Categories
ଆଜିର ଖବର ରାଜ୍ୟ ଖବର

ଜାତିଗତ ଜନଗଣନା ଉପରେ ବିଜେପିର ବକ୍ତବ୍ୟ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ଅପମାନଜନକ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କର ଜାତିଗତ ଜନଗଣନା ଉପରେ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜେପିର ଏହି ବକ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ପଛୁଆବର୍ଗ ରାଜନୀତିକୁ ଗ୍ରହଣ କରିନପାରି ଏହା ଉପରେ ଏଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ। ବିଜେପି ଦଳର ମଙ୍ଗୁଆଳ ସାଜିଥିବା ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଓଡ଼ିଶା ସରକାର ପଛୁଆବର୍ଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଛନ୍ତି। କିନ୍ତୁ ତାକୁ ଏଡ଼ାଇ ଦେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟରେ ପଛୁଆବର୍ଗ ଜନଗଣନାକୁ ନେଇ ଯେଉଁ ବକ୍ତବ୍ୟ ପ୍ରଦାନ କରିଛି ତାହା ବାସ୍ତବରେ ବିଜେପିର ଦୁର୍ବଳ ଶ୍ରେଣୀ ପ୍ରତି ଥିବା ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ଏଠାରେ ଉଲ୍ଲେଖଥାଉକି, ୧୯୫୩ ମସିହାରେ ଭାରତବର୍ଷର ସମ୍ବିଧାନର ପ୍ରଥମ ସଂଶୋଧନ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ କରାଯାଇ କାକା କାଲେକର କମିଶନ ଗଠନ କରାଯାଇ ପଛୁଆବର୍ଗଙ୍କ ସ୍ୱାର୍ଥରେ ଗଠନ କରାଯାଇଥିଲା। ପୁନଶ୍ଚ ୧୯୭୮ ମସିହାରେ ଜନତା ପାର୍ଟି ସରକାର ସମୟରେ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ ମଣ୍ଡଳ କମିଶନ ଗଠନ କରାଯାଇଥିଲା। କିନ୍ତୁ ଦୁଃଖର କଥା ଏହି କମିଶନ ରିପୋର୍ଟ ଦେବାର ୧୦ବର୍ଷ ପରେ କେନ୍ଦ୍ର ସରକାର ଏହାର ସୁପାରିଶକୁ ଆଂଶିକ ଭାବରେ କାର୍ଯ୍ୟକାରୀ କଲେ। ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ପଛୁଅବର୍ଗଙ୍କୁ କେନ୍ଦ୍ର ଚାକିରୀରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଗଲା। ଏହାର ଦୀର୍ଘ ୧୬ବର୍ଷ ପରେ ୨୦୦୬ ମସିହାରେ କେନ୍ଦ୍ରୀୟ ଶିକ୍ଷା ସଂସ୍ଥା ଯଥା ଆଇଆଇଟି, ଆଇଆଇଏମ୍ ଓ ସର୍ବଭାରତୀୟ ମେଡ଼ିକାଲ ଶିକ୍ଷାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାରେ ୨୭ଭାଗ ସଂରକ୍ଷଣ ଦିଆଗଲା।

କିନ୍ତୁ ଦୁଃଖର କଥା ଆଜି ମଧ୍ୟ ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧୧ହଜାର ୨୭ଜଣ ପଛୁଆବର୍ଗ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ବୋଲି ଖୋଦ୍ ଜାତୀୟ ପଛୁଆବର୍ଗ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଏହାର ପ୍ରତିକାର ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଜାତିଗତ ଜନଗଣନାକୁ ନେଇ ବିଜେପି ନେତାମାନେ ଯେଉଁଭଳି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏହା ତାଙ୍କର ପଛୁଆବର୍ଗ ପ୍ରତି ଥିବା ଅସୂୟା ମନୋଭାବକୁ ଦର୍ଶାଉଛି ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି।

ଏପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆ ଜାତିର ଯୁବକଯୁବତୀମାନେ ରାଜ୍ୟ ସରକାରଙ୍କ ଚାକିରୀ କ୍ଷେତ୍ରରେ ୧୧.୨୫ ସଂରକ୍ଷଣ ପାଉଥିବା ବେଳେ ମେଡ଼ିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାମ ଲେଖାରେ ଆଦୌ ସଂରକ୍ଷଣ ପାଉନାହାଁନ୍ତି। କିନ୍ତୁ ସେଥିପ୍ରତି ବିଜେପି ଆନ୍ତରିକତା ପ୍ରକାଶ ନକରି ଓଲଟି ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇବା ଏହି ଜାତିର ସ୍ୱାର୍ଥର ବିଡ଼ମ୍ବନା ମାତ୍ର।

ରାଜ୍ୟ ସରକାର ତୁରନ୍ତ କରୋନା ପରେ ପରେ ଜାତିଗତ ଜନଗଣନାକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଚଳିତ ଶିକ୍ଷାବର୍ଷ ଠାରୁ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ ସମେତ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୫ ତାରିଖ ବାମଦଳ ମାନଙ୍କର ଓଡ଼ିଶା ବନ୍ଦ ଡ଼ାକରାକୁ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଯୋଗୁ ସାଧାରଣ ଖାଉଟି ଅତିଷ୍ଠ ହେଲେଣି। ଏହା ସାଙ୍ଗକୁ ବସ୍ ଭଡ଼ା, ପରିବହନ ଭଡ଼ା ଓ ଅନ୍ୟାନ୍ୟ ଟିକସ ବୃଦ୍ଧି ଯୋଗୁ ଚାଉଳ, ଡ଼ାଲି, ତେଲ, ଚିନି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ସରକାର ବାଦ ଦେବା ଫଳରେ ମୁନାଫାଖୋର ବ୍ୟବସାୟୀମାନେ ତାର ଫାଇଦା ନେଇ ଗ୍ରାହକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି।

ତେଣୁ ବାମ ଦଳମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ଦିଆ ଯାଇଥିବା ସକାଳ ୬ ଘଟିକାରୁ ଦିବା ୧୨ ଘଟିକା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନକୁ ‘ହେରିଟେଜ ଷ୍ଟେସନ’ ଘୋଷଣା କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର: ରେଳ ବିଭାଗକୁ ବର୍ଷକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ବେଳେ ଓଡ଼ିଶା ଅନୁଦାନ ଆକାରରେ ହାରାହାରି ପାଉଛି ୩ ରୁ ୪ ହଜାର ଟଙ୍କା। ଓଡ଼ିଶା ତୁଳନାରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ରେଳ ସାନ୍ଦ୍ରତା ଯଥାକ୍ରମେ ୪୨ କିଲୋମିଟର ଥିଲାବେଳେ ୪୨ ଓ ୩୫ କିଲୋମିଟର ପ୍ରତି ହଜାର ବର୍ଗକିଲୋମିଟରେ ଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୧୫ କି.ମି.।

ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରେଳ ଲାଇନ ଯାଇପାରିଲା ନାହିଁ। ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବା ଯୋଗୁ ଓଡ଼ିଶା ପ୍ରତି କରାଯାଇଥିଲା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି କରି ଏକ ପତ୍ର ଲେଖାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲେଖା ଯାଇଥିôବା ଏହି ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ରେଳ ମନ୍ତ୍ରଣାଳୟର ଅବହେଳାର ଶିକାର କ୍ରମାଗତ ଭାବରେ ହୋଇଚାଲିଛି। ଆପଣ ଯେତେବେଳେ ରେଳ ବିଭାଗର ଦାୟିତ୍ୱ ନେଇଛନ୍ତି ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି ସେହି ପରିପ୍ରେକ୍ଷୀରେ ଆମେ ଓଡ଼ିଶାର ନିମ୍ନୋକ୍ତ ରେଳ ପ୍ରକଳ୍ପ ପାଇଁ ଆପଣଙ୍କ ହସ୍ତକ୍ଷେପ ଦାବି କରୁଛୁ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସମ୍ବଲପୁର-ଗୋପାଳପୁର-ଫୁଲବାଣୀ, ରାୟଗଡ଼ା-ଗୋପାଳପୁର ନୂଆ ରେଳ ଲାଇନ ଏବଂ କୋରାପୁଟ-ମାଲକାନାଗିରି, କୋରାପୁଟ-ନବରଙ୍ଗପୁର ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ। ଦ୍ୱିତୀୟତଃ ରାୟଗଡ଼ା, ରାଉରକେଲା-ଯାଜପୁର କେନ୍ଦୁଝର ରୋଡ଼ ଠାରେ ତିନୋଟି ରେଳ ଡ଼ିଭିଜନ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ କେନ୍ଦୁଝର-ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜବହୁଳ ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଳ ଜୋନରୁ ପୂର୍ବତଟ ରେଳ ଜୋନ୍‌କୁ ଅଣାଯାଉ।

