Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଯାହାକି ଭାରତରେ ପ୍ରଥମ ଓ ବଶ୍ୱରେ ୭ମ ବୋଲି ଅବିହିତ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲ୍‌ରେ ଡାକ୍ତରମାନେ ଜଟିଳ ବ୍ରେନ୍‌ଷ୍ଟେମ୍‌ କାଭେରନୁମା ଆଣ୍ଡ ମ୍ୟୋକ୍ଲୋନିକ୍  ଏପିଲେପ୍ସି ରୋଗୀର ସଫଳ ଅସ୍ତ୍ରୋପଚାର କରିବା ସହ ରୋଗୀଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି।

ଗତ ୨୨ ବର୍ଷ ଧରି ଝାରସୁଗୁଡା ଅଂଚଳର ୨୮ ବର୍ଷୀୟ ଅନୀଲ ମହାନନ୍ଦିଆ ଏହି ଜଟିଳ ରୋଗରେ ପୀଡ଼ିତ ଥିବାବେଳେ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶୁକ୍ରବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏହା ଏକ ବିରଳ ବ୍ୟାଧି ଏବଂ ଆମେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସଂପାଦନ କରିପାରୁଛୁ । ଯଦି ଅସ୍ତ୍ରୋପଚାର କରାଯାଇ ନଥାନ୍ତା ତେବେ ମସ୍ତିଷ୍କରେ ରକ୍ତକ୍ଷରଣ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରତ୍ୟେକ ଦିନ ସାଢ଼େ ୩ ହଜାରରୁ ୪ ହାଜର ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଉଛି। ଯେଉଁ ରୋଗୀମାନେ ରୋଗମୁକ୍ତ ହେବାର ଆଶା ହରାଇ ବସୁଛନ୍ତି ସେମାନେ ମଧ୍ୟ ସମ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରୁଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରଫେସର ମହାପାତ୍ର କହିଛନ୍ତି ଯେ, ରୋଗୀଟିର ବାରମ୍ବାର ବାତ ମାରିବା ସହ ତା’ର ମୁହଁ, ଜିଭ, ତଳିପେଟ ଏବଂ ଜଙ୍ଘ ସବୁବେଳେ ଥରୁଥିଲା। ଗୋଟିଏ ମିନିଟ୍‌ରେ ତା’ର ୩୦ ଥର ହାକୁଟି ହେଉଥିଲା। ସେ ଖାଦ୍ୟ ଗ୍ରହଣ କରିବା, ଶୋଇବା କିମ୍ବା ଛିଡା ହେବା ପାଇଁ ସକ୍ଷମ ନଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ତାକୁ ସୁଫଳ ମିଳିପାରି ନଥିଲା।

ସମ୍ ହସ୍ପିଟାଲ୍‌କୁ ଆସିବା ପରେ ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ସେ ମ୍ୟୋକ୍ଲୋନିକ୍ ଏପିଲେପ୍ସି ରୋଗରେ ପୀଡ଼ିତ ଥିବାର ଚିହ୍ନଟ କରିଥିଲେ ଏବଂ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଅଧିକ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡିଥିଲା ଯେ, ମହାନନ୍ଦିଆଙ୍କର ମସ୍ତିଷ୍କ (ବ୍ରେନ୍‌ଷ୍ଟେମ୍ କାଭେରନୁମା) ରେ ଗଭୀର ଭାବେ ଏକ ଟ୍ୟୁମର ରହିଛି। ଯାହା ଖୁବ୍ ବିରଳ ଏବଂ ଏଥି ନିମନ୍ତେ ଅପରେସନ୍‌ର ଆବଶ୍ୟକତା ରହିଛି ଯାହାକି ଖୁବ୍ ଜଟିଳ ଏବଂ ବିପଦସଙ୍କୁଳ।

ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ନଭେମ୍ବର ୨୬ ତାରିଖ ଦିନ ଦୀର୍ଘ ୭ ଘଂଟା ଧରି ଅସ୍ତ୍ରୋପଚାର କରି ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରକାଶିତ ଗବେଷଣା ଅନୁଯାୟୀ ଏହି ସର୍ଜରୀ ବିଶ୍ୱରେ ସପ୍ତମ ଏବଂ ଭାରତରେ ପ୍ରଥମ ଘଟଣା। ଏଭଳି ଅସ୍ତ୍ରୋପଚାର ପୂର୍ବରୁ ଦେଶରେ କେଉଁଠାରେ ମଧ୍ୟ ହୋଇ ନାହିଁ ବୋଲି ଡାକ୍ତର ଦାସ କହିଛନ୍ତି। ଗୋଟିଏ ସର୍ଜନର ଆତ୍ମବିଶ୍ୱାସ ହିଁ ମୋତେ ଏହି ସର୍ଜରୀ କରାଇବା ପାଇଁ ପ୍ରବର୍ତାଇଥିଲା। ଏହା ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ଆମ ଟିମ୍ ଏହି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲେ। ଆମେ ବ୍ରେନ୍ ମ୍ୟାପିଙ୍ଗ-ଥ୍ରୀଡି ମଡେଲିଙ୍ଗ୍ ପ୍ରକ୍ର ିୟା ବଳରେ ତଥ୍ୟ ସଂଗ୍ରହ କରି ଏହି ଅସ୍ତ୍ରୋପଚାରରେ କରିପାରିଥିଲୁ।

ଅପରେସନ୍‌ର ଗୋଟିଏ ଦିନ ପରେ ହିଁ ରୋଗୀଟି ହାକୁଟିରୁ ମୁକ୍ତି ପାଇଥିଲା ଏବଂ ଚାଲିବାକୁ ମଧ୍ୟ ସକ୍ଷମ ହୋଇଥିଲା। ଯାହାକି ଚିକିତ୍ସା ବିଜ୍ଞାନର ଏକ ଚମତ୍କାରିତା ବୋଲି କୁହାଯାଇପାରିବ। ସେ କେବଳ ନୂଆ ଜୀବନ ପାଇଲା ତାହା ନୁହେଁ ବର୍ତମାନ ସେ ଠିକ୍ ଭାବରେ ଖିଆ ପିଆ କରିବା ସହ ଶୋଇପାରୁଛି। ଏପରିକି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ନିଜେ ଚାଲିକି ଯାଇଥିବା ଡାକ୍ତର ଦାସ କହିଛନ୍ତି।

ଏହି ସର୍ଜରୀ ଦର୍ଶାଉଛି ଯେ, ଓଡ଼ିଶା ମଧ୍ୟ ବିଶ୍ୱର ଅନ୍ୟ ସ୍ଥାନ ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସକ୍ଷମ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆନ୍ତର୍ଜାତିକ ସ୍ତରର ଉନ୍ନତ ଧରଣର ଚିକିତ୍ସା ପ୍ରଣାଳୀ, ସରଞ୍ଜାମ ଏବଂ ଜ୍ଞାନକୌଶଳ ଉପଲବ୍‌ଧ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି।

ମହାନନ୍ଦିଆଙ୍କ ପରିବାର ଡାକ୍ତର ଦାସ ଓ ଡାକ୍ତର ଚୌଧୁରୀଙ୍କ ସମେତ ଡାକ୍ତର ଇଶ୍ୱର ବେହେରା, ଡାକ୍ତର ସୁଦୀପ୍ ମହାପାତ୍ର, ଡାକ୍ତର ସୁମିରିନ୍‌, ଡାକ୍ତର ଅଭିଜିତ ଆଚାର୍ଯ୍ୟ, ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ସୁମିତ୍ରା ସ୍ୱାଇଁ, ଡାକ୍ତର ଜୀବନ ପ୍ରତୀକ ଖଟୁଆ, ହସ୍ପିଟାଲ୍‌ର ନର୍ସ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଜଟିଳ ଅସ୍ତ୍ରୋପଚାର ବର୍ତ୍ତମାନ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହେବ। ଏହି ବ୍ୟୟବହୁଳ ଅସ୍ତ୍ରୋପଚାରଟି ବିନା ମୂଲ୍ୟରେ ବିଜୁ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ କରାଯାଇଛି।

ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ବୋନ୍ ମ୍ୟାରୋ ପ୍ରତ୍ୟାରେପଣ ଓ ଜୀବନ୍ତ ଯକୃତ ପ୍ରତ୍ୟାରୋପଣ ପରେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦ୍ୱାରା ଆଉ ଏକ ସଫଳତା
ଯୋଡି ହୋଇଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମସ୍ତିଷ୍କରୁ ୫୦୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହେଲେ ସମ୍ ସର୍ଜନ

ଭୁବନେଶ୍ୱର: ଜଣେ ଯୁବକଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଏକ ବଡ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସକ। ଅନ୍ୟ ଏକ ହସ୍ପିଟାଲ୍‌ରେ ଅପରେସନ୍ କରିବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଏବଂ ମୁଣ୍ଡରେ ଗୋଟିଏ ଅଂଶ ଫୁଲି ବାହାରକୁ ବାହାରିଥିବାରୁ ଯୁବକ ଜଣକ ନିକଟରେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିଲେ।

ରୋଗୀଙ୍କର ଏମ୍‌ଆର୍‌ଆଇ ସ୍କାନ୍ କରାଯିବା ପରେ ତାଙ୍କ ମୁଣ୍ଡରେ ଏକ ବଡ ଟ୍ୟୁମର୍ ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା ଯାହାକି ଖପୁରୀ ହାଡ ବାହାରକୁ ବାହାରି ଆସିବା ସହ ମସ୍ତିଷ୍କରେ ଏକ ବଡ ଯାଗା ମାଡିବସିଥିଲା। ଏହା ଛଡା ମସ୍ତିଷ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ
ଧମନୀ ଚାରିପଟେ ଏହି ଟ୍ୟୁମର ବେଡି ରହିଥିଲା। ଏହା ଏକ କଷ୍ଟକର ପରସ୍ଥିତି ଥିଲା ଏବଂ ଅସ୍ତ୍ରୋପଚାର ନିଷ୍ପତି ମଧ୍ୟ ସର୍ଜିକାଲ୍ ଟିମ୍ ପାଇଁ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଏହାଦ୍ୱାରା
ପ୍ରଚୁର ରକ୍ତସ୍ରାବ ଅଥବା ଶରୀରର କୌଣସି ଅଂଶ ପକ୍ଷାଘାତ ହେବାର ମଧ୍ୟ ସମ୍ଭାବନା ରହିଥିଲା।

