Categories
ଆଜିର ଖବର ଜାତୀୟ ଖବର

ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମ୍ବିଧାନ ହତ୍ୟା ଦିବସ ପାଳିତ

ନୂଆଦିଲ୍ଲୀ: ୨୦୨୫ ମସିହା ଜୁନ୍‌ ମାସ ୨୫ ତାରିଖରେ, ସାରା ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଏହାର ନେତୃତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପରାଜ୍ୟପାଳ ନେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ଥିଲା :

ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା।

ସାର୍ବଜନୀନ ଆଲୋଚନା ସହ ପ୍ରଦର୍ଶନୀ ପ୍ରଦର୍ଶନ କରିବା ଏବଂ ଚଳଚ୍ଚିତ୍ର ପ୍ରଦର୍ଶନରେ ସାମିଲ ହେବ।

ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ଆନ୍ତଃପିଢ଼ିଗତ ଆଲୋଚନାକୁ ପ୍ରୋତ୍ସାହିତ କରିବା।

ଭାରତରେ ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ; ଏହା ଏକ ସଭ୍ୟତାର ଚିନ୍ତାଧାରା, ଯାହା ଭାରତର ଐତିହାସିକ ଏବଂ ସାଂସ୍କୃତିକ ଢାଞ୍ଚା ସହ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଏକ ସଭ୍ୟତାଗତ ନୀତି। ସମ୍ବିଧାନ ହତ୍ୟା ଦିବସ କେବଳ ଏକ ଅତୀତରେ ଘଟିଥିବା ଅନ୍ୟାୟର ସ୍ମୃତିଚାରଣ ନୁହେଁ, ବରଂ ଗଣତାନ୍ତ୍ରିକ ନୀତି, ସାଂଗଠନିକ ଅଖଣ୍ଡତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ଉତ୍କୃଷ୍ଟ ଉଦାହରଣ। ଆସନ୍ତୁ ଆମେ ଏକ ରାଷ୍ଟ୍ର ଭାବରେ ଆମ ଗଣତନ୍ତ୍ରର ମୂଳଦୁଆକୁ ରକ୍ଷା କରିବା ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିବା, ଅତୀତର ସ୍ମୃତିଚାରଣ କରିବା  ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା।

ଦିଲ୍ଲୀ

ସଂସ୍କୃତି ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୦ଟି ପ୍ରମୁଖ ସ୍ଥାନରେ “ଗଣତାନ୍ତ୍ରିକତା ଦୀର୍ଘଜୀବୀ ହେଉ” ପ୍ରଦର୍ଶନୀର ଶୁଭାରମ୍ଭ ପାଇଁ ଯୋଗାଯୋଗର ଉଦ୍ୟମ କରୁଛି,  ଯାହା ଆଗାମୀ ସପ୍ତାହଗୁଡ଼ିକରେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

ଦିଲ୍ଲୀସେଣ୍ଟ୍ରାଲ ପାର୍କ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ସେଣ୍ଟ୍ରାଲ ପାର୍କ, କନଟ୍ ପ୍ଲେସରେ ‘ସମ୍ବିଧାନ ହତ୍ୟା ଦିବସ’ ଉପରେ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦ ଏମର୍ଜେନ୍ସି ଡାଏରୀଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍‍ ଏ ଲିଡର” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସମ୍ବିଧାନ ହତ୍ୟା ଦିବସ “ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ’ ଦ ଏମର୍ଜେନ୍ସି ଡାଏରୀଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍‍ ଏ ଲିଡର” ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି, ଯାହା ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ପୁସ୍ତକ ଉନ୍ମୋଚନ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ପୁସ୍ତକରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜଣେ ଯୁବ ସଂଘ ପ୍ରଚାରକ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ, ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ନେତୃତ୍ୱରେ ୧୯ ମାସ ଧରି ଚାଲିଥିବା ଆନ୍ଦୋଳନ ସମୟରେ ସେ କିପରି ଆତ୍ମଗୋପନ କରି ଲଢ଼ିଥିଲେ, ସେ ବିଷୟରେ ଉଲ୍ଲେଖ ରହିଛି। ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ସେ କିପରି ମିଶା ଅଧିନିୟମ ଅନୁଯାୟୀ ଜେଲରେ ଥିବା ଲୋକଙ୍କ ଘରକୁ ଯାଇଥିଲେ ଏବଂ ସେମାନଙ୍କ ପରିବାର ସହିତ କଥା ହୋଇଥିଲେ ଏବଂ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀ ମୋଦୀ ବଜାର, ଛକ, ଛାତ୍ର ଏବଂ ମହିଳାଙ୍କ ମଧ୍ୟରେ ଗୁପ୍ତ ଭାବରେ ପ୍ରକାଶିତ ଅନେକ ଖବରକାଗଜ ବଣ୍ଟନ କରିଥିଲେ ଏବଂ ସେ ଗୁଜରାଟର ୨୫ ବର୍ଷ ବୟସ୍କ ଯୁବକ ଭାବରେ ଏହି ସଂଘର୍ଷର ନେତୃତ୍ୱ ନେଇଥିଲେ। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସେହି ସମୟରେ ଭୂମିଗତ ଭାବେ କାମ କରୁଥିଲେ, ବେଳେବେଳେ ସନ୍ଥ ଭାବେ, ବେଳେବେଳେ ସର୍ଦ୍ଦାରଜୀ ଭାବେ, ବେଳେବେଳେ ହିପ୍ପି ଭାବେ, ବେଳେବେଳେ ଧୂପକାଠି ବିକ୍ରେତା ଭାବେ କିମ୍ବା ଆଉ ବେଳେବେଳେ ସମ୍ବାଦପତ୍ର ବିକ୍ରେତା ଭାବେ।