ସେହିଭଳି ବଣାଇ, ରାଜଗାଙ୍ଗପୁର ଓ ଇବ୍ ଭ୍ୟାଲି ଶିଳ୍ପାଞ୍ଚଳକୁ ରାଉରକେଲା ଡ଼ିଭିଜନକୁ ଆଣି ପୂର୍ବତଟ ରେଳ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା-ଢେଙ୍କାନାଳ-ଅନୁଗୁଳ-ତଳେଚର ଓ ସମ୍ବଲପୁର ଏବଂ ଭୁବନେଶ୍ୱର-ବେଙ୍ଗାଲୁର ଓ ଭୁବନେଶ୍ୱର-ମୁମ୍ବାଇ ମଧ୍ୟରେ ତିନୋଟି ନୂଆରେଳ ଚଳାଚଳ କରିବାକୁ ଏହି ପତ୍ରରେ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି।

ଏହା ବ୍ୟତୀତ ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନରେ ଗାନ୍ଧିଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ କଟକ ଷ୍ଟେସନକୁ ଏକ ‘ଐତିହ୍ୟ’ ଷ୍ଟେସନର ମାନ୍ୟତା ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ପାଇକ ବିଦ୍ରୋହର ସ୍ମୃତିରେ ଏହାର ନେତୃତ୍ୱ ନେଇଥିବା ଓଡ଼ିଆ ଜାତିର ଗର୍ବ ଓ ଗୌରବ ବକ୍ସି ଜଗବନ୍ଧୁଙ୍କ ନାମରେ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନକୁ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି। ଆଶା କରାଯାଉଛି ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ।

Categories
ଆଞ୍ଚଳିକ

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସମାଜବାଦୀ ପାର୍ଟି ତରଫରୁ ବିକ୍ଷୋଭ

ଭୁବନେଶ୍ବର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଜାଳେଣୀ ଗ୍ୟାସର ୨୫ ଟଙ୍କା ଦର ବୃଦ୍ଧି ଓ ବ୍ୟବସାୟିକ ଜଳେଣୀ ଗ୍ୟାସର ସିଲିଣ୍ଡର ପିଛା ୮୪ ଟଙ୍କା ଦର ବୃଦ୍ଧି କରିଛନ୍ତି। ଏହା ବିରୁଦ୍ଧରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଥିଲା। ଏଥିରେ ଦଳ ତରଫରୁ ତୁରନ୍ତ ଦର ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଥିଲା ।

