Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସହାୟତାରେ ସମ୍ ହସ୍ପିଟାଲ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍‌) ସଫଳତାର ସହ ସଂପାଦନ କରାଯାଇଛି।

ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା।

ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଭୁବନେଶ୍ୱର ପଟିଆ ଅଂଚଳର ୧୪ ମାସର ଶିଶୁ ସାଇ ସତ୍ୟଜିତ ବେହେରାର ଜନ୍ମରୁ ଏଭଳି ତ୍ରୁଟି ରହିଥିବା ବେଳେ ତା’ର ପିତାମାତା ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ସେମାନେ ଜାନୁଆରୀ ୮ ତାରିଖ ଦିନ ସମ୍‌ ହସ୍ପିଟାଲ୍‌କୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ। ଜାନୁଆରୀ ୧୨ ତାରିଖ ଦିନ ସେ ହସ୍ପିଟାଲ୍‌ରେ ଦାଖଲ ହୋଇଥିବା ବେଳେ ୧୪ ତାରିଖ ଦିନ ପ୍ରଫେସର ମହାପାତ୍ର ତା’ର ଅପରେସନ୍ କରିଥିଲେ। ଗୁରୁବାର ଦିନ ଶିଶୁ ସାଇ ସତ୍ୟଜିତ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ନୂଆଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସେ ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର
କରିଛନ୍ତି।

ଏହି ବଂଶାନୁକ୍ରମିକ ତ୍ରୁଟିଜନିତ ବ୍ୟାଧି ପ୍ରତ୍ୟେକ ୩ ଲକ୍ଷ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେଖାଦେଉଥିବା ବେଳେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଭଳି ଦକ୍ଷିଣ-ପୂର୍ବ ଏସିଆନ୍ ଦେଶ ଗୁଡ଼ିକରେ ଅଧିକ ମାତ୍ରାରେ ଦେଖାଯାଉଛି। ଯଦିଓ ଭାରତରେ ଏହା ଖୁବ୍ ବିରଳ ତେବେ ଉତରପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ କେତେକ ଶିଶୁଙ୍କ କ୍ଷେତ୍ରରେ ଏହି ତ୍ରୁଟି ଦେଖାଯାଉଥିବା ସେ କହିଛନ୍ତି।

ପୂର୍ବରୁ ଏହି ସର୍ଜରୀ ବ୍ରେନ୍ ରିପେୟାର୍‌, ଅର୍ବିଟାଲ୍ ରି-କନ୍‌ଷ୍ଟ୍ରକ୍ସନ୍ ଏବଂ ରାଇନୋପ୍ଲାଷ୍ଟି ଭଳି ତିନୋଟି ସ୍ତର ଦେଇ କରାଯାଉଥିବା ବେଳେ ୧୨ ରୁ ୧୪ ଘଂଟା ସମୟ ଲାଗୁଥିଲା। ତେବେ ବର୍ତମାନ ଶୈଲ୍ୟ ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ୩ ରୁ ୪ ଘଂଟା ମଧ୍ୟରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସର୍ଜରୀ ପରେ ଶିଶୁଟି ସୁସ୍ଥ ଥିବା ବେଳେ ପ୍ରଫେସର ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସାଇ ସତ୍ୟଜିତର ପିତାମାତା। ପୁଅ ଭଲ ହେବ ବୋଲି ଆଶା ନଥିଲା। ତାକୁ ନୂଆ ଜୀବନ ପ୍ରଫେସର ମହାପାତ୍ର ଦେଇଛନ୍ତି ବୋଲି କହିଛନ୍ତି ସାଇର ବାପା ପ୍ରକାଶ
ବେହେରା।

କେନ୍ଦ୍ରାପଡା ପାଟକୁରା ଅଂଚଳର ପ୍ରକାଶ ବେହେରା ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ବେଳେ ଖୁବ୍ କଷ୍ଟ କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି। ଏଥିସହିତ ଛୋଟ ପୁଅର ଏଭଳି ଅବସ୍ଥା ତାଙ୍କୁ ଅଧିକ ବ୍ୟଥିତ କରିଥିଲା। ତେଣୁ ପୁଅର ଚିକିତ୍ସା ପାଇଁ ସମାଜସେବା କ୍ଷେତ୍ରରେ ନିଜକୁ ନିବିଡ ଭାବେ ନିୟୋଜିତ କରିଥିବା ବିଶିଷ୍ଟ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ ପ୍ରକାଶ। ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ପ୍ରକାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ। ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି ଦିନ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି ସମ୍ ହସ୍ପିଟାଲ୍‌ରେ।