ଅମିତ ଶାହ କହିଥିଲେ ଯେ ଜଣେ ୨୫ ବର୍ଷ ବୟସ୍କ ଯୁବକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଏକଛତ୍ରବାଦୀ ଚିନ୍ତାଧାରାକୁ ବିରୋଧ କରିଥିଲେ। ବଂଶବାଦ ରାଜନୀତିକୁ ପୁନର୍ବାର ପ୍ରତିଷ୍ଠା କରିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, କିନ୍ତୁ ଶ୍ରୀ ମୋଦୀ ଘର-ଘର, ଗାଁ-ଗାଁ ଏବଂ ସହର-ସହର ଯାଇ ଏହାର ପ୍ରତିବାଦ କରିଥିଲେ, ଏବଂ ଶେଷରେ ସେ ୨୦୧୪ ରେ ସମଗ୍ର ଦେଶରୁ ବଂଶବାଦ ରାଜନୀତିକୁ ମୂଳପୋଛ କରିଥିଲେ। ସେ କହିଛନ୍ତି ଯେ ଏହି ପୁସ୍ତକରେ ଗଣମାଧ୍ୟମ ସେନ୍ସରସିପ୍, ସରକାରୀ ଦମନ, ସଂଘ ଏବଂ ଜନସଂଘର ସଂଘର୍ଷ, ଜରୁରୀକାଳୀନ ପରିସ୍ଥିତିର ଶିକାର ହୋଇଥିବା ବ୍ୟକ୍ତିଙ୍କ ବର୍ଣ୍ଣନା ଏବଂ ଏକଛତ୍ରବାଦ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ଅଂଶଗ୍ରହଣ ପର୍ଯ୍ୟନ୍ତ ପାଞ୍ଚଟି ଅଧ୍ୟାୟ ରହିଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶର ଯୁବକମାନଙ୍କୁ ଏହି ପୁସ୍ତକ ପଢ଼ିବାକୁ ନିବେଦନ କରିଛନ୍ତି ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ ଯେଉଁ ଯୁବକମା ତାଙ୍କ ପ୍ରାରମ୍ଭିକ ଦିନରେ ଏକଛତ୍ରବାଦ ବିରୁଦ୍ଧରେ ଲଢ଼ିଥିଲେ, ସେହି ଯୁବକ ହିଁ ଏହି ଦେଶରେ ଗଣତନ୍ତ୍ରର ମୂଳକୁ ମଜବୁତ କରୁଛନ୍ତି, ଏବଂ ସେ ହେଉଛନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବିଧାନ ହତ୍ୟା ଦିବସ ୨୦୨୫ ପାଳିତ, ଓଡିଶାର ୧୦୮ ଜଣ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ ସମୟକୁ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ।

ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେ ସବୁକୁ କେହି ଭୁଲି ପାରିବେ ନାହିଁ। କିନ୍ତୁ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫ ଜୁନ ୨୦୨୬ରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।

ଜରୁରୀକାଳୀନ ସମୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେହି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ, ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସାରା ଭାରତରେ ଲଢେଇ ଜାରି ରଖିଥିଲା । ଦେଶର ସମସ୍ତ ବଡ ବଡ ନେତାଙ୍କ ସହିତ ଅଟଳ ବିହାରୀ ବାଜପେୟୀଜୀ ଓ ଲାଲକୃଷ୍ଣ ଆଡଭାନୀଜୀଙ୍କ ପରି ନେତା ମାନେ ମଧ୍ୟ ଜେଲ ଯାଇଥିଲେ। ଦମନଲୀଳା ଏତେ ମାତ୍ରାରେ ଥିଲା ତାଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ଯଦି ସରକାରଙ୍କୁ ବିରୋଧ କରିବ ତେବେ ଜେଲ ଯିବ ଅଥବା ଖବରକାଗଜ ବନ୍ଦ ହେବ। ଅନେକ ନିଜ ନିଜ ଖବରକାଗଜକୁ ବନ୍ଦ କରିବାକୁ ଚାହୁଁ ନ ଥିଲେ, ଯେଉଁମାନେ ଝୁଙ୍କିଲେ ନାହିଁ, ତାଙ୍କୁ ଜେଲ ଯିବାକୁ ପଡିଲା। ପ୍ରାୟ ୧୦ ହଜାର ସାମ୍ବାଦିକ ଜେଲ ଦଣ୍ଡ ଭୋଗିଲେ।