ତେବେ ସମ ହସ୍ପିଟାଲ୍‌ର ସିନିୟର ନ୍ୟୁରୋସର୍ଜନ୍ ଓ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇ ସମସ୍ତ ଯୋଜନା କରିଥିଲେ। ଯଦିଓ ଏହି ପ୍ରକ୍ରିୟା ଖୁବ୍ ଜଟିଳ ଥିଲା ତେବେ ସମ୍ପୂର୍ଣ୍ଣ ୫୦୦ ଗ୍ରାମର ଟ୍ୟୁମର ଏବଂ କ୍ଷତିଗ୍ରସ୍ତ ହୋଇଥିବା ମସ୍ତିଷ୍କର ଧମନୀଟିକୁ ବାହାର କରାଯାଇଥିଲା। ସାଧାରଣତଃ ଜଣେ ବୟସ୍କ ବ୍ୟକ୍ତିଙ୍କର ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ରହିଥାଏ।

ପ୍ରଫେସର ଡାକ୍ତର ପାଣିଗ୍ରାହୀ ଆନେସ୍‌ଥେସିଷ୍ଟ ଡାକ୍ତର ସୁଦୀପ୍ ମହାପାତ୍ର ଏବଂ ଡାକ୍ତର ସୁନୀତା ସ୍ୱାଇଁଙ୍କ ସହଯୋଗରେ ବିନା କୌଣସି ସମସ୍ୟାରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିଥିଲେ।

ରୋଗୀ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଥିବା ବେଳେ ଅସ୍ତ୍ରୋପଚାର ପରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥିଲା। ନ୍ୟୁରୋ ଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଙ୍ଗ ପ୍ରତ୍ୟାରୋପଣକୁ ଅପେକ୍ଷା କରି ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି: ଡାକ୍ତର ମନୋଜ କୁମାର

ଭୁବନେଶ୍ୱର: ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼୍‌ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି।

ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ
ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି।

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଡୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସ୍ଥ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ।

ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି। ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ।

ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି ।ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ। କେବଳ ଗତ ମାସ କେବଳ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ୧୦ ଜଣ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି। ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମ୍ବା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି
ପ୍ରଫେସର ସାହୁ କହିଥିଲେ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି ।
ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟମ୍‌କୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ୱାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ। ଏହା ଏକ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟାଇମ୍‌ସ ର‌୍ୟାଙ୍କିଙ୍ଗ୍‌: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍  ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍‌ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ୍‌ରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି। ଏହି ର‌୍ୟାଙ୍କିଙ୍ଗରେ ଭୁବନେଶ୍ୱରର ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍  ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲିନିଆଗଲସ୍ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ର‌୍ୟାଙ୍କରେ ଅଛନ୍ତି।

୨୦୨୦-୨୧ ମସିହା ନିମନ୍ତେ ଯେଉଁ ହସ୍ପିଟାଲ୍‌ଗୁଡ଼ିକରେ ଅନୁନ୍ୟ ୩ କିମ୍ବା ତତୋଧିକ କ୍ରିଟିକାଲ୍ କେୟାର ସ୍ପେଶିଆଲିଟି ଡିପାର୍ଟମେଂଟ ରହିଛି ସେହି ହସ୍ପିଟାଲ୍‌ଗୁଡ଼ିକୁ ଅନୁଧ୍ୟାନ କରାଯିବା ସହ ସର୍ବେକ୍ଷଣ, ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ଗବେଷଣା କରାଯାଇ ଏହି ଶ୍ରେଷ୍ଠ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

୧୬୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ତଥା ଏନଏବିଏଚ ଆକ୍ରେଡିଟେସନ ଲାଭ କରିଥିବା ସମ୍‌ ହସ୍ପିଟାଲ୍‌ରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଉତ୍କୃଷ୍ଟଧରଣର ନର୍ସିଂ ସେବା, ଶ୍ରେଷ୍ଠ ଏନ୍‌ଏବିଏଲ୍ ଲାବୋରାଟୋରୀ ତଥା ରେଡିଓଲଜିକାଲ୍ ପରୀକ୍ଷଣ ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ୍ ଯାହାକି ରାଜ୍ୟରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ୫ଟି କୋଭିଡ ହସ୍ପିଟାଲ୍ ସ୍ଥାପନ କରି ମହାମାରୀ ସମୟରେ ଉତ୍କୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରିସାରିଛି। ଅନୁଭୂତି ସମ୍ପନ୍ନ ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ନିୟୋଜିତ ହୋଇ କୋଭିଡ୍ ସଂକ୍ରମିତ ମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି।

ହସ୍ପିଟାଲ୍‌ର କାର୍ଡିଓଲୋଜି, ସିଟିଭିଏସ୍‌, କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋ-ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗ୍ୟାଷ୍ଟ୍ରୋ ଇନ୍‌ଟେଷ୍ଟାଇନାଲ୍ ସର୍ଜରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ଆଣ୍ଡ କସ୍‌ମେଟିକ୍ ସର୍ଜରୀ ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ିକରେ ଖୁବ୍ କମ୍ ମୂଲ୍ୟରେ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏକ ମେଡିକାଲ କଲେଜ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମରେ ଯୋଗଦେଇଥାନ୍ତି। ଏଠାରେ ପ୍ରାୟ ସମସ୍ତ ସ୍ପେସିଆଲିଟି ବିଭାଗ ନିମନ୍ତେ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ବ୍ୟତୀତ ବିଭିନ୍ନ ସୁପରସ୍ପେସିଆଲିଟି ବିଭାଗରେ ଏମସିଏଚ ଓ ଡିଏମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ଅଟେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆୟୋଜିତ କର୍ମଶାଳାରେ ଏହି ମତ ଦେଇଛନ୍ତି ବିଶେଷଜ୍ଞମାନେ।

ଡାକ୍ତରମାନେ ସ୍ଥାନାନ୍ତର ସମୟରେ ହସ୍ପିଟାଲ୍ ଦ୍ୱାରା ଭେଂଟିଲେଟର ବ୍ୟବହାର ସମ୍ପର୍କରେ ବୁଝାଇବା ସହ ଆଇସିୟୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ମେଡିକାଲ୍  କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ନୂତନ ବୈଷୟିକ ଉପକରଣର ବ୍ୟବହାର, ରୋଗୀମାନଙ୍କର ଚିକିତ୍ସା ଏବଂ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ନନ୍‌-ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ଏବଂ ଟ୍ରାନ୍ସପୋର୍ଟ ଭେଂଟିଲେସନ୍ ସମ୍ପର୍କିତ ଏହି କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍ (ସିଏମ୍‌ଇ) ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଂଟ ଓ ରେସ୍‌ମେଡ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ସହର ଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ, ଲକ୍ ଡାଉନ୍ ଆଡକୁ ମୁହାଁଉଥିବା ଦିଲ୍ଲୀ ସହର ଏବଂ ଏହା ଦ୍ୱାରା ଉପୁଜୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆମାଜନ୍ ଜଙ୍ଗଲକୁ ବିଶ୍ୱର ଫୁସ୍‌ଫୁସ  ବୋଲି କୁହାଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାହା ଧ୍ୱଂସ ହେବାକୁ ଲାଗିଛି। ତେଣୁ ଆମକୁ ଏହି ସମସ୍ୟା ସହିତ ଲଢ଼ିବାକୁ ଓ ରୋଗର ମାତ୍ରାକୁ କମାଇବାକୁ ନୂଆ ଜଙ୍ଗଲ ତିଆରି କରିବାକୁ ପଡିବ ବୋଲି ସେ କହିଥିଲେ।

ସମ୍ ହସ୍ପିଟାଲ୍‌ର ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ଇନ୍‌ଚାର୍ଜ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ ଯେ ଗୁରୁତର ଥିବା ରୋଗୀମାନଙ୍କର ସ୍ଥାନାନ୍ତର କରିବା ଚିକିତ୍ସାର ଏକ ପ୍ରମୁଖ ଅଂଗ ଏବଂ ଏଭଳି କର୍ମଶାଳାର ଆବଶ୍ୟକତା ରହିଛି। ଏଭଳି ଟ୍ରେନିଂ କାର୍ଯ୍ୟକ୍ରମରୁ ନର୍ସିଂ ଷ୍ଟାଫ୍‌ମାନେ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଶୈଳୀ ମଧ୍ୟ ଶିଖନ୍ତୁ ବୋଲି ଡାକ୍ତର ବେହେରା କହିଥିଲେ। ହସ୍ପିଟାଲ୍‌ର ଅନ୍ୟ ତିନିଜଣ କ୍ରିଟିକାଲ୍ କେୟାର ଏକ୍ସପର୍ଟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସନ୍ତୋଷ ସିଂହ ଓ ଡାକ୍ତର ସାଗରିକା ପଣ୍ଡା ହସ୍ପିଟାଲ୍ ମଧ୍ୟରେ ଏବଂ ଏକ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଗୁରୁତର ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସ୍ଥାନାନ୍ତର ସମୟରେ ରୋଗୀ ଗୁରୁତର ହେବାର ସଂଖ୍ୟାକୁ କିଭଳି କମ୍‌ କରାଯାଇପାରିବ ସେ ସମ୍ପର୍କରେ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟର ମନୋରମା ପରିଡା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଣବତା ବିଭାଗର ମୁଖ୍ୟ ଡାକ୍ତର ଅରୋଲିପି, ସମ୍ ଅଲ୍ଟିମେଟ୍ ମେଡିକେୟାରର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଅକ୍ଷୟ କୁମାର ସ୍ୱାଇଁ, ରେସ୍‌ମେଡ୍ ଇଣ୍ଡିଆର ଡାକ୍ତର ପୁଲ୍‌କିତ ସ୍ୱରୂପ, ସମ୍ ହସ୍ପିଟାଲ୍‌ର ଅଫିସର୍ ଅନ୍‌ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି ଏବଂ ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ତମାନ ଲକଡାଉନ୍ ଘୋଷଣା କରିବାର ପରିସ୍ଥିତି ଉପୁଜିଥିବା ବେଳେ କ୍ରନିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୁନାରୀ ଡିଜିଜ୍ (ସିଓପିଡି) ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସ୍ୱଚ୍ଛ ବାୟୁ ମିଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବା ବେଳେ ସିଓପିଡି ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ ସେମାନେ ଶ୍ୱାସ ପ୍ରଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ବଡ ପଦକ୍ଷେପ ନେବା ଜରୁରୀ ବୋଲି ବିଶ୍ୱ ସିଓପିଡି ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସିଓପିଡି ଏକ ସାଧାରଣ ରୋଗ ଏବଂ ଏହାର ଚିକିତ୍ସା ଓ ନିରାକରଣ ମଧ୍ୟ କରାଯାଇପାରିବ। ଫୁସ୍‌ଫୁସ୍‌ରେ ସମସ୍ୟା ସୃଷ୍ଟି ହେଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ, ଏହାକୁ ହିଁ ସିଓପିଡି କୁହାଯାଏ। ଧୂଳି, ଧୂଆଁ ଓ ଧୂମ୍ରପାନ ହେଉଛି ସିଓପିଡିର ମୁଖ୍ୟ କାରଣ। ସେହିପରି ଗରୀବ ଶ୍ରେଣୀର ମହିଳାମାନେ ରୋଷେଇ ଘର ଚୁଲିରୁ ବାହାରୁ ଥିବା ଧୂଆଁ ଯୋଗୁଁ ସିଓପିଡି ସମସ୍ୟାର ଶିକାର ହୋଇଥାନ୍ତି ବୋଲି ସମ୍‌ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି।

