଣା (୩୯) ଏବଂ ନାରାୟଣପୁର ପଞ୍ଚାୟତ ଆଲିପୁର ଗ୍ରାମର ଅସିତ କୁମାର ବେହେରା (୨୯) ବୋଲି ଜଣାପଡିଛି। ମୃତକଙ୍କ ସମ୍ପର୍କୀୟ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ମୃତ, ୨୨ ଆହତ

ବାଡମେର୍: ରାଜସ୍ଥାନର ବାଡମେର୍ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଜିଲ୍ଲା ପୋଲିସ ଅଧୀକ୍ଷକ ଦୀପକ ଭାର୍ଗବଙ୍କ କହିବାନୁସାରେ, ଏକ ବସ୍ ଏବଂ ଅନ୍ୟ ଏକ ଗାଡି ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯିବା ସହ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଥିଲେ।

ଏହି ଦୁର୍ଘଟଣାକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, ବାଡମେର୍ ରେ ବସ୍-ଟ୍ରକ୍ ଦୁର୍ଘଟଣା ସଂପର୍କରେ ବାଡମେର୍ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ ତାଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ନିଶ୍ଚିତ ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କ ଘୋଷଣା: ସଡକ ଦୁର୍ଘଟଣା ଲୋକଙ୍କ ଚିକିତ୍ସା ପାଇଁ ଗଠନ ହେଲା ୧୪୭ କୋଟି ଟଙ୍କାର ପାଣ୍ଠି

ଭୁବନେଶ୍ବର: ସଡକ ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ।

ଆଜି କୁଚିଣ୍ଡାରେ ଆୟୋଜିତ ବିଜୁ ସ୍ବାସ୍ଯ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ଏହି ଘୋଷଣା କରିଛନ୍ତି। ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ସେହି କାର୍ଯ୍ୟରେ ଏହି ପାଣ୍ଠି ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣା: ଟାଟା ମେଜିକ ଓ ବାଇକ ଧକ୍କାରେ ୨ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ମାରଓାଡିମୁଣ୍ଡା ଗ୍ରାମ ନିକଟରେ ଟାଟାମେଜିକ ଓ ବାଇକ ମୁହାଁ ମୁହିଁ ହେବାଫଳରେ ୨ ଜଣ ଆହତ ହୋଇଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା କଣ୍ଢଳ ନିକଟସ୍ଥ ବାବୁତଇଲା ଗ୍ରାମର ସୁନିଲ୍ ଡୁଙ୍ଗଡୁଙ୍ଗ (୩୦) ଓ ସରୋଜ୍ କୁଜୁର(୨୬) ଅପରାହ୍ନ ୪ଟାରେ ନାକଟିଦେଉଳ ପଟୁ ନିଜ ଗ୍ରାମ ବାବୁତଇଲାକୁ ନିଜର ହୋଣ୍ଡାସାଇନ୍ ରେ ଫେରୁଥିବା ବେଳେ ମାରଓାଡିମୁଣ୍ଡା ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଟାଟା ମେଜିକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକ ସୁନିଲ୍ ଓ ସରୋଜ ଆହତ ହୋଇଥିଲେ।

ସେମାନଙ୍କୁ ତୁରନ୍ତ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ କିଛି ସ୍ୱେଚ୍ଛାସେବୀ। ସୁନିଲ୍ ଡୁଙ୍ଗଡୁଙ୍ଗ ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ସରୋଜ ସୁସ୍ଥଥିବା ଜଣା ପଡିଛି। ବେପରୁଆ ଗାଡିଚାଳନା ଯୋଗୁଁ ଏପରି ଦୁର୍ଘଟଣା ହେଉଥିବା ବେଳେ ଗାଡିଚାଳକ ମାନେ ନୀତିନିୟମକୁ ମାନୁ ନାହାନ୍ତି ଯା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା: ୧୩ ମୃତ, ଚାରି ଗୁରୁତର