ଆମ ଓଡିଶାରେ ମଧ୍ୟ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ଅନେକ ବଡ ବଡ ନେତା ଗିରଫ ହୋଇଥିଲେ। ଲୋକତନ୍ତ୍ର ସେନାନୀମାନେ, ଯେଉଁମାନେ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି, ସେମାନେ ଜାଣିଛନ୍ତି ସେମାନଙ୍କ ଉପରେ ଜେଲରେ କିପରି ଅତ୍ୟାଚାର କରାଯାଉଥିଲା। ସେମାନେ ଜାଣିଛନ୍ତି ଯେ କିପରି ଜରୁରୀକାଳୀନ ପରିସ୍ଥିତି ସମୟରେ MISA କୁ ବ୍ୟବହାର କରି ବିନା ବିଚାରରେ ମାସ ମାସ ଧରି ଲୋକଙ୍କୁ ଜେଲରେ ରଖାଯାଉଥିଲା ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆଜି ଆମ ସହିତ ୧୦୮ ଜଣ ଲୋକତନ୍ତ୍ର ସେନାନୀ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମ୍ମାନିତ କରି ଆମେ ଗୌରବାନ୍ୱିତ ଅନୁଭବ କରୁଛୁ। ଆମ ସରକାର ଆସିବା ପରେ ଆମେ ଆମର ଲୋକତନ୍ତ୍ର ସେନାନୀ ମାନଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ମଧ୍ୟ ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି। ଅନ୍ୟ ଲୋକତନ୍ତ୍ର ସେନାନୀ ମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ। ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୫୦ ବର୍ଷ ତଳେ ଯେଉଁ ଭୁଲ ହୋଇଥିଲା ତାହା ଆଜିର ପୀଢ଼ି ଜାଣିବା ଦରକାର ଆଉ ଅନ୍ୟର ଭୁଲ ରୁ ମଣିଷ ଶିଖିବା ଭଳି, ଆଜିର ପୀଢ଼ି ଏହି ଦିବସରେ ଶିଖିବା ଦରକାର।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସମ୍ମାନିତ ଅତିଥିଗଣ ଏହି ଜରୁରୀକାଳୀନ ସମୟର ଲୋକତନ୍ତ୍ର ସେନାନୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହାସହିତ ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ ଓ ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।

ସେ ସମୟରେ ଦେଶକୁ ଶାସନ କରିବାକୁ ଯେଉଁ ବ୍ୟବସ୍ଥା ଚାଲିଥିଲା ସେ ସମୟ ସମସ୍ତଙ୍କ ପାଇଁ ଏକ କଳା ଦୁନିଆ ଥିଲା। କିନ୍ତୁ ସେଇ ଲଢେଇ ଆଜିର ଦିନରେ ଏକ ଶିକ୍ଷା ହେଉ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଲୋକତନ୍ତ୍ର ସେନାନୀ ଶ୍ରୀ ବିମ୍ବାଧର କୁଅଁର, ଶ୍ରୀ କୃଷ୍ଣଚନ୍ଦ୍ର ଜଗଦେବ, ଓ ଶ୍ରୀ କାହ୍ନୁଚରଣ ବେହେରା ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ #LongLiveDemocracy Yatra” (ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରା)ର ଶୁଭାରମ୍ଭ କରିବେ। ୧୯୭୫ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ତମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ସହଯୋଗରେ, ୨୫ ଜୁନ୍ ୨୦୨୫ରେ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ସମ୍ବିଧାନ ହତ୍ୟା ଦିବସ ଆୟୋଜନ କରିବ। ଏହି ଦିନଟି ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷାର ଗୁରୁତ୍ୱକୁ ସ୍ମରଣ କରାଏ।

୧୯୭୫ ମସିହା ଜୁନ୍ ୨୫ ତାରିଖରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଅନ୍ୟତମ। ଏହି ସମୟରେ, ମୌଳିକ ଅଧିକାରକୁ କ୍ଷୂଣ୍ଣ କରାଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ସଙ୍କୁଚିତ କରାଯାଇଥିଲା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ନୀରବ କରି ଦିଆଯାଇଥିଲା। ୨୦୨୪ରେ ଭାରତ ସରକାର ଆନୁଷ୍ଠାନିକ ଭାବରେ ୨୫ ଜୁନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଜରୁରୀ ପରିସ୍ଥିତି ବିଷୟରେ ସ୍ମରଣ କରାଇବା ଏବଂ ଗଣତନ୍ତ୍ରର ବଜାୟ ରଖିବା।