ପ୍ରଫେସର ଜେନା କହିଛନ୍ତି ଯେ, ମୁଖ୍ୟତଃ ଖଣି ଖାଦନରେ କାର୍ଯ୍ୟକରୁଥିବା ଶ୍ରମିକ, ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଟ୍ରାଫିକ୍ ପୋଲିସ୍‌ ଏପରିକି କୃଷକମାନେ ଯେଉଁମାନେ କି ଚାଷଜମିରେ ସାର ବ୍ୟବହାର କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ସିଓପିଡି ସମସ୍ୟା ଦେଖାଯାଇଥାଏ। କିନ୍ତୁ ଆଗୁଆ ରୋଗର ଚିହ୍ନଟ, ପ୍ରଦୂଷଣ ଠାରୁ ଦୂରରେ ରହିବା ଏବଂ ପ୍ରାଥମିକ ସ୍ତରରୁ ଚିକିତ୍ସା କରାଗଲେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି।

ସେହିପରି ଘର ଭିତରେ ମଶା ଧୂଆଁ ଏବଂ ଧୂପକାଠି ଲଗାଇବା ଦ୍ୱାରା ସିଓପିଡି ସମସ୍ୟା ଦେଖାଦେଇଥାଏ ତେଣୁ ଏଥିରୁ ନିବୃତ ରହିବା ସହ ନିୟମିତ ବ୍ୟାୟାମ, ପ୍ରଚୁର ପରିମାଣର ପାଣି ପିଇବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ସେ କହିଛନ୍ତି।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଉଭୟ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ସଂଖ୍ୟା ବଢ଼ୁଛି ବୋଲି ପ୍ରକାଶ କରିଛନ୍ତି। ଉଭୟ ପୁଅ ଓ ଝିଅମାନଙ୍କର ବୃଦ୍ଧିପାଉଥିବା ଧୂମ୍ରପାନ ଅଭ୍ୟାସକୁ ନେଇ ପ୍ରଫେସର ସାହୁ ଦୁଃଖ ପ୍ରକାଶ କରିବା ସହ ବର୍ତମାନ ପରିସ୍ଥିତିରେ ଜଙ୍ଗଲ ବଂଚାଇବା ସହ ପରିବେଶର ସୁରକ୍ଷା କଲେ ହିଁ ଏଭଳି ଜଟିଳ
ପରିସ୍ଥିତିରୁ ବାହାରି ହେବ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଚଳିତବର୍ଷ ବିଶ୍ୱ ସିଓପିଡି ଦିବସର ଥିମ୍ “ହେଲ୍‌ଦି ଲଙ୍ଗ୍‌” ଅର୍ଥାତ୍ ସୁସ୍ଥ ଫୁସ୍‌ଫୁସ୍ ରହିଥିବା ବେଳେ ବର୍ତମାନ କରୋନା ମହାମାରୀ ସମୟରେ ଉଭୟ କୋଭିଡ୍ ଓ ସିଓପିଡି ରୋଗୀମାନଙ୍କର ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା କହିଛନ୍ତି।

କୋଭିଡ୍‌ରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କର ଫୁସ୍‌ଫୁସକୁ ସୁସ୍ଥ କରିବା ପାଇଁ ପ୍ରୋନିଙ୍ଗ୍ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ପଦ୍ଧତିରେ ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇପାରୁଛନ୍ତି। ସମ୍ ହସ୍ପିଟାଲ୍‌ରେ ଦୀର୍ଘ ୧୪ ବର୍ଷ ହେବ ପ୍ରୋନିଙ୍ଗ ଚିକିତ୍ସା ପ୍ରଦାନ କରାଯାଉଥିବା ଡାକ୍ତର ଦଳବେହେରା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଲମୁନାରୀ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ରାକ୍ଷୀ ଲୁଦାମ୍‌, ପ୍ରଫେସର ଡାକ୍ତର ଗଣେଶ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ବେହେରା, ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡା, ଡାକ୍ତର ପ୍ରିତମ ଛୋଟରାୟ, ଡାକ୍ତର ଶୁଭକାନ୍ତ ନନ୍ଦ ଓ ସିନିୟର ରେସିଡେଂଟ ଡାକ୍ତର ସୋନାଲୀ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି। ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌-୧୯ ଅଧିକ ଆକ୍ରାନ୍ତ କରୁଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ଏହି ରୋଗୀମାନେ ଅଧିକ ମାତ୍ରାରେ ଗୁରୁତର ହୋଇପଡୁଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ସମୟରେ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯୋଗୁଁ ସେମାନେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପଡୁଥିବା ବେଳେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ପୂର୍ବରୁ ମଧୁମେହ ନ ଥିବା ବ୍ୟକ୍ତିମାନଙ୍କୁ ଏହି ବ୍ୟାଧି ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୋଭିଡ୍ ଓ ମଧୁମେହ ଉଭୟ ଗୋଟିଏ ଖଣ୍ଡାର ଦୁଇଟି ଧାର ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅଭୟ କୁମାର ସାହୁ। ସମ୍ ହସ୍ପିଟାଲ୍‌ରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଡାକ୍ତର ସାହୁ।

ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ ଆକ୍ସେସ୍ ଟୁ ଡାଏବେଟିସ୍ କେୟାର”  ଅର୍ଥାତ୍ ସମସ୍ତଙ୍କୁ ମଧୁମେହର ଚିକିତ୍ସା ଓ ଯତ୍ନଲବ୍ଧ ହେବା ଆବଶ୍ୟକ। ବର୍ତ୍ତମାନ ସହରାଂଚଳରେ ୧୧ ରୁ ୧୨ ପ୍ରତିଶତ ଲୋକଙ୍କୁ ମଧୁମେହ ରୋଗ ଗ୍ରାସ କରୁଥିବା ବେଳେ ଗ୍ରାମାଂଚଳରେ ୮ ରୁ ୧୫ ପ୍ରତିଶତ ଲୋକଙ୍କୁ ମଧୁମେହ ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ ସହରାଂଚଳ ଲୋକ ଚିକିତ୍ସା ପାଇପାରୁଛନ୍ତି ଗ୍ରାମାଂଚଳ ଲୋକଙ୍କ ପାଇଁ ଏହା କଷ୍ଟକର ହେଉଛି। ତେଣୁ ସମସ୍ତଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅବସରରେ ସମ୍ ହସ୍ପିଟାଲ୍ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବର୍ଷ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିବା ବେଳେ ୱାକାଥନ୍‌, ର‌୍ୟାଲି, ପଥପ୍ରାନ୍ତ ନାଟକ ଓ ମାଗଣା ଚିକିତ୍ସା ଶିବିର ଜରିଆରେ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଇଥାଏ। ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତ୍ତା ଦେବା ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଭାନୁ କନ୍‌ୱର କହିଛନ୍ତି ଇନ୍‌ସୁଲିନ୍‌ର ଉଦ୍‌ଭାବନ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି। ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ଦିଗରେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ, ଡାକ୍ତର ସ୍ୱୟଂସିଦ୍ଧ ମଙ୍ଗରାଜ, ଡିଏମ୍  ରେସିଡେଂଟ ଡାକ୍ତର ଅଙ୍କିତ ମଙ୍ଗଲୁନିଆ, ଡାକ୍ତର ଯଶପ୍ରୀତ ସିଂହ, ଡାକ୍ତର ପୂଜା ଜଦ୍ଧାୱ, ଡାକ୍ତର ଏସ୍‌.ଏଲ୍ ଶ୍ରବ୍ୟ, ସିନିୟର ଡାଏଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ଡାଏଟିସିଆନ୍ ତନୟା ବରାଳ, ଫିଜିଓଥେରାପିଷ୍ଟସ୍ ଡାକ୍ତର ଅରବିନ୍ଦ ରଥ, ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସ, ଡିଜିଏମ୍ (ଅପରେସନ୍‌) ପୁଷ୍ପାଞ୍ଜଳୀ ରାଉତ, ଜୁନିଅର୍ ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେଟର୍ ଶଶିଭୂଷଣ ଗିରି ଓ ପ୍ରଭାତ କୁମାର ନାୟକଙ୍କ ସମେତ ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଅନେକ ମଧୁମେହ ରୋଗୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର। ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା।

ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା। ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା।

ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ। ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍‌ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା. ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା। ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା। “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି।

ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍‌ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍‌. ମହାପାତ୍ର ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍‌ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ।

ଏହି ଟିମ୍‌କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ, ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡକ୍ଟରେଟ୍ ଉପାଧି ଲାଭ କଲେ ସମ୍ ହସ୍ପିଟାଲ୍‌ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ ପଣ୍ଡା

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ୍‌ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି। ଶ୍ରୀମତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ୍ ପ୍ରଫେସର ତଥା ବର୍ତମାନ ଗୀତମ ୟୁନିଭର୍ସିଟିର ପ୍ରଫେସର ଡ. ଅଭିଷେକ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସନ୍ଦର୍ଭ “ଡ୍ରଗ୍ ୟୁଟିଲାଇଜେସନ୍ ଷ୍ଟଡି ଆଣ୍ଡ ରିସେପ୍ଟର ବେସ୍‌ଡ ଡ୍ରଗ୍ ଡିଜାଇନ୍ ୱିଥ୍ ସିନ୍ଥେସିସ୍ ଆଣ୍ଡ ବାୟୋଲୋଜିକାଲ୍ ଇଭାଲୁଏସନ୍ ଅଫ୍ ଆଂଟିଡିପ୍ରେସାଂଟ ଫ୍ଲେଭାରଏଡ୍ସ” ଜାଜନ୍  ୟୁନିଭର୍ସିଟି, ସାଉଦି ଆରବିଆର ପ୍ରଫେସର ଡ. ଏସ୍ ଦୁର୍ଗାରମଣୀ ଏବଂ ଦିପସାର ୟୁନିଭର୍ସିଟି ନୂଆଦିଲ୍ଲୀର ପ୍ରଫେସର ଡ. ପ୍ରଭାତ କୁମାର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି।

ଡକ୍ଟର ଜସ୍ମୀନ୍ ପଣ୍ଡା ପୁରୀ ସିପସୁରବାଟି ନିବାସୀ ଅବସରପ୍ରାପ୍ତ ଆସିଷ୍ଟାଂଟ ଇଞ୍ଜିନିୟର, ଶିବରାମ୍ ପଣ୍ଡା ଓ ବିଷ୍ଣୁପ୍ରିୟା ପଣ୍ଡାଙ୍କ ଜ୍ୟେଷ୍ଠା କନ୍ୟା ଏବଂ ସର୍ବୋଦୟନଗର, ପୁରୀ ନିବାସୀ ଅବସର ପ୍ରାପ୍ତ ଏଗ୍ରିକଲ୍‌ଚରାଲ୍ ଅଫିସର ସ୍ୱର୍ଗତଃ ନୃସିଂହ ଚରଣ ପଟ୍ଟନାୟକ ଓ ଅବସର ପ୍ରାପ୍ତ ବିଏସ୍‌ଏନ୍‌ଏଲ୍ ଇଞ୍ଜିନିୟର ସ୍ୱର୍ଗତଃ ରଶ୍ମୀରେଖା ଦାସଙ୍କ କନିଷ୍ଠ ପୁତ୍ରବଧୁ ଅଟନ୍ତି।

ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଡ. ସୋଭନ୍ ପଟ୍ଟନାୟକ (ଆସୋସିଏଟ୍ ପ୍ରଫେସର, ଏସ୍‌ପିଏସ୍ ସୋଆ ୟୁନିଭର୍ସିଟି), ସାନ ଭାଇ ଶ୍ରୀ ବ୍ୟୋମକେଶ ପଣ୍ଡା (ଆସିଷ୍ଟାଂଟ ମ୍ୟାନେଜର, ଓଟିଡିସି, ପୁରୀ), ଦେଢ଼ଶୁର ଡ. ଗୁରୁଦତ ପଟ୍ଟନାୟକ (ଡିନ୍‌, ସିୟୁଟିଏମ୍  ୟୁନିଭର୍ସଟି, ଭୁବନେଶ୍ୱର), ଝିଅ ଶ୍ରେୟାଶି ତଥା ସମସ୍ତ ପରିବାର ବର୍ଗ ଓ ସୋଆର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା। ଡେକ୍ସଟ୍ରୋ ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ସମ୍ କାର୍ଡିଓଲୋଜିଷ୍ଟ। ମାତ୍ର ୨.୩ କେଜି ଓଜନ ଓ ୫୦ ରୁ କମ୍ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ନବଜାତ ଶିଶୁ କନ୍ୟାଟି ସମ୍ ହସ୍ପିଟାଲ୍‌ର ଏର୍ମଜେନ୍ସିରେ ପହଂଚିବା ପରେ ତା’ର ଅମ୍ଳଜାନ ସ୍ତର ଲଗାତାର କମୁଥିବା ଦେଖି ତୁରନ୍ତ ନବଜାତ ଶିଶୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି।

ଡି-ଟିଜିଏ ଏକ ଜନ୍ମଗତ ତ୍ରୁଟି ଯେଉଁଥିରେ ହୃତପିଣ୍ଡରୁ ରକ୍ତ ସଂଚାଳନ କରୁଥିବା ଦୁଇଟି ମୁଖ୍ୟ ଆର୍ଟେରୀ, ପଲମୋନାରୀ ଆର୍ଟେରୀ ଏବଂ ଆଓର୍ଟା ନିଜର ସ୍ଥାନ ପରିବର୍ତନ କରିଥାନ୍ତି। ଡାକ୍ତର ବେହେରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ଜରୁରୀକାଳୀନ ବେଲୁନ୍ ଆଟ୍ରିଆଲ୍ ସେପ୍ଟୋଷ୍ଟୋମି (ବାସ) ସହିତ ପାଟେଂଟ ଡକ୍ଟସ୍ ଆର୍ଟେରୀଓସସ୍ (ପିଡିଏ) ଷ୍ଟେଂଟିଙ୍ଗ୍ ମଧ୍ୟ କରିଥିଲେ। ବାସ୍ ଦ୍ୱାରା ହୃତ୍‌ପିଣ୍ଡରେ ଏକ ଛିଦ୍ର ସୃଷ୍ଟି କରାଯାଇଥିଲା ଏବଂ ପିଡିଏସ୍  ଷ୍ଟେଂଟିଙ୍ଗ୍ ଦ୍ୱାରା ଦୁଇଟି ମୁଖ୍ୟ ରକ୍ତ ନଳୀ ଆଓର୍ଟା ଏବଂ ପଲମୋନାରୀ ଆର୍ଟେରୀକୁ ସଂଯୋଗ କରାଯାଇ ପାରିଥିଲା ବୋଲି ଡାକ୍ତର ବେହେରା କହିବା ସହ ଏହା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା ଏବଂ ତା’ର ଅମ୍ଳଜାନ ସ୍ତର ୪୦ ପ୍ରତିଶତରୁ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ଶିଶୁଟିକୁ ଭେଂଟିଲେଟରରେ ରଖାଯିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ୭ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ରଖାଯାଇଥିଲା।

ଏନ୍‌ଆଇସିୟୁର ଡାକ୍ତର ଜଗଦୀଶ ସାହୁ ଏବଂ ଡାକ୍ତର ଅଭିଲିପ୍‌ସା ଆଚାର୍ଯ୍ୟ ଏବଂ ତାଙ୍କ ଡାକ୍ତରୀ ଟିମ୍ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ଯତ୍ନ ନେଇଥିଲେ। ଶିଶୁଟି ସୁସ୍ଥ ହେବା ପରେ ତାକୁ ଥିରୁଭାନନ୍ତପୁରମ୍ ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ତା’ର ଆଉ ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଆମ ରାଜ୍ୟରେ ହୁଏତ ପ୍ରଥମ ଥର ପାଇଁ ଏଭଳି ନବଜାତ ଶିଶୁର ହୃତ ଚିକିତ୍ସା କରାଯାଇଥିବା ଡାକ୍ତର ବେହେରା କହିଛନ୍ତି।

ଡି-ଟିଜିଏ ରୋଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହା ଏକ ଜୀବନ ହାନିକାରକ ଜନ୍ମଗତ ହୃଦ୍‌ରୋଗ ଯାହାକି ଜନ୍ମ ହେବାର କିଛି ଦିନ ମଧ୍ୟରେ ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ଶିଶୁଟି ହଠାତ୍ ନୀଳ ପଡିଯାଏ, ଅସୁସ୍ଥ ଅନୁଭବ କରେ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତା’ର ଅମ୍ଳଜାନ ସ୍ତର ୯୦ % ତଳକୁ ଖସିଯାଏ। ଏଥି ନିମନ୍ତେ ତୁରନ୍ତ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ଓ ଚିକିତ୍ସା କରିବା ଜରୁରୀ।