ପୁନେ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମିଳିତ ସହଭାଗିତାରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହି ଟିକା ପ୍ରଦାନ କରାଯାଉଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌, ରାଜ୍ୟ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିକା ମେଡିକାଲ୍ ଏବଂ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର। ଗତ ଚାରି ଦିନ ମଧ୍ୟରେ ହୋଇଥିବା ଟିକାକରଣ ପରେ କାହା ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ପ୍ରଫେସର ସାମନ୍ତସିଂହାର।

ଏହି ଟିକାକରଣ କାର୍ଯ୍ୟକ୍ରମକୁ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ତଦାରଖ କରୁଥିବା ବେଳେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡଃ ରାଜେଶ କୁମାର ଲେଙ୍କା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ଡଃ ଅଜୟ କୁମାର ଜେନା, କୋଭାକ୍ସିନ୍ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡଃ ଲିପିଲେଖା ପଟ୍ଟନାୟକ, ଆଡିସ୍‌ନାଲ୍ ନୋଡାଲ ଅଫିସର ଡଃ ବ୍ରଜକିଶୋର ବେହେରା, କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ନିରୀକ୍ଷକ ଡଃ ଇ. ଭେଙ୍କଟ ରାଓ, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡଃ ସୁମିତ୍ରା ପଟ୍ଟନାୟକ, ମେଡିସିନ୍ ବିଭାଗର ମୁଖ୍ୟ ଡଃ ସମୀର ସାହୁ, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ମହାନ୍ତି, ନିଓନାଟୋଲୋଜି ବିଭାଗର ମୁଖ୍ୟ ଡଃ ଜଗଦୀଶ ସାହୁ, କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଏହି ଅଭିଯାନରେ ସକ୍ରିୟ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି।

ଆଜି ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି। ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍‌କୁ ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ୍ ରୁମ୍‌, ଭ୍ୟାକ୍ସିନ୍ ରୁମ୍ ଓ ଅବ୍‌ଜର୍‌ଭେସନ୍ ରୁମ୍ ଭାବେ ବ୍ୟବହୃତ ହେବ। ଏହି ରୁମ୍‌ଗୁଡ଼ିକର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମ୍ୟୁନାଇଜେସନ୍ ଅଫିସର୍‌ ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ। ମୂଖ୍ୟତଃ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ଅଫିସର ଡଃ ସି.ଭି.ଏସ୍‌.ଏନ୍‌. ରାଓ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଚାଇଲ୍ଡ ଅଫିସର ଡଃ ଆର୍‌. ପି. ଶତପଥୀ, ଷ୍ଟେଟ୍ ଇମ୍ୟୁନାଇଜେସନ୍‌ ଅଫିସର ଡଃ ତାପସ ପାତ୍ର, କମ୍ୟୁନିଟି ମେଡିସିନ୍ ବିଭାଗରର ମୁଖ୍ୟ ଅଧ୍ୟାପକ ଡଃ ତ୍ରିଲୋଚନ ସାହୁ, ପ୍ରଫେସର (ଡଃ) ଇ. ଭେଙ୍କଟ ରାଓ, ମେଡିସିନ୍ ବିଭାଗର ପ୍ରଫେସର (ଡଃ) ଏସ୍‌. କବି, ଶିଶୁ ବିଭାଗର ମୁଖ୍ୟ ଡଃ ମମତା ଦେବି ମହାନ୍ତି, ଡଃ ଲିପିଲେଖା ପଟ୍ଟନାୟକ, ଡଃ ଜ୍ୟୋତିରଞ୍ଜନ ସାହୁ , ଇମ୍‌ୁ୍ୟନାଇଜେସନ୍ ଅଫିସର ଡଃ ସୁମିତା ଶର୍ମା, ବାୟୋମେଡିକାଲ୍ ଅଫିସର
ଡଃ ପ୍ରେମନାଥ ତାଣ୍ଡି, ଡଃ ସ୍ମିତାଭ ବାରିକ, ଏଫ୍‌.ଓ.ଏମ୍ ପୁଷ୍ପାଞ୍ଜଳି ରାଉତ, ଉପ ନିର୍ଦ୍ଦେଶକ ପ୍ରିୟବ୍ରତ ଦାସ, ଡଃ ଲିଙ୍ଗରାଜ. ରଥ, ଏବଂ ଓ.ଏସ୍‌.ଡି. ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ର ଆଉ ଏକ ସଫଳତା: ଇକ୍‌ମୋ ପଦ୍ଧତିରେ ୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ସୁସ୍ଥ କଲେ ଡାକ୍ତର