ଦେଶବାସୀଙ୍କୁ ‘ଆଚ୍ଛାଦିନ’ର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି କରି ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଯେଉଁଭଳି ଶୋଷଣ କରି ଚାଲିଛନ୍ତି ଏହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଶକ୍ତିଶାଳୀ କରି ଗଢି ତୋଳିବା ପାଇଁ ସମସ୍ତ ବାମ, ଗଣତାନ୍ତ୍ରିକ, ସମାଜବାଦୀ ଦଳ ଓ ଶକ୍ତିମାନେ ଏକାଠି ହେବାକୁ ପାର୍ଟି ପକ୍ଷରୁ ସଭାପତି ବେହେରା ନିବେଦନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍‌, ୟୁଟୁବ୍‌ରେ ପାଠପଢା ଧର୍ମକୁ ଆଖିଠାର: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ। ଭାରତରେ ଟେଲିଫୋନ ସେବା ୮୭ ଜଣଙ୍କ ପାଖରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୭୭ଭାଗ। ଅର୍ଥାତ୍ ରାଜ୍ୟର ୨୩ଜଣଙ୍କ ପାଖରେ ଆଜି ବି ଟେଲିଫୋନ ସେବା ପହଞ୍ଚି ନାହିଁ। ଯେତିକି ସେବା ପହଞ୍ଚିଛି, ନେଟୱର୍କ ବହୁତ ଦୁର୍ବଳ। ଚାରିକୋଟି ପଚାଶଲକ୍ଷ ଲୋକଙ୍କ ଭିତରୁ ପାଖାପାଖି ତିନିଲକ୍ଷ ଲୋକ ଇଣ୍ଟରନେଟ ବ୍ୟବହାର କରୁଥିବାର ଜଣାଯାଏ।

ଖୋଦ୍ ଶିକ୍ଷାମନ୍ତ୍ରୀ ବିଧାନସଭାରେ ଅତୀତରେ ପ୍ରକାଶ କରିଥିଲେ ଯେ, ରାଜ୍ୟର ୫୪ ଭାଗ ପିଲାଙ୍କ ପାଖରେ ଟେଲିଫୋନ ଅଛି। ସେଥିମଧ୍ୟରୁ ମାତ୍ର ୨୮ଭାଗ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି। ଅର୍ଥାତ୍ ୭୨ ଭାଗ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସେବା ଉପଲବ୍ଧ ନାହିଁ। ଖୋଦ୍ ରାଜଧାନୀରେ ଟେଲିଫୋନ୍ ସେବା କେତେ ସ୍ପଷ୍ଟ ତାହା ଆମେ ଅଙ୍ଗେ ଲିଭାଉଛେ। ତେଣୁ ଏଭଳି ପରିସ୍ଥିତିରେ ଅନ୍ ଲାଇନ୍ ଓ ୟୁଟୁବ୍‌ରେ ପାଠପଢା ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଧର୍ମକୁ ଆଖିଠାର’ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଯେଉଁ ଦେଶରେ ଖୋଦ୍ କ୍ୟାବିନେଟ ମନ୍ତ୍ରୀ ସିଡ଼ି ଲଗାଇ ଗଛ ଉପରେ ଚଢି ଟେଲିଫୋନ୍ ଧରନ୍ତି, ସେ ଦେଶର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ଓ ୟୁଟୁବ୍‌ରେ ପାଠ ପଢିବେ କେମିତି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି।

ସରକାର ଯଦି ଆନ୍ତରିକ ଭାବେ ଚାହାଁନ୍ତି, ଦେଶବାସୀ ଡ଼ିଜିଟାଲ ସ୍ୱାଧୀନତା ପାଆନ୍ତୁ, ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଟେଲିଫୋନ ସେବା ଦ୍ୱାରା ମହାମାରୀ ସମୟରେ ଶିକ୍ଷାଲାଭ କରନ୍ତୁ, ତାହେଲେ ଚାଷୀମାନଙ୍କୁ ମୋବାଇଲ ଯୋଗାଇ ଦେବା ଭଳି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଡ଼ିଜିଟାଲ ଶିକ୍ଷା ଯୋଗାଇ ଦେବା ପାଇଁ ସ୍ମାର୍ଟ ଫୋନ୍ / ଲାପ୍‌ଟପ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ଏବଂ ଡ଼ିଜିଟାଲ ସ୍ୱାଧୀନତାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରିବ।