ଓଡ଼ିଶାରେ ଏଭଳି ନବଜାତ ଶିଶୁଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ନେଇ ଖୁବ୍ କମ୍ ସଚେତନତା ଦେଖାଦେଇଥାଏ ଏବଂ ଅନେକ ଶିଶୁ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ବିନା ମୃତ୍ୟୁବରଣ କରିଥାନ୍ତି ବୋଲି ସେ କହିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏଭଳି ହୃଦରୋଗର ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ। ତେଣୁ ଏହି ସୁଯୋଗ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଂଚାଇହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନ୍‌ଫ୍ଲାମେସନ୍। ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ  ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ। କିନ୍ତୁ ଯଥାଶୀଘ୍ର ଚିକିତ୍ସା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ରୋଗ ମୁକ୍ତ ହୋଇପାରିବେ ବୋଲି ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ ରୁ ଊର୍ଦ୍ଧ୍ୱ ରୋଗୀ ଉପସ୍ଥିତ ଥିଲେ। ର‌୍ୟୁମାଟୋଲୋଜି ହେଉଛି ଏହି ରୋଗର ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନର ଏକ ନୂତନ ବିଭାଗ। ମୁଖ୍ୟତଃ ମହିଳମାନେ ଏହି ରୋଗରେ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଅନିୟମିତ ଜୀବନଶୈଳୀ ତଥା ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଏହି ରୋଗର ମୁଖ୍ୟ କାରଣ ଯାହାକି ବର୍ତ୍ତମାନ ଆଧୁନିକ ବିଶ୍ୱରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲୋକମାନେ ଏହି ସବୁଥିରୁ ନିବୃତ ରହିବା ପାଇଁ ବାଡି ବଗିଚା ଭଳି କାର୍ଯ୍ୟରେ ସମୟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର କହିଥିଲେ ଯେ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗ ଖୁବ୍ କାର୍ଯ୍ୟକ୍ଷମ। ଏଠାରେ ଗୋଟିଏ ଛାତ ତଳେ ଆର୍ଥ୍ରାଇଟିସ୍ ରୋଗୀମାନେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ନ୍ୟୁଟି ୍ରସନ୍ ଓ ଡାଏଟିକ୍‌ସ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର ଏବଂ ଫିଜିଓଥେରାପିଷ୍ଟ ପ୍ରତିଭା ମହାନ୍ତି ମଧ୍ୟ ଯୋଗ ଦେଇ ରୋଗୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ମଧ୍ୟ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ପ୍ରସ୍ତାବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

ଓଡ଼ିଶାରେ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରଥମ ଅନୁଷ୍ଠାନ ଭାବେ ର‌୍ୟୁମାଟୋଲୋଜି ପାଠ୍ୟକ୍ରମରେ ଡିଏମ୍ କୋର୍ସ ଶିକ୍ଷା ପ୍ରଦାନ ନେଇ ଅନୁମତି ମିଳିଛି। ଏହା ଏକ ଗର୍ବର ବିଷୟ ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରକାଶ କରିଛନ୍ତି।

ର‌୍ୟୁାମାଟିଜମ୍ ଅର୍ଥାତ ଆଣ୍ଠୁଗଣ୍ଠି ବାତ ଏଭଳି ଏକ ରୋଗ ଯାହାକି ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି। ପ୍ରତ୍ୟେକ ୧୦୦୦ ଲୋକଙ୍କ ମଧ୍ୟରୁ ୫ ରୁ ୧୦ ଜଣ ଲୋକ ଏହି ସମସ୍ୟାର ଶିକାର ହେଉଛନ୍ତି। ତେଣୁ ଏହି ରୋଗର ଚିକିତ୍ସା ଏବଂ କିଭଳି ରୋଗଗ୍ରସ୍ତ ନ ହେବେ ସେ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର।

ଅକ୍ଟୋବର ୧୨ ତାରିଖ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଫେସର ପାତ୍ର। ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ପାତ୍ର ମିଳିତ ଭାବରେ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। କୋଭିଡ ମହାମାରୀ ଆରମ୍ଭ ହେବା ପରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସରକାରଙ୍କ ସହଭାଗିତାରେ ୫ଟି କୋଭିଡ ହସ୍ପିଟାଲ୍‌
ପରିଚାଳନା କରୁଥିବା ବେଳେ ପ୍ରଫେସର ପାତ୍ରଙ୍କୁ ଏହି କୋଭିଡ ଯୁଦ୍ଧର ଆଗଧାଡିର ପ୍ରମୁଖ ଯୋଦ୍ଧା ବୋଲି ଅଭିହିତ କରି ପ୍ରଫେସର ସାମନ୍ତସିଂହାର ପ୍ରଶଂସା କରିଛନ୍ତି।

ଲକ୍ଷେ୍ନା÷ ସ୍ଥିତ ସଞ୍ଜୟଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଯେଉଁଠାରେ କି ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍‌ ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ, ସେଠାରୁ ପ୍ରଫେସର ପାତ୍ର ଶିକ୍ଷା ଗ୍ରହଣ କରିଥିବା ବେଳେ ସମାନ ଢାଂଚାରେ ସମ୍‌ ହସ୍ପିଟାଲ୍‌ର ର‌୍ୟୁମାଟୋଲୋଜି କେନ୍ଦ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ସମ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗ ଓଡ଼ିଶାରେ ର‌୍ୟୁମାଟେଡ୍  ଆର୍ଥ୍ରାଇଟିସ୍‌ର ଚିକିତ୍ସା ନିମନ୍ତେ ଏକ ଆଗଧାଡିର କେନ୍ଦ୍ର ଭାବେ ଉଭା ହୋଇଥିବା ବେଳେ ରୋଗୀମାନଙ୍କୁ ଖୁବ୍ କମ୍ ମୂଲ୍ୟରେ ଉତମମାନର ଚିକିତ୍ସା ପ୍ରଦାନ କରାଯାଉଛି। ଆମ ହସ୍ପିଟାଲରେ ଉଚ୍ଚ ଶିକ୍ଷିତ ଡାକ୍ତର ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ବୋଲି ପ୍ରଫେସର ପାତ୍ର କହିଛନ୍ତ ।

ର‌୍ୟୁମାଟୋଲୋଜି ବିଭାଗରେ ଖୋଲିଥିବା “ଇମ୍ୟୁନୋଲୋଜି ଓ ଅଟୋଆଂଟିବଡି” ଲ୍ୟାବ୍ ରୋଗୀମାନଙ୍କୁ ସୁଲଭ ଦରରେ ଗୁଣାତ୍ମକ ରକ୍ତ ପରୀକ୍ଷା ଉପଲବ୍ଧ କରାଇବାରେ ସକ୍ଷମ ହେଉଛି। ପୂର୍ବରୁ ଏହି ରକ୍ତ ପରୀକ୍ଷା ନିମନ୍ତେ ରୋଗୀମାନଙ୍କର ରକ୍ତନମୁନା ରାଜ୍ୟ ବାହାରକୁ ପଠାଯାଉଥିଲା ଓ ଏଥିପାଇଁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ବୋଲି ସେ କହିଛନ୍ତି। ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍ ରୋଗ ହେଉଛି ଶରୀରର ଗଣ୍ଠିଗୁଡିକରେ ସୃଷ୍ଟି ହେଉଥିବା ରୋଗ ଯେଉଁଥି ପାଇଁ ଦୀର୍ଘଦିନ ଧରି ଜଣେ ପ୍ରଶିକ୍ଷିତ ର‌୍ୟୁମାଟୋଲୋଜିଷ୍ଟଙ୍କ ଠାରୁ ଚିକିତ୍ସା କରାଇବା ଆବଶ୍ୟ ।

କିନ୍ତୁ ସଚେତନତାର ଅଭାବ ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି ଏବଂ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ସେ କହିଛନ୍ତି। ସମ୍ ହସ୍ପିଟାଲ ର‌୍ୟୁମାଟୋଲୋଜି ଓ.ପି.ଡି ରେ ଥିବା ମସ୍କୁଲୋସ୍କେଲିଟାଲ୍ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ଡାକ୍ତରମାନେ ଗଣ୍ଠିବାତ ରୋଗ ଚିକିତ୍ସା ଯୋଗାଇ ପାରୁଛନ୍ତି।

ଏତଦ୍ ବ୍ୟତୀତ ଅନ୍ୟ ସୁବିଧା ଯେପରିକି ରିହାବିଲିଟେସନ୍ ଥେରାପି, ଫିଜିଓଥେରାପି, ଅକ୍ୟୁପେସ୍‌ନାଲ ଥେରାପି ଆଦି ଗୋଟିଏ ଛାତତଳେ ମିଳିପାରୁଥିବାରୁ ସମ୍ ହସ୍ପିଟାଲ୍‌ରେ ର‌୍ୟୁମାଟୋଲୋଜି ବିଭାଗ ଏବେ ରାଜ୍ୟରେ ଥିବା ଗଣ୍ଠିବାତ ରୋଗୀମାନଙ୍କ ପାଇଁ ଭରସା ପାଲଟିଛି।

ଗଣ୍ଠିବାତ ରୋଗ ଗଣ୍ଠିରେ ପ୍ରଦାହ ଘଟି ପାଣିରେ ଜମିବା ଯୋଗୁଁ ହୋଇଥାଏ ଓ ଏହା ଯେକୌଣସି ବୟସରେ ଏପରିକି ପିଲାମାନଙ୍କ କ୍ଷେତ୍ରରେ ମଧ୍ୟରେ ଦେଖାଦେଇଥାଏ। ବୃଦ୍ଧ ବୟସରେ ଆଣ୍ଠୁ ଯନ୍ତ୍ରଣାକୁ ଅଷ୍ଟୋଆର୍ଥ୍ରାଇଟିସ୍ କୁହାଯାଏ ଯାହାକି କାଟି ର୍ଲେଜ ବା କୋମଳାସ୍ଥି କ୍ଷୟ ଯୋଗୁଁ ଘଟିଥାଏ। ଏହା ଏକ ସଂକ୍ରାମକ ରୋଗ ନୁହେଁ। ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

ତେବେ ମହିଳାମାନଙ୍କ କ୍ଷେତ୍ରରେ ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍ ସମସ୍ୟା ଅଧିକ
ଦେଖାଦେଇଥାଏ। ତେଣୁ ଧୂମ୍ରପାନ, ମଦ୍ୟପାନ, ଜଙ୍କଫୁଡ୍ ତ୍ୟାଗ କରିବା ସହ ମେଦବହୁଳତା ସମସ୍ୟାକୁ ମଧ୍ୟ ଦୂରେଇ ରଖିବା ରଖିବା ଉଚିତ୍ ବୋଲି ପ୍ରଫେସର ପାତ୍ର କହିଛନ୍ତି। ଆର୍ଥ୍ରାଇଟିସ୍ ରୋଗ କ୍ଷେତ୍ରରେ ଖୁବ୍ ଶୀଘ୍ର ଚିକିତ୍ସା କରାଇନେବା ଉଚିତ୍ କାରଣ ଏହି ରୋଗ ପୁରୁଣା ହେଲେ ଚିକିତ୍ସାର ସୁଫଳ ମିଳି ନଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁର ଛାତିରୁ ୫୦୦ ଗ୍ରାମ୍‌ର ଟ୍ୟୁମର୍ ବାହାର କଲେ ସମ୍ ସର୍ଜନ