ଦେହରାଦୁନ୍: ଉତ୍ତରପ୍ରଦେଶର ଦେହରାଡୁନ୍ ଜିଲ୍ଲାର ଚକରତା ତହସିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ଆଉ ଦୁଇଟି ମୃତଦେହ ଅଳିଆ ଗଦାରୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଲହାଡ-ବେଲା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ପ୍ରଶାସନର ଅଧିକାରୀଙ୍କ କହିବାନୁସାରେ, ଏହି ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଗାଡି ନିୟନ୍ତ୍ରଣ ହରାଇ ଏକ ଗଭୀର ଘାଟିରେ ପଡ଼ିଯାଇଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଏବଂ ଏସଡିଆରଏଫ ଟିମ୍ ସହିତ ଚକରତା ଏସଡିଏମ ପହଞ୍ଚିଛନ୍ତି। ସେଠାରେ ରିଲିଫ କାମ ଚାଲିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନିକଟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୩ ମୃତ୍ୟୁ, ୩୦ ରୁ ଉର୍ଦ୍ଧ୍ଵ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡବଲ ଡେକର ବସ୍ ଏବଂ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଡବଲ ଡେକର ବସ୍ ଦିଲ୍ଲୀରୁ ଗୋଣ୍ଡା-ବହରାଇଚକୁ ଯାଉଥିଲା। ଉଭୟ ଗାଡି ଭୁଲ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ପୋଲିସ ଆହତ ଏବଂ ମୃତଦେହକୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ଆହତମାନଙ୍କୁ ନିଜେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ସେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତି ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଅଜଣା ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମାଇଁମଲ ଗ୍ରାମର ମାଧବ ସ୍ୱାଇଁ (୫୫) ପେସାରେ ଜଣେ ମେକାନିକ। ମାଧବ ଆଜି ସନ୍ଧ୍ୟା ୭ ଘଟିକାରେ ମେକାନିକ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଆଇଏନଏସ ଚିଲିକା ଛକ ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଦୁର୍ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ମାଧବଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନାଭଲ ଫାଣ୍ଡି ପୋଲିସ ଫେରାର ଗାଡିକୁ ଖୋଜିବାରେ ଲାଗିପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କଣାସରୁ ବାଲୁଗାଁ ଅଭିମୁଖେ ଆସୁଥିବା ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ: ଯୁବକ ଗୁରୁତର

ସିତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପଥରବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବାଇକ ଉପରେ ଗୋଟିଏ ଟ୍ରକ ଚଢିଯାଇଛି। ଯାହାଫଳରେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ମିଳିଥିବା ଖବର ଅନୁଯାୟୀ, ବାଇକ ଚାଳକ ଜଣକ ଆଜି କଣାସରୁ ବାଲୁଗାଁ ଅଭିମୁଖେ ଯାଉଥିଲେ। ସେହି ସମୟରେ ପଛରୁ ଏକ ଟ୍ରକଟି ବାଇକକୁ ଧକ୍କା ଦେଇ ବାଇକ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରୁ ଟ୍ରକଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା।  ସେଠାରେ କିଛି ଯୁବକ ପହଁଚି ବାଇକ ଚାଳକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯୁବକ ଜଣଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।

ଯୁବକ ଜଣକ ନାମ ସଞ୍ଜୟ ବୋଲି ଜଣାପଡିଛି। ପରେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ବାଇକଟିକୁ ଜବତ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ୫୧ ବର୍ଷୀୟ ବ୍ୟକ୍ତି ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା (୫୧) ଗତକାଲି ଅପରାହ୍ନରେ ବାଣପୁର କଲେଜ ଛକ ନିକଟରୁ ଜମି ଚାଷ ନିମନ୍ତେ ସାର କିଣିବାକୁ ଯାଇଥିଲେ। ହେଲେ ରାସ୍ତାରେ ଗୋଟିଏ ମୋଟରସାଇକେଲ ପ୍ରଶାନ୍ତଙ୍କୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇ ଥିଲେ। ପରିବାର ଲୋକ ଖବର ପାଇ ଆମ୍ବୁଲାନ୍ସ ଦ୍ୱାରା ପ୍ରଶାନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଲାବେଳକୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଗତକାଲି ସଂନ୍ଧ୍ୟାରେ ଏକ ଲିଖିତ ଅଭିଯୋଗ କରାଯିବାପରେ ବାଣପୁର ପୋଲିସ ଏ ସଂକ୍ରାନ୍ତରେ ୩୧୨/୨୧ ରେ ଏକ ମାମଲା ରୁଜୁକରି ଶବ ଜବତ କରି ତଦନ୍ତ ଜାରିରଖିଛି।