ମହାମାରୀ ସମୟରେ ଶିକ୍ଷାର ସଙ୍କଟ ଆଉ ଭବିଷ୍ୟତରେ ରହିବ ନାହିଁ। ବିଶେଷତଃ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ, ନୀରବଚ୍ଛିନ୍ନ ଡ଼ିଜିଟାଲ ସେବା ପହଞ୍ଚିବା ସହିତ ରାଜ୍ୟର ଆଗୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ଭଳି ମଧ୍ୟ ସେମାନେ ଡ଼ିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଲାଭ କରିପାରିବେ।

ତେଣୁ ରାଜ୍ୟର ଭବିଷ୍ୟତ ନାଗରିକମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ସେମାନଙ୍କୁ ଡ଼ିଜିଟାଲ ସ୍ୱାଧୀନତା ଦେବା ସହିତ ନିରନ୍ତର, ନୀରବଚ୍ଛିନ୍ନ ଗୁଣାତ୍ମକ ଅନଲାଇନ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଓ ଲାପଟପ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ଏହା ସହିତ ରାଜ୍ୟରେ ସମସ୍ତ ଅଞ୍ଚଳକୁ ମୋବାଇଲ ସେବା ଯୋଗାଇ ଦେବା ସହିତ ଗୁଣାତ୍ମକ ଇଣ୍ଟରନେଟ ସେବା ପାଇଁ ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ପାଖରେ ରାଜ୍ୟ ସରକାର ଦାବି କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ହେଲେ କିଛି ଅସୁବିଧା ନାହିଁ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ୧୯୮୮ ମସିହାରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର କରାଗଲେ କୌଣସି ଅସୁବିଧା ହେବନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି କରାଯାଉଛି। ତେଣୁ କିଛି ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂଆ ପ୍ରକଳ୍ପ ସବୁ କରିବାର ଆବଶ୍ୟକତା ରହିଛି।

ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ଭୁବନେଶ୍ୱରର ଅନ୍ୟ ଏକ କେନ୍ଦ୍ରସ୍ଥଳ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଆମ୍ଭେ ସ୍ୱାଗତ କରୁଛୁ। କିଛି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଗୋଳିଆ ପାଣିରୁ ମାଛ ଧରିବାର ଯେଉଁ ଉଦ୍ୟମ କରୁଛନ୍ତି, ସେଥିରୁ ସେମାନେ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ସେମାନଙ୍କୁ ବିନମ୍ର ଅନୁରୋଧ କରୁଛି।

ଜନସାଧାରଣଙ୍କ ହିତ ଓ ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ ଘୋଡ଼ାକୁ ସ୍ଥାନାନ୍ତର କରାଯାଇ ରାଜଭବନ ଛକରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଯଥାର୍ଥ ଓ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି।

ଏହା କାହାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିମ୍ବା କାହାକୁ ଆଘାତ ଦେବା ପାଇଁ କରାଯାଉ ନାହିଁ, ବରଂ ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି। ତେଣୁ ଏହାକୁ ବିରୋଧ ନକରି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ସହଯୋଗ କରିବାକୁ ସେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାୟାବତୀଙ୍କ ୯ ବିଧାୟକ ଦଳ ଛାଡିବେ!: ଅଖିଳେଶ ଯାଦବଙ୍କୁ କରି ପାରନ୍ତି ସାକ୍ଷାତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ହେଲେ ସେଠାରେ ଏବେଠାରୁ ରାଜନୀତି ହଲଚଲ ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ବହୁଜନ ସମାଜବାଦୀ ପାର୍ଟିର ୯ ଜଣ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିବାକୁ ଯାଇଥିବା ସୂଚନା ମିଳିଛି।