ଭୁବନେଶ୍ୱର: ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ। ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ
ଦେଇଥିଲା।

ଶିଶୁଟି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଂଚିଥିଲା ତା’ର ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ସର୍ଜନ ତଥା ଅପରେସନ୍ କରିଥିବା ମେଡିକାଲ୍ ଟିମ୍‌ର ସଦସ୍ୟ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି। ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଶିଶୁଟିର ହୃଦଯନ୍ତ୍ର ସହ ଜଡିତ ହୋଇ ଛାତିରେ ୧୧ ସେମି ଆକୃତିର ଏକ ବଡ଼ ଟ୍ୟୁମର ବୃଦ୍ଧି ପାଇଛି ଯାହାକି ସମ୍ପୂର୍ଣ୍ଣ ରୂପେ ବାମ ପଟ ଫୁସ୍‌ଫୁସ୍ ଉପରେ ଚାପ ପକାଉଥିଲା।

ହସ୍ପିଟାଲ୍ ପକ୍ଷରୁ ତୁରନ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ରେଡିଓଲୋଜିଷ୍ଟ ପ୍ରଫେସର ସତ୍ୟ ଏସ୍ ମହାପାତ୍ର ଏବଂ ପ୍ରଫେସର ଆଦ୍ୟ କେ ପଣ୍ଡାଙ୍କ ତତ୍ୱାବଧାନରେ ଶିଶୁଟିର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସିଟିଭିଏସ୍ ସର୍ଜନ୍ ପ୍ରଫେସର ଦେବାଶିଷ ସାହୁଙ୍କ ନେତୃତ୍ୱରେ ଏହି ଅପରେସନ୍ କରାଯାଇଥିବା ବେଳେ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ ଡାକ୍ତରୀ ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ। ଛାତିକୁ କ୍ଲାମ୍‌ସେଲ୍ ଥୋରାକୋଟୋମି ପ୍ରକ୍ରିୟାରେ ଉନ୍ମୁକ୍ତ କରାଯାଇ ଏହି ବଡ଼ ଟ୍ୟୁମର୍‌କୁ ବାହାର କରାଯାଇଥିଲା।

ହୃଦଯନ୍ତ ଏବଂ ଫୁସ୍‌ଫୁସ୍ ସହ ଯୋଡି ହୋଇ ରହିଥିବା ଏହି ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ବାହାର
କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୋଇ ନଥିଲା ବୋଲି ପ୍ରଫେସର ପ୍ରଧାନ କହିଛନ୍ତି। ଅପରେସନ୍ ପରେ ଦୁଇ ଦିନ ନିମନ୍ତେ ଶିଶୁରୋଗ ଇଂଟେନ୍‌ସିଭ୍ କେୟାର ୟୁନିଟ (ପିଆଇସିୟୁ)ରେ ମେକାନିକାଲ୍ ଭେଂଟିଲେସନ୍‌ରେ ପ୍ରଫେସର ଦେବସ୍ମିତା ରଥ ଏବଂ ଡାକ୍ତର ବାସୁଦେବ ବିଶ୍ୱାଳଙ୍କ ତତ୍ୱାବଧାନରେ ଶିଶୁଟିକୁ ରଖାଯାଇଥିଲା। ନିଶ୍ଚେତକ ପ୍ରକ୍ରିୟାରେ ସର୍ଜରୀ କରାଯାଇଥିବା ବେଳେ ଏହି ଟିମ୍‌ରେ ସାମିଲ୍ ଥିଲେ ପ୍ରଫେସର ସୌମ୍ୟା ସାମଲ୍‌, ପ୍ରଫେସର ସୁଲୋଚନା ଦାଶ, ଡାକ୍ତର ନୁପୁର ମୋଡା, ଡାକ୍ତର ମଧୁସ୍ମିତା ପାତ୍ର, ଡାକ୍ତର ସୁଦୀପ୍ ମହାପାତ୍ର ଏବଂ ଡାକ୍ତର ରମ୍ୟା।

ଫାର୍ମାସିଷ୍ଟ ସସ୍ମିତା ସାହୁ, ପ୍ରଣତି ପରିଡା, ରାଧେ ଏବଂ ନର୍ସ ଓ ଓଟି ଆସିଷ୍ଟାଂଟ ବିଶ୍ୱ ରଞ୍ଜନ ପରିଡା, ପୁଷ୍ପଲତା ସାହୁ, ବିଜୟ, ସ୍ମୃତିରେଖା, ରୋଜାଲିନ୍‌, ତପନ୍ ଏବଂ ବିବେକ ମହାରଣା ଟିମ୍‌ରେ ସାମିଲ୍ ହୋଇ ଅପରେସନ୍‌ରେ ସାହାଯ୍ୟ କରିବା ସହ ଶିଶୁଟିର ଚିକିତ୍ସାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫ୍‌ମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଜଣଙ୍କର ସ୍ନାୟୁଜନିତ ପାରାଲିସିସ୍ ହୋଇଯାଇଥିବା ବେଳେ ପ୍ରାୟ ଦୀର୍ଘ ଚାରି ମାସ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।

୪୫ ବର୍ଷ ବୟସ୍କ ଆରତ ସେଠୀ ନାମକ ବ୍ୟକ୍ତି ଗତ ମେ ମାସ ୧୧ ତାରିଖରେ ଯେତେବେଳେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଶୀର୍ଷରେ ଥିଲା ସେତେବେଳେ ସେ କୋଭିଡ ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଏକ ମାସ କାଳ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ଗତ ଜୁନ୍ ୮ ତାରିଖରେ କୋଭିଡରୁ ମୁକ୍ତ ହୋଇ ଅଧିକ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ୍‌ର ନ୍ୟୁରୋସାଇନ୍‌ସ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ତାଙ୍କ ଶରୀରରେ ସ୍ନାୟୁଜନିତ ପାରାଲିସିସ୍ ଦେଖାଦେଇଥିବା ବେଳେ ତାଙ୍କୁ ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଈଶ୍ୱର ବେହେରା ଓ ମେଡିସିନ୍ ବିଭାଗର ପ୍ରଫେସର ଡଃ ଚନ୍ଦନ ଦାସ ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କର କୋଭିଡ ପରବର୍ତ୍ତୀ ପଲମୋନାରୀ ଫାଇବ୍ରୋସିସ୍ ଏବଂ କ୍ୱାଡ୍ରିପାରେସିସ୍ (ସମସ୍ତ ୪ଟି ଅଂଗରେ ମାଂସପେଶୀ ଦୁର୍ବଳ ହେବା) ଭଳି ସମସ୍ୟା ଦେଖାଦେଇଥିଲା ଏବଂ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ଭେଂଟିଲେଟର ଲଗାଯାଇଥିଲା। ଶ୍ୱାସପ୍ରଶ୍ୱାସ ନେବା ନିମନ୍ତେ ତାଙ୍କ ଶରୀରରେ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା।

ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ବିଗିଡିଯାଇଥିଲା। ତାଙ୍କର ସୁସ୍ଥ ହେବାର ଲକ୍ଷଣ ମଧ୍ୟ ଖୁବ୍ ଧୀର ଥିଲା ବୋଲି ଡଃ ବେହେରା କହିଛନ୍ତି। ନିୟମିତ ପରୀକ୍ଷା ନୀରିକ୍ଷା ଓ ଚିକିତ୍ସା ଯୋଗୁଁ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଥିଲେ। ତେବେ ତାଙ୍କ ଶରୀରରେ ପାରାଲିସିସ୍‌ର ପ୍ରଭାବ ରହିଥିଲା।

ଦୀର୍ଘ ୪ ମାସ ପରେ ଶନିବାର ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି ମାତ୍ର ତାଙ୍କର ଘରେ ଅଧିକ ଯତ୍ନ ଏବଂ ଫିଜିଓଥେରାପିର ଆବଶ୍ୟକତା ରହିଛି ବୋଲି ଡଃ ବେହେରା କହିଛନ୍ତି।

ରୋଗୀ ଜଣଙ୍କର ଅବସ୍ଥା ଖୁବ୍ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କର ଫୁସ୍‌ଫୁସ୍ ଅଧିକ ମାତ୍ରାରେ ନଷ୍ଟ ହୋଇଯାଇଥିଲା ଏହି ସବୁ ସତ୍ୱେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ହସ୍ପିଟାଲ୍ ନିମନ୍ତେ ଏକ ବଡ ସଫଳତା ଏବଂ ଏହା ଏକ ଚମତ୍କାର ବୋଲି ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ସୋଆରେ ଜାତୀୟ ପୋଷଣ ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଆଡ୍‌ଭାଇଜର ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ସମ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତ୍ତମାନ ସାରା ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି କର୍ମ ବ୍ୟସ୍ତତା ଯୋଗୁଁ ଚାପରେ ଜୀବନ କଟାଉଛନ୍ତି। ଏହା ମଧ୍ୟରେ ନିଜ ଶରୀରର ଯତ୍ନ ଓ ସନ୍ତୁଳିତ, ସୁଷମ ଆହାର ଓ ପାନୀୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହାର ଉପାଦେୟତା ଓ ଆବଶ୍ୟକତା ଉପରେ ବକ୍ତାମାନେ ଆଲୋକପାତ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ସୁଷମ ଖାଦ୍ୟର ନମୂନା ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ସପ୍ତାହରେ ବୃକ୍ଷ ରୋପଣ, ୨ୟ ସପ୍ତାହରେ ଯୋଗ ଓ ବ୍ୟାୟାମ, ୩ୟ ସପ୍ତାହରେ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ ଏବଂ ୪ର୍ଥ ସପ୍ତାହରେ ଶିଶୁ ପୁଷ୍ଟିହୀନତା ରୋଗ ନିରୂପଣ ସଚେତନତା କାର୍ଯ୍ୟକ୍ରମ ରଖାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ପୋଷଣ ବିଭାଗର ସୂର୍ଯ୍ୟାଶିଖା ମହାନ୍ତି, ସୁଗନ୍ଧା ମହାପାତ୍ର, ସୁଶ୍ରୀତନୟା ବରାଳ, ଚନ୍ଦ୍ରିମା ସେନାପତି, ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଓ.ଏସ୍‌.ଡି ଡଃ ପ୍ରହଲ୍ଲାଦ ମହାନ୍ତି ଓ ରୋଗୀସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଡଃ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍‌) ମେସିନ୍‌କୁ ସମ ହସ୍ପିଟାଲ୍‌ରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ରକ୍ତ ଟ୍ରାନ୍ସଫ୍ୟୁଜନ୍ ନିମନ୍ତେ ଏହି ମେସିନ୍ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ସୁବିଧା ଆରମ୍ଭ କରାଯିବା ଖୁବ୍ ପ୍ରଶଂସନୀୟ। ଏଥିପାଇଁ ହସ୍ପିଟାଲ୍‌କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ କହିଥିଲେ।

ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପ୍ରସଙ୍ଗରେ କହିଥିଲେ ଯେ ବ୍ଲଡ ବ୍ୟାଙ୍କଗୁଡ଼ିକ ଦ୍ୱାରା ୫ ପ୍ରକାରର ରକ୍ତ ସ୍କ୍ରିନିଂ କରାଯାଇଥାଏ। ଏଚ୍‌ଆଇଭି, ହେପାଟାଇଟିସ୍-ବି, ହେପାଟାଇଟିସ୍‌-ସି, ମାଲେରିଆ ଏବଂ ଭିଡିଆର୍‌ଏଲ୍ ନିମନ୍ତେ ଏହି ସ୍କ୍ରିନିଂ କରାଯାଏ। ସୁରକ୍ଷିତ ରକ୍ତ ପ୍ରଦାନ ଆମର ସବୁଠାରୁ ବଡ ଉଦ୍ଦେଶ୍ୟ ଥିବା ବେଳେ ଅତ୍ୟାଧୁନିକ ବ୍ୟବସ୍ଥା ବିନା ରକ୍ତରେ ଥିବା ଭାଇରସ୍ ଚିହ୍ନଟ କରିବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ମେସିନ୍‌ର ଖୁବ୍ ଉପଯୋଗିତା ରହିଛି ଏବଂ ବହୁ ସଂଖ୍ୟକ ରୋଗୀଙ୍କ ପାଇଁ ଏହା ଉପକାରୀ ହେବ। ଏହାର ଅଧିକ ବ୍ୟବହାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବିଭୁଦେନ୍ଦୁ ପତି ଏବଂ ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ।

ଏହି ମେସିନ ଯୋଗାଉଥିବା କମ୍ପାନୀ ହେମୋଜେନୋମିକ୍ସର ଉପସଭାପତି ସଂଗୀତ ଗୋପାଳ କିନି ମେସିନ୍ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ ଆଇଡି-ନାଟ ରକ୍ତରେ ଥିବା ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ୍‌-ସି ଭାଇରସକୁ ଉଇଣ୍ଡୋ ପିରିଅଡ ମଧ୍ୟରେ ଚିହ୍ନଟ କରିବାକୁ ସକ୍ଷମ। ଏହା ଫଳରେ ଚିହ୍ନଟ କରିବାର ସମୟକୁ କମ କରାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସହାୟତାରେ ସମ୍ ହସ୍ପିଟାଲ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍‌) ସଫଳତାର ସହ ସଂପାଦନ କରାଯାଇଛି।

ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା।

ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଭୁବନେଶ୍ୱର ପଟିଆ ଅଂଚଳର ୧୪ ମାସର ଶିଶୁ ସାଇ ସତ୍ୟଜିତ ବେହେରାର ଜନ୍ମରୁ ଏଭଳି ତ୍ରୁଟି ରହିଥିବା ବେଳେ ତା’ର ପିତାମାତା ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ସେମାନେ ଜାନୁଆରୀ ୮ ତାରିଖ ଦିନ ସମ୍‌ ହସ୍ପିଟାଲ୍‌କୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ। ଜାନୁଆରୀ ୧୨ ତାରିଖ ଦିନ ସେ ହସ୍ପିଟାଲ୍‌ରେ ଦାଖଲ ହୋଇଥିବା ବେଳେ ୧୪ ତାରିଖ ଦିନ ପ୍ରଫେସର ମହାପାତ୍ର ତା’ର ଅପରେସନ୍ କରିଥିଲେ। ଗୁରୁବାର ଦିନ ଶିଶୁ ସାଇ ସତ୍ୟଜିତ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ନୂଆଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସେ ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର
କରିଛନ୍ତି।

ଏହି ବଂଶାନୁକ୍ରମିକ ତ୍ରୁଟିଜନିତ ବ୍ୟାଧି ପ୍ରତ୍ୟେକ ୩ ଲକ୍ଷ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେଖାଦେଉଥିବା ବେଳେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଭଳି ଦକ୍ଷିଣ-ପୂର୍ବ ଏସିଆନ୍ ଦେଶ ଗୁଡ଼ିକରେ ଅଧିକ ମାତ୍ରାରେ ଦେଖାଯାଉଛି। ଯଦିଓ ଭାରତରେ ଏହା ଖୁବ୍ ବିରଳ ତେବେ ଉତରପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ କେତେକ ଶିଶୁଙ୍କ କ୍ଷେତ୍ରରେ ଏହି ତ୍ରୁଟି ଦେଖାଯାଉଥିବା ସେ କହିଛନ୍ତି।

ପୂର୍ବରୁ ଏହି ସର୍ଜରୀ ବ୍ରେନ୍ ରିପେୟାର୍‌, ଅର୍ବିଟାଲ୍ ରି-କନ୍‌ଷ୍ଟ୍ରକ୍ସନ୍ ଏବଂ ରାଇନୋପ୍ଲାଷ୍ଟି ଭଳି ତିନୋଟି ସ୍ତର ଦେଇ କରାଯାଉଥିବା ବେଳେ ୧୨ ରୁ ୧୪ ଘଂଟା ସମୟ ଲାଗୁଥିଲା। ତେବେ ବର୍ତମାନ ଶୈଲ୍ୟ ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ୩ ରୁ ୪ ଘଂଟା ମଧ୍ୟରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସର୍ଜରୀ ପରେ ଶିଶୁଟି ସୁସ୍ଥ ଥିବା ବେଳେ ପ୍ରଫେସର ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସାଇ ସତ୍ୟଜିତର ପିତାମାତା। ପୁଅ ଭଲ ହେବ ବୋଲି ଆଶା ନଥିଲା। ତାକୁ ନୂଆ ଜୀବନ ପ୍ରଫେସର ମହାପାତ୍ର ଦେଇଛନ୍ତି ବୋଲି କହିଛନ୍ତି ସାଇର ବାପା ପ୍ରକାଶ
ବେହେରା।

କେନ୍ଦ୍ରାପଡା ପାଟକୁରା ଅଂଚଳର ପ୍ରକାଶ ବେହେରା ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ବେଳେ ଖୁବ୍ କଷ୍ଟ କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି। ଏଥିସହିତ ଛୋଟ ପୁଅର ଏଭଳି ଅବସ୍ଥା ତାଙ୍କୁ ଅଧିକ ବ୍ୟଥିତ କରିଥିଲା। ତେଣୁ ପୁଅର ଚିକିତ୍ସା ପାଇଁ ସମାଜସେବା କ୍ଷେତ୍ରରେ ନିଜକୁ ନିବିଡ ଭାବେ ନିୟୋଜିତ କରିଥିବା ବିଶିଷ୍ଟ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ ପ୍ରକାଶ। ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ପ୍ରକାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ। ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି ଦିନ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି ସମ୍ ହସ୍ପିଟାଲ୍‌ରେ।

ପୁନେ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମିଳିତ ସହଭାଗିତାରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହି ଟିକା ପ୍ରଦାନ କରାଯାଉଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌, ରାଜ୍ୟ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିକା ମେଡିକାଲ୍ ଏବଂ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର। ଗତ ଚାରି ଦିନ ମଧ୍ୟରେ ହୋଇଥିବା ଟିକାକରଣ ପରେ କାହା ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ପ୍ରଫେସର ସାମନ୍ତସିଂହାର।

ଏହି ଟିକାକରଣ କାର୍ଯ୍ୟକ୍ରମକୁ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ତଦାରଖ କରୁଥିବା ବେଳେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡଃ ରାଜେଶ କୁମାର ଲେଙ୍କା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ଡଃ ଅଜୟ କୁମାର ଜେନା, କୋଭାକ୍ସିନ୍ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡଃ ଲିପିଲେଖା ପଟ୍ଟନାୟକ, ଆଡିସ୍‌ନାଲ୍ ନୋଡାଲ ଅଫିସର ଡଃ ବ୍ରଜକିଶୋର ବେହେରା, କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ନିରୀକ୍ଷକ ଡଃ ଇ. ଭେଙ୍କଟ ରାଓ, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡଃ ସୁମିତ୍ରା ପଟ୍ଟନାୟକ, ମେଡିସିନ୍ ବିଭାଗର ମୁଖ୍ୟ ଡଃ ସମୀର ସାହୁ, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ମହାନ୍ତି, ନିଓନାଟୋଲୋଜି ବିଭାଗର ମୁଖ୍ୟ ଡଃ ଜଗଦୀଶ ସାହୁ, କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଏହି ଅଭିଯାନରେ ସକ୍ରିୟ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି।