ଚଳିତ ବର୍ଷ ସମ୍ବିଧାନ ହତ୍ୟା ଦିବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଥିବା ବେଳେ କେନ୍ଦ୍ର ରେଳ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଗଣତନ୍ତ୍ର ଉପରେ ଏକ ପ୍ରଦର୍ଶନୀ ତିନୋଟି ସ୍ୱତନ୍ତ୍ର ଭାଗରେ ପ୍ରଦର୍ଶିତ ହେବ। ଏଥିରେ ଭାରତର ପ୍ରାଚୀନ ଓ ସହଭାଗୀ ଗଣତାନ୍ତ୍ରିକ ପରମ୍ପରା ସହିତ ୧୯୭୫ ଜରୁରୀ ପରିସ୍ଥିତିର କ୍ରମାନ୍ୱୟ ସୂଚନା ପ୍ରଦର୍ଶିତ କରାଯିବ। ସେହିପରି ଭାରତରେ ଗଣତନ୍ତ୍ରକୁ ମଜବୁତ କରିବା ଲାଗି ଗ୍ରହଣ କରାଯାଇଥିବା ନିର୍ବାଚନୀ ସ୍ୱଚ୍ଛତା, ନାରୀ ଶକ୍ତି ବନ୍ଦନ ଅଧିନିୟମ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଡିଜିଟାଲ ସାର୍ବଜନୀନ ଅଭିଯୋଗ ପ୍ଲାଟଫର୍ମ ଏବଂ ନିକଟରେ ଗ୍ରହଣ କରାଯାଇଥିବା ଗଣତାନ୍ତ୍ରିକ ସଂସ୍କାରକୁ ପ୍ରଦର୍ଶିତ କରାଯିବ। ଜରୁରୀ ପରିସ୍ଥିତି ଉପରେ ଏନଏସଡି ଦ୍ୱାରା ଏକ ନାଟକ ପରିବେଷଣ କରାଯିବ। ଏହି ବିଷୟ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ନାଗରିକଙ୍କ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ବ୍ୟକ୍ତ କରିବା ନିମନ୍ତେ ବ୍ୟକ୍ତିଗତ ବାର୍ତ୍ତା ଦେବା ଲାଗି ଏକ ଦସ୍ତଖତ କାନ୍ଥ ବା ସିଗ୍ନେଚର୍‌ ଟ୍ରିବ୍ୟୁଟ୍‌ ୱାଲ ପ୍ରଦର୍ଶନ କରାଯିବ।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମାଇଁ ଭାରତ ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଆୟୋଜିତ ‘#LongliveDemocracy Yatra’ (ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରା)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସାମ୍ବିଧାନିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ଅଧିକାର ଏବଂ ଜରୁରୀକାଳୀନ ପରିସ୍ଥିତିରୁ ଶିକ୍ଷା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଏହି ଯାତ୍ରା ସାରା ଦେଶରେ ଆୟୋଜିତ ହେବ। ଦିଲ୍ଲୀରେ ମୁଖ୍ୟ କାର୍ଯ୍ୟକ୍ରମ ସମେତ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଜରୁରୀ ପରିସ୍ଥିତିର ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନିତ କରାଯିବ। ପ୍ରଦର୍ଶନୀ, ସର୍ବସାଧାରଣ ଆଲୋଚନା ଏବଂ ଚଳଚ୍ଚିତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ୫୦ଟି ପ୍ରମୁଖ ସ୍ଥାନରେ ଲଙ୍ଗ ଲିଭ୍‌ ଡେମୋକ୍ରାସି ପ୍ରଦର୍ଶନୀ ଆୟୋଜନ କରିବ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରିବ ସମ୍ବିଧାନ ହତ୍ୟା ଦିବସ: ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ଉପରେ ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବା ଆମକୁ ସେହି ସମୟକୁ ମନେ ପକାଇଦେବ ଯେ ଯେତେବେଳେ ଭାରତୀୟ ସମ୍ବିଧାନକୁ ଦମନ କରି ଦିଆଯାଇଥିଲା ସେତେବେଳେ କଣ ଘଟିଥିଲା ? ଜରୁରୀକାଳୀନ ପରିସ୍ଥିତି, ଯାହାକୁ କଂଗ୍ରେସ ଭାରତୀୟ ଇତିହାସରେ ଏକ କଳା ପର୍ଯ୍ୟାୟ ଆରମ୍ଭ କରିଥିଲା , ତାହାର ଅତ୍ୟଧିକତା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହା ଏକ ଦିବସ।