ଖବର ମୁତାବକ, ବିଏସପିର ଏହି ୯ ବିଧାୟକ ଦଳ ପ୍ରତି ଅସନ୍ତୋଷ ଥିଲେ। ତେବେ ଅଖିଳେଶଙ୍କ ସହ ଏହି ବିଧାୟଙ୍କ ସାକ୍ଷାତ ଖବର ଶୁଣି ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବିଏସପିର ଏହି ଅସନ୍ତୋଷ ବିଧାୟକମାନେ ହାତୀ ଛାଡି ସାଇକେଲରେ ବସିବେ ବୋଲି ଅନୁମାନ କରାଯାଉଛି। ଯଦି ଏହା ସତ ହୁଏ, ତେବେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ବଡ ଝଟକା ଲାଗିବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡ଼ିଶାର ସ୍ୱାଭିମାନ ପ୍ରତି ଏକ ଆହ୍ୱାନ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ୭୪ବର୍ଷର ସ୍ୱାଧୀନତା ପରେ ପ୍ରଥମ ବ୍ୟକ୍ତି ଭାବରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ୨୦୧୮ ମସିହାରେ ଓଡ଼ିଶାରୁ ଭାରତବର୍ଷର ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। କିନ୍ତୁ ଦୁଃଖର କଥା କାଳର କରାଳ ସ୍ରୋତରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରଘୁନାଥ ମହାପାତ୍ର ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୩ବର୍ଷ ବାକି ଥାଉ ଥାଉ ଗତମାସରେ ଇହଧାମରୁ ବିଦାୟ ନେଲେ। ତାଙ୍କ ମୃତ୍ୟୁର ଦୁଃଖ ଓଡ଼ିଶାବାସୀଙ୍କ ମନରୁ ନ ଭୁଲୁଣୁ ଭାରତବର୍ଷର ରାଷ୍ଟ୍ରପତି ମହୋଦୟ ତାଙ୍କର ବାକି କାର୍ଯ୍ୟକାଳ ପାଇଁ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀଙ୍କୁ ମନୋନୀତ କରିଛନ୍ତି।

ଶ୍ରୀଯୁକ୍ତ ଜେଠମାଲାନୀ ଜଣେ ଖ୍ୟାତନାମା ଓକିଲ ଏବଂ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିବାରେ ଆମ୍ଭର କୌଣସି ବିଦ୍ୱେଷ ନାହିଁ। କିନ୍ତୁ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରୀଯୁକ୍ତ ଜେଠମାଲାନୀଙ୍କୁ ମନୋନୟନ କରିବା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି। ଏ ରାଜ୍ୟରେ ଶିଳ୍ପ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପୀକଳା ଓ ରାଜନୀତି କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ। ବହୁ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କୁ ଅବଶିଷ୍ଟ ସମୟ ପାଇଁ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାରୁ ମନୋନୀତ କରିପାରିଥାନ୍ତେ।

କିନ୍ତୁ ଦୁଃଖ ଓ ପରିତାପର କଥା ନିର୍ବାଚନ କମିଶନଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଭାରତୀୟ ଜନତା ପାର୍ଟି ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ ଗାରିମାକୁ ମଧ୍ୟ ତାର ସ୍ୱାର୍ଥ ପାଇଁ ବାଜିରେ ଲଗାଇ ମହେଶ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତି କରିଛି। ଏହା ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଏକ ଆହ୍ୱାନ। ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟର ସ୍ୱାଭିମାନ ପାଇଁ ଏହାକୁ ବିରୋଧ କରିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖି ସେ ନିଜର ନାପସନ୍ଦକୁ ଜାହିର କରିବା ସହିତ ଆଗାମୀ ଦିନରେ ଯେଉଁ ଶୂନ୍ୟସ୍ଥାନ ଆସିବ, ସେଥିରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ରାଜ୍ୟର ମାନ୍ୟବର ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ବିରୋଧୀ ଦଳ ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନୋନୟନର ପ୍ରତିବାଦ କରିବାକୁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ବାବୁଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡ଼ାକୁ ନବୀନ ସରକାରଙ୍କର ମେଗା ଷ୍ଟିଲ ପ୍ଳାଣ୍ଟ ଉପହାରକୁ ସ୍ଵାଗତ: ସମାଜବାଦୀ ପାର୍ଟି

ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ।

ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏବଂ ଏହା ଦ୍ଵାରା କେନ୍ଦ୍ରପଡା, ଜଗତସିଂହପୁର ଓ ପଡୋଶୀ ଯାଜପୁର ଜିଲ୍ଲାର ବେକାରି ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ।

ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।