ଆଜି ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି। ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍‌କୁ ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ୍ ରୁମ୍‌, ଭ୍ୟାକ୍ସିନ୍ ରୁମ୍ ଓ ଅବ୍‌ଜର୍‌ଭେସନ୍ ରୁମ୍ ଭାବେ ବ୍ୟବହୃତ ହେବ। ଏହି ରୁମ୍‌ଗୁଡ଼ିକର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମ୍ୟୁନାଇଜେସନ୍ ଅଫିସର୍‌ ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ। ମୂଖ୍ୟତଃ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ଅଫିସର ଡଃ ସି.ଭି.ଏସ୍‌.ଏନ୍‌. ରାଓ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଚାଇଲ୍ଡ ଅଫିସର ଡଃ ଆର୍‌. ପି. ଶତପଥୀ, ଷ୍ଟେଟ୍ ଇମ୍ୟୁନାଇଜେସନ୍‌ ଅଫିସର ଡଃ ତାପସ ପାତ୍ର, କମ୍ୟୁନିଟି ମେଡିସିନ୍ ବିଭାଗରର ମୁଖ୍ୟ ଅଧ୍ୟାପକ ଡଃ ତ୍ରିଲୋଚନ ସାହୁ, ପ୍ରଫେସର (ଡଃ) ଇ. ଭେଙ୍କଟ ରାଓ, ମେଡିସିନ୍ ବିଭାଗର ପ୍ରଫେସର (ଡଃ) ଏସ୍‌. କବି, ଶିଶୁ ବିଭାଗର ମୁଖ୍ୟ ଡଃ ମମତା ଦେବି ମହାନ୍ତି, ଡଃ ଲିପିଲେଖା ପଟ୍ଟନାୟକ, ଡଃ ଜ୍ୟୋତିରଞ୍ଜନ ସାହୁ , ଇମ୍‌ୁ୍ୟନାଇଜେସନ୍ ଅଫିସର ଡଃ ସୁମିତା ଶର୍ମା, ବାୟୋମେଡିକାଲ୍ ଅଫିସର
ଡଃ ପ୍ରେମନାଥ ତାଣ୍ଡି, ଡଃ ସ୍ମିତାଭ ବାରିକ, ଏଫ୍‌.ଓ.ଏମ୍ ପୁଷ୍ପାଞ୍ଜଳି ରାଉତ, ଉପ ନିର୍ଦ୍ଦେଶକ ପ୍ରିୟବ୍ରତ ଦାସ, ଡଃ ଲିଙ୍ଗରାଜ. ରଥ, ଏବଂ ଓ.ଏସ୍‌.ଡି. ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ର ଆଉ ଏକ ସଫଳତା: ଇକ୍‌ମୋ ପଦ୍ଧତିରେ ୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ସୁସ୍ଥ କଲେ ଡାକ୍ତର

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍‌ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍‌ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳି ପାରିଛି। ଏହି ଇକ୍‌ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି।

୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ କିଛି  ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କରୋନା ସଂକ୍ରମଣ ହେବା ପରେ ତାଙ୍କର ଦୁଇଟି ଯାକ ଫୁସଫୁସ୍‌ର ୯୦ ଭାଗ ନଷ୍ଟ ହୋଇଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଭେନ୍‌ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ହାଇଫ୍ଲୋ ନାଜାଲ୍ ଅକ୍ସିଜେନ୍ ବ୍ୟବହାର କରାଯିବା ସତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ତାଙ୍କୁ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇଥିଲା।

ଇକ୍‌ମୋ ପଦ୍ଧତି ପ୍ରୟୋଗ ଦ୍ୱାରା ତାହା ଶରୀରରେ ଥିବା ଫୁସ୍‌ଫୁସ୍‌ର କାର୍ଯ୍ୟ କଲା ଏବଂ ସେହି ସମୟରେ କ୍ଷତିଗ୍ରସ୍ତ ଫୁସ୍‌ଫୁସ୍‌କୁ ସୁସ୍ଥ କରିବାରେ ଲାଗି ପଡ଼ିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍। ବେଶ କିଛି ଦିନ ଧରି ଏହି ପଦ୍ଧତିରେ ତାଙ୍କର ଚିକିତ୍ସା କରାଗଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲେ। ରୋଗୀ ଜଣକଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଇକ୍‌ମୋ କଢ଼ାଯାଇ କେବଳ ଭେନ୍‌ଟିଲେଟରରେ ରଖାଗଲା। ତେବେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବା ପାଇଁ ଆଇସିୟୁରେ ଫିଜିଓଥେରାପି ମଧ୍ୟ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଶକ୍ତିବେଦାନ୍ତ ମିଶ୍ର। ଦୀର୍ଘ ଦୁଇ ମାସ ର ଚିକିତ୍ସା ଓ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର୍ ୟୁନିଟ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନ, ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ରୋଗୀ ଜଣକ ଏବେ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ ହସ୍ପିଟାଲ୍‌ରେ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବା ଓଡ଼ିଶାରେ ଏକ ବିରଳ ସଫଳତା ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଡଃ ଦେବାଶିଷ ସାହୁ।
ହସ୍ପିଟାଲର ଏକ ୭ ଜଣିଆ ଡାକ୍ତରୀ ଟିମ୍ ଏହି ଚିକିତ୍ସା ପଦ୍ଧତିରେ ସାମିଲ୍ ଥିଲେ। ଏହି ଟିମ୍‌ରେ ଡଃ ମିଶ୍ର ଓ ଡଃ ସାହୁଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଅରୁଣ ରଥ ଓ ଡଃ ଅଭିଳାଷ ଦାଶ, ଫିଜିଓଥେରାପି ବିଭାଗ ମୁଖ୍ୟ ଡଃ ସ୍ଥିତିପ୍ରଜ୍ଞା ଦଳବେହେରା, କନ୍‌ସଲ୍‌ଟାଂଟ୍ , କାର୍ଡିଆକ ଆନେସ୍‌ଥେସିଆ ଡଃ ସୁଶାନ୍ତ ଭୋଇ ଏବଂ ପର୍‌ଫ୍ୟୁଜନିଷ୍ଟ ସନାତନ ଚାନ୍ଦ ସାମିଲ୍ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିଟାଲ : ଦ୍ବିତୀୟ ଥର ପାଇଁ ଯକୃତ ପ୍ରତ୍ୟାରୋପଣରେ ସଫଳ ହେଲା

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି ।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।

ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ ।

ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତ (୪୯)ଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ (୪୧) ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ତାଙ୍କ ଜୀବନ ବଂଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।

ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲଜି, ରେଡିଓଲୋଜି, ଓଟି, ଇନଫେକସନ କଂଟ୍ରୋଲ, ସେଂଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ସ ମାନଙ୍କୁ ନେଇ ଏହି ଅପରେସନ ନିମନ୍ତେ ଏକ ୪୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ସର୍ଜରୀ ପୂର୍ବରୁ ଏଆଇଜି ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇ ପ୍ରଫେସର ସାହୁ କହିଛନ୍ତି ଯେ, ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦% ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇଥିଲା ।

ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନ ଏବଂ ବାଇଲ ଡକ୍ଟା ଗୁଡିକୁ ରୋପଣ କରିଥିଲେ । ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା । ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ପ୍ରଫେସର ସାହୁ କହିଛନ୍ତି ।

ଏହି ସର୍ଜରୀ ନିମନ୍ତେ ଏଆଇଜିର ଯକୃତ ପ୍ରତ୍ୟାରୋପଣ ନିର୍ଦ୍ଦେଶକ ପ୍ରଫେସର ମେନନ୍‌ଙ୍କ ନେତୃତ୍ୱରେ ଡ. ଜି.ଭି. ପ୍ରେମକୁମାର, ଡ. ଶକ୍ତି ସ୍ୱରୂପ, ଡ. କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ ଜଣ ଏଠାକୁ ଆସିଥିଲେ । ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଡ. ସତ୍ୟପ୍ରକାଶ ରାୟଚୌଧୁରø, ଡ. ସୁମିତ୍ ମହାନ୍ତି, ଡ. ସତ୍ୟସୁନ୍ଦର ଗଜେନ୍ଦ୍ରମହାପାତ୍ର, ଡ. ସନ୍ତୋଷ କୁମାର ସିଂହ, ଡ. ରାଜୀବ ଲୋଚନ ସାମଲ, ଡ. ଦେବକାନ୍ତ ମିଶ୍ର, ଡ. ରାଜେଶ କୁମାର ଭୋଳ, ଡ. ଗିରିଜାନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଶ୍ରୀ ସରୋଜ ସେନାପତି ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଫେସର ମେନନ୍ । ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କ ଠାରେ ଉତ୍ସାହ ରହିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ର ହୋଇପାରେ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଯକୃତ ପ୍ରତ୍ୟାରୋପଣ ଆରମ୍ଭ କରିବା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଫେସର ସାହୁ କହିବା ସହ ପ୍ରଥମ ସର୍ଜରୀ ରାଜ୍ୟରେ ଇତିହାସ ରଚିଥିଲା ବୋଲି କହିଥିଲେ।

ପ୍ରଫେସର ସାହୁଙ୍କ ନେତୃତ୍ୱରେ ହସ୍ପିଟାଲରେ ପ୍ରଥମ ସର୍ଜରୀ ଗତ ମାର୍ଚ୍ଚ ୫ ତାରିଖରେ ବାଲେଶ୍ୱର ଅଂଚଳର ଜୟନ୍ତ କୁମାର ବିଶ୍ୱାଳଙ୍କର ଶରୀରରେ କରାଯାଇଥିବାବେଳେ ତାଙ୍କୁ ତାଙ୍କ ୧୮ ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ । ଏହା ଏକ ସଫଳ ପ୍ରତ୍ୟାରୋପଣ ଥିଲା । ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କର ଖୁବ୍ ସହଯୋଗ ରହିଥିଲାବୋଲି ସେ କହିଛନ୍ତି ।

ଯକୃତ ଜନିତ ରୋଗ ଓଡ଼ିଶାରେ ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ଅନେକ ଯୁବାବସ୍ଥାରେ ପ୍ରତ୍ୟାରୋପଣର ଅଭାବ ଯୋଗୁ ମୃତ୍ୟୁବରଣ କରୁଛନ୍ତି । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହା ଏବେ ସମ୍ଭବ ହୋଇପାରିଛି ଏବଂ ଖୁବ୍ ସୁଲଭ ମୁଲ୍ୟରେ ଏହି ପ୍ରତ୍ୟାରୋପଣ ହୋଇପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।