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍‌ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍‌ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳି ପାରିଛି। ଏହି ଇକ୍‌ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି।

୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ କିଛି  ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କରୋନା ସଂକ୍ରମଣ ହେବା ପରେ ତାଙ୍କର ଦୁଇଟି ଯାକ ଫୁସଫୁସ୍‌ର ୯୦ ଭାଗ ନଷ୍ଟ ହୋଇଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଭେନ୍‌ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ହାଇଫ୍ଲୋ ନାଜାଲ୍ ଅକ୍ସିଜେନ୍ ବ୍ୟବହାର କରାଯିବା ସତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ତାଙ୍କୁ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇଥିଲା।

ଇକ୍‌ମୋ ପଦ୍ଧତି ପ୍ରୟୋଗ ଦ୍ୱାରା ତାହା ଶରୀରରେ ଥିବା ଫୁସ୍‌ଫୁସ୍‌ର କାର୍ଯ୍ୟ କଲା ଏବଂ ସେହି ସମୟରେ କ୍ଷତିଗ୍ରସ୍ତ ଫୁସ୍‌ଫୁସ୍‌କୁ ସୁସ୍ଥ କରିବାରେ ଲାଗି ପଡ଼ିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍। ବେଶ କିଛି ଦିନ ଧରି ଏହି ପଦ୍ଧତିରେ ତାଙ୍କର ଚିକିତ୍ସା କରାଗଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲେ। ରୋଗୀ ଜଣକଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଇକ୍‌ମୋ କଢ଼ାଯାଇ କେବଳ ଭେନ୍‌ଟିଲେଟରରେ ରଖାଗଲା। ତେବେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବା ପାଇଁ ଆଇସିୟୁରେ ଫିଜିଓଥେରାପି ମଧ୍ୟ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଶକ୍ତିବେଦାନ୍ତ ମିଶ୍ର। ଦୀର୍ଘ ଦୁଇ ମାସ ର ଚିକିତ୍ସା ଓ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର୍ ୟୁନିଟ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନ, ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ରୋଗୀ ଜଣକ ଏବେ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ ହସ୍ପିଟାଲ୍‌ରେ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବା ଓଡ଼ିଶାରେ ଏକ ବିରଳ ସଫଳତା ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଡଃ ଦେବାଶିଷ ସାହୁ।
ହସ୍ପିଟାଲର ଏକ ୭ ଜଣିଆ ଡାକ୍ତରୀ ଟିମ୍ ଏହି ଚିକିତ୍ସା ପଦ୍ଧତିରେ ସାମିଲ୍ ଥିଲେ। ଏହି ଟିମ୍‌ରେ ଡଃ ମିଶ୍ର ଓ ଡଃ ସାହୁଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଅରୁଣ ରଥ ଓ ଡଃ ଅଭିଳାଷ ଦାଶ, ଫିଜିଓଥେରାପି ବିଭାଗ ମୁଖ୍ୟ ଡଃ ସ୍ଥିତିପ୍ରଜ୍ଞା ଦଳବେହେରା, କନ୍‌ସଲ୍‌ଟାଂଟ୍ , କାର୍ଡିଆକ ଆନେସ୍‌ଥେସିଆ ଡଃ ସୁଶାନ୍ତ ଭୋଇ ଏବଂ ପର୍‌ଫ୍ୟୁଜନିଷ୍ଟ ସନାତନ ଚାନ୍ଦ ସାମିଲ୍ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିଟାଲ : ଦ୍ବିତୀୟ ଥର ପାଇଁ ଯକୃତ ପ୍ରତ୍ୟାରୋପଣରେ ସଫଳ ହେଲା

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି ।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।

ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ ।

ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତ (୪୯)ଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ (୪୧) ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ତାଙ୍କ ଜୀବନ ବଂଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।

ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲଜି, ରେଡିଓଲୋଜି, ଓଟି, ଇନଫେକସନ କଂଟ୍ରୋଲ, ସେଂଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ସ ମାନଙ୍କୁ ନେଇ ଏହି ଅପରେସନ ନିମନ୍ତେ ଏକ ୪୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ସର୍ଜରୀ ପୂର୍ବରୁ ଏଆଇଜି ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇ ପ୍ରଫେସର ସାହୁ କହିଛନ୍ତି ଯେ, ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦% ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇଥିଲା ।

ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନ ଏବଂ ବାଇଲ ଡକ୍ଟା ଗୁଡିକୁ ରୋପଣ କରିଥିଲେ । ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା । ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ପ୍ରଫେସର ସାହୁ କହିଛନ୍ତି ।

ଏହି ସର୍ଜରୀ ନିମନ୍ତେ ଏଆଇଜିର ଯକୃତ ପ୍ରତ୍ୟାରୋପଣ ନିର୍ଦ୍ଦେଶକ ପ୍ରଫେସର ମେନନ୍‌ଙ୍କ ନେତୃତ୍ୱରେ ଡ. ଜି.ଭି. ପ୍ରେମକୁମାର, ଡ. ଶକ୍ତି ସ୍ୱରୂପ, ଡ. କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ ଜଣ ଏଠାକୁ ଆସିଥିଲେ । ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଡ. ସତ୍ୟପ୍ରକାଶ ରାୟଚୌଧୁରø, ଡ. ସୁମିତ୍ ମହାନ୍ତି, ଡ. ସତ୍ୟସୁନ୍ଦର ଗଜେନ୍ଦ୍ରମହାପାତ୍ର, ଡ. ସନ୍ତୋଷ କୁମାର ସିଂହ, ଡ. ରାଜୀବ ଲୋଚନ ସାମଲ, ଡ. ଦେବକାନ୍ତ ମିଶ୍ର, ଡ. ରାଜେଶ କୁମାର ଭୋଳ, ଡ. ଗିରିଜାନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଶ୍ରୀ ସରୋଜ ସେନାପତି ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଫେସର ମେନନ୍ । ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କ ଠାରେ ଉତ୍ସାହ ରହିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ର ହୋଇପାରେ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଯକୃତ ପ୍ରତ୍ୟାରୋପଣ ଆରମ୍ଭ କରିବା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଫେସର ସାହୁ କହିବା ସହ ପ୍ରଥମ ସର୍ଜରୀ ରାଜ୍ୟରେ ଇତିହାସ ରଚିଥିଲା ବୋଲି କହିଥିଲେ।

ପ୍ରଫେସର ସାହୁଙ୍କ ନେତୃତ୍ୱରେ ହସ୍ପିଟାଲରେ ପ୍ରଥମ ସର୍ଜରୀ ଗତ ମାର୍ଚ୍ଚ ୫ ତାରିଖରେ ବାଲେଶ୍ୱର ଅଂଚଳର ଜୟନ୍ତ କୁମାର ବିଶ୍ୱାଳଙ୍କର ଶରୀରରେ କରାଯାଇଥିବାବେଳେ ତାଙ୍କୁ ତାଙ୍କ ୧୮ ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ । ଏହା ଏକ ସଫଳ ପ୍ରତ୍ୟାରୋପଣ ଥିଲା । ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କର ଖୁବ୍ ସହଯୋଗ ରହିଥିଲାବୋଲି ସେ କହିଛନ୍ତି ।

ଯକୃତ ଜନିତ ରୋଗ ଓଡ଼ିଶାରେ ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ଅନେକ ଯୁବାବସ୍ଥାରେ ପ୍ରତ୍ୟାରୋପଣର ଅଭାବ ଯୋଗୁ ମୃତ୍ୟୁବରଣ କରୁଛନ୍ତି । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହା ଏବେ ସମ୍ଭବ ହୋଇପାରିଛି ଏବଂ ଖୁବ୍ ସୁଲଭ ମୁଲ୍ୟରେ ଏହି ପ୍ରତ୍ୟାରୋପଣ ହୋଇପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଉଦ୍‌ଘାଟିତ ହେଲା ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ ହୋଇଯାଇଛି।

ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ନିମନ୍ତେ ଏହି ଅତ୍ୟାଧୁନିକ ଲାବ୍ ପ୍ରତିଷ୍ଠା କରାଯାଇଛି। ଏହି ଲାବ୍ କୁ ରାଜ୍ୟ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ପ୍ରଫେସର ଡଃ ସି.ବି.କେ. ମହାନ୍ତି, ଆଡିସ୍‌ନାଲ୍ ଡିଏମ୍‌ଇଟି ପ୍ରଫେସର ଡଃ ବ୍ରଜକିଶୋର ଦାଶ, ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା।

୨୦୧୯ରେ ତତ୍କାଳୀନ ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)ର ନିର୍ଦ୍ଦେଶ ଅନୁଯାୟୀ  ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କିଲ୍ ଲାବ୍ ମେଡିକାଲ୍ କଲେଜଗୁଡ଼ିକରେ ଆରମ୍ଭ କରାଯାଉଛି। ଏମ୍‌ସିଆଇକୁ ନିକଟରେ ପରିବର୍ତିତ କରାଯାଇ ନ୍ୟାସ୍‌ନାଲ ମେଡିକାଲ୍ କମିସନ୍ ଗଠନ କରାଯାଇଛି। ଏହି ଲାବ୍ ସ୍ଥାପନ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରାକ୍ଟିକାଲ୍ ନିମନ୍ତେ ଆଉ ମୃତ ଶରୀର ସାହାଯ୍ୟରେ ଶିକ୍ଷା ଗ୍ରହଣ  ନ କରି ସିଧାସଳଖ ମାନିକ୍ୟୁନ୍ ସିଲିକନ୍‌ରେ ପ୍ରସ୍ତୁତ ମଣିଷ ଶରୀରର ଅବିକଳ ନକଲ ତଥା ପୁରୁଷ ଓ ମହିଳାମାନଙ୍କ କୃତ୍ରିମ ଅଂଗ ପ୍ରତ୍ୟଙ୍ଗ ଉପରେ ଶିକ୍ଷା ଲାଭ କରିପାରିବେ। ଏହା ଦ୍ୱାରା ସଂକ୍ରମଣର ଭୟ କମ୍ ରହିବା ସହ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଘଟିବ ବୋଲି ଡିଏମ୍‌ଇଟି ପ୍ରଫେସର ଡଃ ସି.ବି.କେ. ମହାନ୍ତି କହିଛନ୍ତି।

ଏହି ପ୍ରୟୋଗଶାଳାରେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଓ ତାଲିମ୍ ପ୍ରଦାନ କରିବା ହିଁ ମୂଳ ଲକ୍ଷ୍ୟ। ଆନାଟୋମି, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି, ଅର୍ଥୋପେଡିକ୍ ଓ ଇଏନ୍‌ଟି ବିଭାଗ ନିମନ୍ତେ ଏହି ଲାବ୍‌ର ବିଶେଷ ଆବଶ୍ୟକତା ରହିଛି। ପ୍ରଥମ ବର୍ଷରୁ ହିଁ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନେ ଏହି ସ୍କିଲ୍ ଲାବ୍‌ରେ ଶିକ୍ଷା ଗ୍ରହଣ କରିପାରିବା ସହ ଅସ୍ତ୍ରୋପଚାର, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରକାର ନିଦାନ ଚିକିତ୍ସା ସମ୍ବନ୍ଧୀୟ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ହାସଲ କରିପାରିବେ ବୋଲି ସୂଚନା ଦେଇଛନ୍ତି ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର।

ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଡଃ ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡଃ ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡଃ ରାଜେଶ କୁମାର ଲେଙ୍କା, ମେଡିକାଲ୍ ଏଜୁକେସନ୍ ବିଭାଗୀୟ ମୁଖ୍ୟ ସଂଯୋଜକ ତଥା ସ୍କିଲ୍ ଲାବ୍ ଫାକଲ୍ଟି ଇନ୍‌ଚାର୍ଜ ପ୍ରଫେସର ଡଃ ପ୍ରକାଶ କୁମାର ସାହୁ, କନ୍‌ଭେନର୍ ଫାର୍ମାକୋଲଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ସୁଧାଂଶୁ ଶେଖର ମିଶ୍ର ତଥା ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।